ଓଡିଶାରେ ୨୦୨୩ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ବିଶ୍ୱ ନୃତାତ୍ତ୍ୱିକ କଂଗ୍ରେସ’ (ୱାକ)ର ଅନ୍ୟତମ ଆମନ୍ତ୍ରକ (ହୋଷ୍ଟ) ଭାବେ ଭୁବନେଶ୍ୱରସ୍ଥିତ ଏକ ବୃହତ୍ ଆଦିବାସୀ ଶିକ୍ଷାନୁଷ୍ଠାନ କିସ୍ ମନୋନୀତ ହୋଇଥିଲେ ବି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୨୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ସଂଗଠନ ଓ ନେତାଙ୍କ ପ୍ରବଳ ବିରୋଧ ପରେ ଆୟୋଜକ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆନ୍ଥ୍ରୋପୋଲୋଜିକାଲ ଆଣ୍ଡ ଏଥନୋଲୋଜିକାଲ ଷ୍ଟଡିଜ ତାକୁ ଆମନ୍ତ୍ରକଙ୍କ ତାଲିକାରୁ ବାଦ ଦେବାକୁ ବାଧ୍ୟ ହେଲେ । ଏହି ବିରୋଧର ମୁଖ୍ୟ କାରଣ ଥିଲା ସେହି ଅନୁଷ୍ଠାନର କାରଖାନା ସ୍କୁଲ (ଫ୍ୟାକ୍ଟରି ସ୍କୁଲ) ବ୍ୟବସ୍ଥା ।
ବିଶ୍ୱରେ ସପ୍ତଦଶ ଶତାବ୍ଦୀରେ ପ୍ରଥମେ ଖ୍ରୀଷ୍ଟିଆନ ମିଶନାରୀଙ୍କ ଦ୍ୱାରା ଆମେରିକାରେ କାରଖାନା ସ୍କୁଲ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ଶିଳ୍ପ ବିପ୍ଳବ କାଳରେ ଏହା କାନାଡା, ଅଷ୍ଟ୍ରେଲିଆ, ଆମେରିକା ସମେତ ଅନେକ ଦେଶରେ ପ୍ରସାର ଲାଭ କରିଥିଲା । ପ୍ରାରମ୍ଭିକ ଅବସ୍ଥାରେ ଶିଳ୍ପ ପାଇଁ ଦକ୍ଷ ଓ କୁଶଳୀ ଶ୍ରମିକ ସ଼ୃଷ୍ଟି କରିବା ଏହି ସ୍କୁଲଗୁଡିକର ଉଦ୍ଦେଶ୍ୟ ଥିଲା । ଶିଳ୍ପପତିମାନେ ଖ୍ରୀଷ୍ଟ ଧର୍ମର ପରୋପକାର ଭାବନାରେ ଉଦବୁଦ୍ଧ ହୋଇ ନିଜ ମନକୁ ବୁଝାଇବା ପାଇଁ ମୌଳିକ ଶିକ୍ଷା ମାଧ୍ୟମରେ ଶ୍ରମିକଙ୍କ କଲ୍ୟାଣ ପାଇଁ କିଛି କିଛି ଅର୍ଥ ପ୍ରଦାନ କରିବାକୁ ଆଗ୍ରହ ଦେଖାଉଥିଲେ । ସରକାରୀ ଭାବେ ଏହି କାରଖାନା ସ୍କୁଲ ବ୍ୟବସ୍ଥା ପ୍ରଥମେ ଊନବିଂଶ ଶତାବ୍ଦୀରେ ପ୍ରସିଆରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଔପନିବେଶକଙ୍କ ମଧ୍ୟରେ ଆଦୃତି ଲାଭ କରି ଲାଙ୍କାଶାୟାର ବ୍ୟବସ୍ଥା, ମାଡ୍ରାସ ବ୍ୟବସ୍ଥା, ଗ୍ଲାସୱୀଜୀୟ ବ୍ୟବସ୍ଥା ଆଦି ମାଧ୍ୟମରେ ବିଭିନ୍ନ ଉପନିବେଶରେ କାୟା ବିସ୍ତାର କରିଥିଲା । ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ କାରଖାନା ସ୍କୁଲ ବ୍ୟବସ୍ଥାର ସମ୍ପ୍ରସାରଣ କରାଯାଇଛି । ଅନେକ ଦେଶରେ ଧର୍ମାନ୍ତରଣ ଏହାର ଉଦ୍ଦେଶ୍ୟ ହୋଇଥିବା ବେଳେ କେତେକ ସ୍ଥାନରେ ଜଙ୍ଗଲ ଓ ଖଣିଜ ସମ୍ପଦକୁ ହାତେଇବା ଏହାର ଉଦ୍ଦେଶ୍ୟ ହୋଇଛି । ଇଣ୍ଡୋନେସିଆ ସରକାର ତ ପଶ୍ଚିମ ପପୁଆରେ ଜାତୀୟତାବାଦୀ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ସେଠାରେ ଏହି ସ୍କୁଲ ବ୍ୟବସ୍ଥାର ପ୍ରଚଳନ କରିଥିଲେ । କ୍ରମେ ଏହି ବ୍ୟବସ୍ଥାର କୁପରିଣାମ ସାମନାକୁ ଆସିଲା । ବିଶେଷ କରି ଏଥି ଯୋଗୁ କାନାଡା, ଅଷ୍ଟ୍ରେଲିଆର ସ୍ଥାନୀୟ ଅଧିବାସୀ ଓ ଆଦିବାସୀଙ୍କର ପ୍ରଭୁତ କ୍ଷତି ସାଧିତ ହୋଇଥିବାର ଜଣା ପଡିବା ପରେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେବାକୁ ଲାଗିଲା । ବର୍ତ୍ତମାନ ସାରା ବିଶ୍ୱରେ ଏହା ହ୍ରାସ ପାଇ ପ୍ରାୟ ୨୦ ଲକ୍ଷ ଆଦିବାସୀ ପିଲା କାରଖାନା ସ୍କୁଲରେ ଶିକ୍ଷା ଗ୍ରହଣ କରୁଥିବା ବେଳେ ଭାରତରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏହି ଧରଣର ନୂଆ ନୂଆ ସ୍କୁଲ ତିଆରି ହୋଇ ଛାତ୍ର ସଂଖ୍ୟା ବଢି ପ୍ରାୟ ଦଶ ଲକ୍ଷରେ ପହଞ୍ଚିଲାଣି । ଭାରତୀୟ ଆଦିବାସୀ ପିଲାଙ୍କ ପାଇଁ ପ୍ରଚଳିତ ଆବାସିକ ବିଦ୍ୟାଳୟ ବ୍ୟବସ୍ଥାକୁ କାରଖାନା ସ୍କୁଲ ବ୍ୟବସ୍ଥା କହି ହେବ ନାହିଁ ବୋଲି କେହି କେହି ଯୁକ୍ତି ବାଢୁଥିବାରୁ କାରଖାନା ସ୍କୁଲ ବ୍ୟବସ୍ଥାର ଚରିତ୍ରକୁ ବୁଝିବାର ଆବଶ୍ୟକତା ରହିଛି ।
ପ୍ରଖ୍ୟାତ ଆମେରିକୀୟ ଲେଖକ ଅଲୱିନ ଟଫଲରଙ୍କ ବହୁ ଚର୍ଚ୍ଚିତ ‘ଫ୍ୟୁଚର ସକ୍’ ପୁସ୍ତକ (୧୯୭୦)ରେ କାରଖାନା ସ୍କୁଲକୁ ପରିଭାଷିତ କରି ଯାହା ଲେଖାହୋଇଛି ତା’ର ଓଡିଆ ଅନୁବାଦ କିଛିଟା ଏହିପରି - “ଛାତ୍ରସମୂହ ରୂପକ କଞ୍ଚାମାଲ ସଦୃଶ ସମ୍ପଦକୁ ଏକ କେନ୍ଦ୍ରସ୍ଥଳୀରେ ସ୍ଥାନିତ ସ୍କୁଲ ରୂପକ କାରଖାନାକୁ ଆଣି ସେମାନଙ୍କୁ ଶିକ୍ଷକ ରୂପୀ ଶ୍ରମିକମାନଙ୍କ ଦ୍ୱାରା ପ୍ରକ୍ରିୟାକରଣ କରିବାର ସମଗ୍ର ପରିକଳ୍ପନାଟି କେବଳ ଶିଳ୍ପ ପ୍ରତିଭାମାନଙ୍କ କଳ୍ପନାପ୍ରସୂତ ହୋଇପାରେ ।“ ପରବର୍ତ୍ତୀ ସମୟରେ କାରଖାନା ସ୍କୁଲରୁ ବାହାରୁଥିବା ଛାତ୍ର ଶିଳ୍ପରେ ନିୟୋଜିତ ହେଉଥିବାରୁ ଶିଳ୍ପର ସମସ୍ତ ଶୃଙ୍ଖଳା - ଯେପରି ସମୟାନୁବର୍ତ୍ତିତା, ନିରଳସ ଭାବ, ବାରମ୍ୱାର ଏକ ପୁନରାବୃତ୍ତିମୂଳକ କାମକୁ ବୀତସ୍ପୃହ ନ ହୋଇ କରି ଚାଲିବା ଇତ୍ୟାଦିର ବିକାଶ ଉପରେ ଗୁରୁତ୍ୱ ଦିଆ ଯାଇଥାଏ । ଏହାଦ୍ୱାରା ସେମାନେ ନିଜ କଳ୍ପନାର ଡେଣାକୁ ମେଲାଇବାର ଆକାଂକ୍ଷା ଓ କ୍ଷମତା ହରାଇ ଶିଳ୍ପ ଚାହୁଁଥିବା ମୁତାବକ ଆଦର୍ଶ ଶ୍ରମିକରେ ପରିଣତ ହୋଇ ପାରନ୍ତି । ଶିଳ୍ପଜଗତର ଏହି ଆବଶ୍ୟକତାକୁ ପରିପୂରଣ କରିବା କାରଖାନା ସ୍କୁଲଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବାରୁ କ୍ରମେ ନିଯୁକ୍ତିଯୋଗ୍ୟତା ସୃଷ୍ଟି ହିଁ ମୁଖ୍ୟସ୍ରୋତ ଶିକ୍ଷା ବ୍ୟବସ୍ଥାର ଉଦ୍ଦେଶ୍ୟ ପାଲଟିଗଲା । କାରଖାନା ସ୍କୁଲଗୁଡିକ ଆଦିବାସୀ ପିଲାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତକୁ ଆଣି ସେମାନଙ୍କୁ ଏହି ପ୍ରତିଯୋଗିତାମୂଳକ ଦୁନିଆରେ ସଫଳତା ହାସଲ କରିବା ପାଇଁ ପ୍ରସ୍ତୁତ କରିଥାଆନ୍ତି ବୋଲି ଦାବି କରୁଥିଲେ ବି ଅନେକ କ୍ଷେତ୍ରରେ ବାସ୍ତବତା ସମ୍ପୂର୍ଣ୍ଣ ବିପରୀତ ହୋଇ ଭୟାବହ କୁପରିଣାମମାନ ଦେଖିବାକୁ ମିଳିଥାଏ । ବୃତ୍ତିଗତ ସ୍ତରରେ ମୁଷ୍ଟିମେୟ ଛାତ୍ର ସଫଳତା ହାସଲ କରୁଥିଲେ ବି ପରବର୍ତ୍ତୀ ସମୟରେ ନିଜ ସମାଜ ସହ ସେମାନଙ୍କ ସମ୍ପର୍କ ଶିଥିଳ ହୋଇ ଯାଉଛି ଓ ସେମାନଙ୍କ ସଫଳତା ସମାଜର ସାମଗ୍ରିକ ବିକାଶରେ କାମରେ ଲାଗୁ ନାହିଁ । ଘରଠାରୁ ଦୂରରେ ଏ ଭଳି ଆବାସିକ ବିଦ୍ୟାଳୟରେ ପଢିବା ଦ୍ୱାରା ପିଲାମାନେ ସମାଜର ଲୋକଙ୍କଠାରେ ଥିବା ପାରମ୍ପରିକ ଜ୍ଞାନ, କୌଶଳ ଓ ପରିବେଶଗତ ଜ୍ଞାନ ଆହରଣ କରିବାରୁ ବଞ୍ଚିତ ହୋଇଥାଆନ୍ତି । କୁହାଯାଏ ବଣ୍ଡା ଘାଟିରେ ସାନ ପିଲାଟିଏ ପାହାଡ ଉପରୁ ପଥରଟିଏ ଗଡାଇ ବା ଚକଟିଏ ଗଡାଇ ତାକୁ ଲକ୍ଷ୍ୟ କରି ଶର ବିନ୍ଧିଥାଏ । ତାକୁ କେହି ହାତ ଧରି ଏ କାମଟିକୁ କରିବାକୁ ଶିଖାଇ ନ ଥାଏ । ତା’ ପରିବେଶରେ ସେ ଅନ୍ୟମାନଙ୍କୁ ଦେଖି ଏଇଟିକୁ ଶିଖିଥାଏ, ଯାହା ପରବର୍ତ୍ତୀ ସମୟରେ ତାକୁ କୁଶଳୀ ଶିକାରୀରେ ପରିଣତ କରିଥାଏ । କିନ୍ତୁ ଦୂର ଆବାସିକ ବିଦ୍ୟାଳୟରେ ପଢି ସେ ଉପରୋକ୍ତ ଦକ୍ଷତା ହାସଲରୁ ବଞ୍ଚିତ ରହେ । ବିଶ୍ୱର ପ୍ରାୟ ୪୦ ପ୍ରତିଶତ ଶିଶୁଙ୍କୁ ସେମାନଙ୍କ ମାତୃଭାଷା ବା ସେମାନେ ବୁଝୁଥିବା ଭାଷାରେ ଶିକ୍ଷା ପ୍ରଦାନ କରା ନ ଯାଇ ଅନ୍ୟ ଭାଷାରେ ଶିକ୍ଷା ଏକ ପ୍ରକାର ଲଦି ଦିଆ ଯାଇଥାଏ । ନିଜ ପରିବେଶରୁ ବିଚ୍ଛିନ୍ନ ହୋଇ ଆବାସିକ ବିଦ୍ୟାଳୟମାନଙ୍କରେ ମାତୃଭାଷା ଭିନ୍ନ ଅନ୍ୟ ଭାଷାରେ ଶିକ୍ଷା ଗ୍ରହଣ କରୁଥିବାରୁ ଆଦିବାସୀ ଶିଶୁମାନେ ହିଁ ଏହି ଅନ୍ୟାୟର ସବୁଠାରୁ ବେଶି ଶିକାର ହୋଇ ଥାଆନ୍ତି । ଉନ୍ନତ ଶିକ୍ଷାଦାନ ଆଳରେ ଆଦିବାସୀ ପିଲାଙ୍କୁ ତାଙ୍କ ମାତୃଭାଷାରେ ଶିକ୍ଷା ପାଇବାରୁ ବଞ୍ଚିତ କରିବା ଅର୍ଥ ସେମାନଙ୍କ ସ୍ୱାଭାବିକ ବିକାଶ ପଥରେ ବାଧକ ସାଜି ଆଦିବାସୀଙ୍କ ସମଗ୍ର ସାମାଜିକ, ସାଂସ୍କୃତିକ ପରିବେଶକୁ କ୍ଷତି ପହଞ୍ଚାଇବା । କାରଖାନା ସ୍କୁଲରେ ମାତୃଭାଷା ଭିନ୍ନ ଅନ୍ୟ ଭାଷାରେ ଶିକ୍ଷା ପ୍ରଦାନ ଭାଷା-ସ୍ୱରାଜ ସିଦ୍ଧାନ୍ତର ପରିପନ୍ଥୀ ହୋଇଥିଲା ବେଳେ ଏଥିରେ ପିଲାଙ୍କ ଭାଷାଗତ ମାନବାଧିକାରର ହନନ ହୋଇଥାଏ । ଏହା ନେହରୁଙ୍କ ଦ୍ୱାରା ୧୯୫୨ରେ ଘୋଷିତ ‘ଆଦିବାସୀ ପଞ୍ଚଶୀଳ’ ବୋଲାଉଥିବା ଦେଶର ପାଞ୍ଚଟି ଆଦିବାସୀ ନୀତିର ବିରୁଦ୍ଧାଚରଣ କରୁଛି, ଯେଉଁଥିରେ ଆଦିବାସୀଙ୍କ ଉପରେ କିଛି ଲଦି ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା । ମାତୃଭାଷାରେ ଶିକ୍ଷାଦାନ ତ ଦୂରର କଥା ସେଠାରେ ଥିବା ଆଦିବାସୀ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ନଗଣ୍ୟ । ଇଂରାଜୀ ମିଡିଅମ ସ୍କୁଲରେ ପିଲାଙ୍କୁ ଓଡିଆରେ କଥାବାର୍ତ୍ତା କରିବାକୁ ବାରଣ କରାଯାଉଥିବା ଭଳି କାରଖାନା ସ୍କୁଲଗୁଡିକରେ ବି ଆଦିବାସୀ ପିଲାଙ୍କୁ ସେମାନଙ୍କ ମାତୃଭାଷାରେ ବାର୍ତ୍ତାଳାପ କରିବାକୁ ବାରଣ କରାଯାଇଥାଏ । ଆଦିବାସୀଙ୍କ ଧର୍ମୀୟ ବିଶ୍ୱାସ, ଚାଲିଚଳଣ ନିକୃଷ୍ଟ ବୋଲି ପିଲାଙ୍କଠାରେ ଏପରି ଏକ ପ୍ରତ୍ୟୟ ସୃଷ୍ଟି କରିବାକୁ ଉଦ୍ୟମ ହୋଇଥାଏ ଯଦ୍ଦ୍ୱାରା ସେମାନେ ନିଜ ସମାଜ ଓ ସଂସ୍କୃତିକୁ ନେଇ ସେହିପରି ଗର୍ବ ଅନୁଭବ କରି ପାରି ନ ଥାଆନ୍ତି । ଏ ଭଳି ସ୍କୁଲରେ ପ୍ରମୁଖ ଧର୍ମର ପର୍ବ ପର୍ବାଣିମାନ ପାଳନ କରା ଯାଉଥିଲେ ବି ଆଦିବାସୀମାନଙ୍କ ପର୍ବପର୍ବାଣି ପାଳନ କରାଯାଇ ନ ଥାଏ । ଏପରି କି ସେଥିପାଇଁ ପିଲାମାନଙ୍କୁ ଘରକୁ ଛଡା ଯାଇ ନ ଥାଏ । ଫଳରେ ପରିବେଶଗତ ଜ୍ଞାନ, କୌଶଳ ଓ ଭାଷା ଜ୍ଞାନର ଅଭାବ ଯୋଗୁ ସେମାନଙ୍କ ଅଣଆଦିବାସୀକରଣ ପ୍ରକ୍ରିୟାଟି ତ୍ୱରାନ୍ୱିତ ହୋଇଥାଏ । ଏହା ଫଳରେ ଅନେକ ଆଦିବାସୀ ଛାତ୍ରଛାତ୍ରୀ ମୁଖ୍ୟସ୍ରୋତରେ ସାମିଲ ହେବା ପ୍ରକ୍ରିୟାରେ ନିଜ ନ-ତାତ୍ତ୍ୱିକ ସ୍ୱାତନ୍ତ୍ର୍ୟ ଟିକକ ହରାଇଥାଆନ୍ତି । ତଦଜନିତ କ୍ଷତିର ସୁଦୂର ପ୍ରସାରୀ ପ୍ରଭାବ କେବଳ ସେମାନଙ୍କ ପର୍ଯ୍ୟନ୍ତ ସୀମିତ ନ ରହି ସମଗ୍ର ସମାଜକୁ ଗ୍ରାସ କରିଥାଏ । ସେମାନଙ୍କ ସ୍ୱତନ୍ତ୍ର ଭାବେ ତିଷ୍ଠି ରହିବା ଉପରେ ପ୍ରଶ୍ନ ସୃଷ୍ଟି ହେବା ସହ କେତେକଙ୍କ ଭାଷା ବିଲୁପ୍ତିର ଦ୍ୱାର ଦେଶକୁ ଚାଲି ଯାଇଥାଏ ।
ଘରୋଇ ଭାବେ ପରିଚାଳିତ ଅଧିକାଂଶ କାରଖାନା ସ୍କୁଲର ପ୍ରମୁଖ ପୃଷ୍ଠପୋଷକ ହେଉଛନ୍ତି ବଡ ବଡ କର୍ପୋରେଟ ହାଉସ, ବିଶେଷ କରି ଖଣିଜ ସମ୍ପଦ ଉତ୍ତୋଳନକାରୀ କମ୍ପାନୀ । ଆଦିବାସୀ ସମାଜରେ ସେମାନଙ୍କ ଛବି ଆଦିବାସୀ ବିରୋଧୀ ହୋଇଥିବାରୁ ସେମାନେ ସିଧାସଳଖ କୌଣସି ଜନମଙ୍ଗଳକାରୀ କାର୍ଯ୍ୟ କଲେ ତାହା ସନ୍ଦେହଜନକ ଚକ୍ଷୁରେ ଦେଖା ଯାଇପାରେ । ସେଥିପାଇଁ ସେମାନେ ଆଦିବାସୀ ସମାଜରେ ନିଜ ବିଶ୍ୱସନୀୟତା ଓ ଗ୍ରହଣୀୟତାକୁ ବଢାଇବା ପାଇଁ କାରଖାନା ସ୍କୁଲର ସହଜ ରାସ୍ତାଟିକୁ ବାଛି ଥାଆନ୍ତି । ସ୍ଥଳ ବିଶେଷରେ ବଣଜଙ୍ଗଲର ମାଟି ତଳେ ଥିବା ଖଣିଜ ସମ୍ପଦ ଉପରେ ଆଖି ଥିବା କମ୍ପାନୀଙ୍କର ଦୀର୍ଘ ମିଆଦି ଯୋଜନାର ଏହା ଅଂଶ ବିଶେଷ ହୋଇଥାଏ । ଶିକ୍ଷା ଆଳରେ ଆଦିବାସୀ ପିଲାମାନଙ୍କୁ ନିଜ ଅଞ୍ଚଳରୁ ଦୂରେଇ ରଖା ଯାଇପାରିଲେ ଜଙ୍ଗଲ ପ୍ରତି ସେମାନଙ୍କ ମୋହ କ୍ରମଶଃ ଭାଙ୍ଗି ଯିବ । ଆଦିବାସୀ ଜୀବନ ଜଙ୍ଗଲ-ନିର୍ଭର ହୋଇଥିବାରୁ ବର୍ତ୍ତମାନ ପିଢିର ଆଦିବାସୀଙ୍କୁ ଜଙ୍ଗଲଚ୍ୟୁତ କରିବା ସହଜ ହେଉ ନ ଥିବା ବେଳେ ଆଗାମୀ ପିଢିର କାରଖାନା ସ୍କୁଲ ଫେରନ୍ତା ଆଦିବାସୀଟିର ଜଙ୍ଗଲ ନିର୍ଭରଶୀଳତା ହ୍ରାସ ପାଇ ତା’ ପ୍ରତି ଆଉ ସେହି ମମତା ଓ ଆକର୍ଷଣ ନ ଥିବାରୁ ସେ ହୁଏତ ସହଜରେ ଅନ୍ୟତ୍ର ଯିବାକୁ ସାଲିସ କରି ଦେଇ ପାରିବ । ତେଣୁ କାରଖାନା ସ୍କୁଲକୁ ପାଣ୍ଠି ପ୍ରଦାନ ସେହି ଧରଣର କମ୍ପାନୀଙ୍କ ପାଇଁ ଏକ ପ୍ରକାର ଦୀର୍ଘ ମିଆଦି ବିନିଯୋଗ ହୋଇଥାଏ । ସେଥିପାଇଁ ଅଧିକାଂଶ ସ୍କୁଲ ମଧ୍ୟ ପିଲାମାନଙ୍କୁ ଆଦିବାସୀଙ୍କ ସାମ୍ୱିଧାନିକ ଅଧିକାର ଓ ଜଙ୍ଗଲ ଅଧିକାର ଭଳି ଆଇନ ସମ୍ପର୍କରେ ସଚେତନ କରିବାକୁ ଉଚିତ ମଣି ନ ଥାଆନ୍ତି । ଅନ୍ୟ ପକ୍ଷରେ ପିଲାଟିଏର ପାଠପଢାରୁ ଆରମ୍ଭ କରି ସବୁ କିଛି ମାଗଣା ହୋଇଥିବାରୁ ସେ ନିଜକୁ ଏତେ ବେଶି ଅନୁଗୃହୀତ ବୋଲି ମନେ କରେ ଯେ ଏ ଭଳି ବିଦ୍ୟାଳୟ ବ୍ୟବସ୍ଥା ତା ମନରେ ଭାବାନ୍ତର ସୃଷ୍ଟି କଲେ ସୁଦ୍ଧ ସେ ପ୍ରତିବାଦ କରିବାକୁ ସାହସ କରି ନ ଥାଏ । କ୍ରମଶଃ କୌଣସି ଅନ୍ୟାୟକୁ ପ୍ରତିବାଦ କରିବାର କ୍ଷମତା ବି ତା’ଠାରୁ ଲୋପ ପାଇଥାଏ, ଯାହା ପରବର୍ତ୍ତୀ ସମୟରେ ତା’ ବ୍ୟକ୍ତିତ୍ୱରେ ବି ପ୍ରତିଫଳିତ ହୋଇଥାଏ । ତା’ର ଏହି ପରିବର୍ତ୍ତନ ସେହିପରି ଶିଳ୍ପସଂସ୍ଥାଙ୍କ ସ୍ୱାର୍ଥ ଅନୁକୂଳ ହୋଇଥାଏ ।
ଭାରତରେ ଆଦିବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ରଖି ଗାନ୍ଧୀଜୀଙ୍କ ସହଯୋଗୀ ଠକ୍କରବାପା ଆଶ୍ରମ ସ୍କୁଲମାନ ପ୍ରତିଷ୍ଠା କରିଥିଲେ । ଏହି କ୍ରମରେ ଖ୍ରାଷ୍ଟିଆନ ମିଶନାରି ସଙ୍ଗଠନଙ୍କଠାରୁ ଆରମ୍ଭ କରି ବନବାସୀ କଲ୍ୟାଣ ପରିଷଦ ଭଳି ଅନେକ ସଙ୍ଗଠନ ଏହି ଆବାସିକ ବିଦ୍ୟାଳୟ ମାର୍ଗଟିକୁ ବାଛିଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ୨୦୧୮ ମସିହା ସୁଦ୍ଧା ବିଭିନ୍ନ ରାଜ୍ୟରେ ଥିବା ୨୮୪ଟି ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ଓ ୧୨୦୫ଟି ଆଶ୍ରମ ସ୍କୁଲ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା । ଆବାସିକ ବିଦ୍ୟାଳୟଗୁଡିକରେ ଆଦିବାସୀ ପିଲାମାନେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନାର ଶିକାର ହେଉଥିବାର ଖବରମାନ ଶୁଣିବାକୁ ମିଳିଥାଏ । ଏକ ଆକଳନ ଅନୁସାରେ ୨୦୦୧ରୁ ୨୦୧୬ ମଧ୍ୟରେ କେବଳ ମହାରାଷ୍ଟ୍ର ରାଜ୍ୟର ଆବାସିକ ବିଦ୍ୟାଳୟଗୁଡିକରେ ୧୪୬୩ ଜଣ ଆଦିବାସୀ ଛାତ୍ର ମୃତ୍ୟୁବରଣ କରିଥିଲେ ଓ ତନ୍ମଧ୍ୟରୁ ୩୦ ଜଣ ଆତ୍ମହତ୍ୟା କରିଥିବା ବାସ୍ତବିକ ଉଦବେଗଜନକ । ଓଡିଶାର ଆଦିବାସୀ ପିଲାଙ୍କ ମଧ୍ୟରୁ ୧୬ ପ୍ରତିଶତ ସ୍କୁଲକୁ ଯାଆନ୍ତି ନାହିଁ । ପ୍ରାୟ ୫୧ ପ୍ରତିଶତ ଆଦିବାସୀ ପିଲା ପ୍ରାଥମିକ ସ୍ତରରେ ସ୍କୁଲ ଛାଡୁଥିବା ବେଳେ ଉଚ୍ଚ ପ୍ରାଥମିକ ସ୍ତରରେ ଏହା ପ୍ରାୟ ୬୯ ପ୍ରତିଶତ ହୋଇଥାଏ । ରାଜ୍ୟରେ ୨୦୦୬ ମସିହାରୁ ସର୍ବଶିକ୍ଷା ଅଭିଯାନର ବହୁଭାଷୀ ଶିକ୍ଷା (ଏମଏଲଇ)ରେ ସାନ୍ତାଳୀ, ସଉରା, ମୁଣ୍ଡା, କୋୟା, କୁଇ ଭଳି ୧୦ଟି ଆଦିବାସୀ ଭାଷାରେ ଶିକ୍ଷାଦାନ ଲାଗି ନିଷ୍ପତ୍ତି ନିଆସରିଛି । ତଦନୁଯାୟୀ ୨୦୧୬ ସୁଦ୍ଧା ରାଜ୍ୟରେ ୨୩୦୦ ସ୍କୁଲରେ ୨୧ଟି ଭାଷାରେ ପ୍ରାୟ ୧.୪୩ ଲକ୍ଷ ଆଦିବାସୀ ଛାତ୍ର ସେମାନଙ୍କ ମାତୃଭାଷାରେ ଶିକ୍ଷା ଗ୍ରହଣ କରି ପାରୁଥିଲେ । ଆଦିବାସୀ ଶିକ୍ଷାର ବିକାଶ ଲାଗି ଏ ଭଳି ଅନୁକୂଳ ପରିବେଶରେ କାରଖାନା ସ୍କୁଲ ବ୍ୟବସ୍ଥା ତିଷ୍ଠି ପାରିବା କଥା ନୁହେଁ । ଏହା ସତ୍ତ୍ୱେ ସାରା ବିଶ୍ୱରେ ଓଡିଶା କାରଖାନା ସ୍କୁଲର ଏକ ପ୍ରମୁଖ ସ୍ଥଳୀ ପାଲଟିବା ବାସ୍ତବିକ ସରକାରଙ୍କ ଆଦିବାସୀ ଶିକ୍ଷା ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଉଛି ।
ଶିକ୍ଷା ବ୍ୟବସ୍ଥାରେ ଯୌକ୍ତିକତାକୁ ଆଧାର କରି କମ ସଂଖ୍ୟକ ଛାତ୍ର ଥିବା ସ୍କୁଲଗୁଡିକୁ ବନ୍ଦ କରିବା ଲାଗି ଓଡିଶା ସମେତ ଅନ୍ୟ କେତେକ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଜନସଂଖ୍ୟା ସାନ୍ଧ୍ରତା କମ ଥିବା ଆଦିବାସୀ ଅଞ୍ଚଳଗୁଡିକରେ ୧୫ରୁ କମ ଛାତ୍ର ଥିଲେ ସ୍କୁଲକୁ ବନ୍ଦ କରି ଦିଆଯିବ । ତେବେ ସେହି ଅଞ୍ଚଳର ସ୍କୁଲଗୁଡିକରେ ଛାତ୍ର ସଂଖ୍ୟା ହ୍ରାସ ପାଉଥିବାର ଅନ୍ୟାନ୍ୟ ଅନେକ କାରଣ ଭିତରୁ ଗୋଟିଏ କାରଣ ହେଉଛି କାରଖାନା ସ୍କୁଲ ବ୍ୟବସ୍ଥା । ଶିଳ୍ପୋଦ୍ୟୋଗ ଓ କେତେକ କମ୍ପାନୀ ସେମାନଙ୍କ ସିଏସଆର କାର୍ଯ୍ୟକ୍ରମ ଅଧୀନରେ କିଛି ଆଦିବାସୀ ପିଲାଙ୍କୁ ଏହି ଭଳି ସ୍କୁଲକୁ ପଠାଇ ସେମାନଙ୍କ ପଢା ବାବଦ ଖର୍ଚ୍ଚକୁ ବହନ କରି ଥାଆନ୍ତି । ସ୍ଥଳ ବିଶେଷରେ ଏହା ସେଠାକାର ସ୍କୁଲର ଛାତ୍ର ସଂଖ୍ୟା ହ୍ରାସ କରି ପରୋକ୍ଷରେ ସ୍କୁଲ ବନ୍ଦର କାରଣ ବି ପାଲଟିଥାଏ । ଉଦାହରଣ ସ୍ପରୂପ ୧୯ ଜଣ ପିଲା ପଢୁଥିବା ଅଞ୍ଚଳରୁ ଯଦି ୫ ଜଣକୁ କୌଣସି କମ୍ପାନୀ ସିଏସଆରରେ ଏହି ଭଳି କାରଖାନା ସ୍କୁଲକୁ ପଠାଇ ଦିଆଯାଏ ତେବେ ସେଠାକାର ସ୍କୁଲର ଛାତ୍ର ସଂଖ୍ୟା ୧୪କୁ ହ୍ରାସ ପାଇ ସ୍କୁଲ ବନ୍ଦ କରିବାର ଆବଶ୍ୟକତା ଉପୁଜିପାରେ । କାରଖାନା ସ୍କୁଲରେ ପଢୁଥିବା ୫ ଜଣ ଛାତ୍ରଙ୍କ ଭବିଷ୍ୟତ ନେଇ ନିଶ୍ଚିତ ଭାବେ କିଛି କହି ହେଉ ନ ଥିଲା ବେଳେ ସ୍କୁଲ ଅଭାବରୁ ଅବଶିଷ୍ଟ ୧୪ ଜଣ ଛାତ୍ରଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇପାରେ । ତେଣୁ ଅନ୍ତତଃ ପ୍ରାଥମିକ ସ୍କୁଲ ସ୍ତର ପର୍ଯ୍ୟନ୍ତ,ଆଦିବାସୀ ଅଞ୍ଚଳରୁ କମ୍ପାନୀଙ୍କ ଦ୍ୱାରା ସିଏସଆର ମାଧ୍ୟମରେ କାରଖାନା ସ୍କୁଲକୁ ହେଉ ବା ଅନ୍ୟ ଭାବେ ହେଉ ଅନ୍ୟତ୍ର ଛାତ୍ର ପ୍ରେରଣ ବ୍ୟବସ୍ଥା ଉପରେ ରୋକ ଲାଗିବା ଉଚିତ । ବିଶେଷ କରି ଯେଉଁ ସବୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଅଧିକ ସଂଖ୍ୟକ ସ୍କୁଲ ବନ୍ଦର ନିଷ୍ପତ୍ତି ନିଆ ଯାଉଛି ସେଠାରେ ଏହି ରୋକକୁ କଡାକଡି ଭାବେ ଲାଗୁ କରିବା ଆବଶ୍ୟକ । ଅପହଞ୍ଚ ବଣ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ଆବଶ୍ୟକତା ସ୍ୱତନ୍ତ୍ର ହୋଇଥିବାରୁ ସେମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ । ସେଥିପାଇଁ ଆଦିବାସୀ ପିଲାଙ୍କୁ ତାଙ୍କ ନିଜ ପରିବେଶରେ ଅନ୍ତତଃ ପ୍ରାଥମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ ପାଇଁ ଆମେରିକାର ‘ହୋମ ସ୍କୁଲିଂ’ ବ୍ୟବସ୍ଥା ଭଳି ଶିକ୍ଷା ଦାନର ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରା ଯାଇପାରେ । ଏ ପ୍ରସଙ୍ଗରେ ‘ତୃତୀୟ ମଞ୍ଚ’ର ପ୍ରବର୍ତ୍ତକ ପ୍ରଖ୍ୟାତ ନାଟ୍ୟକାର ବାଦଲ ସରକାରଙ୍କ ‘ଅନ୍ତତଃ ଜଣେ ଦର୍ଶକ ଜଣେ କଳାକାରରେ ନାଟକ ସମ୍ଭବ’ ଉକ୍ତିଟିରୁ ଖିଅ ନେଇ ଆବଶ୍ୟକ ସ୍ଥଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡିକରେ ‘ଅନ୍ତତଃ ଜଣେ ଛାତ୍ର ଲାଗି ଶିକ୍ଷାଦାନ ହୋଇପାରିବ’, ସିଦ୍ଧାନ୍ତକୁ ଗ୍ରହଣ କରି ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ । ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢିଥିବା ସ୍ଥାନୀୟ ପିଲାଙ୍କୁ ସାମାନ୍ୟ ପ୍ରଶିକ୍ଷଣ ପ୍ରଦାନ କରି ସେହି ଅଞ୍ଚଳର ପିଲାଙ୍କୁ ପଢାଇବାରେ ନିୟୋଜିତ କରିବା କଥା ବିଚାର କରାଯାଇ ପାରେ ଓ ସେମାନେ ମାତୃଭାଷାରେ ପଞ୍ଚମ ଶ୍ରେଣୀ ଯାଏଁ ପଢାଇ ପାରନ୍ତେ । ଶିକ୍ଷାଦାନର ବିକଳ୍ପ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରା ଯାଇ ପାରିଲେ ସ୍କୁଲର ଯୌକ୍ତିକତା ପ୍ରସଙ୍ଗ ହେବ ନାହିଁ କି ସ୍କୁଲ ଅଭାବରୁ କୌଣସିଠାରେ ପିଲାମାନେ ପାଠ ପଢାରୁ ବଞ୍ଚିତ ହେବେ ନାହିଁ ।
ଯେ କୌଣସି ଛାତ୍ରର ଉଚ୍ଚମାନର ଶିକ୍ଷା ହାସଲ କରିବାର ଅଧିକାର ଥିବାରୁ କାରଖାନା ସ୍କୁଲରେ ତାର ସେହି ଆବଶ୍ୟକତା ପୂରଣକୁ ବିରୋଧ କରି ହେବ ନାହିଁ । ତେବେ ଆଦିବାସୀ ପିଲାମାନେ ସେହି ସବୁ ସ୍କୁଲରେ ମଣିଷ ହୋଇ ବାହାରୁଛନ୍ତି ବୋଲି କେହି କେହି କହି ଥାଆନ୍ତି । କାରଖାନା ସ୍କୁଲରୁ ପଢି ବାହାରିଥିବା ପିଲାମାନଙ୍କର ଏକ ୱେବ ପୋର୍ଟାଲ ତିଆରି କରାଯାଇ ସେଠାରେ ତଥ୍ୟ ଉପଲବ୍ଧ ହୋଇ ପାରିଲେ ସେମାନଙ୍କ ଭିତରୁ ପ୍ରକୃତରେ କେତେ ଜଣ ମଣିଷ ହୋଇଛନ୍ତି ବା କି ଭଳି ସଫଳତା ହାସଲ କରିଛନ୍ତି ଓ ସେମାନଙ୍କ ସମ୍ପ୍ରଦାୟର ବିକାଶରେ କି ଭଳି ଯୋଗଦାନ କରୁଛନ୍ତି ତାହା ଜଣା ପଡନ୍ତା । ଦାରିଦ୍ର୍ୟ କଷାଘାତରେ ଜର୍ଜରିତ ଆଦିବାସୀଟିଏ ଶିକ୍ଷାର ଉଚ୍ଚତର ମାନ ପାଇଁ ନୁହେଁ ବରଂ ପିଲାମାନଙ୍କ ଭରଣପୋଷଣ ଦାୟିତ୍ୱରୁ ଅବ୍ୟାହତି ପାଇବା ପାଇଁ ପିଲାମାନଙ୍କୁ ନିଜ ପାଖରୁ ଦୂରେଇ ଦେଇ ଏହି ଭଳି ସ୍କୁଲକୁ ପଠାଇବାକୁ ପଛାଇ ନ ଥାଏ । ତା’ର ଏହି ଅସହାୟତା ବେଳେ ତା’ ଘର ପାଖ ସ୍କୁଲଟିକୁ ବନ୍ଦ କରିବା ନିଷ୍ପତ୍ତି ନେଇ ସରକାର ତାକୁ ସହାୟତା ପ୍ରଦାନ କରିବା ପରିବର୍ତ୍ତେ ଅଧିକ ଅସହାୟ କରି ଦେଉ ନାହାନ୍ତି କି ?
ବାଘ ନ ଦେଖିଲେ ବିରାଡି ଦେଖ ନ୍ୟାୟରେ ଆଦିବାସୀ ପିଲାଙ୍କୁ ତାଙ୍କ ନିଜ ପରିବେଶରେ ଦେଖିବାକୁ ସମୟ ଓ ସୁଯୋଗ ପାଉ ନ ଥିବା କିଛି ଦେଶୀ ଓ ବିଦେଶୀ ଗଣ୍ୟମାନ୍ୟ ବ୍ୟକ୍ତି ମଝିରେ ମଝିରେ ଏ ଭଳି ଅନୁଷ୍ଠାନକୁ ପରିଦର୍ଶନରେ ଆସିଥାଆନ୍ତି । ଅନୁଷ୍ଠାନ ତରଫରୁ ନିୟମିତ ଅନ୍ତରାଳରେ ଆୟୋଜିତ ହେଉଥିବା ଏ ଭଳି ପରିଦର୍ଶନ ସମୟରେ ପିଲାମାନଙ୍କୁ ଚିଡିଆଖାନାର ଜୀବ ସଦୃଶ ପ୍ରସ୍ତୁତ କରା ଯାଇଥାଏ । ପରିଦର୍ଶକଙ୍କୁ ଗେଣ୍ଡୁ ମାଳ ପିନ୍ଧାଇ, ସିନ୍ଦୂର ଲଗାଇ, ପୁଷ୍ପ ବୃଷ୍ଟି କରି ଏପରି ଭବ୍ୟ ସ୍ୱାଗତ କରା ଯାଇଥାଏ ଯେ ସେମାନେ କଳ୍ପନାତୀତ ଭାବେ ନିଜକୁ ହଜାର ହଜାର ପିଲାଙ୍କ ସମ୍ମୁଖରେ ମୁଖ୍ୟ ଆକର୍ଷଣ ଭାବେ ପାଇ ଗଦଗଦ ହୋଇ ଯାଇଥାଆନ୍ତି । ଏ ଭଳି ଆୟୋଜନ କର୍ତ୍ତୃପକ୍ଷଙ୍କୁ ଅନୁଷ୍ଠାନର ପରିଚାଳନାଗତ ଦକ୍ଷତା ଲାଗି ପ୍ରଶଂସା ସାଉଁଟିବା ସହ ଅନୁଷ୍ଠାନର ଛବି ଉଜ୍ଜ୍ୱଳ କରିବା ଲାଗି ସୁଯୋଗ ସୃଷ୍ଟି କରିଥାଏ । ସେଥିରେ କୌଣସି ଅସୁବିଧା ନାହିଁ । ତେବେ ଏ ଭଳି ପରିଦର୍ଶନ ସମୟରେ ପିଲାମାନଙ୍କ ସହ ମନଖୋଲା ଭାବେ ଆଲୋଚନା କରି ସେମାନଙ୍କ ମୌଳିକ ସମସ୍ୟା ବୁଝିବାର ଅବକାଶ ନ ଥାଏ । ପରବର୍ତ୍ତୀ ସମୟରେ ଏ ଭଳି ପରିଦର୍ଶକମାନଙ୍କ ମଧ୍ୟରୁ କିଛି ପରୋକ୍ଷରେ ସେହି ଅନୁଷ୍ଠାନର ବ୍ରାଣ୍ଡ ଆମ୍ୱାସାଡର ସାଜି କାରଖାନା ସ୍କୁଲ ବ୍ୟବସ୍ଥାର ପ୍ରଶଂସାରେ ଶତମୁଖ ହୋଇ ଥାଆନ୍ତି, ଯାହା ଏହି ବ୍ୟବସ୍ଥାର ପରିସମାପ୍ତି ପରିବର୍ତ୍ତେ ତାହାର ଉତ୍ତରୋତ୍ତର ବିକାଶ ସାଧନରେ ସହାୟକ ହୋଇଥାଏ ।
ଆଦିବାସୀ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ଏବେ ମୁଖ୍ୟତଃ ମୁଷ୍ଟିମେୟ କିଛି ରାଜନୈତିକ ଓ ଅନ୍ୟ ଉଦ୍ଦେଶ୍ୟସମ୍ପନ୍ନ ଲୋକଙ୍କ ନିୟନ୍ତ୍ରଣରେ ଅଛି, ଯେଉଁମାନେ ନିଜକୁ ଆଦିବାସୀ ସମାଜର ହିତୈଷୀ ଓ ତ୍ରାଣକର୍ତ୍ତା ବୋଲି ଉପସ୍ଥାପନ କରୁଥିଲେ ବି ଆଦିବାସୀ ସମାଜ ହିତର ପରିପନ୍ଥୀ କାର୍ଯ୍ୟ କରିଥାଆନ୍ତି ବୋଲି ଅଭିଯୋଗ ହୋଇଥାଏ । କାରଖାନା ସ୍କୁଲ ବ୍ୟବସ୍ଥାର ପରିସମାପ୍ତି ପାଇଁ କ୍ରମଶଃ ବିଶ୍ୱବ୍ୟାପୀ ଏକ ଆନ୍ଦୋଳନ ବି ମୁଣ୍ଡ ଟେକିବା ଆରମ୍ଭ କଲାଣି ଯେଉଁଥିରେ ‘ସରଭାଇଭାଲ ଇଣ୍ଟରନ୍ୟାସନାଲ’ ଭଳି ସଂଗଠନ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି । ଏ ଭଳି ସ୍ଥିତିରେ ସାରା ବିଶ୍ୱରେ କାରଖାନା ସ୍କୁଲ ମଡେଲର ଏକ ପ୍ରମୁଖ ପରୀକ୍ଷାଗାର ଭାବେ ଓଡିଶା ଉଭା ହେବା ଓ ଏ ନେଇ ଶିକ୍ଷିତ ସମାଜ ଗର୍ବ ଅନୁଭବ କରିବା ଉଦବେଗଜନକ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର କାରଖାନା ସ୍କୁଲ ପ୍ରତି ଥିବା ଅହେତୁକ ମୋହ ମଧ୍ୟ ଭଙ୍ଗ ହେବା ଉଚିତ । ସରକାର ଏ ପରି କିଛି କରିବା ଅନୁଚିତ ଯାହା ଏହି କାରଖାନା ସ୍କୁଲ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପ୍ରୋତ୍ସାହିତ କରିବ । ସରକାର ତୃଣମୂଳ ସ୍ତରରେ ଆଦିବାସୀ ଶିକ୍ଷା ବ୍ୟବସ୍ଥାରୁ ଓହରି ନ ଆସି ବରଂ ଅଧିକ ପୁଞ୍ଜି ବିନିଯୋଗପୂର୍ବକ ତାକୁ ବଳିଷ୍ଠ ଓ ଚଳଚଞ୍ଚଳ କରିବାର ଖୁବ ବେଶି ଆବଶ୍ୟକତା ଅନୁଭୂତ ହେଉଛି । ସରକାରଙ୍କ ସମେତ ଆଦିବାସୀ ସମାଜର ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ଖାଲି ମାଗଣା ଶିକ୍ଷା ମିଳୁଛି ବୋଲି ନୁହେଁ ବରଂ ସେମାନଙ୍କ ପିଲାମାନଙ୍କ ଶିକ୍ଷା ପାଇଁ କେଉଁଟି ଉପଯୁକ୍ତ ପଦ୍ଧତି ସେ ନେଇ ଗମ୍ଭୀରତାର ସହ ବିଶ୍ଳେଷଣ କରିବାର ଆବଶ୍ୟକତା ରହିଛି କାରଣର ସେଥି ସହ ସେମାନଙ୍କ ଦୀର୍ଘ ମିଆଦି ସ୍ୱାର୍ଥ ବି ଜଡିତ । ଏଇ ଲେଖକର ସ୍ପଷ୍ଟ ମତ ଆଦିବାସୀଙ୍କ ସ୍ୱାର୍ଥ ସୁରକ୍ଷିତ ରଖିବାକୁ ହେଲେ ଆଦିବାସୀ ପିଲାଙ୍କ ଶିକ୍ଷା ସେମାନଙ୍କ ନିଜ ନିୟନ୍ତ୍ରଣରେ ରହିବା ଆବଶ୍ୟକ । ମାଟି, ଭାଷା ଓ ସଂସ୍କୃତି ଆଧାରିତ ହେବା ଦରକାର ସେମାନଙ୍କ ଶିକ୍ଷା ଯେଉଁଥିରେ ସେମାନଙ୍କୁ ଉଚିତ ଶିକ୍ଷା ମିଳିବା ସହ ନିଜ ସମାଜ, ଭାଷା ଓ ସଂସ୍କୃତି ପ୍ରତି ହୀନମନ୍ୟତା ସୃଷ୍ଟି ନ କରି ସେମାନଙ୍କ ମନରେ ଗର୍ବ ଅନୁଭବ କରାଇ ପାରୁଥିବ । ଏମିତି ଶିକ୍ଷା ଯାହା ସେମାନଙ୍କୁ ସମାଜରୁ ବୃନ୍ତଚ୍ୟୁତ ନ କରି ସମାଜ ସହ ଓତଃପ୍ରୋତ ଭାବେ ଯୋଡି ରଖି ପାରୁଥିବ । ଆଦିବାସୀମାନେ ମୁଖ୍ୟସ୍ରୋତରେ ସାମିଲ ହେବା ଉଚିତ, କିନ୍ତୁ ସେମାନଙ୍କ ସାଂସ୍କୃତିକ ସ୍ୱାତନ୍ତ୍ର୍ୟ ଓ ଜନଜାତୀୟ ପରିଚିତିର ସନ୍ତକଗୁଡିକୁ କ୍ଷୁଣ୍ଣ କରି ନୁହେଁ ।
Published in Sambad on January 07, 2021, Samadrushti January 16 to 31, 2021 issue.
Comments
Post a Comment