ଭାରତୀୟ ସାହିତ୍ୟରେ ଆତ୍ମଜୀବନୀ ରଚନାର ପରମ୍ପରା ସୁଦୀର୍ଘ ନୁହେଁ । ପୂର୍ବେ ନିଜ କଥା ପାଠକଙ୍କ ଆଗରେ ବଖାଣିବା ଲେଖକଙ୍କ ପାଇଁ କେମିତି ଟିକେ ଅଶ୍ୱସ୍ତିକର ଥିଲା । କେହି କେହି ନିଜ ପାଇଁ ଆତ୍ମଜୀବନୀ ଲେଖୁଥିଲେ ବି ତାହା ପୁସ୍ତକ ଆକାରରେ ପ୍ରକାଶ ପାଇ ସାଧାରଣ ପାଠକଙ୍କ ହାତରେ ପଡୁ ବୋଲି ଚାହୁଁ ନ ଥିଲେ । ବଙ୍ଗଳା ଭାଷାରେ ରାସସୁନ୍ଦରୀଙ୍କ ଦ୍ୱାରା ରଚିତ ଓ ୧୮୭୬ରେ ପ୍ରକାଶିତ ‘ଆମାର ଜୀବନ’ ପୁସ୍ତକଟିକୁ ଭାରତୀୟ ଭାଷାରେ ପ୍ରଥମ ଆତ୍ମଜୀବନୀ ପୁସ୍ତକ ଭାବରେ ଗ୍ରହଣ କରା ଯାଇଥାଏ । ଗାନ୍ଧୀଜୀ ଆତ୍ମଜୀବନୀ ଲେଖିଲା ବେଳକୁ ତାଙ୍କର ଇଂରାଜୀ ବ୍ୟତୀତ ନିଜ ମାତୃଭାଷା ଗୁଜରାଟୀକୁ ବାଦ ଦେଲେ ଅନ୍ୟ ଭାଷାର ଜୀବନୀ ସାହିତ୍ୟ ସମ୍ପର୍କରେ ସେପରି ଧାରଣା ନ ଥିଲା । ଏପରିକି ଗୁଜରାଟୀ ଭାଷାରେ ମଧ୍ୟ ସେତେବେଳକୁ କେବଳ ନାରାୟଣ ହେମଚନ୍ଦ୍ରଙ୍କ ରଚିତ ‘ହୁ ପୋଟେ’ ଆତ୍ମଜୀବନୀଟି, ଯାହା ଆଂଶିକ ଭାବେ ଏକ ଭ୍ରମଣ ବୃତ୍ତାନ୍ତ, ୧୯୦୦ ମସିହାରେ ପ୍ରକାଶ ପାଇଥିଲା । ଅବଶ୍ୟ ତା’ ଯଥେଷ୍ଟ ପୂର୍ବରୁ ନର୍ମଦଶଙ୍କର ଦାଭେଙ୍କ ଆତ୍ମଜୀବନୀ ‘ମାରି ହକିକତ’ ୧୮୬୬ରେ ଲେଖା ହୋଇଥିଲେ ବି ତାହା ୧୯୩୩ ଯାଏଁ ପ୍ରକାଶିତ ହୋଇ ନ ଥିଲା । ତେଣୁ ଆତ୍ମଜୀବନୀ କିପରି ଲେଖା ହେଲେ ତାହା ପାଠକୀୟ ଆଦୃତି ଲାଭ କରିବ ସେ ନେଇ ଗାନ୍ଧୀଜୀଙ୍କ ସମ୍ମୁଖରେ କୌଣସି ପ୍ରାରୂପ ନ ଥିଲା । ଏହି ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ଆତ୍ମଜୀବନୀ ଲେଖା ଏକ ଅଭିନବ ଅନୁଭବ ଥିଲା ଏବଂ ଏଥିପାଇଁ ସେ ଆପଣେଇ ଥିବା ପ୍ରକ୍ରିୟାଟି ମଧ୍ୟ ଥିଲା ଅନନ୍ୟ ।
୧୯୨୧ ମସିହାରେ କିଛି ଘନିଷ୍ଠ ସହକର୍ମୀଙ୍କ ଅନୁରୋଧ କ୍ରମେ ଗାନ୍ଧୀଜୀ ଆତ୍ମଜୀବନୀ ଲେଖିବାକୁ ରାଜି ହୋଇ ସେଥିପାଇଁ ଅଗ୍ରସର ହୋଇଥିଲେ । ମାତ୍ର ଠିକ ସେତିକି ବେଳେ ବମ୍ୱେରେ ଦଙ୍ଗା ହେବା, ଗୋଟିକ ପରେ ଗୋଟିଏ ଅପ୍ରିୟ ଘଟଣା ଘଟିବା ଓ ଶେଷରେ ଦେଶଦ୍ରୋହ ଅପରାଧରେ ତାଙ୍କୁ ଜେଲ ଯିବାକୁ ପଡିବା ପରେ ଆତ୍ମଜୀବନୀ ଲେଖା ତାଙ୍କ ମନରୁ ପାଶୋରି ହୋଇ ଯାଇଥିଲା । ଜେଲରୁ ଫେରିବା ପରେ ତାଙ୍କ ଘନିଷ୍ଠ ସହଯୋଗୀ ସ୍ୱାମୀ ଆନନ୍ଦ ତାଙ୍କୁ ଆତ୍ମଜୀବନୀ ଲେଖିବା ଲାଗି ମନେ ପକାଇ ଦେବା ସହ ସେଥିପାଇଁ ଏକ ପ୍ରକାର ତାଙ୍କ ପଛରେ ପଡି ଯାଇଥିଲେ । ସ୍ୱାମୀ ଆନନ୍ଦ ଓରଫ ହିମ୍ମତଲାଲ ଦାଭେ ରାମକୃଷ୍ଣ ମିଶନରେ ଜଣେ ସନ୍ନ୍ୟାସୀ ଥିଲେ । ୧୯୧୯ ମସିହାରେ ଗାନ୍ଧୀଜୀ ଅହମଦାବାଦରୁ ଗୁଜରାଟୀ ଭାଷାରେ ‘ନବଜୀବନ’ ପତ୍ରିକାର ପ୍ରକାଶନ ଆରମ୍ଭ କରିବା ପରେ କାମର ଚାପ ବଢି ଯାଇଥିଲା । ଗାନ୍ଧୀଜୀଙ୍କ ଅନୁରୋଧ କ୍ରମେ ସ୍ୱାମୀ ଆନନ୍ଦ ସେହି ବର୍ଷ ପତ୍ରିକାର ମ୍ୟାନେଜର ଭାବେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ‘ନବଜୀବନ’ ସହ ଇଂରାଜୀ ଭାଷାରେ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାର ପ୍ରକାଶନ ଦାୟିତ୍ୱ ମଧ୍ୟ ତାଙ୍କୁ ସମ୍ଭାଳିବାକୁ ପଡିଥିଲା । ଇତିମଧ୍ୟରେ ଜେଲରୁ ଫେରି ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହର ଇତିହାସ ଉପରେ ଲେଖାଟି ସଦ୍ୟ ସାରିଥିବାରୁ ସ୍ୱାମୀ ଆନନ୍ଦ ଆତ୍ମଜୀବନୀ ପୁସ୍ତକଟିଏ ଲେଖିବାକୁ ତାଙ୍କୁ ଅନୁରୋଧ କଲେ । ତାଙ୍କ ନିକଟରେ ସମୟର ଅଭାବ ଥିବା ଦର୍ଶାଇ ସେ ବହି ଲେଖିବା ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ । ଅନ୍ୟ ପକ୍ଷରେ ‘ନବଜୀବନ’ ପତ୍ରିକା ପାଇଁ ତାଙ୍କୁ ପ୍ରତି ସପ୍ତାହରେ କିଛି ଲେଖିବାକୁ ପଡୁଥିବାରୁ ସେଥିରେ ଧାରାବାହିକ ଭାବେ ତାଙ୍କ ଆତ୍ମଜୀବନୀ ପ୍ରକାଶ ପାଇଲେ କେମିତି ହୁଅନ୍ତା ପଚାରନ୍ତେ ସ୍ୱାମୀ ଆନନ୍ଦ ସେଥିରେ ରାଜି ହୋଇ ଯାଇଥିଲେ ।
ଅସହଯୋଗ ଆନ୍ଦୋଳନ ହିଂସାତ୍ମକ ହେବା ସହ ତା’ର ନିର୍ଦ୍ଧାରିତ ଲକ୍ଷ୍ୟରୁ ବିଚ୍ୟୁତ ହୋଇ ନିନ୍ଦିତ ହେବା ଓ ତା’ ପରେ କଂଗ୍ରେସ ଦଳରେ ବିଭାଜନ ହେବା ଫଳରେ ଜାତୀୟ ରାଜନୀତିରେ ଗାନ୍ଧୀଜୀଙ୍କ ଗୁରୁତ୍ୱ କିଛିଟା ହ୍ରାସ ପାଇଥିଲା । ଦେଶଦ୍ରୋହ ଅପରାଧରେ ତାଙ୍କୁ ପ୍ରାୟ ଦେଢ ବର୍ଷ ଜେଲରେ କଟାଇବାକୁ ପଡିଥିଲା । ଜେଲରୁ ମୁକୁଳିବା ପରେ ସେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଦିଲ୍ଲୀଠାରେ ଏକ ୨୧ ଦିନିଆ ଅନଶନ କରିଥିଲେ । ତେବେ ସେ କୌଣସି ରାଜନୈତିକ କାର୍ଯ୍ୟରେ ଭାଗ ନେଉ ନ ଥିଲେ । ବସ୍ତୁତଃ ୧୯୨୪ରୁ ୧୯୨୯ ଯାଏଁ ସେ ଏକ ପ୍ରକାର ପ୍ରତ୍ୟକ୍ଷ ରାଜନୀତିଠାରୁ ଦୂରେଇ ହିନ୍ଦୁ-ମୁସଲମାନ ଏକତା, ସୂତାକଟା, ଅସ୍ପୃଶ୍ୟତା ନିବାରଣ ଆଦି ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ଜୀବନର ଏହି କାଳଖଣ୍ଡ ଅପେକ୍ଷାକୃତ କମ ଘଟଣାବହୁଳ ହୋଇଥିବାରୁ ପଢିବା ଓ ଲେଖିବା ପାଇଁ ତାଙ୍କ ପାଖରେ ପ୍ରଚୁର ସମୟ ଥିଲା । ତେଣୁ ଆତ୍ମଜୀବନୀ ଲେଖିବାକୁ ତାଙ୍କ ପାଇଁ ଏହା ହିଁ ସବୁଠାରୁ ପ୍ରକୃଷ୍ଟ ସମୟ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ପ୍ରକୃତ ଅର୍ଥରେ ଆତ୍ମଜୀବନୀଟି କିପରି ଲେଖିଲେ ଠିକ୍ ହେବ ତାହା ସ୍ଥିର କରିବା ଗାନ୍ଧୀଜୀଙ୍କ ଆଗରେ ଏକ ବଡ ଆହ୍ୱାନ ଥିଲା । କାରଣ ସେ ପର୍ଯ୍ୟନ୍ତ ପଶ୍ଚିମର ଦେଶମାନଙ୍କରେ ଆତ୍ମଜୀବନୀ ରଚନା ମୂଳତଃ ଏକ ଖ୍ରୀଷ୍ଟିୟ ପରମ୍ପରା ଭାବେ ଗୃହୀତ ଥିଲା, ଯେଉଁଥିରେ ଲେଖକ ଜୀବନ ବୃତ୍ତାନ୍ତ ବର୍ଣ୍ଣନା କଲାବେଳେ ନିଜ ଜୀବନକୁ ତିନି ଭାଗରେ ବିଭକ୍ତ କରି ଅନ୍ଧକାରମୟ ଆଦି ଜୀବନ, ତା’ପରେ ଏକ ନିର୍ଦ୍ଦିଷ୍ଟ ସମୟ ବା ଘଟଣାରେ ଜ୍ଞାନୋଦୟ ଓ ଜ୍ଞାନୋଦୟ ପରବର୍ତ୍ତୀ ଜୀବନ ସମ୍ପର୍କରେ ବର୍ଣ୍ଣନା କରୁଥିଲେ । ସେହି ଢାଞ୍ଚାକୁ ଅବଲମ୍ୱନ କରି ଭାରତୀୟ ଭାଷାରେ ଆତ୍ମଜୀବନୀ ଲେଖିବା କେତେ ଦୂର ଠିକ ହେବ ? ତା’ ଛଡା ଆତ୍ମଜୀବନୀର ବର୍ଣ୍ଣନାକାର ଓ ମୁଖ୍ୟ ଚରିତ୍ର ଏକ ହୋଇଥିବାରୁ ତାହା ସାଧାରଣ ପାଠକଟିଏ ଲାଗି କେତେ ରୁଚିକର ଓ ଗ୍ରହଣୀୟ ହେବ ? ଗାନ୍ଧୀଜୀ ତାଙ୍କର ଏହି ଦ୍ୱନ୍ଦ୍ୱକୁ ପୁସ୍ତକର ମୁଖବନ୍ଧରେ ଉପସ୍ଥାପନ କରି ଲେଖିଛନ୍ତି, “କିନ୍ତୁ ଜଣେ ଈଶ୍ୱର-ଭୀରୁ ବନ୍ଧୁଙ୍କର ସନ୍ଦେହ ଥିଲା, ଯାହା ସେ ମୋ’ ଆଗରେ ମୁଁ ମୌନବ୍ରତ ପାଳନ କରୁଥିବା ଦିନ ପ୍ରକାଶ କରିଥିଲେ । ‘ଏଇ ଦୁଃସାହସିକ କାର୍ଯ୍ୟରେ ଆଗେଇବାର କାରଣ କ’ଣ ?’ ସେ ପଚାରିଲେ । ‘... ଏବଂ ତମେ କ’ଣ ଲେଖିବ ? ମନେକର ତମେ ଆଜି ଯେଉଁ ନୀତିଗୁଡିକୁ ଅନୁସରଣ କରୁଛ କାଲି ସେଗୁଡିକୁ ବର୍ଜନ କର, ବା ତମର ଆଜିକାର ଯୋଜନାକୁ ଭବିଷ୍ୟତରେ ପରିବର୍ତ୍ତନ କର, ସେ କ୍ଷେତ୍ରରେ ତମ କଥା ଓ ଲେଖାକୁ ଗ୍ରହଣ କରି ନିଜ ଆଚରଣକୁ ତିଆରୁଥିବା ଲୋକମାନେ ବିଭ୍ରାନ୍ତ ହେବେ ନାହିଁ କି ?...’“। ବନ୍ଧୁଙ୍କର ଏହି ଯୁକ୍ତିର ତାଙ୍କ ଉପରେ ପ୍ରଭାବ ପଡିଥିଲା ଓ ସେ ତାଙ୍କ ଆତ୍ମଜୀବନୀକୁ ଜୀବନ ବୃତ୍ତାନ୍ତ ରୂପେ ଉପସ୍ଥାପନ କରିବେ ନାହିଁ ବୋଲି ସ୍ଥିର କଲେ । ତାଙ୍କ ଜୀବନରେ ସତ୍ୟକୁ ନେଇ ସେ କରିଥିବା ବିଭିନ୍ନ ପ୍ରୟୋଗର କାହାଣୀକୁ ବର୍ଣ୍ଣନା କରିବାକୁ ମନସ୍ଥ କଲେ । ପୁସ୍ତକର ଉପକ୍ରମରେ ଗାନ୍ଧୀଜୀ ଲେଖିଥିଲେ, “ମୁଁ କେବଳ ଜୀବନରେ କରିଥିବା ସତ୍ୟର ପ୍ରୟୋଗର କାହାଣୀ କହିବାକୁ ଚାହୁଁଛି, କାରଣ ଏହି ପ୍ରୟୋଗ ଭିନ୍ନ ମୋ’ ଜୀବନରେ ଆଉ କିଛି ନାହିଁ । ଏହା ସତ ଯେ ଏଇ କାହାଣୀ ଆତ୍ମଜୀବନୀର ଆକାର ନେବ । କିନ୍ତୁ ଏହାର ପ୍ରତିଟି ପୃଷ୍ଠା କେବଳ ମୋ’ ପ୍ରୟୋଗର କଥା କହିଲେ ବି ସେଥିରେ ମୋର ଆପତ୍ତି ନାହିଁ ।“ ତେଣୁ ଗୁଜରାଟୀରେ ତାଙ୍କ ଆତ୍ମଜୀବନୀର ନାମ ସେ ‘ସତ୍ୟନା ପ୍ରୟୋଗ’ ରଖିଲେ ଓ ଇଂରାଜୀ ପୁସ୍ତକର ନାମ ଥିଲା ‘ଦି ଷ୍ଟୋରି ଅଫ ମାଇ ଏକସପେରିମେଣ୍ଟସ ଉଇଥ ଟ୍ରୁଥ’, ଯାହା ତାଙ୍କ ଘନିଷ୍ଠ ସହଯୋଗୀ ମହାଦେବ ଦେଶାଈଙ୍କ ଦ୍ୱାରା ଅନୁଦିତ ହୋଇଥିଲା ।
ଆତ୍ମଜୀବନୀ ଲେଖିବା ଆରମ୍ଭ କଲା ବେଳକୁ ଗାନ୍ଧୀଜୀଙ୍କ ବୟସ ହୋଇଥିଲା ୫୬ । ସେତେବେଳକୁ ସେ ଇଂଲଣ୍ଡରେ ପାଠ ପଢି ଦୁଇ ଦଶନ୍ଧି ଯାଏଁ ଦକ୍ଷିଣ ଆଫ୍ରିକାରେ ରହି ସାରିଥିଲେ । ଭାରତକୁ ଫେରି ଏଠାରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବା ସହ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଆସନ ମଧ୍ୟ ଅଳଙ୍କୃତ କରି ସାରିଥିଲେ । ଇତିମଧ୍ୟରେ ୧୯୦୯ରେ ଗୁଜରାଟୀ ଭାଷାରେ ତାଙ୍କ ରଚିତ ‘ହିନ୍ଦ ସ୍ୱରାଜ’ ପୁସ୍ତକ ପ୍ରକାଶ ପାଇ ସାରିଥିଲା । ସାମ୍ୱାଦିକତା, ସମ୍ପାଦନା, ପ୍ରକାଶନ, ଅନୁବାଦ ସହ ବିଭିନ୍ନ ଦସ୍ତାବିଜ ପ୍ରସ୍ତୁତ କରିବା, ଅସଂଖ୍ୟ ପତ୍ର ଲେଖିବା ମାଧ୍ୟମରେ ତାଙ୍କ ଲେଖକୀୟ କୌଶଳ ଯଥେଷ୍ଟ ପରିମାର୍ଜିତ ଓ ଉନ୍ନତ ହୋଇ ସାରିଥିଲା । ସେଥି ସହ ଇଂରାଜୀ ଭାଷା ଉପରେ ମଧ୍ୟ ତାଙ୍କର ବେଶ ଭଲ ଦଖଲ ଆସି ସାରିଥିଲା । ଏହା ସତ୍ତ୍ୱେ ସେ ଇଂରାଜୀକୁ ଔପନିବେଶକଙ୍କ ଭାଷା ମଣି ତାକୁ ବିରୋଧ କରୁଥିବାରୁ ତାଙ୍କ ଆତ୍ମଜୀବନୀକୁ ଇଂରାଜୀରେ ନ ଲେଖି ମାତୃଭାଷା ଗୁଜରାଟୀରେ ଲେଖିବାକୁ ପସନ୍ଦ କଲେ । ଉଭୟ ‘ହିନ୍ଦ ସ୍ୱରାଜ’ ଓ ‘ସତ୍ୟନା ପ୍ରୟୋଗ’ ପୁସ୍ତକ ଦୁଇଟିକୁ ମାତୃଭାଷାରେ ଲେଖି ସେ ମାତୃଭାଷାର ଗୁରୁତ୍ୱ ଓ ତାଙ୍କର ତା’ ପ୍ରତି ଥିବା ମମତାର ସ୍ପଷ୍ଟ ବାର୍ତ୍ତା ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବା ସହ ନିଜ ଭାଷାକୁ ରୁଦ୍ଧିମନ୍ତ କରିଥିଲେ । ଗୁଜରାଟୀ ଭାଷା ସାହିତ୍ୟର ବିଶିଷ୍ଟ କବି, ସମାଲୋଚକ ସୀତାଂଶୁ ଯଶଶ୍ଚନ୍ଦ୍ରଙ୍କ ମତରେ ଗୁଜରାଟୀ ଭାଷାରେ ଗାନ୍ଧୀଜୀଙ୍କ ଏହି ବହି ଦୁଇଟି ପ୍ରକୃତ ଅର୍ଥରେ ଗୁଜରାଟୀ ଗଦ୍ୟ ସାହିତ୍ୟକୁ ଊନବିଂଶ ଶତାବ୍ଦୀର ଗଣ୍ଡି ଭିତରୁ ମୁକୁଳି ଆସିବା ଲାଗି ବିଶ୍ୱାସ ଯୋଗାଇଥିଲା ।
ଏହା ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଗାନ୍ଧୀଜୀଙ୍କ ଆତ୍ମଜୀବନୀର ପ୍ରଥମ ପରିଚ୍ଛେଦ ପ୍ରକାଶ ପାଇବାର ଠିକ ଦିନକ ପୂର୍ବରୁ ସେ ସାବରମତୀ ଆଶ୍ରମରେ ସାତ ଦିନ ଲାଗି ଅନଶନ ଆରମ୍ଭ କରିଥିଲେ ଓ ଅନଶନର କାରଣ ଥିଲା ଆଶ୍ରମରେ ଅନୁଶାସନ ଭଙ୍ଗ ପାଇଁ ପ୍ରାୟଶ୍ଚିତ । ଏମିତିରେ ସେ ନିଜେ ଅତି ଅନୁଶାସିତ ଥିଲେ । କିନ୍ତୁ ଆତ୍ମଜୀବନୀ ଲେଖିବା ପାଇଁ ଏକ ଉଚ୍ଚତର ଆତ୍ମ ଅନୁଶାସନର ଛାଞ୍ଚର ପ୍ରୟୋଜନ ବୋଲି ସେ ଅନୁଭବ କରିଥିଲେ । ସେଥିପାଇଁ ତାଙ୍କୁ ଅନ୍ତର୍ମୁଖୀ ହୋଇ ଅନ୍ତର୍ବାସ କରିବାର ଆବଶ୍ୟକତା ଥିଲା । ବାହାର ଦୁନିଆ ସହ ସମ୍ପର୍କ ରଖି ଅନ୍ୟ ଗତିବିଧିରେ ଚଳଚଞ୍ଚଳ ରହିଲେ ତାହା ବାଧାପ୍ରାପ୍ତ ହେବ ବୋଲି ହୃଦୟଙ୍ଗମ କରି ସେ ୧୯୨୬ ମସିହାର ଆରମ୍ଭରେ ପ୍ରାୟ ବର୍ଷକ ଲାଗି ସାର୍ବଜନୀନ ଜୀବନରୁ ଅବ୍ୟାହତି ନେବା ପାଇଁ ବିଶ୍ରାମ (ସାବାଟିକାଲ) ଘୋଷଣା କଲେ । ତଦନୁଯାୟୀ ଡିସେମ୍ୱର ୨୦, ୧୯୨୬ ପର୍ଯ୍ୟନ୍ତ ତାଙ୍କର ପୂର୍ବ ନିର୍ଦ୍ଧାରିତ ସମସ୍ତ ସଭା, ସମିତି, ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମେତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଗଲା । ଏ ସମ୍ପର୍କରେ ସେ ପ୍ରଥମେ ଜାନୁଆରୀ ୩, ୧୯୨୬ରେ ‘ନବଜୀବନ’ ପତ୍ରିକାରେ ସୂଚନା ଦେଇଥିଲେ ଓ ଜାନୁଆରୀ ୭, ୧୯୨୬ରେ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ବିସ୍ତୃତ ଭାବେ ଲେଖା ମାଧ୍ୟମରେ ଜଣାଇଥିଲେ । ସେ ଲେଖିଥିଲେ, “ମୁଁ ଦୁଃଖର ସହିତ ମୋର ଅଗଣିତ ସହକର୍ମୀଙ୍କୁ ଜଣାଇବାକୁ ବାଧ୍ୟ ହେଉଛି ଯେ ମୁଁ ପ୍ରାୟ ବର୍ଷକ ଲାଗି ମୋର ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖୁଛି । ସ୍ୱାସ୍ଥ୍ୟଗତ ବା ଅନ୍ୟାନ୍ୟ ଅପ୍ରତ୍ୟାଶିତ କାରଣ ବ୍ୟତୀତ ଅନ୍ତତଃ ଡିସେମ୍ୱର ୨୦ ପର୍ଯ୍ୟନ୍ତ ମୁଁ ଆଶ୍ରମ ବାହାରକୁ ଯିବି ନାହିଁ, ନିଶ୍ଚିତ ଭାବେ ଅହମଦାବାଦ ବାହାରକୁ ନୁହେଁ ।” ସେ ପୁଣି ଲେଖିଥିଲେ, “ମୋ’ ପାଇଁ ଏହି ଅନୁଗ୍ରହର ବର୍ଷଟି ଉଭୟ ଉପଭୋଗ ଓ ଆତ୍ମତ୍ୟାଗର ହେବ । ଏଥିପାଇଁ ଉପଭୋଗର ଯେ ଆଶ୍ରମର ପୁଅଝିଅ ଓ ମୋ’ ସହକର୍ମୀଙ୍କ ଗହଣରେ ରହିବାର ମୋର ଦୀର୍ଘ ଦିନର ଅଭିଳାଷ ପୂରଣ ହେବ ବୋଲି ମୋର ଆଶା । ଏହା ଆତ୍ମତ୍ୟାଗର, କାରଣ ମୋ’ ପାଇଁ ବିଭିନ୍ନ ରାଜ୍ୟର ଏତେ ବନ୍ଧୁଙ୍କ ଗହଣରେ ସମୟ ବିତାଇବା ଓ ସାଧାରଣ ଜନତାଙ୍କ ଶ୍ରଦ୍ଧାଭାଜନ ହେବା ଅତି ଆନନ୍ଦଦାୟକ ଥିଲା । ସାଧାରଣ ଜନତା ଓ ମୋ’ ମଧ୍ୟରେ ଏକ ବନ୍ଧନ ରହିଛି, ଯାହାକୁ ବର୍ଣ୍ଣନା କରି ନ ହେଲେ ବି ଏହା ସେମାନଙ୍କ ଓ ମୋ’ ଦ୍ୱାରା ସମାନ ଭାବେ ଅନୁଭୂତ ହୋଇଥାଏ ।” ଏହି ଘୋଷଣା ପରେ ଅହମଦାବାଦସ୍ଥିତ ରାମକୃଷ୍ଣ ମିଶନର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହେଉଥିବା ସଭାରେ ସଭାପତିତ୍ୱ କରିବାକୁ ତାଙ୍କୁ ଅନୁରୋଧ ଆସିଲା । ସେ ବୁଝି ପାରିଲେ ଯେ ଏହି ଅନୁରୋଧକୁ ଏଡାଇ ନ ପାରିଲେ ଭବିଷ୍ୟତରେ ଏଇ ଧରଣର ଆହୁରି ଅନେକ ଅନୁରୋଧକୁ ମନା କରିବା ତାଙ୍କ ପକ୍ଷରେ କଷ୍ଟକର ହେବ ଓ ସେ ଶାନ୍ତିରେ ତାଙ୍କ ବର୍ଷକର ବିଶ୍ରାମକୁ ଅତିବାହିତ କରିବାର ଇଚ୍ଛାକୁ ପୂରଣ କରି ପାରିବେ ନାହିଁ । ତେଣୁ ସେ ଅନୁରୋଧଟିକୁ ଏଡାଇବା ସହ ‘ନବଜୀବନ’ ପତ୍ରିକାର ଜାନୁଆରୀ ୧୦, ୧୯୨୬ ସଂଖ୍ୟାରେ ତାଙ୍କ ପୂର୍ବ ଘୋଷଣାରେ କିଛିଟା ସଂଶୋଧନ କରି ଲେଖିଲେ ଯେ ଏଇ ସମୟରେ ସେ କେବଳ ଆଶ୍ରମରେ ରହିବେ ଓ ଆଶ୍ରମ ଛାଡି ଅହମଦାବାଦର ଅନ୍ୟ କେଉଁଠିକୁ ବି ଯିବେ ନାହିଁ । ତାଙ୍କ ଅନୁସାରେ, “ମୁଁ ଯେତେବେଳେ ସକ୍ରିୟ କାର୍ଯ୍ୟରୁ ଇଚ୍ଛାକୃତ ଅବ୍ୟାହତି ନେଲି, ଯଦିଓ ଚାହୁଁଥିଲି, ମୁଁ ଅଜ୍ଞ ଆସକ୍ତି ବା ଭୟ ବଶତଃ, ମୋ’ ନିଷ୍ପତ୍ତିର ପରିସୀମାରୁ ଅହମଦାବାଦକୁ ବାଦ୍ ଦେଇଥିଲି । ମୋର ଆଶଙ୍କା, ଅହମଦାବାଦକୁ ବାଦ ଦେଲେ, ମୁଁ ବର୍ଷକ ପାଇଁ ଆଶ୍ରମରେ ରହି ଯେଉଁ ଧରଣର ସେବା କରିବାକୁ ଇଚ୍ଛା କରୁଛି, ତାହା ବାଧାପ୍ରାପ୍ତ ହୋଇପାରେ ।” ସେହି ଲେଖାର ଶେଷରେ ସେ ଲେଖିଥିଲେ, “ମୁଁ ଯଦି ପ୍ରକୃତରେ ଶାନ୍ତି ପାଇବାକୁ ଚାହୁଁଥାଏ, ସାର୍ବଜନୀନ ଜୀବନରୁ ମୋର ଅବ୍ୟାହତି ନେବାର ଅର୍ଥ ଆଶ୍ରମକୁ ଫେରି ଆସିବା ହିଁ ହେବ । ତେଣୁ ମୁଁ ଆଶ୍ରମ ବାହାରେ, ଏପରି କି ଅହମଦାବାଦରେ, କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଶ୍ରମ ଛାଡି ଯାଇ ପାରିବି ନାହିଁ ।“ ଏଥିରୁ ଆତ୍ମଜୀବନୀ ଲେଖିଲା ବେଳେ ଗାନ୍ଧୀଜୀ କିପରି ବାହାରର କୋଳାହଳଠାରୁ ନିଜକୁ ଦୂରେଇ ରଖି ଅନ୍ତର୍ମୁଖୀ ହେବାର ପ୍ରୟାସରେ କଠିନ ସାଧନା କରିଥିଲେ, ତାହା ସହଜରେ ଅନୁମେୟ । କେବଳ ସେତିକି ନୁହେଁ, ସେ ନିଜକୁ ଗୋଟିଏ ଜାଗାରେ ଆବଦ୍ଧ ରଖିଲା ପରେ ଲେଖିବା ଲାଗି ଅନୁଶାସନର ଖସଡାଟିଏ ପ୍ରସ୍ତୁତ କଲେ । ତଦନୁଯାୟୀ ସେ ପ୍ରତିଦିନ ବିଭିନ୍ନ ପୁସ୍ତକ ଅଧ୍ୟୟନରେ ଅନ୍ତତଃ ଛଅ ଘଣ୍ଟା ଅତିବାହିତ କରୁଥିଲେ ।
ଆତ୍ମଜୀବନୀର ପ୍ରଥମ ପରିଚ୍ଛେଦଟି ନଭେମ୍ୱର ୨୫, ୧୯୨୫ରେ ‘ନବଜୀବନ’ ପତ୍ରିକାରେ ପ୍ରକାଶ ପାଇଲା । ସମୁଦାୟ ୧୬୬ଟି କିସ୍ତିରେ ପ୍ରକାଶ ପାଇ ଏହାର ଶେଷ ପରିଚ୍ଛେଦଟି ଫେବୃଆରୀ ୩, ୧୯୨୯ରେ ବାହାରିଥିଲା । ଏହାର ଇଂରାଜୀ ଅନୁବାଦ ‘ୟଙ୍ଗ ଇଣ୍ଡିଆ’ରେ ପ୍ରକାଶିତ ହୋଇ ତାହା ଦକ୍ଷିଣ ଆଫ୍ରିକାରୁ ପ୍ରକାଶ ପାଉଥିବା ‘ଇଣ୍ଡିଆନ ଓପିନିଅନ’ ଓ ଆମେରିକୀୟ ପତ୍ରିକା ‘ୟୁନିଟି’ରେ ମଧ୍ୟ ପୁନଃପ୍ରକାଶିତ ହେଉଥିଲା । ୩ ବର୍ଷ ୨ ମାସ ୧୧ ଦିନ ବା ୧୧୬୭ ଦିନର ଅବଧିରେ ଲେଖା ଶେଷ ହୋଇଥିଲା । ଏଥି ମଧ୍ୟରୁ ଗାନ୍ଧୀଜୀ ସାବରମତୀ ଆଶ୍ରମରେ ୬୮୫ ଦିନ ବା ଅର୍ଦ୍ଧାଧିକ ସମୟ ଅବସ୍ଥାନ କରିଥିଲେ । ଗୁଜରାଟୀ ଭାଷାରେ ବହିଟିର ପ୍ରଥମ ଖଣ୍ଡ ୧୯୨୭ରେ ପ୍ରକାଶ ପାଇବା ପରେ ଦ୍ୱିତୀୟ ଖଣ୍ଡଟି ୧୯୨୯ରେ ପ୍ରକାଶ ପାଇଥିଲା । ଆତ୍ମଜୀବନୀରେ ଗାନ୍ଧୀଜୀଙ୍କ ପିଲା ଦିନରୁ ଆରମ୍ଭ କରି ୧୯୨୧ ମସିହା, ଯେତେବେଳେ ତାଙ୍କର ୫୨ ବର୍ଷ ବୟସ ହୋଇଥିଲା, ପର୍ଯ୍ୟନ୍ତ ଘଟଣାବଳୀର ଅବତାରଣା ହୋଇଛି । ତା’ପରେ ସେ ଆହୁରି ୨୭ ବର୍ଷ ବଞ୍ଚି ରହିଥିଲେ ବି ସେହି ସମୟର ଘଟଣାବଳୀଗୁଡିକ ଆତ୍ମଜୀବନୀରେ ଲିପିବଦ୍ଧ କରିବା ପାଇଁ ଗାନ୍ଧୀଜୀ ଆଉ କେବେ କୌଣସି ଆଗ୍ରହ ଦେଖାଇ ନ ଥିଲେ, କାରଣ ସେ ମନେ କରୁଥିଲେ ଯେ ତାଙ୍କର ପରବର୍ତ୍ତୀ ଜୀବନ ଏତେ ବେଶି ସାର୍ବଜନୀନ ହୋଇ ସାରିଛି ଯେ ତାହା ଆଉ ପାଠକଙ୍କୁ ଜଣାଇବା ଲାଗି ଲେଖିବା ନିଷ୍ପ୍ରୟୋଜନ ।
ଗାନ୍ଧୀଜୀଙ୍କ ଆତ୍ମଜୀବନୀଟି ପାଠକଙ୍କ ସମ୍ମୁଖରେ ଏକକାଳୀନ ପୁସ୍ତକ ଆକାରରେ ନ ଆସି ଧାରାବାହିକ ଭାବେ ଉପସ୍ଥାପିତ ହୋଇଥିଲା । ଫଳରେ ପ୍ରତି ସଂଖ୍ୟା ପଢି ପାଠକମାନେ ସେମାନଙ୍କ ମତାମତ, ପରାମର୍ଶ, ପ୍ରତିକ୍ରିୟା ଓ ସମାଲୋଚନା ପ୍ରକାଶ କରି ପାରୁଥିଲେ । କିଛି ପ୍ରତିକ୍ରିୟା ଗାନ୍ଧୀଙ୍କ ସ୍ମୃତିରେ ଥିବା ଦୋଷତ୍ରୁଟିକୁ ଦର୍ଶାଇ ତା’ ପ୍ରତିବାଦରେ ଆସୁଥିଲା । ଉଦାହରଣ ସ୍ୱରୂପ, ଗାନ୍ଧୀଜୀ ତାଙ୍କ ପିଲାଦିନେ ରାଜକୋଟଠାରେ ଖ୍ରୀଷ୍ଟିଆନ ଧର୍ମଯାଜକଙ୍କ ଧର୍ମପ୍ରଚାରକୁ ମନେ ପକାଇ କଟାକ୍ଷ କରି ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ସତ୍ୟ ନୁହେଁ ବୋଲି ରେଭରେଣ୍ଡ ଏସ ଆର ସ୍କଟ ପ୍ରତିବାଦ ଜଣାଇଥିଲେ । ଗାନ୍ଧୀଜୀ ପତ୍ରଟିକୁ ‘ୟଙ୍ଗ ଇଣ୍ଡିଆ’ରେ ଛାପିବା ସହିତ ତା’ର ଉତ୍ତରରେ ସ୍କଟଙ୍କ ପ୍ରତିବାଦକୁ ଗ୍ରହଣ କରି ନ ଥିଲେ । ସେହିପରି ଦକ୍ଷିଣ ଆଫ୍ରିକାରେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ସୋଞ୍ଜା ସ୍କ୍ଲେସିନଙ୍କ ସମ୍ପର୍କରେ ଭୁଲ ତଥ୍ୟ ଥିବାରୁ ସେ ତା’ର କଡା ବିରୋଧ କରି ଲେଖିଥିଲେ, “....ଆପଣଙ୍କ ମସ୍ତିଷ୍କ ଏତେ କ୍ଳାନ୍ତ ହୋଇ ପଡିଛି ଯେ ଘଟଣାଗୁଡିକର ସ୍ମୃତି ଆପଣଙ୍କଠାରେ ଝାପସା ହୋଇ ପଡିଛି ଏବଂ ଆପଣ ଅଚେତନ ଭାବେ ଉଦ୍ଭାବନ କରି ଚାଲିଛନ୍ତି । ତେଣୁ ମୁଁ ଗମ୍ଭୀରତାର ସହ ଭାବୁଛି ଆପଣ ଆପଣଙ୍କ ସାଧାରଣ ସ୍ଥିତିକୁ ନ ଫେରିଲା ଯାଏଁ ଲେଖାଲେଖିରୁ ନିବୃତ୍ତ ରହନ୍ତୁ । .....ପ୍ରକୃତ ପକ୍ଷେ ଆତ୍ମଜୀବନୀର ନାମ ‘ଦି ଷ୍ଟୋରି ଅଫ ମାଇ ଏକସପେରିମେଣ୍ଟସ ଉଇଥ ଟ୍ରୁଥ’ ନ ହୋଇ ‘ଇଲଷ୍ଟ୍ରେସନସ ଅଫ ମାଇ ଏକସପେରିମେଣ୍ଟସ ଉଇଥ ଅନଟ୍ରୁଥ’ ହେବା କଥା ।“ ଏହିପରି ଆତ୍ମଜୀବନୀରେ ବର୍ଣ୍ଣିତ ବିଭିନ୍ନ ଘଟଣାର ସତ୍ୟତା ଓ ସଠିକତାକୁ ନେଇ ତାଙ୍କ ଘନିଷ୍ଠ ସହଯୋଗୀ ପୋଲକଙ୍କଠାରୁ ଆରମ୍ଭ କରି ଆହୁରି ଅନେକେ ପ୍ରଶ୍ନ ଉଠାଇଥିଲେ । କିଛି ତ୍ରୁଟିକୁ ଗାନ୍ଧୀଜୀ ପତ୍ର ମାଧ୍ୟମରେ ସ୍ୱୀକାର କରିଥିଲେ ବି ସେଗୁଡିକୁ ସେ ବହିରେ ସଂଶୋଧନ କରି ନ ଥିଲେ ଓ ଏହାର ଏକମାତ୍ର କାରଣ ଥିଲା ଯେ ତାଙ୍କ ଅନ୍ତରାତ୍ମାର ଡାକ ଅନୁସାରେ ଲେଖିଥିବାରୁ ସେଥିରେ କୌଣସି ପ୍ରକାର ସଂଶୋଧନର ଅବକାଶ ନାହିଁ ବୋଲି ସେ ମନେ କରୁଥିଲେ ।
‘ନବଜୀବନ’ର ଜୁଲାଇ ୨୪, ୧୯୨୭ ସଂଖ୍ୟାରେ ତାଙ୍କ ରଚିତ ‘ଅନ୍ତରଙ୍ଗ ଇଉରୋପୀୟ ସମ୍ପର୍କ’ ପରିଚ୍ଛେଦଟି ପ୍ରକାଶ ପାଇଥିଲା । ସେଥିରେ ସେ ପ୍ରତି ସପ୍ତାହରେ କିପରି ଧାରାବାହିକ ଭାବେ ତାଙ୍କ କାହାଣୀ ଲେଖି ଚାଲିଥିଲେ, ତାହା ପାଠକମାନଙ୍କୁ ବୁଝାଇଥିଲେ । ସେତେବେଳକୁ ଆତ୍ମଜୀବନୀ ଲେଖା ନିରବଚ୍ଛିନ୍ନ ଭାବେ ପ୍ରାୟ ଦେଢ ବର୍ଷ ଧରି ଚାଲି ସାରିଥାଏ । ଗାନ୍ଧୀଜୀ ଲେଖିଥିଲେ, “ଯେତେବେଳେ ମୁଁ ଲେଖା ଆରମ୍ଭ କଲି, ମୋ’ ଆଗରେ ନିର୍ଦ୍ଦିଷ୍ଟ କୌଣସି ଯୋଜନା ନ ଥିଲା । ମୋ’ ପାଖରେ କୌଣସି ଡାଇରୀ ବା ଦସ୍ତାବିଜ ନ ଥିଲା, ଯାହାକୁ ଆଧାର କରି ମୁଁ ମୋ’ ପ୍ରୟୋଗର କାହାଣୀକୁ ଲେଖି ପାରିଥାଆନ୍ତି । ଲେଖିଲା ବେଳେ ମୋ’ ଅନ୍ତରାତ୍ମା ମୋତେ ଯେମିତି ବାଟ କଢେଇ ନେଉଥିଲା ଓ ମୁଁ ସେହି ଅନୁସାରେ ଲେଖି ଚାଲୁଥିଲି । ... ... ମୁଁ ଭାବୁଛି ଏହା କହିବା ଭୁଲ ହେବ ନାହିଁ ଯେ ସବୁ କିଛି ଅନ୍ତରାତ୍ମାର ନିର୍ଦ୍ଦେଶରେ ହେଉଥିଲା ।“
ଗାନ୍ଧୀଜୀଙ୍କ ଆତ୍ମଜୀବନୀଟି ୧୬ଟି ଭାରତୀୟ ଭାଷାରେ ଉପଲବ୍ଧ । ଇଂରାଜୀ ବ୍ୟତୀତ ଏହା ଫରାସୀ, ଜର୍ମାନ, ସ୍ପେନୀୟ, ଇଟାଲୀୟ, କୋରିଆ ଓ ଜାପାନୀ ଭଳି ବିଦେଶୀ ଭାଷାରେ ବି ପ୍ରକାଶିତ । ପ୍ରତି ବର୍ଷ ଏହାର ଲକ୍ଷାଧିକ କପି ବିକ୍ରି ହୋଇଥାଏ । ଏ ଯାବତ୍ ୫୦ ଲକ୍ଷରୁ ଊର୍ଦ୍ଧ୍ୱ କପି ବିକ୍ରି ହୋଇ ଏହା ବିଶ୍ୱର ବହୁଳ ପ୍ରସାରିତ ବହିମାନଙ୍କ ତାଲିକାରେ ସ୍ଥାନ ପାଇଛି । ବିଶ୍ୱ ଆଧ୍ୟାତ୍ମିକ ଓ ଧାର୍ମିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ୧୯୯୮ ମସିହାରେ ପ୍ରସ୍ତୁତ ବିଂଶ ଶତାବ୍ଦୀର ୧୦୦ଟି ଶ୍ରେଷ୍ଠ ଆଧ୍ୟାତ୍ମିକ ପୁସ୍ତକ ତାଲିକାରେ ଯେଉଁ ସାତ ଜଣ ଭାରତୀୟଙ୍କ ପୁସ୍ତକ ସ୍ଥାନିତ ହୋଇଛି ତନ୍ମଧ୍ୟରେ ଗାନ୍ଧୀଜୀଙ୍କ ଆତ୍ମଜୀବନୀ ପୁସ୍ତକଟି ଅନ୍ୟତମ ।
୧୯୨୯ ମସିହା ପରଠାରୁ ପୁନର୍ବାର ରାଜନୈତିକ ଓ ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କାରଣରୁ ଗାନ୍ଧୀଜୀଙ୍କ କର୍ମବ୍ୟସ୍ତତା ବଢିଗଲା । ବସ୍ତୁତଃ ମାର୍ଚ୍ଚ ୧୨, ୧୯୩୦ରେ ସେ ଦାଣ୍ଡି ଯାତ୍ରା ପାଇଁ ସାବରମତୀ ଆଶ୍ରମରୁ ଗୋଡ କାଢିବା ପରେ ୧୯୪୮ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଆଶ୍ରମକୁ ଫେରି ସେଠାରେ ବେଶି ଦିନ ରହିବାର ଆଉ ଅବକାଶ ପାଇ ନ ଥିଲେ । ସ୍ୱାଧୀନତା ଆନ୍ଦୋଳନ ତଥା ବିଭିନ୍ନ ରାଜନୈତିକ ଓ ସାମାଜିକ କାର୍ଯ୍ୟରେ ତାଙ୍କର ଜୀବନ ଏତେ ବେଶି ଘଟଣାବହୁଳ ହୋଇ ପଡିଥିଲା ଯେ ହୁଏତ ଆତ୍ମଜୀବନୀ ଲେଖିବା ପାଇଁ ଆବଶ୍ୟକ ଏକାଗ୍ରତା ଓ ଫାଙ୍କା ସମୟ ତାଙ୍କୁ ଆଉ କେବେ ବି ମିଳି ପାରି ନ ଥାଆନ୍ତା । ସୌଭାଗ୍ୟବଶତଃ ଠିକ ସମୟରେ ଆତ୍ମଜୀବନୀଟି ଲେଖା ସରିଥିଲା । ନହେଲେ ଗାନ୍ଧୀଜୀଙ୍କ ସତ୍ୟର ପ୍ରୟୋଗର ଅନନ୍ୟ କଥା ସବୁ ହୁଏତ ଚିରଦିନ ଲାଗି ଅକୁହା ରହି ଯାଇଥାଆନ୍ତା ।
Published in May, 2021 issue of Odia monthly Paurusha
Comments
Post a Comment