ବର୍ଷକ ତଳୁ ପାଠପଢା ଛାଡି ପିୟୁବିଜି ମୋବାଇଲ ଖେଳରେ ଅଧିକ ସମୟ ବିତାଉଥିବା ଜଣେ ୧୭ ବର୍ଷୀୟ ବାଳକ ମାଆଙ୍କ ଦ୍ୱାରା ଭର୍ତ୍ସିତ ହୋଇ ଆତ୍ମହତ୍ୟା କରିଥିବାର ଏକ ଦୁଃଖଦ ଖବର ନିକଟରେ ମୁମ୍ବଇର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କିଛି ମାସ ତଳେ ଓଡିଶାର ଜଣେ ପୋଲିସ ଏସିପିଙ୍କ ବାର ବର୍ଷର ପୁଅର ଆତ୍ମହତ୍ୟା ଘଟଣା ମଧ୍ୟ ଅନେକଙ୍କୁ ବ୍ୟଥିତ କରିଥିଲା । ସେହିପରି ଅତୀତରେ ବ୍ଲୁ ହ୍ୱେଲ ଖେଳ ବା ମୋମୋ ଚ୍ୟାଲେଞ୍ଜ ଭଳି ଅନଲାଇନ ଖେଳ ଖେଳି ଅନେକ ପିଲାଙ୍କ ଅକାଳରେ ଜୀବନ ଯିବା ପରେ ଅଭିଭାବକମାନେ ଏଥିପାଇଁ ସେହି ଖେଳଗୁଡିକୁ ଦାୟୀ କରିଛନ୍ତି । ଆମେରିକାର ସ୍ୱାସ୍ଥ୍ୟ ଓ ମାନବ ସେବା ବିଭାଗ ଅନୁଯାୟୀ ଆତ୍ମହତ୍ୟା କରୁଥିବା ୯୦ ପ୍ରତିଶତ ଲୋକ ଅବସାଦ, ବାଇପୋଲାର ଡିସଅର୍ଡର, ସ୍କିଜୋଫ୍ରେନିଆ, ମଦ୍ୟାସକ୍ତି ଭଳି ଏକ ବା ଏକାଧିକ ମାନସିକ ଅସୁସ୍ଥତାରେ ପୀଡିତ ହୋଇଥାନ୍ତି । ତେଣୁ ମାନସିକ ଅସୁସ୍ଥତାକୁ ଆତ୍ମହତ୍ୟାର ମୂଳ କାରଣ ବୋଲି ଗ୍ରହଣ ନ କରିବା ଯାଏଁ ସମସ୍ୟା ଉତ୍କଟ ହୋଇ ରହିଥିବ । ଏଥି ସଂଲଗ୍ନ ସାମାଜିକ କଳଙ୍କ ପାଇଁ ଅଧିକାଂଶ ଲୋକ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିବାରୁ ଉପଚାର ପାଇଁ ପଦକ୍ଷେପ ନେବାର ପ୍ରଶ୍ନ ଉଠୁଛି ବା କାହିଁକି ?
ଆତ୍ମହତ୍ୟା ଏକ ବିଶ୍ୱବ୍ୟାପି ସମସ୍ୟା ଓ ପ୍ରତିବର୍ଷ ସାରା ବିଶ୍ୱରେ ପ୍ରାୟ ୮ରୁ ୧୦ ଲକ୍ଷ ଲୋକ ଆତ୍ମହତ୍ୟା ଜନିତ ମୃତ୍ୟୁର ଶିକାର ହେଉଛନ୍ତି, ଯାହା ସମଗ୍ର ମୃତ୍ୟୁର ୧.୪ ପ୍ରତିଶତ । ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡିକରେ ବିଶ୍ୱର ପ୍ରାୟ ୭୯ ପ୍ରତିଶତ ଆତ୍ମହତ୍ୟା ଘଟିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୧୯ ପାଇଁ ପ୍ରସ୍ତୁତ ସମୀକ୍ଷା ରିପୋର୍ଟ ଅନୁଯାୟୀ ଲିଥୁଆନିଆ ଓ ଋଷିଆରେ ଆତ୍ମହତ୍ୟା ମୃତ୍ୟୁହାର ପ୍ରତି ଏକ ଲକ୍ଷ ଲୋକଙ୍କ ପାଇଁ ଯଥାକ୍ରମେ ୩୧.୯ ଓ ୩୧, ଯାହା ବିଶ୍ୱର ସର୍ବାଧିକ । ବିସ୍ମୟର କଥା, ବିଶ୍ୱ ସୁଖ ସୂଚକାଙ୍କରେ ଆଗୁଆ ଥିବା ଭୁଟାନ ଭଳି ଦେଶରେ ମଧ୍ୟ ଆତ୍ମହତ୍ୟାର ହାର ଅଧିକ(୧୧.୪) ଥିବା ବେଳେ ଅପେକ୍ଷାକୃତ ଅଶାନ୍ତ ଦେଶ ବୋଲି କୁହାଯାଉଥିବା ଆଫଗାନିସ୍ତାନ(୪.୭), ଇରାକ(୩) ଓ ସିରିଆ(୧.୯)ରେ ଏହା ଯଥେଷ୍ଟ କମ । କାରୀବୀୟ ଦ୍ୱୀପପୁଞ୍ଜ ଜାମାଇକା, ବାହାମା, ଗ୍ରେନାଡା, ବାର୍ବାଡୋସ(୦.୮), ଆଣ୍ଟିଗୁଆ ଓ ବର୍ବୁଡା(୦.୫) ଆଦିରେ ଏହି ହାର ସର୍ବନିମ୍ନ । ତେବେ ଭାରତରେ ଏହି ହାର ୧୯୮୭ର ୭.୯ ତୁଳନାରେ ଯଥେଷ୍ଟ ବଢି ଏବେ ୧୬.୩ରେ ପହଞ୍ଚିଲାଣି । ଉଦବେଗର ବିଷୟ ଭାରତରେ ପ୍ରାୟ ୧୨ କୋଟି ଲୋକ ବିଭିନ୍ନ ଭାବେ ମାନସିକ ଅସୁସ୍ଥତାର ଶିକାର ଓ ୨୦୧୬ ମସିହାରେ ୨.୩୦ ଲକ୍ଷ ଲୋକ ଆତ୍ମହତ୍ୟାରେ ପ୍ରାଣ ହରାଇଥିଲେ । ବିଶ୍ୱର ୩୮ଟି ଦେଶ ଜାତୀୟ ଆତ୍ମହତ୍ୟା ନିବାରଣ କୌଶଳ (ନ୍ୟାସନାଲ ସୁଇସାଇଡ ପ୍ରିଭେନସନ ଷ୍ଟ୍ରାଟେଜି) ପ୍ରସ୍ତୁତ କରି ସେହି ଅନୁସାରେ କାର୍ଯ୍ୟ କରୁଛନ୍ତି । ତେବେ ଭାରତରେ ଏତେ ସଂଖ୍ୟକ ଲୋକ ଆତ୍ମହତ୍ୟା ଜନିତ ମୃତ୍ୟୁର ଶିକାର ହେଉଥିଲେ ମଧ୍ୟ ଏଠାରେ ଏ ଯାଏଁ ଜାତୀୟ ଆତ୍ମହତ୍ୟା ନିବାରଣ କୌଶଳ ପ୍ରସ୍ତୁତ ହୋଇନାହିଁ । ଏପରିକି ଏନସିଆରବି ଦ୍ୱାରା ପ୍ରତି ବର୍ଷ ପ୍ରକାଶ ପାଉଥିବା ଆତ୍ମହତ୍ୟା ସମ୍ପର୍କିତ ତଥ୍ୟ ୨୦୧୬ ପରଠାରୁ ଆଉ ପ୍ରକାଶିତ ହୋଇନାହିଁ ।
କିଶୋର ଓ ଯୁବକଙ୍କଠାରେ ମାନସିକ ଅସ୍ଥିରତା ଅଧିକ ଯାହା ସେମାନଙ୍କୁ ଚାପଗ୍ରସ୍ତ କରି ଆତ୍ମହତ୍ୟାର କାରଣ ପାଲଟିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଆଧାରରେ ୧୫-୨୯ ବର୍ଷର ଆୟୁବର୍ଗରେ ଆତ୍ମହତ୍ୟା ଜନିତ ମୃତ୍ୟୁ ହେଉଛି ମୃତ୍ୟୁର ଦ୍ୱିତୀୟ ବଡ କାରଣ । ଏହି ବର୍ଗରେ ସାମଗ୍ରିକ ଭାବେ ଯୁବକମାନଙ୍କ ଆତ୍ମହତ୍ୟାର ସଂଖ୍ୟା ଅଧିକ ହୋଇଥିଲେ ମଧ୍ୟ ୧୫-୧୯ ବର୍ଷ ଆୟୁବର୍ଗରେ ଯୁବତୀଙ୍କ ସଂଖ୍ୟା ଅଧିକ । ଏହି କମ ବୟସର ପିଲାମାନେ ଯେ ସବୁ କ୍ଷେତ୍ରରେ ମରିବା ପାଇଁ ଇଚ୍ଛା କରି ଏହି ବାଟଟିକୁ ଆପଣାଇଥାନ୍ତି ତାହା ନୁହେଁ, ବରଂ ଅନେକ କ୍ଷେତ୍ରରେ ଗୋଟିଏ ଖରାପ ପରିସ୍ଥିତି ବା ଗୋଟିଏ ଯନ୍ତ୍ରଣାଦାୟକ ଅନୁଭୂତିରୁ ନିଷ୍କୃତି ପାଇବା ପାଇଁ ଏଭଳି ଚରମ ପଦକ୍ଷେପ ନେଇଥାନ୍ତି । ପିଲାମାନେ ଏହି ଅବସ୍ଥା ଦେଇ ଗତି କଲା ବେଳେ ବାପା ମାଆ ଓ ଅଭିଭାବକମାନଙ୍କୁ ଅଧିକ ଯତ୍ନଶୀଳ ହୋଇ ସେମାନଙ୍କ ଗତିବିଧି, ଆଚରଣ ଓ ଆବଶ୍ୟକତା ଉପରେ ଦୃଷ୍ଟି ରଖିବାକୁ ହେବ । ଏହାଦ୍ୱାରା ସେମାନଙ୍କଠାରେ ଆତ୍ମହତ୍ୟା ପ୍ରବୃତ୍ତି ବିକଶିତ ହେବାର ସୁଯୋଗ ପାଇବ ନାହିଁ । ୬୫ ବର୍ଷରୁ ଅଧିକ ଆୟୁବର୍ଗର ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ହାର ସର୍ବାଧିକ । ଦୀର୍ଘ ଦିନ ଧରି ଅବସାଦର ଚିକିତ୍ସାରେ ଅବହେଳା ହେବା ସହ ନିକଟ ଅତୀତରେ ନିଜ ପ୍ରିୟଜନଙ୍କୁ ହରାଇ ଏକୁଟିଆ ହୋଇଯିବା, ଅସହ୍ୟ ଶାରୀରିକ ଅକ୍ଷମତା ଓ ଯନ୍ତ୍ରଣା, ଚାକିରୀରୁ ଅବସର ଗ୍ରହଣ, ସ୍ୱାଧୀନତା ହରାଇବା, ଜୀବନ ଉଦ୍ଦେଶ୍ୟହୀନ ହୋଇପଡିବା ଇତ୍ୟାଦି ଏହାର ପ୍ରମୁଖ କାରଣ ।
ଆତ୍ମହତ୍ୟା ଜନିତ ମୃତ୍ୟୁ ଦୁଃଖଦ ଓ ଏହାର କାରଣ ଜଟିିଳ । ଏକ ଅଧ୍ୟୟନ ଅନୁଯାୟୀ ଆତ୍ମହତ୍ୟାରେ ପ୍ରାଣ ହରାଉଥିବା ଜଣେ ବ୍ୟକ୍ତି ପ୍ରତି ଆହୁରି ପ୍ରାୟ ୨୦ ଜଣ ହୁଏତ ଆତ୍ମହତ୍ୟା ପାଇଁ ମସୁଧା କରିଥାନ୍ତି ବା ଉଦ୍ୟମ କରି ଅସଫଳ ହୋଇଥାନ୍ତି ଯାହା ସମସ୍ୟାଟିର ଭୟାବହତାକୁ ଦର୍ଶାଉଛି । ତେବେ ଏହାର ସୂଚନା ଓ ଲକ୍ଷଣଗୁଡିକୁ ଗୁରୁତ୍ୱର ସହିତ ଗ୍ରହଣ କରି ଠିକ ସମୟରେ ଉଚିତ ପଦକ୍ଷେପ ନିଆଗଲେ ଏହାକୁ ଏଡାଇ ଦେବା ସମ୍ଭବ ହୋଇପାରେ । ସମ୍ପୃକ୍ତ ବ୍ୟକ୍ତିବିଶେଷ ନିଜେ ଅଥବା ତାଙ୍କ ସାଙ୍ଗ ଓ ଆତ୍ମୀୟ ସ୍ୱଜନମାନେ ହିଁ କେବଳ ଆତ୍ମହତ୍ୟା-ପ୍ରବୃତ୍ତି ସମ୍ପନ୍ନ ବ୍ୟକ୍ତିଙ୍କ ନିକଟରେ ନିମ୍ନ ବର୍ଣ୍ଣିତ ଲକ୍ଷଣଗୁଡିକୁ ଜାଣିପାରିବେ ବା ହୃଦୟଙ୍ଗମ କରିପାରିବେ । ଏହି ଧରଣର ଲୋକ କଥାକଥାକେ ‘ମରିବାକୁ ଚାହୁଁଛି’ ବୋଲି କହିବା ବା ‘ଆଉ ବଞ୍ଚି ରହିବାର ଇଚ୍ଛା ନାହିଁ’ ବୋଲି କହି ହୋଇଥାନ୍ତି । ନିଜ ଭିତରେ ଚରମ ଶୂନ୍ୟତା, ନିରାଶା ସହ ତାଙ୍କଠାରେ ଆଉ ବଞ୍ଚି ରହିବାର କୌଣସି ଆକର୍ଷଣ ନାହିଁ ବୋଲି କହିଥାନ୍ତି । ନିଜକୁ ମାରିବା ପାଇଁ ସେ ଯୋଜନା ପ୍ରସ୍ତୁତ କରିବା ସହ ସେଥିପାଇଁ ମାରାତ୍ମକ ପଦ୍ଧତିଗୁଡିକର ସନ୍ଧାନରେ ଥାଆନ୍ତି । ନିଜର କୌଣସି ବଡ ଦୋଷ ବା ଲଜ୍ଜା ସ୍ୱୀକାର କରିବାକୁ ସେ କୁଣ୍ଠାବୋଧ କରି ନଥାନ୍ତି । ସେ ଯେମିତି କୌଣସି ଫାଶରେ ପଡି ଯାଇଛନ୍ତି ଓ ସେଥିରୁ ମୁକୁଳିବାର କୌଣସି ଉପାୟ ନାହିଁ ବୋଲି ତାଙ୍କଠାରେ ଏକ ପ୍ରତ୍ୟୟ କ୍ରମଶଃ ବସା ବାନ୍ଧି ଚାଲେ । ସେ ଅସହ୍ୟ ମାନସିକ ଓ ଶାରୀରିକ ଯନ୍ତ୍ରଣାରେ ଛଟପଟ ହେଉଥିବା ଭଳି ଅନୁଭବ କରିଥାନ୍ତି । ନିଜକୁ ଅନ୍ୟମାନଙ୍କ ଉପରେ ବୋଝ ଭଳି ମନେ କରିଥାନ୍ତି । ତାଙ୍କଠାରେ ମଦ ଓ ଡ୍ରଗସର ବ୍ୟବହାର ବଢି ଯାଇଥାଏ । ଯେ କୌଣସି କାର୍ଯ୍ୟ କଲାବେଳେ ସେ ଉତ୍କଣ୍ଠିତ ବା ଉତ୍ତେଜିତ ହୋଇ ପଡିଥାନ୍ତି । ସାଙ୍ଗ ଓ ପରିବାର ସଦସ୍ୟଙ୍କଠାରୁ ନିଜକୁ ଦୂରେଇ ନେଇ ସେ ଏକୁଟିଆ ରହିବାକୁ ଅଧିକ ପସନ୍ଦ କରିଥାନ୍ତି । ଏତିକି ବେଳେ ସମୟ ଅତିବାହିତ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଟିଭି ବା ସିନେମା ଦେଖିବା ବା ମୋବାଇଲରେ ଅନଲାଇନ ଖେଳ ଖେଳି ନିଜକୁ ବ୍ୟସ୍ତ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ତାଙ୍କ ଖାଇବା ଓ ଶୋଇବା ଅଭ୍ୟାସରେ ବେଶ ପରିବର୍ତ୍ତନ ଦେଖା ଦେଇଥାଏ । ନିଜ ରାଗ ପ୍ରଦର୍ଶନ କରିବା ସହ ପ୍ରତିଶୋଧ ନେବା କଥା ସେ କହି ହୋଇଥାନ୍ତି । ଅତି ଦ୍ରୁତ ଗତିରେ ଗାଡି ଚଲାଇବା ଭଳି ମୃତ୍ୟୁ ସମ୍ଭାବନା ଅଧିକ ଥିବା ବଡ ଧରଣର ରିସ୍କ ନେବାକୁ ମଧ୍ୟ ସେ ପଛାଇ ନଥାନ୍ତି । ଅଧିକାଂଶ ସମୟରେ ସେ ମୃତ୍ୟୁ ସମ୍ପର୍କରେ ଆଲୋଚନା କରିଥାନ୍ତି ବା ସେ ନେଇ ଭାବିଥାନ୍ତି । ତାଙ୍କ ମିଜାଜରେ ହଠାତ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । କେତେବେଳେ ଅତି ବେଶି ବିଷାଦଗ୍ରସ୍ତ ହୋଇ ପଡୁଥିବା ବେଳେ କ୍ଷଣକେ ଶାନ୍ତ ବା ଅତ୍ୟଧିକ ଖୁସି ଥିବା ଭଳି ଜଣା ପଡିଥାନ୍ତି । ଏହି ସମୟରେ କେହି କେହି ତାଙ୍କ ନିକଟରେ ଥିବା ମୂଲ୍ୟବାନ ଜିନିଷକୁ ଦାନ ମଧ୍ୟ କରି ଦେଇଥାନ୍ତି । ବେଳେବେଳେ ସାଙ୍ଗ ବା ଆତ୍ମୀୟ ସ୍ୱଜନକୁ ‘ଗୁଡ ବାୟ’ ମଧ୍ୟ କହିଥାନ୍ତି । କେହି କେହି ନିଜ ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟାନ୍ୟ କାଗଜ ପତ୍ର ବ୍ୟବସ୍ଥିତ କରିବା ସହ ଉଇଲ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଏହି ସମୟରେ ତାଙ୍କର ଉପରୋକ୍ତ ଆଚରଣ ପାଇଁ ବନ୍ଧୁ ବା ଅତ୍ମୀୟ ସ୍ୱଜନ ତାଗିଦ କରିବା ବା ପ୍ରଶ୍ନ ପଚାରିବାକୁ ସେ ସହଜରେ ଗ୍ରହଣ କରି ନ ପାରି ପ୍ରତିକ୍ରିୟାଶୀଳ ହୋଇପଡନ୍ତି । ଅର୍ଥାତ, ସେହି ସମୟରେ ସେ ମାନସିକ ଅସୁସ୍ଥତାର ଶିକାର ହୋଇଥିବାରୁ ତାଙ୍କୁ ଶାସନ କରିବା ବା ତାଙ୍କର ଭୁଲ ତ୍ରୁଟିକୁ ଦର୍ଶାଇବା ଅପେକ୍ଷା ତାଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ଅଧିକ ଜରୁରୀ ।
ମାନସିକ ଅସୁସ୍ଥତାର ଶିକାର ବ୍ୟକ୍ତିମାନେ ନିଜେ ମୁହଁ ଖୋଲି କହି ନ ପାରିଲେ ବି ନୀରବତାରେ ନିଜ ଲୋକଙ୍କଠାରୁ ସହାୟତା ଆଶା କରୁଥାନ୍ତି । ତେଣୁ ଆତ୍ମହତ୍ୟା ନିବାରଣର ପ୍ରଥମ ପଦକ୍ଷେପ ସ୍ୱରୂପ ବନ୍ଧୁ ଓ ପରିବାର ବର୍ଗ ଉପର ବର୍ଣ୍ଣିତ ଲକ୍ଷଣଗୁଡିକ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସମସ୍ୟାଟିକୁ ଅଣଦେଖା ନ କରି ଗୁରୁତ୍ୱ ପ୍ରଦାନ କରିବା ଉଚିତ । ଏକ ଗବେଷଣା ଅନୁଯାୟୀ ଏ ଭଳି ଲୋକଙ୍କ ସହ ଆତ୍ମହତ୍ୟା ସମ୍ବନ୍ଧୀୟ ଖୋଲାଖୋଲି ଆଲୋଚନା ସେମାନଙ୍କଠାରେ ଆତ୍ମହତ୍ୟା ଭାବନା ହ୍ରାସ କରିବାରେ ସହାୟକ ହୋଇଥାଏ । ତାଙ୍କ ପାଇଁ ଉପଯୁକ୍ତ ପରାମର୍ଶଦାତାଙ୍କ ଜରିଆରେ ତୁରନ୍ତ କାଉନସେଲିଂର ବ୍ୟବସ୍ଥା କରିବା ଦରକାର । ନିଦ ବଟିକା, କୀଟନାଶକ, ମାରାତ୍ମକ ଅସ୍ତ୍ରଶସ୍ତ୍ର, ଦଉଡି ଇତ୍ୟାଦି ଆତ୍ମହତ୍ୟାରେ ପ୍ରୟୋଗରେ ଆସି ପାରିଲା ଭଳି ଜିନିଷ ଓ ସ୍ଥାନ ଯେପରି ଏଭଳି ଲୋକଙ୍କ ହାତପାଆନ୍ତାରେ ନ ରହେ ସେଥି ପ୍ରତି ଯଥାସମ୍ଭବ ଧ୍ୟାନ ଦେବାକୁ ହେବ । ଆତ୍ମହତ୍ୟାର ରିପୋର୍ଟିଂ କଲାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜାରି ମାର୍ଗଦଶିକାକୁ ଅନୁସରଣ କଲେ ଆତ୍ମହତ୍ୟା ନିବାରଣରେ ଗଣମାଧ୍ୟମ ଏକ ଦାୟିତ୍ୱବାନ ଭୂମିକା ନିର୍ବାହ କରି ପାରିବ ।
ଭାରତ ସରକାରଙ୍କ ତରଫରୁ ଆତ୍ମହତ୍ୟା ନିବାରଣରେ ସହାୟତା କରିବା ପାଇଁ କୌଣସି ଉତ୍ସର୍ଗୀକୃତ ହେଲପଲାଇନ ସେବା ଉପଲବ୍ଧ ନଥିଲେ ମଧ୍ୟ ଆଶ୍ରା (୦୨୨-୨୭୫୪୬୬୬୯), ରୋଶନୀ (୦୪୦-୬୬୨୦୨୦୦୦), ସ୍ନେହା (୦୪୪-୨୪୬୪୦୦୫୦), ଲାଇଫଲାଇନ ଫାଉଣ୍ଡେସନ (୦୩୩-୨୪୭୪୪୭୦୪), ଭାନ୍ଦ୍ରେଓାଲା ଫାଉଣ୍ଡେସନ (୧୮୬୦୨୬୬୨୩୪୫) ଆଦି ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ କାମ କରୁଥିବା କେତେକ ସ୍ୱେଚ୍ଛାସେବୀ ସଂଗଠନ ଏହି ସେବା ଯୋଗାଇ ଦେଉଛନ୍ତି । ଯେ କୌଣସି ଅଞ୍ଚଳରୁ ସମ୍ପୃକ୍ତ ବ୍ୟକ୍ତି ବା ତାଙ୍କର କୌଣସି ଶୁଭେଚ୍ଛୁ ଏମାନଙ୍କ ସହ ଯୋଗାଯୋଗ କରି ପାରିବେ । ବଡ କଥା ହେଉଛି, ଏଠାରେ ଉଭୟ ପରିଚୟ ଓ କଥୋପକଥନକୁ କଡାକଡି ଭାବେ ଗୋପନୀୟ ରଖାଯାଇଥାଏ । ଦେଶରେ ଆତ୍ମହତ୍ୟା ଜନିତ ମୃତ୍ୟୁ ହାରରେ ବୃଦ୍ଧି ହେଉଥିବାରୁ ଏହାର ନିବାରଣ ପାଇଁ ସରକାର ଉତ୍ସର୍ଗୀକୃତ ହେଲପଲାଇନ ନମ୍ବର ଜାରି କରିବା ଆବଶ୍ୟକ । ଆଶା କର୍ମୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସର୍ବନିମ୍ନ ତାଲିମ ପ୍ରଦାନ କରି ମାନସିକ ଅସୁସ୍ଥ ଲୋକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ହୁଅନ୍ତା । କୌଣସି ନୀତି ଓ ଆଇନ ପ୍ରଣୟନ ବେଳେ ତାହା ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରୁଛି ନା ନିବାରଣ ଦିଗରେ ସହାୟକ ହେଉଛି, ସେଥିପ୍ରତି ଦୃଷ୍ଟି ଦେବା ଉଚିତ ।
ଜୀବନ ହେଉଛି ମଣିଷକୁ ମିଳିଥିବା ଶ୍ରେଷ୍ଠ ଉପହାର । ବଞ୍ଚି ରହିଥିବା ଯାଏଁ ମଣିଷକୁ ପାଦେ ପାଦେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବାକୁ ହୋଇଥାଏ । ତଥାପି ପ୍ରତ୍ୟେକେ ନିଜ ନିଜ ଢଙ୍ଗରେ ଜୀବନକୁ ପୂର୍ଣ୍ଣ ପ୍ରାଣରେ ଜୀଇଁବା ଦରକାର । ବିଶେଷ କରି ମାନସିକ ଅସୁସ୍ଥତାର ଶିକାର ବ୍ୟକ୍ତି ବିଶେଷ ଜୀବନ ହାରିବା ଚିନ୍ତାରୁ ନିବୃତ୍ତ ରହିି ଆତ୍ମ ସନ୍ତୋଷ ପାଇଲା ଭଳି କୌଣସି କାର୍ଯ୍ୟ ଲାଗି ଅବଶିଷ୍ଟ ଜୀବନ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହେଲେ ଜୀବନ ଜୀଇଁବା ପାଇଁ ବାହାନା ମିଳିଯିବ, ଆଉ ଜୀବନର ମାନେ ବଦଳିଯିବ । ସମ୍ପୃକ୍ତ ବ୍ୟକ୍ତିଙ୍କର ଏହି କଠିନ ସମୟରେ ତାଙ୍କର ବନ୍ଧୁବର୍ଗ, ଆତ୍ମୀୟ ସ୍ୱଜନ ତାଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ତାଙ୍କୁ ଏହି ଅନ୍ଧକାର ଗହ୍ୱରରୁ ଉଦ୍ଧାର କରିବା ପାଇଁ ସହାୟତାର ହାତ ବଢାଇବା ଦରକାର, ଯେମିତି ଏ ଲଢେଇରେ ସେ କୌଣସି ମୁହୂର୍ତ୍ତରେ ଏକୁଟିଆ ଅନୁଭବ ନ କରନ୍ତି । ପରସ୍ପର ସହାୟତାରେ ଆମେ ହୁଏତ ଏମିତି ଏକ ଆତ୍ମହତ୍ୟା ରହିତ ସମାଜ ପ୍ରତିଷ୍ଠା ଦିଗରେ ଅଗ୍ରସର ହୋଇପାରିବା, ଯେଉଁଠି କୌଣସି ପରିବାରକୁ ଆତ୍ମହତ୍ୟାରେ ପ୍ରିୟଜନଙ୍କୁ ହରାଇ ସାରା ଜୀବନ ଶୋକ ସନ୍ତାପରେ ଘାଣ୍ଟି ହେବାର ଅବକାଶ ନଥିବ ।
Published in Odia daily Nitidin on September 10, 2019 (World Suicide Prevention Day)
Nice article on a important subject of the society
ReplyDeleteଚମତ୍କାର ଲେଖା। ଶିକ୍ଷଣୀୟ ତଥା ଗଠନମୂଳକ ରଚନା। ସମାଜପାଇଁ ଉଦ୍ଦିଷ୍ଟ ଏପରି ରଚନା ବେଶ୍ ସମୟୋପଯୋଗୀ।
ReplyDeleteଲେଖାଟି ଆପଣଙ୍କୁ ଭଲ ଲାଗିଥିବାରୁ ଧନ୍ୟବାଦ l
Delete