ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ କାଶ୍ମୀର ସମସ୍ୟାକୁ ଅନ୍ତର୍ଜାତିକୀକରଣ କରିବା ପାଇଁ ପୂରା ମାତ୍ରାରେ ଚେଷ୍ଟା କରି ଏ ଯାଏଁ ସଫଳ ହୋଇପାରି ନାହିଁ । ଏ ପର୍ଯ୍ୟନ୍ତ ଭାରତ ପାକିସ୍ତାନ ମଧ୍ୟରେ କୌଣସି ଆଲୋଚନା ପ୍ରସଙ୍ଗ ଉଠିଲେ ଭାରତ ଆତଙ୍କବାଦକୁ ମୁଖ୍ୟ ପ୍ରସଙ୍ଗ କରୁଥିଲା ବେଳେ ପାକିସ୍ତାନ ସବୁବେଳେ କାଶ୍ମୀର ପ୍ରସଙ୍ଗଟିକୁ ଆଗରେ ରଖି ଆସୁଥିଲା । ହେଲେ ଅଗଷ୍ଟ ୫ ପରଠାରୁ ଭାରତ ଆତଙ୍କବାଦ ପ୍ରସଙ୍ଗ ଅପେକ୍ଷା କାଶ୍ମୀର ପ୍ରସଙ୍ଗକୁ ଅଧିକ ଉଠାଉଛି । ଅର୍ଥାତ୍, ଉଭୟଙ୍କ ପାଇଁ କାଶ୍ମୀର ପ୍ରସଙ୍ଗ ଏବେ ମଝି ମଞ୍ଚରେ । ପାକିସ୍ତାନ ପାଇଁ ଭାରତ ଦ୍ୱାରା ଏକ ତରଫା ଭାବେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ହୋଇଥିବା ବେଳେ ଭାରତ ପାଇଁ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଭାରତକୁ ଫେରାଇ ଆଣିବା ହେଉଛି ମୁଖ୍ୟ ପ୍ରସଙ୍ଗ । କେନ୍ଦ୍ର ମନ୍ତ୍ରୀମାନେ ପିଓକେକୁ ନେଇ ଅଧିକ ମୁଖର ଥିଲେ ମଧ୍ୟ ତାହା ପାକିସ୍ତାନକୁ ପଶ୍ଚାତପଦ କରିବା ପାଇଁ ଉଦ୍ଦିଷ୍ଟ ନା ଘରୋଇ ଦର୍ଶକଙ୍କ ମଧ୍ୟରେ ଜାତୀୟତା ଭାବ ଉଦ୍ରେକ କରିବା ପାଇଁ ଅଭିପ୍ରେତ, ତାହା ସ୍ପଷ୍ଟ ନୁହେଁ । କାଶ୍ମୀରର ମହାରାଜା ହରି ସିଂହ କାଶ୍ମୀରକୁ ଭାରତ ସହ ବିଲୟ କରିଥିବାରୁ ନ୍ୟାୟସଙ୍ଗତ ଭାବେ ପିଓକେ ଭାରତକୁ ଫେରି ଆସିବା ଦରକାର । କିନ୍ତୁ ସମସ୍ୟାଟି ଏତେ ସରଳ ନୁହେଁ ।
ମହାରାଜା ହରି ସିଂହଙ୍କ ଶାସିତ କାଶ୍ମୀର ରାଜ୍ୟଟିର ସୀମା ୧୯୪୭ ମସିହାରେ ଭାରତରେ ବିଲୟ ହେବା ପୂର୍ବରୁ ଜାମ୍ମୁ, କାଶ୍ମୀର, ଲଦ୍ଦାଖ, ଗିଲଗିଟ ଏଜେନ୍ସି ଓ ଗିଲଗିଟ ଓଜାରତ ଏହି ଭଳି ପାଞ୍ଚଟି ଅଞ୍ଚଳରେ ପରିବ୍ୟାପ୍ତ ଥିଲା । ନ୍ୟାୟିକ ଦୃଷ୍ଟିରୁ ଏହି ସମଗ୍ର ଅଞ୍ଚଳ ଉପରେ ଭାରତର ଅଧିକାର ଥିବା ବେଳେ ଆଜି ତାହା ଛଅଟି ଅଞ୍ଚଳରେ ପରିଣତ ହୋଇ ଦୁଇଟି ଲେଖାଏଁ ଅଞ୍ଚଳ ଭାରତ, ପାକିସ୍ତାନ ଓ ଚୀନ ଅଧୀନରେ ଅଛି । ଭାରତ ନିୟନ୍ତ୍ରଣରେ ଥିବା ୧,୦୧,୩୮୭ ବର୍ଗ କିଲୋମିଟର (୪୪ ପ୍ରତିଶତ) ପରିମିତ ଅଞ୍ଚଳ ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀର ଏବଂ ଲଦ୍ଦାଖ । ଜାତିସଂଘ ପାଇଁ ଏହା ‘ଭାରତ ଶାସିତ କାଶ୍ମୀର’ ହୋଇଥିବା ବେଳେ ପାକିସ୍ତାନ ଏହାକୁ ‘ଭାରତ ଅଧିକୃତ କାଶ୍ମୀର’ ବୋଲି କହିଥାଏ । ସେହିପରି ପାକିସ୍ତାନ ନିୟନ୍ତ୍ରଣରେ ଥିବା ୮୬,୨୬୮ ବର୍ଗ କିଲୋମିଟର (୩୭ ପ୍ରତିଶତ) ପରିମିତ ଗିଲଗିଟ-ବାଲଟିସ୍ତାନ ଓ ଆଜାଦ କାଶ୍ମୀର ଅଂଚଳ ଦୁଇଟିକୁ ଜାତିସଂଘ ‘ପାକ୍ ଶାସିତ କାଶ୍ମୀର’ କହୁଥିବା ବେଳେ ଭାରତ ସେହି ଅଂଚଳକୁ ‘ପାକ୍ ଅଧିକୃତ କାଶ୍ମୀର’ କହିଥାଏ । ଏତଦଭିନ୍ନ ଚୀନ ନିକଟରେ ମଧ୍ୟ କାଶ୍ମୀରର ଦୁଇଟି ବିସ୍ତୃତ ଅଞ୍ଚଳ ରହିଛି ।
କାଶ୍ମୀର ସମ୍ମିଶ୍ରଣ ସମୟରେ ଆଦିବାସୀ ଓ ପାକିସ୍ତାନୀ ସୈନ୍ୟଙ୍କ ଦ୍ୱାରା ଅକ୍ଟୋବର ୧୯୪୭ରେ ଆରମ୍ଭ ହୋଇଥିବା ଯୁଦ୍ଧ ୧୪ ମାସରୁ ଅଧିକ ସମୟ ଚାଲିଥିଲା । ଜାତିସଂଘର ମଧ୍ୟସ୍ଥତା ପରେ ୩୧ ଡିସେମ୍ବର ୧୯୪୮ରେ ଯୁଦ୍ଧ ବିରତି ଘୋଷଣା ହୋଇଥିଲା । ସେହି ସମୟରେ ଉଭୟ ଭାରତ ଓ ପାକିସ୍ତାନର ପ୍ରକୃତ ନିୟନ୍ତ୍ରଣରେ ଥିବା ଅଞ୍ଚଳର ସୀମାକୁ ନିୟନ୍ତ୍ରଣ ରେଖା (ଏଲଓସି) ଭାବେ ଗ୍ରହଣ କରାଗଲା । କାଶ୍ମୀର ଅଞ୍ଚଳର ୧୩,୨୯୭ ବର୍ଗ କିଲୋମିଟର (୩୫ ପ୍ରତିଶତ) ପରିମିତ ଅଞ୍ଚଳ ପାକିସ୍ତାନ ଦଖଲକୁ ଚାଲିଗଲା, ଯାହାକୁ ପରବର୍ତ୍ତୀ ସମୟରେ ‘ଆଜାଦ ଜାମ୍ମୁ ଓ କାଶ୍ମୀର’ ବା ସଂକ୍ଷେପରେ ‘ଆଜାଦ କାଶ୍ମୀର’ କୁହାଗଲା । ଏହା ପାକିସ୍ତାନ ନିୟନ୍ତ୍ରଣରେ ଏକ ସ୍ୱୟଂ ଶାସିତ ଅଞ୍ଚଳ । ଏହାର ନିଜସ୍ୱ ସମ୍ବିଧାନ ତଥା ନିର୍ବାଚିତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିଧାନସଭା ଥିଲା ବେଳେ ଏକ ସ୍ୱତନ୍ତ୍ର ହାଇକୋର୍ଟ ମଧ୍ୟ ରହିଛି । ଏହା ବିଧିବଦ୍ଧ ଭାବେ ପାକିସ୍ତାନର ଅଂଶ ବିଶେଷ ହୋଇ ନଥିଲେ ମଧ୍ୟ ପାକିସ୍ତାନର ନିୟନ୍ତ୍ରଣରେ ଥିବାରୁ ଏହା ଅନୌପଚାରିକ ଭାବେ ପାକିସ୍ତାନର ହୋଇସାରିଛି ।
ଗିଲଗିଟ-ବାଲଟିସ୍ତାନର କ୍ଷେତ୍ରଫଳ ୭୨,୯୭୧ ବର୍ଗ କିଲୋମିଟର । ଏହି ଅଞ୍ଚଳଟି ପାକିସ୍ତାନକୁ ଯିବା ପଛର କାରଣଟି ସମ୍ପୂର୍ଣ୍ଣ ଭିନ୍ନ । ୧୯୧୭ର ଋଷ ବିପ୍ଳବ ପରେ ମଧ୍ୟ-ଏସିଆ ଅଞ୍ଚଳରେ ଋଷିଆର ଆଧିପତ୍ୟ ବିସ୍ତାରକୁ ଦୃଷ୍ଟିରେ ରଖି ବ୍ରିଟିଶ ସରକାର ୧୯୩୫ ମସିହାରେ ଗିଲଗିଟ ଏଜେନ୍ସି ଅଞ୍ଚଳଟିକୁ ୬୦ ବର୍ଷ ଲାଗି ମହାରାଜାଙ୍କଠାରୁ ଲିଜ୍ ସୂତ୍ରରେ ନେଇଥିଲେ । ସ୍ୱାଧୀନତା ପ୍ରାପ୍ତିର ୧୫ ଦିନ ମଧ୍ୟରେ ତାହା ମହାରାଜାଙ୍କୁ ଫେରାଇ ଦିଆଯିବା ପରେ ତାହା ପୁନଶ୍ଚ ମହାରାଜାଙ୍କ ପ୍ରତ୍ୟକ୍ଷ ଶାସନାଧୀନ ହୋଇଥିଲା ଓ ସେଠାରେ ବ୍ରିଗେଡିଅର ଘନସାରା ସିଂହ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ । ଏହି ଅଞ୍ଚଳର ସୁରକ୍ଷା ଦାୟିତ୍ୱ ବ୍ରିଟିଶ ନିୟନ୍ତ୍ରିତ ‘ଗିଲଗିଟ ସ୍କାଉଟ’ ଉପରେ ନ୍ୟସ୍ତ କରି ମେଜର ବ୍ରାଉନ ଓ କ୍ୟାପଟେନ ମାଥୀସନଙ୍କୁ ସେଠାରେ ଅବସ୍ଥାପିତ କରାଯାଇଥିଲା । ମହାରାଜା ହରି ସିଂହ ଭାରତ ସହ ବିଲୟ ଚୁକ୍ତିନାମାରେ ଦସ୍ତଖତ କରିବା ପରେ ୩୧ ଅକ୍ଟୋବର ୧୯୪୭ରେ ମେଜର ବ୍ରାଉନ ବିଦ୍ରୋହ ଘୋଷଣା କରି ଗଭର୍ଣ୍ଣର ଘନସାରାଙ୍କୁ ବନ୍ଦୀ କଲେ ଓ ସମଗ୍ର ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଲେ । ବ୍ରାଉନ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ନଭେମ୍ବର ୧ ତାରିଖରେ ସେହି ସ୍ଥାନ ପରିତ୍ୟାଗ କରି ଚାଲିଗଲେ ଓ ନଭେମ୍ବର ୪ ତାରିଖ ଦିନ ତାହା ପାକ୍ ସେନାବାହିନୀର ଦଖଲକୁ ଚାଲିଗଲା । ମୁସଲମାନ ଅଧ୍ୟୁଷିତ ଏହି ଅଞ୍ଚଳଟିକୁ ଭାରତରେ ନ ମିଶାଇ ପାକିସ୍ତାନରେ ମିଶିବା ପାଇଁ ବାଟ ପରିଷ୍କାର କରିଥିବା ବ୍ରିଟିଶ ସରକାରଙ୍କର ଏହା ପଛରେ ଥିବା ପ୍ରଚ୍ଛନ୍ନ ଉଦ୍ଦେଶ୍ୟଟି ହେଲା, ଏହା ମାଧ୍ୟମରେ ତୈଳ ସମୃଦ୍ଧ ଆରବ ରାଷ୍ଟ୍ରମାନଙ୍କୁ ଖୁସି କରାଇ ନିଜ ସ୍ୱାର୍ଥକୁ ସୁରକ୍ଷିତ ରଖିବା । ଗିଲଗିଟ-ବାଲଟିସ୍ତାନ ଏକ ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ ଭାବେ ୧୯୭୦ ମସିହାରେ ଗଠିତ ହୋଇ ପାକିସ୍ତାନ ସଂଘୀୟ ସରକାରଙ୍କ ପ୍ରତ୍ୟକ୍ଷ ଶାସନରେ ରହିଲା । ପାକିସ୍ତାନ ସମ୍ବିଧାନରେ ଏହି ଅଞ୍ଚଳ ସମ୍ପର୍କରେ ଉଲ୍ଲେଖ ନ ଥିଲେ ମଧ୍ୟ ନିକଟରେ ଏହାକୁ ପାକିସ୍ତାନର ପଞ୍ଚମ ପ୍ରଦେଶ ଭାବେ ଘୋଷଣା କରିବାକୁ ଏକ କମିଟି ସୁପାରିଶ କରିଥିବା ବେଳେ ଆଜାଦ କାଶ୍ମୀର ନେତାଙ୍କ ଦ୍ୱାରା ତାର ବିରୋଧ କରାଯାଉଛି । ୧୯୯୪ ମସିହାରେ ଭାରତୀୟ ସଂସଦରେ ପିଓକେ ଭାରତର ଅଂଶ ବୋଲି ଏକ ପ୍ରସ୍ତାବ ପାରିତ ହୋଇଥିଲା ବେଳେ ୨୦୧୭ ମସିହାରେ ଏକ ଅନୁରୂପ ପ୍ରସ୍ତାବ ବ୍ରିଟିଶ ପାର୍ଲିଆମେଣ୍ଟରେ ପାରିତ ହୋଇଛି ।
ଭାରତ-ଚୀନ ଯୁଦ୍ଧ ପରେ ୧୯୬୩ ମସିହାରେ ଚୀନର ନିକଟତର ହେବା ପାଇଁ ସକ୍ସଗମ ଉପତ୍ୟକାର ୬୯୯୩ ବର୍ଗ କିଲୋମିଟର ପରିମିତ ‘ଟ୍ରାନ୍ସ-କାରାକୋରମ ଟ୍ରାକ୍ଟ’କୁ ପାକିସ୍ତାନ ଚୀନକୁ ହସ୍ତାନ୍ତର କରିଥିଲା । ଏଥି ପୂର୍ବରୁ ଏଥି ନେଇ ଉଭୟ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗି ରହିଥିଲା । ସେହିପରି ଲଦ୍ଦାଖ ସୀମାକୁ ଲାଗିଥିବା ୩୭,୨୪୪ ବର୍ଗ କିଲୋମିଟର ପରିମିତ ଜନମାନବ ଶୂନ୍ୟ ବିବାଦୀୟ ଅଞ୍ଚଳ ‘ଅକ୍ଷୟ ଚୀନ’ ମଧ୍ୟ ଦୀର୍ଘ ଦିନ ଧରି ଚୀନ ଦଖଲରେ ରହି ଉଭୟ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କରେ କଟୁତା ସୃଷ୍ଟି କରି ଆସିଛି । ଏହିପରି କାଶ୍ମୀରର ପ୍ରାୟ ୧୯ ପ୍ରତିଶତ ଅଂଚଳ ଏବେ ଚୀନ ଅଧୀନରେ । ଧାରା ୩୭୦ ଉଚ୍ଛେଦ ପରେ ତାହା ଚୀନ ଅଧିକୃତ କାଶ୍ମୀର ପ୍ରତି ଲାଗୁ ହେଉଥିଲେ ମଧ୍ୟ ଚୀନ ତାହା ସ୍ୱୀକାର କରିବାକୁ ଅରାଜି ।
ଭୌଗୋଳିକ ଦୃଷ୍ଟି କୋଣରୁ ପିଓକେର ଗୁରୁତ୍ୱ ଖୁବ ବେଶି । ବିଶେଷ କରି କାରାକୋରମ ରାଜପଥ ନିର୍ମାଣ ପରେ ଏହାର ଗରୁତ୍ୱ ଆହୁରି ବଢିଯାଇଛି । ଏହି ଅଞ୍ଚଳକୁ ‘ମଧ୍ୟ-ଏସୀୟ ଦେଶଗୁଡିକର ଦ୍ୱାରଦେଶ’ ବୋଲି ମଧ୍ୟ କୁହାଯାଏ । ଏହି ଅଞ୍ଚଳ ଉପରେ ନିୟନ୍ତ୍ରଣ ପାକିସ୍ତାନକୁ ଭାରତ ବିରୁଦ୍ଧରେ ଯୁଦ୍ଧ ଓ ଛଦ୍ମ ଯୁଦ୍ଧ ଚଳାଇବାରେ ସହାୟକ ହୋଇଥାଏ । ଅନ୍ୟ ପକ୍ଷରେ ନିଜ ଅର୍ଥନୈତିକ ସ୍ୱାର୍ଥର ସୁରକ୍ଷା ସହିତ କୂଟନୈତିକ ଆଧିପତ୍ୟ ବିସ୍ତାର କରି ଭାରତକୁ ପଶ୍ଚାତପଦ କରାଇବା ପାଇଁ ଚୀନ ପିଓକେ ମାମଲାରେ ଅଧିକ ସକ୍ରିୟ ହେବ । ତେଣୁ ପିଓକେ ପ୍ରସଙ୍ଗରେ ପାକିସ୍ତାନ ଯେତିକି ବିରୋଧ କରିବ, ତାଠାରୁ ଅଧିକ ପ୍ରତିବନ୍ଧକ ହୁଏତ ଚୀନ ଆଡୁ ସୃଷ୍ଟି ହୋଇପାରେ ।
ପାକିସ୍ତାନ ଭାରତକୁ ସ୍ୱେଚ୍ଛାକୃତ ଭାବେ ପିଓକେକୁ ଫେରାଇ ଦେଉ ବୋଲି ଦାବି ମଧ୍ୟ ଉଠୁଛି । କିନ୍ତୁ ତାହା ଏକ ଦିବାସ୍ୱପ୍ନ ଭଳି । ପିଓକେକୁ ହାସଲ କରିବାକୁ ହେଲେ ଭାରତକୁ ଯୁଦ୍ଧ କରିବାକୁ ହେବ ଓ ଏହି ଯୁଦ୍ଧ ଭାରତ ପାଇଁ କେତେ ସ୍ପୃହଣୀୟ, ତାହା ତର୍ଜମାସାପେକ୍ଷ । ଏହି ସମ୍ପୂର୍ଣ୍ଣ ଅଞ୍ଚଳଟି ସୁ-ଉଚ୍ଚ ପର୍ବତମାଳାରେ ବେଷ୍ଟିିତ । ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଯିବା ପାଇଁ ଭାରତ ଅପେକ୍ଷା ପାକିସ୍ତାନ ଆଡୁ ରାସ୍ତା ଓ ଅନ୍ୟାନ୍ୟ ସୁବିଧା ଥିବାରୁ ପାକିସ୍ତାନ ଲାଗି ସେନା ମୁତୟନ ଅଧିକ ସହଜ ହେବ । ତେଣୁ ଏ ଭଳି ଏକ ଯୁଦ୍ଧରେ ଭାରତୀୟ ସେନାର ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ଏହି ସମାନ କାରଣରୁ ୧୯୪୭-୪୮ ମସିହାରେ ହୋଇଥିବା ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ବେଶି ଆଗକୁ ବଢି ପାରି ନଥିଲେ । ଏହା ଏକ ସମତଳ ଭୂମିର ଯୁଦ୍ଧ ନୁହେଁ । ତେଣୁ ଆଗକୁ ମାଡି ଯିବା କଷ୍ଟକର । କାରଗିଲ ଯୁଦ୍ଧ ବେଳେ ଗୋଟିଏ ଗୋଟିଏ ଶୃଙ୍ଗର ପୁନର୍ଦଖଲ ପାଇଁ ଭାରତୀୟ ସୈନ୍ୟମାନେ କରିଥିବା ଅକ୍ଳାନ୍ତ ପରିଶ୍ରମ ଓ ଦେଇଥିବା ଚରମ ବଳିଦାନ କଥା ଏବେ ବି ଭାରତୀୟମାନଙ୍କ ସ୍ମରଣରେ ଅଛି । ମୁସଲମାନ ଅଧ୍ୟୁଷିତ ଏହି ଅଞ୍ଚଳଟିରେ ପାକ୍ ବିରୋଧୀ ଲୋକ ଥିଲେ ମଧ୍ୟ ଅଧିକାଂଶ ଲୋକ ଭାରତ ବିରୋଧୀ । ଏ ଭଳି ପରିସ୍ଥିତିରେ ପିଓକେକୁ ଦଖଲ କରିବା ହୁଏତ ସମ୍ଭବ ହୋଇପାରେ ତେବେ ଜନ ସମର୍ଥନ ଅଭାବରେ ତାକୁ ଅକ୍ତିଆରରେ ରଖିବା ଦୁରୂହ ହୋଇପଡିବ । ସେଥିପାଇଁ ଭାରତକୁ ଲଗାତର ଭାବେ ଯଥେଷ୍ଟ ଅଧିକ ସମ୍ବଳ, ଉଭୟ ଆର୍ଥିକ ଓ ସାମରିକ, ବିନିଯୋଗ କରିବାକୁ ପଡିପାରେ । ହୁଏତ ସେହି ଅଞ୍ଚଳର ଲୋକେ ଭାରତ ପାଇଁ ନୂଆ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି । ପିଓକେ ଭାରତରେ ମିଶିଲା ପରେ ଭାରତର ସୀମା ଆଫଗାନିସ୍ତାନକୁ ଲାଗିଯିବ । ମଧ୍ୟ-ଏସୀୟ ଦେଶଙ୍କ ସହ ମଧ୍ୟ ଦୂରତା କିଛିଟା କମିଯିବ । ଏହା ବ୍ୟବସାୟ ବାଣିଜ୍ୟ ପାଇଁ ନୂତନ ସମ୍ଭାବନାର ଦ୍ୱାର ଖୋଲି ଲାଭଜନକ ହୋଇପାରେ । ତେବେ ଭୁଲି ଯିବା ଉଚିତ ନୁହେଁ ଯେ ବିଶ୍ୱର ସର୍ବାଧିକ ସକ୍ରିୟ ଆତଙ୍କବାଦୀ ଗୋଷ୍ଠୀ ତାଲିବାନର ଆଡ୍ଡା ହେଉଛି ଆଫଗାନିସ୍ତାନ । ତେଣୁ ସୀମା ମିଶିବାର ଅନ୍ୟ ଏକ ଅର୍ଥ ହେଉଛି ଭୟଙ୍କର ଆତଙ୍କବାଦୀଙ୍କ ଅବାଧ ପ୍ରବେଶକୁ ଆମନ୍ତ୍ରଣ ଦେବା । ବର୍ତ୍ତମାନ କାଶ୍ମୀରରେ ଚାଲିଥିବା ଆତଙ୍କବାଦ ଗତିବିଧି ତୁଳନାରେ ତାହା ନିଶ୍ଚିତ ଭାବେ ଅଧିକ ଭୟଙ୍କର ହୋଇଥିବାରୁ ଆମେ ମହରଗରୁ କାନ୍ତାର ଆଡକୁ ଅଗ୍ରସର ହେବା ନାହିଁ ତ ?
ପିଓକେ ଭାରତକୁ ଫେରିବା ବାଟରେ ସବୁଠାରୁ ବଡ ପ୍ରତିବନ୍ଧକ ସାଜି ପାରେ ‘ଚାଇନା ପାକିସ୍ତାନ ଇକୋନୋମିକ କରିଡର’ (ସିପିଇସି) । ସିପିଇସି ମାଧ୍ୟମରେ ଦକ୍ଷିଣରେ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଗ୍ୱାଦାର ବନ୍ଦରଠାରୁ ଉତ୍ତରରେ ଚୀନର କାଶଗର ପର୍ଯ୍ୟନ୍ତ ବନ୍ଦର, ରାଜପଥ, ରେଳପଥ, ଶକ୍ତି ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ ଚୀନ ଓ ପାକିସ୍ତାନ ମଧ୍ୟରେ ନଭେମ୍ବର ୨୦୧୪ରେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଚୀନ ଏହି ପରିଯୋଜନାରେ ୫୦ ହଜାର କୋଟି ଡଲାରରୁ ଊର୍ଦ୍ଧ୍ୱ ରାଶି ବିନିଯୋଗ କରୁଛି । ଏହାଦ୍ୱାରା ପାକିସ୍ତାନର ଭିତ୍ତିଭୂମି ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆସିବାର ସମ୍ଭାବନା ଥିବାରୁ ପାକିସ୍ତାନ ଚୀନକୁ ସମସ୍ତ ସହାୟତା ପ୍ରଦାନରେ କୁଣ୍ଠା ପ୍ରକାଶ କରୁନାହିଁ । କିନ୍ତୁ ଏହି ଅଳିନ୍ଦଟି ପାକ୍ ଅଧିକୃତ ଗିଲଗିଟ-ବାଲଟିସ୍ତାନ ଦେଇ ଯାଉଥିବାରୁ ଭାରତ ମୂଳରୁ ଏହାର ବିରୋଧ କରିଆସୁଛି । ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ସିପିଇସି ପରିଯୋଜନାକୁ ଆଉ ଆଗକୁ ନ ବଢାଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଭାରତ ତରଫରୁ ଦାବି ହେଲାଣି । ସିପିଇସି ପରିଯୋଜନାର ସଫଳ ରୂପାୟନରେ ଚୀନର ଅତ୍ୟଧିକ ଅର୍ଥନୈତିକ ସ୍ୱାର୍ଥ ନିହିତ । କାରଣ ଏହି ପ୍ରକଳ୍ପ ଚୀନ ପାଇଁ ସମଗ୍ର ମଧ୍ୟ-ପ୍ରାଚ୍ୟ ଓ ଆଫ୍ରିକା ମହାଦେଶ ସହ ବାଣିଜ୍ୟ କରିବା ଲାଗି ଏକ ବିକଳ୍ପ ପଥ ଉନ୍ମୁକ୍ତ କରି ଦେବ । କେବଳ ସେତିକି ନୁହେଁ ଚୀନର ସମଗ୍ର ଅଶୋଧିତ ତୈଳ ଆମଦାନୀର ପ୍ରାୟ ୫୦ ପ୍ରତିଶତ ପାଇପ ଲାଇନ ଯୋଗେ ଏହି ପଥ ଦେଇ ହେବ, ଯଦ୍ଦ୍ୱାରା ଚୀନ ବାର୍ଷିକ ୨୦୦୦ କୋଟି ଡଲାର ସଞ୍ଚୟ କରିବାକୁ ସମର୍ଥ ହେବ । ତେଣୁ ଏହି ପରିଯୋଜନାର କ୍ରିୟାନ୍ୱୟନରେ କୌଣସି ପ୍ରକାର ବାଧା ଉତ୍ପନ୍ନ ହେବା କଥା କେବେ ହେଲେ ଚୀନ ଚାହିଁବ ନାହିଁ । ତେଣୁ ପିଓକେ ଦଖଲର ଜଟରେ କେବଳ ଭାରତ ପାକିସ୍ତାନ ନାହାନ୍ତି, ଚୀନ ମଧ୍ୟ ଗୁଡେଇ ହୋଇ ରହିଛି । ତେଣୁ ଏହା ଭାରତ ହିତରେ ହେବାର ସମ୍ଭାବନା କ୍ଷୀଣ ।
ପାକିସ୍ତାନକୁ ରକ୍ଷଣାତ୍ମକ ସ୍ଥିତିରେ ପକାଇବା ପାଇଁ ପିଓକେ ଦଖଲ ଭାରତର ଏକ ଧମକପୂର୍ଣ୍ଣ ଭଙ୍ଗିମା (ପୋଶ୍ଚରିଙ୍ଗ) ହୋଇପାରେ । ଯଦି ପିଓକେକୁ ଅକ୍ତିଆରକୁ ଆଣିବାକୁ ସରକାର ପ୍ରକୃତରେ ଗମ୍ଭୀରତାର ସହ ବିଚାର କରୁଥାନ୍ତି ତେବେ ସମ୍ଭାବ୍ୟ ପରିଣତିକୁ ଦୃଷ୍ଟିରେ ରଖି ଦେଶ ହିତରେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି, ଯେପରି ୭୦ ବର୍ଷ ଧରି ଲାଗି ରହିଥିବା କାଶ୍ମୀର ସମସ୍ୟାର ସମାଧାନ ପାଇଁ ନିଆ ଯାଉଥିବା ପଦକ୍ଷେପ ଏକ ନୂଆ ସମସ୍ୟାକୁ ଜନ୍ମ ନ ଦିଏ । ତାହା ନ ହେଲେ ଏହା ‘ଆ ବଳଦ ମୋତେ ବିନ୍ଧ’ ଭଳି ହେବ । ଏହାଦ୍ୱାରା ସମଗ୍ର ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସହ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଲେ ତାହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । କିନ୍ତୁ କୌଣସି କ୍ଷେତ୍ରରେ କେବଳ ଅହମିକା ଚରିତାର୍ଥ ପାଇଁ ଏଭଳି ପଦକ୍ଷେପ ଗ୍ରହଣ ବାଞ୍ଛନୀୟ ନୁହେଁ । ଏହା ବି ହୋଇପାରେ ଧାରା ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ମାମଲା କହି ଭାରତକୁ ସମର୍ଥନ ଦେଇ ଆସୁଥିବା ଦେଶଗୁଡିକ ପିଓକେ ଅକ୍ତିଆର କରିବା ପାଇଁ ଭାରତର ସାମରିକ ଉଦ୍ୟମକୁ ସମର୍ଥନ କରି ନ ପାରନ୍ତି । ଏଠି ପ୍ରଶ୍ନ ଉଠୁଛି, କାଶ୍ମୀର ଅଞ୍ଚଳକୁ ଫେରାଇ ଆଣିବା ପ୍ରଚେଷ୍ଟା କେବଳ ପିଓକେ ପର୍ଯ୍ୟନ୍ତ ସୀମିତ ରହିବ ନା ଚୀନ ଅଧିକାରରେ ଥିବା କାଶ୍ମୀରର ପ୍ରାୟ ୧୯ ପ୍ରତିଶତ ଅଞ୍ଚଳକୁୁ ମଧ୍ୟ ଫେରାଇ ଆଣିବା ଯାଏଁ ସମ୍ପ୍ରସାରିତ ହେବ । ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗ ମହୁମାଛି ବସାରେ ହାତ ମାରିଲା ପରି ହୋଇଥିବାରୁ ହୁଏତ ଅନ୍ତର୍ଜାତିକ ଚାପ ଓ ବୃହତ୍ତର ଜାତୀୟ ସ୍ୱାର୍ଥକୁ ଦୃଷ୍ଟିିରେ ରଖି ଭାରତ ଏଭଳି ଅଭିଯାନରୁ କ୍ଷାନ୍ତ ରହିପାରେ ।
Published in Sambad on September 24, 2019
Eka Basta chintasila alekhya
ReplyDeleteThanks for appreciating it.
Delete