Skip to main content

କରୋନା ମୁକାବିଲାରେ ଅସମଞ୍ଜସତା

‘ଆଶା କରିବା ରୋଗ ଅପେକ୍ଷା ତାର ଉପଚାର ଅଧିକ ବେଦନାଦାୟକ ନ ହେଉ’ - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ମନ୍ତବ୍ୟ କରୋନାର ମୁକାବିଲା ପାଇଁ ବିଭିନ୍ନ ଦେଶର ନୀତି ନିର୍ଦ୍ଧାରକଙ୍କୁ ନୂଆ କରି ଭାବିବାକୁ ବାଧ୍ୟ କରିଛି । ତାଙ୍କ ଅନୁସାରେ ବିଭିନ୍ନ କ୍ଷେତ୍ରକୁ ଜୋର କରି ବନ୍ଦ ରଖିବାର ଭୟଙ୍କର କୁପରିଣାମ ଅର୍ଥନୀତି ଉପରେ ପଡି ଅପୂରଣୀୟ କ୍ଷତିସାଧନ ହେବ । ଯଦି ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ରୋଜଗାର ହରାନ୍ତି ତେବେ ସେମାନଙ୍କ ସ୍ୱାସ୍ଥ୍ୟ ସେବା ମଧ୍ୟ ବାଧାପ୍ରାପ୍ତ ହେବ । ହଜାର ହଜାର ସଂଖ୍ୟାରେ ଲୋକ ଜୀବନ ହାରି ପାରନ୍ତି । ଅବଶ୍ୟ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱର ସର୍ବାଧିକ ହୋଇ ଦେଢ ଲକ୍ଷ ଟପିବା ପରେ ଦେଶବାସୀଙ୍କ ଜୀବନ ରକ୍ଷା ତାଙ୍କର ପ୍ରଥମ ପ୍ରାଥମିକତା ଓ ଅର୍ଥନୀତି ତା ପରେ ବୋଲି ସପ୍ତାହକ ପରେ ଟ୍ରମ୍ପ ନିଜ ମତ ପରିବର୍ତ୍ତନ କରିଥିଲେ । କରୋନାଜନିତ କ୍ଷତି ଓ କରୋନାକୁ ପ୍ରତିହତ କରିବା ପାଇଁ ନିଆ ଯାଉଥିବା ପଦକ୍ଷେପ ଯୋଗୁ କ୍ଷତି - ଏ ଦୁଇଟି ମଧ୍ୟରେ ସଂତୁଳନ ରକ୍ଷା କରିବାର ଅସମଞ୍ଜସତା ଭିତରେ ରହିଛନ୍ତି ଏବେ ନୀତି ନିର୍ଦ୍ଧାରକମାନେ । କ୍ରମାଗତ ଭାବେ ଉପରମୁହାଁ ହୋଇ ଚାଲିଥିବା କରୋନା ଆତଙ୍କ ଗ୍ରାଫର ଦିଗକୁ ତଳମୁହାଁ କରି ତାକୁ ସମତୁଲ କରିବା ଲାଗି ବିଭିନ୍ନ ଦେଶର ପ୍ରଚେଷ୍ଟା ଭିତରେ ବିଶ୍ୱ ଅର୍ଥନୀତିର ଗ୍ରାଫ ଧରାଶାୟୀ ହେବାର ଆଶଙ୍କା ଅନେକଙ୍କୁ ଚିନ୍ତିତ କରିଛି ।

ଯେ କୌଣସି ଦେଶରେ ମହାମାରୀର ମୁକାବିଲା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବା ଏକ ଦୁରୂହ ବ୍ୟାପାର । ଏଥିପାଇଁ ନୀତି ନିର୍ଦ୍ଧାରକଙ୍କୁ ସାଧାରଣତଃ ସ୍ୱାସ୍ଥ୍ୟବିଜ୍ଞାନୀ, ମହାମାରୀବିଦ୍ (ଏପିଡେମିଓଲୋଜିଷ୍ଟ) ଓ ଅର୍ଥନୀତିଜ୍ଞଙ୍କ ପରାମର୍ଶକୁ ବିଚାରକୁ ନେଇ ଏପରି ଏକ ଭାଗ ମାପରେ ପ୍ରସ୍ତୁତ ପଦକ୍ଷେପ ଗ୍ରହଣ କରିବାକୁ ହୋଇଥାଏ ଯେଉଁଥିରେ ରାଜନୈତିକ ସ୍ୱାର୍ଥଟି ମଧ୍ୟ ଲୁକ୍କାୟିତ ରହିଥାଏ । ତେବେ ଏହି ତିନି ପ୍ରକାର ବିଶେଷଜ୍ଞଙ୍କ ମଧ୍ୟରୁ କାହା ପରାମର୍ଶକୁ କେତେ ଗୁରୁତ୍ୱ ପ୍ରଦାନ କରି ମହାମାରୀର କେଉଁ ପର୍ଯ୍ୟାୟରେ କି ପ୍ରକାର ପଦକ୍ଷେପ ଗ୍ରହଣ କରିବା ଉଚିତ ହେବ ତାହା ନୀତି ନିର୍ଦ୍ଧାରକଙ୍କ ପାଇଁ ଅସମଞ୍ଜସତାର କାରଣ ପାଲଟିଥାଏ । ସେଥିପାଇଁ ଭାରତ ଭଳି କେଉଁଠି ସମ୍ପୂର୍ଣ୍ଣ ଲକଡାଉନ ହୋଇଛି ତ କିଛି ଦେଶରେ ଆଂଶିକ ଲକଡାଉନ, ଆଉ ସ୍ୱିଡେନ ଭଳି ଦେଶ ଯେଉଁଠାରେ ଭାରତ ଅପେକ୍ଷା ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ଓ ମୃତ୍ୟୁମୁଖରେ ପଡି ସାରିଥିଲେ ମଧ୍ୟ ସେଠାରେ ଲକଡାଉନ ହୋଇନାହିଁ ।

ପ୍ରଥମ ପର୍ଯ୍ୟାୟରେ କରୋନା ସଂକ୍ରମଣ ହଠାତ ଆଶାତୀତ ଭାବେ ବୃଦ୍ଧି (ସ୍ପାଇକ) ନ ପାଇବାର ଲକ୍ଷ୍ୟ  ପ୍ରାଥମିକତା ହାସଲ କରୁଥିବାରୁ ସ୍ୱାସ୍ଥ୍ୟବିଜ୍ଞାନୀଙ୍କ ମତକୁ ଅଗ୍ରାଧିକାର ଦିଆଯିବା ସ୍ୱାଭାବିକ । କାରଣ ଉପଲବ୍ଧ ସ୍ୱାସ୍ଥ୍ୟ ଭିତ୍ତିଭୂମି ପର୍ଯ୍ୟାପ୍ତ ନ ଥିବାରୁ ବିଳମ୍ବ ହେଲେ ତାହା ନିୟନ୍ତ୍ରଣ ବାହାରକୁ ଚାଲି ଯାଇ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅତ୍ୟଧିକ ଚାପଗ୍ରସ୍ତ କରିଥାଏ । କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିର କାଶ, କଫ, ଛିଙ୍କ ଆଦି ମାଧ୍ୟମରେ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ କମ କରିବାକୁ ହେଲେ ସଂକ୍ରମିତ ବ୍ୟକ୍ତିଠାରୁ ଦୈହିକ ଦୂରତା ରକ୍ଷା କରିବା ଅପରିହାର୍ଯ୍ୟ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀଙ୍କ ମତ । ତେବେ ଏହା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସ୍ୱାସ୍ଥ୍ୟବିଜ୍ଞାନୀଙ୍କ ମଧ୍ୟରେ ଦୁଇଟି ଭିନ୍ନ ମତ ଦେଖିବାକୁ ମିଳୁଛି । ପ୍ରଥମଟି ‘ଲକ୍ ଡାଉନ’, ଯେଉଁଥିରେ ସବୁ ଲୋକ ଏକ ନିର୍ଦ୍ଦିଷ୍ଟ ସମୟ ଲାଗି ସମ୍ପୂର୍ଣ୍ଣ ଭାବେ ଆବଦ୍ଧ ହୋଇ ରହିବା ଦ୍ୱାରା ଭୂତାଣୁ ଆଉ ନୂଆ ଶରୀରକୁ ପ୍ରବେଶ କରିବାର ସୁଯୋଗ ନ ପାଇ ସଂକ୍ରମଣର ଶିକୁଳି ଆଗକୁ ବଢି ପାରି ନଥାଏ ଓ ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇ ରହିପାରେ । ଚୀନର ଉହାନ ସହରରେ ଏହି ଲକଡାଉନ ପଦ୍ଧତିଟିର କଡାକଡି ଭାବେ ପ୍ରୟୋଗ କରି ତାର ସୁଫଳ ଦେଖିବାକୁ ମିଳିଛି । ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ୮୦ ପ୍ରତିଶତ ଲୋକ ସେମିତି ଭଲ ହୋଇ ଯାଉଥିବା ବେଳେ ଆକ୍ରାନ୍ତ ହୋଇଥିବା ୬୦ ବର୍ଷରୁ ଅଧିକ ବୟସର ଲୋକ ତଥା ହୃଦୟ, କିଡନୀ, କର୍କଟ, ମଧୁମେହ ଆଦି ରୋଗୀଙ୍କ ମଧ୍ୟରେ ମୃତ୍ୟୁହାର ଅନ୍ୟମାନଙ୍କ ତୁଳନାରେ ଅଧିକ ହୋଇଥାଏ । ଦ୍ୱିତୀୟ ମତାନୁସାରେ ଲକଡାଉନ ବଦଳରେ ଉପରୋକ୍ତ ବର୍ଗର ଲୋକମାନଙ୍କର ‘ଚରଣବଦ୍ଧ ଏକାନ୍ତତା’ (ଗ୍ରେଡେଡ ଆଇସୋଲେସନ) କରାଯାଇଥାଏ, ଯେଉଁଥିରେ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରଖାଯାଇଥାଏ । ସଂକ୍ରମିତ ଅଞ୍ଚଳରୁ ଫେରିଥିବା ଯାତ୍ରୀମାନଙ୍କୁ ମଧ୍ୟ କିଛି ଦିନ ଲାଗି ଅଲଗା ରଖା ଯାଇଥାଏ । ଯୁବକ ଓ ସ୍ୱାସ୍ଥ୍ୟବାନଙ୍କ ମଧ୍ୟରେ ଏହି ଭୂତାଣୁର ପ୍ରଭାବ ମୃଦୁ ତଥା ମୃତ୍ୟୁହାର ଅତି କମ ହୋଇଥିବାରୁ ସେମାନଙ୍କଠାରେ ସଂକ୍ରମଣ ଚିନ୍ତାଜନକ ହୋଇ ନଥାଏ । ତେବେ ସେମାନେ ଭୂତାଣୁର ବାହକ ହୋଇଥିବାରୁ ସେମାନଙ୍କୁ ଉପରୋକ୍ତ ବୃଦ୍ଧ ଲୋକମାନଙ୍କ ସଂସ୍ପର୍ଶରେ ଆସିବାକୁ ଦିଆଯାଇ ନଥାଏ । ଅନେକ ଲୋକ କରୋନା ଭୂତାଣୁ ଆକ୍ରାନ୍ତ ହୋଇ ସୁସ୍ଥ ହେଲା ପରେ ସେମାନଙ୍କଠାରେ ଏକ ପ୍ରକାର ‘ଗୋଠ ପ୍ରତିରୋଧ ଶକ୍ତି’ (ହର୍ଡ ଇମ୍ୟୁନିଟି) ବିକଶିତ ହୋଇଥାଏ, ଯାହା ଭବିଷ୍ୟତରେ କରୋନା ଭୂତାଣୁ ବିରୁଦ୍ଧରେ ଲଢିବାରେ ସହାୟକ ହୋଇପାରେ । ଏହି ପଦ୍ଧତିରେ ଲୋକମାନେ ଦୈନନ୍ଦିନ କାର୍ଯ୍ୟ କରିବା ସହିତ କଳକାରଖାନା, ଅନୁଷ୍ଠାନଗୁଡିକ ଚାଲୁଥିବାରୁ ଆର୍ଥିକ ଗତିବିଧି ସ୍ୱାଭାବିକ ଭାବେ ଚାଲିଥାଏ ଓ ଦେଶର ଅର୍ଥନୀତି ପ୍ରଭାବିତ ହୋଇ ନଥାଏ । ଭିନ୍ନ ଭିନ୍ନ ସ୍ଥାନ ଓ ପରିସ୍ଥିତିରେ ଦୁଇଟି ଯାକ ମତର ଉପଯୋଗିତା ରହିଛି ।
  
ମହାମାରୀବିଦ୍‌ମାନେ ମହାମାରୀର କାରଣ, ସ୍ଥାନ, ବିଭିନ୍ନ ସମ୍ପ୍ରଦାୟଙ୍କ ମଧ୍ୟରେ ଏହାର ପ୍ରଭାବ ଆଦିକୁ ଅଧ୍ୟୟନ କରି ଉପଲବ୍ଧ ସୂଚନା ଆଧାରରେ ଗଣିତ ଓ ବିଜ୍ଞାନର ସିଦ୍ଧାନ୍ତଗୁଡିକର ଉପଯୋଗ କରି ଏହାର ପରିଣାମ ସମ୍ପର୍କରେ ଚେତାଇ ଦେବା ସହ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉପାୟମାନ କହିଥାନ୍ତି । ଏଥିପାଇଁ ସେମାନେ ବିଭିନ୍ନ ମଡେଲ ପ୍ରସ୍ତୁତ କରି ବିଭିନ୍ନ ଅବସ୍ଥା ଓ ପର୍ଯ୍ୟାୟରେ ମହାମାରୀ କିପରି ବ୍ୟାପିପାରେ ସେ ସମ୍ପର୍କରେ ପୂର୍ବାନୁମାନ କରିଥାନ୍ତି । ସେମାନଙ୍କ ଏହି ମଡେଲଗୁଡିକ ଆଧାରରେ ନୀତି ନିର୍ଦ୍ଧାରକମାନେ ଆହ୍ୱାନଗୁଡିକୁ ଜାଣିପାରନ୍ତି ଓ ମହାମାରୀ କେଉଁ ଆଡକୁ ମୁହାଁଉଛି ତାହା ବୁଝିପାରନ୍ତି, ଯାହା ସେମାନଙ୍କୁ ଉଚିତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ । ବ୍ରିଟେନର ଖ୍ୟାତନାମା ମହାମାରୀବିଦ୍ ନିଲ ଫର୍ଗୁସନଙ୍କର ମାର୍ଚ୍ଚ ୨୦୨୦ରେ ପ୍ରକାଶିତ ଏକ ଲେଖାରେ ଚେତାଇ ଦିଆଯାଇଥିଲା ଯେ ଉଭୟ ବ୍ରିଟେନ ଓ ଆମେରିକା କରୋନାକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ ନ କଲେ ସେଠାରେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୫ ଲକ୍ଷ ଓ ୨୨ ଲକ୍ଷ ଛୁଇଁପାରେ । ଏହା ପରେ ସେ ପର୍ଯ୍ୟନ୍ତ ମହାମାରୀକୁ ହାଲୁକା ଭାବେ ନେଇ ସେମିତି କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରି ନଥିବା ଏହି ଉଭୟ ଦେଶର ନେତାଙ୍କ ମଧ୍ୟରେ ଏମିତି ଛାନିଆ ପଶି ଯାଇଥିଲା ଯେ ତୁରନ୍ତ ସେମାନଙ୍କୁ ଘରୁ କାମ କରିବା, ଦଶ ଜଣରୁ ଅଧିକ ଲୋକ ରୁଣ୍ଡ ନ ହେବା ଭଳି କଡା ପଦକ୍ଷେପମାନ ଗ୍ରହଣ କରିବାକୁ ପଡିଥିଲା ।

ସେହିପରି ଅର୍ଥନୀତିଜ୍ଞମାନେ ମହାମାରୀ ଯୋଗୁ ଦେଶର ଅର୍ଥନୀତି ଉପରେ ପଡିବାକୁ ଥିବା ସମ୍ଭାବ୍ୟ କୁପରିଣାମ ସମ୍ପର୍କରେ ସଚେତ କରାଇଥାନ୍ତି । ବେଶି ଦିନ ଲକଡାଉନ ଲାଗି ରହିଲେ କୃଷି, ଶିଳ୍ପ, ସେବା, ରପ୍ତାନୀ, ବାଣିଜ୍ୟ, ଅଣ ସଂଗଠିତ କ୍ଷେତ୍ର ଓ ଅନ୍ୟ କ୍ଷେତ୍ରଗୁଡିକ ଅତି ମାତ୍ରାରେ ପ୍ରଭାବିତ ହୋଇ ଦେଶର ଜିଡିପି ହ୍ରାସ ପାଇଥାଏ । ସାମଗ୍ରିକ ଭାବେ ଅର୍ଥନୀତି ବିପର୍ଯ୍ୟସ୍ତ ହେବାର ଆଶଙ୍କା ଥିବାରୁ ତାହା ଉଠାଇବା ବା କୋହଳ କରିବା ଉପରେ ସେମାନେ ଜୋର ଦେଇଥାଆନ୍ତି ।

ନୀତି ନିର୍ଦ୍ଧାରକମାନଙ୍କୁ ଏହି ତିନି ଶ୍ରେଣୀର ବିଶେଷଜ୍ଞଙ୍କ ପରାମର୍ଶକୁ ପର୍ଯ୍ୟାଲୋଚନା କରି ନିଷ୍ପତ୍ତି ଗ୍ରହଣ କଲା ବେଳେ ଜନତାଙ୍କ ଭାବପ୍ରବଣତାକୁ ବି ଧ୍ୟାନରେ ରଖିବାକୁ ହୋଇଥାଏ । ମହାମାରୀର ପ୍ରାଥମିକ ପର୍ଯ୍ୟାୟରେ ଅନ୍ୟ ଦେଶର ସ୍ଥିତିକୁ ଦେଖି ଲୋକମାନେ ଏତେ ଆତଙ୍କିତ ହୋଇ ପଡିଥାନ୍ତି ଯେ ଜୀବନ-ମରଣ ସମସ୍ୟାରେ ଭୀତତ୍ରସ୍ତ ହୋଇ ସେମାନେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ଲକଡାଉନ ଭଳି ଯେ କୌଣସି କଠୋର ପଦକ୍ଷେପକୁ ସମର୍ଥନ କରିବାକୁ କୁଣ୍ଠା ପ୍ରକାଶ କରି ନଥାନ୍ତି । କିନ୍ତୁ ଲକଡାଉନର ସୁଫଳ ମିଳୁ କି ନ ମିଳୁ ତାହା ପ୍ରଲମ୍ବିତ ହେଲେ ରୋଜଗାର ଅଭାବରୁ ‘ଅନ୍ନ ଚିନ୍ତା ଚମତ୍କାରା’ ନ୍ୟାୟରେ ସେହି ଲୋକମାନେ ଲକଡାଉନର ବିରୋଧ କରିବା ଆରମ୍ଭ କରି ଦିଅନ୍ତି ଓ ରାଜନୈତିକ ବାଧ୍ୟବାଧକତା ଯୋଗୁୁ ସରକାରଙ୍କୁ ତାହା ଉଠାଇବାକୁ ବା କୋହଳ କରିବାକୁ ହୋଇଥାଏ । ସେତେବେଳେ ମହାମାରୀର ମୂଳୋତ୍ପାଟନ ଆଉ ମୁଖ୍ୟ ପ୍ରସଙ୍ଗ ହୋଇ ନ ରହି ହେଉଥିବା ଆନୁପାତିକ ଅର୍ଥନୈତିକ ଓ ରାଜନୈତିକ ଲାଭକ୍ଷତିର ବିବେଚନା, ତାର ସ୍ଥାନ ନେଇଥାଏ । ଏହାର ଉଦାହରଣ ଆମେରିକାରେ ଦେଖିବାକୁ ମିଳିଲାଣି । ଏ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପୁନଃ ନିର୍ବାଚିତ ହେବା ପାଇଁ ଆଶାୟୀ ଥିବାରୁ ତାଙ୍କ ସମର୍ଥକମାନେ ରାଜନୈତିକ ଦୃଷ୍ଟିରୁ ପ୍ରଲମ୍ବିତ ଲକଡାଉନ ଏପରିକି ଆଂଶିକ ଲକଡାଉନର ମଧ୍ୟ ବିରୋଧ କରିବା ଆରମ୍ଭ କଲେଣି । ଏହା ଦ୍ୱାରା ଅର୍ଥନୀତି ୩୦ ପ୍ରତିଶତ ହ୍ରାସ ପାଇବା ଓ ବେକାରୀ ସମସ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇବା ଟ୍ରମ୍ପଙ୍କ ପୁନଃ ନିର୍ବାଚନରେ ଅନ୍ତରାୟ ସୃଷ୍ଟି କରିପାରେ ବୋଲି ସେମାନେ ଆଶଙ୍କିତ । କେହି କେହି ତ ମହାମାରୀବିଦ୍‌ଙ୍କ କରୋନା ପରିଣତି ସଂକ୍ରାନ୍ତୀୟ ପୂର୍ବାନୁମାନକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିବାକୁ ମଧ୍ୟ ପଛାଉ ନାହାନ୍ତି ଓ ଲକଡାଉନକୁ ଉଠାଇବାକୁ ଦାବି କରୁଛନ୍ତି । ତେବେ ତାହା କରାଗଲେ ମହାମାରୀ ଅଧିକ ବ୍ୟାପିବା ସହ ମୃତ୍ୟୁସଂଖ୍ୟା ଅଧିକ ହୋଇପାରେ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି । କରୋନାକୁ ମୁକାବିଲା କରିବା ସମୟରେ ଦେଶବାସୀ ଏକଜୁଟ ହୋଇ ରହିବାର ଆବଶ୍ୟକତା ଥିବା ବେଳେ ରାଜନୈତିକ ଦଳମାନେ ସେଥିରୁ ରାଜନୈତିକ ଲାଭ ଉଠାଇବାର କୌଣସି ପ୍ରକାର ଅପଚେଷ୍ଟା କରିବାରୁ ବିରତ ରହିବା ସର୍ବାଦୌ ବାଞ୍ଛନୀୟ । ସେହିପରି କାହାକୁ ମହିମାମଣ୍ଡିତ ବା ଉପହାସ କରିବାର ବେଳ ଇଏ ନୁହେଁ, କାରଣ ତାହା ସମାଜକୁ ବିଭାଜିତ କରିଥାଏ ।
                                       
ନୀତି ନିର୍ଦ୍ଧାରକଙ୍କ ଦ୍ୱାରା ଉଚିତ ପଦକ୍ଷେପ ନିଆଯିବା ଯେତିକି ଗୁରୁତ୍ୱପୂର୍ଣ୍ଣ ତାହା ପ୍ରକୃଷ୍ଟ ସମୟରେ ନିଆଯିବା ତାଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ । କାରଣ ସେଥିରେ ବିଳମ୍ବ ହେଲେ ପରବର୍ତ୍ତୀ ସମୟରେ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ନାକେଦମ ହେବାକୁ ହୋଇଥାଏ । ବିଭିନ୍ନ ଦେଶ ପାଇଁ ଏହି ପ୍ରକୃଷ୍ଟ ସମୟଟି ଭିନ୍ନ ଭିନ୍ନ ହୋଇପାରେ । ଉଭୟ ଆମେରିକା ଓ ଦକ୍ଷିଣ କୋରିଆ ପାଇଁ ପ୍ରକୃଷ୍ଟ ସମୟ ଫେବୃଆରୀ ମାସ ଥିଲା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛନ୍ତି । ସେହି ସମୟରେ ଦକ୍ଷିଣ କୋରିଆ ବ୍ୟାପକ ପରୀକ୍ଷଣ ମାଧ୍ୟମରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରି ମହାମାରୀକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା ବେଳେ ଆମେରିକା ଭଳି ଏକ ବିତ୍ତଶାଳୀ ଦେଶ ପାଖରେ ପରୀକ୍ଷା କରିବାର ପର୍ଯ୍ୟାପ୍ତ ସୁବିଧା ଥାଇ ସୁଦ୍ଧା ସେଠାକାର ନେତାଙ୍କ ଅପରିଣାମଦର୍ଶିତା ପାଇଁ ପ୍ରକୃଷ୍ଟ ସମୟରେ ତାହାର ଉପଯୋଗ କରାଯାଇ ନଥିବାରୁ ସେଠାରେ ମହାମାରୀ କାୟାବିସ୍ତାର କରିବାର ସୁଯୋଗ ପାଇଲା । ଭାରତରେ କରୋନା ପରୀକ୍ଷା ପାଇଁ ଉପଲବ୍ଧ ସୁବିଧା ସର୍ବନିମ୍ନ ହୋଇଥିବା ବେଳେ ଏଠାରେ ପ୍ରକୃଷ୍ଟ ସମୟରେ ଉଚିତ ପଦକ୍ଷେପ ନିଆଯାଇଛି କି ନାହିଁ ତାହା କେବଳ ସମୟ ହିଁ କହିବ ।

ହୁଏତ ନୀତିକୁ ଏ ପଟ ସେ ପଟ କରି ଅର୍ଥନୈତିକ କ୍ଷତିର ଭରଣା କରାଯାଇପାରେ, ହେଲେ ନୀତି ପ୍ରଣୟନ କରି ପ୍ରାଣ ହରାଇଥିବା ପ୍ରିୟଜନଙ୍କୁ ତ ଆଉ ଫେରାଇ ଆଣି ହେବନାହିଁ । ତେଣୁ କରୋନା ମୁକାବିଲା ପାଇଁ ଗ୍ରହଣ କରା ଯାଉଥିବା ପ୍ରତିଟି ପଦକ୍ଷେପ ମୃତ୍ୟୁହାର କମାଇବାକୁ ଗୁରୁତ୍ୱ ଦେବା ଉଚିତ । ଏଥି ସହିତ ସରକାରଙ୍କ ନୀତି ଓ ନିଷ୍ପତି ଦ୍ୱାରା ଗରିବଗୁରୁବା ଯେପରି ଆର୍ଥିକ ଅନାଟନର ଶିକାର ହୋଇ ମୃତ୍ୟୁମୁଖରେ ନ ପଡନ୍ତି ବା ଚରମ ଦାରିଦ୍ର‌୍ୟ ଭିତରକୁ ଠେଲି ହୋଇ ନ ଯାଆନ୍ତି, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଅନ୍ୟ ପକ୍ଷରେ ଲୋକମାନେ ଦିଶାନିର୍ଦ୍ଦେଶକୁ ପାଳନ କରି କରୋନା ଆତଙ୍କର ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ଉଚିତ ।

Published in Odisha Reporter on April 07, 2020

Comments

  1. Well researched, well observed,well analysed and well presented article with high quality odia..gives a clear macro and micro view, kudos

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍