ଶହେ ବର୍ଷ ତଳେ ଅପ୍ରେଲ ୧୩, ୧୯୧୯ରେ ସଂଘଟିତ ଜାଲିଆଁଓ୍ଵାଲା ବାଗ ନରସଂହାର ଭାରତ ସ୍ୱାଧୀନତା ସଂଗ୍ରାମର ଗତିପଥକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ତେବେ ଏହି ନରସଂହାରକୁ ବିଶ୍ୱବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରି ତାକୁ ବିଶ୍ୱନିନ୍ଦିତ କରାଇବାରେ ସମର୍ଥ ହୋଇଥିବା ସ।ମ୍ବାଦିକ ଜଣକ ଥିଲେ ଜଣେ ବ୍ରିଟିଶ ନାଗରିକ, ନାଁ ତାଙ୍କର ବେଞ୍ଜାମିନ ହର୍ନିମେନ । ଭାରତର ସ୍ୱାଧୀନତା ସଂଗ୍ରାମ କାଳରେ ଏଠାରେ ଥିବା ଯେଉଁ ଅଳ୍ପ କେତେକ ପ୍ରଭାବଶାଳୀ ବ୍ରିଟିଶ ନାଗରିକ ଭାରତର ଦରଦୀ ବନ୍ଧୁ ସାଜି ସ୍ୱାଧୀନତା ଆନ୍ଦୋଳନରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାହାଯ୍ୟ କରିଥିଲେ, ସେମାନଙ୍କ ମଧ୍ୟରେ ହର୍ନିମେନ ଥିଲେ ଅଗ୍ରଗଣ୍ୟ ।
୧୮୭୩ରେ ବ୍ରିଟେନର ସସେକ୍ସଠାରେ ଏକ ଆଇରିଶ ପରିବାରରେ ଜନ୍ମିତ ବେଞ୍ଜାମିନ ଗାୟ ହର୍ନିମେନ ପେଷାରେ ଜଣେ ସାମ୍ବାଦିକ ଥିଲେ । ୧୮୯୪ମସିହାରେ ‘ପୋର୍ଟସମାଉଥ ଇଭିିନିଂ ମେଲ’ ପତ୍ରିକାରୁ ନିଜ ସାମ୍ବାଦିକତା ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ହର୍ନିମେନ ‘ମର୍ଣ୍ଣିଂ ଲିଡର’, ‘ଡେଲି ଏକ୍ସପ୍ରେସ’, ‘ଡେଲି କ୍ରନିକଲ’, ‘ମାଂଚେଷ୍ଟର ଗାର୍ଡିଆନ’ ଭଳି କେତେକ ଦୈନିକ ଖବରକାଗଜରେ ମଧ୍ୟ କାମ କରିଥିଲେ । ଭାରତ ପ୍ରତି ଆକର୍ଷଣ ତାଙ୍କୁ ସାମ୍ବାଦିକତା କରିବା ପାଇଁ ଭାରତକୁ ଟାଣି ଆଣିିଥିଲା ଓ ସେ ୧୯୦୬ ମସିହାରେ କୋଲକାତାରୁ ପ୍ରକାଶ ପାଉଥିବା ଇଂରାଜୀ ଦୈନିକ ‘ଷ୍ଟେଟସମେନ’ର ବାର୍ତ୍ତା ସମ୍ପାଦକ ଭାବେ ନିଯୁକ୍ତି ପାଇ କାମରେ ଯୋଗ ଦେଲେ । ସେ ଆରମ୍ଭରୁ ଉପନିବେଶୀୟ ସରକାରଙ୍କ ଶାସନ ପଦ୍ଧତି ଓ ଭାରତୀୟଙ୍କ ପ୍ରତି ସେମାନଙ୍କର ଆଭିମୁଖ୍ୟର ଘୋର ବିରୋଧୀ ଥିଲେ । ଖୁବ ଅଳ୍ପ ଦିନ ମଧ୍ୟରେ ତାଙ୍କର ଭାରତ ଓ ଭାରତୀୟତା ସପକ୍ଷରେ ଲେଖାମାନ ତାଙ୍କୁ ଭାରତୀୟ ନେତା ଓ ଲୋକଙ୍କ ନିକଟତର କରାଇ ପାରିଥିଲା । ଏହି ସମୟରେ ବଙ୍ଗଭଙ୍ଗ ନିଷ୍ପତ୍ତିର ପ୍ରତିବାଦରେ ହେଉଥିବା ପ୍ରଦର୍ଶନମାନଙ୍କରେ ସେ ଧୋତି ପିନ୍ଧି ଖାଲି ପାଦରେ ଅଂଶଗ୍ରହଣ କରୁଥିଲେ । ସେତିକିବେଳେ ବମ୍ବେରୁ ପ୍ରକାଶ ପାଉଥିବା ଇଂରାଜୀ ଖବର କାଗଜଗୁଡିକ ପ୍ରାୟତଃ ଭାରତ ବିରୋଧୀ ଓ ବ୍ରିଟିଶ ସପକ୍ଷବାଦୀ ଥିଲେ । ଏଥିରେ ବ୍ୟଥିତ ହୋଇ ଫିରୋଜସାହା ମେହେଟା ସେଠାରୁ ‘ଦି ବମ୍ବେ କ୍ରନିକଲ’ ନାମକ ଜାତୀୟତାବାଦୀ ଇଂରାଜୀ ଖବରକାଗଜ ପ୍ରକାଶ କରିବାକୁ ସ୍ଥିର କଲେ । ଫିରୋଜଙ୍କ ଘନିଷ୍ଠ ବନ୍ଧୁ ତଥା ଭାରତୀୟ ଜାତୀୟ କଂଗ୍ରେସର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ସୁରେନ୍ଦ୍ରନାଥ ବାନାର୍ଜୀ ହର୍ନିମେନଙ୍କୁ ‘ଦି ବମ୍ବେ କ୍ରନିକଲ’ର ସମ୍ପାଦନା ଦାୟିତ୍ୱ ତୁଲାଇବାକୁ ପ୍ରବର୍ତ୍ତାଇବାରୁ ସେ ସେଥିରେ ରାଜି ହୋଇଗଲେ ଓ ୧୯୧୩ ମସିହାରୁ ଏହାର ସମ୍ପାଦକ ଭାବେ କାର୍ଯ୍ୟଭାର ଗ୍ରହଣ କଲେ । ଏହି ସମ୍ବାଦପତ୍ରକୁ ଆୟୁଧ କରି ୧୯୧୩ରୁ ୧୯୧୯ ମଧ୍ୟରେ ସେ ବ୍ରିଟିଶ ସାମ୍ରାଜ୍ୟବାଦ ଓ ଉପନିବେଶବାଦ ବିରୁଦ୍ଧରେ ଏକ ପ୍ରମୁଖ ସ୍ୱର ହୋଇପାରିଥିଲେ ।
ସେ ତତକାଳୀନ ବ୍ରିଟିଶ-ଭାରତର ବିଭିନ୍ନ ପ୍ରସଙ୍ଗ ଉପରେ ଲେଖୁଥିଲେ । ତାଙ୍କ କଲମ ବେଶ ଶାଣିତ ଥିଲା ଓ ଭାଇସରାୟଙ୍କଠାରୁ ଆରମ୍ଭ କରି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ନିର୍ଭୀକ ସାମ୍ବାଦିକଙ୍କ ଆଲୋଚନାର ଶରବ୍ୟ ହେବାରୁ ବର୍ତ୍ତି ପାରୁ ନଥିଲେ । ଯେ କୌଣସି ଭାରତୀୟ ଅପେକ୍ଷା ସେ ଭାରତକୁ କିଛି କମ ଭଲ ପାଉ ନ ଥିଲେ । ଭାରତକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳି ଏଠାରେ ସଂସଦୀୟ ଗଣତନ୍ତ୍ର ପ୍ରତିଷ୍ଠା ହେଉ ବୋଲି ସେ ଚାହୁଁଥିଲେ । ସେ ଜଣେ ସୁବକ୍ତା ଥିଲେ ଓ ତାଙ୍କ ଭାଷଣରେ ସେ ସ୍ୱାଧୀନତାର ମନ୍ତ୍ରରେ ଜନସାଧାରଣଙ୍କୁ ଉଦବୁଦ୍ଧ କରି ପାରୁଥିଲେ । ଉପନିବେଶୀୟ ସରକାରଙ୍କ ଦୃଢ ସମାଲୋଚକ ଭାବେ ସେ ସରକାରଙ୍କ ବିଭିନ୍ନ ନୀତି, ନିଷ୍ପତ୍ତିର କଡା ସମାଲୋଚନା କରିବା ସହିତ ସେଗୁଡିକର କ୍ରିୟାନ୍ୱୟନ ଯୋଗୁ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡିକର ସର୍ବ ସାଧାରଣରେ ବିରୋଧ କରିବାକୁ କୁଣ୍ଠାବୋଧ କରୁ ନଥିଲେ । ସେ ସମୟରେ ଅନେକ ନେତୃସ୍ଥାନୀୟ ବ୍ୟକ୍ତି ସେମାନଙ୍କ ଲେଖା ମାଧ୍ୟମରେ ଲୋକଙ୍କ ମଧ୍ୟରେ ଜାତୀୟତା ଭାବ ଜାଗ୍ରତ କରି ସେମାନଙ୍କୁ ବିଦ୍ରୋହ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି ବୋଲି ବ୍ରିଟିଶ ସରକାରଙ୍କ ଧାରଣା ହୋଇ ସାରିଥିଲା । ତେଣୁ ବ୍ରିଟିଶ ସରକାର ପ୍ରେସ ଆକ୍ଟ, ୧୯୧୦ ପ୍ରଣୟନ କରି ମୁଦ୍ରଣ ପ୍ରେସର ସ୍ୱାଧୀନତାକୁ ନିୟନ୍ତ୍ରଣ କରିବା ଲାଗି ନିରଙ୍କୁଶ କ୍ଷମତା ହାସଲ କରିବାକୁ ଉଦ୍ୟମ କଲେ ଓ ଏହାଦ୍ୱାରା ସମ୍ବାଦପତ୍ରର ସ୍ୱାଧୀନତା ଉପରେ ମଧ୍ୟ ଆଞ୍ଚ ଆସିଲା । ଏହି ଆଇନର ବିରୋଧ ହେଲା ଓ ଏହାର ଉଚ୍ଛେଦ ଦାବି କରି ‘ଇଣ୍ଡିଆନ ପ୍ରେସ ଆସୋସିଏସନ ଫର ଦି ସିଟିଜେନସ ଅଫ ବମ୍ବେ’ ଆନକୂଲ୍ୟରେ ୨୪ ଜୁନ ୧୯୧୬ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ସମର୍ଥିତ ଏହି ସଭାରେ ହର୍ନିମେନ ସଭାପତିତ୍ୱ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ରାଓଲାଟ ଆଇନକୁ ବିରୋଧ କରିବା ପାଇଁ ବମ୍ବେରେ ଗଠିତ ସତ୍ୟାଗ୍ରହ କମିଟିରେ ସେ ଜଣେ ସକ୍ରିୟ ସଦସ୍ୟ ଥିଲେ । ସେ ୧୯୧୮ ମସିହାରେ କିଛି ଦିନ ପାଇଁ ‘ଇଣ୍ଡିଆନ ହୋମ ରୁଲ ଲିଗ’ର ଉପ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।
ଜାଲିଆଁଓ୍ଵାଲା ବାଗ ନରସଂହାରରେ ପ୍ରାୟ ହଜାରେରୁ ଅଧିକ ନିରୀହ ଲୋକଙ୍କ ପ୍ରାଣହାନି ହେବା ପରେ ଏହି ଖବର ଦେଶର ଅନ୍ୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବା ଆଶଙ୍କା କରି ପଞ୍ଜାବ ରାଜ୍ୟର ଲେଫନାଣ୍ଟ ଗଭର୍ଣ୍ଣର ଜେନେରାଲ ମାଇକେଲ ଓ’ ଡୟେରଙ୍କ ଦ୍ୱାରା ସେଠାରେ ତୁରନ୍ତ ଛଅ ସପ୍ତାହ ଲାଗି ସାମରିକ ଆଇନ ଲାଗୁ କରାଗଲା । ସମ୍ବାଦପତ୍ରଗୁଡିକ ଉପରେ ଜାରି ହୋଇଥିବା ସେନସର କଟକଣା ଯୋଗୁ ନରସଂହାର ସମ୍ପର୍କରେ କୌଣସି ଖବର ପଞ୍ଜାବ ବାହାରକୁ ଆସି ପାରୁ ନଥାଏ । କଟକଣାକୁ ଅମାନ୍ୟ କରି ଜାଲିଆଁଓ୍ଵାଲା ବାଗ ନରସଂହାରର ପ୍ରତ୍ୟକ୍ଷଦର୍ଶୀ ଲାଲା ଗୋବର୍ଦ୍ଧନ ଦାସଙ୍କ ଏକ ଆଲେଖ୍ୟ ‘ବମ୍ବେ କ୍ରନିକଲ’ରେ ପ୍ରକାଶ କରିବା ଥିଲା ହର୍ନିମେନଙ୍କ ସାମ୍ବାଦିକ ଜୀବନର ସବୁଠାରୁ ଦୁଃସାହସିକ କାର୍ଯ୍ୟ, ଯେଉଁଥିପାଇଁ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଥିଲା । ତେବେ ପ୍ରାୟ ହଜାରେ ନିରୀହ ଲୋକଙ୍କର ପ୍ରାଣହାନିର ଖବର ଲୋକଙ୍କ ନିକଟରେ ପହଞ୍ଚିବା ପରେ କର୍ଣ୍ଣେଲ (ଆକ୍ଟିଂ ବ୍ରିଗେଡିୟର ଜେନେରାଲ) ଡାୟାରଙ୍କ ନୃଶଂସତାର ଖବର ଲୋକଲୋଚନକୁ ଆସିଲା ଓ ସାରା ଦେଶରେ ତାହାର ତୀବ୍ର ସମାଲୋଚନା ହେଲା । ସାମରିକ ଆଇନର କଟକଣାକୁ ଉଲ୍ଲଂଘନ କରି ‘ବମ୍ବେ କ୍ରନିକଲ’କୁ ସୂଚନା ଦେଇଥିବାରୁ ମିଲିଟାରୀ କୋର୍ଟ ଗୋବର୍ଦ୍ଧନ ଦାସଙ୍କୁ ତୁରନ୍ତ ତିନି ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ । ଏଥିରେ ତିଳେ ମାତ୍ର ବିଚଳିତ ନ ହୋଇ ହର୍ନିମେନ ଅପ୍ରେଲ ୨୬ରେ ନରସଂହାରରେ ହୋଇଥିବା ବର୍ବରତାକୁ ଚିତ୍ରଣ କରି ଆଉ ଏକ ଆଲେଖ୍ୟ ପ୍ରକାଶ କଲେ । ଭାରତୀୟ ସୈନ୍ୟବାହିନୀର ସେନାମାନେ ମଧ୍ୟ ‘ବମ୍ବେ କ୍ରନିକଲ’କୁ ଆଗ୍ରହ ସହକାରେ କିଣି ପଢୁଥିବାର ଦେଖି ବିଦ୍ରୋହର ଆଶଙ୍କାରେ ସରକାର ବିଚଳିତ ହୋଇଗଲେ । ହର୍ନିମେନ ଯେତେ ଦିନ ଭାରତରେ ରହିବେ ଖବରକାଗଜ ମାଧ୍ୟମରେ ବ୍ରିିଟିଶ ରାଜ ପ୍ରତି ତାଙ୍କ ବିଷୋଦଗାରରେ ସ୍ଥିତି ଅଧିକ ଜଟିଳ ଓ ବିସ୍ପୋରକ ହେବ ବୋଲି ସରକାର ବୁଝିି ପାରିଥିିଲେ । ତେଣୁୁ ତାଙ୍କ ଅସୁସ୍ଥତା ସତ୍ତ୍ଵେ ବ୍ରିଟେନର ଡିଫେନ୍ସ ଅଫ ରିଏଲ୍ମ ଆକ୍ଟ, ୧୯୧୪ ଅନୁଯାୟୀ ହର୍ନିମେନଙ୍କୁ ତୁରନ୍ତ ଗିରଫ କରି ତାଙ୍କୁ ଭାରତରୁ ଇଂଲଣ୍ଡକୁ ପଠାଇ (ଡିପୋର୍ଟ କରି) ଦିଆଗଲା । ଭାରତରେ ଏହାର ତୀବ୍ର ବିରୋଧ ହେଲା । ଇଂଲଣ୍ଡକୁ ପ୍ରତ୍ୟାବର୍ତ୍ତନ କଲାବେଳେ ସେ ସାଙ୍ଗରେ ନରସଂହାର ସଂକ୍ରାନ୍ତୀୟ ଅନେକ ତଥ୍ୟ ଓ ଫଟୋ ନେଇ ଯାଇଥିଲେ । ସେଠାରେ ମଧ୍ୟ ସେ ଭାରତର ଉପନିବେଶୀୟ ସରକାରଙ୍କ କୁଶାସନ ବିରୁଦ୍ଧରେ ଲେଖିବା ଜାରି ରଖିଲେ ।
ଜାଲିଆଁଓ୍ଵାଲା ବାଗ ନରସଂହାର ପରେ ବସିଥିବା ହଂଟର କମିଶନ ସାକ୍ଷ୍ୟ ପ୍ରମାଣ ସଂଗ୍ରହ ସହ ଘଟଣାର ଶୁଣାଣିି କରୁଥାନ୍ତି । ଉଭୟ ନରସଂହାର ଓ ଶୁଣାଣି ସଂକ୍ରାନ୍ତରେ କୌଣସି ସୂଚନା ଯେପରି ବାହାରେ ପ୍ରଘଟ ନ ହୁଏ ସେ ନେଇ ସରକାର ଯଥେଷ୍ଟ ସତର୍କତା ଅବଲମ୍ବନ କରୁଥାନ୍ତି । ଏପରିକି ବ୍ରିଟେନରେ ପଢୁଥିବା ପଞ୍ଜାବର ଛାତ୍ରଙ୍କ ନିକଟରେ ମାସ ମାସ ଧରି ଭାରତରୁ କୌଣସି ଚିଠିପତ୍ର ପହଞ୍ଚାଇ ଦିଆଗଲାନାହିଁ । ଠିକ ଏତିକି ବେଳେ ବ୍ରିଟେନରେ ଶ୍ରମିକ ଦଳର ମୁଖପତ୍ର ‘ଦି ଡେଲି ହେରାଲଡ’ରେ ନରସଂହାରର ବର୍ଣ୍ଣନା କରି ହର୍ନିମେନଙ୍କ ଲେଖା ସହ ହୃଦୟ ବିଦାରକ ଫଟୋମାନ ପ୍ରକାଶ ପାଇବା ମାତ୍ରେ ସମଗ୍ର ବ୍ରିଟେନରେ ସତେ ଯେପରିି ଅକ୍ରୋଶ ଓ ଘୃଣାର ଏକ ଲହରୀ ଖେଳିଗଲା । ହର୍ନିମେନଙ୍କ ବର୍ଣ୍ଣନାକୁ ଆଧାର କରି ବ୍ରିଟିଶ ଗଣମାଧ୍ୟମରେ ଏହି ନରସଂହାରର ତୀବ୍ର ସମାଲୋଚନା କରି ଯାହା ସବୁ ପ୍ରକାଶ ପାଇଥିଲା ସେଥିରୁ କେତୋଟି ନିମ୍ନ ପ୍ରକାରେ । ଏହି ନରସଂହାରକୁ ଜର୍ମାନୀର ବେଲଜିଅମ ଆକ୍ରମଣ ଓ ପିଟରଲୁ ନରସଂହାର ସହ ତୁଳନା କରିଥିଲା ‘ଦି ଓ୍ଵେଷ୍ଟମିନଷ୍ଟର ଗ୍ୟାଜେଟ’ । ଜେନେରାଲ ଡାୟାରଙ୍କୁ ତୁରନ୍ତ ସ୍ୱଦେଶକୁ ଫେରାଇ ଆଣି ତାଙ୍କ ପ୍ରତି ଏପରି ଆଚରଣ କରିବା ଦରକାର ଯଦ୍ଦ୍ୱାରା ସରକାର ତାଙ୍କର ଏହି ଘୃଣ୍ୟ କାର୍ଯ୍ୟକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ବାର୍ତ୍ତା ଯାଉ । ତାଙ୍କୁ ଦେଶ ନିନ୍ଦା ନ କଲେ ବି ସମଗ୍ର ବିଶ୍ୱ ନିନ୍ଦା କରିବ । ‘ଏହା ଭାରତରେ ବ୍ରିଟିଶ ଶାସନର ସବୁଠାରୁ ବଡ କଳା ଦାଗ’ ବୋଲି ଷ୍ଟାର ପତ୍ରିକାରେ ଉଲ୍ଲେଖ ହୋଇଥିଲା । ସେଠାକାର ବିଭିନ୍ନ ଖବର କାଗଜରେ ପ୍ରକାଶିତ ନରସଂହାର ସମ୍ପର୍କିତ ସମସ୍ତ ଖବରର କଟିଙ୍ଗ ଓ ସେଠାରେ ହେଉଥିବା ବିଭିନ୍ନ ସଭାସମିତିର ବିବରଣୀକୁ ହର୍ନିମେନ ନିୟମିତ ଭାବେ ଭାରତକୁ ପଠାଉଥିଲେ ଓ ସେଗୁଡିକ ‘ଦି ବମ୍ବେ କ୍ରନିକଲ’ରେ ପ୍ରକାଶିତ ହୋଇଥିଲା । ଏହାଦ୍ୱାରା ବ୍ରିଟେନରେ ନରସଂହାର ପ୍ରତି ଥିବା ସରକାର ଓ ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଭାରତୀୟ ନେତା ଓ ଲୋକେ ଅବଗତ ହୋଇ ସେମାନଙ୍କର ଭବିଷ୍ୟତର କାର୍ଯ୍ୟପନ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ସାହସ ଜୁଟାଇ ପାରିଥିଲେ । ହର୍ନିମେନଙ୍କ ଲେଖା କେବଳ ନରସଂହାରକୁ ନେଇ ସୀମିତ ନଥିଲା । ନରସଂହାର ପରେ ପଞ୍ଜାବରେ ଛଅ ସପ୍ତାହ ଧରି ଲାଗୁ ରହିଥିବା ସାମରିକ ଆଇନ କାର୍ଯ୍ୟକାଳରେ କିପରି ବିଭିନ୍ନ ସ୍ଥାନରେ ମାନବିକ ଅଧିକାରର ଘୋର ଉଲ୍ଲଂଘନ ହୋଇଥିଲା ତାହା ସେ ନିୟମିତ ଭାବେ ଲେଖି ଚାଲିଥିଲେ । ଉଦାହରଣ ସ୍ୱରୂପ, ଘଟଣାର ଦୁଇ ଦିନ ପରେ ଗୁଜରନଓ୍ଵାଲାଠାରେ ନରସଂହାରକୁ ବିରୋଧ କରି ହୋଇଥିବା ପ୍ରଦର୍ଶନ ଉପରେ ଗୁଳି ଚାଳନା ହୋଇ ୧୨ ଜଣ ମୃତ ଓ ୨୭ ଜଣ ଆହତ ହୋଇଥିଲେ । ପରବର୍ତ୍ତୀ ସମୟରେ ସିପାହୀଙ୍କ ଦ୍ୱାରା ଲୋକଙ୍କୁ ଅତି ନୃଶଂସ ଭାବେ ସାଧାରଣରେ ଚାବୁକ ପ୍ରହାର କରିବାର ଅନେକ ଘଟଣା ଫଟୋ ସହ ସାମନାକୁ ଆସିଲା । ଜାଲିଆଁବାଲା ବାଗ ନରସଂହାରର ବିଭୀଷିକା ଓ ସେଥିପାଇଁ ବସିଥିବା ହଂଟର କମିଶନ କର୍ଣ୍ଣେଲ ଡାୟାରଙ୍କୁ ଦୋଷମୁକ୍ତ କରିବା ଘଟଣାରେ ସେ ଏପରି ମର୍ମାହତ ହୋଇ ପଡିଥିଲେ ଯେ ତାଙ୍କ କଲମରୁ ଅନେକ ହୃଦୟସ୍ପର୍ଶୀ ଲେଖା ସୃଷ୍ଟି ହୋଇଥିଲା । ସେଗୁଡିକ ମଧ୍ୟରୁ ‘ଏଗୋନି ଅଫ ଅମ୍ରିତସର’, ‘ଅମ୍ରିତସର ଆଣ୍ଡ ଆଓ୍ଵାର ଡ୍ୟୁଟି ଟୁ ଇଣ୍ଡିଆ’ ଆଦି ଅନ୍ୟତମ । ଏହି କ୍ରମରେ ୧୯୨୦ରେ ତାଙ୍କ ରଚିତ ‘ବ୍ରିଟିଶ ଆଡମିନିଷ୍ଟ୍ରେସନ ଆଣ୍ଡ ଅମ୍ରିତସର ମାସାକର’ ପୁସ୍ତକ ପ୍ରକାଶ ପାଇଥିଲା ।
ଇଂଲଣ୍ଡରେ ସାତ ବର୍ଷ କଟାଇବା ପରେ ତାଙ୍କୁ ଜାରି ହୋଇଥିବା ନିର୍ବାସନ ଆଦେଶର ଏକ ତୃଟିକୁ ଆଧାର କରି ୧୯୨୬ ମସିହାରେ ସେ ଭାରତକୁ ଫେରି ଆସିବାକୁ ସମର୍ଥ ହେଲେ । ତାଙ୍କୁ ପୁଣି ଥରେ ‘ଦି ବମ୍ବେ କ୍ରନିକଲ’ରେ ସମ୍ପାଦନାର ଦାୟିତ୍ୱ ହାତକୁ ନେବାକୁ ହେଲା । ଏହା ପରେ ୧୯୨୯ ମସିହାରେ ସେ ନିଜର ଖବର କାଗଜ ‘ଦି ଇଣ୍ଡିଆନ ନ୍ୟାସନାଲ ହେରାଲ୍ଡ’ ଓ ‘ଉଇକଲି ହେରାଲ୍ଡ’ ସାପ୍ତାହିକ ଖବରକାଗଜ ଆରମ୍ଭ କଲେ । କିଛି ଦିନ ପାଇଁ ସେ ‘ଡେଲି ମେଲ’ ଖବରକାଗଜ ସହ ମଧ୍ୟ ସମ୍ପୃକ୍ତ ଥିଲେ । ଏହା ପରେ ସେ ‘ବମ୍ବେ କ୍ରନିକଲ’ରୁ ଇସ୍ତଫା ଦେଇ ୧୯୩୩ ମସିହାରେ ନିଜର କାଗଜ ‘ବମ୍ବେ ସେଣ୍ଟିନେଲ’ର ପ୍ରକାଶନ ଆରମ୍ଭ କଲେ ଓ ଦୀର୍ଘ ୧୨ ବର୍ଷ ଧରି ସମ୍ପାଦକ ଭାବେ ଏହାର ଦାୟିତ୍ୱ ତୁଲାଇଥିଲେ । ଏହି ସମୟରେ ସେ ଅନେକ ପ୍ରତିବାଦ ଓ ବିକ୍ଷୋଭରେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ । ଜାତୀୟତାବାଦୀ ଦୃଷ୍ଟିଭଙ୍ଗୀ ସହ ସେ ବିଭିନ୍ନ ଘଟଣାର ରିପୋର୍ଟିଂ କରିବାକୁ ପଛାଉ ନଥିଲେ । ଋଷି କରଞ୍ଜିଆ ଓ ଦିନକର ନଦକର୍ଣ୍ଣିଙ୍କ ସହ ମିଶି ସେ ୧୯୪୧ରେ ବମ୍ବେରୁ ‘ବ୍ଲିଜ’ ସାପ୍ତାହିକ ପତ୍ରିକା ପ୍ରକାଶନର ଶୁଭାରମ୍ଭ କଲେ । ଟାବଲଏଡ ଆକାରରେ ପ୍ରକାଶିତ ଏହି ବହୁଚର୍ଚ୍ଚିତ ପତ୍ରିକାଟି ଭାରତରେ ଅନୁସନ୍ଧାନମୂଳକ ସାମ୍ବାଦିକତାର ଅଗ୍ରଦୂତ ସାଜି ନବେ ଦଶକ ଯାଏଁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇଥିଲା । ସେ ୧୯୪୮ରେ ଭାରତରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ, ସତେ ଯେମିତି ଅପେକ୍ଷା କରି ରହିଥିଲେ ଭାରତର ସ୍ୱାଧୀନତା ଲାଭକୁ ସ୍ୱଚକ୍ଷୁୁରେ ଦେଖିବା ପାଇଁ ।
ଏକଦା ନିଜ ସରକାରଙ୍କ ଦମନଲୀଳାର ଦୃଢ ସମାଲୋଚନା କରି ଭାରତରୁ ନିର୍ବାସିତ ହୋଇଥିବା ହର୍ନିମେନ ପୁଣି ଭାରତକୁ ପ୍ରତ୍ୟାବର୍ତ୍ତନ କରିି ମୃତ୍ୟୁ ପର୍ଯ୍ୟନ୍ତ ବମ୍ବେକୁ ନିଜର ଘର କରି ରହି ଯାଇଥିଲେ, ଆଉ ଭାରତ ପ୍ରତି ତାଙ୍କ ଅମୂଲ୍ୟ ଯୋଗଦାନକୁ ସମ୍ମାନ ଜଣାଇ ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ବମ୍ବେର ଏସିଆଟିକ ସୋସାଇଟି ସନ୍ନିକଟସ୍ଥ ‘ଏଲଫିନଷ୍ଟୋନ ସର୍କଲ’ର ନାମ ପରିବର୍ତ୍ତନ କରି ତାକୁ ‘ହର୍ନିମେନ ସର୍କଲ ଗାର୍ଡନସ’ କରାଗଲା । ଏଠାରେ ହର୍ନିମେନଙ୍କ ସମ୍ବନ୍ଧରେ ମହାତ୍ମା ଗାନ୍ଧୀ କହିଥିବା ପଦେ, ‘ସେ ଆମକୁ ମୁକ୍ତିର ମନ୍ତ୍ର ଦେଇଥିଲେ’ ସ୍ଥାନ ପାଇଛି । ହର୍ନିମେନଙ୍କ ଭଳି ଜଣେ ଉତ୍ସର୍ଗୀକୃତ ଓ ପ୍ରତିବଦ୍ଧ ସାମ୍ବାଦିକ ନଥିଲେ ଆଜି ହୁଏତ ଜାଲିଆଁଓ୍ଵାଲା ବାଗ ନରସଂହାରର ବିଭୀଷିକା ବିଶ୍ୱ ପଟଳରେ ଗୁରୁତ୍ୱର ସହିତ ଉପସ୍ଥାପିତ ହୋଇ ନପାରି ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ସମର୍ଥ ହୋଇ ନଥାନ୍ତା, ଆଉ ୧୯୧୭ ମସିହାର ମୟୂରଭଞ୍ଜ ମେଳିର ସଂଗ୍ରାମୀଙ୍କ ବଳିଦାନର ଗାଥା ବିସ୍ମୃତି ଗର୍ଭରେ ବିଲୀନ ହେଲା ପରି ବିସ୍ମୃତ ହୋଇ ଯାଇ ନଥିଲେ ମଧ୍ୟ, ହୁଏତ ଏହା ଭାରତ ସ୍ୱାଧୀନତା ସଂଗ୍ରାମର ଗତିପଥକୁ ପରିବର୍ତ୍ତନ କରି ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ ହେବାର ମର୍ଯ୍ୟାଦା ପାଇବାରୁ ବଞ୍ଚିତ ହୋଇଥାନ୍ତା । ଅର୍ଥ ଓ କ୍ଷମତାର ଅଳନ୍ଧୁର ଆସ୍ତରଣରେ ସତ୍ୟ ଯେପରି ଲୁଚି ନ ଯାଏ ସେଥିପାଇଁ ଆଜିର ସମାଜରେ ହର୍ନିମେନଙ୍କ ପରି ପ୍ରତିବଦ୍ଧତା ସମ୍ପନ୍ନ ଅଧିକ ସଂଖ୍ୟକ ସାମ୍ବାଦିକଙ୍କ ଆବଶ୍ୟକତା ଖୁବ ବେଶି ଅନୁଭୂତ ହେଉଛି ।
Published in July 2019 issue of Paurusha monthly magazine Paurusha and IIMC, Dhenkanal Monograph-22 entitled Jalianwalabagh 101 Retrospect on April 13, 2020
great.
ReplyDeleteThanks for appreciating the article.
DeleteWonderful presentation of facts.
ReplyDeleteThanks
DeleteBahut badhia sir
ReplyDeleteThanks
DeleteHistory unveiled in a nice way.
ReplyDeleteThanks for liking the article.
Delete