Skip to main content

ଗାନ୍ଧୀଜୀ ଓ ଲୁଣ

ଲୁଣକୁ ବାଦ ଦେଇ ଏକ ଅଲଣା ଜୀବନ ଯେ ବଞ୍ଚିବା ସମ୍ଭବ, ତାହା ଭାବି ହେଉନାହିଁ । ଆଶ୍ଚର୍ଯ୍ୟ ହେବାକୁ ହୁଏ, ଲବଣ ସତ୍ୟାଗ୍ରହ ଜରିଆରେ ଯେଉଁ ଲୁଣ ଗାନ୍ଧୀଜୀଙ୍କୁ ବିଶ୍ୱ ପ୍ରସିଦ୍ଧି ଆଣି ଦେଇଥିଲା, ସେହି ଲୁଣକୁ ସେ ଭଲ ପାଉ ନଥିଲେ ଓ ଖାଦ୍ୟରେ ତାର ବ୍ୟବହାରକୁ ଗ୍ରହଣ କରି ପାରୁ ନଥିଲେ । ସେ ଖାଉଥିବା ଫଳ ଓ ପନି ପରିବାଗୁଡିକରେ ପ୍ରଚୁର ପରିମାଣରେ ଲବଣାଂଶ ଥିବାରୁୁ ତାଙ୍କ ଖାଦ୍ୟରେ ଆଉ ଅଲଗା କରି ଲୁଣ ମିଶାଇବା ସପକ୍ଷରେ ସେ ନ ଥିଲେ । ଆଧୁନିକ ଆହାର ବିଜ୍ଞାନୀମାନେ ମଧ୍ୟ ସେହି କଥାରେ ଏକମତ ହୋଇ କହୁଛନ୍ତି ଯେ ଯଦି ଜଣେ ସନ୍ତୁଳିତ ଆହାର ଗ୍ରହଣ କରୁଥାଏ, ତେବେ ତା ଖାଦ୍ୟରେ ଆଉ ଲୁଣ ମିଶାଇବାର ଆବଶ୍ୟକତା ନାହିଁ । ଗାନ୍ଧୀଜୀ ୧୯୧୧ ମସିହାରେ ତାଙ୍କ ଖାଦ୍ୟକୁ ସମ୍ପୂର୍ଣ୍ଣ ଲବଣମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ବୋଲି ଗାନ୍ଧୀଜୀଙ୍କ ଖାଦ୍ୟାଭ୍ୟାସ ଉପରେ ଗବେଷଣା କରିଥିବା ନିକୋ ସ୍ଲେଟଙ୍କ ନିକଟରେ ପ୍ରକାଶିତ ପୁସ୍ତକ ‘ଗାନ୍ଧୀଜ୍ ସର୍ଚ୍ଚ ଫର ଏ ପରଫେକ୍ଟ ଡାଏଟ’ରେ ଉଲ୍ଲେଖ ହୋଇଛି । ତେବେ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ଧୀରେ ଧୀରେ ଲୁଣ ପ୍ରତି ତାଙ୍କ କଠୋର ମନୋଭାବରେ ପରିବର୍ତ୍ତନ ଆସିଥିଲା । ବେଶ କିଛି ବର୍ଷ ପରେ ତାଙ୍କ ଖାଦ୍ୟରେ ଅଳ୍ପ ପରିମାଣରେ ଲୁଣ ମିଶାଯିବା ଆରମ୍ଭ ହେଲା । ତେବେ ଦିନକୁ ୩୦ଟି ଦାନାରୁ ଅଧିକ ଲୁଣ ସେ ସେବନ କରୁ ନଥିଲେ । ବିଲବାଡିରେ କାମ କରୁଥିବା ସାଧାରଣ ଚାଷୀ ମୂଲିଆଟିଏ ପାଇଁ ଯେ ଲୁଣର ବ୍ୟବହାର ଅତ୍ୟାବଶ୍ୟକ, ତାହା ସେ ପରେ ହୃଦୟଙ୍ଗମ କରି ଲୁଣକୁ ନେଇ ତାଙ୍କ ମନୋଭାବରେ ପରିବର୍ତ୍ତନ ଆଣିଥିଲେ ।

ବନ୍ଧୁ ଯୋସିଆ ଓଲଡଫିଲ୍ଡଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇ ଲଣ୍ଡନରୁ ପ୍ରକାଶିତ ‘ଭେଜିଟେରିଆନ’ ପତ୍ରିକାରେ ୨୨ ବର୍ଷ ବୟସରେ ନିଜ ଲେଖକୀୟ ଜୀବନ ଆରମ୍ଭ କରିଥିବା ଗାନ୍ଧୀଜୀ ୧୪ ଫେବୃଆରୀ ୧୮୯୧ରେ ପ୍ରଥମ ଥର ପାଇଁ ଲୁଣ ସମ୍ପର୍କରେ ଏକ ପ୍ରବନ୍ଧରେ ଲେଖିଥିଲେ, ‘ଭାରତର ଅନେକ ଲୋକ ଦିନକୁ ଗୋଟିଏ ପଇସାରେ ଚଳନ୍ତି । ସେମାନେ ରୁଟି ଆଉ ଲୁଣ ଖାଇ ଦାରିଦ୍ର‌୍ୟ ମଧ୍ୟରେ କାଳାତିପାତ କରୁଛନ୍ତି, ଆଉ ବିଡମ୍ବନାର ବିଷୟ ସେହି ଲୁଣ ଉପରେ ସେମାନଙ୍କୁ ଅତ୍ୟଧିକ କର ଦେବାକୁ ହେଉଛି ।’ ଦକ୍ଷିଣ ଆଫ୍ରିକାରେ ଅବସ୍ଥାନ କାଳରେ ଭାରତରେ ଲାଗୁ ହେଉଥିବା ଲବଣ କରକୁ ବିରୋଧ କରି ନାଟାଲ ପ୍ରାନ୍ତର ଗଭର୍ଣ୍ଣର ଓାଲଟର ଫ୍ରାନସିସ ହେଲି-ହଚିନସନ ଦେଇଥିବା ମନ୍ତବ୍ୟଟି ଗାନ୍ଧୀଜୀଙ୍କୁ ବେଶ ଭଲ ଲାଗିଥିଲା । ଜାପାନରେ ଏହି କର ଉଚ୍ଛେଦ ହୋଇଥିବା ବେଳେ ଭାରତରେ ତାହା ଜାରି ରହିବା ବ୍ରିଟିଶ ସରକାରଙ୍କ ପ୍ରତି ଏକ ଲଜ୍ଜାକର ବିଷୟ ବୋଲି ହଚିନସନ ତୀବ୍ର ସମାଲୋଚନା କରିଥିଲେ । ଏହି ମନ୍ତବ୍ୟକୁ ପ୍ରଶଂସା କରି ଗାନ୍ଧୀଜୀ ୧୯୦୫ ମସିହାରେ ‘ଇଣ୍ଡିଆନ ଓପିନିଅନ’ ପତ୍ରିକାରେ ଏକ ଲେଖା ଲେଖିଥିଲେ, ଯେଉଁଥିରେ ସେ ଲୁଣକୁ ଆମ ଖାଦ୍ୟର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିବା ସହ ଏହାର ଅଭାବ କୁଷ୍ଠ ରୋଗ ବ୍ୟାପିବାର ଅନ୍ୟତମ କାରଣ ବୋଲି ଦର୍ଶାଇଥିଲେ । ସେହି ବର୍ଷ ‘ଇଣ୍ଡିଆନ ଓପିନିଅନ’ର ଅନ୍ୟ ଏକ ସଂଖ୍ୟାରେ ସେ ଲେଖିଥିଲେ, ‘ଗୋଟିଏ ଗୁଜବ ପ୍ରଚାରିତ ହେଉଛି ଯେ ଆସନ୍ତା ନଭେମ୍ବର ମାସ ପ୍ରିନ୍ସ ଅଫ ଓ୍ଵେଲସଙ୍କ ଭାରତ ଆଗମନର ସ୍ମୃତି ଉଦ୍ଦେଶ୍ୟରେ ତଥା ଭାରତୀୟ ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲବଣ କରକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ଦିଆଯିବ । ପ୍ରତିଟି ଭାରତୀୟ ଆନ୍ତରିକତାର ସହ ଆଶା କରନ୍ତି ଏହି ଗୁଜବର ଉତ୍ସ ସଠିକ ହୋଇଥାଉ ଓ ଏହା ସତ୍ୟ ପ୍ରମାଣିତ ହେଉ ।’ ସେହି ସମୟରେ ତାଙ୍କ ‘ହିନ୍ଦ ସ୍ୱରାଜ’ ପୁସ୍ତକରେ ସେ ‘ଲବଣ କର ଏକ ଛୋଟିଆ ଅନ୍ୟାୟ ନୁହେଁ’ ବୋଲି କଡା ମନ୍ତବ୍ୟ ଦେବା ସହ ଏହାକୁ ‘ବଙ୍ଗଭଙ୍ଗ’ ସମ ଅନ୍ୟାୟ ବୋଲି କହିଥିଲେ । ଭାରତକୁ ଫେରି ଆସିଲା ପରେ ଅର୍ଥନୀତିଜ୍ଞ ପ୍ରଫେସର ଏଚ ଏସ ଜେଭନସଙ୍କ ଏକ ଲେଖା ‘ଇଣ୍ଡିଆଜ ସେୟାର ଇନ ଦି ଓ୍ଵାର’ରେ ତାଙ୍କ ଦ୍ୱାରା ଭାରତୀୟଙ୍କଠାରୁ ଅଧିକ କର ଆଦାୟର ଯୁକ୍ତିକୁ ବିରୋଧ କରି ଗାନ୍ଧୀଜୀ ଲେଖିଥିଲେ, “ଆଉ ଯାହା କରାଯାଉ ନା କାହିଁକି, ଆଜି ଏ କର(ଲୁଣ) ଉଚ୍ଛେଦ ହେବା ଦରକାର । କେବଳ କର ଆଧିକ୍ୟ ଯୋଗୁ ଯେ ସେମାନେ ଉତ୍ପୀଡିତ ହେଉଛନ୍ତି ତାହା ନୁହେଁ, ବରଂ ଏହାର ଏକାଧିପତ୍ୟ କୃତ୍ରିମ ଭାବେ ଲୁଣର ଦର ବୃଦ୍ଧି କରିଛି ଆଉ ଆଜି ଗରିବ ଲୋକଟିଏ ସୁଲଭ ମୂଲ୍ୟରେ ଲୁଣ ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛି । ସେମାନଙ୍କ ଲାଗି ଲୁଣ ସେତିକି ଅତ୍ୟାବଶ୍ୟକ ଯେତିକି ପାଣି ଆଉ ପବନ ।” ଗାନ୍ଧୀଜୀଙ୍କ ଲବଣ କରକୁ ବୁଝିବା ପାଇଁ ଥିବା ଆଗ୍ରହ ତାଙ୍କୁ ଏହାର ଐତିହାସିକ ପୃଷ୍ଠଭୂମିର ଗଭୀରତାକୁ ଅନୁଧ୍ୟ୍ୟାନ କରିବା ଲାଗି ପ୍ରେରିତ କରିଥିଲା ଓ ଏ କ୍ଷେତ୍ରରେ ଅଧିକ ଅଧ୍ୟୟନ ପାଇଁ ସେ ଏସ ପି ପଟବର୍ଦ୍ଧନ ଓ ଅନ୍ୟ କେତେକ ଯୁବକଙ୍କୁ ନିୟୋଜିତ କରିଥିଲେ । ସେ ୧୯୨୨ ମସିହାରେ ସେନାଖର୍ଚ୍ଚର ଭରଣା ପାଇଁ ରକ୍ତ ଶୋଷଣକାରୀ ଲବଣ କରକୁ ଦୁଇଗୁଣ କରିବାର ପ୍ରସ୍ତାବକୁ ଘୋର ବିରୋଧ କରିଥିଲେ । ସେହିପରି ଲୁଣ ଯୋଗୁ କ୍ୟାନସର ବ୍ୟାପୁଥିବାରୁ ଲୁଣ ଉପରେ କରବୃଦ୍ଧି ପରୋକ୍ଷରେ କ୍ୟାନସର ନିୟନ୍ତ୍ରଣରେ ସହାୟକ ହେବ ବୋଲି ଚିକିତ୍ସା ସାହିତ୍ୟର ଉଦାହରଣ ଦେଇ ସାମ୍ବାଦିକ ଫ୍ରେଡରିକ ମାରଉଡ ପ୍ରସ୍ତୁତ କରିଥିବା ଯୁକ୍ତିକୁ ଗାନ୍ଧୀଜୀ ଗ୍ରହଣ କରି ନ ପାରି ଲେଖିଥିଲେ, “ଖାଇବା ବ୍ୟତୀତ ଲୁଣର ଆହୁରି ଅନେକ ପ୍ରକାର ବ୍ୟବହାର ରହିଛି । ଯେପରି ଥଣ୍ଡା ହେଲେ ଗରମ ପାଣିରେ ଲୁଣ ମିଶାଇ କୁଳି କରିବା ହେଉ ବା ଲୁଣକୁ ଦନ୍ତମଞ୍ଜନ ଭାବେ ବ୍ୟବହାର କରିବା ହେଉ । ତା ଛଡା ଭଲ ବା ଅତ୍ୟଧିକ ଖାଉଥିବା ଲୋକଙ୍କ ପାଇଁ ଯାହା ଠିକ, ଭାରତ ଭଳି ଲକ୍ଷ ଲକ୍ଷ ଲୋକ ଭୋକିଲା ରହୁଥିବା ଦେଶରେ ତାହା ଯେ ଠିକ, ତାହା କିଏ କହିବ । ଭାରତରେ ବି ଏପରି ଡାକ୍ତର ଅଛନ୍ତି ଯେଉଁମାନେ କହନ୍ତି ଯେ ଭାରତୀୟମାନେ ଆବଶ୍ୟକତାଠାରୁ କମ ଲୁଣ ଖାଉଛନ୍ତି ଓ ନିଜ ପଶୁସମ୍ପଦକୁ ଆବଶ୍ୟକ ପରିମାଣରେ ଲୁଣ ଖାଇବାକୁ ଦେଇ ପାରୁନାହାନ୍ତି ।”
       
୧୯୧୩ ମସିହାରେ ଦକ୍ଷିଣ ଆଫ୍ରିକାରେ ଲୁଣକୁ ନେଇ ଗାନ୍ଧୀଜୀ ଓ କସ୍ତୁରବାଙ୍କ ମଧ୍ୟରେ ଏକ ଅପ୍ରୀତିକର ଘଟଣା ଘଟିଥିଲା । ଟ୍ରାନ୍ସଭାଲ ଜେଲରୁ ବାହାରିଲା ପରେ କସ୍ତୁରବା ଅସୁସ୍ଥ ହୋଇ ପଡିଥିଲେ । ଗାନ୍ଧୀଜୀ ତାଙ୍କୁ ତାଙ୍କ ପ୍ରିୟ ଡାଲି ଓ ଲୁଣ ଖାଇବା ଛାଡି ଦେବା ପାଇଁ କହିଥିଲେ । କସ୍ତୁରବା ତାଙ୍କୁ ଥଟ୍ଟାରେ କହିଥିଲେ ‘ତମେ ଛାଡି ପାରିବ ତ ?’ ଗାନ୍ଧୀଜୀ ତୁରନ୍ତ ପ୍ରତିଜ୍ଞା କଲେ, ‘ଠିକ୍ ଅଛି । ମୁଁ ବର୍ଷକ ପାଇଁ ଲୁଣ ଆଉ ଡାଲି ଖାଇବି ନାହିଁ ।’ କସ୍ତୁରବା ଅନୁତାପ କରି କାନ୍ଦି କାନ୍ଦି କହିଲେ, ‘ତମେ ଆଉ ପ୍ରତିଜ୍ଞା କର ନାହିଁ । ମୁଁ ଲୁଣ ଆଉ ଡାଲି ଖାଇବା ବରଂ ଛାଡି ଦେଉଛିି ।’ ହେଲେ ଗାନ୍ଧୀଜୀ ତାଙ୍କ ବଚନରେ ଦୃଢ ରହି ବର୍ଷେ ନୁହଁ ବରଂ ଛଅ ବର୍ଷ ଯାଏଁ ଲୁଣ ଖାଇ ନଥିଲେ ।

ତେବେ ଲବଣ ସତ୍ୟାଗ୍ରହ ମାଧ୍ୟମରେ ଆଇନ ଅମାନ୍ୟ ଅନ୍ଦୋଳନର ଡାକରା ଦେଇ ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟବାଦୀ ସରକାରଙ୍କୁ ଆହ୍ୱାନ ଦେବା ସମ୍ଭବତଃ ଲୁଣକୁ ନେଇ ଗାନ୍ଧୀଜୀଙ୍କ ସର୍ବଶ୍ରେଷ୍ଠ ପ୍ରୟୋଗ ଥିଲା । ଭାରତୀୟ ଲବଣ ଆଇନ, ୧୮୮୨ର ଧାରା ୯ ଅନୁଯାୟୀ କୌଣସି ବ୍ୟକ୍ତି ବେଆଇନ ଭାବେ ଲୁଣ ମାରୁଥିଲେ ତାଠାରୁ ଜବଦ ହୋଇଥିବା ବେଆଇନ ଲୁଣ, ଲୁଣ ତିଆରିରେ ବ୍ୟବହୃତ ସାମଗ୍ରୀ ଓ ଲୁଣକୁ ବୋହି ନେବା ପାଇଁ ବ୍ୟବହୃତ ପଶୁ ଓ ଗାଡି ବାଜ୍ୟାପ୍ତି ହେବା ସଙ୍ଗେ ସଙ୍ଗେ ତାକୁ ଛଅ ମାସ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ହେଉଥିଲା । ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ଗାନ୍ଧୀଜୀ ଲବଣ ଆଇନର ଏହି ଧାରାଟିକୁ ଭଙ୍ଗ କରିବା ପାଇଁ ବାଛିଲେ । ଲୁଣ ଭଳି ଅତି ସାଧାରଣ ଦ୍ରବ୍ୟଟିଏକୁ ଆଇନ ଆମାନ୍ୟ ଆନ୍ଦୋଳନର ଅସ୍ତ୍ର ଭାବେ ବାଛିବାରେ ଗାନ୍ଧୀଜୀଙ୍କ ବିଜ୍ଞତା ଓ କୌଶଳକୁ ଅନେକେ ପ୍ରଶଂସା କରିଥାନ୍ତି । ତେବେ ବିଶ୍ଳେଷଣ କଲେ ଜଣାଯାଏ ଯେ ସେହି ସମୟରେ ଘଟିଥିବା କେତୋଟି ଘଟଣା ଓ ବ୍ୟକ୍ତି ବିଶେଷଙ୍କ ଉକ୍ତି ତାଙ୍କୁ ଲୁଣକୁ ଆନ୍ଦୋଳନର ଅସ୍ତ୍ର ଭାବେ ଚୟନ କରିବା ପାଇଁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ପ୍ରେରିତ କରିଥିଲା । ୧୯୨୨ ମସିହା ନଭେମ୍ବର ମାସ ବାସିଲ ବ୍ଲାକେଟ ବଡଲାଟଙ୍କ କାର୍ଯ୍ୟନିର୍ବାହୀ ପରିଷଦରେ ଅର୍ଥ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ବେଳକୁ ଲୁଣ ଉପରେ ମହଣ ପିଛା ଏକ ଟଙ୍କା ଚାରି ଅଣା କର ଲାଗୁଥିଲା । ଆଫଗାନ ଯୁଦ୍ଧ ପରେ ଅର୍ଥର ଆବଶ୍ୟକତା ଉପୁଜିଥିବାରୁ ବଜେଟ ନିଅଣ୍ଟକୁ ଭରଣା କରିବା ପାଇଁ ସେ ଫେବୃଆରୀ ୧୯୨୩ରେ ପ୍ରସ୍ତୁତ କରିଥିବା ବଜେଟରେ ଲବଣ କରକୁ ମହଣ ପିଛା ଦୁଇଟଙ୍କା ଆଠ ଅଣା, ଅର୍ଥାତ ଦୁଇ ଗୁଣ କରି ଦେଲେ । କେନ୍ଦ୍ରୀୟ ବ୍ୟବସ୍ଥା ସଭା ଏହାକୁ ଅଗ୍ରାହ୍ୟ କରିଥିଲେ ମଧ୍ୟ ବଡଲାଟ ରିଡିଙ୍ଗ ତାଙ୍କର ଭିଟୋ (ପାଓ୍ଵାର ଅଫ ସାର୍ଟିଫିକେସନ) କ୍ଷମତା ପ୍ରୟୋଗ କରି ଏହାକୁ କାଏମ ରଖିଲେ । ତାଙ୍କର ଯୁକ୍ତି ଥିଲା, ‘ଗରିବ ଲୋକେ ତ ଆଉ କେଉଁ ବାଟରେ ରାଜକୋଷକୁ ଅର୍ଥ ଦେଉନାହାନ୍ତି । ଅନ୍ତତଃ ଲୁଣରେ କର ଦେଇ ଦେଶ ପ୍ରତି ତାଙ୍କ ଦାୟିତ୍ୱ ନିର୍ବାହ କଲେ କ୍ଷତି କଣ ?’ ସମ୍ଭବତଃ, ଲର୍ଡ ରିଡିଙ୍ଗଙ୍କର ଏହି କଥା ପଦକରୁ ଗାନ୍ଧୀଜୀଙ୍କୁ ଖିଅଟିଏ ମିଳି ଯାଇଥିଲା । ଲୁଣ ମାଧ୍ୟମରେ ଯଦି ସାଧାରଣ ଲୋକେ ରାଜକୋଷକୁ ସହଯୋଗ ପ୍ରଦାନ କରି ପାରିବେ ବୋଲି ସରକାର ଭାବି ପାରୁଛନ୍ତି, ତେବେ ଲବଣ କର ଦ୍ୱାରା ପ୍ରଭାବିତ ଲୋକଙ୍କ ସହଯୋଗରେ ଆନ୍ଦୋଳନଟିଏ କାହିଁକି ବା ଗଢି ତୋଳି ହେବ ନାହିଁ ? ଏହି ବର୍ଦ୍ଧିତ ଲବଣ କର ବର୍ଷକ ପରେ ପ୍ରତ୍ୟାହୃତ ହୋଇ ପୁଣି ପୂର୍ବ ହାର (ଏକ ଟଙ୍କା ଚାରି ଅଣା)କୁ ଫେରି ଆସିଥିଲା । ହେଲେ କରବୃଦ୍ଧି ନିଷ୍ପତ୍ତି ବ୍ରିଟିଶ ସରକାରଙ୍କ ପାଇଁ ମହଙ୍ଗା ପଡିଲା, କାରଣ ଆର୍ଥିକ ଦୃଷ୍ଟିରୁ ତାହା ସେତେ ଲାଭଜନକ ନ ହୋଇ ରାଜନୈତିକ ଦୃଷ୍ଟିରୁ ଯଥେଷ୍ଟ ଅଧିକ କ୍ଷତିସାଧନ କରିଥିଲା । ଏହାଦ୍ୱାରା ସେ ପର୍ଯ୍ୟନ୍ତ ସରକାରଙ୍କୁ ସହଯୋଗ କରି ଆସୁଥିବା ନେତାଙ୍କ ମଧ୍ୟରେ ସରକାରଙ୍କ ପ୍ରତି ଅବିଶ୍ୱାସ ସୃଷ୍ଟି ହୋଇ ସାରିଥିଲା । ୧୯୨୫ ମସିହାରେ କର ଅନୁସନ୍ଧାନ କମିଟି ତାଙ୍କ ରିପୋର୍ଟରେ ଲବଣ କରକୁ ସମାଲୋଚନା କରି ଲେଖିଥିଲେ ଯେ ମଣିଷର ବଞ୍ଚି ରହିବା ପାଇଁ ଲୁଣ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହା ଉପରେ କର, ପିଟୁଣି କର ସଦୃଶ । କମିଟିଙ୍କ ଦୃଷ୍ଟିରେ ଏହାର ସିଂହଭାଗ ଏହି ଗରିବ ଲୋକଙ୍କଠାରୁ ହିଁ ଆଦାୟ ହୋଇଥାଏ, ଯେଉଁମାନେ ସରକାରୀ ବ୍ୟୟରେ ସବୁଠାରୁ କମ ଲାଭାନ୍ୱିତ ହୋଇଥାନ୍ତିି । ପଣ୍ଡିତ ନୀଳକଣ୍ଠ ଦାସ କେନ୍ଦ୍ରୀୟ ବ୍ୟବସ୍ଥା ସଭା (ସିଏଲଏ)କୁ ସଦସ୍ୟ ଭାବେ ନିର୍ବାଚିତ ହୋଇ ଯିବା ପରଠାରୁ ସେଠାରେ ନିରନ୍ତର ଭାବେ ଲୁଣ ଓ ଲବଣ କର ସଂକ୍ରାନ୍ତୀୟ ସମସ୍ୟା ଉତ୍ଥାପନ କରି ଆସୁଥିଲେ । ଜାତୀୟ ସ୍ତରରେ ଲବଣ ପ୍ରସଙ୍ଗ ଉତଥାପନ କରିବାରେ ସେ ଥିଲେ ସବୁଠାରୁ ବେଶି ସକ୍ରିୟ ବ୍ୟବସ୍ଥାପକ । ଲବଣ କରକୁ ହ୍ରାସ କରିବା ପାଇଁ ସେ ମାର୍ଚ୍ଚ ୨୧, ୧୯୨୯ରେ ଦୁଇ ଘଣ୍ଟା ଧରି ଏକ ହୃଦୟସ୍ପର୍ଶୀ ଭାବଗର୍ଭକ ବକ୍ତୃତା ରଖିଥିଲେ, ଯେଉଁଥିରେ ସେ ଲବଣ କରକୁ ମଣିଷଙ୍କ ରକ୍ତ ଉପରେ କର ବୋଲି ଅଭିହିତ କରିବା ସହ ଏହି କର ମାଧ୍ୟମରେ ସରକାରଙ୍କ ରାଜକୋଷ ଭରଣା କରିବା ପାଇଁ ଗରିବଗୁରୁବାଙ୍କୁ ଲହୁଲୁହାଣ ହେବାକୁ ପଡୁଛି ବୋଲି କହିଥିଲେ । ଲୁଣକୁ ନେଇ ତାଙ୍କ ବଳିଷ୍ଠ ଯୁକ୍ତି ଓ ନିରନ୍ତର ପ୍ରୟାସ ଗାନ୍ଧୀଜୀଙ୍କୁ କିଛି ମାତ୍ରାରେ ପ୍ରଭାବିତ କରିଥିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । ଆଇନ ଅମାନ୍ୟ ଆନ୍ଦୋଳନ ନିଷ୍ପତ୍ତି ନେବାର ଅବ୍ୟବହିତ ପୂର୍ବରୁ ଗାନ୍ଧୀଜୀ ଲର୍ଡ ଇରଉଇନଙ୍କୁ ପତ୍ର ଲେଖି ଯେଉଁ ୧୧ଟି ବିଷୟରେ ସଂସ୍କାରମୂଳକ ପଦକ୍ଷେପ ନେଲେ ଆନ୍ଦୋଳନକୁ ଏଡାଇ ଦେଇ ହେବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ, ତନ୍ମଧ୍ୟରେ ଗୋଟିଏ ଥିଲା ଲବଣ କର ଉଚ୍ଛେଦ । ତେବେ ଲବଣ କରକୁ ଆଇନ ଅମାନ୍ୟର ଆୟୁଧ ଭାବେ ବ୍ୟବହାର କରିବାର ଶେଷ ନିଷ୍ପତ୍ତିଟି ସେ ‘ଫେଡେରେସନ ଅଫ ଇଣ୍ଡିଆନ ଚ୍ୟାମ୍ବରସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି’ ଦ୍ୱାରା ପ୍ରକାଶିତ ‘ମନୋଗ୍ରାଫ ଅନ କମନ ସଲ୍ଟ’ ବହିଟି ପଢିଲା ପରେ ହିଁ ନେଇଥିଲେ । ଏହି ପୁସ୍ତିକାଟିରେ ଭାରତରେ ଲବଣ କରର ଇତିହାସ ସହ ‘ଲବଣ ସେବନର ଔଚିତ୍ୟ’, ‘ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଲୁଣର ଅଧିକ ଆବଶ୍ୟକତା’, ‘ଧନୀ ଅପେକ୍ଷା ଗରିବ ଲୋକର ଅଧିକ ଲୁଣ ଆବଶ୍ୟକ’ ଭଳି ଅଧ୍ୟାୟଗୁଡିକ ସ୍ଥାନିତ ହୋଇଥିଲା । ଉଲ୍ଲେଖଯୋଗ୍ୟ, କଂଗ୍ରେସ ସଭାପତି ନେହରୁ ପତ୍ର ଜରିଆରେ ସବୁ କଂଗ୍ରେସ କର୍ମୀଙ୍କୁ ବହିଟିକୁ ପଢିବା ପାଇଁ ପରାମର୍ଶ ଦେଇଥିଲେ ।
              
୧୯୨୯ରେ କଂଗ୍ରେସର ଲାହୋର ଅଧିବେଶନରେ ‘ପୂର୍ଣ୍ଣ ସ୍ୱରାଜ’ ଘୋଷଣା ହେବା ପରେ ଜାନୁଆରୀ ୨୬, ୧୯୩୦ରେ କଂଗ୍ରେସ ଦ୍ୱାରା ସାରା ଦେଶରେ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ମାର୍ଚ୍ଚ ୨ ତାରିଖ ଦିନ ଗାନ୍ଧୀଜୀ ୨୫ବର୍ଷୀୟ ଇଂରେଜ ଯୁବକ ରେଗିନାଲଡ ରେନୋଲ୍ଡଙ୍କ ହାତରେ ଲର୍ଡ ଇରଉଇନଙ୍କ ନିକଟକୁ ଏକ ପତ୍ର ଲେଖିଲେ ଯେଉଁଥିରେ ଲବଣ ସତ୍ୟାଗ୍ରହ ମାଧ୍ୟମରେ ସେ କରିବାକୁ ଯାଉଥିବା ଆଇନ ଅମାନ୍ୟ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଥିଲେ । ଇରଉଇନଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ପାଇ ସେ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଲେଖିଥିଲେ, ‘ଆଣ୍ଠୁଭାଙ୍ଗି ମୁଁ ରୁଟି ମାଗିଲି ଆଉ ପ୍ରତିବଦଳରେ ମୋତେ ଢେଲା ମିଳିଲା ।’ ତୁରନ୍ତ ସେ ଲବଣ ସତ୍ୟାଗ୍ରହର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଲେ । ସ୍ଥାନ ଦାଣ୍ଡି, ଦୂରତା ୨୪୧ ମାଇଲ, ଆଉ ତାରିଖ ଥିଲା ମାର୍ଚ୍ଚ ୧୨, ୧୯୩୦ । ତା ପରେ ଆରମ୍ଭ ହୋଇଗଲା ତାଙ୍କ ସହ ପଦଯାତ୍ରାରେ ଯିବାକୁ ଥିବା ୭୯ ଜଣ ସତ୍ୟାଗ୍ରହୀଙ୍କ ଚୟନ । ଆଶ୍ଚର୍ଯ୍ୟର ବିଷୟ, ଏଥିରେ କଂଗ୍ରେସର କୌଣସି ପ୍ରମୁଖ ନେତା ନଥିଲେ । ସେତେବେଳେ ଗାନ୍ଧୀଙ୍କ ବୟସ ଥିଲା ଏକଷଠି ଓ ପଦଯାତ୍ରୀଙ୍କ ମଧ୍ୟରେ ସେ ଥିଲେ ସବୁଠାରୁ ବୟସ୍କ । ଅନ୍ୟମାନଙ୍କ ମଧ୍ୟରେ ସର୍ବାଧିକ ୪୮ ଜଣଙ୍କ ବୟସ ୨୦ରୁ ୨୯ ଭିତରେ ଥିଲା । ଏପରିକି ୮ ଜଣ ୧୬ରୁ ୧୯ ବର୍ଷ ବୟସର ଥିଲେ । ଅର୍ଥାତ୍, ଗାନ୍ଧୀଜୀ ଯୁବବର୍ଗର ଭାଗିଦାରୀ ଉପରେ ଏତେ ଅଧିକ ଗୁରୁତ୍ୱ ଦେଉଥିଲେ ଯେ ପ୍ରାୟ ୭୦ ପ୍ରତିଶତ ପଦଯାତ୍ରୀଙ୍କ ବୟସ ୩୦ ବର୍ଷରୁ କମ ଥିଲା । ଏଥିରେ ସବୁ ଧର୍ମ, ଜାତି ଓ ପ୍ରାନ୍ତର ଲୋକ ସାମିଲ ଥିଲେ । ଏମାନଙ୍କ ମଧ୍ୟରେ ଓଡିଶାରୁ ଏକମାତ୍ର ୨୦ ବର୍ଷ ବୟସ୍କ ମୋତିବାସ ଦାସ ଥିଲେ । ତାଙ୍କ ଘର ଭଦ୍ରକ ନିକଟସ୍ଥ ଏଡତାଳ ଗାଁରେ ଓ ସେ ଆଶ୍ରମରେ ରହି ଖଦିର ତାଲିମ ନେଉଥିଲେ । ପଦଯାତ୍ରୀଙ୍କ ମଧ୍ୟରେ କୌଣସି ମହିଳା ନଥିବାରୁ ସରୋଜିନୀ ନାଇଡୁ, କମଳାଦେବୀ ଚଟ୍ଟୋପାଧ୍ୟାୟ ଓ ପେରିନ କ୍ୟାପଟେନ (ଦାଦାଭାଇ ନାରୋଜୀଙ୍କ ନାତୁଣୀ)ଙ୍କ ଭଳି ପ୍ରମୁଖ ନାରୀ ନେତ୍ରୀମାନେ ଗାନ୍ଧୀଜୀଙ୍କ ନିକଟରେ ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଐତିହାସିକ ଜିରାଲଡିନ ଫୋର୍ବସଙ୍କ ଅନୁସାରେ କାଳେ ବ୍ରିଟିଶ ଲୋକେ ‘ଭାରତୀୟମାନେ ମହିଳାଙ୍କୁ ଆଗରେ ରଖି ତାଙ୍କ ପଛରେ ଲୁଚୁଛନ୍ତି’ ବୋଲି କହିବେ, ସେଥିପାଇଁ ଗାନ୍ଧୀଜୀ ମୂଳରୁ ମହିଳାଙ୍କୁ ପଦଯାତ୍ରୀ ଭାବେ ସାମିଲ କରିବା ସପକ୍ଷରେ ନଥିଲେ ।
      
ନିର୍ଦ୍ଧାରିତ ତାରିଖରେ ଯାତ୍ରାରମ୍ଭର ପୂର୍ବ ଦିନ ଆୟୋଜିତ ପ୍ରାର୍ଥନା ସଭାରେ ପ୍ରାୟ ଦଶ ହଜାର ଲୋକ ରୁଣ୍ଡ ହୋଇଥାନ୍ତି । ଗାନ୍ଧୀଜୀ ସେମାନଙ୍କୁ ଉଦବୋଧନ ଦେଇ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଯେଉଁ ଅବିସ୍ମରଣୀୟ ବକ୍ତବ୍ୟଟି ରଖିଥିଲେ ସେଥିରେ ଲବଣ ଆଇନ ଆମାନ୍ୟର ବିଭିନ୍ନ ଉପାୟ ସମ୍ପର୍କରେ କହିଥିଲେ । ‘ଯେଉଁଠି ସମ୍ଭବ, ଲବଣ ଆଇନ ଅମାନ୍ୟ ହେବା ଦରକାର । ଏହି ଆଇନକୁ ତିନି ପ୍ରକାରେ ଅମାନ୍ୟ କରିହେବ । ଯେଉଁଠାରେ ଲୁଣ ଉତ୍ପାଦନ କରିବାର ସୁବିଧା ରହିଛି ସେଠାରେ ଲୁଣ ମାରିବା ଏକ ଅପରାଧ । ନିଷିଦ୍ଧ ଲୁଣ ଏପରିକି ପ୍ରାକୃତିକ ଲୁଣ ଓ ଲୁଣି ମାଟି ରଖିବା ଓ ବିକ୍ରି କରିବା ମଧ୍ୟ ଅପରାଧ । ଏହି ଲୁଣ କିଣୁଥିବା ବ୍ୟକ୍ତି ମଧ୍ୟ ସମ ପରିମାଣରେ ଦୋଷୀ । ସେହିପରି ସମୁଦ୍ର କୂଳରେ ପ୍ରାକୃତିକ ଭାବେ ଉପଲବ୍ଧ ଲୁଣକୁ ଉଠାଇବା ମଧ୍ୟ ଏହି ଆଇନର ଅମାନ୍ୟ । ଗାଁ ଗାଁ ବୁଲି ଏହି ଲୁଣ ବିକିବା ମଧ୍ୟ । ସଂକ୍ଷେପରେ ଲବଣ ଏକାଧିକାରକୁ ଭାଙ୍ଗିବା ପାଇଁ ଆପଣମାନେ ଏଥିରୁ ଯେ କୌଣସି ଗୋଟିଏ ବା ସବୁ ଉପାୟକୁ ବାଛି ପାରନ୍ତି ।’ ଉପରୋକ୍ତ କଥାଟିକୁ ଅନୁଧ୍ୟାନ କଲେ ଏହି ସତ୍ୟାଗ୍ରହରେ ଭାରତ ବର୍ଷର ପ୍ରତ୍ୟେକ ଅଞ୍ଚଳର ସମସ୍ତଙ୍କୁ କିପରି ସାମିଲ କରି ହେବ ସେ ନେଇ ଗାନ୍ଧୀଜୀଙ୍କ ଦୂର ଦୃଷ୍ଟି ଓ ସୁଚିନ୍ତିତ ପରିକଳ୍ପନାକୁ ନେଇ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଅନେକଙ୍କର ଧାରଣା ଥିଲା ଯେ ବୋଧହୁଏ ଲୁଣ ମାରିବା ମାଧ୍ୟମରେ ଏହା କେବଳ ସମୁଦ୍ର ଉପକୂଳବର୍ତ୍ତୀ କିଛି ଲୁଣ ଉତ୍ପାଦନକାରୀଙ୍କ ସମସ୍ୟା ପ୍ରତି ସରକାର ଓ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପର୍ଯ୍ୟନ୍ତ ସୀମିତ ରହିବ । ତେବେ ଲୁଣକୁ ନେଇ ପ୍ରଚଳିତ ଆଇନରେ ଉତ୍ପାଦକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ଓ ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ପୀଡନର ଶିକାର ହେଉଥିଲେ ବୋଲି ଗାନ୍ଧୀଜୀ ବେଶ ହୃଦୟଙ୍ଗମ କରି ସାରିିଥିଲେ । ସେଥିପାଇଁ ଲବଣ ସତ୍ୟାଗ୍ରହକୁ କେବଳ ଲୁଣମରା ଯାଏଁ ସୀମିତ ନ ରଖି ସେ ଆଇନ ଅମାନ୍ୟର ଉପରୋକ୍ତ ବିଭିନ୍ନ ଉପାୟର ଅବତାରଣା କରିଥିଲେ, ଯଦ୍ଦ୍ୱାରା ଦେଶର ବିଭିନ୍ନ ଅଞ୍ଚଳର ଲୋକେ ଭିନ୍ନ ଭିନ୍ନ ଭାବେ ଏଥିରେ ଅଂଶ ଗ୍ରହଣ କରିପାରିଥିଲେ । ଏଥି ପୂର୍ବରୁ ଭିନ୍ନ ଏକ ପ୍ରସଙ୍ଗରେ ଏଭଳି ଆଇନ ଅମାନ୍ୟରେ କିଛିି ଭୁଲ ନାହିଁ ବୋଲି ପ୍ରତିପାଦିତ କରିବା ପାଇଁ ସେ ଯୁକ୍ତି ବାଢିଥିଲେ ଯେ ସରକାର ଅବୈଧ ଭାବରେ ଲୋକଙ୍କ ଲୁଣକୁ ଚୋରି କରନ୍ତି ଆଉ ସେହି ଚୋରି ଦ୍ରବ୍ୟ ଉପରେ ଅତ୍ୟଧିକ କର ଦେବା ପାଇଁ ଲୋକଙ୍କୁ ବାଧ୍ୟ କରନ୍ତି । ଲୋକେ ଯେତେବେଳେ ସେମାନଙ୍କ ଶକ୍ତି ସମ୍ପର୍କରେ ସଚେତନ ହୋଇଯିବେ ସେତେବେଳେ ନିଜ ଜିନିଷକୁ ଅକ୍ତିଆରକୁ ଆଣିବାର ସମ୍ପୂର୍ଣ୍ଣ ଅଧିକାର ହାସଲ କରିବାରେ ଆଉ କୌଣସି ଅସୁବିଧା ରହିବ ନାହିଁ ।

ପ୍ରତିଦିନ ହାରାହାରି ୧୦ ମାଇଲ ଅତିକ୍ରମ କରି ଚବିଶ ଦିନରେ ପଦଯାତ୍ରା ଅପ୍ରେଲ ୬ ତାରିଖ ଦିନ ଦାଣ୍ଡିରେ ପହଞ୍ଚିଲା ବେଳକୁ ହଜାର ହଜାର ଲୋକ ତାଙ୍କ ସହ ସାମିଲ ହୋଇ ସାରିଥିଲେ । ସେହି ଦିନ ଲୁଣ ମୁଠାଏ ଉଠାଇ ଗାନ୍ଧୀଜୀ ପ୍ରଥମେ ଆଇନ ଭଙ୍ଗ କରିଥିଲେ । ଏହି ସମାଚାର ପ୍ରଚାରିତ ହେଲା ପରେ ଅପ୍ରେଲ ୧୩ ତାରିଖରେ କର୍ଣ୍ଣାଟକର ଅଙ୍କୋଲାଠାରେ ୪୦ ହଜାର ଲୋକଙ୍କ ଉପସ୍ଥିତିରେ ଏମ ପି ନଦକର୍ଣ୍ଣୀ ଲବଣ ଆଇନ ଭଙ୍ଗ କଲେ । ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ମାନ୍ଦ୍ରାଜ ପ୍ରଦେଶର ବେଦାରଣ୍ୟମଠାରେ ଅପ୍ରେଲ ୩୦ ତାରିଖରେ ଆଇନ ଭଙ୍ଗ କରିଥିଲେ । ବମ୍ବେର ଚୌପାଟୀଠାରେ କମଳାଦେବୀ ଚଟ୍ଟୋପାଧ୍ୟୟଙ୍କ ନେତୃତ୍ୱରେ ମହିଳାମାନେ ଘରୁ ଷ୍ଟୋଭ, ଉଠା ଚୂଲା, ମାଟି ହାଣ୍ଡି ଓ ବାସନ ଆଣି ଲୁଣ ମାରିଥିଲେ । ଦେଶ ସାରା ଏହି ଲୁଣ ଛୋଟ ଛୋଟ ପୁଡିଆ ଆକାରରେ ବିକ୍ରି ହେବାକୁ ଲାଗିଲା । ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟଗୁଡିକରେ ଲବଣ ସତ୍ୟାଗ୍ରହ ହେବା ତ ସ୍ୱାଭାବିକ ଥିଲା । ହେଲେ ତାହା ଭାରତର ପ୍ରାୟ ସବୁ ଅଂଞ୍ଚଳକୁ ବ୍ୟାପି ଯାଇଥିଲା ।

ଓଡିଶାରେ ସର୍ବପ୍ରଥମେ ବାଲେଶ୍ୱର ନିକଟସ୍ଥ ଇଞ୍ଚୁଡିଠାରେ ଆଚାର୍ଯ୍ୟ ହରିହର ଦାସ ଅପ୍ରେଲ ୧୩ ତାରିଖ ଦିନ ଲବଣ ଆଇନ ଭଙ୍ଗ କରିଥିଲେ । ସାର୍ଥା, ଇରମ, ମନ୍ଦାରୀ, ଚୂଡାମଣି ଭଳି ବାଲେଶ୍ୱର ଜିଲ୍ଲାର ୨୨ଟି ସ୍ଥାନ ଲବଣ ସତ୍ୟାଗ୍ରହର କେନ୍ଦ୍ର ପାଲଟିଥିଲା । କଟକ ଜିଲ୍ଲାର କୁଜଙ୍ଗ, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ ଗଞ୍ଜାମ ଜିଲ୍ଲାର ହୁମ୍ମା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଲବଣ ଆଇନ ଭଙ୍ଗ କରାଯାଇଥିଲା । ବସ୍ତୁତଃ ଓଡିଶା ଲବଣ ସତ୍ୟାଗ୍ରହ ଆୟୋଜନ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରି ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଅର୍ଜନ କରିଥିବାରୁ ୧୯୩୧ ମସିହାରେ ଜାତୀୟ କଂଗ୍ରେସର କରାଚୀ ଅଧିବେଶନରେ ପ୍ରଶଂସିତ ହୋଇଥିଲା ।
   
ଦାଣ୍ଡି ଯାତ୍ରାର ସମାପନ ପରେ ମେ ୨୧, ୧୯୩୦ରେ ଧରାସାଣା ଲୁଣ କାରଖାନାକୁ ଅହିଂସାତ୍ମକ ଭାବେ ଲୁଟ କରାଯିବ ବୋଲି ଗାନ୍ଧୀଜୀ ମେ ୪ ତାରିଖ ଦିନ ଘୋଷଣା କରିବା ପର ଦିନ ତାଙ୍କୁ ଗିରଫ କରାଗଲା । ତେବେ ନିର୍ଦ୍ଧାରିତ ଦିନ ସରୋଜିନୀ ନାଇଡୁଙ୍କ ନେତୃତ୍ୱରେ ପ୍ରାୟ ଦୁଇ ହଜାର ସତ୍ୟାଗ୍ରହୀ ଗୁଜରାଟର ଧରାସାଣାରେ ଏକତ୍ରିତ ହୋଇଥିଲେ । ପୋଲିସ ଲାଠିରେ ଲହୁଲୁହାଣ ହୋଇ ମଧ୍ୟ ସେମାନେ ଅସ୍ତ୍ର ନ ଉଠାଇ ଯେପରି ସବିନୟ ଅବଜ୍ଞାକୁ ପାଳନ କଲେ ସାରା ବିଶ୍ୱରେ ତାର ପଟାନ୍ତର ନାହିଁ ବୋଲି ସେଠାରେ ଉପସ୍ଥିତ ଆମେରିକୀୟ ସାମ୍ବାଦିକ ଓ୍ଵେବ ମିଲର ବର୍ଣ୍ଣନା କରିଥିଲେ । ଏହି ସମଗ୍ର ଘଟଣାରେ ବ୍ରିଟିଶ ସରକାରଙ୍କୁ ସାରା ବିଶ୍ୱରେ ନିନ୍ଦିତ ହେବାକୁ ପଡିଥିଲା ।
    
ଦାଣ୍ଡି ଯାତ୍ରାରୁ ଆରମ୍ଭ ହୋଇଥିବା ଆଇନ ଅମାନ୍ୟ ଆନ୍ଦୋଳନ କ୍ରମଶଃ କାୟା ବିସ୍ତାର କଲା ଓ ସାରା ଦେଶରେ ହଜାର ହଜାର ସଂଖ୍ୟାରେ ଲୋକ କାରାବରଣ କଲେ । ସ୍ଥିତି ଏପରି ହେଲା ଯେ ଶେଷରେ ବଡଲାଟ ଲର୍ଡ ଇରଉଇନ ଏହାର ପରିସମାପ୍ତି ଲାଗି ଗାନ୍ଧୀଜୀଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କଲେ ଓ ଉଭୟଙ୍କ ମଧ୍ୟରେ ୫ ମାର୍ଚ୍ଚ ୧୯୩୧ରେ ଗାନ୍ଧୀ-ଇରଉଇନ ବୁଝାମଣା ସ୍ୱାକ୍ଷରିତ ହେଲା । ବୁଝାମଣାରେ ଲୁଣ ସଂକ୍ରାନ୍ତୀୟ ବିଷୟଗୁଡିକ ମଧ୍ୟରେ କଂଗ୍ରେସ ଦଳ ଲବଣ ସତ୍ୟାଗ୍ରହ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ରାଜି ହୋଇଥିବା ବେଳେ ଲବଣ ସତ୍ୟାଗ୍ରହରେ ଗିରଫ ହୋଇଥିବା ସମସ୍ତଙ୍କୁ ଜେଲରୁ ଖଲାସ କରିବା ପାଇଁ ସରକାର ଘୋଷଣା କଲେ । ଏଥି ସହିତ ସମୁଦ୍ର କୂଳରେ ରହୁଥିବା ଲୋକଙ୍କୁ ମାଗଣାରେ ଲୁଣ ମାରିବା ଓ ଲୁଣ ସଂଗ୍ରହ କରିବାର ଅନୁମତି ଦିଆଗଲା । ମାତ୍ର ଦୁଃଖର କଥା, ଲୁଣ ଉପରେ ଯେଉଁ ଅତ୍ୟଧିକ କରକୁ ବିରୋଧ କରି ଏହି ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା, ତାହା ଉଚ୍ଛେଦ ନ ହୋଇ ପୂବର୍ବତ୍ ଜାରି ରହିଲା । ଲୋକଙ୍କଠାରୁ ପୂର୍ବ ପରି ଲବଣ କର ଆଦାୟ ହୋଇ ଚାଲିଲେ ମଧ୍ୟ ନେତାଏ ଆଉ ତାକୁ ମୁଖ୍ୟ ପ୍ରସଙ୍ଗ କରୁ ନଥିଲେ, କାରଣ ଲୁଣ ପ୍ରସଙ୍ଗ ହୁଏତ ସେମାନଙ୍କୁ ପୂର୍ବ ପରି ଆନ୍ଦୋଳିତ କରୁ ନଥିଲା ! ହେଲେ ଗାନ୍ଧୀଜୀଙ୍କ ମନର କେଉଁ ଏକ କୋଣରେ ଲୁଣକୁ ନେଇ ଯେଉଁ ଦୁର୍ବଳତା ବସା ବାନ୍ଧିଥିଲା ତାହା ରହି ରହି ପ୍ରକଟ ହେଉଥିଲା । ୧୯୩୭ ମସିହାରେ ବିଭିନ୍ନ ପ୍ରଦେଶରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ସହ ପ୍ରାଦେଶିକ ସରକାରମାନ ଗଠନ କଲା ପରେ ଗାନ୍ଧୀଜୀ ସେମାନଙ୍କୁ ଲବଣ କର ସଂକ୍ରାନ୍ତରେ ମନେ ପକାଇ ଦେଇ ଲେଖିଥିଲେ, “ଗାନ୍ଧୀ-ଇରଉଇନ ବୁଝାମଣା ଅନୁଯାୟୀ, ତନ୍ମଧ୍ୟରୁ ଏବେ କେବଳ ଯେଉଁ ଲବଣ ଧାରାଟି ଜୀବିତ ଅଛି, ଗରିବ ଲୋକଙ୍କ ପାଇଁ ଲୁଣ ମାଗଣା ହେବା ଉଚିତ, ହେଲେ ତାହା ହୋଇନାହିଁ : ଏବେ ଅନ୍ତତଃ କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ଲୁଣକୁ ମାଗଣା କରାଯାଇ ପାରିବ ।” ଲବଣ ଆଇନ ଭଙ୍ଗର ଷୋହଳ ବର୍ଷ ପରେ, ସଂଯୋଗବଶତଃ ଠିକ ସେହି ଦିନ, ଅର୍ଥାତ୍ ଅପ୍ରେଲ ୬, ୧୯୪୬ରେ ଗାନ୍ଧୀଜୀ ଲବଣ କର ଉଚ୍ଛେଦ ପାଇଁ ବଡଲାଟଙ୍କ କାର୍ଯ୍ୟନିର୍ବାହୀ ପରିଷଦର ଅର୍ଥ ସଦସ୍ୟ ସାର୍ ଆର୍କିବଲ୍ଡ ରାଓଲାଣ୍ଡଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ । ରାଓଲାଣ୍ଡ ତୁରନ୍ତ ଲବଣ କର ଉଚ୍ଛେଦ ପାଇଁ ଆଦେଶ ଦେଇଥିଲେ ମଧ୍ୟ ତାହା ବଡଲାଟ ଲର୍ଡ ଓ୍ଵାଭେଲଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଯାଇଥିଲା । ପରିଶେଷରେ ନେହରୁଙ୍କ ନେତୃତ୍ୱରେ ସେପ୍ଟେମ୍ବର ୧୯୪୬ରେ ମଧ୍ୟବର୍ତ୍ତୀକାଳୀନ ମନ୍ତ୍ରୀମଣ୍ଡଳ ଅବସ୍ଥାପିତ ହେବା ପରେ ତତ୍କାଳୀନ ଅର୍ଥମନ୍ତ୍ରୀ ଲିଆକତ ଅଲି ଖାଁଙ୍କ ଦ୍ୱାରା ମାର୍ଚ୍ଚ ୧୯୪୭ରେ ଲବଣ କର ଉଚ୍ଛେଦ ହୋଇଥିଲା ।
  
ଗାନ୍ଧୀଜୀଙ୍କ ଜୀବନ ଉପରେ ଦୀର୍ଘ ଦିନ ଧରି ଲୁଣ ବା ସଲ୍ଟର ବିଭିନ୍ନ ଭାବେ ପ୍ରଭାବ ପଡି ଆସିଛି । ଏପରିକି ଲଣ୍ଡନରେ ଅବସ୍ଥାନ କାଳରେ ସେ ଯେଉଁ ବ୍ୟକ୍ତି ବିଶେଷଙ୍କ ଚଟି ବହିଟିଏ ପଢି ପ୍ରଥମେ ପ୍ରଭାବିତ ହୋଇଥିଲେ ତାଙ୍କ ନାମ ଥିଲା ହେନେରୀ ‘ସଲ୍ଟ’ । ଏହା କେବଳ ମାତ୍ର ଏକ ସଂଯୋଗ ହୋଇପାରେ । ତେବେ ସଲ୍ଟଙ୍କ ରଚିତ ‘ଏ ପ୍ଲି ଫର ଭେଜିଟେରିଆନିଜମ’ ପଢିବା ପରେ ସେ ନିରାମିଶବାଦ ପ୍ରତି ଆକୃଷ୍ଟ ହୋଇ ସାରା ଜୀବନ ସେଥିରେ ବ୍ରତୀ ହେବା ସହ ଆହୁରି ଅନେକ କିଛି କରିବା ପାଇଁ ପ୍ରେରଣା ପାଇଥିଲେ, ଯେମିତି ‘ଭେଜିଟେରିଆନ’ରେ ତାଙ୍କ ଲେଖକୀୟ ଜୀବନ ଆରମ୍ଭ ହୋଇ ଶେଷସୁଦ୍ଧା ଏକ ଶହ ଖଣ୍ଡ (ଭଲ୍ୟୁମ) ବହି ଲେଖିବାକୁ ସମର୍ଥ ହେବା । ଗାନ୍ଧୀଙ୍କର ଲୁଣ ସହ ସକ୍ରିୟ ସମ୍ପର୍କ ୧୯୩୧ ମସିହାର ଗାନ୍ଧୀ-ଇରଉଇନ ବୁଝାମଣା ପର୍ଯ୍ୟନ୍ତ ପରିଷ୍କାର ଭାବେ ପରିଲକ୍ଷିତ ହେଉଥିଲେ ମଧ୍ୟ ତାପରେ ତାଙ୍କର ରଚନା, ଆଲୋଚନା ବା କାର୍ଯ୍ୟରେ ଲୁଣକୁ ନେଇ ସେପରି ପ୍ରଗଳ୍ଭତା ଦୃଷ୍ଟିଗୋଚର ହୁଏ ନାହିଁ । ତେବେ କଣ ଲବଣ ସତ୍ୟାଗ୍ରହ ତାଙ୍କ ପାଇଁ କେବଳ ଏକ ପ୍ରତୀକାତ୍ମକ ଆନ୍ଦୋଳନ ଥିଲା ? ତାଙ୍କୁ ଆହୁରି ଅନେକ କିଛି କରିବାର ଥିଲା, ସେହି ଗୋଟିଏ କାମରେ ବା ସ୍ଥାନରେ ସେ ଅଟକି ଯାଇ ପାରିଥାନ୍ତେ ବା କିପରି? ତେଣୁ ଜୀବନ ଯାକ ଲୁଣ ସହ ସମ୍ପୃକ୍ତ ଗାନ୍ଧୀଜୀଙ୍କ ପାଇଁ ଲୁଣ ପ୍ରସଙ୍ଗ ସ୍ୱାଧୀନତା ଭଳି ବଡ ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ମାଧ୍ୟମ ହୋଇଗଲା ସିନା ହେଲେ ଲକ୍ଷ୍ୟ ହୋଇ ରହି ପାରିଲା ନାହିଁ ।
           
         
Published in Gandhi Gatha, December 12, 2019

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍