ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ ।
ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋକେ ସେମାନଙ୍କ ପ୍ରତି ଟୀକା ଟିପ୍ପଣୀ କରୁଥିବାରୁ ସେଠାରେ ମଝିରେ ମଝିରେ ଉଭୟ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥାଏ । ଗତ ଫେବୃଆରୀ, ୨୦୨୦ରେ ସେହି ଦଳିତ ପରିବାରଗୁଡିକ ମଧ୍ୟରୁ ମୁକୁନ୍ଦଙ୍କ ବାପାଙ୍କ ଦେହାନ୍ତ ହୋଇ ଯାଇଥିଲା । ତାଙ୍କର ଶେଷକୃତ୍ୟ ଓ ଶୁଦ୍ଧିକ୍ରିୟା ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସ ଆଧାରରେ ସମ୍ପାଦିତ ହୋଇଥିଲା । ଉଲ୍ଲେଖଯୋଗ୍ୟ, ତାହା ହିଁ ଥିଲା ମୁକୁନ୍ଦଙ୍କ ବାପାଙ୍କର ବି ଶେଷ ଇଚ୍ଛା । ଏହି କାର୍ଯ୍ୟରେ ସେହି ଗାଁର ମତୁଆ ସମ୍ପ୍ରଦାୟର ଆଉ ୧୮ଟି ଦଳିତ ପରିବାର ମଧ୍ୟ ସାମିଲ ହୋଇ ସହଯୋଗ କରିଥିଲେ । ଏହା ପରେ ଆରମ୍ଭ ହୋଇଗଲା ସେହି ପରିବାରଗୁଡିକ ଲାଗି ଦୁର୍ଦ୍ଦଶାର ଦିନ । ମୁକୁନ୍ଦ ହିନ୍ଦୁ ରୀତିନୀତିରେ ଶୁଦ୍ଧିକ୍ରିୟା କରି ନ ଥିବାରୁ ଓ ବ୍ରାହ୍ମଣ ଭୋଜନ କରାଇ ନ ଥିବାରୁ ତାହା ସେଠାକାର ଉଚ୍ଚ ଜାତିର ଲୋକେ ଗ୍ରହଣ କରି ପାରି ନ ଥିଲେ । ସେ ଆଉ ଥରେ ହିନ୍ଦୁ ଧର୍ମର ରୀତି ଅନୁସାରେ ଶୁଦ୍ଧିକ୍ରିୟା କରୁ ଓ ବ୍ରାହ୍ମଣ ଭୋଜନର ଆୟୋଜନ କରୁ ବୋଲି ତା’ ଉପରେ ଚାପ ପଡିବା ଆରମ୍ଭ ହେଲା । ସେ ସେଥିରେ ରାଜି ନ ହେବାରୁ ଉଚ୍ଚ ଜାତିର ଲୋକେ ଗାଁର ଅନ୍ୟମାନଙ୍କୁ, ଯେଉଁମାନଙ୍କ ମଧ୍ୟରେ ମତୁଆ ସମ୍ପ୍ରଦାୟଭୁକ୍ତ ନଥିବା ଦଳିତମାନେ ମଧ୍ୟ ସାମିଲ, ମତାଇ ମୁକୁନ୍ଦ ସମେତ ତାକୁ ସହଯୋଗ କରିଥିବା ୧୮ଟି ପରିବାର ଉପରେ ବିଭିନ୍ନ ପ୍ରକାର ଉତ୍ପୀଡନ କରିବାକୁ ଲାଗିଲେ । ଉଲ୍ଲେଖଯୋଗ୍ୟ, ଦଣ୍ଡକାରଣ୍ୟ ଅଞ୍ଚଳରେ ଥିବା ବଙ୍ଗଳାଦେଶୀ ବିସ୍ଥାପିତଙ୍କ ମଧ୍ୟରେ ଅନେକ ଦଳିତ ଥିଲେ ବି ସେଠାରେ ମତୁଆ ସମ୍ପ୍ରଦାୟର ଲୋକ ସଂଖ୍ୟା ଦୃଷ୍ଟିରୁ ଅଧିକ ନୁହନ୍ତି । ଏମିତିରେ ହିନ୍ଦୁ ବର୍ଣ୍ଣ ବ୍ୟବସ୍ଥା ଅନୁସାରେ ଦଳିତ ଶୂଦ୍ରମାନେ ମତୁଆ ସମ୍ପ୍ରଦାୟର ନାମଶୂଦ୍ରମାନଙ୍କ ଅପେକ୍ଷା ନିଜକୁ ଉଚ୍ଚ ସ୍ଥାନରେ ମନେ କରି ସେମାନଙ୍କୁ ହେୟ ଜ୍ଞାନ କରିଥାଆନ୍ତି । ପ୍ରଥମେ ‘ଏମାନଙ୍କୁ ଛୁଇଁଲେ ଧର୍ମ ହାନି ହେବ’ ବୋଲି ଏକ ବାର୍ତ୍ତା ପ୍ରଚାର କରାଇ ସାଧାରଣ ଗ୍ରାମବାସୀଙ୍କ ଭିତରେ ସେମାନଙ୍କ ପ୍ରତି ଏକ ଘୃଣା ଭାବ ସୃଷ୍ଟି କରିବାକୁ ଉଦ୍ୟମ କରାଗଲା । ପରବର୍ତ୍ତୀ ସମୟରେ ‘ଏ ଭଳି ପରମ୍ପରା ବନ୍ଦ କର, ନ ହେଲେ ତୁମକୁ ମାରିଦେବୁ’ ଭଳି ଧମକ ଚମକ ଦେଇ ସେମାନଙ୍କୁ ଭୟଭୀତ କରିବାର ଉଦ୍ୟମ ହେଲା । ସାମାଜିକ ଭାବେ ସେମାନଙ୍କୁ ବାସନ୍ଦ କରାଯାଇ ସେମାନଙ୍କୁ ଦୋକାନ ବଜାରରୁ ଜିନିଷପତ୍ର କିଣିବାରେ ପ୍ରତିବନ୍ଧକ ସୃଷ୍ଟି କରାଗଲା । ରାସ୍ତାଘାଟରେ ଯିବା ଆସିବା କଲା ବେଳେ ସେମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରାଗଲା । ସେମାନେ କୁକୁଡା ପାଳନ କରି ଓ ବିକି ନିଜ ଜୀବିକାର୍ଜ୍ଜନ କରିଥାଆନ୍ତି । ସେମାନଙ୍କ କୁକୁଡା ଭାଡିଗୁଡିକୁ ଭାଙ୍ଗି ଦେଇ ସେମାନେ ଯେପରି ସୁଚାରୁ ରୂପେ ଜୀବିକା ନିର୍ବାହ କରି ନ ପାରନ୍ତି, ତାହା ସୁନିଶ୍ଚିତ କରାଗଲା । ଉଭୟ ଜୀବନ ଓ ଜୀବିକା ବିପଦଗ୍ରସ୍ତ ହେଉଥିବା ଦେଖି ମତୁଆ ସମ୍ପ୍ରଦାୟର ଲୋକେ ଏଫଆଇଆର ଦାଏର କରିବା ସହ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଉତ୍ପୀଡନ କମିବା ବଦଳରେ ବଢି ବଢି ଚାଲିଲା । ଅବଶ୍ୟ ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ କିଛି ସ୍ଥାନୀୟ ନେତାଙ୍କ ସହାୟତାରେ ସେହି ଗାଁରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି ବୋଲି ସୂଚନା ମିଳେ, ଯାହା ପ୍ରଶଂସନୀୟ । ଏହା କେବଳ ଗୋଟିଏ ସଂଖ୍ୟା ଲଘୁ ଧର୍ମ ବିଶ୍ୱାସୀ ମତୁଆ ସମ୍ପ୍ରଦାୟର ୧୮ଟି ପରିବାରର ଦୁର୍ଦ୍ଦଶାର କାହାଣୀ ନୁହେଁ । ହିନ୍ଦୁ ଧର୍ମର ବ୍ରାହ୍ମଣବାଦୀ ମୁଖ୍ୟଧାରାର ଉଚ୍ଚ ଜାତିର କିଛି ଲୋକଙ୍କ ଦ୍ୱାରା ସଂଖ୍ୟା ଲଘୁ ଧର୍ମ ବିଶ୍ୱାସୀଙ୍କ ପ୍ରତି ବିଭିନ୍ନ ସ୍ଥାନରେ ହେଉଥିବା ଏଇ ଧରଣର ଉତ୍ପୀଡନର ଖବରମାନ ମଝିରେ ମଝିରେ ଶୁଣିବାକୁ ମିଳିଥାଏ । ଧାର୍ମିକ ସ୍ୱାଧୀନତାକୁ ଏକ ମୌଳିକ ଅଧିକାରର ମାନ୍ୟତା ପ୍ରଦାନ କରି ଭାରତୀୟ ସମ୍ୱିଧାନର ଧାରା ୨୫ରେ ପ୍ରତ୍ୟେକ ନାଗରିକକୁ ନିଜ ବିବେକାନୁସାରେ ଧର୍ମ ଓ ବିଶ୍ୱାସର ଅନୁସରଣ କରିବା ପାଇଁ ସମାନ ଅଧିକାର ପ୍ରଦାନ କରାଯାଇଛି । ତେବେ ସ୍ଥଳ ବିଶେଷରେ ହିନ୍ଦୁ ଧର୍ମର ମୁଖ୍ୟଧାରାର କିଛି ପ୍ରଭାବଶାଳୀ ଗୋଷ୍ଠୀ ଏହି ସମାନ ଅଧିକାର କଥାଟିକୁ ଗ୍ରହଣ ନ କରି ନିଜକୁ ଅନ୍ୟମାନଙ୍କ ତୁଳନାରେ ବଡ ବା ଅଧିକ ବୋଲି ମନେ କରନ୍ତି ଓ ଅନ୍ୟମାନଙ୍କ ଧାର୍ମିକ ବିଶ୍ୱାସକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିଥାଆନ୍ତି । ଏପରିକି ବେଳେବେଳେ ଅନ୍ୟମାନଙ୍କୁ ମତାଇ ନିଜ ସପକ୍ଷରେ ନେବାକୁ ବି ସମର୍ଥ ହୋଇଥାଆନ୍ତି । ଅର୍ଥାତ୍ ସଂଖ୍ୟାଲଘୁ ହୋଇ ପଡିଥିବା ସମ୍ପ୍ରଦାୟଟି ଆଗରେ ଉତ୍ପୀଡନର ଶିକାର ହେବା ଭିନ୍ନ ଆଉ ରାସ୍ତା ରହି ନ ଥାଏ । ତେଣୁ ପ୍ରଶାସନ ଉଚିତ ସମୟରେ ପଦକ୍ଷେପ ନେଇ ଦୋଷୀକୁ ଦଣ୍ଡିତ କରିବା ପାଇଁ ତତ୍ପରତା ଦେଖାଇଲେ ଭିନ୍ନ ଧର୍ମ ବିଶ୍ୱାସୀଙ୍କ ପ୍ରତି ଉତ୍ପୀଡନ ହ୍ରାସ ପାଇ ପାରନ୍ତା । ଗୋଟିଏ ଧାର୍ମିକ ଗୋଷ୍ଠୀ ଗୋଟିଏ ସ୍ଥାନରେ ସଂଖ୍ୟା ଲଘୁ ହୋଇ ଉତ୍ପୀଡନର ଶିକାର ହେଉଥିବା ବେଳେ ସେମାନେ ଅନ୍ୟତ୍ର ସଂଖ୍ୟା ଗରିଷ୍ଠ ହୋଇଗଲେ ତାଙ୍କ ପ୍ରତି ସମାଜର ମନୋଭାବ ଓ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହୋଇ ଉଚ୍ଚ ଜାତିର ଲୋକେ କିପରି ନୀରବି ଯାଆନ୍ତି ଓ ରାଜନୈତିକ ଶ୍ରେଣୀ କିପରି ତାଙ୍କ ନିକଟତର ହେବାର ଚେଷ୍ଟା କରନ୍ତି, ଏଇ ମତୁଆ ସମ୍ପ୍ରଦାୟ ତା’ର ଏକ ବଡ ଉଦାହରଣ ।
ମତୁଆ ମହାସଙ୍ଘ ଏକ ଧର୍ମ ସଂସ୍କାର ଆନ୍ଦୋଳନ, ଯାହା ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏବର ବଙ୍ଗଳାଦେଶରେ ହରିଚାନ୍ଦ ଠାକୁରଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଥିଲା । ହରିଚାନ୍ଦ ନିଜେ ଜଣେ ବୈଷ୍ଣବ ଧର୍ମାବଲମ୍ୱୀ ହୋଇଥିଲେ ବି ସେ ହିନ୍ଦୁ ଧର୍ମର ବ୍ରାହ୍ମଣବାଦର ଚତୁଃବର୍ଣ୍ଣ ବ୍ୟବସ୍ଥାକୁ ବିରୋଧ କରି ଚାରି ବର୍ଣ୍ଣ (ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର) ବାହାରେ ଥିବା ଅଛୁଆଁ ଜାତିଙ୍କୁ ନେଇ ମତୁଆ ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ । ପ୍ରଥମ ଅବସ୍ଥାରେ ଏଥିରେ ଉପେକ୍ଷିତ ଚାଣ୍ଡାଳ ବା ଚଣ୍ଡାଳ ଜାତିର ଲୋକମାନେ ସାମିଲ ହୋଇଥିଲେ । କ୍ରମଶଃ ବ୍ରାହ୍ଣଣବାଦ ବର୍ଣ୍ଣବ୍ୟବସ୍ଥାରେ ଉପେକ୍ଷିତ ଚମାର, ମାହିଷ୍ୟ, ତେଲି, ମାଳି ଭଳି ଅନ୍ୟ ଜାତିର ଲୋକମାନେ ମଧ୍ୟ ମତୁଆ ସମ୍ପ୍ରଦାୟ ସହ ଯୋଡି ହେଲେ । ଫଳସ୍ୱରୂପ ୧୮୭୨ ମସିହାରେ ଏକ ‘ନାମଶୂଦ୍ର ସାମାଜିକ ପ୍ରତିବାଦ ଆନ୍ଦୋଳନ’ ଜନ୍ମ ନେଲା ଯେଉଁଥିରେ ମତୁଆ ସମ୍ପ୍ରଦାୟ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ଏହି ଆନ୍ଦୋଳନରେ ‘ଚାଣ୍ଡାଳ’ ଶବ୍ଦକୁ ପରିହାର କରି ‘ନାମଶୂଦ୍ର’ ଶବ୍ଦର ପ୍ରଚଳନ ହେବା ଅନ୍ୟତମ ଦାବୀ ଥିଲା । ୧୮91 ମସିହା ଜନଗଣନାରେ ପ୍ରଥମ ଥର ପାଇଁ ଅଛୁଆଁ ବୋଲି କୁହା ଯାଉଥିବା 12ଟି ଉପଜାତିର ଲୋକଙ୍କୁ ‘ନାମଶୂଦ୍ର’ ଭାବେ ଅଭିହିତ କରିବା ଥିଲା ସେମାନଙ୍କ ପାଇଁ ଏକ ବଡ ଉପଲବ୍ଧି ଓ ତା’ ପରଠାରୁ ଏହି ଉପଜାତିଗୁଡିକର ଲୋକମାନେ ‘ନାମଶୂଦ୍ର’ ଭାବେ ପରିଚିତ ହେବାକୁ ଅଧିକ ପସନ୍ଦ କଲେ ।
ମତୁଆ ସମ୍ପ୍ରଦାୟର ଲୋକେ ହରିଚାନ୍ଦ ଠାକୁରଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ଗ୍ରହଣ କରି ତାଙ୍କ ମୂର୍ତ୍ତିକୁ ପୂଜା କରିଥାଆନ୍ତି । ଏହି ସମ୍ପ୍ରଦାୟର ପୂଜା ପଦ୍ଧତି ଓ ଜନ୍ମ, ମୃତ୍ୟୁ, ବିବାହ ଆଦି କ୍ରିୟାକର୍ମ ଅତି ସରଳ ଓ ପ୍ରଚଳିତ ବ୍ରାହ୍ମଣବାଦୀ ହିନ୍ଦୁ ପଦ୍ଧତିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ବ୍ରାହ୍ମଣମାନଙ୍କର କୌଣସି ଆବଶ୍ୟକତା ପଡି ନ ଥାଏ । ମତୁଆ ସମ୍ପ୍ରଦାୟର ଲୋକଙ୍କ ସାମାଜିକ ଉତ୍ଥାନକୁ ଦୃଷ୍ଟିରେ ରଖି ହରିଚାନ୍ଦ ସେମାନଙ୍କ ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେବା ସହ ଅନୁଗାମୀଙ୍କ ପାଇଁ ଏକ ବାର ସୂତ୍ରୀ ଦିଶା ନିର୍ଦ୍ଦେଶ ପ୍ରଦାନ କରିଥିଲେ, ଯାହା ସବୁ ଭକ୍ତଙ୍କୁ ଅନୁସରଣ କରିବାକୁ ହୋଇଥାଏ । ଫଳରେ ମତୁଆମାନଙ୍କ ମଧ୍ୟରେ ସାକ୍ଷରତା ହାର ଆଶାତୀତ ଭାବେ ବୃଦ୍ଧି ପାଇ ପ୍ରାୟ ୭୫ ପ୍ରତିଶତରେ ପହଞ୍ଚି ସାରିଛି । ହରିଚାନ୍ଦଙ୍କ ଦେହାବସାନ ପରେ ସମ୍ପ୍ରଦାୟର ନେତୃତ୍ୱ ତାଙ୍କ ପୁତ୍ର ଗୁରୁଚାନ୍ଦ ଠାକୁରଙ୍କ ନିକଟକୁ ଆସିଲା । ଦେଶ ବିଭାଜନ ପୂର୍ବରୁ ମତୁଆ ସମ୍ପ୍ରଦାୟର ସଂଗଠନ ଏବର ବଙ୍ଗଳାଦେଶର ଫରିଦପୁର ନିକଟସ୍ଥ ଓରକନ୍ଦିଠାରେ କାର୍ଯ୍ୟ କରୁଥିବା ବେଳେ ସ୍ୱାଧୀନତା ପରେ ମତୁଆ ସମ୍ପ୍ରଦାୟର ଅନେକ ଲୋକ ଭାରତକୁ ଚାଲି ଆସିବାରୁ ଗୁରୁଚାନ୍ଦଙ୍କ ନାତି ପ୍ରମଥ ରଞ୍ଜନ ଠାକୁର କଲିକତାଠାରୁ ୬୨ କିଲୋମିଟର ଦୂର ଠାକୁରନଗରଠାରେ ଆଉ ଏକ ସଂଗଠନ ସ୍ଥାପନ କରିଥିଲେ । ଏହା ହିଁ ଭାରତରେ ଥିବା ମତୁଆ ସମ୍ପ୍ରଦାୟର ଲୋକଙ୍କ ପାଇଁ ମୁଖ୍ୟ ତୀର୍ଥସ୍ଥଳୀ ।
ଦୀର୍ଘ ଦିନ ଧରି ବ୍ରାହ୍ମଣବାଦୀ ବ୍ୟବସ୍ଥାରେ ଉପେକ୍ଷିତ ଓ ନିଷ୍ପେଷିତ ହୋଇ ଆସିଥିବା କିଛି ନଗଣ୍ୟ ଉପଜାତିଙ୍କୁ ନେଇ ଗଢି ଉଠିଥିବା ଏହି ସମ୍ପ୍ରଦାୟଟି ବ୍ରାହ୍ମଣବାଦର ଆଧିପତ୍ୟକୁ ଅଗ୍ରାହ୍ୟ କରି ସୃଷ୍ଟି ହୋଇଥିଲେ ବି ଗତ ପ୍ରାୟ ଦେଢ ଶହ ବର୍ଷରୁ ଅଧିକ ସମୟ ମଧ୍ୟରେ ସେମାନଙ୍କର ଯଥେଷ୍ଟ ସାମାଜିକ ଉତ୍ଥାନ ହୋଇ ପାରିଛି । ସେମାନଙ୍କ ସଂଖ୍ୟାର ସାମୂହିକ ଶକ୍ତି ପାଇଁ ଅନ୍ତତଃ ପଶ୍ଚିମବଙ୍ଗରେ ସେମାନେ ସାମାଜିକ ଓ ରାଜନୈତିକ ଦୃଷ୍ଟିରୁ ଏକ ଶକ୍ତିଶାଳୀ ଗୋଷ୍ଠୀ ଭାବେ ଉଭା ହୋଇ ସାରିଛନ୍ତି । କୁହାଯାଏ, ବଙ୍ଗଳାଦେଶ, ପଶ୍ଚିମବଙ୍ଗ, ଓଡିଶାର ଦଣ୍ଡକାରଣ୍ୟ, ମହାକାଳପଡା ଆଦି ସ୍ଥାନ ଓ ଭାରତର ଅନ୍ୟାନ୍ୟ ସ୍ଥାନମାନଙ୍କରେ ପ୍ରାୟ ୫ କୋଟି ମତୁଆ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ସେଥିରୁ କେବଳ ତିନି କୋଟି ପଶ୍ଚିମବଙ୍ଗରେ ଅଛନ୍ତି, ଯେଉଁମାନଙ୍କ ଭିତରେ ୧.୭୫ କୋଟି ଭୋଟର । ପ୍ରାୟ ଛଅଟି ସଂସଦୀୟ କ୍ଷେତ୍ରରେ ସଂଖ୍ୟା ଦୃଷ୍ଟିରୁ ମତୁଆ ଭୋଟର ନିର୍ବାଚନର ଫଳାଫଳକୁ ସିଧାସଳଖ ପ୍ରଭାବିତ କରି ପାରିବାର କ୍ଷମତା ରଖନ୍ତି, ଯେଉଁଥିପାଇଁ ସେଠାରେ ସେମାନଙ୍କ ଗୁରୁତ୍ୱ ଯଥେଷ୍ଟ ଅଧିକ। ତେଣୁ ସେଠାରେ ଉଚ୍ଚ ଜାତିଙ୍କ ଦ୍ୱାରା ଉତ୍ପୀଡନର ଶିକାର ହେବା ତ ଦୂରର କଥା, ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହେଉଥିବା ମତୁଆ ମହାସଂଘର ବାର୍ଷିକ ସମ୍ମିଳନୀର ମଞ୍ଚରେ ସାମିଲ ହୋଇ ମତୁଆଙ୍କୁ ନିଜ ସପକ୍ଷରେ ନେବା ପାଇଁ ରାଜନୈତିକ ଦଳଗୁଡିକ ମଧ୍ୟରେ ଏକ ପ୍ରକାର ଅଘୋଷିତ ପ୍ରତିଯୋଗିତା ଲାଗି ରହିଥାଏ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତୁଆ ମହାସଙ୍ଘର ବାର୍ଷିକ ଅଧିବେଶନର ମଞ୍ଚରେ ଉପସ୍ଥିତ ଥିଲେ । ୨୦୧୪ ଲୋକସଭା ନିର୍ବାଚନରେ ପ୍ରମଥ ରଞ୍ଜନଙ୍କ ପୁଅ କପିଳ କ୍ରିଷ୍ଣ ଠାକୁର ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ଓ ତାଙ୍କ ନିଧନ ପରେ ତାଙ୍କର ବିଧବା ପତ୍ନୀ ମମତା ଠାକୁର ମଧ୍ୟ ଜିତିଥିଲେ । ମତୁଆ ସମ୍ପ୍ରଦାୟର ଶିକ୍ଷା ଭିତରେ ଗୋଟିଏ ଶିକ୍ଷା ହେଉଛି ‘ମୁଖେ ନାମ ହାତେ କାମ’ ଯାହାର ବାମପନ୍ଥୀଙ୍କ ମତାଦର୍ଶ ସହ କିଛିଟା ସାଦୃଶ୍ୟ ଥିବାରୁ ମତୁଆମାନେ ଅତୀତରେ ବାମପନ୍ଥୀଙ୍କର ବି ନିକଟତର ଥିଲେ । ଅର୍ଥାତ୍, ପଶ୍ଚିମବଙ୍ଗ ରାଜନୀତିରେ ମତୁଆ ସମ୍ପ୍ରଦାୟର ଭୂମିକାକୁ ସବୁ ରାଜନୈତିକ ଦଳ ଗୁରୁତ୍ୱ ପ୍ରଦାନ କରି ଥାଆନ୍ତି । ଏଥିରୁ ସ୍ପଷ୍ଟ ଯେ ସମାଜର ତଥାକଥିତ ନଗଣ୍ୟ ବର୍ଗର ଲୋକେ ସଂଘବଦ୍ଧ ହୋଇ ପାରିଲେ ସେମାନଙ୍କ ସଂଖ୍ୟାବଳ ଯୋଗୁ ସେମାନେ ଯେ କୌଣସି ଉତ୍ପୀଡକ ସାମାଜିକ ଓ ଧର୍ମୀୟ ବ୍ୟବସ୍ଥା ପ୍ରତି ଆହ୍ୱାନ ସୃଷ୍ଟି କରି ପାରିଥାଆନ୍ତି ।
ଭାରତ ଏକ ଧର୍ମ ନିରପେକ୍ଷ ଦେଶ ହୋଇଥିବାରୁ ସବୁ ଧର୍ମାବଲମ୍ୱୀଙ୍କୁ ନିଜ ଧର୍ମ ଅନୁସରଣ କରିବାକୁ ଯେତିକି ସ୍ୱାଧୀନତା ଦିଆଯାଇଛି, ହିନ୍ଦୁ ଧର୍ମର ବିଭିନ୍ନ ମତାବଲମ୍ୱୀ ଓ ସମ୍ପ୍ରଦାୟଙ୍କର ନିଜ ବିଶ୍ୱାସ ଓ ମତକୁ ଅନୁସରଣ କରିବାର ମଧ୍ୟ ସେତିକି ଅଧିକାର ରହିଛି । କେହି ନିଜ ଅଧିକାର କ୍ଷେତ୍ରକୁ ଅତିକ୍ରମ କରି ଅନ୍ୟର ବିଶ୍ୱାସକୁ ନିନ୍ଦିତ କରିବା ବା ତା’ ଉପରେ ନିଜ ମତକୁ ଥୋପିବା ପାଇଁ ଜୋର ଜବରଦସ୍ତି ଉଦ୍ୟମ କରିବା କେବଳ ଯେ ଅବାଞ୍ଛନୀୟ ତା’ ନୁହେଁ, ବରଂ ତାହା ଏକ ଅପରାଧ । ମାଲକାନଗିରିର ସଂଖ୍ୟାଲଘୁ ମତୁଆ ସମ୍ପ୍ରଦାୟର ଲୋକେ ଯେପରି ନିର୍ଭୟ ଓ ନିର୍ବିଘ୍ନରେ ନିଜ ଧର୍ମ ବିଶ୍ୱାସକୁ ଅନୁସରଣ କରି ପାରନ୍ତି ତାହା ସୁନିଶ୍ଚିତ କରିବାର ଏକ ଗୁରୁ ସାମ୍ୱିଧାନିକ ଦାୟିତ୍ୱ ପ୍ରଶାସନ ଉପରେ ନ୍ୟସ୍ତ । ବିଭିନ୍ନ ସ୍ଥାନରେ ଘଟୁଥିବା ଏ ଭଳି ଘଟଣାରେ ଅପରାଧୀଙ୍କୁ ପ୍ରଶ୍ରୟ ନ ଦେଇ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏ ଭଳି ମାନସିକତା ପ୍ରତିହତ ହୋଇ ଧାର୍ମିକ ଉତ୍ପୀଡନର ଆଶଙ୍କା ହ୍ରାସ ପାଇଥାଏ, ଯାହା ଏକ ସହନଶୀଳ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ।
Published in Odisha Reporter on July 22, 2020
Very much informative. I like the way the writer has expressed his views keeping in background the prevailing caste system.
ReplyDeleteThanks for appreciating the article.
DeleteTruly gives a new information. But the important lies at harrasment by high handed people to inocent people. In
ReplyDeletePresent time in indian constitution instead of "secular," "no religion" should be used for peaceful life. I am dead sure, so long as any religion is prevaling in any territory, peaceful life is impossible there.
Thanks.
DeleteWell-researched article. The point is brought home very lucidly. I didn't know about this unfortunate incident even if I have been going to Malkangiri occasionally on an educational program. This is enlightening .
ReplyDeleteThsnk you sir.
Delete