Skip to main content

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପତ୍ତିଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋଧନ କରି ତାଚ୍ଛଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହଞ୍ଚିଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍ରମିକମାନଙ୍କୁ ‘ଦାଦନ ଖଟୁଛନ୍ତି’ କହି ହୀନ ଦୃଷ୍ଟିରେ ଦେଖିବା ବା ଆଘାତ ଦେବା ଏବଂ ସେମାନଙ୍କ ପ୍ରତି ‘ଦାଦନ’ ଶବ୍ଦର ପ୍ରୟୋଗ କରିବା କେତେ ଦୂର ସମୀଚୀନ ସେ ବିଷୟରେ ଏକ ଆଲୋଚନା ଜରୁରୀ ।

ଓଡିଶାର ଗ୍ରାମୀଣ ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଏବଂ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ହିଁ ସର୍ବାଧିକ ଲୋକଙ୍କ ଲାଗି ନିଯୁକ୍ତିର ମାଧ୍ୟମ ହୋଇଥାଏ । ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଲୋକଙ୍କ କୃଷିକାର୍ଯ୍ୟରେ  ଉପସ୍ଥିତି ସେହି କ୍ଷେତ୍ରକୁ ଚାପଗ୍ରସ୍ତ କରୁଥିବାରୁ ଏହି ଉଦବୃତ୍ତ ମାନବ ସମ୍ବଳ କୃଷି କ୍ଷେତ୍ରରୁ ବାହାରି ଅନ୍ୟ କ୍ଷେତ୍ରରେ ନିଯୁକ୍ତ ହୁଅନ୍ତୁ ବୋଲି ବିଶେଷଜ୍ଞମାନେ ଜୋର ଦେଇଥାନ୍ତି । ତେବେ ଏହି ଧରଣର ଶ୍ରମିକଙ୍କୁ ଅନ୍ୟ କୌଣସି କ୍ଷେତ୍ରରେ ନିଯୁକ୍ତି ପ୍ରଦାନ ଲାଗି ଓଡିଶାରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇ ନ ଥିବାରୁ ବାଧ୍ୟ ହୋଇ ବର୍ଷ ବର୍ଷ ଧରି ଏଠାରୁୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରମିକ ରୋଜଗାର ସନ୍ଧାନରେ ବାହାର ରାଜ୍ୟକୁ ଯିବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ଏମାନଙ୍କ ସଂଖ୍ୟା ଠିକ ଭାବେ ଜଣା ନଥିଲେ ମଧ୍ୟ ସରକାରୀ ଆକଳନ ଅନୁସାରେ ତାହା ପ୍ରାୟ ୧୨ ଲକ୍ଷ କୁହାଯାଉଥିବା ବେଳେ ବେସରକାରୀ ଆକଳନରେ ତାହା ପ୍ରାୟ ୨୦ ଲକ୍ଷରୁ ଅଧିକ ବୋଲି ଜଣା ପଡୁଛି । ଅର୍ଥାତ୍‌, ସେତିକି ସଂଖ୍ୟକ ଲୋକ ଓଡିଶାର କୃଷି କ୍ଷେତ୍ରରୁ ଓହରି ଯାଇଛନ୍ତି ଓ ସେମାନଙ୍କ କର୍ମ ସଂସ୍ଥାନ ପାଇଁ ସରକାର ଏକ ପ୍ରକାର ଦାୟିତ୍ୱ ମୁକ୍ତ ହୋଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଶ୍ରମିକମାନେ ସେମାନଙ୍କ ରୋଜଗାରରୁ ଓଡିଶାର ଗାଁଗଣ୍ଡାମାନଙ୍କରେ ରହୁଥିବା ସେମାନଙ୍କ ପରିବାର ନିକଟକୁ ଟଙ୍କା ପଠାଇଥାନ୍ତି । ସେମାନଙ୍କ ଦ୍ୱାରା ପ୍ରେରିତ ଅର୍ଥର ପରିମାଣ ସମ୍ପର୍କରେ ସଠିକ ତଥ୍ୟ ଉପଲବ୍ଧ ନଥିଲେ ବି କେବଳ ଗଞ୍ଜାମ ଜିଲ୍ଲାରୁ ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକମାନେ ପ୍ରତି ମାସ ହାରାହାରି ୨୦୦ କୋଟି ଟଙ୍କାରୁ ଅଧିକ ପଠାଉଥିବା କଥା ହିସାବ କରାଯାଏ । ଏହି ଅର୍ଥ ସେମାନଙ୍କ ପରିବାରର ଆର୍ଥିକ ସ୍ୱଚ୍ଛଳତାରେ ସହାୟକ ହେବା ସହ ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବାରେ ମଧ୍ୟ ପରୋକ୍ଷରେ ସହାୟକ ହୋଇଥାଏ । ଏହା ଗ୍ରାମାଞ୍ଚଳର ବିଭିନ୍ନ କ୍ଷେତ୍ରରେ, ବିଶେଷ କରି କୃଷି କ୍ଷେତ୍ରରେ, ପୁଞ୍ଜି ନିର୍ମାଣରେ ସହାୟକ ହୋଇଛି । ସେହି ଟଙ୍କାରେ ଗାଁମାନଙ୍କରେ ବାସଗୃହ ତିଆରି ହୋଇ ଏଠାକାର ନିର୍ମାଣ ଶ୍ରମିକଙ୍କୁ କାମ ମିଳି ପାରିଛି । ସେମାନଙ୍କ ପରିବାର ଆଉ ସରକାରୀ ଆବାସ ପାଇଁ ଚାପ ସୃଷ୍ଟି କରୁ ନଥିବାରୁ ତାହା ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଦିଆ ଯାଇପାରୁଛି । ରାଜ୍ୟ ବିକାଶରେ ସେମାନଙ୍କର ଏ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମୁକ୍ତ କଣ୍ଠରେ ସ୍ୱୀକାର କରିବା ଲାଗି କୁଣ୍ଠା ପ୍ରକାଶ ପାଇବା ଅନୁଚିତ ।

ଓଡିଆରେ ‘ଦାଦନ’ ଶବ୍ଦର ଅର୍ଥ ବଇନା, ଅଗ୍ରିମ । ଭବିଷ୍ୟତରେ ଚାଷ କାମ କରିବାକୁ ମୂଲିଆମାନଙ୍କୁ ହାତରେ ରଖିବା ପାଇଁ ଆଗତୁରା ଅର୍ଥ ବା ଶସ୍ୟ ଦେବାର ପ୍ରଥା ଏଠାରେ ପ୍ରଚଳିତ, ଯାହାକୁ ‘ଦାଦନ ଦେବା’ ମଧ୍ୟ କୁହାଯାଇଥାଏ । ସେମାନଙ୍କ ମଧ୍ୟରୁ କେତେକଙ୍କୁ ‘ବାରମାସିଆ’ କୁହାଯାଉଥିଲେ ବି କାହାକୁ ‘ଦାଦନ ଶ୍ରମିକ’ କୁହାଯାଇ ନ ଥାଏ । ଅଗ୍ରିମ ଅର୍ଥ ନେଇ ବା ନ ନେଇ ଦେଶାନ୍ତରୀ ହୋଇ କେହି କାମ କରିବାକୁ ବାହାରକୁ ଗଲେ ତାକୁ ଏବେ ଯେପରି ‘ଦାଦନ ଶ୍ରମିକ’ର ଆଖ୍ୟା ଦିଆଯାଉଛି, ତାହା ଭ୍ରମାତ୍ମକ । ଯାତ୍ରା ବା ସିନେମାରେ ଅଭିନୟ ବା କଳା ପ୍ରଦର୍ଶନ କରିବା ପାଇଁ ଅଗ୍ରିମ ନେଇଥିବା କଳାକାରଟିକୁ କ’ଣ ‘ଦାଦନ କଳାକାର’ କୁହାଯାଇଥାଏ କି ? ତା’ ଛଡା କୌଣସି ଅଗ୍ରିମ ଅର୍ଥ ନ ନେଇ ମଧ୍ୟ ଅସଂଖ୍ୟ ଶ୍ରମିକ ସ୍ଥାନାନ୍ତରିତ ହୋଇଥାଆନ୍ତି । ତେବେ ପୂର୍ବେ ଆମ ରାଜ୍ୟରେ ଏ ଭଳି ପ୍ରଥା ପ୍ରଚଳିତ ନ ଥିଲା । ବସ୍ତୁତଃ, ଅତୀତରେ ଓଡିଶାରେ ଲୋକଙ୍କ ଆର୍ଥିକ ସ୍ୱଚ୍ଛଳତା ଦୃଷ୍ଟିରୁ ଏଠାରୁ ବେପାର ବଣିଜ ପାଇଁ ଲୋକେ ଦେଶାନ୍ତରୀ ହେଉଥିବାର ନଜିର ଅଛି । ଶ୍ରମିକ ଭାବେ ବିଶେଷ କେହି ବାହାରକୁ ଯିବା ପରିଲକ୍ଷିତ ହେଉ ନଥିଲା । ନ’ ଅଙ୍କ ଦୁର୍ଭିକ୍ଷ ସମୟରେ ପ୍ରାଣ ବିକଳରେ ବହୁ ସଂଖ୍ୟାରେ ମାଲୁଙ୍ଘ (ମଲାଙ୍ଗି) ଦେଶାନ୍ତରୀ ହୋଇଥିବାର ସୂଚନା ଥିଲେ ବି ସେତେବେଳେ ମଧ୍ୟ ଦାଦନ ଶ୍ରମିକ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ । ଦାସତ୍ୱ ପ୍ରଥା ଉଠି ଯିବା ପରେ ବ୍ରିଟିଶ ଶାସନ କାଳରେ ଚା’ ବଗିଚା, ରେଳବାଇ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଚୁକ୍ତିବଦ୍ଧ ଶ୍ରମ (ଇନଡେଞ୍ଚରଡ ଲେବର) ପ୍ରଥା ମାଧ୍ୟମରେ ଓଡିଶାର ମାଳ ଅଞ୍ଚଳଗୁଡିକରୁ ବହୁ ସଂଖ୍ୟାରେ ଆଦିବାସୀଙ୍କୁ ଗିରମିଟିଆ କୁଲି ଭାବେ ରାଜ୍ୟ ବାହାରକୁ ପଠା ଯାଇଥିଲା । ବ୍ରହ୍ମଦେଶ ଭାରତରୁ ଅଲଗା ହେବା ପରେ ରେଙ୍ଗୁନରେ କାମ କରୁଥିବା ଓଡିଆ ଲୋକଙ୍କ ମଧ୍ୟରୁ ଅନେକେ ସେଠାରୁ ଫେରି ସୁରତ ଯାଇଥିଲେ ମଧ୍ୟ ସେମାନେ ଦାଦନ ଶ୍ରମିକ ଭାବେ ଯାଇ ନ ଥିଲେ । ତେବେ ବ୍ରିଟିଶ ଶାସନ କାଳର ଶେଷ ପର୍ଯ୍ୟନ୍ତ ମୁଣ୍ଡ ଟେକି ନଥିବା ଦାଦନ ପ୍ରଥା ଦେଶ ସ୍ୱାଧୀନତା ପ୍ରାପ୍ତି ପରେ ଓଡିଶାରେ କ୍ରମଶଃ କାୟା ବିସ୍ତାର କରିଥିବାର ପରିଲକ୍ଷିତ ହୁଏ । ଦାଦନ ଶ୍ରମିକ ପ୍ରଥାରେ କିଛି ସର୍ଦ୍ଦାର (ଲେବର କଣ୍ଟ୍ରାକ୍ଟର)ଙ୍କର ଆବିର୍ଭାବ ହେଲା, ଯେଉଁମାନେ ଗାଁ ଗଣ୍ଡାରୁ ଶ୍ରମିକଙ୍କୁ ଭଲ ରୋଜଗାରର ଲୋଭ ଦେଖାଇ ଅଗ୍ରୀମ ଆକାରରେ କିଛି ଟଙ୍କା ଦେଇ ସେମାନଙ୍କୁ ରାଜ୍ୟ ବାହାରକୁ କାମ କରିବାକୁ ପଠାଇଲେ । ଅନ୍ୟ ଉପାୟ ନ ଥିବା  ଗାଁଗଣ୍ଡାର ଅଭାବୀ ଲୋକେ (ଡିସଟ୍ରେସଡ) ସେମାନଙ୍କ ପ୍ରଲୋଭନର ଶିକାର ହେବାକୁ ବାଧ୍ୟ ହେଲେ ଓ ବାହାର ରାଜ୍ୟକୁ କାମ କରିବାକୁ ବହୁ ସଂଖ୍ୟାରେ ଯିବାକୁ ଲାଗିଲେ । ସେମାନେ ମୁଖ୍ୟତଃ ରାସ୍ତାଘାଟଠାରୁ ଆରମ୍ଭ କରି ସୁଡଙ୍ଗ ଖୋଳା ଭଳି ବିପଦସଙ୍କୁଳ ନିର୍ମାଣ କାର୍ଯ୍ୟଗୁଡିକରେ ନିୟୋଜିତ ହେବାକୁ ଲାଗିଲେ । କୁହାଯାଏ, କାଶ୍ମୀରଠାରୁ ଉତର-ପୂର୍ବାଞ୍ଚଳର ପ୍ରାୟ ଅଧିକାଂଶ ସୁଡଙ୍ଗ ତିଆରିରେ ଏହି ଓଡିଆ ଦାଦନ ଶ୍ରମିକମାନଙ୍କ ଅବଦାନ ରହିଛି । ଦେଶ ନିର୍ମାଣର ଏହି ପର୍ବରେ ଏମାନଙ୍କ ମଧ୍ୟରୁ କେତେ ଶ୍ରମିକଙ୍କ ଜୀବନ ପ୍ରଦୀପ ଯେ ଦୁର୍ଘଟଣାରେ ନିର୍ବାପିତ ହୋଇଥିଲା, ତାର ହିସାବ କାହା ପାଖରେ ନାହିଁ । ବାହାର ରାଜ୍ୟରେ ଏହି ଶ୍ରମିକମାନଙ୍କ ଦୁଃଖ ଓ ଶୋଷଣର କରୁଣ କାହାଣୀମାନ ନିୟମିତ ଭାବେ ଶୁଣିବାକୁ ମିଳିଥାଏ ଯାହା ଏଠାରେ ସେମାନଙ୍କ ପ୍ରତି ସହାନୁଭୂତି ଓ ସମବେଦନା ସୃଷ୍ଟି କରିଥାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ଉପକୂଳ ଜିଲ୍ଲାମାନଙ୍କରୁ ଆରମ୍ଭ ହୋଇଥିବା ଏହି ଦାଦନ ଶ୍ରମିକ ପ୍ରଥା ପରବର୍ତ୍ତୀ ସମୟରେ ପଶ୍ଚିମ ଓଡିଶାର ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଓ ଅନ୍ୟାନ୍ୟ ଜିଲ୍ଲାକୁ ମଧ୍ୟ ପରିବ୍ୟାପ୍ତ ହୋଇ ଉତ୍କଟ ରୂପ ଧାରଣ କଲା । ସର୍ଦ୍ଦାରଙ୍କ ମାଧ୍ୟମରେ ନିଯୁକ୍ତି ପାଇଥିବା ଏହି ଦାଦନ ଶ୍ରମିକମାନେ ମୁଖ୍ୟତଃ ଅଣକୁଶଳୀ ହୋଇଥିବାରୁ ଘରୋଇ କାର୍ଯ୍ୟ, ଇଟାଭାଟି ଓ ନିର୍ମାଣ କାର୍ଯ୍ୟ ଭଳି ଅଣସଂଗଠିତ କ୍ଷେତ୍ରରେ ସ୍ୱଳ୍ପ ମଜୁରୀରେ ନିୟୋଜିତ ହୋଇ ବିଭିନ୍ନ ଭାବେ ଶୋଷଣର ଶିକାର ହୋଇଥାଆନ୍ତି । କିନ୍ତୁ ଏମାନଙ୍କ ବ୍ୟତୀତ ବାହାର ରାଜ୍ୟରେ ନିୟୋଜିତ ଅସଂଖ୍ୟ କୁଶଳୀ ଓ ଅଣକୁଶଳୀ ଶ୍ରମିକ ‘ଦାଦନ ଶ୍ରମିକ’ ପର୍ଯ୍ୟାୟବାଚୀ ନୁହନ୍ତି । ଏମାନଙ୍କ ମଧ୍ୟରୁ କେତେକଙ୍କ ଆର୍ଥିିକ ଅବସ୍ଥା ବେଶ ସ୍ୱଚ୍ଛଳ । ସୁରତ ସହରରେ ସୂତା କଳରେ କାମ କରୁଥିବା କଲର ମାଷ୍ଟର ହୁଅନ୍ତୁ ବା ହୀରା ଶିଳ୍ପରେ ନିୟୋଜିତ କଟିଂ ମାଷ୍ଟର, ପଲିସ ମାଷ୍ଟର ହୁଅନ୍ତୁ, ସେମାନେ ନିଜ ଦକ୍ଷତାକୁ ଏ ଭଳି ପ୍ରତିପାଦିତ କରି ପାରିଛନ୍ତି ଯେ ପ୍ରତ୍ୟେକେ ମାସିକ ୫୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାକୁ ସମର୍ଥ ହେବା ସହ ସେମାନଙ୍କ ଅଧୀନରେ ହଜାର ହଜାର ଶ୍ରମିକ କାମ କରୁଛନ୍ତି, ଯେଉଁମାନେ ମାସିକ ହଜାର ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି । ସେହିପରି ଦେଶର ଛୋଟ ବଡ ସବୁ ସହରରେ କାର୍ଯ୍ୟ କରୁଥିବା ଓଡିଆ ଶ୍ରମିକଙ୍କ ମଧ୍ୟରୁ ପାଣି ମିସ୍ତ୍ରୀଙ୍କଠାରୁ ଆରମ୍ଭ କରି ହୋଟେଲ ଶିଳ୍ପ ଭଳି ଅନେକ କ୍ଷେତ୍ରରେ କାମ କରୁଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକମାନେ ବେଶ ଦି’ ପଇସା ଭଲ ରୋଜଗାର କରି ପାରୁଛନ୍ତି । ଏପରିକି କେରଳରେ ଶ୍ରମ ଦର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଥିବାରୁ ଓଡିଶାର ଅନେକ ଅଣକୁଶଳୀ ଶ୍ରମିକ ସେଠାକୁ ଯାଇ ଭଲ ରୋଜଗାର କରୁଥିବା ଦୃଷ୍ଟିଗୋଚର ହେଉଛି । ଏମାନଙ୍କୁ ଦାଦନ ଶ୍ରମିକ କହି ତାଚ୍ଛଲ୍ୟ କରିବା କେତେ ଦୂର ସମୀଚୀନ । ସେହିପରି ୨୦୧୭ରେ ଭାରତରୁ ଯାଇ ବିଭିନ୍ନ ଦେଶରେ କାମ କରୁଥିବା ପ୍ରାୟ ୮୧ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୨ ପ୍ରତିଶତ ବା ୧.୬୦ ଲକ୍ଷ ଓଡିଶାର, ଯେଉଁମାନେ ମୋଟା ଅଙ୍କର ଦରମା ପାଇବା ସହ ନିୟମିତ ଭାବେ ଓଡିଶାରେ ଥିବା ସେମାନଙ୍କ ପରିବାର ନିକଟକୁ ଅର୍ଥ ପ୍ରେରଣ କରିଥାନ୍ତି । ଓଡିଶା ନିର୍ମାଣରେ ଏହି ସମସ୍ତ ପ୍ରବାସୀ ଓଡିଆ ଶ୍ରମିକଙ୍କ ଅବଦାନ କୌଣସି ମତେ ଓଡିଶାରେ ରହୁଥିବା ଲୋକଙ୍କଠାରୁ ନ୍ୟୂନ ବୋଲି ମନେ ହୁଏ ନାହିଁ ।

କେବଳ ଓଡିଶାରୁ ନୁହେଁ ବରଂ ସାରା ଦେଶରୁ ବିଭିନ୍ନ ରାଜ୍ୟକୁ ଶ୍ରମିକମାନେ ଯାଇଥାଆନ୍ତିି ଓ ଅନ୍ୟ ରାଜ୍ୟର ଶ୍ରମିକ ବି ଓଡିଶାକୁ ଆସି କାମ କରିଥାଆନ୍ତି । ଓଡିଶା ପରି ଅନ୍ୟ କୌଣସିଠାରେ ସେମାନଙ୍କ ପ୍ରତି ‘ଦାଦନ ଶ୍ରମିକ’, ‘ଦାଦନ ଖଟୁଛନ୍ତି’ ବା ‘ଦାଦନିଆ’ ଭଳି ଶବ୍ଦ ତାଚ୍ଛଲ୍ୟ କରି ପ୍ରୟୋଗ କରା ହୋଇ ନଥାଏ । ଭାରତର ଅର୍ଥନୀତିକୁ ଗତିଶୀଳ କରି ରଖିବାରେ ଏହି ଶ୍ରମିକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ଏକ ଆକଳନ ଅନୁସାରେ ଭାରତର ପ୍ରାୟ ୧୨ କୋଟି ଏ ଭଳି ଶ୍ରମିକ ଅଛନ୍ତି ଯେଉଁମାନେ ନିଜ ରାଜ୍ୟ ବାହାରେ କାମ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ବେଳେ ପ୍ରାୟ ୪ କୋଟି ବା ଏକ-ତୃତୀୟାଂଶ ନିର୍ମାଣ ଶ୍ରମିକ ରୂପେ, ୨ କୋଟି ଘରୋଇ ସହାୟକ ଭାବେ ଓ ୨ କୋଟି ପରିବହନ ଶିଳ୍ପରେ ନିୟୋଜିତ । ଓଡିଶାର ଏ ଭଳି ଶ୍ରମିକଙ୍କ ମଧ୍ୟରୁ କିଛି ସଂଖ୍ୟକ ଶିକ୍ଷିତ ଓ ସ୍ଥଳ ବିଶେଷରେ କୁଶଳୀ ହୋଇଥିବାରୁ ସେମାନେ ଅନ୍ୟ କେତେକ କାମ କରିବା ପାଇଁ ନିଯୁକ୍ତି ଯୋଗ୍ୟ ହୋଇ ପାରୁଛନ୍ତି ।

ବାହାର ରାଜ୍ୟରେ ଥିବା ଓଡିଆ ଶ୍ରମିକଭାଇମାନଙ୍କୁ ଅନୁରୋଧ, ବାହାରେ ଅସୁବିଧାରେ ପଡିଥିଲେ ସାହାଯ୍ୟ ପାଇଁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାନ୍ତୁ ନାହିଁ । ସେପରି କରିବା ଦ୍ୱାରା ଆପଣମାନେ କେବଳ ଯେ ନିଜକୁ ଦୟାର ପାତ୍ର ରୂପେ ପ୍ରଦର୍ଶନ କରୁଛନ୍ତି ତାହା ନୁହେଁ, ବରଂ ତଦ୍ଦ୍ୱାରା ଓଡିଆ ଜାତିର ସ୍ୱାଭିମାନ ପ୍ରତି ଆଞ୍ଚ ଆସୁଛି । ସାହାଯ୍ୟ ଓ ସହଯୋଗ ପାଇବା ଆପଣମାନଙ୍କ ଅଧିକାର ହୋଇଥିବାରୁ ମଥା ଟେକି ଅନୁରୋଧ କରିବା ଶିଖିଲେ କେବଳ ଆପଣ ନୁହେଁ ବରଂ ସମଗ୍ର ଓଡିଆ ଜାତି ସ୍ୱାଭିମାନୀ ହୋଇପାରିବ । ବିପତ୍ତିରେ ପଡିଥିବା କୌଣସି ବିକଶିତ ଦେଶର ନାଗରିକ ସାହାଯ୍ୟ ପାଇଁ ସରକାର ବା ଅନ୍ୟ କାହାକୁ ଅନୁରୋଧ କଲା ବେଳେ ସାଧାରଣତଃ ହାତ ଯୋଡି ନିଜକୁ ନ୍ୟୂନ କରିବାର ଦେଖା ଯାଇ ନଥାଏ ।
     
କେରଳ ରାଜ୍ୟର ଅର୍ଥନୀତି ଦେଶ ଓ ଦେଶ ବାହାରେ ରହୁଥିବା ପ୍ରବାସୀ କେରଳୀ ଶ୍ରମିକଙ୍କ ପ୍ରେରିତ ଅର୍ଥ (ରେମିଟାନ୍ସ ମନି) ଉପରେ ଅନେକଟା ନିର୍ଭରଶୀଳ ବୋଲି କୁହା ଯାଇଥାଏ । ଓଡିଶାର ଶ୍ରମବଳ ରୂପୀ ମାନବ ସମ୍ବଳକୁ ରାଜ୍ୟର ସବୁଠାରୁ ବଡ ସମ୍ପଦ ବୋଲି ମନେ କରି କାର୍ଯ୍ୟ କରିବା ଆରମ୍ଭ କଲେ ଓଡିଶାର ଅର୍ଥନୀତି ବି ଅଧିକ ଗତିଶୀଳ ହୋଇପାରିବ । ଏଥିପାଇଁ ଶ୍ରମର ଗରିମାକୁ ଧ୍ୟାନରେ ରଖି ପ୍ରତିଟି କାର୍ଯ୍ୟ ଓ ବୃତ୍ତି ପ୍ରତି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନ ପ୍ରଦର୍ଶନ କରାଯିବା ହେବ ପ୍ରଥମ ଆବଶ୍ୟକତା । ଇତିମଧ୍ୟରେ ‘ଦାଦନ’ ଶବ୍ଦଟି ଏକ ତାଚ୍ଛଲ୍ୟମୂଳକ ଶବ୍ଦରେ ପରିଣତ ହୋଇ ସାରିଥିବାରୁ ଏହି ପରିପ୍ରେକ୍ଷୀରେ ଅନୁରୋଧ ଯେ ସର୍ବତ୍ର, ଏପରିକି ଗଣମାଧ୍ୟମରେ, ଦାଦନ ଶ୍ରମିକ ଭଳି ଅଭିବ୍ୟକ୍ତିର ପ୍ରୟୋଗ କରା ନ ଯାଉ । ଏପରିକି ଦେଶ ବାହାରେ ରହୁଥିବା ଶ୍ରମିକଙ୍କ ବ୍ୟତୀତ ଅନ୍ୟ ରାଜ୍ୟମାନଙ୍କରେ କାମ କରୁଥିବା ଶ୍ରମିକଙ୍କ ଲାଗି ‘ପ୍ରବାସୀ’ ଶବ୍ଦର ବ୍ୟବହାର ମଧ୍ୟ ଅଯଥାର୍ଥ । ଆମ ସମ୍ବିଧାନ ସମସ୍ତଙ୍କୁ ଦେଶର ଯେ କୌଣସି ପ୍ରାନ୍ତରେ ଅବାଧରେ କାମ କରିବାର ଅଧିକାର ଓ ସ୍ୱାଧୀନତା ଦେଇଛି । ଯଦି ବେଙ୍ଗାଲୁରୁରେ କାମ କରୁଥିବା ଓଡିଆ ଇଂଜିନିଅର ପ୍ରବାସୀ ଇଂଜିନିଅର ବୋଲି ସମ୍ବୋଧିତ ନ ହେବେ, ତେବେ ଶ୍ରମିକଙ୍କୁ କାହିଁକି ‘ପ୍ରବାସୀ’ ବିଶେଷଣ ଦିଆଯିବ ? ହେୟ ଜ୍ଞାନ ନ କରି ବାହାର ରାଜ୍ୟରେ କାର୍ଯ୍ୟରତ ଶ୍ରମିକଙ୍କୁ ଉଚିତ ସ୍ୱୀକୃତି, ସମ୍ମାନ ଓ ସହଯୋଗ ପ୍ରଦାନ କରାଗଲେ କେରଳ ପରି ଓଡିଶାର ଅର୍ଥନୀତିର ଆକାର ମଧ୍ୟ ସେମାନଙ୍କ ସହଯୋଗ ଓ ପ୍ରେରିତ ଅର୍ଥରେ ବହୁଗୁଣିତ ହେବାର ସମ୍ଭାବନାଟି ଅଚିରେ ସାକାର ହୋଇପାରିବ ।

Published in Sambad on June 01, 2020


Comments

  1. u have struck the right chird and tried to enlighten emotionally excited bunch of illiterates about real state of affairs and the dignity the migrant pipulation deserve like any other people engaged in so calledd dignified professions.. kudos for a very good piece at the right time.

    ReplyDelete
    Replies
    1. Thank you so much for appreciating the article.

      Delete
  2. Really heart touching...You not only have analysed well but have offered some very constructive suggestions..Well done..

    ReplyDelete
  3. The above message is from me Saral bhai...PRASANTA MISHRA

    ReplyDelete
  4. Sir , timely and very constructive suggestion.

    ReplyDelete
  5. Very nice interpretation and analysis on migrated workforce.

    ReplyDelete
  6. Succinct & lucid presentation of facts at an appropriate time.Hope it penetrates the minds of uncultured intelligentsia.

    ReplyDelete
  7. ଆପଣଙ୍କର "ଦାଦନ ନୁହେଁ କି ପ୍ରବସୀ ନୁହେ" ଲେଖାଟି ସମ୍ବାଦରେ ପଢିଲି. ଆପଣଙ୍କ ସହ ମୁ ଏକମତ। ଏବେ କିଛି ଦିନ ହେଲା ରାଜ୍ୟ ବାହାରୁ ଫେରୁଥିବା ଶ୍ରମିକ ମାନଙ୍କୁ ଦାଦନ ପଦବାଚ୍ୟ କରି ଯ୍ଥେଷ୍ଟ ଅପମାନିତ କରାଗଲାଣି! ସରକାର ମଧ୍ୟ ନିଜର ୧୭ହଜାରୀ ଥୈଥାନ ପ୍ୟାକେଜ ରେ ସେଇ ଦାଦନ ପଦ ବ୍ୟବହାର କରିଛନ୍ତି! ମୁ ଗଞ୍ଜାମ ଜିଲାର ବାସିନ୍ଦା ହିସାବରେ ଭଲ ଭାବରେ ବାସ୍ତବ କଥା ଜାଣେ। ମୋର ବ୍ଳକ ଖଲିକୋଟରେ ଶିଳ୍ପ ବା ଜଳସେଚିତ ଜମି ନ ଥିବା ଯୋଗୁଁ ସବୁ କାଳରେ ଲୋକେ ରଜ୍ୟ ବାହାରକୁ କାମ କରି ଯାଆନ୍ତି! ଏବେତ ସୁରଟ ପଦଟି ରୋଜଗାରର ଅନ୍ୟ ନାମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗଞ୍ଜାମ ଜିଲାର ଏପରି କୌଣସି ଗ୍ରାମ ବା ସହର ନାହିଁ, ଯେଉଁ ଗ୍ରାମରୁ ଜଣେହେଲେ କେହି ସୁରଟ ଯାଇନଥିବେ!! ଖଲିକୋଟ ବ୍ଳକର ୨୨୦୦୦ କୁଶଳୀ ଓ ଅର୍ଧକୁଶଳୀ ଶ୍ରମିକ ରାଜ୍ୟ ବାହାରେ ଓ ଦେଶ ବାହାରେ କାମ କରନ୍ତି! ସୁରଟର ସୂତା କଳର କୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକ ବ୍ୟତୀତ ହୀରାକଟାଳି, ଚେନ୍ନାଇରେ ସିକ୍ୟୁରିଟି ଗାର୍ଡ, ତାମିଲ୍ ନାଡୁର ଅଧିକାଂଶ ବଡ ସହରରେ ହୋଟ୍ଲ ଓ ରେଷ୍ଟୁରାଣ୍ଟ ମାନଙ୍କରେ ଓଡିଆ ଖାଦ୍ୟ ପରିବେଷଣକାରୀ ପାଇବେ! ପଶ୍ଚିମ ରାଜ୍ୟ ମାନଙ୍କରେ ଅଧିକାଂଶ ପାଣିପାଇପ ମିସ୍ତ୍ରୀ ଓ ସହାୟକ ହେଉଛନ୍ତି ଓଡିଆ! ଆମ ବ୍ଳକରୁ ପ୍ରାଯ ୪୦୦/୫୦୦ 'ବାହାରଦେଶ' କୁ ଯାଇଛନ୍ତି! ବାହାର ଦେଶ ମାନେ ଦୁବାଇ, କାତାର, କୁଏଟ, ଓମାନ, ସାଉଦିଆରବ, ଆଲ୍ଜେରିଆ ମାଲେସିଆ! ଏହି ତଥାକଥିତ ସୁରଟଦାଦନ ଓ ଦୁବାଇ ଶ୍ରମିକ ମାନଙ୍କର କାଟତି ସେମାନଙ୍କ ଅଞ୍ଚଳରେ କେତେ, ତାହାଜଣେ ଦେଖିଲେ ଜାଣି ପାରିବେ. ସେମାନଙ୍କ ପାଇଁ ଯେଉଁ କୃଷିଭିତ୍ତିକ ଥଇଥାନ ଯୋଜନାମାନ ଘୋଷଣ ହୋଇଛି, ସେଥିରେ କେହି ଜଣେ ହେଲେ ଆଗ୍ରହ ପ୍ରକାଶ କରିବେ ନାହିଁ! ମୁ ଯେଉଁ କେତେଜଣ ସୁରଟ ଓ ସଙ୍ଗରୋଧଗୃହ ଫେରନ୍ତା ମାନଙ୍କ ସହ କଥା ହୋଇଛି, ସେଥିରୁ ସ୍ପଷ୍ଟ ଜଣା ପଡୁଛି ଏ ପ୍ରକଳ୍ପ କରିବାକୁ ସେମାନେ ଆଗ୍ରହୀ ନୁହନ୍ତି! ଜଣେ କହିଲା ' ଜଜକର ମେସିନ ଚଲାଇବା ଲୋକ ଜହ୍ନି ଚାଷ କରିପାରିବନି କି କଲର ମିସିନ ଚଲାଇବା ଲୋକ କଲରା ଚାଷ କରି ପାରିବନି!!



    ReplyDelete
    Replies
    1. ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ ଧନ୍ୟବାଦ ପୂର୍ଣ୍ଣବାବୁ l ଆପଣଙ୍କ ଅଭିଜ୍ଞତା ଓ ଅନୁଭୂତିରୁ ଯାହା ଲେଖିଛନ୍ତି ମୁଁ ସେଥିରେ ସମ୍ପୂର୍ଣ୍ଣ ଏକ ମତ l ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକମାନଙ୍କୁ କିଛି ଲୋକ, ଉଭୟ ସରକାରୀ ଓ ସାଧାରଣ ଲୋକ, ଯେଉଁ ଭଳି ବ୍ୟବହାର ପ୍ରଦର୍ଶନ କଲେ ସେଥିରେ ବ୍ୟଥିତ ହୋଇ ମୁଁ ଲେଖାଟିକୁ ଲେଖିଥିଲି l ଆମେ ଯେ ପର୍ଯ୍ୟନ୍ତ ଶ୍ରମକୁ ସମ୍ମାନ ଦେଇ ନ ଶିଖିବା ଜାତି ହିସାବରେ ଆମ ପ୍ରଗତି ମନ୍ଥର ହେବ l ସେଥିପାଇଁ ପ୍ରଥମେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆବଶ୍ୟକ l

      Delete
  8. ଦୂର୍ବଳ ସ୍ଥିତିରେ ଥିବା ମଣିଷଙ୍କୁ ଘୃଣା ଚକ୍ଷୁରେ ଦେଖିବା ଅଧିକାଂଶ ମଣିଷଙ୍କ ସହଯାତ ପ୍ରବୃତ୍ତି। ଏଣୁ ସ୍ଥାନ, କାଳ ଓ ପାତ୍ର ଅନୁସାରେ କୈାଣସି ଏକ ଶବ୍ଦ ମାଧ୍ୟମରେ ନିଜର ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ଏହି ଦାଦନ ଓ ପ୍ରବାସୀ ଶବ୍ଦ ଦୁଇଟି ବର୍ତ୍ତମାନ ବ୍ୟବହାର ହେଉଛି।

    ReplyDelete
    Replies
    1. ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ ଧନ୍ୟବାଦ l

      Delete
    2. Good one , your articles are lucid in narration , relevant , timely and based on hard facts . That shows your effort in meticulous research . You are an inspiration , Hats off

      Delete
  9. Read this blog after two years of its publication by the Author who has been emotionally moved to flag the humiliation being meted to the Odia workers/ labour, engaged in nation building in various activities, as they headed back towards their native state during the advent of pandemic. Where else, they would have headed, except their native village where their own people were staying? To address them as Dadan labour is really painful, demeaning and humiliating. Thanks to the Author for venting out his feelings so forcefully candidly. T Maharana

    ReplyDelete

Post a Comment

Popular posts from this blog

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍