Skip to main content

ଗାନ୍ଧୀଜୀ ଓ ଚା’

କର୍ଣ୍ଣାଟକସ୍ଥିତ ମାଙ୍ଗାଲୁରୁର ଶ୍ରୀ ବ୍ରହ୍ମା ବୈଦରକଳାକ୍ଷେତ୍ରରେ ଅନ୍ୟାନ୍ୟ ଦେବଦେବୀଙ୍କ ମନ୍ଦିର ସହ ଗାନ୍ଧୀଜୀଙ୍କ ପାଇଁ ମଧ୍ୟ ଏପରି ଏକ ମନ୍ଦିର ଅଛି ଯେଉଁଠି ପ୍ରତିଦିନ ସକାଳେ ଗାନ୍ଧୀଜୀଙ୍କ ପ୍ରତିମା ସମ୍ମୁଖରେ କଦଳୀ ସହ ଚା’ ଭୋଗ ଆକାରରେ ରଖା ଯାଇଥାଏ । ତେବେ ସେଠିକା ଭକ୍ତମାନେ ହୁଏତ ଅବଗତ ନ ଥିବେ ଯେ ଗାନ୍ଧୀଜୀ ଚା’ ପିଇବା ତ ଦୂରର କଥା ବରଂ ସେ ଚା’ର ଘୋର ବିରୋଧୀ ଥିଲେ । ଅନୁଧ୍ୟାନ କଲେ ଜଣାଯାଏ ଯେ ଗାନ୍ଧୀଜୀଙ୍କ ଜୀବନ କାଳରେ ଚା’ ସହିତ ତାଙ୍କର ଉଭୟ ଭଲ ପାଇବା ଓ ଘୃଣା କରିବାର ସମ୍ପର୍କ ରହି ଆସିଥିଲା ।

ଗାନ୍ଧୀଜୀ ତାଙ୍କ ‘କି ଟୁ ହେଲଥ’ ପୁସ୍ତକରେ ଲେଖିଛନ୍ତି ଯେ ଶରୀର ପାଇଁ ଚା’ର ଆବଶ୍ୟକତା ନାହିଁ । ତାଙ୍କ ଭାଷାରେ, “ଚା’ର ବ୍ୟବହାର ଚୀନରୁ ଆରମ୍ଭ ହୋଇଛି ବୋଲି କୁହାଯାଏ । ସେହି ଦେଶରେ ଏହାର ଏକ ବିଶେଷ ବ୍ୟବହାର ରହିଛି । ଚୀନରେ ପାନୀୟ ଜଳର ଶୁଦ୍ଧତା ଉପରେ ଭରସା କରି ହେଉ ନଥିବାରୁ ତାହା ସୁନିଶ୍ଚିତ କରିବା ପାଇଁ ପାଣିକୁ ନିହାତି ଭାବେ ଫୁଟା ଯାଇଥାଏ । କିଛି ଚତୁର ଚୀନ ଅଧିବାସୀ ଚା’ ନାମକ ଏକ ଘାସକୁ ଆବିଷ୍କାର କଲେ, ଯାହା ଅଳ୍ପ ପରିମାଣରେ ଏହି ଫୁଟୁଥିବା ପାଣିରେ ପକାଇଲେ ତାହା ସ୍ୱର୍ଣ୍ଣିମ ରଙ୍ଗ ଧାରଣ କରୁଥିଲା । ପାଣି ନ ଫୁଟିଲେ ରଙ୍ଗ ବାହାରୁ ନଥିଲା । ଏହିପରି ଭାବେ ପାଣି ଫୁଟିଲା କି ନାହିଁ ତାହା ଜାଣିବା ପାଇଁ ଏହି ଘାସଟି ଏକ ଅବ୍ୟର୍ଥ ପରୀକ୍ଷାର ଉପାଦାନ ପାଲଟିଗଲା । ଯେଉଁ ଭଳି ଭାବେ ଏହି ପରୀକ୍ଷାଟି କରାଯାଏ ତାହା ହେଉଛି, ଗୋଟିଏ ଛଙ୍କାରେ କିଛି ଚା’ ପତ୍ର ରଖି ତା ଉପରେ ଫୁଟୁଥିବା ପାଣି ଢଳାଯାଏ । ପାଣି ଠିକ ରୂପେ ଫୁଟିଥିଲେ ତାହା ସ୍ୱର୍ଣ୍ଣିମ ରଙ୍ଗ ଧାରଣ କରେ । ଚା’ ପତ୍ରର ଆଉ ଏକ ଗୁଣ ହେଉଛି, ଏହା ପାଣିରେ ଏକ ସୁମଧୁର ବାସ୍ନା ଭରି ଦିଏ । ଏହିପରି ଭାବେ ପ୍ରସ୍ତୁତ ଚା’ କ୍ଷତିକାରକ ହୋଇ ନଥାଏ । କିନ୍ତୁ ସାଧାରଣତଃ ଯେଉଁ ଭଳି ଢଙ୍ଗରେ ଚା’ ତିଆରି କରାଯାଇଥାଏ ଓ ପିଆ ଯାଇଥାଏ ସେଥିରେ ଭଲ କିଛି ହେବା ତ ଦୂରର କଥା, ପ୍ରକୃତ ପକ୍ଷେ ତାହା ହାନିକାରକ । ପତ୍ରରେ ‘ଟାନିନ’ ଥିବାରୁ ତାହା ଶରୀର ପକ୍ଷରେ କ୍ଷତିକାରକ । ସାଧାରଣତଃ ଚମଡାକୁ ଶକ୍ତ କରିବା ପାଇଁ ଟାନେରିମାନଙ୍କରେ ଟାନିନର ବ୍ୟବହାର ହୋଇଥାଏ । ତାକୁ ପିଇଲେ ଶରୀର ଭିତରେ ଥିବା ପାକସ୍ଥଳୀ ଓ ଅନ୍ତନାଳୀର କୋମଳ ମ୍ୟୁକସ ଆସ୍ତରଣ ଉପରେ ମଧ୍ୟ ତାର ଅନୁରୂପ ମନ୍ଦ ପଭାବ ପଡିଥାଏ । ତାହା ହଜମଶକ୍ତିକୁ କ୍ଷତି ପହଞ୍ଚାଇବା ସଙ୍ଗେ ସଙ୍ଗେ ବଦହଜମି କରାଇଥାଏ । କୁହାଯାଏ, ଚା’ରେ ଟାନିନ ଥିବାରୁ ଚା’ ପିଇବାର ଅଭ୍ୟାସ ଥିବା ଇଂଲଣ୍ଡର ଅନେକ ମହିଳା ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି । ଅଭ୍ୟାସଗତ ଭାବେ ଚା’ ପିଉଥିବା ଲୋକେ ଠିକ ସମୟରେ ଚା’ କପେ ନ ପାଇଲେ ସେମାନଙ୍କଠାରେ ଅସ୍ଥିରତା ଦେଖା ଦେଇଥାଏ । ମୋ’ ମତରେ ଚା’ର ଉପକାରୀ ବୋଲି ଯଦି କୌଣସି ଗୁଣ ଥାଏ, ତେବେ ତାହା ହେଉଛି ଏହା ଶରୀରକୁ କିଛି ଦୁଗ୍ଧ ମିଶ୍ରିତ ଉଷୁମ ମିଠା ପାନୀୟ ଯୋଗାଇବାରେ ସହାୟକ ହୋଇଥାଏ ଯାହା । ଗରମ ପାଣିରେ କିଛି କ୍ଷୀର ଓ ଚିନି ମିଶାଇ ପିଇଲେ ବି ସେହି ଏକା ଉଦ୍ଦେଶ୍ୟ ସାଧିତ ହୋଇପାରିବ ।” ଅବଶ୍ୟ ଆମେରିକୀୟ ମାଷ୍ଟର ବ୍ଲେଣ୍ଡର (ଚା’ ବିଶାରଦ) ବ୍ରୁସ ରିଚାର୍ଡସନ ଚା’ରେ ଥିବା ଟାନିନ ବାବଦରେ ଗାନ୍ଧୀଜୀଙ୍କ ମତ ଠିକ ନୁହେଁ ବୋଲି ଦର୍ଶାଇଛନ୍ତି । ଟାନେରୀରେ ଚମଡା ପ୍ରକ୍ରିୟାକରଣ ପାଇଁ ଟାନିକ ଏସିଡର ବ୍ୟବହାର ହୋଇଥାଏ ଟାନିନର ନୁହେଁ । ଗୁଣଗତ ଦୃଷ୍ଟିରୁ ଚା’ରେ ଥିବା ଟାନିନ ଓ ଚମଡା ଶିଳ୍ପରେ ବ୍ୟବହୃତ ହେଉଥିବା ଟାନିକ ଏସିଡ ସମ୍ପୂର୍ଣ୍ଣ ଭିନ୍ନ । ଗାନ୍ଧୀଜୀ ଏତେ ବିଷୟରେ ଏତେ ବିସ୍ତୃତ ଭାବେ ଲେଖିଛନ୍ତି ଯେ ତାଙ୍କ ଲେଖାରେ ଏହି ଧରଣର ଛୋଟ ଛୋଟ ଭୁଲ ରହି ଯାଇଥିବା କିଛି ଅସ୍ୱାଭାବିକ ନୁହେଁ ।

ଲବଣ ସତ୍ୟାଗ୍ରହ ପରେ ବଡଲାଟ ଇରଉଇନ ଓ ଗାନ୍ଧୀଜୀଙ୍କ ମଧ୍ୟରେ ଲଣ୍ଡନଠାରେ ଦ୍ୱିତୀୟ ଗୋଲ ଟେବୁଲ ବୈଠକରେ ଆଲୋଚନା ହୋଇଥିଲା । ଏହି ଭଳି ଏକ ଆଲୋଚନା ଅବସରରେ ଥରେ ଗାନ୍ଧୀଜୀଙ୍କ ହାତକୁ ଚା’ କପଟିଏ ବଢାଇ ଦିଆଯିବା ମାତ୍ରେ ସେ ଧନ୍ୟବାଦ ଜଣାଇ ସାଙ୍ଗରେ ଚାଦରରେ ବାନ୍ଧି ଏକ କାଗଜ ପୁଡିଆରେ ଆଣିଥିବା ଲୁଣ (ଲବଣ କର ଦିଆଯାଇ ନଥିବା)କୁ କାଢି ମୁରୁକି ହସି କହିଲେ, “ଆମକୁ ବହୁ ଚର୍ଚ୍ଚିତ ‘ବୋଷ୍ଟନ ଟି ପାର୍ଟି’ ସମ୍ପର୍କରେ ସ୍ମରଣ କରାଇ ଦେବା ପାଇଁ ମୁଁ ମୋ’ ଚା’ରେ ଏହି ଲୁଣରୁ କିଛି ମିଶାଇବି ।” ଏହି କଥାରେ ଉଭୟେ ଖୁବ ଜୋରରେ ହସି ଉଠିଥିଲେ । ଉଲ୍ଲେଖଯୋଗ୍ୟ, ଆମେରିକା ଇତିହାସରେ ‘ବୋଷ୍ଟନ ଟି ପାର୍ଟି’ ପ୍ରତିବାଦ ଏକ ଉଲ୍ଲେଖନୀୟ ସ୍ଥାନ ଗ୍ରହଣ କରେ, କାରଣ ପରବର୍ତ୍ତୀ ସମୟରେ ଏହା ଆମେରିକୀୟ ବିପ୍ଳବ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଥିଲା । ଏହା ‘ସନ୍ସ ଅଫ ଲିବର୍ଟି’ ଦ୍ୱାରା ୧୬ ଡିସେମ୍ବର ୧୭୭୩ରେ ବୋଷ୍ଟନ ସହରରେ ସଂଘଟିତ ଏକ ରାଜନୈତିକ ତଥା ବ୍ୟାବସାୟିକ ବିକ୍ଷୋଭ ପ୍ରଦର୍ଶନ ଥିଲା । ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଚୀନରୁ ଚା’ ଆମଦାନି କରି ଟିକସ ନ ଦେଇ ଆମେରିକାରେ ବିକିବା ପାଇଁ ଅନୁମତି ପ୍ରଦାନ କରି ପ୍ରଣୟନ ହୋଇଥିବା ‘ଚା’ ଆଇନ, ୧୭୭୩’କୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ବୋଷ୍ଟନ ବନ୍ଦରରେ ଠିଆ ହୋଇଥିବା ଜାହାଜରୁ ଚା’ ପେଟି କାଢି ସେଗୁଡିକୁ ପାଣିକୁ ଫୋପାଡି ଦେଇଥିଲେ । ଦକ୍ଷିଣ ଆଫ୍ରିକାରେ ୧୯୦୮ ମସିହାରେ ଗାନ୍ଧୀଜୀଙ୍କ ନେତୃତ୍ୱରେ ହୋଇଥିବା ଭାରତୀୟଙ୍କ ପଂଜିକରଣ କାର୍ଡର ସମୂହ ଅଗ୍ନିଦାହ ବିକ୍ଷୋଭକୁ ବ୍ରିଟେନର ଏକ ସମ୍ବାଦପତ୍ର ଏହି ‘ବୋଷ୍ଟନ ଟି ପାର୍ଟି’ ପ୍ରତିବାଦ ସହ ତୁଳନା କରିଥିଲା । କୁହାଯାଏ, ଗାନ୍ଧୀଜୀଙ୍କ ଲବଣ ସତ୍ୟାଗ୍ରହ ନିଷ୍ପତ୍ତି ଅନେକଟା ଏହି ବୋଷ୍ଟନ ଟି ପାର୍ଟି ପ୍ରତିବାଦ ଦ୍ୱାରା ପ୍ରଭାବିତ ହୋଇଥିଲା । ଗାନ୍ଧୀଜୀ କହିଥିଲେ, ଆମେରିକୀୟ ଉପନିବେଶିକମାନେ ଯେପରି ବ୍ରିଟିଶ ସରକାରଙ୍କ ଚା’ର ଏକାଧିପତ୍ୟକୁ ଭାଙ୍ଗିବାର ପ୍ରୟାସ କରିଥିଲେ, ଠିକ ସେହିପରି ଭାରତୀୟମାନେ ବ୍ରିଟିଶ ସରକାରଙ୍କ ଲୁଣ ଉପରେ ଥିବା ଏକାଧିପତ୍ୟକୁ ଭାଙ୍ଗିବାର ଚେଷ୍ଟା କରିଥିଲେ ଏବଂ ଉଭୟ ପ୍ରୟାସ ବିଦ୍ରୋହର ରୂପ ନେଇଥିଲା ।

ପୂର୍ବରୁ କେବେ ଆସାମ ଆସି ନଥିଲେ ମଧ୍ୟ ଗାନ୍ଧୀଜୀ ସେଠାକାର ଚା’ ବଗିଚାରେ କାମ କରୁଥିବା ଶ୍ରମିକଙ୍କ ସମସ୍ୟା ପ୍ରତି ବେଶ ସମ୍ବେଦନଶୀଳ ଥିଲେ । ଅସହଯୋଗର ବାର୍ତ୍ତା ପ୍ରସାର କରିବା ପାଇଁ ଗାନ୍ଧୀଜୀ ୨୫ ଅଗଷ୍ଟ ୧୯୨୧ରେ ପ୍ରଥମ ଥର ଲାଗି ଆସାମର ଦିବ୍ରୁଗଡରେ ପହଞ୍ଚିବା ପରେ ସେଠାରେ ଚା’ ବଗିଚାରେ କାମ କରୁଥିବା ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ପଚାରି ବୁଝିଥିଲେ । ସେହି ଦିନ ଅପରାହ୍ଣରେ ସେଠାରେ ଏକ ବିଶାଳ ସାଧାରଣ ସଭା ଆୟୋଜିତ ହୋଇଥିଲା । ଚା’ ବଗିଚା ମାଲିକଙ୍କ ବାରଣ ସତ୍ତ୍ଵେ ସେମାନଙ୍କ ସମସ୍ୟା ପ୍ରତି ଗାନ୍ଧୀଜୀଙ୍କ କିଭଳି ସମବେଦନା ରହିଛି, କେବଳ ସେତିକି ଶୁଣିବା ପାଇଁ ଅନେକ ସଂଖ୍ୟାରେ ଚା’ ବଗିଚାର ଶ୍ରମିକ ସେଠାରେ ସମବେତ ହୋଇଥିଲେ । ତା’ ପର ଦିନ ସେ ଚା’ ବଗିଚା ମାଲିକମାନଙ୍କ ସହ ଏକ ସାକ୍ଷାତ ଅବସରରେ ସେମାନଙ୍କୁ ଶ୍ରମିକମାନଙ୍କ ଦୁର୍ଦ୍ଦଶା ଓ ଦୟନୀୟ ଅବସ୍ଥା ସମ୍ପର୍କରେ ସୂଚନା ଦେବା ସଙ୍ଗେସଙ୍ଗେ ସେମାନଙ୍କ କଲ୍ୟାଣ ପାଇଁ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ଚା’ ବଗିଚାର ଶ୍ରମିକଙ୍କ ସହ ଅଧିକ ସମୟ ଅତିବାହିତ କରିବା ଲାଗି ତାଙ୍କର ଇଚ୍ଛା ଥିଲେ ମଧ୍ୟ ସମୟ ଅଭାବରୁ ତାହା କରି ପାରି ନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ ।
          
ଗାନ୍ଧୀଜୀ ଚା’ର ଘୋର ବିରୋଧୀ ଥିଲେ ମଧ୍ୟ ସେ ନିଜ ଅଜାଣତରେ ଏକ ଚା’ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ପାଲଟି ଯାଇଥିଲେ । ତାଙ୍କର ଦକ୍ଷିଣ ଆଫ୍ରିକା ରହଣି କାଳରେ ନାରଣଦାସ ଦେଶାଇ ନାମକ ଜଣେ ଗୁଜରାଟୀ ବ୍ୟବସାୟୀ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ଦେଶାଇ ୧୮୯୨ ମସିହାରେ ସେଠାରେ ୫୦୦ ଏକର ବିଶିଷ୍ଟ ଏକ ଚା’ ବଗିଚା ପ୍ରତିଷ୍ଠା କରି ବେଶ ବିତ୍ତଶାଳୀ ହୋଇ ଉଠିଥିଲେ । ହେଲେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇ ସେ ୧୯୧୫ ମସିହାରେ ଭାରତକୁ କପର୍ଦ୍ଦକ ଶୂନ୍ୟ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ । ଅବଶ୍ୟ ଫେରିବା ବେଳକୁ ତାଙ୍କ ପାଖରେ କେବଳ ଗାନ୍ଧୀଜୀଙ୍କ ପ୍ରଦତ୍ତ ଏକ ମାନପତ୍ର ଥିଲା, ଯେଉଁଥିରେ ଗାନ୍ଧୀଜୀ ତାଙ୍କୁ ଦକ୍ଷିଣ ଆଫ୍ରିକାରେ ଜଣେ ଅତି ସାଧୁ ଓ ଅନୁଭବୀ ଚା’ ବଗିଚା ମାଲିକ ବୋଲି ବର୍ଣ୍ଣନା କରିଥିଲେ । ଏହି ମାନପତ୍ରଟିକୁ ପାଥେୟ କରି ଓ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଅହମଦାବାଦଠାରେ ‘ବାଘ ବକରି ଚା’ କମ୍ପାନୀ ପ୍ରତିଷ୍ଠା କଲେ । ବାଘ ଓ ଛେଳି ଗୋଟିଏ କପରୁ ଚା’ ପିଉଥିବା ଚିତ୍ର ଏହି କମ୍ପାନୀର ଲୋଗୋ ବା ଚିହ୍ନ ଥିଲା । ବାଘ ଉଚ୍ଚ ବର୍ଗକୁ ବୁଝାଉଥିବା ବେଳେ ଛେଳି ନିମ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିଲା । ଉଭୟ ବର୍ଗ ମଧ୍ୟରେ ଥିବା ବୈଷମ୍ୟକୁ ଦୂର କରି ସାମାଜିକ ଐକ୍ୟ ପ୍ରତିଷ୍ଠା ପାଇଁ ସମସ୍ତଙ୍କୁ ଗୋଟିଏ ସାମାଜିକ ସ୍ତରକୁ ଆଣିବା ଲାଗି ଗାନ୍ଧୀଜୀଙ୍କ ପ୍ରୟାସରେ ଅନୁପ୍ରାଣିତ ହୋଇ ଏହି ନାମ ଓ ଚିହ୍ନଟି ପ୍ରସ୍ତୁତ କରାଯାଇଥିଲା ବୋଲି କୁହାଯାଏ । ଏହି ନାମ ଓ ଚିହ୍ନ ଗ୍ରାହକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିବା ସହ ବଜାରରେ ଏହି ବ୍ରାଣ୍ଡର ଏକ ସ୍ୱତନ୍ତ୍ର ଛବି ତିଆରି କରିବାରେ ସକ୍ଷମ ହୋଇଥିଲା । ଏହି ଉଚ୍ଚ ବିଚାର ଓ ଅର୍ଥପୂର୍ଣ୍ଣ ବ୍ରାଣ୍ଡିଂ ପାଇଁ ନିକଟରେ ବଜାର ପରିଚାଳନା (ମାର୍କେଟିଙ୍ଗ ମ୍ୟାନେଜମେଣ୍ଟ)ର ଗୁରୁ କୁହାଯାଉଥିବା ଫିଲିପ କୋଟଲରଙ୍କ ପୁସ୍ତକରେ ‘ବାଘ ବକରି ଚା’ ‘ଅମୂଲ’ ଓ ‘ମୁଭ’ ଭଳି ବ୍ରାଣ୍ଡ ପରେ ଭାରତର ତୃତୀୟ ବ୍ରାଣ୍ଡ ଭାବେ ସ୍ଥାନ ପାଇଛି । ସେ ସମୟରେ ବ୍ୟବସାୟୀମାନେ ବି ଗାନ୍ଧୀଜୀଙ୍କ ଆଦର୍ଶରେ କିପରି ଅନୁପ୍ରାଣିତ ହେଉଥିଲେ ଓ ବ୍ୟବସାୟରେ ତାଙ୍କ ବିଚାରର କିପରି ପ୍ରୟୋଗ କରୁଥିଲେ, ଇଏ ତାର ଏକ ସଫଳତମ ଉଦାହରଣ । ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେହି କମ୍ପାନୀ ତିଷ୍ଠି ରହିଛି ଓ ଆଜି ମଧ୍ୟ ସେହି ଚା’ ବ୍ରାଣ୍ଡର ଆଦୃତି ଅତୁଟ ରହିଛି ।
  
ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଅବସ୍ଥାନ କାଳରେ ଗାନ୍ଧୀଜୀ ଯେଉଁ ଘରେ ରହୁଥିଲେ ସେହି ଘରଟିକୁ ଏକ ସଂଗ୍ରହାଳୟରେ ପରିଣତ କରାଯାଇ ତାର ନାମ ‘ସତ୍ୟାଗ୍ରହ ହାଉସ’ ରଖାଯାଇଛି । ଗାନ୍ଧୀଜୀଙ୍କ ଖାଦ୍ୟ ସଂକ୍ରାନ୍ତୀୟ ସିଦ୍ଧାନ୍ତ, ଯେଉଁଥିରେ ନାନା ପ୍ରକାର ଖାଦ୍ୟ ସାମଗ୍ରୀର ସବୁଥିରୁ ଅଳ୍ପ ଅଳ୍ପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥାଏ, ତାକୁ ଭିତ୍ତି କରି ୨୦୧୭ ମସିହାରେ ସତ୍ୟାଗ୍ରହ ହାଉସ ତରଫରୁ ଏକ ନୂଆ ବ୍ଲେଣ୍ଡର ଜୈବିକ ଚା’ ପ୍ରସ୍ତୁତ କରାଯାଇଛି ଓ ସେହି ଚା’ର ନାମ ‘ସତ୍ୟାଗ୍ରହ ହାଉସ ଟି’ ରଖାଯାଇଛି । ଏଥିରେ ଦକ୍ଷିଣ ଆଫ୍ରିକାରେ ଉପଲବ୍ଧ ଉନ୍ନତ କିସମର ଚା’ ବ୍ୟତୀତ ଦାଲଚିନି, ଗୁଜରାତି, ଲବଙ୍ଗ, ଗୋଲାପ କଢି ଆଦି ନାନା ପ୍ରକାର ପ୍ରାକୃତିକ ଔଷଧୀୟ ଉପାଦାନକୁ ଅଳ୍ପ ଅଳ୍ପ ମିଶାଇ ଗାନ୍ଧୀଜୀଙ୍କ ସିଦ୍ଧାନ୍ତ ଅନୁଯାୟୀ ଏକ କେଫିନମୁକ୍ତ ଚା’ ବ୍ଲେଣ୍ଡ ପ୍ରସ୍ତତ କରାଯାଇଛି ।
                       
ଚା’ ପ୍ରତି ଗାନ୍ଧୀଜୀଙ୍କର ଏହି ବିରୋଧ ଯେ ମୂଳରୁ ଥିଲା ତାହା ନୁହେଁ । ବରଂ ସେ ଚା’ ପିଇବାକୁ ଅତି ଭଲ ପାଉଥିଲେ । କହିବାକୁ ଗଲେ ସେ ଏକ ପ୍ରକାର ଚା’ର ଜଣେ ବଡ ଭକ୍ତ ଥିଲେ । ବିଶେଷ କରି ଅପରାହ୍ଣରେ ଚା’ କପେ ନ ପିଇଲେ ତାଙ୍କୁ କିଛି ଭଲ ଲାଗୁ ନଥିଲା । ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ଥିବା ବେଳେ ଏହିପରି ଦିନେ ଅପରାହ୍ଣରେ ଫିନିକ୍ସ ଆଶ୍ରମରେ କସ୍ତୁରବା ଗାନ୍ଧୀଜୀଙ୍କୁ ଚା’ କପେ ଧରାଇ ଦେଇ ଘର ଭିତରକୁ ଚାଲିଗଲେ । ଗାନ୍ଧୀଜୀ ବାରଣ୍ଡାରେ ଚଉକିରେ ବସି ଚା’ ପିଉଥାନ୍ତି । ଠିକ ଏହି ସମୟରେ ତାଙ୍କର ଘନିଷ୍ଠ ବନ୍ଧୁ ଓ ସହଯାତ୍ରୀ ହେନରି ପୋଲକ ଆସି ସେଠାରେ ପହଞ୍ଚି ଗଲେ । ପାଖ ଚଉକିରେ ବସିଲା ପରେ ସେ ଗାନ୍ଧୀଜୀଙ୍କୁ ପ୍ରଶ୍ନ କଲେ, “ତାହା ହେଲେ ଆପଣ ଆପଣଙ୍କ ପାନୀୟକୁ ଉପଭୋଗ କରୁଛନ୍ତି ?” ଗାନ୍ଧୀଜୀ କହିଲେ, “କଣ କରିବି ମୁଁ ତ ୟା’ର ଦାସ ।” ପୋଲକ ପଚାରିଲେ, “ଆପଣ କଣ ସେଇୟା ଭାବୁଛନ୍ତି ।” ଗାନ୍ଧୀଜୀଙ୍କ ଉତ୍ତର ଥିଲା, “ମୁଁ ମିଛ କାହିଁକି କହିବି । ମୁଁ ଚା’ ନିଶାରେ ପଡିଯାଇଛି । ବିଶେଷ କରି ଅପରାହ୍ଣରେ ଚା’ କପେ ନହେଲେ ଚଳୁନାହିଁ । ବନ୍ଧୁ, ତମେ ତ ମାନିବ ଯେ କୌଣସି ଜିନିଷ ପ୍ରତି ଅତି ମାତ୍ରାରେ ଆସକ୍ତିର ଅର୍ଥ ତମେ ତାର ଦାସ ପାଲଟିଯାଇଛ ।” ପୋଲକଙ୍କ ପ୍ରତିକ୍ରିୟା ଥିଲା, “ଆଶ୍ଚର୍ଯ୍ୟ ! ଆପଣ ଯଦି ଚା’ର ଦାସ ବୋଲି ଗ୍ରହଣ କରୁଛନ୍ତି ତେବେ ସେଥିରୁ ମୁକୁଳିବାର ଚେଷ୍ଟା କରୁ ନାହାନ୍ତି କାହିଁକି ? ଜଣେ ଦାସ କିପରି ଭାରତୀୟ ଓ ଆଫ୍ରିକୀୟଙ୍କୁ ସ୍ୱାଧୀନତା ପ୍ରଦାନ କରିବା କଥା ଭାବି ପାରିବ ।” ନିଜ ପ୍ରିୟ ଜିନିଷଟି ସପକ୍ଷରେ ଗାନ୍ଧୀଜୀ କହିବାକୁ ଲାଗିଲେ, “ଚା’ର ତ ସେପରି କୌଣସି ହାନିକାରକ ଗୁଣ ନାହିଁ କି ଏହା ସେହି ଅର୍ଥରେ ପାନୀୟ ମଧ୍ୟ ନୁହେଁ । ଏହାକୁ ପିଇବା ନ ଛାଡିଲେ ଅସୁବିଧା କଣ ।” ପୋଲକ ଅଡି ବସିଲେ, “ଆପଣ କହୁଛନ୍ତି ଆପଣ ସ୍ୱାଧୀନତା ପାଇଁ ଲଢିବେ ବୋଲି । ଏଇ ମୁହୂର୍ତ୍ତରେ ଆପଣଙ୍କୁ ପ୍ରମାଣ କରିବାକୁ ହେବ ଯେ ଆପଣଙ୍କଠାରେ ନେତୃତ୍ୱ ନେବାର ଗୁଣ ଅଛି ।” ଗାନ୍ଧୀଜୀ ପଚାରିଲେ, “କିପରି ?” ପୋଲକଙ୍କ ଉତ୍ତର ଥିଲା, “ଏହା ଦର୍ଶାଇ ଯେ ଆପଣ କାହାର ଦାସ ହେବେ ନାହିଁ । ଏପରିକି କୌଣସି ଅଭ୍ୟାସର ମଧ୍ୟ ନୁହେଁ, ତାହା ହାନିକାରକ ହୋଇଥାଉ କି ନ ଥାଉ ।” ଗାନ୍ଧୀଜୀ କିଛି ସମୟ ଭାବିଲେ । ତାପରେ ଅଧା ପିଆ କପଟିକୁ ଉଠାଇ ବାକି ଚା’ ତକ ଆଗରେ ଥୁଆ ହୋଇଥିବା ଫୁଲ କୁଣ୍ଡରେ ଅଜାଡି ଦେଲେ । ତତକ୍ଷଣାତ ସେ ଜୀବନରେ ଆଉ କେବେ ଚା’ ପିଇବେ ନାହିଁ ବୋଲି ପ୍ରତିଜ୍ଞା କଲେ ।  ତା ପରେ ସେ ସାରା ଜୀବନ ନିଜ ବଚନରେ ଦୃଢ ରହି କେବେ ଆଉ ଚା’ ପିଇ ନଥିଲେ । ଅବଶ୍ୟ, ପରବର୍ତ୍ତୀ ସମୟରେ ସେ ବ୍ରିଟିଶ ସରକାରଙ୍କ ଦ୍ୱାରା ଆମନ୍ତ୍ରିତ ହୋଇ ସୌଜନ୍ୟତାମୂଳକ ଭାବେ ହେଉ ଅଥବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ହେଉ, ବଡଲାଟ ଇରଉଇନ, ସମ୍ରାଟ ପଞ୍ଚମ ଜର୍ଜ, ବଡଲାଟ ମାଉଣ୍ଟବ୍ୟାଟେନଙ୍କ ସହ ସାକ୍ଷାତ ଭଳି ଅନେକ ଟି ପାର୍ଟିରେ ଯୋଗ ଦେଇଛନ୍ତି । ହେଲେ ସମ୍ଭବତଃ ଏ ସବୁ ସ୍ଥାନମାନଙ୍କରେ ମଧ୍ୟ ସେ ଆଉ ଚା’ ପିଇ ନାହାନ୍ତି ।

ର୍ତ୍ତମାନ ଚା’ ଭାରତର ସର୍ବାଧିକ ଜନପ୍ରିୟ ପାନୀୟ ହୋଇଥିବାରୁ ତାକୁ ‘ଜାତୀୟ ପାନୀୟ’ ଘୋଷଣା କରିବାକୁ ମଧ୍ୟ ଦାବି ଉଠିଲାଣି । ଏପରିକି ଭାରତ ବର୍ଷର କୋଣ ଅନୁକୋଣରେ ଥିବା ଚା’ ଦୋକାନଗୁଡିକ ରାଜନୈତିକ ଆଲୋଚନାର ନାଭି କେନ୍ଦ୍ର ସାଜିଥିବାରୁ ରାଜନୈତିକ ଦଳ ଓ ନେତାମାନେ ସେଠାରେ ‘ଚାଏ ପେ ଚର୍ଚ୍ଚା’ ଭଳି କାର୍ଯ୍ୟକ୍ରମମାନ ଆୟୋଜନ କରୁଛନ୍ତି । ତେବେ ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀ ଓ ଅନ୍ୟ ନେତାମାନଙ୍କ ଚା’ ବିରୋଧୀ ମତ ଓ ମନ୍ତବ୍ୟ ଲାଗି ଭାରତରେ ଚା’ ସେଭଳି ଆଦୃତି ଲାଭ କରି ପାରି ନଥିଲା । ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଓ ଶରୀରର ବିକାଶ ଲାଗି ଚା’ର କୌଣସି ଆବଶ୍ୟକତା ନଥିବାରୁ ଦେଶର ଗରିବ ଲୋକେ ଏଭଳି ଏକ ଅନାବଶ୍ୟକ ନିଶାର ଶିକାର ହୋଇ ଅଯଥାରେ ଅର୍ଥ ଶ୍ରାଦ୍ଧ କରନ୍ତୁ ବୋଲି ଗାନ୍ଧୀଜୀ ଚାହୁଁ ନଥିବାରୁ ହୁଏତ ସେ ଚା’ର ପ୍ରସାରକୁ ରୋକିବା ଲାଗି ଏ ଭଳି ଚା’ ବିରୋଧୀ ମତ ପୋଷଣ କରୁଥିଲେ ।

Published in Odisha Reporter on 3.12.19 and 5.12.19.

Comments

  1. Very nice. I could know a lot of unknown things such as satyagraha ashram tea and bagh bakri tea and others. Thank you.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍