ଭାରତରେ ଲକଡାଉନର ପ୍ରଭାବ କୃଷି କ୍ଷେତ୍ର ଉପରେ ଏପରି ପଡିଛି ଯେ ଚାଷୀ ତା ଉତ୍ପାଦିତ ଫସଲ ଅମଳ ଓ ବିକ୍ରି କରିବା ପାଇଁ ଅସମର୍ଥ ହୋଇ ବିଲରେ ନଷ୍ଟ ହେବାକୁ ଛାଡି ଦେଉଥିବା ବେଳେ ସହରମାନଙ୍କରେ ଆବଶ୍ୟକ ପରିମାଣର ପନିପରିବା ଉପଲବ୍ଧ ହେଉ ନଥିବାରୁ ଗ୍ରାହକମାନେ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି । ଏହି ପରିସ୍ଥିତି ଆଉ କିଛି ଦିନ ଲାଗି ରହିଲେ ଆଗାମୀ ଦିନରେ କେବଳ ପନିପରିବା ନୁହେଁ ବରଂ ଦେଶରେ ସବୁ ପ୍ରକାର ଖାଦ୍ୟଦ୍ରବ୍ୟର ଉପଲବ୍ଧତା ହ୍ରାସ ପାଇ ଦରଦାମ ହୁ ହୁ ହୋଇ ବଢିପାରେ ବୋଲି କେହି କେହି ଏବେଠୁ ଆଶଙ୍କା ବ୍ୟକ୍ତ କଲେଣି । ବିଭିନ୍ନ ଦେଶ କରୋନା ଭାଇରସ ବିପତ୍ତିର ସୁପରିଚାଳନା କରିବାକୁ ଅସମର୍ଥ ହେଲେ ବିଶ୍ୱବ୍ୟାପୀ ଏକ ଉତ୍କଟ ଖାଦ୍ୟସଙ୍କଟ ଦେଖା ଦେଇପାରେ ବୋଲି ଇତିମଧ୍ୟରେ ଖାଦ୍ୟ ଓ କୃଷି ସଂଗଠନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱ ବାଣିଜ୍ୟ ସଂଗଠନ ମିଳିତ ଭାବେ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି । ଅଧିକାଂଶ ଦେଶ ଲକଡାଉନକୁ ପାଳନ କରୁଥିବାରୁ ଅନ୍ତର୍ଜାତୀୟ ବାଣିଜ୍ୟ ଯଥେଷ୍ଟ ହ୍ରାସ ପାଇବା ସହ ଖାଦ୍ୟ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ) ଅତିମାତ୍ରାରେ ବାଧାପ୍ରାପ୍ତ ହୋଇସାରିଛି । ଅବଶ୍ୟ ଭାରତରେ ଆବଶ୍ୟକ ପରିମାଣରେ ଖାଦ୍ୟଶସ୍ୟ ଗଚ୍ଛିତ ଥିବାରୁ ଦେଶବାସୀ ସେଥିପାଇଁ ଚିନ୍ତିତ ହେବାର କାରଣ ନାହିଁ ବୋଲି ସରକାର ଆଶ୍ୱାସନା ଦେଇ ଆସୁଥିଲେ ମଧ୍ୟ ସାରା ବିଶ୍ୱରେ କରୋନାଜନିତ ଖାଦ୍ୟ ସଙ୍କଟ ଦେଖା ଦେବାର ଆଶଙ୍କା ପ୍ରକାଶ ପାଇ ସାରିଥିବାରୁ ଭାରତ ଯେ ସେଥିରେ ସମ୍ପୂର୍ଣ୍ଣ ଭାବେ ଅପ୍ରଭାବିତ ରହିବ, ତାହା ଗ୍ରହଣ କରି ହେଉନାହିଁ ।
୨୦୦୮ ମସିହାରେ ସାରା ବିଶ୍ୱ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସେହି ବର୍ଷ ଜାନୁଆରୀରୁ ଜୁନ ମଧ୍ୟରେ ବିଶ୍ୱ ବଜାରରେ ଚାଉଳର ଦର ହଠାତ ଟନ ପିଛା ୩୦୦ ଡଲାରରୁ ବଢି ୧୨୦୦ ଡଲାର ଛୁଇଁଲା । ଏହାର ପ୍ରମୁଖ କାରଣ ଥିଲା ଭାରତ ଓ ଭିଏତନାମ ଚାଉଳ ରପ୍ତାନୀ ପରିମାଣ ଉପରେ କଟକଣା ଲଗାଇବା । ଅବଶ୍ୟ ପରେ ଇଜିପ୍ଟ, ପାକିସ୍ତାନ ଓ ବ୍ରାଜିଲ ମଧ୍ୟ ସେମାନଙ୍କ ଦେଶରୁ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ ତୈଳ ରପ୍ତାନୀକାରୀ ଦେଶଙ୍କ ସଂଗଠନ ଓପେକ ଢାଂଚାରେ ଚାଉଳ ରପ୍ତାନୀକାରୀ ଦେଶଙ୍କ ଏକ ସଂଗଠନ ତିଆରି କରି ଚାଉଳର ଦର ନିର୍ଦ୍ଧାରଣ କରିବା ପାଇଁ ଥାଇଲାଣ୍ଡ ପ୍ରସ୍ତାବ ଦେଇଥିଲା । ଅବଶ୍ୟ ସେହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରି ନଥିଲା । ଚାଉଳକୁ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରି ଆମଦାନୀ ଉପରେ ନିର୍ଭର କରୁଥିବା ପଶ୍ଚିମ ଆଫ୍ରିକାର କିଛି ଦେଶ ଓ ସର୍ବାଧିକ ପରିମାଣର ଚାଉଳ ଆମଦାନୀ କରୁଥିବା ଫିଲିପାଇନ୍ସ, ଏହି ଦରବୃଦ୍ଧିରେ ଅନେକଟା ପ୍ରଭାବିତ ହୋଇଥିଲେ । ହାଇତିରେ ଖାଦ୍ୟ ପାଇଁ ଦଙ୍ଗା ହୋଇ ଛଅ ଜଣଙ୍କୁ ପ୍ରାଣ ହରାଇବାକୁ ପଡିଥିଲା । ଫଳରେ ସେଠାକାର ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ହୋଇଥିଲା । ଏହି ସମୟରେ ଚୁକ୍ତି ଅନୁଯାୟୀ ଜାପାନ ନିକଟରୁ ଆମେରିକା କିଣିବାକୁ ଥିବା ଚାଉଳକୁ ଆମେରିକାକୁ ନ ପଠାଇ ବିଶ୍ୱ ବଜାରରେ ତାହା ବିକ୍ରି କରିବା ପାଇଁ ଆମେରିକା ଜାପାନକୁ ଅନୁମତି ଦେବାରୁ ସପ୍ତାହକ ମଧ୍ୟରେ ଚାଉଳ ଦର ପ୍ରାୟ ୧୪ ପ୍ରତିଶତ ହ୍ରାସ ପାଇଥିଲା ଓ ସେହି ବର୍ଷ ଡିସେମ୍ବର ସୁଦ୍ଧା ଚାଉଳର ଦର ଅନେକଟା ନିୟନ୍ତ୍ରିତ ହୋଇ ପାରିଥିଲା । ଅର୍ଥାତ୍, ବିଶ୍ୱ ବଜାରରେ ଖାଦ୍ୟଶସ୍ୟର ପ୍ରକୃତ ଅଭାବ ନ ଥିଲେ ମଧ୍ୟ ଯୋଗାଣ ଶୃଙ୍ଖଳରେ ବାଧା ଉତ୍ପନ୍ନ ହୋଇ ସେତେବେଳେ ଦର ବୃଦ୍ଧି ସହ କୃତ୍ରିମ ଅଭାବ ସୃଷ୍ଟି ହୋଇଥିଲା ।
ଆବଶ୍ୟକ ପରିମାଣରେ ଖାଦ୍ୟାନ୍ନ ଉତ୍ପାଦନ ନ ହେବା ଯୋଗୁ ବିଶ୍ୱରେ ଖାଦ୍ୟାଭାବ ଦେଖା ଦେବା ତ ସ୍ୱାଭାବିକ । ତେବେ ଏଥି ସହିତ ଉତ୍ପାଦିତ ଖାଦ୍ୟାନ୍ନ ନିରାପଦ ଭାବେ ଗଚ୍ଛିତ ନ ରହିଲେ ଓ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେଲେ ବିଶ୍ୱରେ ଖାଦ୍ୟସଙ୍କଟ ଉତ୍କଟ ହୋଇଥାଏ । ତେଣୁ କରୋନାଜନିତ ସ୍ଥିତିରେ ଏହି ଦିଗଗୁଡିକ ପ୍ରତି ଯେଉଁ ନୂତନ ଆହ୍ୱାନମାନ ସୃଷ୍ଟି ହୋଇଛି ତାହା ବିଶ୍ୱକୁ ଖାଦ୍ୟସଙ୍କଟ ଆଡକୁ ଟାଣି ନେଇ ଯାଇପାରେ । ବିଭିନ୍ନ ଦେଶରେ ଲକଡାଉନ ଯୋଗୁ କୃଷି ଶ୍ରମିକଙ୍କ ଅଭାବ ଦେଖା ଦେଇ ଶସ୍ୟ ଅମଳ ନ ହୋଇ ବିଲରେ ଠିଆ ହୋଇ ରହିଛି । ଭାରତରେ ପଞ୍ଜାବ, ହରିଆଣା ଆଦି ରାଜ୍ୟମାନଙ୍କରୁ ବିହାର ଓ ଉତ୍ତରପ୍ରଦେଶର ପ୍ରବାସୀ କୃଷି ଶ୍ରମିକମାନେ ଅଧିକ ସଂଖ୍ୟାରେ ନିଜ ରାଜ୍ୟକୁ ଫେରି ଯାଇଥିବାରୁ ସେଠାରେ ଗହମ ଫସଲ ଅମଳ ହୋଇ ପାରୁନାହିଁ । ଏହି ସ୍ଥିତି ଆଉ କିଛି ଦିନ ଲାଗି ରହିଲେ ସେଠାରେ ଗହମ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ଦେଖାଦେବ । ଭାରତର ଅନ୍ୟାନ୍ୟ ପ୍ରଦେଶମାନଙ୍କରେ ମଧ୍ୟ କୃଷି ଶ୍ରମିକଙ୍କ ଅଭାବ ଯୋଗୁ ଅନ୍ୟ ରବି ଫସଲଗୁଡିକର ଅମଳ ବାଧାପ୍ରାପ୍ତ ହୋଇଛି । ତା ଛଡା ଖାଦ୍ୟଶସ୍ୟ ସଂଗ୍ରହ, ବିକ୍ରି ଓ ଭଣ୍ଡାରରେ ଗଚ୍ଛିତ ରଖିବା ପାଇଁ ବି କୃଷି ଶ୍ରମିକଙ୍କ ଆବଶ୍ୟକତା ଥାଏ, ଯାହା ଏବେ ଉପଲବ୍ଧ ନୁହେଁ । ସଡକ ଓ ରେଳ ପରିବହନ ସାମାନ୍ୟ ହୋଇ ନଥିବାରୁ ବନ୍ଦରରେ ପଡି ରହିଥିବା ରାସାୟନିକ ସାର ଠିକ ସମୟରେ ଚାଷୀଙ୍କ ନିକଟରେ ପହଞ୍ଚିବା ନେଇ ଆଶଙ୍କା ଉତ୍ପନ୍ନ ହେଲାଣି, ଯଦ୍ଦ୍ୱାରା ଆଗାମୀ ଖରିଫ ଚାଷ ମଧ୍ୟ ପ୍ରଭାବିତ ହୋଇପାରେ । କରୋନା ଯୋଗୁ ବିଭିନ୍ନ ଦେଶ ନିଜ ଦେଶ ଭିତରକୁ ବିଦେଶୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇଥିବାରୁ ପ୍ରବାସୀ କୃଷି ଶ୍ରମିକମାନେ ସେଠାକୁ ଯାଇ ପାରୁନାହାନ୍ତିି । ଫଳରେ ନିୟମିତ ମେକ୍ସିକୋରୁ ଆମେରିକାକୁ ସାମୟିକ ଭାବେ ଆସୁଥିବା କୃଷି ଶ୍ରମିକଙ୍କୁ ଭିସା ପ୍ରଦାନ କରା ଯାଉନାହିଁ, ଯଦ୍ଦ୍ୱାରା ଆମେରିକାରେ ଫଳ, ପନିପରିବା ଅମଳ ପ୍ରଭାବିତ ହେବା ସହ ସେଠାକାର ସ୍ଲଟର ହାଉସଗୁଡିକରେ ଉତ୍କଟ ଶ୍ରମିକ ଅଭାବ ଦେଖାଦେବ ବୋଲି ଆଶଙ୍କା ବ୍ୟକ୍ତ ହୋଇସାରିଲାଣି । ଉତ୍ତର ଆଫ୍ରିକା ଓ ପୂର୍ବ ଇଉରୋପର ପ୍ରବାସୀ କୃଷି ଶ୍ରମିକଙ୍କୁ ପଶ୍ଚିମ ଇଉରୋପର ଦେଶଗୁଡିକୁ ଯିବା ଲାଗି ଅନୁମତି ମିଳୁ ନଥିବାରୁ ସେଠାରେ ମଧ୍ୟ ଫସଲ ଅମଳ ବାଧାପ୍ରାପ୍ତ ହୋଇଛି । ସେହି ଏକା କାରଣରୁ କୃଷି ଉତ୍ପାଦର ଅମଳ ପାଇଁ ବିଦେଶୀ କୃଷି ଶ୍ରମିକଙ୍କ ଉପରେ କିଛି ମାତ୍ରାରେ ନିର୍ଭର କରୁଥିବା ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, କାନାଡା, ବ୍ରିଟେନରେ କିଓି ଫଳ ତୋଳିବାଠାରୁ ଆରମ୍ଭ କରି ଲେଟ୍ୟୁସ ଓ ଷ୍ଟ୍ର ବେରିର ଅମଳ ଯାଏଁ ଏବଂ ମାଂସ ପ୍ରକ୍ରିୟାକରଣ ଶିଳ୍ପ ବି ଗମ୍ଭୀର ଭାବେ ପ୍ରଭାବିତ ହେବାକୁ ଲାଗିଲାଣି । ଏଦଦବ୍ୟତୀତ ପ୍ରମୁଖ ଖାଦ୍ୟ ଉତ୍ପାଦନକାରୀ ଦେଶଗୁଡିକରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପଗୁଡିକ ମଧ୍ୟ ବହୁଳ ଭାବେ ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭର କରୁଥିବାରୁ ସେହି ଶିଳ୍ପଗୁଡିକର ଉତ୍ପାଦନ ହ୍ରାସ ପାଇପାରେ । ବର୍ତ୍ତମାନ ସାରା ବିଶ୍ୱରେ ଗ୍ରାହକମାନେ ବ୍ୟବହାର କରୁଥିବା ଖାଦ୍ୟପଦାର୍ଥର ହାରାହାରି ୮୦ ପ୍ରତିଶତ ଯୋଗାଣ ଶୃଙ୍ଖଳ ମାଧ୍ୟମରେ ଉପଲବ୍ଧ ହୋଇଥାଏ । ଅର୍ଥାତ୍, ଗ୍ରାହକ ବ୍ୟବହାର କରୁଥିବା ଖାଦ୍ୟପଦାର୍ଥରୁ ଯେତିକି ସେହି ଦେଶ ବା ଅଞ୍ଚଳରେ ଉତ୍ପାଦିତ ହୋଇଥାଏ ତାର ପ୍ରାୟ ଚାରିଗୁଣ ବାହାରୁ ଆମଦାନୀ ହୋଇ ଆସିଥାଏ । ଏଭଳି ପରିସ୍ଥିତିରେ ଯଦି କୌଣସି କାରଣରୁ ଏହି ଯୋଗାଣ ଶୃଙ୍ଖଳଟି ବାଧାପ୍ରାପ୍ତ ହୁଏ ତେବେ ତାର ପରିଣାମ ସ୍ୱରୂପ ବିଭିନ୍ନ ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେଇଥାଏ । ଏବେ ଏହି ଶୃଙ୍ଖଳ ବାଧାପ୍ରାପ୍ତ ହେବାର ମୁଖ୍ୟ କାରଣ ପାଲଟିଛି କରୋନା ଆତଙ୍କ ଯୋଗୁ ବିଭିନ୍ନ ଦେଶ ଗ୍ରହଣ କରୁଥିବା ସତର୍କତାମୂଳକ ପଦକ୍ଷେପ । ବିଶ୍ୱ ବଜାରକୁ ସର୍ବାଧିକ ଚାଉଳ ରପ୍ତାନୀ କରୁଥିବା ଭାରତ ଓ ଭିଏତନାମ ଭଳି ଦେଶ ନିଜ ଦେଶରେ ଚାଉଳ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇ ସାରିଲେଣି । ସେହିପରି ଗହମ ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇ ସାରିଥିବା ଋଷିଆ ଇତିମଧ୍ୟରେ ସେଠାରୁ ସମସ୍ତ ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥ ରପ୍ତାନୀ ଉପରେ କଟକଣା ଲଗାଇଛି । ଆଗାମୀ ଦିନରେ ଅନ୍ୟାନ୍ୟ ଦେଶ ମଧ୍ୟ ନିଜ ଦେଶର ନାଗରିକଙ୍କ ସ୍ୱାର୍ଥରକ୍ଷା କରି ସେମାନଙ୍କ ଦେଶରେ ଉତ୍ପାଦିତ ହେଉଥିବା ଖାଦ୍ୟଦ୍ରବ୍ୟର ରପ୍ତାନୀ ଉପରେ କଟକଣା ଲଗାଇବା କିଛି ବିଚିତ୍ର ନୁହେଁ । ତେବେ ବିଶ୍ୱର ପ୍ରାୟ ସବୁ ଦେଶ ନିଜର ସବୁ ପ୍ରକାର ଖାଦ୍ୟଦ୍ରବ୍ୟର ଚାହିଦା ନିଜ ଦେଶ ବା ଅଞ୍ଚଳରୁ ଉତ୍ପାଦନ କରି ମେଣ୍ଟାଇବାକୁ ଅସମର୍ଥ ଥିବାରୁ ଭିନ୍ନ ଭିନ୍ନ ଖାଦ୍ୟଶସ୍ୟ ପାଇଁ ଅନ୍ୟ ଦେଶମାନଙ୍କ ଉପରେ ନିର୍ଭର କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥାନ୍ତି । ଯେମିତି ଦେଶରେ ଖାଇବା ତେଲ ଓ ଡାଲି ଜାତୀୟ ଶସ୍ୟର ଉତ୍ପାଦନ ଯଥେଷ୍ଟ ହେଉ ନଥିବାରୁ ଚାହିଦା ମେଣ୍ଟାଇବା ପାଇଁ ଭାରତ ବିଦେଶରୁ ଆମଦାନୀ ଉପରେ ନିର୍ଭର କରିଥାଏ । ସୁନିୟନ୍ତ୍ରିତ ଖାଦ୍ୟଶସ୍ୟ ସରବରାହ ଯୋଗାଣ ଶୃଙ୍ଖଳକୁ ବଳିଷ୍ଠ କରିଥାଏ ଓ ସେ କ୍ଷେତ୍ରରେ ସଡକ ଓ ରେଳପଥ ପରିବହନ ସହ, ଜଳପଥ ଓ ବାୟୁମାର୍ଗରେ ପରିବହନ ଏକ ବଡ ଭୂମିକା ନିର୍ବାହ କରିଥାଏ । ବିଶ୍ୱର ଅଧିକାଂଶ ପ୍ରମୁଖ ବନ୍ଦର ଏବେ କାର୍ଯ୍ୟକ୍ଷମ ନ ଥିବାରୁ ଜାହାଜ ଚଳାଚଳ ହୋଇ ଖାଦ୍ୟଦ୍ରବ୍ୟର ପରିବହନ ସାମାନ୍ୟ ହେବାକୁ ଆହୁରି ଅନେକ ସମୟ ଲାଗିବ । ତେଣୁ ଖାଦ୍ୟ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେଲେ ଦେଶ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇ ସମଗ୍ର ବିଶ୍ୱରେ ଖାଦ୍ୟପଦାର୍ଥ ଉପଲବ୍ଧତାର ସନ୍ତୁଳନ ବିଗିଡିଯିବ ଯଦ୍ଦ୍ୱାରା ଏକ ଭୟଙ୍କର ଖାଦ୍ୟ ସଙ୍କଟ ଉତ୍ପନ୍ନ ହେବ, ଏଥିରେ ସନ୍ଦେହ ନାହିଁ ।
ବିଶ୍ୱର ଖାଦ୍ୟ ବାଣିଜ୍ୟର ଏକ-ତୃତୀୟାଂଶ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶମାନଙ୍କ ଦ୍ୱାରା ହୋଇଥାଏ ଯେଉଁମାନେ ସେମାନଙ୍କ ଖାଦ୍ୟ ଆବଶ୍ୟକତା ପାଇଁ ଆମଦାନୀ ଉପରେ ନିର୍ଭରଶୀଳ । ଏହି ସବୁ ଦେଶରେ ନାଗରିକଙ୍କ ପାରିବାରିକ ବ୍ୟୟର ଏକ ବଡ ଅଂଶ ଖାଦ୍ୟଦ୍ରବ୍ୟ କିଣିବା ପାଇଁ ହୋଇଥାଏ । ଏମିତିରେ ପଶ୍ଚିମ ଆଫ୍ରିକାର ସାହାରା ସଂଲଗ୍ନ ଦେଶଗୁଡିକରେ କ୍ରମାଗତ ମରୁଡି ଓ ଅନ୍ୟ କାରଣ ଯୋଗୁ ଖାଦ୍ୟ ସଙ୍କଟ ଲାଗି ରହିଛି । ସମୁଦାୟ ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖା ଦେଲେ ଖାଦ୍ୟଦ୍ରବ୍ୟର ଖୁଚୁରା ମୂଲ୍ୟ ହଠାତ ବଢିଯିବ, ଯାହା ଫଳରେ ଲକଡାଉନ କାରଣରୁ ରୋଜଗାର ହରାଇଥିବା ବା ରୋଜଗାର କମ ହୋଇଥିବା ଉପରୋକ୍ତ ଦେଶଗୁଡିକର ଲୋକମାନଙ୍କ ଉପରେ ତାହା ବୋଝ ଉପରେ ନଳିତା ବିଡା ସଦୃଶ ହେବାର ଆଶଙ୍କା ଦେଖା ଦେବ । ପ୍ରତ୍ୟେକ ଦେଶ ନିଜ ନାଗରିକଙ୍କ ସ୍ୱାର୍ଥରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବା ସ୍ୱାଭାବିକ ହୋଇଥିଲେ ମଧ୍ୟ ଏହି ବିପତ୍ତି ସମୟରେ ଦୁର୍ବଳ ଦେଶର ନାଗରିକଙ୍କ ସ୍ୱାର୍ଥକୁ ଅଣଦେଖା କରିବା ସମୀଚୀନ ହେବନାହିଁ । ତେଣୁ ଖାଦ୍ୟଶସ୍ୟର ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଉତ୍ପନ୍ନ ହେଉଥିବା ସମସ୍ତ ବାଧାକୁ ଦୂର କରିବା ପାଇଁ ସମ୍ପନ୍ନ ଦେଶମାନେ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ପଦକ୍ଷେପ ଗ୍ରହଣ କଲେ ହୁଏତ ଆସନ୍ନ ଖାଦ୍ୟ ସଙ୍କଟକୁ ବିଶ୍ୱବାସୀ ଏଡାଇ ଦେବାକୁ ସକ୍ଷମ ହୋଇପାରନ୍ତି । ନହେଲେ ଜୀବନ ରକ୍ଷା କରିବାକୁ କରୋନା ବିରୁଦ୍ଧରେ ଲଢେଇ ଜାରି ଥିବା ବେଳେ ଅଜାଣତରେ ହୁଏତ ଅଧିକ ସଂଖ୍ୟକ ଲୋକ କ୍ଷୁଧା ଓ ଅପପୁଷ୍ଟିର ଶିକାର ହୋଇ ଜୀବନ ହରାଇ ସାରିଥିବେ ।
Publisged in Odisha Reporter on March 18, 2020
ସୁନ୍ଦର ଉପସ୍ଥାପନା, ଉତ୍କଟ ଖାଦ୍ୟାଭାବ ର
ReplyDeleteଧନ୍ୟବାଦ
Delete