ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲୟେଡଙ୍କର ଜଣେ ଶ୍ଵେତକାୟ ପୁଲିସଙ୍କ ଦ୍ୱାରା ନିର୍ମମ ହତ୍ୟା ହେଲା ପରେ ବିଶ୍ୱବ୍ୟାପୀ ଲୋକଙ୍କଠାରେ ଦେଖା ଦେଇଥିବା ଆକ୍ରୋଶ ଥଣ଼୍ଡା ନ ହେଉଣୁ ତାମିଲନାଡୁର ଥୁତୁକୁଡିଠାରେ ପୁଲିସ ହାଜତରେ ଦୁଇ ଜଣ- ବାପ (ଜୟରାଜ) ଓ ପୁଅ (ବେନିକ୍ସ)ଙ୍କର, ଅସ୍ଵାଭାବିକ ମୃତ୍ୟୁ ଦେଶବାସୀଙ୍କୁ ସ୍ତବ୍ଧ କରିଛି l ଲକଡାଉନ ସମୟରେ ପେଟପାଟଣା ପାଇଁ ନିଜ ଦୋକାନ ଖୋଲା ରଖିବା ଥିଲା ସେମାନଙ୍କ ଏକମାତ୍ର ଅପରାଧ l ଆଉ ସେହି ଅପରାଧ ପାଇଁ ସେମାନଙ୍କୁ ଯେ ଏତେ ବଡ ମୂଲ୍ୟ ଦେବାକୁ ପଡିପାରେ ଏହା ଆଇନର ଶାସନ ଚାଲୁଥିବା କୌଣସି ସଭ୍ୟ ଦେଶରେ କଳ୍ପନା କରାଯାଇ ନ ପାରେ l ଉଭୟଙ୍କ ଉପରେ ପୁଲିସ ହାଜତରେ ଯେଉଁପରି ବର୍ବରୋଚିତ ଅତ୍ୟାଚାର ହୋଇ ନୃଶଂସ ଭାବେ ସେମାନଙ୍କର ହତ୍ୟା କରାଗଲା, ତାହା ଜନସାଧାରଣଙ୍କୁ କ୍ଷୁବ୍ଧ କରିବା ସହ ଭାରତରେ ବଢି ବଢି ଚାଲିଥିବା ହାଜତ ମୃତ୍ୟୁ ସମସ୍ୟା ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ବାଧ୍ୟ କରିଛି l
ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ (ଏନସିଆରବି) ଦ୍ଵାରା ୨୦୧୯ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୧୮ ମସିହାରେ ସାରା ଭାରତରେ ପୁଲିସ ହାଜତରେ ହୋଇଥିବା ୭୦ ଜଣଙ୍କର ମୃତ୍ୟୁ ମଧ୍ୟରୁ ୧୭ ଜଣଙ୍କର ଆତ୍ମହତ୍ୟାଜନିତ ହୋଇଥିଲା ବେଳେ ୩୭ ଜଣଙ୍କର ଅସୁସ୍ଥତା କାରଣରୁ ବା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ହୋଇଛି l ମାତ୍ର ୩ ଜଣଙ୍କର ପୁଲିସ ଜେରା ସମୟରେ ଦିଆ ଯାଇଥିବା ଆଘାତ ଯୋଗୁ ମୃତ୍ୟୁ ହୋଇଛି ବୋଲି ଦର୍ଶାଯାଇଛି, ଯାହା ବିଶ୍ଵାସଯୋଗ୍ୟ ହୋଇ ନ ପାରେ l ଶ୍ଳେଷର ବିଷୟ, ଏଥିମଧ୍ୟରୁ ୪୪ଟି ମାମଲାରେ କେଶ ଦାୟର ହୋଇ ୨୩ ଜଣ ପୁଲିସକର୍ମୀ ଗିରଫ ହୋଇଥିଲେ ବି ମାତ୍ର ୧୩ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ ହୋଇ ଜଣେ ବି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି l
କ୍ଷମତାର ଅପବ୍ୟବହାର କରି ପୁଲିସ ଦ୍ୱାରା ହାଜତରେ ହେଉଥିବା ହିଂସା ମାନବାଧିକାରର ସୁରକ୍ଷା ଲାଗି ଏକ ବଡ ଆହ୍ଵାନ ସୃଷ୍ଟି କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତିଷ୍ଠାର ପରିପନ୍ଥୀ ହୋଇଥାଏ l ଆସାମୀଙ୍କ ଉପରେ ହାଜତରେ ହେଉଥିବା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ‘ହାଜତ ହିଂସା’ ପର୍ଯ୍ୟାୟବାଚୀ l ଭାରତରେ ନିୟମିତ ଭାବେ ହାଜତ ହିଂସା ଓ ହାଜତ ମୃତ୍ୟୁ ସଂଘଟିତ ହେଉଥିବାରୁ ଅଦାଲତ ଓ ଜାତୀୟ ମାନବାଧିକାର କମିଶନ ଏହାର ନିବାରଣ ପାଇଁ ପ୍ରକ୍ରିୟା ସୁନିଶ୍ଚିତ କରିଥିଲେ ବି ଅଧିକ ସଂଖ୍ୟକ ସନ୍ଦିଗ୍ଧ ପୁଲିସ କର୍ମୀ ଦଣ୍ଡିତ ହେଉ ନଥିବାରୁ ତାହା ଠିକ ରୂପେ କାର୍ଯ୍ୟକାରୀ ହେଉଥିବା ପରି ମନେ ହେଉନାହିଁ l ଅନ୍ତର୍ଜାତୀୟ ସଂସ୍ଥା ‘ହ୍ୟୁମାନ ରାଇଟସ ଓ୍ୱାଚ’ ଦ୍ୱାରା ଭାରତରେ ହାଜତ ହିଂସା ଉପରେ ହୋଇଥିବା ଏକ ଅଧ୍ୟୟନର ରିପୋର୍ଟ ‘ବାଉଣ୍ଡ ବାଇ ବ୍ରଦରହୁଡ: ଇଣ୍ଡିଆଜ ଫେଲିୟୋର ଟୁ ଏଣ୍ଡ କିଲିଂସ ଇନ ପୋଲିସ କଷ୍ଟୋଡି’ ୨୦୧୬ରେ ପ୍ରକାଶିତ ହୋଇଛି l ଏଥିରେ ଦର୍ଶାଯାଇଛି ଯେ ଭାରତରେ ୨୦୧୦ରୁ ୨୦୧୫ ମଧ୍ୟରେ ହୋଇଥିବା ୫୯୧ଟି ହାଜତ ମୃତ୍ୟୁ ମାମଲାରେ ଜଣେ ହେଲେ ପୁଲିସ କର୍ମୀ ଦଣ୍ଡିତ ହୋଇନାହାନ୍ତି l ଏହି ରିପୋର୍ଟରେ ପୁଲିସ କର୍ମୀମାନେ ଦଣ୍ଡିତ ନ ହେବାର କାରଣଗୁଡିକ ଉଲ୍ଲେଖ ହେବା ସହ ହାଜତ ହିଂସାର ପରିସମାପ୍ତି ପାଇଁ କିଛି ପରାମର୍ଶ ଦିଆଯାଇଛି l
ଦେଖା ଯାଇଥାଏ ଯେ ଅନୁସନ୍ଧାନ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଅଲଗା ଅଲଗା ପୁଲିସ ନ ଥିବାରୁ ଉଭୟ ଦାୟିତ୍ୱ ସମ୍ପାଦନ କରୁଥିବା ଅନେକ ପୁଲିସ ଅପରାଧ ଅନୁସନ୍ଧାନରେ ନିପୁଣ ହୋଇ ନ ଥାଆନ୍ତି l ଏପରିକି ଅନେକେ ଫରେନସିକର ପ୍ରୟୋଗ ସମ୍ପର୍କରେ ଅନଭିଜ୍ଞ ଓ ଅଦକ୍ଷ l ଏହାଛଡା ଏକ ଚାପଗ୍ରସ୍ତ, ଉଚିତ ପ୍ରଶିକ୍ଷଣ ପାଇ ନଥିବା ତଥା ଆଧୁନିକ ପ୍ରମାଣ-ଆଧାରିତ ଅନୁସନ୍ଧାନର କୌଶଳ ଆହରଣ କରି ନ ଥିବା ପୁଲିସ ପକ୍ଷରେ ଆସାମୀମାନଙ୍କୁ ନିର୍ଯାତନା ଦେଇ ବା ଜୋର ଜବରଦସ୍ତି କଥା ଆଦାୟ କରିବାର ସଂକ୍ଷିପ୍ତ ବାଟଟିକୁ ବାଛିବା ଅଧିକ ସହଜ ହୋଇଥାଏ, ଯାହା ‘ଥାର୍ଡ ଡିଗ୍ରୀ’ ଭାବେ ବିଦିତ l ତା’ଛଡା ଆସାମୀ ବିଚାରାଳୟରେ ଦଣ୍ଡିତ ହେବା ପୂର୍ବରୁ ତାକୁ ଅପରାଧୀ ବୋଲି ଧରି ନେଇ ନିଜେ ବିଚାରକର ଭୂମିକାରେ ଅବତୀର୍ଣ୍ଣ ହୋଇ ତୁରନ୍ତ ଦଣ୍ଡ ବିଧାନ କରିବାର ମାନସିକତାରେ ଗ୍ରସ୍ତ କିଛି ପୁଲିସ କର୍ମୀ ମଧ୍ୟ ଏ ଭଳି ଉଚ୍ଛୃଙ୍ଖଳିତ ଆଚରଣ କରିଥାଆନ୍ତି l ପୁଲିସ ସଂସ୍କାର ପାଇଁ ଗଠିତ ପଦ୍ମନାଭେୟା କମିଟିର ମତାନୁସାରେ କିଛି ରାଜନେତା, ଅଫିସର, ସମାଜର ଉଚ୍ଚ ଓ ମଧ୍ୟମ ବର୍ଗର ଲୋକ ବି ମନେ କରନ୍ତି ଯେ ଅପରାଧୀ ଓ ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଶକ୍ତ ଆଚରଣ ପ୍ରଦର୍ଶନ କଲେ ହିଁ ପୁଲିସ ପ୍ରଭାବଶାଳୀ ହୋଇଥାଏ l ଶାସକ ଦଳ ପୁଲିସକୁ ହାତବାରିସି ପରି ବ୍ୟବହାର କରିବାର ମନୋବୃତ୍ତିରୁ ଊର୍ଦ୍ଧ୍ୱକୁ ଉଠି ପାରୁ ନ ଥିବାରୁ ତାହା ବି ପରୋକ୍ଷରେ କେତେକ ପୁଲିସ କର୍ମୀଙ୍କ ଉଚ୍ଛୃଙ୍ଖଳିତ ଆଚରଣକୁ ପ୍ରଶ୍ରୟ ଦେଇ ହାଜତ ହିଂସାକୁ ପ୍ରତିହତ କରିବାରେ ବାଧକ ସାଜିଥାଏ l
ଭାରତୀୟ ଆଇନରେ ଉତ୍ପୀଡନ ବିରୁଦ୍ଧରେ ସମ୍ୱିଧାନର ଧାରା ୧୪ ଓ ୨୧, ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୩୦ ଓ ୩୩୧ ଆଦିରେ ଯଥେଷ୍ଟ ବିଧି ବ୍ୟବସ୍ଥା ରହିଛି l ଏହାଛଡା ଭାରତ ଏ ସଂକ୍ରାନ୍ତ ‘ଅନ୍ତର୍ଜାତୀୟ ନାଗରିକ ଓ ରାଜନୈତିକ ଅଧିକାର ଚୁକ୍ତି’କୁ ଅନୁମୋଦନ କରିବା ସହ ‘ଉତ୍ପୀଡନ ବିରୁଦ୍ଧରେ ସମ୍ମିଳନୀ’ ଚୁକ୍ତିରେ ସ୍ୱାକ୍ଷର କରିସାରିଛି l ଏହା ସତ୍ତ୍ୱେ ହାଜତ ହିଂସା ହ୍ରାସ ପାଉ ନ ଥିବାରୁ ୧୯୯୭ ମସିହାରେ ‘ଡି କେ ବସୁ ବନାମ ପଶ୍ଚିମବଙ୍ଗ ରାଜ୍ୟ’ ମାମଲାରେ ସୁପ୍ରିମକୋର୍ଟ ଯେଉଁ ମାର୍ଗ ନିର୍ଦ୍ଦେଶିକା ଦେଇଥିଲେ, ତାହା ପରବର୍ତ୍ତୀ ସମୟରେ ସିଆରପିସିରେ ସ୍ଥାନ ପାଇଛି l ତଥାପି ପୁଲିସ ଦ୍ୱାରା ବେଆଇନ ଗିରଫଦାରି ଓ ଅଟକ ଭଶି ଘଟଣାରୁ ଆରମ୍ଭ କରି, ପରିବାରବର୍ଗଙ୍କୁ ସୂଚୀତ ନ କରିବା, ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥାପିତ ନ କରିବା ଭଳି ବ୍ୟତିକ୍ରମମାନ ପରିଲକ୍ଷିତ ହେଉଛି l ବେଳେବେଳେ ଆସାମୀର ଡାକ୍ତରୀ ଯାଞ୍ଚ ମଧ୍ୟ କରାଯାଇ ନଥାଏ l ସ୍ଥଳ ବିଶେଷରେ ମାଜିଷ୍ଟ୍ରେଟମାନେ ମଧ୍ୟ ନିଜ ଦାୟିତ୍ୱ ଠିକ ରୂପେ ନିର୍ବାହ କରୁ ନ ଥିବାର ଅଭିଯୋଗ ହୁଏ l ଯେପରି, କେତେକ କ୍ଷେତ୍ରରେ ଆସାମୀକୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥାପିତ ନ କରି ଅଦାଲତର ଲକ ଅପରେ ବସାଇ ରଖାଯାଏ ଓ ଓକିଲ ମାଜିଷ୍ଟ୍ରେଟଙ୍କୁ କାଗଜପତ୍ର ଦେଖାଇଥାଆନ୍ତି l ଫଳରେ ପୁଲିସ ଉତ୍ପୀଡନ ସମ୍ପର୍କରେ ଆସାମୀ ମାଜିଷ୍ଟ୍ରେଟଙ୍କୁ ଅଭିଯୋଗ କରିବାର ଅବକାଶ ପାଏ ନାହିଁ କି ମାଜିଷ୍ଟ୍ରେଟ ବି ତାକୁ ସଶରୀରେ ନ ଦେଖି ତା’ ଶାରୀରିକ କ୍ଷତ ସମ୍ପର୍କରେ ଅବଗତ ହୋଇ ପାରନ୍ତି ନାହିଁ l
୨୦୦୪ ମସିହାରେ ‘ମୁନଶି ସିଂହ ଗୌତମ ଓ ଅନ୍ୟମାନେ ବନାମ ମଧ୍ୟ ପ୍ରଦେଶ ରାଜ୍ୟ’ ମାମଲାରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ଶୁଣାଇଥିଲେ, “ଭ୍ରାତୃତ୍ୱର ବନ୍ଧନରେ ଆବଦ୍ଧ ଥିବାରୁ, ଏହା ଅଜଣା ନୁହେଁ ଯେ, ପୁଲିସ ଅଧିକାରୀମାନେ ଚୁପ ରହିବାକୁ ଉଚିତ ମଣନ୍ତି ଓ ଅନେକ ସମୟରେ ସେମାନଙ୍କ ସହକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ସତ୍ୟକୁ ବିକୃତ କରି ଥାଆନ୍ତି l” ଅର୍ଥାତ୍ ଉତ୍ତରଦାୟିତ୍ୱର ଅଭାବ ହାଜତ ହିଂସାକୁ ପ୍ରଶ୍ରୟ ଦେଇଥାଏ l ସିଆରପିସିର ଧାରା ୧୯୭କୁ ଆଳ କରି ପୁଲିସକୁ ନାଲିଶର ଊର୍ଦ୍ଧ୍ୱରେ ରଖିବାର ପ୍ରଚେଷ୍ଟା, ଦୁର୍ବଳ ଓ ପକ୍ଷପାତି ପୁଲିସ ଅନୁସନ୍ଧାନ, ପୁଲିସ ବିରୁଦ୍ଧରେ ଏଫଆଇଆର କରିବା କ୍ଷେତ୍ରରେ ବାଧା ସୃଷ୍ଟି, ପ୍ରମାଣ ନଷ୍ଟ କରିବା ଆଦି ଯୋଗୁ ପୁଲିସ ବିରୁଦ୍ଧରେ ମାମଲା ଦୁର୍ବଳ ହୋଇଯାଏ l ବେଳେବେଳେ ଡାକ୍ତରଙ୍କ ଦ୍ୱାରା ପୁଙ୍ଖାନୁପୁଙ୍ଖ ଭାବେ ଶବ ବ୍ୟବଚ୍ଛେଦ ହୋଇ ନଥିବାରୁ ତାହା ବି ପୁଲିସ ସପକ୍ଷରେ ଯାଇଥାଏ l ଏହା ସହ ଉତ୍ପୀଡନର ଶିକାର ହୋଇଥିବା ବ୍ୟକ୍ତିର ପରିବାରକୁ ଡରାଇବା ଧମକାଇବା ଆଦିର ଅଭିଯୋଗ ମଧ୍ୟ ଆସିଥାଏ l ଏପରିକି ଅନେକ ସ୍ଥଳରେ ଆପାତ ପ୍ରମାଣ ଥିବା ସତ୍ତ୍ୱେ ମାନବାଧିକାର କମିଶନ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ନାଲିଶ କରିବାକୁ ସୁପାରିଶ ନ କରି କ୍ଷତିଗ୍ରସ୍ତର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଉପରେ ବେଶି ଗୁରୁତ୍ୱ ଦେଇଥାଆନ୍ତି l ଫଳ ସ୍ୱରୂପ ସନ୍ଦିଗ୍ଧ ପୁଲିସ କର୍ମୀ ଦଣ୍ଡିତ ହୋଇ ନ ଥାଆନ୍ତି ଓ ହାଜତ ହିଂସା ପୂର୍ବବତ୍ ବେଧଡକ ଚାଲିଥାଏ l
ସାଧାରଣତଃ ହାଜତରେ ମୃତ୍ୟୁ ହେଲା ପରେ ତାହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥାଏ l କିନ୍ତୁ ଏହା ଘଟିବା ପୂର୍ବରୁ ବି ନାଗରିକ ସମାଜ କିଛି ପ୍ରତିକାରାତ୍ମକ ପଦକ୍ଷେପ ନେଇ ପାରିବେ l ଏ ସଂକ୍ରାନ୍ତରେ ଦିଲ୍ଲୀସ୍ଥିତ ‘କମନଓ୍ଵେଲଥ ହ୍ୟୁମାନ ରାଇଟସ ଇନିସିଏଟିଭ’ ନାମକ ଏକ ସଂସ୍ଥା ଅତ୍ୟାଚାରର ଶିକାର ହୋଇଥିବା ବା ହେବାର ଆଶଙ୍କା ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜିଲ୍ଲା ଓ ରାଜ୍ୟ ପୁଲିସ, ରାଜ୍ୟ ଓ ଜାତୀୟ ମାନବାଧିକାର କମିଶନଙ୍କ ନିକଟରୁ ବିଭିନ୍ନ ସୂଚନା ହାସଲ କରିବା ପାଇଁ କେତେକ ନମୁନା ଦରଖାସ୍ତ ପ୍ରସ୍ତୁତ କରିଛନ୍ତି, ଯାହାର ଉପଯୋଗ କରି ହେବ l ସୂଚନା ଅଧିକାର ଆଇନର ଧାରା ୭(୧) ଅନୁସାରେ ବ୍ୟକ୍ତିର ଜୀବନ ଓ ସ୍ଵାଧୀନତା ପ୍ରସଙ୍ଗରେ ମଗା ଯାଇଥିବା ସୂଚନା ସୂଚନାଦାତାଙ୍କୁ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରିବାକୁ ହୋଇଥାଏ l ସୂଚନାକର୍ମୀମାନେ ଏହାକୁ ଆଧାର କରି ସୂଚନା ମାଗିଲେ ହୁଏତ ତାହା ହାଜତ ହିଂସାକୁ କମ କରିବାରେ ସହାୟକ ହୋଇପାରେ l
ଓଡିଶା ସରକାରଙ୍କ ଦ୍ଵାରା ବିଧାନସଭାରେ ପ୍ରଦତ୍ତ ସୂଚନା ଅନୁଯାୟୀ ଗତ ଦଶ ବର୍ଷ, ଅର୍ଥାତ୍ ଜାନୁଆରୀ ୨୦୧୦ରୁ ନଭେମ୍ଵର ୨୦, ୨୦୧୯ ମଧ୍ୟରେ ପୁଲିସ ହାଜତରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି l ସେଥିରେ ଅଧିକ ସଂଖ୍ୟକ ସନ୍ଦିଗ୍ଧ ପୁଲିସ କର୍ମୀ ଦଣ୍ଡିତ ନ ହେବା କେବଳ ଏକ ସଂଯୋଗ ହୋଇ ନ ପାରେ l ଗୃହ ବିଭାଗରେ ମଧ୍ୟ ରାଜ୍ୟ ସରକାରଙ୍କ ‘ଫାଇଭ ଟି’ ନୀତି କାର୍ଯ୍ୟ କରୁଥିବାରୁ ଓ ସେଥି ମଧ୍ୟରୁ ଗୋଟିଏ ‘ଟି’ ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତା ହୋଇଥିବାରୁ ସ୍ୱଚ୍ଛତାକୁ ସୁନିଶ୍ଚିତ କରି ହାଜତ ହିଂସାର ପରିସମାପ୍ତି କରାଯାଇ ପାରିବ l ଉଦାହରଣ ସ୍ୱରୂପ, ଉଚ୍ଛୃଙ୍ଖଳିତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରେ କପି କରିବାରୁ ନିବୃତ୍ତ କରିବା ପାଇଁ ପରୀକ୍ଷା ହଲରେ ସିସିଟିଭି ଲଗାଇବା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି, ଯାହା ସ୍ଵାଗତଯୋଗ୍ୟ l ସେହି ଏକା ନ୍ୟାୟରେ ଉଚ୍ଛୃଙ୍ଖଳିତ ପୁଲିସକର୍ମୀଙ୍କ ଆଚରଣକୁ ନିୟନ୍ତ୍ରିତ କରିବା ପାଇଁ ସବୁ ଥାନା ଓ ହାଜତରେ ତୁରନ୍ତ ସିସିଟିଭି ଲଗାଇବାର ବନ୍ଦୋବସ୍ତ କରି ସ୍ୱଚ୍ଛତା ସୁନିଶ୍ଚିତ କରିବା ଆବଶ୍ୟକ l ଉଲ୍ଲେଖଯୋଗ୍ୟ, ୨୦୧୪ରେ ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ ମଧ୍ୟ ହାଜତଗୁଡିକରେ ସିସିଟିଭି ଲଗାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ମାର୍ଗ ନିର୍ଦ୍ଦେଶିକା ଦେଇ ସାରିଛନ୍ତି l ସେହିପରି ଆସାମୀଙ୍କ ମାନବାଧିକାରକୁ ଦୃଷ୍ଚିରେ ରଖି ସମଗ୍ର ହାଜତ ବ୍ୟବସ୍ଥାରେ ସୁଧାର ଆବଶ୍ୟକ l
ସମ୍ଭବତଃ ହେପାଜତ ଶବ୍ଦରୁ ହାଜତ ଶବ୍ଦର ଉଦ୍ଭବ l ଆସାମୀକୁ ବିଭିନ୍ନ କାରଣରୁ ସାମୟିକ ଭାବେ ସମାଜଠାରୁ ଦୂରେଇ ଆଣି ପୁଲିସ ହେପାଜତ ବା ଯତ୍ନରେ ରଖିବା ହୁଏତ ହାଜତ ବ୍ୟବସ୍ଥା ପଛର ଉଦ୍ଦେଶ୍ୟ ଥିଲା l ଅପରାଧର ଅନୁସନ୍ଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏହାର ମୂଳ ଲକ୍ଷ୍ୟ ହୋଇଥିଲେ ବି ଆସାମୀ ଯେପରି ଅନ୍ୟମାନଙ୍କ ପାଇଁ ଭୟର କାରଣ ନ ହୁଏ ବା ସେ ଅନ୍ୟର ଆକ୍ରମଣର ଶିକାର ନ ହୁଏ, ତାକୁ ଆଣି ହାଜତରେ ରଖିବା ପରେ ତାହା ସୁନିଶ୍ଚିତ ହୋଇ ପାରିଥାଏ l ଅର୍ଥାତ୍, ପୁଲିସ ହେପାଜତରେ ଥିବା ବେଳେ ତା’ ଶରୀରରେ ଯେପରି ଆଞ୍ଚୁଡା ଦାଗଟିଏ ବି ନ ଲାଗେ, ତାହା ସୁନିଶ୍ଚିତ କରିବା ପୁଲିସର କାମ l ତେଣୁ ହାଜତରେ ଯେ ତା’ ପ୍ରତି କୌଣସି ଶାରୀରିକ ବା ମାନସିକ ନିର୍ଯାତନା କରାଯାଇ ପାରେ, ତାହା କଳ୍ପନାତୀତ l ମୁଷ୍ଟିମେୟ ଉଚ୍ଛୃଙ୍ଖଳିତ ପୁଲିସ କର୍ମୀଙ୍କ ଲାଗି ହାଜତ ମୃତ୍ୟୁ ସକାଶେ ସମଗ୍ର ପୁଲିସ ବିଭାଗ ବଦନାମ ହେଉଛି l ଅଧିକାଂଶ ପୁଲିସ ସମ୍ବେଦନଶୀଳ ହୋଇଥିବାରୁ ସେମାନେ ଉପରୋକ୍ତ ମୁଷ୍ଟିମେୟ ପୁଲିସଙ୍କ ବେଆଇନ ଆଚରଣକୁ ଚୁପ ରହି ପ୍ରଶ୍ରୟ ନ ଦେଲେ ବା ଘଣ୍ଟ ନ ଘୋଡାଇଲେ ହାଜତ ହିଂସା ହ୍ରାସ ପାଇ ପାରିବ l ହାଜତ ହିଂସା ଓ ହାଜତ ମୃତ୍ୟୁ ଯେ ମାନବିକତା ଓ ସମ୍ୱେଦନଶୀଳତା ଉପରେ ଏକ ବଡ ଦାଗ, ଏହା କହିବା ବାହୁଲ୍ୟ ମାତ୍ର l ପୁଲିସର ଛବିକୁ ଉଜ୍ଜ୍ୱଳ କରିବାକୁ ହେଲେ ହାଜତ ନିର୍ଯାତନା ଓ ହାଜତ ମୃତ୍ୟୁର ଧାରାରେ ବିରାମ ଲାଗିବା ଉଚିତ l
Published in Sambad on July 09, 2020
Comments
Post a Comment