ଆରଟିଆଇ ମାଧ୍ୟମରେ ଉପଲବ୍ଧ ସୂଚନା ଆଧାରରେ ନିର୍ବାଚନୀ ବଣ୍ଡ ଯୋଜନାରେ ଏକ ବଡ ଧରଣର ଭ୍ରଷ୍ଟାଚାର ହୋଇଥିବାର ପ୍ରାରମ୍ଭିକ ସୂଚନା ମିଳୁଛି । ଶାସକ ଦଳକୁ ସୁହାଇବା ଲାଗିି ଯେଉଁ ଭଳି ଚତୁରତାର ସହ ନିର୍ବାଚନୀ ବଣ୍ଡ ଯୋଜନାର ପ୍ରଣୟନ କରାଗଲା, ତାହା ଯେ ସାଧାରଣ ନାଗରିକଙ୍କ ସ୍ୱାର୍ଥ ବିରୋଧୀ, ତାହା ସୁସ୍ପଷ୍ଟ ।
୨୦୧୭ ମସିହାରେ କେନ୍ଦ୍ର ବଜେଟ ସହ ନିର୍ବାଚନୀ ବଣ୍ଡ ଯୋଜନାକୁ ଏକ ଆର୍ଥିକ ବିଲ ଭାବେ ଉପସ୍ଥାପନ କରାଗଲା ବେଳେ ଏହାକୁ ନଗଦ ଚାନ୍ଦା ପ୍ରଦାନର ବିକଳ୍ପ କହି ଏହା ଦ୍ୱାରା ରାଜନୈତିକ ଚାନ୍ଦା ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ ବୋଲି ଦାବି କରାଯାଉଥିଲା । ଏହି ଆଇନ ପ୍ରଣୟନ ପାଇଁ ରିଜର୍ଭ ବ୍ୟାଙ୍କ ଆଇନ ୧୯୩୪, ଜନ ପ୍ରତିନିଧିତ୍ୱ ଆଇନ ୧୯୫୧, ଆୟକର ଆଇନ ୧୯୬୧ ଓ କମ୍ପାନୀ ଆଇନ ଭଳି ଚାରିଟି ଆଇନରେ ସଂଶୋଧନ କରାଗଲା । ନିର୍ବାଚନ କମିଶନ ନିର୍ବାଚନୀ ବଣ୍ଡର ପ୍ରଚଳନକୁ ବିରୋଧ କରିଥିଲେ । ରିଜର୍ଭ ବ୍ୟାଙ୍କ ଆଇନରେ ସଂଶୋଧନର ପ୍ରସ୍ତାବ ଥିବାରୁ ରିଜର୍ଭ ବ୍ୟାଙ୍କର ମତ ଲୋଡା ଯାଇଥିଲା । ବ୍ୟାଙ୍କ ନିଜ ବିରୋଧ ପ୍ରଦର୍ଶନ କରି ସ୍ପଷ୍ଟ ମତ ରଖିଥଲା ଯେ ଏହି ସଂଶୋଧନ ଏକ ଖରାପ ଉଦାହରଣ ପ୍ରତିଷ୍ଠା କରିବା ସହ କଳା ଟଙ୍କାକୁ ଧଳା କରିବାକୁ ପ୍ରୋତ୍ସାହିତ କରିବ । ବ୍ୟାଙ୍କ ଅନୁସାରେ, “ବହୁ ପରିମାଣରେ ବଣ୍ଡ ଜାରି ହେଲେ ଲୋକଙ୍କର ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଟଙ୍କା ଉପରୁ ବିଶ୍ୱାସ ହ୍ରାସ ପାଇବାର ଆଶଙ୍କା ଦେଖା ଦେଇପାରେ । ବଣ୍ଡଗୁଡିକ ଟଙ୍କା ଭଳି ଧାରକ ସାଧନ (ବିଅରର ଇନଷ୍ଟ୍ରୁମେଂଟ) ହୋଇଥିବାରୁ ସହଜରେ ଜଣକଠାରୁ ଅନ୍ୟ ଜଣକୁ ହସ୍ତାନ୍ତରିତ ହୋଇ ପାରିଥାଏ । ତେଣୁ ପ୍ରକୃତରେ ଶେଷରେ କିଏ ତାକୁ ରାଜନୈତିକ ଦଳକୁ ଦେଲା, ତାହା ଜାଣିବା କଷ୍ଟକର ।” ରିଜର୍ଭ ବ୍ୟାଙ୍କର ମତ ମିଳିବାରେ କୌଣସି ବିଳମ୍ବ ହୋଇ ନ ଥିଲେ ମଧ୍ୟ ‘ମତ ବିଳମ୍ବରେ ମିଳିଥିଲା’ର ଆଳ ଦେଖାଇ ସରକାର ଏହି ବିରୋଧକୁ ଅଣଦେଖା କରିଥିଲେ ।
ରାଜନୈତିକ ଦଳକୁ ଚାନ୍ଦା ପ୍ରଦାନ କରିବା ପାଇଁ ନିର୍ବାଚନୀ ବଣ୍ଡ ନଗଦ ଟଙ୍କା ଭଳି ଏକ ପ୍ରକାର ବିଅରର ଇନଷ୍ଟ୍ରୁମେଣ୍ଟ ହୋଇଥିବାରୁ କେବଳ ବଣ୍ଡ କିଣିଥିବା ବ୍ୟକ୍ତି ନୁହେଁ ବରଂ ରାଜନୈତିକ ଦଳକୁ ଦେବା ଯାଏଁ ଯାହା ପାଖରେ ତାହା ଥାଏ, ସେ ତାର ମାଲିକ । ଏହି ବଣ୍ଡ ଏକ ହଜାର, ଦଶ ହଜାର, ଏକ ଲକ୍ଷ, ଦଶ ଲକ୍ଷ ଓ ଏକ କୋଟି ଟଙ୍କାର ପାଞ୍ଚଟି ମୂଲ୍ୟବର୍ଗରେ ସାରା ଦେଶରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ୨୯ଟି ଶାଖାରେ ଉପଲବ୍ଧ ହୋଇଥାଏ । ପ୍ରତି ବର୍ଷ ଜାନୁଆରୀ, ଅପ୍ରେଲ, ଜୁଲାଇ ଓ ଅକ୍ଟୋବର ମାସର ପ୍ରଥମ ଦଶ ଦିନ ବଣ୍ଡ ବିକ୍ରି ହୋଇଥାଏ । ବଣ୍ଡ କିଣିଥିବା ବ୍ୟକ୍ତି ବା କମ୍ପାନୀକୁ ତାକୁ କୌଣସି ଯୋଗ୍ୟ ରାଜନୈତିକ ଦଳକୁ ଦେବାକୁ ହୋଇଥାଏ । ଉଲ୍ଲେଖଯୋଗ୍ୟ, କେବଳ ଜନ ପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୨୯ ଅନୁଯାୟୀ ପଞ୍ଜିକୃତ ତଥା ଲୋକସଭା ବା ରାଜ୍ୟ ବିଧାନସଭା ନିର୍ବାଚନରେ ସର୍ବନିମ୍ନ ଏକ ପ୍ରତିଶତ ଭୋଟ ହାସଲ କରିଥିବା ରାଜନୈତିକ ଦଳଗୁଡିକ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଚାନ୍ଦା ଗ୍ରହଣ କରି ପାରିବେ । ସମ୍ପୃକ୍ତ ରାଜନୈତିକ ଦଳ ପାଇଥିବା ନିର୍ବାଚନୀ ବଣ୍ଡକୁ ନିର୍ବାଚନ ଆୟୋଗ ଦ୍ୱାରା ପୁଷ୍ଟି ହୋଇଥିବା ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ହୋଇଥାଏ । ବଣ୍ଡ ବିକ୍ରି ହେବାର ୧୫ ଦିନ ମଧ୍ୟରେ କୌଣସି ଦଳର ଆକାଉଣ୍ଟରେ ଜମା ନ ହେଲେ ତାହା ଅବୈଧ ହୋଇଯାଏ ।
ଏହା ସ୍ୱୀକାର କରିବାକୁ ହେବ ଯେ ନିର୍ବାଚନ ତଥା ରାଜନୈତିକ ଗତିବିଧି ପାଇଁ ଦଳଗୁଡିକୁ ଅର୍ଥର ଆବଶ୍ୟକତା ପଡିଥାଏ ଓ ଏହି ଅର୍ଥ ସହାୟତା ସାଧାରଣ ଲୋକଙ୍କଠାରୁ ମିଳି ପାରିଲେ ସବୁଠାରୁ ଭଲ । ଉପଲବ୍ଧ ତଥ୍ୟାନୁସାରେ ବିକ୍ରି ହୋଇଥିବା ନିର୍ବାଚନୀ ବଣ୍ଡ ମଧ୍ୟରୁ ୯୯.୭ ପ୍ରତିଶତ ଏକ କୋଟି ଓ ଦଶଲକ୍ଷ ଟଙ୍କା ମୂଲ୍ୟବର୍ଗର ହୋଇଥିବାରୁ ଏଗୁଡିକୁ ସାଧାରଣ ବ୍ୟକ୍ତି ବିଶେଷ ନ କିଣି କମ୍ପାନୀମାନେ କିଣିଥିବା ଏକ ପ୍ରକାର ନିଶ୍ଚିତ । ଷ୍ଟେଟ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ପ୍ରତିଟି ନିର୍ବାଚନୀ ବଣ୍ଡରେ ଏକ ‘ଅକ୍ଷର-ଅଙ୍କ’ ବିଶିଷ୍ଟ ସଂଖ୍ୟା (ଆଲଫାନିଉମେରିକ ନମ୍ବର) ଲୁକ୍କାୟିତ ଭାବେ ଛପା ହୋଇଛି, ଯାହା କେବଳ ଅଲଟ୍ରା-ଭାୟୋଲେଟ ଆଲୋକରେ ଦୃଶ୍ୟମାନ ହୋଇଥାଏ । ଏହା ମାଧ୍ୟମରେ ବଣ୍ଡ କ୍ରେତାଙ୍କଠାରୁ ଆରମ୍ଭ କରି କେଉଁ ଦଳକୁ ତାହା ଦିଆଗଲା ପର୍ଯ୍ୟନ୍ତ ସବୁ କିଛି ସୂଚନା ବ୍ୟାଙ୍କ ନଜରରେ ରହି ପାରିବ । ତେଣୁ ବଣ୍ଡର ଗୋପନୀୟତାକୁ ନେଇ ହେଉଥିବା ଦାବି ଭିତ୍ତିହୀନ । ଏହି ତଥ୍ୟ ବ୍ୟାଙ୍କଠାରୁ ସରକାରଙ୍କ ମାଧ୍ୟମରେ ଶାସକ ଦଳ ଯାଏଁ ପହଞ୍ଚିବାର ସମ୍ଭାବନା ଥିବାରୁ ଦାତା ଓ ଗ୍ରହୀତାଙ୍କ ପରିଚୟ ବିରୋଧୀ ଦଳ ଓ ସାଧାରଣ ଲୋକଙ୍କ ପାଇଁ ଅଜ୍ଞାତ ହୋଇଥିଲା ବେଳେ ତାହା ଶାସକ ଦଳ ପାଇଁ ଗୋପନୀୟ ନୁହେଁ ।
ନିର୍ବାଚନୀ ବଣ୍ଡ ଯୋଜନା ପ୍ରଚଳନ ପାଇଁ କମ୍ପାନୀ ଆଇନର ଅନେକ ପ୍ରାବଧାନରେ ସଂଶୋଧନ କରାଗଲା । ଯେମିତି ଆଗରୁ ଗୋଟିଏ କମ୍ପାନୀ ତା ଲାଭର ସର୍ବାଧିକ ୭.୫ ପ୍ରତିଶତ ରାଶି ରାଜନୈତିକ ଚାନ୍ଦା ଆକାରରେ ଦେଇ ପାରୁଥିଲା, ଯାହା ପ୍ରତ୍ୟାହୃତ ହେଲା । ଫଳରେ କ୍ଷତିରେ ଚାଲୁଥିବା କମ୍ପାନୀଟିଏ ମଧ୍ୟ ଚାନ୍ଦା ଦେବାରେ କୌଣସି ଅସୁବିଧା ରହିଲା ନାହିଁ । ପୂର୍ବେ କମ୍ପାନୀଗୁଡିକୁ, ସେମାନେ ଦେଉଥିବା ରାଜନୈତିକ ଚାନ୍ଦା ସମ୍ପର୍କରେ, କମ୍ପାନୀର ଲାଭ-କ୍ଷତି ବିବରଣୀ (ପ୍ରଫିଟ ଆଣ୍ଡ ଲସ ଷ୍ଟେଟମେଣ୍ଟ)ରେ ଉଲ୍ଲେଖ କରିବାକୁ ହେଉଥିଲା, ଯାହାକୁ ଉଠାଇ ଦିଆଗଲା । ଆଗରୁ କେବଳ ତିନି ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ପଞ୍ଜିକୃତ କମ୍ପାନୀମାନେ ରାଜନୈତିକ ଦଳଗୁଡିକୁ ଚାନ୍ଦା ଦେଇ ପାରୁଥିଲେ, ଯାହାକୁ ଉଠାଇ ଦିଆଗଲା । ଅର୍ଥାତ୍, ନୂଆ କରି ପ୍ରତିଷ୍ଠା ହୋଇଥିବା କମ୍ପାନୀଟିଏ ପକ୍ଷରେ ମଧ୍ୟ ଚାନ୍ଦା ଦେବାରେ ଆଉ କୌଣସି ବାଧା ରହିଲା ନାହିଁ । ଏ ସବୁ ଦ୍ୱାରା ମୃତପ୍ରାୟ ବା ନାମମାତ୍ର (ସେଲ) କମ୍ପାନୀଗୁଡିକ ମଧ୍ୟ ପରିଚୟ ଗୋପନ ରଖି ରାଜନୈତିକ ଦଳଗୁଡିକୁ ଚାନ୍ଦା ପ୍ରଦାନ କରି ପାରିବେ, ଯାହା କଳା ଧନକୁ ଧଳା କରିବା (ମନି ଲଣ୍ଡରିଙ୍ଗ)ରେ ସହାୟକ ହେବ ।
ନିର୍ବାଚନୀ ବଣ୍ଡର ପ୍ରଚଳନ ପରେ ରାଜନୈତିକ ଚାନ୍ଦା ପ୍ରଦାନରେ ସ୍ୱଚ୍ଛତା ଆସିବାର ଦାବି କରାଯାଉଥିଲେ ବି ପୂର୍ବରୁ ଚାଲୁ ରହିଥିବା ନଗଦ ଚାନ୍ଦା ପ୍ରଦାନକୁ ବାତିଲ କରାଯାଇ ନାହିଁ । ପୂର୍ବେ କେବଳ ୨୦ ହଜାର ଟଙ୍କା ଉପରେ ଚାନ୍ଦା ଦେଉଥିବା ଲୋକଙ୍କ ନାମ ଦଳଗୁଡିକୁ ନିର୍ବାଚନ କମିଶନରଙ୍କ ନିକଟରେ ପ୍ରକାଶ କରିବାକୁ ହେଉଥିଲା, ଯାହାକୁ ଏବେ ଦୁଇ ହଜାର ଟଙ୍କାକୁ କମାଇ ଦିଆଗଲା । ତେଣୁ ଗୋପନୀୟତା ବଜାୟ ରଖିବା ପାଇଁ ଚାନ୍ଦାର ପରିମାଣକୁ ଭାଗ ଭାଗ କରି ଦୁଇ ହଜାର ଟଙ୍କା ମଧ୍ୟରେ ଦର୍ଶାଯାଉଛି, ଯାହା ପୂର୍ବେ ୨୦ ହଜାର ଟଙ୍କା ଭିତରେ ଦର୍ଶା ଯାଉଥିଲା । ଫଳରେ ତାହା ଚାନ୍ଦା ସଂଗ୍ରହର ସ୍ୱଚ୍ଛତାକୁ ନେଇ ସରକାରଙ୍କ ଘୋଷିତ ଲକ୍ଷ୍ୟ ହାସଲ କରିବାରେ ଅସମର୍ଥ ହୋଇଛି । ଉଦାହରଣ ସ୍ୱରୂପ, ବହୁଜନ ସମାଜ ପାର୍ଟି ସମସ୍ତ ଚାନ୍ଦା ନଗଦ ଆକାରରେ ପାଇଥିବା କଥା ଘୋଷଣା କରିବା ଅର୍ଥ ନଗଦ ଆକାରରେ ଚାନ୍ଦା ପ୍ରଦାନ ପ୍ରକ୍ରିୟା ହ୍ରାସ ମଧ୍ୟ ପାଇନାହିଁ । ଅନ୍ୟ ପକ୍ଷରେ ଏଣିକି ଆଉ ବଣ୍ଡ ମାଧ୍ୟମରେ ସଂଗୃହୀତ କୋଟିକୋଟି ଟଙ୍କା ଚାନ୍ଦାର ଦାତାଙ୍କ ନାମ ନିର୍ବାଚନ କମିଶନଙ୍କୁ ଜଣାଇବାକୁ ପଡୁନାହିଁ ।
ମାର୍ଚ୍ଚ ୨୦୧୮ରୁ ଅକ୍ଟୋବର ୨୦୧୯ ଯାଏଁ ବାରଟି ଶୃଙ୍ଖଳାରେ ନିର୍ବାଚନୀ ବଣ୍ଡ ଜାରି ହୋଇଛି । ମେ ୨୦୧୯ରେ ଲୋକସଭା ନିର୍ବାଚନ ସରିବା ସୁଦ୍ଧା ଦଶଟି ଶୃଙ୍ଖଳାରେ ସମୁଦାୟ ୫୮୫୧.୪୧ କୋଟି ଟଙ୍କାର ବଣ୍ଡ ବିକ୍ରି ହୋଇଥିଲା । ଏକ ବିଚାରାଧୀନ ମାମଲାରେ ବଣ୍ଡ ପାଇଥିବା ରାଜନୈତିକ ଦଳମାନଙ୍କୁ ମେ ୩୧ ସୁଦ୍ଧା ପ୍ରାପ୍ତ ବଣ୍ଡର ବିବରଣୀ ବନ୍ଦ ଲଫାଫାରେ ନିର୍ବାଚନ କମିଶନରଙ୍କ ନିକଟରେ ଦାଖଲ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ପରିତାପର ବିଷୟ ବିଜେପି ସମେତ କେତେକ ଦଳ ତାହା ଦାଖଲ କରି ନଥିବାରୁ କେଉଁ ଦଳକୁ କେତେ ପରିମାଣରେ ବଣ୍ଡ ମିଳିଛି ତାହା ସୁସ୍ପଷ୍ଟ ନୁହେଁ । ତେବେ ପ୍ରଥମ ଶୃଙ୍ଖଳାରେ ବିକ୍ରି ହୋଇଥିବା ୨୨୨ କୋଟି ଟଙ୍କାର ବଣ୍ଡ ମଧ୍ୟରୁ ୯୫ ପ୍ରତିଶତ ବିଜେପି ପାଇଥିଲା । ମୋଟ ବଣ୍ଡ ମଧ୍ୟରୁ ୪୭୧୫ କୋଟି ଟଙ୍କା (ପ୍ରାୟ ୮୦ ପ୍ରତିଶତ) ଦିଲ୍ଲୀସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରେ ଜମା ହୋଇଛି । ବିଜେପି, କଂଗ୍ରେସ ଭଳି ଜାତୀୟ ରାଜନୈତିକ ଦଳଗୁଡିକର ପ୍ରଧାନ କାର୍ଯ୍ୟାଳୟ ଦିଲ୍ଲୀଠାରେ ଅବସ୍ଥିତ ହୋଇଥିବାରୁ ସେହି ଦଳଗୁଡିକ ଏହି ରାଶିର ଲାଭାର୍ଥୀ ହୋଇଥିବା ସ୍ୱାଭାବିକ । କେତେକ ଆଞ୍ଚଳିକ ଦଳ ମଧ୍ୟ ନିର୍ବାଚନୀ ବଣ୍ଡ ମାଧ୍ୟମରେ ମୋଟା ଅଙ୍କର ଚାନ୍ଦା ପାଇଛନ୍ତି । ଭୁବନେଶ୍ୱର ଶାଖାରେ ପ୍ରାୟ ୩୧୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ବିକ୍ରି ହୋଇଥିବା ବେଳେ ସେଠାରେ ୧୮୪ କୋଟି ଟଙ୍କାର ବଣ୍ଡ ଭଙ୍ଗା ହୋଇଛି । ୨୦୧୪ ନିର୍ବାଚନରେ ରାଜ୍ୟରେ ବିଜେଡି ବ୍ୟତୀତ ଅନ୍ୟ କୌଣସି ଆଞ୍ଚଳିକ ଦଳ ଏକ ପ୍ରତିଶତ ଭୋଟ ପାଇ ନଥିବାରୁ ଏ ସମସ୍ତ ବଣ୍ଡ ଯେ ବିଜେଡି ଖାତାରେ ଜମା ହୋଇଛି, ତାହା ସହଜରେ ଅନୁମେୟ । ଓଡିଶାରେ ସେ ଭଳି ବଡ କର୍ପୋରେଟ ହାଉସର ମୁଖ୍ୟାଳୟ ନ ଥିଲେ ବି ବଣ୍ଡ ବିକ୍ରି କ୍ଷେତ୍ରରେ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ୱର ଶାଖା ବେଙ୍ଗାଲୁରୁ, ଚେନ୍ନାଇ, ଅହମ୍ମଦାବାଦ ଭଳି ବଡ ଶାଖାଙ୍କଠାରୁ ଆଗରେ ରହିବା ଅନେକ ପ୍ରଶ୍ନ ଉତଥାପନ କରୁଛି । ସାରା ଦେଶରେ କମ୍ପାନୀମାନେ ଚାନ୍ଦା ଦେବା ପାଇଁ ନାମକୁ ମାତ୍ର (ସେଲ) କମ୍ପାନୀକୁ ମାଧ୍ୟମ କରି କଳା ଧନକୁ ଧଳା କରିଥିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । ଅଧିକନ୍ତୁ, କ୍ରୟ ହୋଇଥିବା ପ୍ରାୟ ୨୦ କୋଟି ଟଙ୍କାରୁ ଅଧିକ ପରିମାଣର ବଣ୍ଡ ନିର୍ଦ୍ଧାରିତ ସମୟରେ କୌଣସି ରାଜନୈତିକ ଦଳର ଖାତାରେ ଜମା ନ ହୋଇ ଅବୈଧ ହେବାକୁ ଛାଡି ଦିଆ ଯିବାରୁ ଏଥିରେ କଳା ଧନ କାରବାର ହୋଇଥିବାର ଇଙ୍ଗିତ ମିଳୁଛି । ତେଣୁ ବଣ୍ଡ ପ୍ରଦାନକାରୀ କମ୍ପାନୀଗୁଡିକର ନାମ ଓ ପରବର୍ତ୍ତୀ ସମୟରେ ସେମାନେ ସରକାରଙ୍କ ଦ୍ୱାରା କୌଣସି ପ୍ରକାରେ ଉପକୃତ ହୋଇଛନ୍ତି କି ନାହିଁ (କୁଇଡ ପ୍ରୋ କୁଓ) ଆଦି ଭୋଟରମାନେ ଜାଣିବା ନିହାତି ଜରୁରୀ ।
ନିର୍ବାଚନୀ ବଣ୍ଡ ସଂକ୍ରାନ୍ତୀୟ ନିୟମର ବାରମ୍ବାର ଉଲ୍ଲଂଘନ ହୋଇଛି । ଉଦାହରଣ ସ୍ୱରୂପ, କେବଳ ଲୋକସଭା ନିର୍ବାଚନ ହେଉଥିବା ବର୍ଷରେ ଚାରି ଥରରୁ ଅଧିକ ଥର ବଣ୍ଡ ବିକ୍ରି ପାଇଁ ବିଶେଷ ଅନୁମତି ପ୍ରଦାନର ପ୍ରାବଧାନ ଥିଲେ ମଧ୍ୟ ନିୟମକୁ ଅଣଦେଖା କରି ମାର୍ଚ୍ଚ ୨୦୧୮ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ବଣ୍ଡ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା । ସେହିପରି ପ୍ରଥମ ଦଫାରେ ବିକ୍ରି ହୋଇଥିବା କିଛି ବଣ୍ଡ ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜନୈତିକ ଦଳଙ୍କ ଖାତାରେ ଜମା ନ ହୋଇ ଅବୈଧ ହୋଇ ଯାଇଥିଲେ ବି ତାକୁ ବୈଧ କରିବା ପାଇଁ ବ୍ୟାଙ୍କ ଉପରେ ଚାପ ପ୍ରୟୋଗ ହୋଇଥିବାର ଅଭିଯୋଗ ହୋଇଛି । ନିର୍ବାଚନୀ ବଣ୍ଡ ବିବଦମାନ ହୋଇ ପଡିବାର ପ୍ରମୁଖ କାରଣ ହେଉଛି ଏହାର ଗୋପନୀୟତା ଓ ଅସ୍ୱଚ୍ଛତା । ଉଭୟ ଦାତା ଓ ଗ୍ରହୀତା କାହାକୁ ବଣ୍ଡ ଦେଲେ ବା କାହାଠାରୁ ଗ୍ରହଣ କଲେ, ତାହା ପ୍ରକାଶ କରିବାକୁ ବାଧ୍ୟ ହୋଇ ନ ଥିବାରୁ ଏହା ଜଣେ ନାଗରିକର ରାଜନୈତିକ ସୂଚନା ହାସଲ କରିବାର ସ୍ୱାଧୀନତାକୁ କ୍ଷୁଣ୍ଣ କରୁଛି । ଏହା ସମସ୍ତଙ୍କ ପାଇଁ ସମ ପରିମାଣରେ ଅସ୍ୱଚ୍ଛ ନ ହେବା ଅଧିକ ବିପଜ୍ଜନକ । ଅର୍ଥାତ୍, ଶାସକ ଦଳ ବଣ୍ଡର ଦାତା ଓ ଗ୍ରହୀତାଙ୍କ ସମ୍ପର୍କରେ ତଥ୍ୟ ହାସଲ କରି ପାରୁଥିବା ବେଳେ ବିରୋଧୀ ଦଳ ଓ ସାଧାରଣ ନାଗରିକଙ୍କ ନିକଟରେ ତାହା ଉପଲବ୍ଧ ନୁହେଁ । ଚାନ୍ଦା ପ୍ରଦାନକାରୀଙ୍କ ପରିଚୟ ଗୋପନ ରଖିବା ପଛରେ ଯୁକ୍ତି ଦିଆ ଯାଉଥିଲା ଯେ ବିରୋଧୀ ଦଳ କ୍ଷମତାକୁ ଆସିଲେ ପ୍ରତିଶୋଧ ପରାୟଣ ହୋଇ ପାରନ୍ତି । ଅନ୍ୟ ପକ୍ଷରେ ବିରୋଧୀ ଦଳକୁ ବଣ୍ଡ ପ୍ରଦାନ କରୁଥିବା କମ୍ପାନୀଙ୍କ ଉପରେ ଆୟକର, ଇଡି, ସିବିଆଇ ଆଦିର ଚଢଉ ବା ଧମକ ମାଧ୍ୟମରେ ଶାସକ ଦଳ ପ୍ରତିଶୋଧ ପରାୟଣ ହେଉଥିବାର ଅଭିଯୋଗମାନ ଶୁଣିବାକୁ ମିଳୁଛି । ତେଣୁ ବିରୋଧୀ ଦଳକୁ ନିର୍ବାଚନୀ ବଣ୍ଡ ପ୍ରଦାନ କରିବା ଲାଗି କମ୍ପାନୀମାନେ କୁଣ୍ଠା ପ୍ରକାଶ କରିବା ସ୍ୱାଭାବିକ ।
ପ୍ରଚଳିତ ନିର୍ବାଚନୀ ପ୍ରକ୍ରିୟାରେ ଅର୍ଥ ଏକ ବଡ ଭୂମିକା ନିର୍ବାହ କରୁଥିବାରୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜନୈତିକ ଚାନ୍ଦା ପ୍ରଦାନରେ ସ୍ୱଚ୍ଛତା ରହିବା ଦରକାର । ଲବ୍ଧ ଚାନ୍ଦାର ଉତ୍ସ ସମ୍ପର୍କରେ ଜାଣିବାର ଅଧିକାର ନାଗରିକ ନିକଟରେ ନ ରହିଲେ କେବଳ ଗଣତନ୍ତ୍ର ଯେ ବିପନ୍ନ ହେବ ତାହା ନୁହେଁ, ବରଂ ତାହା କ୍ରମଶଃ କର୍ପୋରେଟ ନିୟନ୍ତ୍ରଣ ଭିତରକୁ ଚାଲିଯିବାର ଆଶଙ୍କା ଦେଖା ଦେବ । ତା ଛଡା ଗୋପନୀୟତା ଓ ଅସ୍ୱଚ୍ଛତା କାରଣରୁ ଚାନ୍ଦାର ସିଂହଭାଗ ଯଦି ଗୋଟିଏ ବା ମୁଷ୍ଟିମେୟ ଦଳଙ୍କ ନିକଟକୁ ଯାଏ ତେବେ ଅସମତୁଲ ହୋଇ ସାରିଥିବା ନିର୍ବାଚନ ପ୍ରକ୍ରିୟା ଏକ ପାଖିଆ ହୋଇ କ୍ରମଶଃ ଲୋକଙ୍କ ସ୍ୱର କ୍ଷୀଣ ହୋଇଯିବ । ତେଣୁ ପ୍ରତି ଥର ଷ୍ଟେଟ ବ୍ୟାଙ୍କ ଦ୍ୱାରା ସର୍ବାଧିକ କେତେ ପରିମାଣର ବଣ୍ଡ ଜାରି ହୋଇ ପାରିବ, ତାର ସୀମା ନିର୍ଦ୍ଧାରଣ ହେବା ଉଚିତ । ନିର୍ବାଚନୀ ବଣ୍ଡ କିଏ କିଣିଲେ, କିଏ ଦଳକୁ ପ୍ରଦାନ କଲେ ଓ କେଉଁ ଦଳ ପାଇଲେ, ଏ ସମସ୍ତ ତଥ୍ୟ ନାଗରିକଙ୍କ ଗୋଚରାର୍ଥେ ଉନ୍ମୁକ୍ତ ଇଲାକା (ପବ୍ଲିକ ଡୋମେନ)ରେ ଉପଲବ୍ଧ ହେବା ଅପରିହାର୍ଯ୍ୟ । ନିର୍ବାଚନୀ ବଣ୍ଡ ଯୋଜନାରେ ଭ୍ରଷ୍ଟାଚାରର ଗନ୍ଧ ବାରି ହୋଇ ପଡୁଥିବାରୁ ଏ ସଂକ୍ରାନ୍ତରେ ବିଚାରାଧୀନ ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟକୁ ଅପେକ୍ଷା ରହିଛି । ଇତି ମଧ୍ୟରେ ଏହା ବିରୋଧରେ ସଂସଦରେ ମଧ୍ୟ ସ୍ୱର ତୀବ୍ର ହେବାକୁ ଲାଗିିଲାଣି । ତେବେ ଏହାକୁ ରଦ୍ଦ କରିବା ଅବା ଏଥିରେ ସୁଧାର ଆଣିବା ପାଇଁ ନାଗରିକ ସମାଜର ସ୍ୱର ଅଧିକ ଶାଣିତ ହେବାର ଆବଶ୍ୟକତା ରହିଛି ।
Published in Sambad on December 05, 2019
Excellent Analysis.
ReplyDeleteThanks
Delete