Skip to main content

ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପର ଔଚିତ୍ୟ

ଦେଶବାସୀଙ୍କ ଧ୍ୟାନ କରୋନା ମହାମାରୀ ଉପରେ କେନ୍ଦ୍ରିତ ଥିଲା ବେଳେ ଏହି ବିପତ୍ତି ସମୟରେ ଦିଲ୍ଲୀରେ ପ୍ରସ୍ତାବିତ ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପକୁ ଆଗେଇ ନେବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ଜମି ବ୍ୟବହାରର କିସମ ପରିବର୍ତ୍ତନ ପାଇଁ ବିଜ୍ଞପ୍ତି ଜାରି କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ତତ୍ପରତା ପ୍ରଦର୍ଶିତ ହେଲା, ତାହା ଅନେକଙ୍କୁ ବିସ୍ମିତ କଲା । ଦେଶ ଏକ ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ବେଳେ ଏ ଭଳି ଏକ ବ୍ୟୟବହୁଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାର ଔଚିତ୍ୟକୁ ନେଇ ବିରୋଧୀ ଦଳ ସମେତ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବାରୁ ଏହି ପ୍ରସ୍ତାବିତ ପ୍ରକଳ୍ପର ବିଭିନ୍ନ ଦିଗ ସମ୍ପର୍କରେ ଜାଣିବା ଆବଶ୍ୟକ ।

ନୂଆଦିଲ୍ଲୀର ପ୍ରସିଦ୍ଧ ରାଜପଥ ସଂଲଗ୍ନ ଉଭୟ ପାର୍ଶ୍ଵ ତଥା ଆଖପାଖ ଅଞ୍ଚଳରେ ପ୍ରସ୍ତାବିତ ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ଅଧୀନରେ ଯେଉଁ ସବୁ ନିର୍ମାଣ କାର୍ଯ୍ୟର ପରିକଳ୍ପନା କରାଯାଇଛି ସେଗୁଡିକ ମଧ୍ୟରେ ପ୍ରମୁଖ ହେଉଛି ଏବର ସଂସଦ ଭବନକୁ ଲାଗି ଏକ ନୂଆ ତିନିକୋଣିଆ ସଂସଦ ଭବନର ନିର୍ମାଣ । ଏଥିରେ ଲୋକସଭା ପାଇଁ ୯୦୦ରୁ ୧୦୦୦ ସଦସ୍ୟ ବସି ପାରିବା ଭଳି ଏକ କକ୍ଷ ନିର୍ମାଣ ହେବ । ଆବଶ୍ୟକ ସ୍ଥଳେ ଲୋକସଭା ଓ ରାଜ୍ୟସଭାର ଯୌଥ ଅଧିବେଶନ ଏହି କକ୍ଷରେ ଆୟୋଜନ କରାଯାଇ ପାରିବ, ଯାହା ବର୍ତ୍ତମାନ ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେଉଛି । ଏଥିରେ ପ୍ରତ୍ୟେକ ସାଂସଦଙ୍କ ପାଇଁ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା ରହିବ, ଯେଉଁଠାରେ ତାଙ୍କର ସହାୟକ ଓ ଗବେଷଣା କର୍ମୀ ମଧ୍ୟ ସୁରୁଖୁରୁରେ କାମ କରିପାରିବେ । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୨୨ରେ ସଂସଦର ଅଧିବେଶନ ଏହି ନୂତନ ସଂସଦ ଭବନରୁ ଆରମ୍ଭ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସଂସଦ ଭବନର ବିପରୀତ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ନୂଆ ନିବାସ ତଥା କାର୍ଯ୍ୟାଳୟ ନିର୍ମାଣ ହେବ । ଶୁଣାଯାଏ, ପ୍ରାଥମିକ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ନୂଆ ବାସଭବନର ପରିକଳ୍ପନା ନ ଥିଲା, ଯାହା ପରେ ଯୋଡାଗଲା । ସେହିପରି ପ୍ରକଳ୍ପର ଗୋଟିଏ ପାର୍ଶ୍ଵରେ ଉପ ରାଷ୍ଟ୍ରପତିଙ୍କ ଲାଗି ଏକ ନୂଆ ନିବାସ ନିର୍ମାଣ ହେବ । ରାଜପଥର ଉଭୟ ପାର୍ଶ୍ଵରେ ୮-୧୦ଟି ସାତ ତାଲା ବିଶିଷ୍ଟ ସୌଧ ନିର୍ମାଣ କରାଯିବ ଯେଉଁଠାରେ ଏକ ଏକୀକୃତ କେନ୍ଦ୍ର ସଚିବାଳୟ କାର୍ଯ୍ୟ କରିବ । ଫଳରେ ଏବେ ଦିଲ୍ଲୀର ଅଲଗା ଅଲଗା ସ୍ଥାନରେ ବେସରକାରୀ ପରିସରରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଗୋଟିଏ ସ୍ଥାନରୁ କାମ କରି ପାରିବେ । ପ୍ରସିଦ୍ଧ ‘ଇଣ୍ଡିଆ ଗେଟ’ର ଐତିହାସିକ ଗୁରୁତ୍ୱ ଓ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ସୌଧଗୁଡିକର ଉଚ୍ଚତା ତାଠାରୁ କମ ରଖିବାକୁ ସ୍ଥିର ହୋଇଛି । ଏହି ସୌଧଗୁଡିକ ମଧ୍ୟରେ ଉତ୍ତମ ସଂଯୋଗ ରକ୍ଷା କରିବା ପାଇଁ ରାଜପଥରେ ଏକ ଭୂତଳ ମେଟ୍ରୋ ଚଳାଚଳ ତଥା ପଦଚାରୀଙ୍କ ପାଇଁ ଏକ ପାଦଚଲା ସବ୍‌ଓ୍ଵେ ନିର୍ମାଣ କରିବା ସହ ସମଗ୍ର ରାଜପଥର ସୌନ୍ଦର୍ଯ୍ୟୀକରଣ କରାଯିବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ୧୦ଟି ସୌଧକୁ ସମ୍ପୂର୍ଣ୍ଣ ଧରାଶାୟୀ କରିବାକୁ ହେଉଛି ତନ୍ମଧ୍ୟରେ ରହିଛି ଶାସ୍ତ୍ରୀ ଭବନ, ଉଦ୍ୟୋଗ ଭବନ, କୃଷି ଭବନ, ବିଜ୍ଞାନ ଭବନ, ଲୋକନାୟକ ଭବନ ଓ ଉପରାଷ୍ଟ୍ରପତିଙ୍କ ନିବାସ । ତେବେ ୨୦୧୧ରେ ନିର୍ମାଣ ହୋଇ ସେଠାରେ ବିଦେଶ ମନ୍ତ୍ରାଳୟ କାର୍ଯ୍ୟ କରୁଥବା ଜବାହରଲାଲ ନେହରୁ ଭବନଟିକୁ ଭାଙ୍ଗିବା ନିଷ୍ପତ୍ତି ଏବେ ବିବାଦ ଘେରରେ ରହିଛି । ସେହିପରି ଜାତୀୟ ମ୍ୟୁଜିୟମ ଏକ ଐତିହ୍ୟ ମାନ୍ୟତାପ୍ରାପ୍ତ ସୌଧ ହୋଇଥିବାରୁ ତାହା ଭଙ୍ଗାଯିବାର ମଧ୍ୟ ବିରୋଧ ହେଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସାଉଥ ବ୍ଲକ ଓ ରାଷ୍ଟ୍ରପତି ଭବନ ପରିସର ସଂଲଗ୍ନ ଅଞ୍ଚଳରେ ନିର୍ମିତ ସମସ୍ତ ଅସ୍ଥାୟୀ ଗୃହକୁ ହଟାଇ ତା ସ୍ଥାନରେ ଏକ ଜୈବ-ବିବିଧ ଉଦ୍ୟାନ ପ୍ରତିଷ୍ଠା କରାଯିବ । କେବଳ ସେତିକି ନୁହେଁ, ଏବର ନର୍ଥ ବ୍ଲକ ଓ ସାଉଥ ବ୍ଲକରେ ଚାଲୁଥିବା ସମସ୍ତ କାର୍ଯ୍ୟାଳୟକୁ ସେଠାରୁ ନୂତନ ସୌଧଗୁଡିକୁ ସ୍ଥାନାନ୍ତରିତ କରି ଖାଲି ହୋଇଥିବା ବ୍ଲକ ଦୁଇଟିକୁ ଜାତୀୟ ମ୍ୟୁଜିୟମରେ ପରିବର୍ତ୍ତିତ କରାଯିବାର ଯୋଜନା ରହିଛି । ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପଟିକୁ ୨୦୨୪ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଥିପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ଦିଲ୍ଲୀର ପ୍ରଖ୍ୟାତ ରାଇସିନା ହିଲରେ ରାଜପଥର ଉଭୟ ପାର୍ଶ୍ଵରେ ଅବସ୍ଥିତ ଓ ଦେଶର କ୍ଷମତା ଅଳିନ୍ଦ (ପାଓ୍ଵାର କରିଡର) ଭାବେ ବିଦିତ ନର୍ଥ ବ୍ଲକ ଓ ସାଉଥ ବ୍ଲକରେ ବିଭିନ୍ନ ମନ୍ତ୍ରାଳୟର କାର୍ଯ୍ୟାଳୟମାନ ଦଶନ୍ଧି ଦଶନ୍ଧି ଧରି କାର୍ଯ୍ୟ କରି ଆସୁଛି । ତେବେ ସ୍ଥାନାଭାବ ଯୋଗୁ ଏବେ ଅନେକ କେନ୍ଦ୍ରୀୟ କାର୍ଯ୍ୟାଳୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବେସରକାରୀ ପରିସରରେ ଚାଲିଛି ଓ ଏଥିପାଇଁ ବାର୍ଷିକ ପ୍ରାୟ ଏକ ହଜାର କୋଟି ଟଙ୍କା ଭଡା ଆକାରରେ ଦେବାକୁ ହେଉଛି । ଏହା ଛଡା ଗୋଟିଏ କାର୍ଯ୍ୟାଳୟରୁ ଅନ୍ୟ କାର୍ଯ୍ୟାଳୟକୁ ଯିବା ଆସିବା କରିବା ପାଇଁ ସମୟ ନଷ୍ଟ ସହ ଅଯଥା ଖର୍ଚ୍ଚାନ୍ତ ହେବାକୁ ହେଉଛି ଓ ଟ୍ରାଫିକ ଭିଡ ତଥା ପ୍ରଦୂଷଣ ସମସ୍ୟାମାନ ମଧ୍ୟ ଦେଖା ଦେଉଛି । ଉପରୋକ୍ତ ବ୍ଲକ ଦୁଇଟି ପୁରୁଣା ହୋଇଯାଇଥିବାରୁ ଏବର ପରିବର୍ତ୍ତିତ ଆବଶ୍ୟକତାକୁ ତାହା ପୂରଣ କରିବାକୁ ଅସମର୍ଥ ହେଉଛି ବୋଲି କେତେକଙ୍କ ମତ । ଅବଶ୍ୟ ଏହି ବ୍ଲକରେ କାର୍ଯ୍ୟ କରିଥିବା ଅନ୍ୟ କେତେକ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କ ମତରେ ଏହାର ଅଭ୍ୟନ୍ତର (ଇଣ୍ଟିରିଅର)ରେ ପରିବର୍ତ୍ତନ କରି ବ୍ଲକ ଦୁଇଟିକୁ ଆହୁରି ଅନେକ ଦିନ ଯାଏଁ ଉପଯୋଗୀ କରି ରଖାଯାଇ ପାରିବ । ଏ ସବୁକୁ ଦୃଷ୍ଟିରେ ରଖି ଗୋଟିଏ ଜାଗାରେ ଏକ ଏକୀକୃତ କେନ୍ଦ୍ରୀୟ ସଚିବାଳୟ ପ୍ରତିଷ୍ଠାର ଆବଶ୍ୟକତା ଦୀର୍ଘ ଦିନ ଧରି ଅନୁଭୂତ ହେଉଥିଲା ଓ ଏ ସମ୍ପର୍କରେ ଆଲୋଚନା ହେଉଥିଲା ମଧ୍ୟ । ତେବେ କପିଲ କୋମିରେଡ୍ଡିଙ୍କ ‘ଦି କ୍ରିଟିକ’ ପତ୍ରିକାର ଅପ୍ରେଲ ୨୦୨୦ ସଂଖ୍ୟାରେ ପ୍ରକାଶିତ ଆଲେଖ୍ୟ ଅନୁଯାୟୀ ଏହି ପ୍ରକଳ୍ପର ମୂଳଦୁଆ ପ୍ରାୟ ୧୮ ବର୍ଷ ତଳେ ୨୦୦୨ ମସିହାରେ ପଡି ସାରିଥିଲା, ଯେତେବେଳେ ଏନଡିଏ ସରକାରଙ୍କ ଅମଳରେ ଶିବସେନାର ମନୋହର ଯୋଶୀ ବାଚସ୍ପତି ଆସନ ଅଳଙ୍କୃତ କରୁଥିଲେ । ଏଥି ପୂର୍ବରୁ ସେହି ବର୍ଷ ମାର୍ଚ୍ଚ ମାସ ଲୋକସଭାର ଦ୍ୱାଦଶ ବାଚସ୍ପତି ଜି ଏମ ସି ବାଲାଯୋଗୀଙ୍କର ଏକ ହେଲିକପ୍ଟର ଦୁର୍ଘଟଣାରେ ନିଧନ ହୋଇ ସାରିଥାଏ । ସେହିପରି ତାପରେ ଉପ ରାଷ୍ଟ୍ରପତି କୃଷ୍ଣକାନ୍ତ ଜୁଲାଇ ମାସରେ ପ୍ରାଣ ହରାଇଥାନ୍ତି । ପୂର୍ବରୁ ରାଜେଶ ପାଇଲଟ, ମାଧବ ରାଓ ସିନ୍ଦିଆଙ୍କ ଭଳି ସାଂସଦଙ୍କର ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଥାଏ । ୨୦୦୧, ଡିସେମ୍ବର ୧୩ରେ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏକ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଥାଏ । କ୍ରମାଗତ ଭାବେ ଘଟିଥିବା ଏତେ ସବୁ ଅଘଟଣ ଓ ଦୁର୍ଘଟଣାକୁ ସହଜରେ ଗ୍ରହଣ କରି ପାରି ନ ଥିବା ଯୋଶୀ ଏହାର କାରଣ ଓ ନିରାକରଣ ପାଇଁ ଜଣେ ବାସ୍ତୁଶାସ୍ତ୍ରୀଙ୍କ ସହ ପରାମର୍ଶ କଲେ । ସଂସଦ ଭବନରେ ଥିବା ବାସ୍ତୁଗତ ଦୋଷକୁ ନିରୀକ୍ଷଣ କରି ବାସ୍ତୁଶାସ୍ତ୍ରୀ ଜଣକ ଶେଷରେ ଉପନୀତ ହେଲେ ଯେ ସଂସଦ ଭବନର ସେଣ୍ଟ୍ରାଲ ହଲର ବୃତ୍ତାକାର ଛାତ ହିଁ ସେଠାରେ ନକରାତ୍ମକ ତରଙ୍ଗ ଓ ଶକ୍ତି ପ୍ରବାହର ମୂଳ କାରଣ ଓ ଏହା ଶୂନ୍ୟ ଆକାରର ହୋଇଥିବାରୁ ସବୁ କିଛିର ଶୂନରେ ପରିସମାପ୍ତି ହେବା ସ୍ୱାଭାବିକ । ଏହାର ପ୍ରତିକାର କେବଳ ମାତ୍ର ସଂସଦକୁ ଏକ ନୂତନ ସୌଧକୁ ସ୍ଥାନାନ୍ତର କରିବା ବୋଲି ସେ ପ୍ରସ୍ତାବ ଦେଇଥିଲେ । ଏନଡିଏ ସରକାର ଶାସନରୁ ଯିବା ପରେ ଏହି ପ୍ରସ୍ତାବ ଆଉ କାର୍ଯ୍ୟକାରୀ ହୋଇ ନଥିଲା । ୨୦୧୨ ମସିହାରେ ୟୁପିଏ ଶାସନ କାଳରେ ଏହା ପୁଣି ଥରେ ଆଲୋଚନା ହୋଇଥିଲେ ମଧ୍ୟ କମିଟି ସ୍ତରରେ ହିଁ ପ୍ରସ୍ତାବଟି ଅଗ୍ରାହ୍ୟ ହୋଇ ଯାଇଥିଲା । ୨୦୧୪ରେ ଏନଡିଏ ସରକାର କ୍ଷମତାସୀନ ହେବା ପରେ ପୁଣି ଥରେ ପ୍ରସ୍ତାବଟି ଜୀବନ୍ୟାସ ପାଇଲା, ଅବଶ୍ୟ ଏ ଥର ତାହା କେବଳ ଏକ ନୂଆ ସଂସଦ ଭବନ ନିର୍ମାଣ ମଧ୍ୟରେ ସୀମିତ ନ ରହି ଏକ ମହତ୍ୱାକାଂକ୍ଷୀ ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପର ରୂପ ନେଲା ।

ସରକାର ଦିଲ୍ଲୀର ସମ୍ଭ୍ରାନ୍ତ ରାଇସିନା ହିଲ ଇଲାକାରେ ଯେ କିଛି ବଡ ଧରଣର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ହାତକୁ ନେବାକୁ ଯାଉଛନ୍ତି ସେ ସଂକ୍ରାନ୍ତରେ ୨୦୧୫ ମସିହା ମେ ମାସରେ ପ୍ରଥମେ ଆଭାସ ମିଳିଥିଲା, ଯେତେବେଳେ ଦିଲ୍ଲୀକୁ ୟୁନେସ୍କା ଦ୍ୱାରା ଭାରତର ପ୍ରଥମ ସହର ଭାବେ ‘ହେରିଟେଜ ସିଟି’ର ମାନ୍ୟତା ମିଳିବା ଏକ ପ୍ରକାର ଶେଷ ପର୍ଯ୍ୟାୟରେ ଉପନୀତ ହୋଇଥିବା ବେଳେ ଭାରତ ସରକାର ମନୋନୟନ ପ୍ରକ୍ରିୟାରୁ ଓହରି ଯାଇଥିଲେ । ଉଲ୍ଲେଖଯୋଗ୍ୟ, ସରକାରଙ୍କ ବିଭିନ୍ନ ସଂସ୍ଥାଙ୍କ ଦ୍ୱାରା ବର୍ଷ ବର୍ଷର ଅକ୍ଳାନ୍ତ ପରିଶ୍ରମ ଓ ଯଥେଷ୍ଟ ଅର୍ଥ ବ୍ୟୟ ପରେ ୟୁନେସ୍କା ଦ୍ୱାରା ଦିଲ୍ଲୀ ହେରିଟେଜ ସିଟିର ମାନ୍ୟତା ପାଇବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଥିବା ବେଳେ ସରକାର ସେଥିରୁ ଓହରି ଯିବା ଅନେକଙ୍କୁ ବିସ୍ମିତ କରିଥିଲା । ତେବେ ହେରିଟେଜ ସିଟିର ମାନ୍ୟତା ପାଇଲା ପରେ ପୁରୁଣା ସୌଧ ଓ ନିର୍ମାଣକୁ ଭାଙ୍ଗି ବା ବଦଳାଇ ଅନ୍ୟ କୌଣସି ନିର୍ମାଣ କାର୍ଯ୍ୟ ହାତକୁ ନେଇ ହେବ ନାହିଁ ବୋଲି ଆଶଙ୍କା କରି ସରକାର ଏ ଭଳି ଏକ ସମ୍ମାନଜନକ ମାନ୍ୟତାକୁ ହାତଛଡା କରିବାକୁ ଅଧିକ ପସନ୍ଦ କଲେ ବୋଲି କୁହାଯାଏ ।
     
ବ୍ରିଟେନର ସଂସଦ, ଉଭୟ ହାଉସ ଅଫ କମନସ ଓ ହାଉସ ଅଫ ଲର୍ଡସ, ଓ୍ଵେଷ୍ଟମିନଷ୍ଟର ପ୍ୟାଲେସରୁ ଶହ ଶହ ବର୍ଷ ଧରି କାର୍ଯ୍ୟ କରି ଆସୁଛି । ୧୮୩୪ ମସିହାରେ ପୁରୁଣା ସୌଧଟି ନିଆଁରେ ଜଳି ଯିବା ପରେ ସେଠାରେ ଏବେକାର ସୌଧଟି ନିର୍ମାଣ କରା ଯାଇଥିଲା । ୧୮୪୦ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଚାର୍ଲସ ବାରୀ ଓ ଅଗଷ୍ଟସ ପୁଗିନଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇ ୧୮୭୬ ମସିହାରେ ସରିଥିଲା । ଏଇ ଦୀର୍ଘ ଦିନ ଭିତରେ ଏହି ସୌଧଟି ବ୍ରିଟେନର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ଏପରି ଏକ ପ୍ରତୀକ ଓ ଅଭିନ୍ନ ଅଙ୍ଗ ହୋଇ ସାରିଛି ଯେ ସେଠାକାର ଶାସନ ବ୍ୟବସ୍ଥା ଓ୍ଵେଷ୍ଟମିନଷ୍ଟର ଶାସନ ବ୍ୟବସ୍ଥା ଭାବେ ମଧ୍ୟ ବିଦିତ । ତେବେ ସୌଧଟି ୧୫୦ ବର୍ଷ ପୁରୁଣା ହୋଇ ସାରିଥିଲେ ମଧ୍ୟ ତା ସ୍ଥାନରେ ସଂସଦର ବୃହତ୍ତର ଆବଶ୍ୟକତା ପାଇଁ ଏକ ନୂଆ ସୌଧ ନିର୍ମାଣ କଥା ନା କେବେ କାହା ମୁଣ୍ଡକୁ ଆସିଛି ନା କେବେ ସେ ସମ୍ପର୍କରେ ଆଲୋଚନା ହୋଇଛି, କାରଣ ଦେଶ ଶାସନରେ ନିଆ ଯାଇଥିବା ଅନେକ ଐତିହାସିକ ନିଷ୍ପତ୍ତିର ଇଏ ହେଉଛି ମୂକସାକ୍ଷୀ । ଇତିମଧ୍ୟରେ ୟୁନେସ୍କା ତରଫରୁ ୧୯୮୭ରୁ ଏହି ସୌଧ ଥିବା ଅଞ୍ଚଳଟିକୁ ଐତିହ୍ୟ ଅଞ୍ଚଳ ଭାବେ ସ୍ୱୀକୃତି ମିଳି ସାରିଛି । ସେହିପରି ବ୍ରିଟିଶ ଶାସନ ସମୟରେ ଦେଶର ରାଜଧାନୀ କୋଲକାତାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ ହେବା ପରେ ସଂସଦ ଭବନ ନିର୍ମାଣ କାର୍ଯ୍ୟ ୧୯୨୧ରେ ଆରମ୍ଭ ହୋଇ ୧୯୨୭ରେ ସରିଲା, ଯାହାର ସ୍ଥପତି ଥିଲେ ଏଡଓ୍ଵିନ ଲ୍ୟୁଟେନ ଓ ହର୍ବର୍ଟ ବେକର । ହେଲେ କେନ୍ଦ୍ରୀୟ ସଚିବାଳୟ ଭାବେ ବିଦିତ ନର୍ଥ ବ୍ଲକ ଓ ସାଉଥ ବ୍ଲକର କାମ ହର୍ବର୍ଟ ବେକରଙ୍କ ତତ୍ତ୍ଵାବଧାନରେ ୧୯୧୨ରେ ଆରମ୍ଭ ହୋଇ ୧୯୨୭ରେ ସରିଥିଲା । ଭାରତ ପାଇଁ ସଂସଦ ଭବନ, ନର୍ଥ ବ୍ଲକ ଓ ସାଉଥ ବ୍ଲକ ସୌଧଗୁଡିକ ମଧ୍ୟ ଅନେକ ଗୁରୁତ୍ୱ ବହନ କରେ, କାରଣ ଦେଶ ସ୍ୱାଧୀନତାଠାରୁ ଆରମ୍ଭ କରି, ସମ୍ବିଧାନ ପ୍ରଣୟନ, ନୀତି ନିଷ୍ପତ୍ତି ନିର୍ଦ୍ଧାରଣର ମୂକସାକ୍ଷୀ ଏମାନେ । ତେଣୁ ଏହି ସୌଧଗୁଡିକୁ ଅଦରକାରୀ ଘୋଷଣା କରିବା ପୂର୍ବରୁ ଏ ନେଇ ବ୍ରିଟେନର ଦୃଷ୍ଟିଭଙ୍ଗୀକୁ ମଧ୍ୟ ବିବେଚନା କରିବା ଉଚିତ ନୁହେଁ କି?
    
ସାଧାରଣ ସମୟରେ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ପାଇଁ ରାଜକୋଷରୁ ପ୍ରାୟ ୩୦୦୦ କୋଟି ଟଙ୍କା ବ୍ୟୟ ହେବାରେ କିଛି ଲୋକଙ୍କ ଭୃକୁଞ୍ଚନ ସତ୍ତ୍ଵେ ଜନତା ହୁଏତ ତାକୁ ଗ୍ରହଣ କରି ନେଇ ପାରିଥାନ୍ତି । ଏବେ ତ ସହଜେ ଦେଶ ଏକ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଅର୍ଥନୀତିକୁ ପୁନରୁଜ୍ଜୀବିତ କରିବା ପାଇଁ ଅତ୍ୟଧିକ ସରକାରୀ ସହାୟତାର ଆବଶ୍ୟକତା ରହିଛି । ଅର୍ଥନୀତିର ବିଭିନ୍ନ କ୍ଷେତ୍ର କରୋନାଜନିତ ସ୍ଥିତିରେ ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଆର୍ଥିକ ସହାୟତା ମାଧ୍ୟମରେ ସେଗୁଡିକୁ ରାସ୍ତାକୁ ଆଣି ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ବ୍ୟବସ୍ଥିତ କରିବା ସରକାରଙ୍କ ପ୍ରାଥମିକତା ହେବା ଆବଶ୍ୟକ । ଏଥିପାଇଁ ସମ୍ବଳର ଘୋର ଅଭାବ ଥିବାରୁ ଉପଲବ୍ଧ ସମ୍ବଳର ନ୍ୟାୟସଙ୍ଗତ ବିନିଯୋଗ ଯେ କୌଣସି ସରକାରଙ୍କର କର୍ତ୍ତବ୍ୟ ହେବା ଉଚିତ । ତେଣୁ ଏ ପରି ସମୟରେ ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ପୁଞ୍ଜି ଆବଣ୍ଟନ କରିବା କଥା ଯେମିତି ଗ୍ରହଣୀୟ ନୁହେଁ, ଠିକ ସେହିପରି ୨୦ ହଜାର କୋଟି ଟଙ୍କା ବ୍ୟୟରେ ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପ ନିର୍ମାଣର ଔଚିତ୍ୟକୁ ନେଇ ପ୍ରଶ୍ନ ଉଠୁଥିବାରୁ ତାକୁ ମଧ୍ୟ ଗ୍ରହଣ କରି ହେବନାହିଁ । ଏମିତିରେ ସଂସଦ ତ ଏବେକାର ସଂସଦ ଭବନରେ ଚାଲି ପାରୁଛି । ପ୍ରଧାନମନ୍ତ୍ରୀ, ଉପ ରାଷ୍ଟ୍ରପତି ରହୁଥିବା ବାସଭବନ ତ ମର୍ଯ୍ୟାଦାର ସହିତ ଏବେ ବି ଦଣ୍ଡାୟମାନ, ଯେଉଁଠାରୁ ସେମାନଙ୍କୁ କାମ କରିବାକୁ ଖୁବ ବେଶି ଅସୁବିଧା ହେଉଥିବାର ତଥ୍ୟ ଅନ୍ତତଃ ସାଧାରଣରେ ଉପଲବ୍ଧ ନାହିଁ । ତେଣୁ ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ ନ କରି ଏହାକୁ, ସ୍ଥିତି ସାମାନ୍ୟ ହେବା ଯାଏଁ , କିଛି ବର୍ଷ ଲାଗି ଘୁଞ୍ଚାଇ ଦିଆ ଯାଇପାରେ । ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଗୋଟିଏ ସ୍ଥାନକୁ ଆଣି ଏକ ଏକୀକୃତ କେନ୍ଦ୍ରୀୟ ସଚିବାଳୟର ନିର୍ମାଣ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ବି ତାହା ସାମାନ୍ୟ ବିଳମ୍ବ ହେଲେ ସେପରି ବିଶେଷ ଅଧିକ ଅସୁବିଧା ହୋଇ ନ ପାରେ । ଏବର ପରିବର୍ତ୍ତିତ ଅସାଧାରଣ ପରିସ୍ଥିତି, ଯେତେବେଳେ ସମ୍ବଳ ଅଭାବରୁ ସାଂସଦଙ୍କ ହାତପାଣ୍ଠିକୁ ପ୍ରତ୍ୟାହାର କରିବାକୁ ହେଉଛି ଓ କର୍ମଚାରୀଙ୍କ ମହଙ୍ଗା ଭତ୍ତା ନ ବଢାଇ ସ୍ଥିର ରଖିବାକୁ ହେଉଛି, ସେତେବେଳେ ୨୦ ହଜାର କୋଟି ଟଙ୍କା ବ୍ୟୟରେ ଏ ଭଳି ଏକ ବ୍ୟୟବହୁଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା କେତେ ଦୂର ସମୀଚୀନ ? ଦେଶ ଆଗରେ ଆହୁରି ଅନେକ ବଡ ବଡ ସମସ୍ୟା ଉଭା ହୋଇଥିଲା ବେଳେ ସରକାର ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପକୁ ପ୍ରାଥମିକତା ଦେଇ କାର୍ଯ୍ୟକାରୀ କରିବା ଉଚିତ ମନେ ହେଉନାହିଁ ଓ ତାହାର ପୁନର୍ବିଚାର କରିବାର ଆବଶ୍ୟକତା ଅନୁଭୂତ ହେଉଛି ।


Published in Odisha Reporter on May 01, 2020


Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍