Skip to main content

ଭାରତରୁ ଟିକା ରପ୍ତାନୀ କେତେ ଯଥାର୍ଥ !

ଦେଶବାସୀଙ୍କ ଟିକାକରଣ ଆବଶ୍ୟକତାକୁ ଅଗ୍ରାଧିକାର ନ ଦେଇ ବିଦେଶକୁ ଟିକା ରପ୍ତାନୀ କରିଥିବା ଅଭିଯୋଗରେ ସରକାର ଆଲୋଚନାର ଶରବ୍ୟ ହୋଇଛନ୍ତି । ଏ ନେଇ “ମୋଦିଜୀ ଆମ ପିଲାଙ୍କ ଭ୍ୟାକସିନ ବିଦେଶକୁ କାହିଁକି ପଠାଇ ଦେଲ ?” ବୋଲି ଦିଲ୍ଲୀରେ ପ୍ରାଚୀରପତ୍ରମାନ ବି ଲାଗିଲା । ସରକାରୀ ଦଳ ତରଫରୁ ସ୍ପଷ୍ଟୀକରଣ ଦିଆଗଲା ଯେ ବିଦେଶକୁ ଟିକା ରପ୍ତାନୀ କରିବାର ମୁଖ୍ୟ କାରଣ ଥିଲା କୁଆଡେ କମ୍ପାନୀଗୁଡିକଙ୍କ ଦାୟବଦ୍ଧତା (ଲାଏବିଲିଟି), ଯାହା ଦୁଇ ପ୍ରକାରର - ବାଣିଜ୍ୟିକ ଦାୟବଦ୍ଧତା (କମର୍ସିଆଲ ଲାଏବିଲିଟି) ଓ  ଲାଇସେନ୍ସିଂ ଦାୟବଦ୍ଧତା । ହେଲେ ଏହି ଦାୟବଦ୍ଧତା ତାତ୍କାଳିକ ଭାବେ ପୂରଣ କରିବା ଲାଗି କୌଣସି ବାଧ୍ୟବାଧକତା ନ ଥିବାରୁ ପ୍ରସଙ୍ଗଟି ଉପରେ ସ୍ପଷ୍ଟତାର ଆବଶ୍ୟକତା ରହିଛି ।

ଭାରତରୁ ଜାନୁଆରି ୨୦, ୨୦୨୧ରୁ ଅପ୍ରେଲ ୨୨, ୨୦୨୧ ଅର୍ଥାତ୍ ତିନି ମାସ ଭିତରେ ପ୍ରାୟ ୬.୬୪ କୋଟି ଟିକା ୯୪ଟି ଦେଶ ଓ ଜାତିସଂଘର ଶାନ୍ତି ରକ୍ଷାକାରୀ ସେନାଙ୍କୁ ଅନୁଦାନ ଆକାରରେ, କୋଭାକ୍ସ କାର୍ଯ୍ୟକ୍ରମ ଅଧୀନରେ ଓ ବାଣିଜ୍ୟିକ କାରବାର ପାଇଁ ରପ୍ତାନୀ ହୋଇଛି । ଏଥିରୁ ୧.୦୭ କୋଟି ଡୋଜ ଅନୁଦାନ ଆକାରରେ ୭ଟି ପଡୋଶୀ ରାଷ୍ଟ୍ର ସମେତ ୪୬ଟି ଦେଶ ଓ ଜାତିସଂଘର ଶାନ୍ତି ସୁରକ୍ଷାକାରୀ ସେନାଙ୍କୁ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ସେପି, ଗାଭି ଓ ୟୁନିସେଫ ଭଳି ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡିକର ମିଳିତ ସହଯୋଗରେ ଦୁର୍ବଳ ଦେଶଗୁଡିକୁ ମହାମାରୀର ମୁକାବିଲା କରିବାରେ ସାହାଯ୍ୟ କରିବା ଲାଗି ଉଦ୍ଦିଷ୍ଟ ‘କୋଭାକ୍ସ’ କାର୍ଯ୍ୟକ୍ରମ ପାଇଁ ଭାରତରୁ ଫେବୃଆରି ୨୩ରୁ  ଅପ୍ରେଲ ୧୬ ମଧ୍ୟରେ ୪୭ଟି ଦେଶକୁ ୧.୯୯ କୋଟି ଡୋଜ ଟିକା ପଠାଯାଇଛି । ଅର୍ଥାତ୍, ଅବଶିଷ୍ଟ ପ୍ରାୟ ୩.୫୮ କୋଟି ଡୋଜ ଟିକା ବାଣିଜ୍ୟିକ ଭାବେ ଜାନୁଆରି ୨୫ରୁ ୨୬ଟି ଦେଶକୁ ବିକ୍ରି କରାଯାଇଛି । ଏଥି ମଧ୍ୟରୁ ୩.୪୪ କୋଟି ଡୋଜ ବା ପ୍ରାୟ ୯୬ ପ୍ରତିଶତ ବଙ୍ଗଳାଦେଶ, ମରକ୍କୋ, ବ୍ରାଜିଲ, ସାଉଦି ଆରବ ସମେତ ମାତ୍ର ୧୩ଟି ଦେଶକୁ ରପ୍ତାନୀ ହୋଇଛି । ଟିକାର ଗଦା ଉପରେ ବସିଥିବା ବ୍ରିଟେନ ଓ କାନାଡାକୁ ଯଥାକ୍ରମେ ୫୦ ଲକ୍ଷ ଓ ୫ ଲକ୍ଷ ଡୋଜ ଟିକା ବିକ୍ରି କରା ଯାଇଛି । ଅର୍ଥାତ୍, କୋଭାକ୍ସ କାର୍ଯ୍ୟକ୍ରମରେ ଦୁର୍ବଳ ଦେଶଙ୍କୁ ଟିକା ପଠାଇବାର ମାସକ ଆଗରୁ ଜାନୁଆରି ମାସରୁ ବାଣିଜ୍ୟିକ ଚୁକ୍ତିର ଅନୁପାଳନ କରି ଅପେକ୍ଷାକୃତ ସମ୍ପନ୍ନ ଦେଶଗୁଡିକୁ ଟିକା ରପ୍ତାନୀ କରାଯାଉଥିଲା । ଅବଶ୍ୟ କୋଭିଡ ସଂକ୍ରମଣ ଅଣାୟତ୍ତ ହେବାରୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବାଣିଜ୍ୟିକ ରପ୍ତାନୀକୁ ସ୍ଥଗିତ କରି ଦିଆଗଲା ।

ଭାରତ ବିଶ୍ୱର ଏକ ପ୍ରମୁଖ ଟିକା ଉତ୍ପାଦନକାରୀ ଦେଶ ହୋଇଥିଲେ ବି ଏହାର କୋଭିଡ ଟିକା ଉତ୍ପାଦନ କ୍ଷମତାକୁ ଅତ୍ୟଧିକ ଆକଳନ କରିବା ମଧ୍ୟ ରପ୍ତାନୀ ନିଷ୍ପତ୍ତି ପଛର ଅନ୍ୟତମ କାରଣ । ଭାରତରେ ଥିବା ଉତ୍ପାଦନକାରୀଙ୍କ ମଧ୍ୟରୁ ଅଧିକାଂଶଙ୍କର କୋଭିଡ ଟିକା ଉତ୍ପାଦନ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ । ଇନଫ୍ଲୁଏଞ୍ଜା ବା ଫ୍ଲୁ ଭ୍ୟାକସିନ ପ୍ରସ୍ତୁତ କରୁଥିବା ଉତ୍ପାଦନକାରୀଙ୍କ ପାଇଁ କୋଭିଡ ଟିକା ଉତ୍ପାଦନ ସହଜ ହୋଇଥାଏ । ପାଶ୍ଚାତ୍ୟ ଦେଶଗୁଡିକ ତୁଳନାରେ ଭାରତରେ ଅଳ୍ପ କିଛି ଉତ୍ପାଦନକାରୀଙ୍କୁ ବାଦ ଦେଲେ ଅନ୍ୟମାନେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ୨୦୦୫ ମସିହାର ପରାମର୍ଶକୁ ମାନି ଫ୍ଲୁ ଭ୍ୟାକସିନ ଉତ୍ପାଦନ କ୍ଷମତା ବୃଦ୍ଧି କରି ନ ଥିବାରୁ ବର୍ତ୍ତମାନ ଏଠାରେ ତୁରନ୍ତ କୋଭିଡ ଟିକା ଉତ୍ପାଦନକୁ ଆଶାନୁରୂପ ଗତି ପ୍ରଦାନ କରିବାରେ ସମସ୍ୟା ଦେଖାଦେଉଛି ।

ଦେଶରେ ଟିକା ଆବଶ୍ୟକତାକୁ ଆକଳନ କରୁଥିବା ବିଶେଷଜ୍ଞଙ୍କର ଦୃଢ ବିଶ୍ୱାସ ଥିଲା ଯେ ଦେଶରେ ଉତ୍ପାଦନ ହେଉଥିବା କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଦେଶ ଭିତରେ ଟିକାକରଣର ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କଲା ପରେ ଆହୁରି ବଳିବ । କେହି କେହି ତ ‘ଭାରତରେ କୋଭିଡ ଛାଡି ଯାଇଛି ଓ ଦେଶ କୋଭିଡର ଦ୍ୱିତୀୟ ଲହରୀର ଆକ୍ରମଣରୁ ବର୍ତ୍ତି ଯାଇଛି’ ବୋଲି ଭାବିବା ଆରମ୍ଭ କରି ଦେଇଥିଲେ, ଯଦ୍ଦ୍ୱାରା ଦେଶ ଭିତରେ ଟିକାର ଆବଶ୍ୟକତାକୁ କମ କରି ଆକଳନ କରିବା ଲାଗି ମାନସିକତା ସୃଷ୍ଟି କଲା । ଏ ସବୁକୁ ଭିତ୍ତି କରି ବିଦେଶକୁ ଟିକା ରପ୍ତାନୀ ନିଷ୍ପତ୍ତି ନିଆଯାଇ ଥାଇପାରେ । କିନ୍ତୁ ସେହି ଆକଳନ ଯେ ତ୍ରୁଟିପୂର୍ଣ୍ଣ ଥିଲା, ତାହା ଖୁବ ଶୀଘ୍ର ଜଣା ପଡି ଯାଇଥିଲା ।      

ଟିକା ରପ୍ତାନୀକାରୀ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାଇଓଟେକ କମ୍ପାନୀ ଦ୍ୱୟଙ୍କ ଦାୟବଦ୍ଧତା (ଲାଏବିଲିଟି)ଗୁଡିକୁ ଅନୁଧ୍ୟାନ କରା ଯାଇପାରେ । କୋଭିଡ ଟିକାର ବିକାଶ ପାଇଁ ଗବେଷଣା ଚାଲିଥିଲା ବେଳେ ୨୦୨୦ ମସିହା ଜୁନ ମାସ ଆଷ୍ଟ୍ରାଜେନିକାଠାରୁ ଲାଇସେନ୍ସ ହାସଲ କରି କୋଭିସିଲ୍ଡ ଟିକା ଉତ୍ପାଦନ କରିବାକୁ ଭାରତର ସିରମ ଇନଷ୍ଟିଚ୍ୟୁଟ (ଏସଆଇଆଇ)ଏକ ଚୁକ୍ତି ସ୍ୱାକ୍ଷର କରିଥିଲା । ତଦନୁଯାୟୀ ଏସଆଇଆଇ ଏଠାରେ ଉତ୍ପାଦିତ ଟିକାରୁ ୧୦୦ କୋଟି ଡୋଜ ଟିକା ବିଶ୍ୱର ଦରିଦ୍ର ଦେଶଗୁଡିକୁ ଯୋଗାଇ ଦେବା ଲାଗି ଅନୁବନ୍ଧିତ ହୋଇଥିଲା, ଯାହାକୁ ଏସଆଇଆଇର ଲାଇସେନ୍ସିଂ ଦାୟବଦ୍ଧତା ବୋଲି ଗ୍ରହଣ କରା ଯାଇପାରେ । ତେବେ ଅନୁଧ୍ୟାନ କଲେ ଜଣାଯାଏ ଯେ ପ୍ରକୃତ ପକ୍ଷେ ଏହି ଦାୟବଦ୍ଧତା ଆଷ୍ଟ୍ରାଜେନିକାର କୋଭାକ୍ସ କାର୍ଯ୍ୟକ୍ରମରେ  ଟୀକା ଯୋଗାଣ ପାଇଁ କରିଥିବା ଏକ ଅନ୍ତର୍ଜାତିକ ପ୍ରତିଶ୍ରୁତି ପାଳନର ଅଂଶ ବିଶେଷ । ତେଣୁ ଏହାକୁ ଲାଇସେନ୍ସିଂ ଦାୟବଦ୍ଧତା ନ କହି ଲାଇସେନ୍ସ ପ୍ରଦାନକାରୀ ମୂଳ କମ୍ପାନୀର ଏକ ଅନ୍ତର୍ଜାତିକ ପ୍ରତିଶ୍ରୁତି ରକ୍ଷା ପାଇଁ ସର୍ତ୍ତ ବୋଲି କୁହାଯାଇପାରେ । ଭାରତ ବାଇଓଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଏକ ଭାରତୀୟ ଟିକା ହୋଇଥିବାରୁ ଏଥିପାଇଁ ଲାଇସେନ୍ସିଂ ଦାୟବଦ୍ଧତାର ପ୍ରଶ୍ନ ଉଠୁନାହିଁ । ଇତିମଧ୍ୟରେ ଉଭୟ କମ୍ପାନୀ ଟିକା ଯୋଗାଣ ପାଇଁ ବିଭିନ୍ନ ଦେଶ ସହ ବାଣିଜ୍ୟିକ ଚୁକ୍ତିମାନ କରିଥିଲେ, ଯାହା ସାଧାରଣରେ ଉପଲବ୍ଧ ନୁହେଁ । ତେବେ ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଦୁଇଟିର ଜରୁରିକାଳୀନ ବ୍ୟବହାର ପାଇଁ  ଜାନୁଆରି ୩, ୨୦୨୧ରେ ଅନୁମତି ପ୍ରଦାନ କଲା ବେଳେ ସରକାର ସ୍ପଷ୍ଟ କରି ଦେଇଥିଲେ ଯେ ଦେଶ ଭିତରେ ଗରିବଗୁରୁବାଙ୍କ ଟିକାକରଣ ଆବଶ୍ୟକତା ପୂରଣ ନ ହେଲା ପର୍ଯ୍ୟନ୍ତ ବିଦେଶକୁ ଟିକା ରପ୍ତାନୀ କରାଯାଇ ପାରିବନି । ସରକାରୀ ନିର୍ଦ୍ଦେଶ ପରେ ସବୁ ପ୍ରକାର ଦାୟବଦ୍ଧତା ଗୌଣ ହୋଇ ଯାଉଥିବାରୁ କମ୍ପାନୀଦ୍ୱୟ ରପ୍ତାନୀ ନିଷ୍ପତ୍ତିରୁ ସାମୟିକ ଭାବେ ହେଲେ ବି ବିରତ ରହିଲେ । ତେବେ ହଠାତ୍ ଏମିତି କ’ଣ ପରିବର୍ତ୍ତନ ହେଲା ଯେ ଭାରତକୁ ପୂର୍ବ ନିଷ୍ପତ୍ତି ବଦଳାଇ ବିଦେଶକୁ ବିପୁଳ ପରିମାଣରେ ଟିକା ରପ୍ତାନୀ କରିବାକୁ ପଡିଲା ? ଏହାର ଅନ୍ୟତମ କାରଣ ଥିଲା ‘ଭ୍ୟାକସିନ ମୈତ୍ରୀ’ କାର୍ଯ୍ୟକ୍ରମର ଘୋଷଣା କରି ସରକାର ଭ୍ୟାକସିନ କୂଟନୀତି ପାଇଁ ଅଣ୍ଟା ଭିଡିବା । ପୂର୍ବେ କମ୍ପାନୀଦ୍ୱୟ ବିଦେଶୀ କମ୍ପାନୀ ବା ଦେଶଙ୍କ ସହ ବାଣିଜ୍ୟିକ ଚୁକ୍ତି କରିଥିଲା ବେଳେ କୂଟନୀତିର ଆରମ୍ଭ ହୋଇ ଭାରତ ଓ ଅନ୍ୟ ଦେଶଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୁଝାମଣାମାନ ହେଲା । ଫଳରେ ରପ୍ତାନୀ ନିଷ୍ପତ୍ତିରେ କମ୍ପାନୀର ଭୂମିକା ଗୌଣ ହୋଇଗଲା । ଦେଶରେ ଜାନୁଆରି ୧୬ରେ ଟିକାକରଣ ଆରମ୍ଭ ହେବାର ଠିକ ଚାରିଦିନ ପରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ଓ ସେହି ଦିନ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୪ ହଜାରରୁ ସାମାନ୍ୟ ଅଧିକ । ଏହା ବି ଦଲିଲ ଦିଆଯାଉଛି ଯେ ପ୍ରାରମ୍ଭିକ ଅବସ୍ଥାରେ ଦେଶରେ ଟିକା ପ୍ରତି କୁଣ୍ଠା (ଭ୍ୟାକସିନ ହେଜିଟାନ୍ସି) ଥିବାରୁ ବାଧ୍ୟ ହୋଇ ବିଦେଶକୁ ଟିକା ରପ୍ତାନୀ କରିବାକୁ ପଡିଲା । ଏହା ସତ୍ୟର ଅପଳାପ ମାତ୍ର । ଦେଶରେ ପ୍ରଥମ ପର୍ଯ୍ୟାୟର ଟିକାକରଣ କେବଳ କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବେଳେ ୬୦ ବର୍ଷରୁ ଅଧିକ ବୟସ ବର୍ଗର ସାଧାରଣ ଲୋକଙ୍କ ପାଇଁ ଟିକାକରଣ ମାର୍ଚ୍ଚ ୧ରୁ ଆରମ୍ଭ ହେଲା । ତେଣୁ ଟିକା ପାଇଁ ଲୋକଙ୍କ କୁଣ୍ଠା ଉତ୍ପନ୍ନ ହେବା ଯଥେଷ୍ଟ ପୂର୍ବରୁ ଜାନୁଆରି ୨୦ରେ ଆରମ୍ଭ ହୋଇ ସାରିଥିବା ଟିକା ରପ୍ତାନୀ ଫେବୃଆରି ୨୮ ସୁଦ୍ଧା, ଅର୍ଥାତ୍ ମାତ୍ର ୪୦ ଦିନରେ ପ୍ରାୟ ୩.୬୬ କୋଟି ଡୋଜରେ ପହଞ୍ଚି ସାରିଥିଲା, ଯାହା ସମଗ୍ର ରପ୍ତାନୀର ୫୫ ପ୍ରତିଶତ । ଇଆଡେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟିକା ରପ୍ତାନୀ ବି ବୃଦ୍ଧି ପାଇ ଚାଲିଥିଲା । ଏ ସଂକ୍ରାନ୍ତରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମାର୍ଚ୍ଚ ୧୭ରେ ସଂସଦରେ ପ୍ରଦତ୍ତ ବିବୃତିଟି ପ୍ରଣିଧାନ ଯୋଗ୍ୟ – “ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଥିବା ସୁନିଶ୍ଚିତ କଲା ପରେ ଯାଇ ବିଦେଶକୁ ଟିକା ପଠାଯାଉଛି”। କିନ୍ତୁ ଏହି ଉକ୍ତିଟି ସତ୍ୟଠାରୁ ଯେ କେତେ ଦୂରରେ ଥିଲା ତାହା ଅଚିରେ ଜଣା ପଡିଗଲା କାରଣ ସେତେବେଳକୁ ଦେଶର ୧୦ ପ୍ରତିଶତ ଲୋକଙ୍କ ପାଇଁ ବି ଟିକାର ପ୍ରାବଧାନ ହୋଇ ନ ଥିଲା । ଅପ୍ରେଲ ମାସରେ କୋଭିଡ ସଂକ୍ରମଣ ସବୁ ରେକର୍ଡକୁ ଟପିବାକୁ ଲାଗିବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ଦେଖି ସରକାରଙ୍କୁ ବାଧ୍ୟ ହୋଇ ରପ୍ତାନୀକୁ ଅତିମାତ୍ରାରେ ହ୍ରାସ କରି ଅପ୍ରେଲ ୨୨ ସୁଦ୍ଧା ସମ୍ପୂର୍ଣ୍ଣ ସ୍ଥଗିତ କରିବାକୁ ପଡିଲା । କୁହାଯାଉଛି ଯେ ବାଣିଜ୍ୟିକ ଚୁକ୍ତିକୁ ସମ୍ମାନ ଜଣାଇ ଟିକା ପାଇଁ କଞ୍ଚାମାଲ ଯୋଗାଇଥିବା ଦେଶମାନଙ୍କୁ ଟିକା ରପ୍ତାନୀ କରିବା କମ୍ପାନୀଗୁଡିକ ପାଇଁ ବାଧ୍ୟବାଧକତା ଥିଲା । କିନ୍ତୁ ବାଣିଜ୍ୟିକ ରପ୍ତାନୀ ହୋଇଥିବା ୨୬ଟି ଦେଶର ତାଲିକାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ତନ୍ମଧ୍ୟରୁ କେବଳ ବ୍ରିଟେନ ଓ କାନାଡାକୁ ବାଦ ଦେଲେ ଅନ୍ୟ କେଉଁ ଦେଶରେ ଟିକା ପାଇଁ କଞ୍ଚାମାଲ ଉତ୍ପାଦନ ହୁଏନାହିଁ । ଆମେରିକା ଟିକାର ଉପାଦାନ ଓ କଞ୍ଚାମାଲର ପ୍ରମୁଖ ଉତ୍ପାଦକ ହୋଇଥିଲା ବେଳେ ଭାରତ ସେଠାକୁ ଆଦୌ ଟିକା ରପ୍ତାନୀ କରିନାହିଁ । ତା’ ଛଡା ଦାୟବଦ୍ଧତାର ଅନୁପାଳନ ପାଇଁ ରପ୍ତାନୀ ଯଦି ଏକ ବାଧ୍ୟବାଧକତା ହୋଇଥାଆନ୍ତା, ତେବେ ଅପ୍ରେଲ ୨୨ ପରଠାରୁ ଦୀର୍ଘ ଦିନ ବିତି ଯାଇଥିଲେ ବି ଭାରତରୁ ଆଉ ଟିକା ରପ୍ତାନୀ ନ ହୋଇ ରହିଛି କିପରି ? ଏପରିକି ମଇ ୧୯ରେ ଏସଆଇଆଇ ସ୍ପଷ୍ଟ କରିଛି ଯେ ୨୦୨୧ ମସିହା ଶେଷ ପର୍ଯ୍ୟନ୍ତ ବାଣିଜ୍ୟିକ ରପ୍ତାନୀ ତ ଦୂରର କଥା, ଏହା କୋଭାକ୍ସ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିଶ୍ରୁତି ପାଳନ କରି ଦରିଦ୍ର ଦେଶଙ୍କୁ ଟିକା ରପ୍ତାନୀ କରିବାକୁ ମଧ୍ୟ ସମ୍ପୂର୍ଣ୍ଣ ଅସମର୍ଥ । ତେଣୁ ବିଭିନ୍ନ ଦାୟବଦ୍ଧତାର ଆଳ ଦେଖାଇ ରପ୍ତାନୀଗୁଡିକର ଯଥାର୍ଥତାକୁ ପ୍ରତିପାଦନ କରିବାର ପ୍ରୟାସ ହେଉଥିଲେ ବି ତନ୍ମଧ୍ୟରୁ ବାଣିଜ୍ୟିକ ରପ୍ତାନୀଗୁଡିକୁ ଅନ୍ତତଃ ସାମୟିକ ଭାବେ ଏଡାଇ ଦିଆଯାଇ ପାରିଥାଆନ୍ତା ।

ଦେଶ ଭିତରେ ଟିକାର ଘୋର ଅଭାବ ଦେଖା ଦେଇଥିବାରୁ ରପ୍ତାନୀକୁ ସ୍ଥଗିତ ରଖି ଏବେ ଗ୍ଲୋବାଲ ଟେଣ୍ଡର ଜରିଆରେ ଆମଦାନୀର ବାଟ ଖୋଜିବାକୁ ପଡିଲାଣି । ଟିକା ରପ୍ତାନୀର ଯଥାର୍ଥତାକୁ ପ୍ରତିପାଦନ କରିବାକୁ ଏକ ବଖାଣ ପ୍ରସ୍ତୁତ କରାଯାଉଛି ଯେ ଭାରତୀୟ ସଂସ୍କୃତିରେ ବିଶ୍ୱକୁ ଗୋଟିଏ ପରିବାର ମନେ କରି ‘ବସୁଧୈବ କୁଟୁମ୍ୱକମ’ ଭାବନାକୁ ଗୁରୁତ୍ୱ ଦିଆ ଯାଉଥିବାରୁ ଏହି ମହାମାରୀ ସମୟରେ ଦୁର୍ବଳ ଓ ଚାପଗ୍ରସ୍ତ ଦେଶମାନେ ଅନ୍ତତଃ ଭାରତ ଭଳି ଗୋଟିଏ ଦେଶକୁ ସେମାନଙ୍କ ନିକଟରେ ଠିଆ ହୋଇଥିବାର ଦେଖି ପାରିଲେ । ବଙ୍ଗଳାଦେଶ, ମ୍ୟାନମାର, ନେପାଳ, ବ୍ରାଜିଲ, ମରକ୍କୋ, ସାଉଦି ଆରବ ଓ ବ୍ରିଟେନ ଭଳି ମାତ୍ର ସାତଟି ଦେଶକୁ ସମଗ୍ର ରପ୍ତାନୀର ୫୫ ପ୍ରତିଶତରୁ ଅଧିକ ଟିକା ରପ୍ତାନୀ କରି ‘ବସୁଧୈବ କୁଟୁମ୍ୱକମ’ର କଥା କହିବା କେତେ ଯୁକ୍ତିସଙ୍ଗତ ! ‘ବସୁଧୈବ କୁଟୁମ୍ୱକମ’ ନୀତିକୁ ଅନୁସରଣ କରି ନିଜ ଘରେ ଲାଗିଥିବା ନିଆଁକୁ ନ ଲିଭାଇ ପଡିଶା ଘର ନିଆଁରେ ପାଣି ଢାଳିବା ଆଦ୍ୟ-କାଳିଦାସୀୟ ବୁଦ୍ଧିମତ୍ତାର ପରିଚାୟକ ନୁହେଁ କି ?

ବିଭିନ୍ନ ଦେଶର ଅନୁଭୂତିରୁ ସ୍ପଷ୍ଟ ଯେ କୋଭିଡକୁ ନିଉଜିଲାଣ୍ଡ ପରି ପରୀକ୍ଷା (ଟେଷ୍ଟିଂ)କୁ ବଢାଇ, ରୋଗ ଲକ୍ଷଣଯୁକ୍ତଙ୍କୁ ଖୋଜି ବାହାର କରି (ଟ୍ରାସିଂ, କଣ୍ଟାକ୍ଟ ଟ୍ରାସିଂ), ସୀମାକୁ ବନ୍ଦ କରି ନିୟନ୍ତ୍ରଣ କରି ହେବ । ଅନ୍ୟଥା ଗୋଷ୍ଠୀ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହେବା ଯାଏଁ ଜନସାଧାରଣଙ୍କର ବ୍ୟାପକ ଟିକାକରଣ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ ଭିତରେ ରଖିହେବ । ତେବେ ଭାରତରେ ଜନସଂଖ୍ୟାର ଘନ ସାନ୍ଧ୍ରତା ଓ ଅନ୍ୟାନ୍ୟ କାରଣରୁ ବ୍ୟାପକ ଟିକାକରଣ ହିଁ ଏହି ମହାମାରୀକୁ ଲଢିବାରେ ମୁଖ୍ୟ ଅସ୍ତ୍ର ହୋଇପାରିବ । ଏହି ବାସ୍ତବତାକୁ ସ୍ୱୀକାର କରି ଏଠାରେ ଟିକାକରଣକୁ କିପରି ଗତି ପ୍ରଦାନ କରି ହେବ ତାହା ସରକାରଙ୍କର ପ୍ରାଥମିକତା ହେବା ଉଚିତ, ଟିକା ରପ୍ତାନୀ କରି ସେହି ପ୍ରକ୍ରିୟାକୁ ମନ୍ଥର କରିବା ନୁହେଁ । ଅର୍ଥାତ୍, ସ୍ଥିତିକୁ ସଠିକ ଆକଳନ କରିବାରେ ଅସମର୍ଥ ହୋଇ ବିଦେଶକୁ ଟିକା ରପ୍ତାନୀ କରିବା ପାଇଁ ନିଆ ଯାଇଥିବା ନିଷ୍ପତ୍ତି ସରକାରଙ୍କ ବିଫଳତାର ନିଦର୍ଶନ । ଏଥିରୁ ଅନ୍ତତଃ ଗୋଟିଏ ଶିକ୍ଷା ମିଳିଲା ଯେ ଟିକାକରଣ ସଂକ୍ରାନ୍ତ ନିଷ୍ପତ୍ତିକୁ ମୁଷ୍ଟିମେୟ ଶାସକ ଓ ପ୍ରଶାସକଙ୍କ ଆକସ୍ମିକ ଖିଆଲ ଉପରେ ଛାଡି ଦେଲେ ତାହା ଘାତକ ସାବ୍ୟସ୍ତ ହୋଇପାରେ । ତେଣୁ ଦେଶରେ ତୁରନ୍ତ ଏକ ସ୍ୱଚ୍ଛ ଟିକାକରଣ ନୀତି କାର୍ଯ୍ୟକାରୀ ହେବା ଆବଶ୍ୟକ, ଯଦ୍ଦ୍ୱାରା ରାଜ୍ୟଗୁଡିକୁ ଟିକା ଯୋଗାଣ କ୍ଷେତ୍ରରେ ହେଉଥିବା ପାତରଅନ୍ତରର ଅଭିଯୋଗକୁ ଏଡାଇ ହେବା ସହ ଭବିଷ୍ୟତରେ ବିଦେଶକୁ ଟିକା ରପ୍ତାନୀ ନେଇ ସ୍ପଷ୍ଟତା ମିଳିପାରିବ । 


Published in Odisha Reporter on May 25, 2021

 

Comments

  1. In Bengal, Didi encashed on vaccine export , high gas prices and privatization agenda of PM in election campaign to win assembly election .

    ReplyDelete
  2. In Bengal, Didi encashed on vaccine export , high gas prices and privatization agenda of PM in election campaign to win assembly election .

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...