Skip to main content

ରାଜ୍ୟ ଉପରେ ଟିକାକରଣ ବୋଝ

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦେଶର ଅଗ୍ରାଧିକାର ଜନସଂଖ୍ୟା କୁହାଯାଉଥିବା ୪୫ ବର୍ଷ ଓ ତା’ଠାରୁ ଅଧିକ ବୟସର ଲୋକ, ସ୍ୱାସ୍ଥ୍ୟ କର୍ମୀ, କୋଭିଡର ସମ୍ମୁଖ ଯୋଦ୍ଧାଙ୍କ ସରକାରୀ ହସପିଟାଲରେ ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ନିଃଶୁଳ୍କ ବହନ କରୁଥିବା ବେଳେ ୧୮ ବର୍ଷରୁ ୪୫ ବର୍ଷ ବୟସ ବର୍ଗରେ ଥିବା ଲୋକଙ୍କ ଟିକାକରଣ ଦାୟିତ୍ୱ ରାଜ୍ୟଗୁଡିକ ଉପରେ ନ୍ୟସ୍ତ କରାଯାଇଛି । ଓଡିଶା ସମେତ କେତେକ ରାଜ୍ୟ ଏହି ବୟସ ବର୍ଗର ସରକାରୀ ହସପିଟାଲରେ ଟିକାକରଣକୁ ନିଃଶୁଳ୍କ ଘୋଷଣା କରି ସାରିଛନ୍ତି । ଦେଶର ସମୁଦାୟ ଜନସଂଖ୍ୟା ୧୩୩ କୋଟିରୁ ଟିକା ନେବା ପାଇଁ ଯୋଗ୍ୟ (୧୮ ବର୍ଷରୁ ଅଧିକ) ଲୋକଙ୍କ ସଂଖ୍ୟା ପ୍ରାୟ ୮୪ କୋଟି ।

ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କର ଟିକାକରଣ ପାଇଁ ୬୭୧୯୩ କୋଟି ଟଙ୍କା ବା ସମୁଦାୟ ଘରୋଇ ଉତ୍ପାଦର ୦.୩୬ ପ୍ରତିଶତ ବ୍ୟୟ ହୋଇପାରେ ବୋଲି ଇଣ୍ଡିଆ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚ (ଇଣ୍ଡ-ରା) ସଂସ୍ଥା ଅପ୍ରେଲ ମାସର ଶେଷ ଆଡକୁ ଆକଳନ କରିଥିଲେ । ସେହି ଆକଳନ ଅନୁଯାୟୀ ଏଥିପାଇଁ କେନ୍ଦ୍ର ସରକାରଙ୍କ ଉପରେ ୨୦୮୭୦ କୋଟି ଟଙ୍କା (ଜିଡିପିର ୦.୧୨ ପ୍ରତିଶତ) ଓ ରାଜ୍ୟଗୁଡିକ ଉପରେ ୪୬୩୨୩ କୋଟି ଟଙ୍କା (ଜିଡିପିର ୦.୨୪ ପ୍ରତିଶତ) ବୋଝ ପଡିପାରେ । ତେବେ ଏହା ଦ୍ୱାରା ଯେଉଁ ରାଜ୍ୟଗୁଡିକ ଉପରେ ସର୍ବାଧିକ ପ୍ରଭାବ ପଡିବ ସେଗୁଡିକ ହେଲା ବିହାର (ଜିଡିପିର ୦.୬୦ ପ୍ରତିଶତ), ଉତ୍ତରପ୍ରଦେଶ (୦.୪୭), ଝାରଖଣ୍ଡ (୦.୩୭), ମଣିପୁର (୦.୩୬), ଆସାମ (୦.୩୫), ମଧ୍ୟପ୍ରଦେଶ (୦.୩୦) ଓ ଓଡିଶା (୦.୩୦) । ଏହା ଓଡିଶା ପାଇଁ ଶୁଭ ଖବର ନୁହେଁ । ଟିକାକରଣ ବାବଦ ବ୍ୟୟ ରାଜ୍ୟଗୁଡିକର ସ୍ୱାସ୍ଥ୍ୟ ବଜେଟର ହାରାହାରି ୨୭ ପ୍ରତିଶତ ହେବ ବୋଲି କୁହାଯାଉଛି । 

ଇତିମଧ୍ୟରେ ଟିକାକରଣ ପରିଦୃଶ୍ୟରେ ଯଥେଷ୍ଟ ପରିବର୍ତ୍ତନ ହୋଇ ସାରିଥିବାରୁ ବ୍ୟୟ ଆକଳନରେ ବି ପରିବର୍ତ୍ତନ ହୋଇପାରେ । ଭାରତ ହେଉଛି ଏକମାତ୍ର ଟିକା ଉତ୍ପାଦନକାରୀ ଦେଶ ଯିଏ ଟିକା ପାଇଁ ଘରୋଇ ବଜାର ଖୋଲି ଦେଇ ନାଗରିକଙ୍କୁ ଟିକା କିଣିବା ପାଇଁ ପ୍ରେରିତ କରୁଛି । ତେଣୁ ଏହି ବଡ ଘରୋଇ ବଜାରଟିରେ ପ୍ରବେଶ କରିବା ଆଶାରେ ବିଦେଶୀ ଟିକା ଉତ୍ପାଦନକାରୀମାନେ ଅନାଇ ବସିଛନ୍ତି । ତେବେ ଏ ଯାଏଁ ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଦ୍ୱାରା କେବଳ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ ଭଳି ତିନିଟି ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଛି । ସ୍ପୁଟନିକ ଟିକାର ମୂଲ୍ୟ ଡୋଜ ପ୍ରତି ୯୯୬ ଟଙ୍କା । ଆମ ପଡୋଶୀ ଦେଶ ବଙ୍ଗଳାଦେଶର ଘରୋଇ ବଜାରରେ କୋଭିସିଲ୍ଡ ଟିକା ଡୋଜ ପ୍ରତି ପ୍ରାୟ ୯୫୦ ଟଙ୍କା (୧୩ ଡଲାର)ରେ ବିକ୍ରି ହେଉଥିବା ବେଳେ, ଥାଇଲାଣ୍ଡରେ କରୋନାଭାକ୍ସ ଟିକା ୨୩୪୦ ଟଙ୍କା (୩୨ ଡଲାର), ନେପାଳରେ କୋଭାକ୍ସିନ ଟିକା ୨୫୦୦ ଟଙ୍କା (୩୫ ଡଲାର) ଓ ପାକିସ୍ତାନରେ ସ୍ପୁଟନିକ ଟିକା ଡୋଜ ପ୍ରତି ୧୯୦୦ ଟଙ୍କା (୨୭ ଡଲାର) ରେ ଉପଲବ୍ଧ । ଅର୍ଥାତ୍, ବିଦେଶୀ ଟିକା ଆମଦାନୀ କରି ଟିକାକରଣ କରିବା ରାଜ୍ୟଗୁଡିକ ପକ୍ଷରେ ନିଶ୍ଚିତ ଭାବେ ଅଧିକ ବ୍ୟୟ ବହୁଳ ହେବ ।    

ଓଡିଶା ଉପରେ ମଧ୍ୟ ଟିକାକରଣ ବୋଝ ଯଥେଷ୍ଟ ବେଶି ପଡିବାକୁ ଯାଉଛି । ଏହାର ସାଢେ ଚାରିକୋଟିର ଜନସଂଖ୍ୟା ମଧ୍ୟରୁ ଟିକା ନେବା ଯୋଗ୍ୟ ୧୮ରୁ ଅଧିକ ବର୍ଷ ବୟସର ଲୋକଙ୍କ ସଂଖ୍ୟା ପ୍ରାୟ ୩.୨୫କୋଟି ( ୨୦୧୯ ଭୋଟର ତାଲିକା ଆଧାରରେ ) । ଏମାନଙ୍କ ମଧ୍ୟରୁ ପ୍ରାୟ ୪୫ ବର୍ଷରୁ ଅଧିକ ବୟସ ବର୍ଗର ପ୍ରାୟ ୧.୪୦ କୋଟି ହୋଇଥିବା ବେଳେ ୧.୮୫ କୋଟି ୧୮ ବର୍ଷରୁ ୪୫ ବର୍ଷ ବୟସ ବର୍ଗର । ୪୫ ବର୍ଷରୁ ଅଧିକ ବୟସ ବର୍ଗର ଲୋକଙ୍କ ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ବହନ କରିଥିବାରୁ ୧.୮୫ କୋଟି ଲୋକଙ୍କ ଟିକାକରଣ ଦାୟିତ୍ୱ ଓଡିଶା ସରକାରଙ୍କ ଉପରେ ପଡିବ । ଅବଶ୍ୟ ଏମାନଙ୍କ ମଧ୍ୟରୁ ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକ ନିଜେ ଏବଂ କମ୍ପାନୀ ବା କର୍ପୋରେଟ ହାଉସମାନେ ନିଜ କର୍ମଚାରୀମାନଙ୍କ ଟିକାକରଣ ଦାୟିତ୍ୱ ବହନ କରି ଘରୋଇ ହସପିଟାଲଗୁଡିକରେ ଟିକାକରଣ କରି ପାରନ୍ତି । ଓଡିଶାରେ ସେଭଳି ଲୋକ ଓ କମ୍ପାନୀର କର୍ମଚାରୀଙ୍କ ସଂଖ୍ୟା ଅଧିକ ହୋଇ ନ ଥିବାରୁ ଅତି ବେଶିରେ ୫ ପ୍ରତିଶତ ବା ୨୦ ଲକ୍ଷ ଲୋକ ଘରୋଇ ହସପିଟାଲରେ ଟିକା ନେଇ ପାରନ୍ତି । ଏହି ବର୍ଗର ଅବଶିଷ୍ଟ ୧.୬୫ କୋଟି ଲୋକଙ୍କୁ ଦୁଇ ଡୋଜ ଲେଖାଏଁ ଟିକା ଦେଲେ ସମୁଦାୟ ୩.୩୦ କୋଟି ଡୋଜ ଟିକା ଓ ୫ ପ୍ରତିଶତ ଟିକା ନଷ୍ଟ ହେବ ବୋଲି ଧରିଲେ ସେ ବାବଦକୁ ୦.୨୦ କୋଟି ଡୋଜ ଟିକା ଏହିପରି ସମୁଦାୟ ପ୍ରାୟ ୩.୫୦ କୋଟି ଡୋଜ ଟିକାର ଆବଶ୍ୟକତା ପଡିବ । ରାଜ୍ୟଗୁଡିକୁ ଏସଆଇଆଇ କମ୍ପାନୀ କୋଭିସିଲ୍ଡ ଟିକା ଡୋଜ ପ୍ରତି ୩୦୦ ଟଙ୍କା ଓ ଭାରତ ବାଇଓଟେକ କମ୍ପାନୀ କୋଭାକ୍ସିନ ଟିକା ଡୋଜ ପ୍ରତି ୪୦୦ ଟଙ୍କାରେ ଯୋଗାଇବାକୁ ଘୋଷଣା କରିଛନ୍ତି । ଅବଶ୍ୟ ତା’ ଉପରେ ଜିଏସଟି ଲାଗିବ । ତେଣୁ ହାରାହାରି ଡୋଜ ପ୍ରତି ୪୦୦ ଟଙ୍କା ପଡିଲେ ଜଣକର ଦୁଇ ଡୋଜ ଟିକାକରଣ ବାବଦକୁ ୮୦୦ ଟଙ୍କା ପଡିପାରେ । ଯଦି ରାଜ୍ୟ ତା’ର ସମସ୍ତ ଟିକା ଆବଶ୍ୟକତା ଏହି ଦୁଇ ପ୍ରକାର ଟିକା ଉପରେ ନିର୍ଭର କରି ତୁଲାଇ ପାରିବ ତେବେ ୩.୫୦ କୋଟି ଡୋଜ ଟିକା ପାଇଁ ରାଜ୍ୟକୁ ପ୍ରାୟ ୧୪୦୦ କୋଟି ଟଙ୍କା ବହନ କରିବାକୁ ପଡିବ । କିନ୍ତୁ ବାସ୍ତବତା ହେଉଛି ଏହି ଦୁଇଟି ଟିକା ଉତ୍ପାଦନକାରୀ କମ୍ପାନୀ ରାଜ୍ୟକୁ ନିକଟ ଭବିଷ୍ୟତରେ ଏତେ ପରିମାଣର ଟିକା ଯୋଗାଇ ଦେବାକୁ ସମର୍ଥ ନୁହନ୍ତି । କାରଣ ସେମାନଙ୍କ ଦ୍ୱାରା ଉତ୍ପାଦିତ ଟିକାର ୫୦ ପ୍ରତିଶତ କେନ୍ଦ୍ର ସରକାରଙ୍କୁ ଦିଆ ଯାଉଥିବା ବେଳେ ବାକି ୫୦ ପ୍ରତିଶତ ସବୁ ରାଜ୍ୟ ଓ ହସପିଟାଲଗୁଡିକୁ ଯୋଗାଇ ଦିଆଯାଉଛି । ତେଣୁ ଓଡିଶାକୁ ଦେଶୀ ଟିକା ସହ ସ୍ପୁଟନିକ, ଫାଇଜର, ମଡର୍ଣ୍ଣା, ଜନସନ ଆଣ୍ଡ ଜନସନ ଭଳି ବିଦେଶୀ ଟିକା ଉପରେ ବି ନିର୍ଭର କରିବାକୁ ପଡିବ । ଏଗୁଡିକ ମଧ୍ୟରୁ ରୁଷିଆର ସ୍ପୁଟନିକ-୫ ଟିକା ଭାରତରେ ଉପଲବ୍ଧ ହେଲାଣି ଓ ଏହାର ଡୋଜ ପିଛା ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା । ଅନ୍ୟ ଟିକାଗୁଡିକର ମୂଲ୍ୟ କ’ଣ ହେବ ଜଣା ନ ଥିଲେ ବି ଅନ୍ୟ ଦେଶଗୁଡିକରେ ସେଗୁଡିକ ଯେଉଁ ଦରରେ ବିକ୍ରି ହେଉଛି, ସେଥିରୁ ଭାରତରେ ସେଗୁଡିକର ମୂଲ୍ୟ ଡୋଜ ପ୍ରତି ଅନ୍ତତଃ ୧୫୦୦ରୁ ୨୦୦୦ ଟଙ୍କା ଲେଖାଏଁ ହେବ ବୋଲି ଅନୁମାନ କରା ଯାଇପାରେ । ତେଣୁ ଭାରତରେ ବିଦେଶୀ ଟିକାର ଦର ହାରାହାରି ଡୋଜ ପ୍ରତି ପ୍ରାୟ ୧୫୦୦ଟଙ୍କା ହୋଇପାରେ । ଏବେ ଦୁଇଟି ପୃଥକ୍ ସ୍ଥିତିରେ – କୋଭିସିଲ୍ଡ ଓ କୋଭାକ୍ସିନ ଟିକା ୭୫ ପ୍ରତିଶତ ସହ ବିଦେଶୀ ଟିକା ୨୫ ପ୍ରତିଶତ ବା କୋଭିସିଲ୍ଡ ଓ କୋଭାକ୍ସିନ ଟିକା ୫୦ ପ୍ରତିଶତ ସହ ବିଦେଶୀ ଟିକା ୫୦ ପ୍ରତିଶତ – ଓଡିଶା ଉପରେ କେତେ ଆର୍ଥିକ ବୋଝ ପଡିପାରେ, ତାହା ଆକଳନ କରାଯାଉ । ପ୍ରଥମ ସ୍ଥିତିରେ ୨.୬୩ କୋଟି ଡୋଜ ଦେଶୀ ଟିକା ଓ ୦.୮୭ କୋଟି ଡୋଜ ବିଦେଶୀ ଟିକା ଆବଶ୍ୟକ ହେଉଥିବା ବେଳେ ଦ୍ୱିତୀୟ ସ୍ଥିତିରେ ୧.୭୫ କୋଟି ଦେଶୀ ଟିକା ଓ ୧.୭୫ କୋଟି ବିଦେଶୀ ଟିକା ଦରକାର ହେବ । ପ୍ରଥମ ସ୍ଥିତିରେ ଦେଶୀ ଟିକା ବାବଦକୁ ୧୦୫୨ କୋଟି ଟଙ୍କା ଓ ବିଦେଶୀ ଟିକା ବାବଦକୁ ୧୩୦୫ କୋଟି ଟଙ୍କା, ଏହିପରି ସମୁଦାୟ ପ୍ରାୟ ୨୩୫୭ କୋଟି ଟଙ୍କାର ବୋଝ ପଡିବ । ଅନ୍ୟ ପକ୍ଷରେ ଦ୍ୱିତୀୟ ସ୍ଥିତିରେ ଦେଶୀ ଟିକା ବାବଦକୁ ୭୦୦ କୋଟି ଟଙ୍କା ଓ ବିଦେଶୀ ଟିକା ବାବଦକୁ ୨୬୨୫ କୋଟି ଟଙ୍କା, ଏହିପରି ସମୁଦାୟ ୩୩୨୫ କୋଟି ଟଙ୍କାର ବୋଝ ପଡିବ । ଅର୍ଥାତ୍, ଯେତେ ଅଧିକ ସଂଖ୍ୟକ ଲୋକଙ୍କୁ ଦେଶୀ ଟିକା ଦେଇ ବିଦେଶୀ ଟିକା ଉପରେ ନିର୍ଭରଶୀଳତା ହ୍ରାସ କରି ହେବ ରାଜ୍ୟ ଉପରେ ଆର୍ଥିକ ବୋଝ ସେତେ କମ ହେବ । ତେବେ କୌଣସି ମତେ ତାହା ୨୩୫୦ କୋଟି ଟଙ୍କାରୁ କମ ହେଲା ପରି ମନେ ହେଉ ନାହିଁ । ଉଲ୍ଲେଖଯୋଗ୍ୟ, ୨୦୨୧-୨୨ରେ ଓଡିଶା ସରକାରଙ୍କ ବଜେଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୯୧୬୪ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ତେଣୁ ଟିକାକରଣ ବାବଦ ବ୍ୟୟ ଏହି ବଜେଟୀୟ ପ୍ରାବଧାନର ପ୍ରାୟ ୨୬ ପ୍ରତିଶତ ହେବ, ଯଦ୍ଦ୍ୱାରା ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖା ଦେଇପାରେ । ପୁଣି ୧୮ ବର୍ଷରୁ କମ ବୟସ ବର୍ଗର ପିଲାଙ୍କ ପାଇଁ ଟିକା ଦେବାର ଦାୟିତ୍ୱ ରାଜ୍ୟଗୁଡିକ ଉପରେ ପଡିଲେ ସେଥିପାଇଁ ବି ହଜାର ହଜାର କୋଟି ଟଙ୍କାର ଆବଶ୍ୟକତା ଉପୁଜିପାରେ ।

ଭାରତୀୟ ଟିକାର ଉତ୍ପାଦନ ଖର୍ଚ୍ଚ କେତେ, ତାହା ସର୍ବସାଧାରଣରେ ଉପଲବ୍ଧ ନାହିଁ । ତେବେ ଭାରତ ସରକାରଙ୍କୁ ଡୋଜ ପ୍ରତି ୧୫୦ ଟଙ୍କାରେ କୋଭିସିଲ୍ଡ ଟିକା ବିକ୍ରି କରୁଥିଲା ବେଳେ ଏସଆଇଆଇର ମୁଖ୍ୟ ଅଦାର ପୁନାୱାଲା ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ ଯେ ସେଥିରେ ବି ତାଙ୍କର ଲାଭ ଅଛି । ଅର୍ଥାତ୍, ବର୍ତ୍ତମାନ ରାଜ୍ୟମାନେ ଯେଉଁ ଦରରେ ଟିକା କିଣୁଛନ୍ତି ବା କିଣିବାକୁ ଯାଉଛନ୍ତି ସେଥିରେ ଟିକା ଉତ୍ପାଦନକାରୀ କମ୍ପାନୀଗୁଡିକର ଯେ ଅତ୍ୟଧିକ ଲାଭ ରହୁଛି, ସେଥିରେ ସନ୍ଦେହ ନାହିଁ । ତା’ ଛଡା ଥରେ ଟିକା ନେଇ ଗଲେ ଯେ ଆଉ ନେବାକୁ ହେବ ନାହିଁ, ତାହା ମଧ୍ୟ ନୁହେଁ । ଭାଇରସର ନୂଆ ନୂଆ ମ୍ୟୁଟାଣ୍ଟ ବାହାରୁଥିବାରୁ ତାହା ନେଇଥିବା ଟିକାକୁ ବେଶି ଦିନ ପ୍ରଭାବଶାଳୀ ହୋଇ ରହିବାକୁ ଦେବ ନାହିଁ । କୁହାଯାଉଛି ଟିକାର ପ୍ରଭାବ ଖୁବ ବେଶିରେ ଛଅ ମାସରୁ ଦେଢ ବର୍ଷ ଯାଏଁ ରହିପାରେ । ତେଣୁ କୋଭିଡ ପାଇଁ ଟିକାକରଣ ସରକାରଙ୍କ ପାଇଁ ଏକ ନିୟମିତ କାର୍ଯ୍ୟରେ ପରିଣତ ହୋଇ ପ୍ରତି ବର୍ଷ ଏଥିପାଇଁ ଏକ ବଡ ବଜେଟ ଆବଶ୍ୟକ ହୋଇପାରେ । ଏହି ବାସ୍ତବତାକୁ ଆଖି ଆଗରେ ରଖି ସରକାର ଖୁବ ଶୀଘ୍ର ସରକାରୀ ସ୍ତରରେ ନିଜସ୍ୱ ଏକ ଟିକା ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା କଥା ବିଚାର କରି ସେ ଦିଗରେ ପଦକ୍ଷେପ ନେବା ଆବଶ୍ୟକ । ନ ହେଲେ ଟିକା ପାଇଁ ଘରୋଇ କମ୍ପାନୀଙ୍କ ଉପରେ ଯେତେ ବେଶି ନିର୍ଭରଶୀଳତା ରହିବ ରାଜ୍ୟକୁ ସେ ବାବଦରେ ହଜାର ହଜାର କୋଟି ଟଙ୍କାର ଅଧିକ ତଣ୍ଡ ଗଣିବାକୁ ପଡୁଥିବ । ଅବଶ୍ୟ ରାଜ୍ୟ ସରକାର ଭୁବନେଶ୍ୱରର ଅନ୍ଧାରୁଆଠାରେ ଭାରତ ବାଇଓଟେକ କମ୍ପାନୀକୁ ଏକ ଟିକା ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବା ପାଇଁ ଜମି ଯୋଗାଇ ଦେଇ ରାଜ୍ୟରେ ଟିକା ଉତ୍ପାଦନକୁ ବଢାଇବା ଦିଗରେ ଚେଷ୍ଟା କରିଛନ୍ତି । କିନ୍ତୁ ତଦ୍ଦ୍ୱାରା ରାଜ୍ୟ ସରକାରଙ୍କୁ କମ ଦରରେ ଟିକା ମିଳିବାରେ କେତେ ସହାୟକ ହେବ ତାହା ସ୍ପଷ୍ଟ ହୋଇ ନ ଥିବାରୁ ଉପରୋକ୍ତ ପ୍ରସ୍ତାବଟିକୁ ବିଚାର କରା ଯାଇପାରେ । ସରକାର ଯଦି ଅକ୍ସିଜେନ ପ୍ଲାଣ୍ଟ ବସାଇ ପାରୁଛନ୍ତି, ତେବେ ଟିକା ତିଆରି କାରଖାନା ବସାଇବାରେ ଅସୁବିଧା କେଉଁଠି ? 

ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ହସ୍ତାନ୍ତର ନ କରି ନିଜ ପାଖରେ ରଖିଲେ ତାହା ସାରା ଦେଶରେ ଏକ ପ୍ରକାର ଟିକାକରଣକୁ ସୁନିଶ୍ଚିତ କରି ପାରନ୍ତା । ଅଧିକନ୍ତୁ, ଏଥିପାଇଁ ୨୦୨୧-୨୨ କେନ୍ଦ୍ର ବଜେଟରେ ୩୫୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଗ୍ରହଣ କଲେ ଆବଶ୍ୟକ ହେଉଥିବା ଅଧିକ ରାଶିକୁ ପିଏମ କେଆରସ ଫଣ୍ଡରୁ ଭରଣା କରା ଯାଇପାରନ୍ତା । ଅତୀତରେ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ସଦାସର୍ବଦା କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇ ଆସିଛି । କେନ୍ଦ୍ର ସରକାର ଆବଶ୍ୟକ ପରିମାଣର ଟିକା ସଂଗ୍ରହ କରନ୍ତି, ସେଥିପାଇଁ ଖର୍ଚ୍ଚ ବହନ କରନ୍ତି, ସେଗୁଡିକୁ ରାଜ୍ୟ ସରକାରଙ୍କୁ ଯୋଗାଇ ଦିଅନ୍ତି । ରାଜ୍ୟ ସରକାରଗୁଡିକ କେବଳ ନିଜ ରାଜ୍ୟରେ କାର୍ଯ୍ୟଟିକୁ ସମ୍ପାଦନ କରନ୍ତି । ସେମାନଙ୍କର ଟିକା ସଂଗ୍ରହ ଓ ଟିକା ଯୋଗାଣକାରୀଙ୍କ ସହ ଦର କଷାକଷି କରିବାର ପୂର୍ବ ଅଭିଜ୍ଞତା ନ ଥିବାରୁ ସେମାନଙ୍କୁ ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ସଂଗ୍ରହ କରିବାକୁ କହିବା ଅର୍ଥ ସେମାନଙ୍କ ଦୁର୍ବଳତାକୁ ବିଦେଶରେ ପ୍ରଘଟ କରାଇ ଟିକା ଉତ୍ପାଦନକାରୀଙ୍କ ଶୋଷଣର ଶିକାର ହେବା ପାଇଁ ଛାଡି ଦେବା । ଫାଇଜର, ମଡର୍ଣ୍ଣା ଭଳି କେତେକ କମ୍ପାନୀ ରାଜ୍ୟମାନଙ୍କ ଗ୍ଲୋବାଲ ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ଅରାଜି ହୋଇ ଏଥିପାଇଁ ଭାରତ ସରକାରଙ୍କ ବ୍ୟତୀତ ରାଜ୍ୟଗୁଡିକ ସହ କଥା ହେବାକୁ ମନା କରି ଦେଇ ସାରିଲେଣି । ଉଲ୍ଲେଖଯୋଗ୍ୟ, ଏ ପର୍ଯ୍ୟନ୍ତ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ ଭିନ୍ନ ଅନ୍ୟ କେଉଁ ବିଦେଶୀ ଟିକାକୁ ଭାରତରେ ବ୍ୟବହାର ପାଇଁ ଡିସିଜିଆଇ ତରଫରୁ ଅନୁମତି ମିଳିନାହିଁ । ଦେଶୀ ଟିକା କମ୍ପାନୀଙ୍କ ଉତ୍ପାଦନ ଓ ଯୋଗାଣ ଉପରେ ଭାରତ ସରକାରଙ୍କ ନିୟନ୍ତ୍ରଣ ଥିବା ବେଳେ ବିଦେଶୀ ଉତ୍ପାଦନକାରୀଙ୍କ ଭାରତରେ ଟିକା ଯୋଗାଣ ମଧ୍ୟ ଭାରତ ସରକାରଙ୍କ ନିୟନ୍ତ୍ରଣାଧୀନ । ତେଣୁ ସେହି ଧରଣର କମ୍ପାନୀ ଅନୁମତି ନ ମିଳିବା ପର୍ଯ୍ୟନ୍ତ ରାଜ୍ୟଗୁଡିକୁ ଟିକା ଯୋଗାଇବା ପାଇଁ ଆଗ୍ରହ ନ ଦେଖାଇବା ସ୍ୱାଭାବିକ । ତା’ ଛଡା ଏବେ ଟିକାର ବିକ୍ରେତାଙ୍କ ଅପେକ୍ଷା କ୍ରେତାଙ୍କ ସଂଖ୍ୟା ଅତ୍ୟଧିକ ହୋଇଥିବାରୁ ଏହି ବିକ୍ରେତାଙ୍କ ବଜାରରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ପ୍ରଦେଶଙ୍କୁ ପୃଥକ ପୃଥକ ଭାବେ କିଣିବା ପାଇଁ ପ୍ରତିଯୋଗିତାରେ ଓହ୍ଲାଇ ଦେବା ଅର୍ଥ ସେମାନଙ୍କୁ ଅସହାୟ ଅବସ୍ଥାରେ ମଝି ଦରିଆରେ ଛାଡି ଦେବା । ତେଣୁ ବାହାରୁ ଟିକା ଆମଦାନୀର ଦାୟିତ୍ୱ କେନ୍ଦ୍ର ସରକାର ଗ୍ରହଣ କରି ଆବଶ୍ୟକତାନୁସାରେ ରାଜ୍ୟଗୁଡିକୁ ଯୋଗାଇ ଦେବା ଉଚିତ । ଏବେ ପ୍ରଶ୍ନ ଉଠୁଛି, କୋଭିଡ ଟିକାକରଣରୁ କେନ୍ଦ୍ର ସରକାର ପ୍ରଥମ ଥର ଲାଗି ଆଂଶିକ ଭାବେ ହେଲେ ବି ଓହରି ଯାଇ ରାଜ୍ୟଗୁଡିକୁ ଦାୟିତ୍ୱ ହସ୍ତାନ୍ତର କରିଥିବାରୁ ଭବିଷ୍ୟତରେ ହେବାକୁ ଥିବା ମହାମାରୀଗୁଡିକରେ ବି ଅନୁରୂପ ଭାବେ ଟିକାକରଣରୁ ଓହରି ଯାଇପାରନ୍ତି । ସଂଘୀୟ ବ୍ୟବସ୍ଥାରେ ହଠାତ୍ ଏ ଭଳି ନିଷ୍ପତ୍ତି ନିଆଗଲେ ତାହା ଛୋଟ ଛୋଟ ରାଜ୍ୟଗୁଡିକର ରାଜକୋଷ ଉପରେ ଅତ୍ୟଧିକ ଚାପ ପକାଇବାର ଆଶଙ୍କା ଥିବାରୁ ଦେଶରେ ଟିକାକରଣ ନେଇ ବିମର୍ଶ ହୋଇ ଏଥିରେ କେନ୍ଦ୍ର-ରାଜ୍ୟ ଭୂମିକା ସମ୍ପର୍କରେ ସ୍ପଷ୍ଟ ନୀତି ବିକଶିତ ହେବା ଉଚିତ ଓ ରାଜ୍ୟମାନେ ଏଇ ନୂଆ ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ନିଜକୁ ପୂର୍ବରୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ଆବଶ୍ୟକ ।


Published in Odisha Reporter on May 28, 2021


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍