Skip to main content

ସ୍ପେନିଶ ଫ୍ଲୁ ଓ ଗାନ୍ଧୀଜୀ

ଆଧୁନିକ ଇତିହାସର ସବୁଠାରୁ ବିନାଶକାରୀ ମହାମାରୀ ଭାବେ କୁଖ୍ୟାତ ସ୍ପେନିଶ ଫ୍ଲୁ ମେ ୧୯୧୮ରୁ ଆରମ୍ଭ ହୋଇ ପ୍ରାୟ ଦେଢ ବର୍ଷ ଯାଏଁ ବିଭିନ୍ନ ଦେଶରେ କାୟାବିସ୍ତାର କରି ତାଣ୍ଡବ ରଚିଥିଲା, ଯେଉଁଥିରେ ପ୍ରାୟ ୫ କୋଟି ଲୋକ ପ୍ରାଣ ହରାଇଥିଲେ । ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ସୈନ୍ୟମାନଙ୍କ ମାଧ୍ୟମରେ ବିଶ୍ୱବ୍ୟାପୀ ଏହାର ସଂକ୍ରମଣ ବ୍ୟାପି ଯାଇଥିଲା ବୋଲି କୁହାଯାଏ । ଏଥିରେ ଭାରତରେ ପ୍ରାୟ ୧.୮ କୋଟି ଲୋକଙ୍କ ପ୍ରାଣହାନି ହୋଇଥିଲା । ଯୁଦ୍ଧଭୂମିରୁ ଫେରିଥିବା କିଛି ସୈନ୍ୟଙ୍କୁ ଧରି ଗୋଟିଏ ଜାହାଜ ବମ୍ବେ ବନ୍ଦରରେ ମେ ୨୯, ୧୯୧୮ରେ ପହଞ୍ଚି ଦୁଇ ଦିନ ଧରି ଲଙ୍ଗର ପକାଇ ରହିଥିଲା । ସୈନ୍ୟମାନଙ୍କଠାରୁ ବନ୍ଦରରେ କାର୍ଯ୍ୟରତ ଜଣେ ସିପାହୀଙ୍କ ମାଧ୍ୟମରେ ଏକତ୍ର ରହୁଥିବା ସାତ ଜଣ ସିପାହୀ ସ୍ପେନିଶ ଫ୍ଲୁରେ ସଂକ୍ରମିତ ହୋଇଥିବା ପ୍ରଥମେ ଜୁନ ୧୦ ତାରିଖରେ ଜଣା ପଡିଲା । ଚାହୁଁ ଚାହୁଁ ଏହି ଭାଇରସର ସଂକ୍ରମଣ ବମ୍ବେକୁ କବଳିତ କରିବା ସହ ରେଳବାଇ ମାଧ୍ୟମରେ ଲୋକଙ୍କ ଗମନାଗମନ ଯୋଗୁ ସାରା ଦେଶକୁ ବ୍ୟାପିଗଲା । ଉପଯୁୁକ୍ତ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଅଭାବରୁ ଲୋକମାନେ ପୋକମାଛି ପରି ପ୍ରାଣ ହରାଇଲେ । ପ୍ରତି ହଜାରେ ଆକ୍ରାନ୍ତଙ୍କ ମଧ୍ୟରୁ ୨୦.୬ ଜଣ ମୃତ୍ୟୁ ବରଣ କରିଥିଲେ, ଯାହା ଅନ୍ୟ ଦେଶମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଥିଲା । ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଲେଖକ ସୂର୍ଯ୍ୟକାନ୍ତ ତ୍ରିପାଠୀ ‘ନିରାଲା’ ତାଙ୍କ ଜୀବନୀମୂଳକ ପୁସ୍ତକ ‘କୁଲ୍ଲୀଭାଟ’ରେ ଅଳ୍ପ ସମୟ ଭିତରେ ଆଖି ଆଗରେ ତାଙ୍କ ସ୍ତ୍ରୀଙ୍କ ସମେତ ପରିବାରର ଅନ୍ୟ କିଛି ସଦସ୍ୟ କିପରି ନିଶ୍ଚିହ୍ନ ହେଇଗଲେ, କାଠ ଅଭାବରୁ ଲୋକମାନେ ଶବଗୁଡିକୁ କିପରି ଗଙ୍ଗା ନଦୀରେ ଭସାଇ ଦେଉଥିଲେ, ଫଳସ୍ୱରୂପ ଗଙ୍ଗାନଦୀରେ କୁଢ କୁଢ ଶବ ଭାସୁଥିଲା, ସେ ସବୁର ହୃଦୟ ବିଦାରକ ଦୃଶ୍ୟ ବର୍ଣ୍ଣନା କରିଛନ୍ତି ।
     
ଲରା ସ୍ପିନିଙ୍କ ରଚିତ ‘ପେଲ ରାଇଡର : ଦି ସ୍ପେନିଶ ଫ୍ଲୁ ଅଫ ୧୯୧୮ ଆଣ୍ଡ ହାଓ ଇଟ ଚେଞ୍ଜଡ ଦି ଓାର୍ଲଡ’ ପୁସ୍ତକରେ ସେ ଏହି ମହାମାରୀର ବିଶ୍ୱବ୍ୟାପୀ ପ୍ରଭାବ ସମ୍ପର୍କରେ ଉଲ୍ଲେଖ କଲା ବେଳେ ଏହା ଯୋଗୁ ଭାରତ ଇତିହାସର ଗତିପଥ କିପରି ପରିବର୍ତ୍ତିତ ହୋଇଥିଲା, ତାହା ବି ବର୍ଣ୍ଣନା କରିଛନ୍ତି । ଏହି ମହାମାରୀ ବ୍ରିଟିଶ ରାଜ ଦ୍ୱାରା ଭାରତରେ ହୋଇଥିବା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ଅବହେଳାକୁ ପଦାରେ ପକାଇ ଦେଇଥିଲା । ଏଠାରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ବୋଲି କିଛି ନ ଥିଲା କହିଲେ ଚଳେ । ଉପଲବ୍ଧ ଡାକ୍ତର ଓ ନର୍ସଙ୍କ ମଧ୍ୟରୁ ଅଧିକାଂଶ ଯୁଦ୍ଧ କ୍ଷେତ୍ରରେ ନିୟୋଜିତ ଥିବାରୁ ରୋଗୀମାନେ ଚିକିତ୍ସା ନ ପାଇ ଅସହାୟ ଭାବେ ମୃତ୍ୟୁବରଣ କରୁଥିଲେ । ଚିକିତ୍ସାର ଜରୁରୀ ଆବଶ୍ୟକତା ଥିବା ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ଶୂନ୍ୟତାକୁ ପୂରଣ କରିବା ପାଇଁ ସାଧାରଣ ଲୋକେ ନିଜ ନିଜ ଭିତରେ ଥିବା ଜାତିଗତ ଓ ଶ୍ରେଣୀଗତ ବିଭେଦକୁ ଭୁଲି ପ୍ରଥମ ଥର ପାଇଁ ପରସ୍ପରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ଭାରତ ଇତିହାସରେ ପ୍ରଥମ ଥର ଲାଗି ଏଇ ମହାମାରୀ ଧନୀ-ନିର୍ଦ୍ଧନ, ଶିକ୍ଷିତ-ଅଶିକ୍ଷିତ, ଉଚ୍ଚ-ନୀଚ ଜାତିର ଲୋକଙ୍କ ମଧ୍ୟରେ ଥିବା ପ୍ରାଚୀରକୁ ଭାଙ୍ଗି ସମସ୍ତଙ୍କୁ ଗୋଟିଏ ସମତଳରେ ଆଣି ଥୋଇଦେଲା ଓ ପ୍ରକୃତ ଅର୍ଥରେ ସେମାନଙ୍କ ମଧ୍ୟରେ ଏକତା ବୃଦ୍ଧି ପାଇଲା ।

ଏହି ମହାମାରୀରେ ଗାନ୍ଧୀଜୀ ଆକ୍ରାନ୍ତ ହୋଇଥିଲେ କି ? ଏ ନେଇ ଦ୍ୱନ୍ଦ୍ୱ ରହିଛି । ଆଇସିଏମଆର ଦ୍ୱାରା ପ୍ରକାଶିତ ‘ଗାନ୍ଧୀଜୀ ଆଣ୍ଡ ହେଲଥ @୧୫୦’ ପୁସ୍ତକରେ ପ୍ରଦତ୍ତ ଗାନ୍ଧୀଜୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ଅନୁଯାୟୀ ସେ ନଦିଆଦଠାରେ ଅଗଷ୍ଟ ୧୧, ୧୯୧୮ରେ ଆମାଶୟ ରୋଗରେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିବା ବେଳେ ବମ୍ବେଠାରେ ଜାନୁଆରୀ ୨୦, ୧୯୧୯ ଦିନ ତାଙ୍କର ଡାକ୍ତର ଦଲାଲଙ୍କ ଦ୍ୱାରା ଅର୍ଶ ଅପରେସନ ହୋଇଥିଲା । ଏହିପରି ପ୍ରାୟ ୫ ମାସରୁ ଊର୍ଦ୍ଧ୍ୱ କାଳ ଶଯ୍ୟାଶାୟୀ ହୋଇ ସେ ଜୀବନ ପ୍ରତି ବୀତସ୍ପୃହ ହୋଇ ପଡିଥିବାର ସୂଚନା ମିଳେ । ତେବେ ସେତେବେଳେ ସେ ସ୍ପେନିଶ ଫ୍ଲୁରେ ଆକ୍ରାନ୍ତ ହୋଇଥିବାର କୌଣସି ସୂଚନା ତାଙ୍କ ସ୍ୱାସ୍ଥ୍ୟ ଫାଇଲରୁ ଜଣା ଯାଏନାହିଁ । ଏପରିକି ଗାନ୍ଧୀଜୀ ମଧ୍ୟ ତାଙ୍କ ଆତ୍ମଜୀବନୀରେ ବା ଅନ୍ୟତ୍ର ସେ ସ୍ପେନିଶ ଫ୍ଲୁରେ ଆକ୍ରାନ୍ତ ହୋଇଥିବା କଥା ଉଲ୍ଲେଖ କରି ନାହାନ୍ତି, ଯଦିଓ ତାଙ୍କ ଆମାଶୟ ରୋଗ ସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଛି । ତେବେ ଗାନ୍ଧୀଜୀଙ୍କ ଜଣେ ସହଯୋଗୀଙ୍କ ଅନୁସାରେ ସାବରମତୀ ଆଶ୍ରମରେ ବି ସ୍ପେନିଶ ଫ୍ଲୁ ତାଣ୍ଡବ ରଚିଥିଲା, ଯାହାର ଶିକାର ହୋଇଥିଲେ ଅନେକ ଅନ୍ତେବାସୀ । ସେତେବେଳେ ଗାନ୍ଧୀଜୀ ମଧ୍ୟ ସ୍ପେନିଶ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ ଓ ସେ କେବଳ ତରଳ ପଦାର୍ଥ ସେବନ କରୁଥିଲେ । ତାଙ୍କ ଗୁରୁତର ଅସୁସ୍ଥତାର ଖବର ଜଣା ପଡିବା ପରେ ଏକ ସ୍ଥାନୀୟ ଖବରକାଗଜ ଲେଖିଥିଲା, “ଗାନ୍ଧୀଜୀଙ୍କ ଜୀବନ କେବଳ ତାଙ୍କର ନୁହେଁ, ବରଂ ଏହା ସମଗ୍ର ଦେଶର” । ଲଣ୍ଡନସ୍ଥିତ ଫ୍ଲୋରେନ୍ସ ନାଇଟିଙ୍ଗେଲ ମ୍ୟୁଜିଅମ ତରଫରୁ ସ୍ପେନିଶ ଫ୍ଲୁର ଶହେ ବର୍ଷ ପୂର୍ତ୍ତି ଅବସରରେ ପ୍ରସ୍ତୁତ ଏହି ମହାମାରୀରେ ଆକ୍ରାନ୍ତ ବିଖ୍ୟାତ ଉତ୍ତରଜୀବୀ (ସରଭାଇଭର)ଙ୍କ ତାଲିକାରେ ରହିଛନ୍ତି ଓ୍ୱାଲ୍ଟ ଡିସନି, ଦାର୍ଶନିକ ଓ୍ୱାଲଟର ବେଞ୍ଜାମିନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଡେଭିଡ ଲୟେଡ ଜର୍ଜ, ଆମେରିକା ରାଷ୍ଟ୍ରପତି ଉଡ୍ରୋ ଉଇଲସନ, ସ୍ପେନର ରାଜା, ଜର୍ମାନୀର କାଇଜର ଉଇଲହେମ ଦ୍ୱିତୀୟ ଇତ୍ୟାଦି । ଆଉ ସେହି ତାଲିକାରେ ମଧ୍ୟ ରହିଛିି ମହାତ୍ମା ଗାନ୍ଧୀଙ୍କ ନାମ ।
   
ଗାନ୍ଧୀଜୀ ସ୍ପେନିଶ ଫ୍ଲୁରେ ଆକ୍ରାନ୍ତ ହୋଇ ଥାଆନ୍ତୁ କି ନ ଥାଆନ୍ତୁ ସେ ଏହି ମହାମାରୀରେ ନିଜ ପ୍ରିୟଜନଙ୍କୁ ହରାଇବା ସହ ଏହାର ଭୟାବହତା ସମ୍ପର୍କରେ ଯେ ବେଶ ଭଲ ଭାବରେ ଅବଗତ ଥିଲେ, ତାହା ନିମ୍ନ କେତୋଟି ଦୃଷ୍ଟାନ୍ତରୁ ବୁଝି ହୁଏ । ସେତେବେଳେ ଗାନ୍ଧୀଜୀ ଲେଖିଥିବା ଚିଠିଗୁଡିକ ଭିତରୁ ଯେଉଁ ତିନୋଟି ଚିଠିରେ ସ୍ପେନିଶ ଫ୍ଲୁର ଅବତାରଣା ଥିଲା ସେଥିରୁ ପ୍ରଥମଟି ଲେଖାଟି ଥିଲା ଅକ୍ଟୋବର ୧୧, ୧୯୧୮ରେ ଗଙ୍ଗାବେହନ ମଜମୁନ୍ଦରଙ୍କ ନିକଟକୁ । ଏହି ବିଧବା ଜଣକ ଗାନ୍ଧୀଜୀଙ୍କ ପାଇଁ ଏକ ପୁରୁଣା ଚରଖା ଯୋଗାଡ କରି ଦେଇଥିଲେ । ସେ ଓ ତାଙ୍କ ପରିବାରର ଆଉ କେତେ ଜଣ ଫ୍ଲୁର ଶିକାର ହୋଇ ଭଲ ହେଉଥିବାର ଖବର ପାଇ ଗାନ୍ଧୀ ଚିଠି ମାଧ୍ୟମରେ କି କି ପରବର୍ତ୍ତୀ ସତର୍କତା ଅବଲମ୍ବନ କରିବାକୁ ହେବ, ତାହା ବୁଝାଇ ଲେଖିଥିିଲେ । ସେତେବେଳେ ସାବରମତୀ ଆଶ୍ରମରେ ଦଶ ଜଣ ଅସୁସ୍ଥ ହୋଇ ପଡି ରହିଥିବା ଓ ସେମାନଙ୍କ ମଧ୍ୟରୁ ଶଙ୍କରଲାଲ (ବେଙ୍କର)ଙ୍କ ଅବସ୍ଥା ଉଦବେଗଜନକ ଥିବା କଥା ସେହି ଚିଠିରେ ଉଲ୍ଲେଖ ଥିଲା । ଦ୍ୱିତୀୟ ଚିଠିଟି ତାଙ୍କ ବଡ ପୁଅ ହରିଲାଲଙ୍କ ନିକଟକୁ ନଭେମ୍ବର ୨୩, ୧୯୧୮ରେ ଏକ ଭିନ୍ନ ପ୍ରସଙ୍ଗ ଉପରେ ଲେଖା ହୋଇଥିଲେ ବି ସେଥିରେ ଦୁଇ ଧାଡି ଏହି ଭଳି ଲେଖା ହୋଇଥିଲା - “ତୋ' ପରିବାର ଲୋକେ ଇନଫ୍ଲୁଏଞ୍ଜା (ସ୍ପେନିଶ ଫ୍ଲୁ)ରେ ପୀଡିତ ହୋଇଥିବା, ଏପରିକି ଜଣକର ମୃତ୍ୟୁ ହୋଇଥିବା ଖବର ପାଇ ମୁଁ କ୍ଷଣିକ ଲାଗି ଦୁଃଖିତ ହୋଇଥିଲି । କିନ୍ତୁ ଚାରିଆଡୁ ଏମିତି ଖବରମାନ ଏତେ ବେଶି ଆସୁଛି ଯେ ମନ ଏବେ ଆଉ ଜମା ବିଚଳିତ ହେଉ ନାହିଁ ।” ଗାନ୍ଧୀଜୀଙ୍କ ବୋହୂ ଗୁଲାବ (ହରିଲାଲଙ୍କ ସ୍ତ୍ରୀ) ଓ ନାତି ଶାନ୍ତି ଫ୍ଲୁର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କ ଘନିଷ୍ଠ ସହଯୋଗୀ ସି ଏଫ ଏଣ୍ଡ୍ରିଉଜ ସ୍ପେନିଶ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଖବର ପାଇ ତାଙ୍କ ନିକଟକୁ ଜାନୁଆରୀ ୧୦, ୧୯୧୯ରେ ଏକ ଚିଠିରେ ସେ ଲେଖିଥିଲେ, “କିନ୍ତୁ ମୁଁ ଭାବେ ଭଗବାନ ସେହିମାନଙ୍କୁ ରକ୍ଷା କରନ୍ତି, ଯେଉଁମାନଙ୍କୁ ସେ ତାଙ୍କ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚାହାନ୍ତି, ବିଶେଷ କରି ସେମାନେ ଯେତେବେଳେ କୌଣସି ପ୍ରତିବାଦ ନ କରି ତାଙ୍କୁ ବାଟ ଦେଖାଇବାକୁ ଛାଡି ଦେଇଥାଆନ୍ତି ।” ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଜୀଙ୍କ ଘନିଷ୍ଠ ସହଯୋଗୀ ହେନରି ପୋଲକ ତାଙ୍କ ସହଧର୍ମିଣୀ ମିଲି ପୋଲକଙ୍କ ସହ ଭାରତକୁ ଆସି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରୁଥିଲେ । ଏଠାରେ ହେନରିଙ୍କ ଦେହ ଖରାପ ହୋଇଯିବାରୁ ସେ ଇଂଲଣ୍ଡ ଫେରି ଯାଇଥିଲେ ମଧ୍ୟ ଗାନ୍ଧୀଜୀ ମିଲି ପୋଲକ ଓ ତାଙ୍କ ପରିବାରକୁ କୁନୁର ଶୈଳ ନିବାସରେ ରହିବା ପାଇଁ ପଠାଇ ଦେଇଥିଲେ । ସେଠାରେ ତାଙ୍କର ଦୁଇ ବର୍ଷ ରହଣି କାଳର ଶେଷ ପର୍ଯ୍ୟାୟରେ ସ୍ପେନିଶ ଫ୍ଲୁ ଯେଉଁ ତାଣ୍ଡବ ରଚିଥିଲା ଓ ତାଙ୍କ ପରିବାରକୁ ମୃତ୍ୟୁ ମୁଖରୁ ବଞ୍ଚାଇବା କେତେ କଷ୍ଟକର ହୋଇଥିଲା ତାହା ସେ ଗାନ୍ଧୀଜୀଙ୍କୁ ଜଣାଇଥିବା କଥା ‘ମି. ଗାନ୍ଧୀ: ଦି ମ୍ୟାନ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ତାଙ୍କ ଭାଷାରେ, “ଏ ଭଳି ଏକ ଦୁର୍ବିପାକ ଆଗରେ ମୁଁ ମୋ' ଚାରି କଡରେ ରହୁଥିବା ଲୋକଙ୍କଠାରେ ଯେଉଁ ଚରମ ଅସହାୟତା ଲକ୍ଷ୍ୟ କରିଥିଲି, ତାହା ମୋ' ମନରେ ଏକ ଗଭୀର, ଅପ୍ରୀତିକର କ୍ଷତ ସୃଷ୍ଟି କରିଥିଲା । ମୃତ୍ୟୁ ଜୀବନ ଅପେକ୍ଷା ଅଧିକ ବାସ୍ତବ ପରି ମନେ ହେଉଥିଲା, କାରଣ କୁନୁରରେ ଅଳ୍ପ କେତେକଙ୍କୁ ବାଦ ଦେଇ ମୃତ୍ୟୁ ଅଧିକ ଲୋକଙ୍କୁ ଆପଣାର କରି ସାରିଥିଲା ।”
       
ଏହା ସତ୍ତ୍ୱେ ମହାମାରୀର ମୁକାବିଲା କରିବା ଦିଗରେ ବ୍ରିଟିଶ ଅଧିକାରୀମାନେ ବିଶେଷ ତତ୍ପରତା ପ୍ରଦର୍ଶନ କରି ନ ଥିଲେ । ସେମାନଙ୍କ ଉଦାସୀନତା ନିଆଁରେ ଘିଅ ଢାଳିଲା ଭଳି ସମଗ୍ର ଦେଶରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ରୋଷର ବହ୍ନି ପ୍ରଜ୍ୱଳିତ କରି ଚାଲିଲା । ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ବ୍ରିଟିଶ ଅଧିକାରୀଙ୍କ ଅଯୋଗ୍ୟତାକୁ ପଦାରେ ପକାଇବା ସହ ଜାତୀୟତାବାଦୀମାନେ ଏହାର ଭର୍ତ୍ସନା କରି ଏଥିପାଇଁ ବ୍ରିଟିଶ ରାଜକୁ ଦାୟୀ କରିବାକୁ ପଛାଇଲେ ନାହିଁ । ଏପରିକି, ‘ଭାରତ ସରକାର ଏକ ଭୟାବହ ଓ ସର୍ବନାଶୀ ମହାମାରୀ ସମୟରେ ଯେଉଁ ଭଳି ନିଷ୍କ୍ରିୟ ରହିଲେ ଅନ୍ୟ କୌଣସି ସଭ୍ୟ ଦେଶର ସରକାର ସେ ଭଳି ନିଷ୍କ୍ରିୟ ରହି ପାରି ନ ଥାଆନ୍ତେ’, ‘ଆମେ କୁକୁରଙ୍କ ଭଳି ମଲା ବେଳେ (ବ୍ରିଟିଶ) ରାଜ କିଛି କରୁନାହିଁ’ ଭଳି ବ୍ରିଟିଶ ବିରୋଧୀ ତୀକ୍ଷ୍ଣ ମନ୍ତବ୍ୟମାନ ଖବରକାଗଜରେ ପ୍ରକାଶ ପାଇଲା, ଯାହା ସାଧାରଣ ଜନ ମାନସକୁ ଆନ୍ଦୋଳିତ କରିବାକୁ ଲାଗିଲା ।

ଦକ୍ଷିଣ ଆଫ୍ରିକାରୁ ଫେରିଲା ପରେ ଗାନ୍ଧୀଜୀ ଚାହୁଁଥିଲେ ଯେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଅଭିଜାତ ବର୍ଗ ମଧ୍ୟରେ ସୀମିତ ନ ରହି ଜନ ଆଧାରିତ ସଂଗ୍ରାମରେ ପରିଣତ ହେଉ । ସେଥିପାଇଁ ସେ ୧୯୧୭ରେ ଚମ୍ପାରଣ ସତ୍ୟାଗ୍ରହ ଓ ୧୯୧୮ ପ୍ରାରମ୍ଭରେ ଗୁଜରାଟର ଅହମଦାବାଦ ଓ ଖେଡାରେ ଦୁଇଟି ସତ୍ୟାଗ୍ରହର ସଫଳ ନେତୃତ୍ୱ ନେଇ ସାରିଥିଲେ ମଧ୍ୟ ସେଥିରେ ଅଂଶ ଗ୍ରହଣ କରିଥିବା ସାଧାରଣ ଜନତାଙ୍କ ସଂଖ୍ୟା ମାତ୍ର କେଇ ହଜାରରେ ସୀମିତ ଥିଲା । ତେଣୁ ସେତେବେଳେ ତାଙ୍କର ଗ୍ରହଣୀୟତା କେବଳ ଭାରତର ଅଭିଜାତବର୍ଗ ମଧ୍ୟରେ ହିଁ ସୀମିତ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍ପେନିଶ ଫ୍ଲୁରେ ଆକ୍ରାନ୍ତ ହୋଇ ଲୋକେ ପ୍ରିୟଜନଙ୍କୁ ଏତେ ସଂଖ୍ୟାରେ ହରାଇଥିବା ଯୋଗୁ ସେମାନଙ୍କ ମଧ୍ୟରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଯେଉଁ ଆକ୍ରୋଶ ଦାନା ବାନ୍ଧିଥିଲା, ତାହାର ପରିପ୍ରକାଶ ପାଇଁ ଏକ ବଳିଷ୍ଠ ନେତୃତ୍ୱର ଆବଶ୍ୟକତା ଥିଲା । ଗୋଖଲେଙ୍କ ୧୯୧୫ରେ ନିଧନ ଓ ତିଳକଙ୍କ ଭଗ୍ନ ସ୍ୱାସ୍ଥ୍ୟ କାରଣରୁୁ ସେ ସକ୍ରିୟ ନେତୃତ୍ୱ ପ୍ରଦାନ କରିବାକୁ ଅସମର୍ଥ ଥିବାରୁ ସର୍ବ ଭାରତୀୟ ସ୍ତରରେ ଶୀର୍ଷ ସ୍ଥାନରେ ଏକ ପ୍ରକାର ନେତୃତ୍ୱ-ଶୂନ୍ୟତା ଦେଖା ଦେଇଥିଲା । ସ୍ପେନିଶ ଫ୍ଲୁ ଜନିତ ବିନାଶର ବ୍ୟାପକତା ଏତେ ଅଧିକ ଥିଲା ଯେ ତାହା ସମାଜରେ ଅତ୍ୟଧିକ ଉଦବେଗ ଓ ଅସ୍ଥିରତା ସୃଷ୍ଟି କଲା । ସ୍ଥାନେ ସ୍ଥାନେ ତାହା ହିଂସାତ୍ମକ ହେବାକୁ ଲାଗିଲା । ପରବର୍ତ୍ତୀ ସମୟରେ ଅନେକ ବିପ୍ଳବୀ ସଂଗ୍ରାମୀଙ୍କୁ ଜନ୍ମ ଦେବାରେ ତାହା ସହାୟକ ହୋଇଥିଲା । ତେବେ ଲୋକମାନେ ଏପରି ଅତିଷ୍ଠ ଓ କ୍ରୋଧାନ୍ୱିତ ହୋଇ ପଡିଥିଲେ ଯେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଯେ କୌଣସି ସଂଗ୍ରାମରେ ବିନା ଦ୍ୱିଧାରେ ଝାସ ଦେବାକୁ ଅନେକେ କୁଣ୍ଠାବୋଧ କରି ନ ଥିଲେ । ଏକ ନିର୍ଣ୍ଣାୟକ ଲଢେଇ ଲଢିବା ପାଇଁ ସାଧାରଣ ଲୋକଙ୍କ ଅଂଶଗ୍ରହଣ ସହ ରଣଭୂମି ପ୍ରସ୍ତୁତ ହୋଇ ସାରିଥିଲା, ଖାଲି ଅପେକ୍ଷା ଥିଲା ଜଣେ ସୁଦକ୍ଷ ସେନାପତିଙ୍କର । ୧୯୧୮ ବେଳକୁ ଗାନ୍ଧୀଜୀଙ୍କୁ ଭବିଷ୍ୟତର ନେତା ଭାବେ ବିବେଚନା କରାଯିବା ଆରମ୍ଭ ହୋଇ ଯାଇଥିଲେ ମଧ୍ୟ ସେ ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ତାଙ୍କ ପ୍ରତି ସେ ଭଳି ଜନ ସମର୍ଥନ ପରିଲକ୍ଷିତ ହୋଇ ନ ଥିଲା । ମହାମାରୀ-ପରବର୍ତ୍ତୀ ଜନ-ଆକ୍ରୋଶ ଓ ନେତୃତ୍ୱ-ଶୂନ୍ୟତା ହିଁ ଗାନ୍ଧୀଜୀଙ୍କ ସମ୍ମୁଖରେ ନେତୃତ୍ୱ ନେବା ଲାଗି ଅଯାଚିତ ଭାବେ ଏକ ଅପୂର୍ବ ସୁଯୋଗ ସୃଷ୍ଟି କଲା ଓ ସେ ସେହି ଆହ୍ୱାନଟିକୁ ଗ୍ରହଣ କରିବା ଲାଗି ହେଳା କରି ନଥିଲେ । ଏହା ତାଙ୍କୁ ଜଣେ ସର୍ବ ଭାରତୀୟ ନେତା ରୂପେ ଗ୍ରହଣୀୟ ହେବାରେ ସହାୟକ ହେଲା ଓ ସାଧାରଣ ଜନତାଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବାର କାରଣ ପାଲଟିଲା, ଯାହା ସ୍ୱାଧୀନତା ସଂଗ୍ରାମରେ ସାଧାରଣ ଜନତାଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଦିଗରେ ତାଙ୍କ ପ୍ରତ୍ୟୟକୁ ସୁଦୃଢ କଲା । ନଭେମ୍ବର ୧୯୧୮ରେ ପ୍ରଥମ ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ଭାରତରେ ପ୍ରବର୍ତ୍ତିତ ରାଓଲାଟ ଆଇନକୁ ବିରୋଧ କରିବା ପାଇଁ ଗାନ୍ଧୀଜୀ ସତ୍ୟାଗ୍ରହର ଡାକରା ଦେଇଥିଲେ । ଅପ୍ରେଲ ୧୯୧୯ରେ ଜାଲିଆଁଓ୍ୱାଲାବାଗ ନରସଂହାର ପରେ ଲୋକେ ଅଧିକ ଉତକ୍ଷିପ୍ତ ହେଲେ । ଆଉ ଅଗଷ୍ଟ ୧୯୨୦ରେ ତିଳକଙ୍କ ତିରୋଧାନ ପରେ ଗାନ୍ଧୀଜୀ ଜାତୀୟ କଂଗ୍ରେସର ସର୍ବମାନ୍ୟ ନେତା ହେବା ସହ ଏକ ପ୍ରକାର ସ୍ୱାଧୀନତା ସଂଗ୍ରାମର ଦିଗଦର୍ଶକ ହୋଇ ସାରିଥିଲେ । ତାଙ୍କ ଉପରେ ନେତା ଓ ଜନସାଧାରଣଙ୍କ ଥିବା ଅଗାଧ ବିଶ୍ୱାସକୁ ସେ ଭଲ ଭାବେ ପରଖି ସାରିଥିଲେ ଓ ତାହା ତାଙ୍କ ଆତ୍ମ ବିଶ୍ୱାସକୁ ଏପରି ସୁଦୃଢ କରିଥିଲା ଯେ ସେ ୧୯୨୧ରେ ଅସହଯୋଗ ଆନ୍ଦୋଳନର ଡାକରା ଦେବାକୁ ସମର୍ଥ ହୋଇଥିଲେ ।

ଏହି ମହାମାରୀରେ ଭାରତ ବିଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ହୋଇ ଏହାର ଜନସଂଖ୍ୟାର ପ୍ରାୟ ୬ ପ୍ରତିଶତ ନିଶ୍ଚିହ୍ନ ହୋଇ ଯାଇଥିଲେ । ଏତେ ବଡ ମହାମାରୀର ଭୟାବହତା ଲୋକମାନଙ୍କ ଦ୍ୱାରା ଏତେ ଶୀଘ୍ର ବିସ୍ମୃତ ହେବାର କାରଣ ଦୀର୍ଘ ଦିନ ଯାଏଁ ମହାମାରୀ ଜନିତ କ୍ଷୟକ୍ଷତି ସମ୍ପର୍କରେ ଲୋକମାନେ ଅବଗତ ହୋଇ ନ ପାରିବା ବୋଲି କୁହା ଯାଇଥାଏ । ତେବେ ଦେଶ ସମ୍ମୁଖୀନ ହୋଇଥିବା ଏତେ ବଡ ଏକ ମହାମାରୀ ସମୟରେ ଗାନ୍ଧୀଜୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ସକ୍ରିୟ ଭୂମିକା ଗ୍ରହଣ କରି ନ ପାରିବାରେ ତାଙ୍କ ଶାରୀରିକ ଅସୁସ୍ଥତା ହୁଏତ ବାଧକ ସାଜି ଥାଇପାରେ, ହେଲେ ତାହା ପ୍ରତ୍ୟୟଯୋଗ୍ୟ ହେଉନାହିଁ, କାରଣ ସେତେବେଳେ ଅନ୍ୟ ପ୍ରସଙ୍ଗରେ ନିଜ ମତ ପ୍ରଦାନ କରିିବାରେ ସେ ନିଷ୍କ୍ରିୟ ନ ଥିଲେ ।

ଭାରତରେ ସ୍ପେନିଶ ଫ୍ଲୁ ଜନତାଙ୍କ ପାଇଁ ଦୁଃଖ ଦୁର୍ଦ୍ଦଶାର କାରଣ ପାଲଟି ଅର୍ଥନୀତିକୁ ବିପର୍ଯ୍ୟସ୍ତ କରି ଦେଇଥିଲେ ବି ଏହା ହିଁ ସ୍ୱାଧୀନତା ସଂଗ୍ରାମରେ ଲୋକଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ହେଉଥିବା ପ୍ରଥମ ଧକ୍କାଟିକୁ ଏପରି ପ୍ରଭାବୀ ଢଙ୍ଗରେ ଦେଇଥିଲା ଯେ ସାଧାରଣ ଲୋକଙ୍କ ଭିତରେ ଦେଶକୁ ସ୍ୱାଧୀନ କରିବାର ଯେଉଁ ଉନ୍ମାଦନା ସୃଷ୍ଟି ହୋଇଥିଲା ତାହା ଶେଷ ପର୍ଯ୍ୟନ୍ତ ଅତୁଟ ରହି ଭାରତର ସ୍ୱାଧୀନତା ହାସଲରେ ସହାୟକ ହୋଇଥିଲା । ପରୋକ୍ଷରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେବା ଲାଗି ଗାନ୍ଧୀଜୀଙ୍କୁ ମଝି ମଞ୍ଚରେ ଆଣି ପହଞ୍ଚାଇବାରେ ଏହି ମହାମାରୀ ହିଁ ଏକ ବଡ ଭୂମିକା ନିର୍ବାହ କରିଥିଲା । ଗାନ୍ଧୀଜୀଙ୍କ ଆତ୍ମଜୀବନୀରେ ସେ ସ୍ପେନିଶ ଫ୍ଲୁରେ ଆକ୍ରାନ୍ତ ହୋଇଥିବା କଥା ଉଲ୍ଲେଖ କରି ନ ଥିବାରୁ ତାକୁ ଗ୍ରହଣ କରି ନିଆଗଲେ ବି ତଥାପି ଗୋଟିଏ ଅସମାହିତ ପ୍ରଶ୍ନ ରହିଯାଉଛି । ଛୋଟ ଛୋଟ ଘଟଣା ଉପରେ ନିଜ ସ୍ପଷ୍ଟ ମତ ରଖୁଥିବା ଗାନ୍ଧୀଜୀ ଭାରତ ସମ୍ମୁଖୀନ ହୋଇଥିବା ଶତାବ୍ଦୀର ସବୁଠୁ ବଡ ମହାମାରୀଜନିତ ବିପର୍ଯ୍ୟୟ ଓ ଲୋକମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ ନ କରି ବା ତାକୁ ମୁକାବିଲା କରିବା ପାଇଁ ସେ ଭଳି କୌଣସି କାର୍ଯ୍ୟକ୍ରମ ଗ୍ରହଣ ନ କରି ତାକୁ ଉପେକ୍ଷା କରିବା ବା ନୀରବ ରହିବାର କାରଣ କ'ଣ ହୋଇପାରେ? ହୁଏତ ଭବିଷ୍ୟତରେ ଐତିହାସିକମାନେ ଅଧିକ ଗବେଷଣା ମାଧ୍ୟମରେ ଏହାର କାରଣ ଖୋଜି ପାଇବା ଯାଏଁ ଉତ୍ତର ପାଇଁ ଆମକୁ ଅପେକ୍ଷା କରିବାକୁ ହେବ ।

Published in Odia monthly magazine Paurusha in July 2020   

Comments