Skip to main content

ପିଆଜ ଦର ଏମିତି ବେଲଗାମ କାହିଁକି ?

ସଂସଦରେ ଆଲୋଚନା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେତେବେଳେ କହିଲେ ଯେ ତାଙ୍କ ଘରେ ପିଆଜର ବ୍ୟବହାର ଅଧିକ ନଥିବାରୁ ପିଆଜର ମୂଲ୍ୟ ବୃଦ୍ଧି ତାଙ୍କ ପାଇଁ କୌଣସି ମାନେ ରଖେ ନାହିଁ, ସେତେବେଳେ ତାହା ଅନେକଙ୍କ ଭ୍ରୁକୁଂଚନ ସୃଷ୍ଟି କରିଥିଲା । ତେବେ ଭାତ ବା ରୁଟି ସହ ପିଆଜକୁ ଭରସା କରିଥିବା ସାଧାରଣ ଭାରତୀୟ ଉପରେ ପିଆଜର ଅହେତୁକ ମୂଲ୍ୟ ବୃଦ୍ଧିର ପ୍ରଭାବ କ'ଣ ହୋଇଛି, ତାହା ହୁଏତ ଅର୍ଥମନ୍ତ୍ରୀ ହୃଦୟଙ୍ଗମ କରିନାହାନ୍ତି । ସେଥିପାଇଁ ଏଭଳି ସମ୍ବେଦନହୀନ ମନ୍ତବ୍ୟ । ପିଆଜର ମୂଲ୍ୟ କେଜି ପିଛା ଶହେ ଟଙ୍କା ଟପିବା ପରେ ଏଭଳି ସ୍ଥିତିରୁ ନିସ୍ତାର ପାଇବା ପାଇଁ ସମସ୍ତେ ସରକାରଙ୍କୁ ଚାହିଁ ରହିଥିବା ବେଳେ ସରକାର ନେଉଥିବା ପଦକ୍ଷେପଗୁଡିକ ମୂଲ୍ୟ ହ୍ରାସରେ ବିଶେଷ ସହାୟକ ହେଉନାହିଁ । ବର୍ଷ ପରେ ବର୍ଷ ତିରୋଟ ସମୟରେ ପିଆଜ ଲୋକଙ୍କୁ କନ୍ଦାଇ ଆସୁଥିଲେ ବି ପିଆଜର ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସରକାର ସଫଳ ହୋଇ ପାରୁ ନ ଥିବାର କାରଣ ଖୋଜିଲା ବେଳେ ମନକୁ ପ୍ରଶ୍ନ ଉଠିଥାଏ ଯେ ଏହି ମୂଲ୍ୟ ବୃଦ୍ଧି କିଛି ମାତ୍ରାରେ ମନୁଷ୍ୟକୃତ ନୁହେଁ ତ ?

ଭାରତରେ ପିଆଜ ଖରିଫ, ବିଳମ୍ବ ଖରିଫ ଓ ରବି ଏହିପରି ତିନିଟି ଋତୁରେ ଚାଷ କରା ଯାଇଥାଏ । ଖରିଫ ଚାଷ ଅକ୍ଟୋବର ମାସରୁ ଅମଳ ହୋଇ ଆନ୍ଧ୍ର ପ୍ରଦେଶର କର୍ଣ୍ଣୁଲ ଓ କର୍ଣ୍ଣାଟକରୁ ବଜାରକୁ ଆସିଥାଏ । ସେହିପରି ମହାରାଷ୍ଟ୍ର ଓ ଅନ୍ୟ କେତେକ ରାଜ୍ୟରେ ହେଉଥିବା ବିଳମ୍ବ ଖରିଫ ପିଆଜ ବଜାରରେ ଜାନୁଆରୀ ମାସରୁ ଉପଲବ୍ଧ ହୋଇଥାଏ । ଉଭୟ ଖରିଫ ଓ ବିଳମ୍ବ ଖରିଫରେ ଉତ୍ପାଦିତ ପିଆଜର ପରିମାଣ ସମଗ୍ର ଉତ୍ପାଦନର ପ୍ରାୟ ୨୦ ପ୍ରତିଶତ ଲେଖାଏଁ । ପରିମାଣ ଦୃଷ୍ଟିର ମାର୍ଚ୍ଚରୁ ମେ ମଧ୍ୟରେ ଅମଳ ହେଉଥିବା ରବି ଋତୁର ପିଆଜ ହିଁ ସର୍ବାଧିକ । ଖରିଫରେ ଉତ୍ପାଦିତ ପିଆଜ ତୁଳନାରେ ଏଥିରେ କମ ଆର୍ଦ୍ରତା ରହୁଥିବାରୁ ଏହି ପିଆଜକୁ ସଂରକ୍ଷଣ କରାଯାଇଥାଏ ଓ ଜୁଲାଇ ପରଠାରୁ ଏହା ବଜାରରେ ବିକ୍ରି ପାଇଁ ଆସିଥାଏ । ଜାନୁଆରୀରେ ପିଆଜ ଅମଳ ହେବା ଯାଏଁ ଚାହିଦା ତୁଳନାରେ କମ ପରିମାଣର ପିଆଜ ଉପଲବ୍ଧ ହେଉଥିବାରୁ ପିଆଜର ଦାମ ବଢିଥାଏ । କୌଣସି କାରଣରୁ ଖରିଫ ପିଆଜର ଅମଳ ହ୍ରାସ ପାଇଲେ ସ୍ଥିତି ଅଧିକ ଜଟିଳ ହୋଇ ଦାମ ହୁ ହୁ ହୋଇ ବଢିଥାଏ, ଯାହା ହୋଇଛି ଏ ବର୍ଷ । ବିଳମ୍ବରେ ମୌସୁମୀ ଆଗମନ ଏବଂ ଖରିଫ ପିଆଜର ଚାଷ ଓ ଅମଳ ସମୟରେ ଉଭୟ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇ ଅମଳ ଯଥେଷ୍ଟ କମି ଯାଇଥିଲା ।

ସରକାରଙ୍କ ପ୍ରଥମ ଆକଳନ ଅନୁସାରେ ୨୦୧୯ ଜୁନ ମାସରେ ସମାପ୍ତ ହୋଇଥିବା ପିଆଜ ଫସଲ ବର୍ଷରେ ପ୍ରାୟ ୨୬୩ ଲକ୍ଷ ଟନ ପିଆଜ ଉତ୍ପାଦନ ହେବା କଥା, ଯାହା ପୂର୍ବ ବର୍ଷ ତୁଳନାରେ ୪ ଲକ୍ଷ ଟନ ଅଧିକ । ତେବେ ସରକାର ମଧ୍ୟ ଜାଣିଥିଲେ ଯେ ମରୁଡି ଯୋଗୁ ପିଆଜ ଉତ୍ପାଦନର ଉପରୋକ୍ତ ଆକଳନ ସଠିକ ହୋଇ ନ ପାରେ । ତେଣୁ ତିରୋଟ ସମୟରେ ପରିସ୍ଥିତି ଅଧିକ ଗମ୍ଭୀର ହେବାର ଆଶଙ୍କା କରି ଜୁନ ମାସରେ ସରକାର ପ୍ରଥମ କରି ପିଆଜ ପାଇଁ ୫୦ ହଜାର ଟନ ବିଶିଷ୍ଟ ଏକ ‘ବଫର ଷ୍ଟକ’ ସୃଷ୍ଟି କରିବା ନିଷ୍ପତ୍ତି ନେଇ ସଂଗ୍ରହ ଦାୟିତ୍ୱ ‘ନାଫେଡ’ ଉପରେ ନ୍ୟସ୍ତ କଲେ । ଏହିପରି ୫୭,୩୭୩ ଟନ ପିଆଜ ସଂଗୃହୀତ ହୋଇ ରହିଥିଲା । ତେବେ ସମ୍ଭବତଃ ପିଆଜ ଉପଲବ୍ଧତାର ସଠିକ ଆକଳନର ଅଭାବ ଯୋଗୁ ସରକାର ସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି ନ ପାରି ସେପ୍ଟେମ୍ବର ମାସ ଯାଏଁ ଦେଶରୁ ପିଆଜ ରପ୍ତାନୀ ପାଇଁ ଅନୁମତି ଦେଇ ଚାଲିଲେ । ଏପରିକି ସେପ୍ଟେମ୍ବର ମାସରେ ଏଥିପାଇଁ ଟନ ପିଛା ୮୫୦ ଡଲାରର ରପ୍ତାନୀ ସର୍ବନିମ୍ନ ମୂଲ୍ୟ (ଏମଇପି) ମଧ୍ୟ ଘୋଷଣା କରିଥିଲେ । ତେବେ ଘରୋଇ ବଜାରରେ ପିଆଜର ଦର ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରେ ବିଚଳିତ ହୋଇ ସରକାର ସେପ୍ଟେମ୍ବର ୨୯ରେ ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇଲେ । ଉଲ୍ଲେଖଯୋଗ୍ୟ, ଅପ୍ରେଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରୁ ପ୍ରାୟ ୯.୩୬ ଲକ୍ଷ ଟନ ପିଆଜ ବିଦେଶକୁ ରପ୍ତାନୀ ହୋଇ ୧୭୪୧ କୋଟି ଟଙ୍କା ମିଳିଥିଲା, ଅର୍ଥାତ୍ କେଜି ପିଛା ହାରାହାରି ୧୮.୬୦ ଟଙ୍କା । ପିଆଜର ଦର ନିୟନ୍ତ୍ରଣ କରିବା ପାଇଁ ଏବେ ମିଶର, ତୁର୍କୀ, ଆଫଗାନିସ୍ତାନରୁ ୧.୩ ଲକ୍ଷ ଟନ ଆମଦାନୀ କରିବାର ନିଷ୍ପତ୍ତି ନିଆଯାଇଛି, ଭାରତରେ ପହଞ୍ଚିଲା ବେଳକୁ ଯାହାର ମୂଲ୍ୟ କେଜି ପିଛା ୩୦ରୁ ୪୦ ଟଙ୍କା ହେବ । ୧୮ଟଙ୍କାରେ ବିକି ୩୦ ଟଙ୍କାରେ କିଣିବାର ନିଷ୍ପତ୍ତିକୁ ସହଜରେ ଗ୍ରହଣ କରି ହେଉ ନ ଥିଲେ ବି ପୂର୍ବରୁ ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇ ନଥିବାରୁ ସରକାରଙ୍କ ନିକଟରେ ତା ଭିନ୍ନ ଆଉ ଅନ୍ୟ ବାଟ ନ ଥିଲା । ତା ଛଡା ଶହେ ଟଙ୍କାରୁ ଅଧିକ ଦରରେ କିଣୁଥିବା ଉପଭୋକ୍ତା ପାଇଁ ଏବେ ୪୦-୫୦ ଟଙ୍କା ଦରରେ ପିଆଜ ମିଳିଲେ ସେ ବି ଉଲ୍ଲସିତ ହେବା କିଛି ବିଚିତ୍ର ନୁହେଁ । ଆଗାମୀ ମକର ଯାଏଁ ଏମିତି ଚାଲିଲା ପରେ ନୂଆ ପିଆଜ ଅମଳ ହୋଇ ଦାମ କ୍ରମଶଃ କମିବାକୁ ଆରମ୍ଭ କଲେ ଧୀରେ ଧୀରେ ସବୁ କିଛି ଭୁଲି ହୋଇଯିବ । ଆସନ୍ତା ବର୍ଷ ପୁଣି ଥରେ ଦର ବୃଦ୍ଧି ନ ହେବା ଯାଏଁ ଲୋକଙ୍କ ଆକ୍ରୋଶ ଉଭେଇ ଯାଇ ସ୍ଥିତି ସାମାନ୍ୟ ହୋଇଯିବ । ତେବେ ଏହାର ପୁନରାବୃତ୍ତି ହେବା ପୂର୍ବରୁ ଦେଶରେ ପିଆଜର ଚାହିଦା, ଯୋଗାଣ, ଚାଷ, ବ୍ୟବସାୟ ଓ ରପ୍ତାନୀ ସଂକ୍ରାନ୍ତୀୟ ସମସ୍ୟା ଓ ଅନ୍ୟାନ୍ୟ ଦିଗ ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି ।

ସାରା ବିଶ୍ୱରେ ୨୦୧୩ ମସିହାରେ ପିଆଜର ବ୍ୟବହାର ମୁଣ୍ଡପିଛା ବାର୍ଷିକ ୧୦.୫ କିଲୋଗ୍ରାମ ଥିବା ବେଳେ ଭାରତରେ ତାହା ୧୩.୫ କିଲୋଗ୍ରାମ ଥିଲା, ଯାହା ଏବେ ଆହୁରି ଅଧିକ ହୋଇ ସାରିଥିବ । ଉଲ୍ଲେଖଯୋଗ୍ୟ, ୧୯୬୧ ମସିହାରେ ଭାରତରେ ପିଆଜର ବ୍ୟବହାର ମୁଣ୍ଡପିଛା ବାର୍ଷିକ ମାତ୍ର ୨.୧ କିଲୋଗ୍ରାମ ଥିଲା । ଅର୍ଥାତ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅଧିକ ଆମିଶ ଭକ୍ଷଣ ସହ ଖାଦ୍ୟ ଗ୍ରହଣ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଘଟି ପିଆଜର ବ୍ୟବହାର ଆଶାତୀତ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ପିଆଜର ଚାହିଦା ମଧ୍ୟ ଯଥେଷ୍ଟ ବଢିଛି । ଏକ ଆକଳନ ଅନୁସାରେ ଘରୋଇ ବ୍ୟବହାର ଉଦ୍ଦେଶ୍ୟରେ ଏବେ ଦେଶରେ ବାର୍ଷିକ ପ୍ରାୟ ୧୮୦ ଲକ୍ଷ ଟନ ପିଆଜର ଆବଶ୍ୟକତା ରହିଛି । ତେଣୁ ଦେଶରେ ଉତ୍ପାଦିତ ପିଆଜର ସଠିକ ପରିଚାଳନା ହୋଇ ପାରିଲେ ତାହା ଏହି ଚାହିଦା ମେଣ୍ଟାଇବାକୁ ସମର୍ଥ ହେବାରେ କୌଣସି ଅସୁବିଧା ରହନ୍ତା ନାହିଁ ।

ପିଆଜ ଉତ୍ପାଦନରେ ସମଗ୍ର ବିଶ୍ୱରେ ଚୀନ ପରେ ଭାରତର ସ୍ଥାନ ଦ୍ୱିତୀୟ । ୨୦୧୭-୧୮ ବର୍ଷରେ ଦେଶରେ ଉତ୍ପାଦନ ହୋଇଥିବା ୨୩୨.୬୨ ଲକ୍ଷ ଟନ ପିଆଜ ମଧ୍ୟରୁ ୩୮ ପ୍ରତିଶତ କେବଳ ମହାରାଷ୍ଟ୍ରରୁ ହୋଇଥିଲା । ପିଆଜ ଏକ ଅର୍ଥକରୀ ଫସଲ ବୋଲି କୁହା ଯାଉଥିଲେ ମଧ୍ୟ ପିଆଜ ଚାଷୀଟିଏ ସେ ଭଳି ଲାଭ ପାଇ ନଥାଏ । ଏବେ ଭଳି ତିରୋଟ ସମୟରେ ପିଆଜର ଦର ବଢିଲେ ଚାଷୀର କିଛି ଲାଭ ହୋଇ ନଥାଏ, କାରଣ ତା ନିକଟରେ ପିଆଜ ଗଚ୍ଛିତ ନ ଥାଏ । ବିକ୍ରି ନ ହୋଇ ବେଶି ଦିନ ରହିଲେ ପଚି ଯିବାର ଆଶଙ୍କା ଥିବାରୁ ପିଆଜର ଉତ୍ପାଦନ ଖର୍ଚ୍ଚ କିଲୋଗ୍ରାମ ପିଛା ପ୍ରାୟ ୭-୮ ଟଙ୍କା ହୋଇଥିଲେ ବି ଉତ୍ପାଦନ ଭଲ ହୋଇଥିଲେ ଉପଯୁକ୍ତ ସଂରକ୍ଷଣ ଅଭାବରେ ଅମଳ ସମୟରେ ଚାଷୀଟିଏ ୨-୩ ଟଙ୍କାରେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହୋଇଥାଏ । ଏପରିକି ସଂରକ୍ଷିତ ପିଆଜରୁ ୩୫ ପ୍ରତିଶତ ଯାଏଁ ନଷ୍ଟ ହୋଇ ଯିବାର ନଜିର ମଧ୍ୟ ରହିଛି ।
          
ମହାରାଷ୍ଟ୍ରର ନାସିକ ନିକଟସ୍ଥ ଲସଲଗାଓଁ ହେଉଛି ଭାରତର ସବୁଠାରୁ ବଡ ପିଆଜ ମଣ୍ଡି, ଯେଉଁଠାରୁ ଦେଶର ବିଭିନ୍ନ ଅଞ୍ଚଳକୁ ପିଆଜ ପଠା ଯାଇଥାଏ । ପିଆଜ ବ୍ୟବସାୟର ସବୁଠାରୁ ବଡ ପ୍ରତିବନ୍ଧକ ହେଉଛି ଏହା ଏବେ ବି ମୁଷ୍ଟିମେୟ ବଡ ବ୍ୟବସାୟୀଙ୍କ ନିୟନ୍ତ୍ରଣରେ ରହିଛି । ସେମାନେ ସଲାସୁତୁରା (କାର୍ଟେଲାଇଜେସନ) କରି ପିଆଜର ଦର ନିୟନ୍ତ୍ରଣ କରିଥାନ୍ତି, ଅନୁଭବ କଲେ ମଣ୍ଡି ବନ୍ଦ ମଧ୍ୟ କରି ଦେଇଥାନ୍ତି । ଏ ପର୍ଯ୍ୟନ୍ତ ସରକାର ସେମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ ସମ୍ପୂର୍ଣ୍ଣ ଭାବେ ସମର୍ଥ ହୋଇ ନାହାନ୍ତି । ତେଣେ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ଅଭାବରୁ କିଛି ଅସାଧୁ ମହଜୁଦକାରୀ ପିଆଜର ଦର ବୃଦ୍ଧି କରିଥାନ୍ତି । ଅବଶ୍ୟ ସରକାର ଖୁଚୁରା ଓ ପାଇକାରୀ ବ୍ୟବସାୟୀଙ୍କ ପାଇଁ ମହଜୁଦ ରଖିବାର ସୀମା ସର୍ବୋଚ୍ଚ ଯଥାକ୍ରମେ ୧୦୦ କୁଇଣ୍ଟାଲ ଓ ୫୦୦ କୁଇଣ୍ଟାଲ ଧାର୍ଯ୍ୟ କରିଥିବାରୁ କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଅଧିକ ପରିମାଣର ପିଆଜ ରଖି ପାରୁନାହାନ୍ତି, ଯାହା ସେହି ବଡ ବ୍ୟବସାୟୀମାନଙ୍କୁ ହିଁ ସୁହାଉଛି । ଏହାଦ୍ୱାରା ଚାଷୀ ଅସହାୟ ହୋଇ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛି ।
  
ମଧ୍ୟ ପ୍ରାଚ୍ୟ, ପ୍ରାଚ୍ୟ, ବଙ୍ଗଳାଦେଶ, ଶ୍ରୀଲଙ୍କା ଆଦି ଦେଶମାନେ ଆମଦାନୀ କରୁଥିବା ପିଆଜର ପ୍ରାୟ ୮୦ ପ୍ରତିଶତ ଭାରତରୁ ଯାଇଥାଏ । ଭାରତରୁ ହେଉଥିବା ସବୁ ପ୍ରକାର ଫଳ ଓ ପନିପରିବାର ରପ୍ତାନୀ ମଧ୍ୟରୁ ପିଆଜର ରପ୍ତାନୀ ସର୍ବାଧିକ ମୂଲ୍ୟର । ୨୦୧୮ ମସିହାରେ ଦେଶରୁ ୨୨ ଲକ୍ଷ ଟନ ପିଆଜ ବିଦେଶକୁ ରପ୍ତାନୀ ହୋଇଥିଲା । ଏହା ଦେଶରେ ପିଆଜ ଉତ୍ପାଦନର ମାତ୍ର ଦଶ ପ୍ରତିଶତ ହୋଇଥିଲେ ମଧ୍ୟ ପିଆଜ ରପ୍ତାନୀର ସମ୍ଭାବନା ଘରୋଇ ବଜାରରେ ପିଆଜର ଦରକୁ ଖସିବାକୁ ଦେଇ ନ ଥାଏ ଓ ଚାଷୀ ପିଆଜର ଉଚିତ ମୂଲ୍ୟ ପାଇବାରେ ଏକ ବଡ ମନସ୍ତାତ୍ତ୍ଵିକ ଭୂମିକା ନିର୍ବାହ କରିଥାଏ । ଘରୋଇ ବଜାରରେ ପିଆଜର ମୂଲ୍ୟ ବୃଦ୍ଧି ହେଲେ ସରକାର ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇ ଥାଆନ୍ତି । ଏହି ଅସଙ୍ଗତ ରପ୍ତାନୀ ନୀତି ଯୋଗୁଁ କେବଳ ଯେ ବିଦେଶରେ ଭାରତ ଏକ ନିର୍ଭରଯୋଗ୍ୟ ରପ୍ତାନୀକାରୀ ରାଷ୍ଟ୍ର ଭାବେ ନିଜ ବିଶ୍ୱସନୀୟତା ହରାଉଛି ତାହା ନୁହେଁ, ବରଂ ସାରା ବିଶ୍ୱରେ ଭାରତର ପାରମ୍ପରିକ ପିଆଜ ରପ୍ତାନୀ ବଜାରଗୁଡିକରେ କ୍ରମଶଃ ଚୀନ, ପାକିସ୍ତାନ, ମିଶର ଭଳି ଦେଶମାନେ ପ୍ରବେଶ କରିବାକୁ ସମର୍ଥ ହେଉଛନ୍ତି । ଭାରତରେ ପିଆଜ ଅଭାବର ପରିଚାଳନା ଯେତେ ବଡ ସମସ୍ୟା ନୁହେଁ ତାଠାରୁ ବଡ ସମସ୍ୟା ହେଉଛି ପିଆଜ ଅତ୍ୟଧିକ ଉତ୍ପାଦନ ହୋଇ ବଳକା ହୋଇଗଲେ ତାର ପରିଚାଳନା । ସେହି ସମୟରେ ଉତ୍ପାଦିତ ବଳକା ପିଆଜର ରପ୍ତାନୀ ହୋଇ ନ ପାରିଲେ ଘରୋଇ ବଜାରରେ ପିଆଜର ଦର ଅତ୍ୟଧିକ ହ୍ରାସ ପାଇ ଚାଷୀ କ୍ଷତିଗ୍ରସ୍ତ ହୋଇଥାଏ ଓ ଭବିଷ୍ୟତରେ ସେ ପିଆଜ ଚାଷରୁ ବିମୁଖ ହୋଇ ପଡିଥାଏ । ତେଣୁ ଉଭୟ ଚାଷୀ ଓ ଉପଭୋକ୍ତାଙ୍କ ସ୍ୱାର୍ଥ ମଧ୍ୟରେ ସମନ୍ୱୟ ରକ୍ଷା କରି ସରକାର ପିଆଜ ପାଇଁ ଏକ ସୁସଙ୍ଗତ ରପ୍ତାନୀ ନୀତି ପ୍ରଣୟନ କରିବା ସହ ତାକୁ ନିରନ୍ତର ଅନୁସରଣ କଲେ ପିଆଜ ରପ୍ତାନୀରୁ ଅଧିକ ବୈଦେଶିକ ମୁଦ୍ରା ଅର୍ଜନ ହୋଇପାରନ୍ତା ।

୨୦୧୫ ମସିହାରେ ଓଡିଶା ସରକାର ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ନେଇ ଏକ ମିଶନ ଘୋଷଣା କରିଥିଲେ, ଯେଉଁଥିରେ କୌଣସି ଅଗ୍ରଗତି ଅନୁଭୂତ ହେଉନାହିଁ । ଉଦାହରଣ ସ୍ୱରୂପ, ମିଶନ ଘୋଷଣା ହେଲା ବେଳକୁ ରାଜ୍ୟରେ ପିଆଜ ଉତ୍ପାଦନର ପରିମାଣ ୩.୯୭ ଲକ୍ଷ ଟନ ଥିବା ବେଳେ ୨୦୧୭-୧୮ରେ ତାହା ହ୍ରାସ ପାଇ ୩.୭୯ ଲକ୍ଷ ଟନରେ ପହଞ୍ଚିଲାଣି । ପିଆଜର ଉପଯୁକ୍ତ ସଂରକ୍ଷଣ ପାଇଁ ଅଧିକ ବ୍ୟବସ୍ଥା ହୋଇ ପାରିଲେ ତାହା ବେଶି ଚାଷୀଙ୍କୁ ଏହି ଚାଷ ପ୍ରତି ଆକୃଷ୍ଟ କରି ପାରନ୍ତା ଓ ଚାଷ କ୍ଷେତ୍ର ବଢି ପାରନ୍ତା । ତା ଛଡା ଓଡିଶାରେ ଉତ୍ପାଦିତ ସମସ୍ତ ପିଆଜ ରବି ଋତୁରେ ହୋଇଥାଏ । ଏଠାରେ ଖରିଫ ପିଆଜ ଚାଷର ସମ୍ଭାବନା ପ୍ରତି ଧ୍ୟାନ କେନ୍ଦ୍ରିତ କଲେ ତାହା ତିରୋଟ ସମୟରେ ରାଜ୍ୟରେ ପିଆଜ ଉପଲବ୍ଧତାକୁ ବଢାଇ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତାକୁ କମାଇ ପାରନ୍ତା । କର୍ଣ୍ଣାଟକ ସରକାର ପିଆଜ ଚାଷୀଙ୍କୁ ଦେଉଥିବା ଦର ନ୍ୟୂନତା ପ୍ରଦାନ (ପ୍ରାଇସ ଡେଫିସିଏନ୍ସି ପେମେଣ୍ଟ) ବ୍ୟବସ୍ଥା ଭଳି ଓଡିଶା ସରକାର ମଧ୍ୟ ଏକ ଯୋଜନା ପ୍ରଣୟନ କରିବା କଥା ବିଚାର କରି ପାରନ୍ତି ।
                    
ଏମିତିରେ ପିଆଜ ଆଖିରେ ଲୁହ ଆଣି ଦେଇଥାଏ । ଏବେ ତ ରୀତିମତ କନ୍ଦାଉଛି, ଉଭୟ ଚାଷୀକୁ ଆଉ ଉପଭୋକ୍ତାକୁ । ତେଣୁ ଆଗାମୀ ବର୍ଷମାନଙ୍କରେ ପିଆଜ ଭଳି ଏକ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ହେଲେ ଏଥିପାଇଁ ଉପରୋକ୍ତ ବିଷୟଗୁଡିକୁ ବିଚାରକୁ ନେଇ ଆଇସିଏଆର, ନାବାର୍ଡ, ଅନ୍ୟ ସମ୍ପୃକ୍ତ ଅନୁଷ୍ଠାନ ଓ ମନ୍ତ୍ରଣାଳୟଗୁଡିକର ସମନ୍ୱୟରେ ପିଆଜ ପାଇଁ ଅନ୍ତତଃ ପକ୍ଷେ ଏକ ପାଞ୍ଚ ବର୍ଷିଆ ସାମଗ୍ରୀ-କେନ୍ଦ୍ରିତ ଯୋଜନା ପ୍ରସ୍ତୁତ ହେବା ଉଚିତ । ପିଆଜର ଏହି ଅନିୟନ୍ତ୍ରିତ ମୂଲ୍ୟ ବୃଦ୍ଧି ବିଭିନ୍ନ ରାଜ୍ୟରେ ୧୯୮୦, ୧୯୯୮, ୨୦୧୦ ମସିହାରେ ଉଭୟ ବିଜେପି ଓ କଂଗ୍ରେସ ଦଳ ସରକାରଙ୍କୁ କ୍ଷମତାଚ୍ୟୁତ କରାଇବାର କାରଣ ହୋଇ ସାରିଛି । ତେଣୁ ସାଧାରଣ ଜନତାଙ୍କୁ ବାରମ୍ବାର ପିଆଜ ଦର ବୃଦ୍ଧିରେ ସନ୍ତୁଳି ହେବାକୁ ଛାଡି ଦେବା ସରକାରଙ୍କ ପାଇଁ ଆତ୍ମଘାତୀ ହୋଇପାରେ ।

Published in Sambad on December 28, 2019

Comments

  1. This is one of the ways of the oppositions to come to the power. JayJagannath!

    ReplyDelete
  2. On certain points I do differ.

    ReplyDelete
    Replies
    1. Thanks. If you have my phone number we may discuss.

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍