ରିଜର୍ଭ ବ୍ୟାଙ୍କ ଆଇନ, ୧୯୩୪ର ଧାରା ୪୭ ଅନୁଯାୟୀ ବ୍ୟାଙ୍କ ନିକଟରୁ ଏକକାଳୀନ ୧.୭୬ ଲକ୍ଷ କୋଟି ଟଙ୍କା ସରକାରଙ୍କୁ ହସ୍ତାନ୍ତରିତ ହେବା ରାଜସ୍ୱ ସଂଗ୍ରହ ପାଇଁ କସରତ କରୁଥିବା ସରକାରଙ୍କ ପାଇଁ ଏକ ଲଟେରୀ ପାଇଲା ଭଳି ହୋଇଛିି । ଏହି ରାଶି ମୋଟ ଘରୋଇ ଉତ୍ପାଦର ପ୍ରାୟ ୦.୮ ପ୍ରତିଶତ । ବ୍ୟାଙ୍କ ଯେ ବିନା ବିରୋଧ ବା ଦ୍ୱିଧାରେ ସରକାରଙ୍କୁ ଏତେ ପରିମାଣର ପାଣ୍ଠି ହସ୍ତାନ୍ତର କରି ଦେଲା, ତାହା ଠିକ ନୁହେଁ । ବରଂ ଅତୀତରେ ଗଭର୍ଣ୍ଣର ଡି. ସୁବ୍ବା ରାଓ, ରଘୁରାମ ରାଜନ, ଉର୍ଜିତ ପଟେଲ ଆଦି ଏହି ପାଣ୍ଠି ହସ୍ତାନ୍ତରଣକୁ ବିରୋଧ କରି ସଫଳ ହୋଇଥିଲେ । ଅବଶ୍ୟ ବିଗତ ବର୍ଷମାନଙ୍କରେ ମଧ୍ୟ ରିଜର୍ଭ ବ୍ୟାଙ୍କର ସମଗ୍ର ନିଟ ଆୟ କେନ୍ଦ୍ର ସରକାରଙ୍କୁ ଲଗାତର ଭାବେ ହସ୍ତାନ୍ତରିତ ହୋଇ ଆସିଛି । ଏପରିକି ଗତ ବର୍ଷ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୫୦ ହଜାର କୋଟି ଟଙ୍କା ଦେଇଥିଲା । ତେବେ କେବଳ ନିଟ ଆୟ ହସ୍ତାନ୍ତରରେ ବୋଧେ ସରକାର ସନ୍ତୁଷ୍ଟ ନଥିଲେ । ୩୦ ଜୁନ ୨୦୧୮ ସୁଦ୍ଧା ରିଜର୍ଭ ବ୍ୟାଙ୍କ ନିକଟରେ ଥିବା ୯.୬ ଲକ୍ଷ କୋଟି ଟଙ୍କାର ଗଚ୍ଛିତ ପାଣ୍ଠି ଉପରେ ସରକାରଙ୍କର ଆଖି ପଡି ଆସିଛି । ତେଣେ ଏତେ ବୃହତ ଗଚ୍ଛିତ ପାଣ୍ଠିର ପାହାଡ ଉପରେ ବ୍ୟାଙ୍କ ବସି ରହିବାର ଯୌକ୍ତିକତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ସାରା ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିକଟରେ ଥିବା ହାରାହାରି ଗଚ୍ଛିତ ପାଣ୍ଠି ବାଲେନ୍ସ ସିଟର ଶତକଡା ୧୬ ପ୍ରତିଶତ ଥିବା ବେଳେ ଭାରତରେ ତାହା ୨୬ ପ୍ରତିଶତ ରହିବାର ଔଚିତ୍ୟ ଉପରେ ପ୍ରଶ୍ନ ଉଠାଇ ସରକାରଙ୍କୁ ଅଧିକ ଅର୍ଥ ହସ୍ତାନ୍ତର କରିବା ପାଇଁ ରିଜର୍ଭ ବ୍ୟାଙ୍କ ଉପରେ ଚାପ ସୃଷ୍ଟି ହୋଇ ଆସୁଥିଲା ।
ରିଜର୍ଭ ବ୍ୟାଙ୍କର ଆୟର ମୁଖ୍ୟ ଉତ୍ସଗୁଡିକ ହେଲା ଖୋଲା ବଜାର କାରବାର ପାଇଁ ଗଚ୍ଛିତ ସରକାରୀ ବଣ୍ଡରୁ ସୁଧ, ସରକାରଙ୍କ ପାଇଁ ବଜାରରୁ ଋଣ ଉଠାଣ ବାବଦକୁ ମିଳୁଥିବା ଫି ଓ ବିଦେଶୀ ମୁଦ୍ରା ନିବେଶରୁ ଆୟ । ଏହି ଆୟରୁ କିଛି ଅଂଶ ଗଚ୍ଛିତ ପାଣ୍ଠିରେ ଜମା ସହ ସରକାରଙ୍କୁ କିଛି ଲାଭାଂଶ ପ୍ରଦାନ କରାଯାଇଥାଏ । ରିଜର୍ଭ ବ୍ୟାଙ୍କ ନିକଟରେ ଥିବା ଗଚ୍ଛିତ ପାଣ୍ଠିକୁ ମୁଦ୍ରା ଓ ସ୍ୱର୍ଣ୍ଣ ପୁନର୍ମୂଲ୍ୟାଙ୍କନ ଆକାଉଣ୍ଟ (ସିଜିଆରଏ), ଆକସ୍ମିକ ପାଣ୍ଠି (ସିଏଫ), ନିବେଶ ପୁନର୍ମୂଲ୍ୟାଙ୍କନ ଆକାଉଣ୍ଟ (ଆଇଆରଏ) ଓ ସମ୍ପତି ବିକାଶ ପାଣ୍ଠି (ଏଡିଏଫ) ଭଳି ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ବ୍ୟାଙ୍କ ନିକଟରେ ଗଚ୍ଛିତ ଥିବା ବିଦେଶୀ ମୁଦ୍ରା ଓ ସୁନାର ପରିବର୍ତ୍ତିତ ମୂଲ୍ୟ ଆଧାରରେ ସିଜିଆରଏ ପାଣ୍ଠିର ମୂଲ୍ୟ ମଧ୍ୟ ବୃଦ୍ଧି ବା ହ୍ରାସ ପାଇଥାଏ ଓ ଜୁନ ୨୦୧୮ ସୁଦ୍ଧା ଏହି ପାଣ୍ଠିର ମୂଲ୍ୟ ୬.୯୨ଲକ୍ଷ କୋଟି ଟଙ୍କା ଥିଲା, ଯାହା ଗଚ୍ଛିତ ପାଣ୍ଠିର ପ୍ରାୟ ୭୦ ପ୍ରତିଶତ । ସେହି ସମୟରେ ବ୍ୟାଙ୍କର ଆକସ୍ମିକ ପାଣ୍ଠିରେ ୨.୩୨ଲକ୍ଷ କୋଟି ଟଙ୍କା (ଗଚ୍ଛିତ ପାଣ୍ଠିର ପ୍ରାୟ ଏକ-ଚତୁର୍ଥାଂଶ) ଜମା ଥିଲା । ଏହି ପାଣ୍ଠିର ଆକାର ବୃଦ୍ଧି ପାଇବାର ଅନ୍ୟତମ କାରଣ ହେଉଛି ୨୦୧୨-୧୩ ପର୍ଯ୍ୟନ୍ତ ଲଗାତର ଭାବେ ବ୍ୟାଙ୍କର ମୋଟ ଆୟରୁ ୩୨ରୁ ୪୫ ପ୍ରତିଶତ ରାଶି ଏହି ପାଣ୍ଠିରେ ଜମା ହୋଇ ଆସୁଥିଲା, ଯାହା ଫଳରେ ଗୋଟିଏ ସମୟରେ ପାଣ୍ଠିର ଆକାର ବ୍ୟାଙ୍କ ବାଲେନ୍ସ ସିଟର ୧୦ ପ୍ରତିଶତରେ ପହଞ୍ଚି ଯାଇଥିଲା । ୨୦୧୩-୧୪ ପରଠାରୁ ଆକସ୍ମିକ ପାଣ୍ଠିରେ ରାଶି ଜମା ହେବା ବନ୍ଦ ହୋଇ ଯାଇଥିଲା । ତେବେ ତାହା ୨୦୧୬-୧୭ରୁ ତାହା ପୁଣି ଚାଲୁ ହୋଇଛି ।
ଗତ ପ୍ରାୟ ଏକ ବର୍ଷ ଧରି ବଳକା ପାଣ୍ଠି ହସ୍ତାନ୍ତରଣ ପାଇଁ ସରକାରଙ୍କ ତରଫରୁ ବ୍ୟାଙ୍କ ଉପରେ ଚାପ ପଡି ଆସୁଥିଲା । ଶେଷରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କର ‘ଆର୍ଥିକ ପୁଞ୍ଜି ଢାଞ୍ଚା’ ନିର୍ଦ୍ଧାରଣ କରିବାକୁ ଏକ କମିଟି ଗଠନ କରିବା ସକାଶେ ରିଜର୍ଭ ବ୍ୟାଙ୍କ ବୋର୍ଡକୁ ଏକ ପ୍ରକାର ବାଧ୍ୟ କରାଗଲା । ଏ ନେଇ ନଭେମ୍ବର ୧୯, ୨୦୧୮ ବୋର୍ଡ ମିଟିଙ୍ଗରେ ପ୍ରସ୍ତାବ ପାରିତ ହେଲା । ଏହାର ପ୍ରତିବାଦରେ ଗଭର୍ଣ୍ଣର ଉର୍ଜିତ ପଟେଲ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ବିମୁଦ୍ରାକରଣର ପୋଷ୍ଟରବୟ ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତିରୁ ସ୍ପଷ୍ଟ ହୋଇ ସାରିଥିଲା ଯେ ଏଣିକି ସରକାର ଯାହା ଚାହିଁବେ ରିଜର୍ଭ ବ୍ୟାଙ୍କ ସେଥିରେ ଅସମ୍ମତ ହେବାର ସମ୍ଭାବନା କମ ।
ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଲ ଜଲାନଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୨୦୧୮ରେ ଗଠିତ ଏକ ଛଅ ଜଣିଆ କମିଟି ଅଗଷ୍ଟ ୨୦୧୯ରେ ରିପୋର୍ଟ ଉପସ୍ଥାପନ କଲେ । କମିଟି ତାଙ୍କ ସୁପାରିଶରେ ରିଜର୍ଭ ବ୍ୟାଙ୍କର ଆର୍ଥିକ ପୁଞ୍ଜି (ଇକୋନୋମିକ କ୍ୟାପିଟାଲ)କୁ ‘ଉପଲବ୍ଧ ପୁଞ୍ଜି’ (ରିଏଲାଇଜଡ ଇକୁଇଟି) ଓ ‘ପୁନର୍ମୂଲ୍ୟାଙ୍କନ ସନ୍ତୁଳନ’ (ରିଭାଲୁଏସନ ବାଲେନ୍ସ), ଏହିପରି ସ୍ପଷ୍ଟ ଭାବେ ଦୁଇ ଭାଗରେ ବିଭକ୍ତ କରିଛନ୍ତି । ‘ରିଏଲାଇଜଡ ଇକୁଇଟି’ ବ୍ୟାଙ୍କର ଆୟ ହୋଇଥିବାରୁ ଏହା ବ୍ୟାଙ୍କର ବିପଦ ଓ କ୍ଷତିର ପ୍ରତିପୂର୍ତ୍ତି ପାଇଁ ବ୍ୟବହାର ହୋଇ ପାରିବ । ଅନ୍ୟ ପକ୍ଷରେ ଗଚ୍ଛିତ ସୁନା ଓ ବିଦେଶୀ ମୁଦ୍ରା ଆଦି ଆକାରରେ ଥିବା ‘ରିଭାଲୁଏସନ ବାଲେନ୍ସ’ ବଣ୍ଟନଯୋଗ୍ୟ ଆକାରରେ ନଥିବାରୁ ଏହାକୁ କେବଳ ବଜାର ବିପଦ (ମାର୍କେଟ ରିସ୍କ) ଉଦ୍ଦେଶ୍ୟରେ ବ୍ୟବହାର କରିହେବ । ତେଣୁ ସିଜିଆରଏ ପାଣ୍ଠିରୁ କୌଣସି ରାଶି ସରକାରଙ୍କୁ ହସ୍ତାନ୍ତର କରାଯାଇ ପାରିବ ନାହିଁ । ଉଲ୍ଲେଖଯୋଗ୍ୟ, ଗତ ବର୍ଷ ସରକାର ରିଜର୍ଭ ବ୍ୟାଙ୍କର ଗଚ୍ଛିତ ପାଣ୍ଠିରୁ ୩.୬ ଲକ୍ଷ କୋଟି ଟଙ୍କା ହସ୍ତାନ୍ତରଣର ଆଶା କରୁଥିଲେ । ଅର୍ଥାତ୍, ସିଜିଆରଏ ପାଣ୍ଠି ଉପରେ ମଧ୍ୟ ସରକାରଙ୍କ ନଜର ପଡି ସାରିଥିଲା, ଯାହା ଜଲାନ କମିଟି ସୁପାରିଶ ପରେ ଆପାତତଃ ଅଟକିଲା । ବ୍ୟାଙ୍କର ମୌଦ୍ରିକ, ଆର୍ଥିକ ଓ ବାହ୍ୟିକ ସ୍ଥିରତାକୁ ବଜାୟ ରଖିବା ସହ ଋଣ ଓ ପରିଚାଳନାଗତ ବିପଦକୁ ସାମ୍ନା କରିବା ପାଇଁ ‘ରିଏଲାଇଜଡ ଇକୁଇଟି’ରୁ ଏକ ‘ଆକସ୍ମିକ ବିପଦ ବଫର’ (କଣ୍ଟିଞ୍ଜେଣ୍ଟ ରିସ୍କ ବଫର) ସୃଷ୍ଟି କରି ସେଥିରେ ବ୍ୟାଙ୍କର ବାଲେନ୍ସ ସିଟର ୫.୫ରୁ ୬.୫ ପ୍ରତିଶତ ରାଶି ଜମା କରିବା କଥା କୁହାଯାଇଛି । ଏହି ପାଣ୍ଠିର ଆବଶ୍ୟକତାକୁ ପୂରଣ କଲା ପରେ ବ୍ୟାଙ୍କର ଅବଶିଷ୍ଟ ନିଟ୍ ଆୟ ସରକାରଙ୍କୁ ହସ୍ତାନ୍ତର କରାଯିବ । ତେବେ ‘ଇକୋନୋମିକ କ୍ୟାପିଟାଲ’କୁ ବାଲେନ୍ସ ସିଟର ୨୦ରୁ ୨୪.୫ ପ୍ରତିଶତ ଭିତରେ ସୀମିତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
କମିଟିର ସୁପାରିଶକୁ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ଗ୍ରହଣ କରି ସରକାରଙ୍କୁ ହସ୍ତାନ୍ତର କରିଥିବା ୧,୭୬,୦୫୧ କୋଟି ଟଙ୍କା ମଧ୍ୟରୁ ୧,୨୩,୪୧୪ କୋଟି ଟଙ୍କା ୨୦୧୮-୧୯ର ବଳକା ପାଣ୍ଠି ହୋଇଥିବା ବେଳେ ଅବଶିଷ୍ଟ ୫୨,୬୩୭ କୋଟି ଟଙ୍କା କମିଟି ଦ୍ୱାରା ସୁପାରିଶ ହୋଇଥିବା ଆକସ୍ମିକ ପାଣ୍ଠିରେ ସର୍ବନିମ୍ନ ୫.୫ ପ୍ରତିଶତ ରାଶି ରଖିବା ପରେ ଥିବା ଉଦବୃତ୍ତ ରାଶି । ଉଲ୍ଲେଖଯୋଗ୍ୟ, କମିଟିର ସୁପାରିଶ ବେଳକୁ ଏହି ପାଣ୍ଠିରେ ୬.୮ ପ୍ରତିଶତ ରାଶି ଥିଲା । କମିଟି ସୁପାରିଶ କରିଥିବା ୬.୫ ପ୍ରତିଶତର ଉପର ସୀମାଟିକୁ ରିଜର୍ଭ ବ୍ୟାଙ୍କର ବୋର୍ଡ ଗ୍ରହଣ କରିଥିଲେ ଏ ବାବଦରେ ସରକାରଙ୍କୁୁ ମାତ୍ର ୧୧,୬୦୮ କୋଟି ଟଙ୍କା ହସ୍ତାନ୍ତର କରାଯାଇଥାନ୍ତା । ରିଜର୍ଭ ବ୍ୟାଙ୍କ ସର୍ବନିମ୍ନ ୫.୫ ପ୍ରତିଶତକୁ ଗ୍ରହଣ କରିଥିବାରୁ ଭବିଷ୍ୟତରେ ଏହାକୁ ଆଉ ବଢାଇ ପାରିବାର ସମ୍ଭାବନା କ୍ଷୀଣ । ଶୁଣାଯାଏ ଯେ କମିଟିରେ ଥିବା କେନ୍ଦ୍ର ସରକାରଙ୍କ ଏକମାତ୍ର ପ୍ରତିନିଧି ଏହାକୁ ୩ ପ୍ରତିଶତକୁ କମାଇବା ପାଇଁ ଏକ ପ୍ରକାର ଅଡି ବସିବାରୁ ଅଗତ୍ୟା ବୋର୍ଡ ୫.୫ ପ୍ରତିଶତକୁ ସୀମାକୁ ଗ୍ରହଣ କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ । କମିଟି ଦ୍ୱାରା ୩ ପ୍ରତିଶତର ସର୍ବନିମ୍ନ ସୀମା ଗୃହୀତ ହୋଇଥିଲେ ହୁଏତ ଆହୁରି ପ୍ରାୟ ୧ ଲକ୍ଷ କୋଟି ଟଙ୍କା ସରକାରଙ୍କ ତହବିଲକୁ ହସ୍ତାନ୍ତର କରିବାକୁ ହୋଇଥାନ୍ତା । ନୂତନ ନିୟମାନୁସାରେ ଆକସ୍ମିକ ପାଣ୍ଠିରୁ ଅର୍ଥ ହସ୍ତାନ୍ତର ହେବା ପରେ ଆକସ୍ମିକ ପାଣ୍ଠିର ପରିମାଣ ଜୁନ ୨୦୧୮ରେ ଥିବା ୨.୩୨ ଲକ୍ଷ କୋଟି ଟଙ୍କାରୁ ଖସି ଆସି ଜୁନ ୨୦୧୯ରେ ୧.୯୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅବଶ୍ୟ ଅନେକ ବିକଶିତ ଦେଶର କେନ୍ଦ୍ର ବ୍ୟାଙ୍କଗୁଡିକର ଆକସ୍ମିକ ପାଣ୍ଠିର ଆକାର ଭାରତ ଅପେକ୍ଷା ଯଥେଷ୍ଟ କମ । ତେବେ ମନେ ରଖିବାକୁ ହେବ ଯେ ଭାରତ ଏବେ ମଧ୍ୟ ଏକ ବିକାଶଶୀଳ ଦେଶ ହୋଇଥିବାରୁ ଏଠାକାର ଆହ୍ୱାନ ସେ ସବୁ ଦେଶଙ୍କଠାରୁ ଭିନ୍ନ ।
ରିଜର୍ଭ ବ୍ୟାଙ୍କ ନିକଟରେ ଗଚ୍ଛିତ ଥିବା ପାଣ୍ଠି ଦେଶର ପାଣ୍ଠି ବୋଲି ସରକାର କହୁଛନ୍ତି । ଏହା ସତ । କାରଣ ସରକାର ହିଁ ରିଜର୍ଭ ବ୍ୟାଙ୍କର ମାଲିକ ହୋଇଥିବାରୁ ଏହାର ସମସ୍ତ ପାଣ୍ଠିର ଅଧିକାରୀ ମଧ୍ୟ ସରକାର । କିନ୍ତୁ କୌଣସି ପରିବାରରେ ପତ୍ନୀ ପିନ୍ଧୁଥିବା ସୁନା ହାରଟି ମଧ୍ୟ ପରିବାରର ସମ୍ପତି ହୋଇଥିଲେ ବି ପରିବାରର ଆର୍ଥିକ ଅବସ୍ଥା ସେତେ ଖରାପ ସ୍ତରକୁ ନ ଗଲେ ସ୍ୱାମୀ ମଧ୍ୟ ସ୍ତ୍ରୀ ବେକରୁ ହାରଟିକୁ ଓହ୍ଲାଇ ଆଣିବା କଥା ଭାବି ନଥାଏ । ଦେଶ କ୍ଷେତ୍ରରେ ମଧ୍ୟ ଠିକ ସେହିପରି । ୧୯୯୧ ମସିହାରେ ଦେଶ ସମ୍ମୁଖୀନ ହୋଇଥିବା ଉତ୍କଟ ଆର୍ଥିକ ପରିସ୍ଥିତି ଯୋଗୁ ଗଚ୍ଛିତ ସୁନାକୁ ବିଦେଶରେ ବନ୍ଧକ ପକାଯାଇ ସମସ୍ୟାର ସମାଧାନ କରାଯାଇଥିଲେ ବି ସେତେବେଳେ ମଧ୍ୟ ସରକାର ରିଜର୍ଭ ବ୍ୟାଙ୍କର ଗଚ୍ଛିତ ପାଣ୍ଠି ଉପରେ ଆଖି ପକାଇ ନଥିଲେ । ତେଣୁ ରିଜର୍ଭ ବ୍ୟାଙ୍କ ନିକଟରୁ ବଳକା ପାଣ୍ଠି କାଢି ନେବାରୁ ପ୍ରଶ୍ନ ଉଠୁଛି ଏବେ କଣ ସରକାର ଆହୁରି ଦାରୁଣ ଆର୍ଥିକ ଦୁଃସ୍ଥିତିର ଶିକାର, ଯେଉଁଥି ପାଇଁ ଏହି ପାଣ୍ଠି ପ୍ରତ୍ୟାହାର ବ୍ୟତୀତ ସରକାରଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା ? ଅବଶ୍ୟ ଆଶାନୁରୂପ ଭାବେ ପ୍ରତ୍ୟକ୍ଷ କର ଆଦାୟ ହୋଇ ନପାରିବା ଓ ଜିଏସଟି ଆଦାୟ ଲକ୍ଷ୍ୟ ପୂରଣ ହୋଇ ନ ପାରିବା ଦ୍ୱାରା ସରକାରଙ୍କ ରାଜସ୍ୱ ସଂଗ୍ରହ ନେଇ ଚିନ୍ତା ବଢିବା ସ୍ୱାଭାବିକ । ରିଜର୍ଭ ବ୍ୟାଙ୍କ ନିକଟରୁ ମିଳିଥିବା ଏତେ ପରିମାଣର ଏହି ଅପ୍ରତ୍ୟାଶିତ ରାଶିକୁ କିପରି ବିନିଯୋଗ କରାଯିବ ସେ ନେଇ ସରକାରଙ୍କ ତରଫରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ । ତେବେ ଏହି ପାଣ୍ଠିକୁ ଆର୍ଥିକ ଗତିବିଧି ବଢାଇବା ଉଦ୍ଦେଶ୍ୟରେ ବିତ୍ତୀୟ ପ୍ରୋତ୍ସାହନ ଆକାରରେ ବ୍ୟବହାର କରିବା ସହ ବଜେଟ ବାହାରେ ଥିବା ଋଣ ହ୍ରାସ କରିବା ପାଇଁ ବ୍ୟବହାର କରାଯାଇପାରେ । ସେହିପରି ସରକାରୀ ନିୟନ୍ତ୍ରଣରେ ଥିବା ବ୍ୟାଙ୍କଗୁଡିକ ନିକଟରେ ପୁଞ୍ଜିର ଘୋର ଅଭାବ ଥିବାରୁ ସେଗୁଡିକର ପୁନଃପୁଞ୍ଜିକରଣ (ରିକ୍ୟାପିଟାଇଲେଜସନ) ପାଇଁ ସରକାର ଏହି ପାଣ୍ଠିରୁ ୭୦ ହଜାର କୋଟି ଟଙ୍କା ବ୍ୟୟ କରିପାରନ୍ତି । ଭିତ୍ତିଭୂମିର ନିର୍ମାଣରେ ଏହି ପୁଞ୍ଜି ବିନିଯୋଗ ହେଲେ ତାହା ଆର୍ଥିକ ଗତିବିଧି ତ୍ୱରାନ୍ୱିତ କରିବାରେ ସହାୟକ ହେବ । ବିଦେଶୀ ବଣ୍ଡ ବଜାରରେ ସୁଧ ହାର ଯଥେଷ୍ଟ କମ ଥିବାରୁ ସରକାର ପ୍ରାୟ ୭୦-୮୦ ହଜାର କୋଟି ଟଙ୍କା ଋଣ ଉଠାଇବାର ମସୁଧା କରୁଥିଲେ । ତେବେ ଏହି ଧରଣର ସୋଭେରେନ ବଣ୍ଡର ‘ମୁଦ୍ରା ବିନିମୟ ବିପଦ’ ଅତ୍ୟଧିକ ହୋଇଥିବାରୁ ରିଜର୍ଭ ବ୍ୟାଙ୍କଠାରୁ ପୁଞ୍ଜି ପାଇଲା ପରେ ସରକାର ସେଥିରୁ ନିବୃତ୍ତ ହେବେ ବୋଲି ଆଶା କରାଯାଏ । ମାତ୍ର ଏହି ପୁଞ୍ଜିକୁ କେବଳ ବିତ୍ତୀୟ ନିଅଣ୍ଟ ପରିଚାଳନା ପାଇଁ ବିନିଯୋଗ କରିବା ଆତ୍ମଘାତୀ ହୋଇପାରେ ।
ରିଜର୍ଭ ବ୍ୟାଙ୍କ ନିକଟରେ ଗଚ୍ଛିତ ପାଣ୍ଠି ଅଧିକ ପରିମାଣରେ ଥିଲେ ତାହା ବ୍ୟାଙ୍କର ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବା ସହ ଅର୍ଥ ବ୍ୟବସ୍ଥା ବିପଦଗ୍ରସ୍ତ ହେଲେ ରିଜର୍ଭ ବ୍ୟାଙ୍କ ନିଜସ୍ୱ ପାଣ୍ଠିରୁ ବ୍ୟାଙ୍କଗୁଡିକୁ ଅର୍ଥ ପ୍ରଦାନ କରି ପାରିଥାଏ ଓ ଏଥିପାଇଁ ସରକାରଙ୍କ ଉପରେ ନିର୍ଭର କରିବାକୁ ହୋଇ ନଥାଏ । ଏକ ବଳିଷ୍ଠ ଗଚ୍ଛିତ ପାଣ୍ଠି ରିଜର୍ଭ ବ୍ୟାଙ୍କର ସ୍ୱାୟତ୍ତତା ଓ ସ୍ୱାଧୀନତା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏବେ କିନ୍ତୁ ଏତେ ପରିମାଣର ପାଣ୍ଠି ହସ୍ତାନ୍ତରଣ ପରେ ଅନ୍ତର୍ଜାତିକ ସ୍ତରରେ ତାର ସ୍ୱାୟତ୍ତତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ସଂଭାବ୍ୟ ବିପଦକୁ ଆକଳନ କରି ଜଲାନ କମିଟି ରିଜର୍ଭ ବ୍ୟାଙ୍କର ଆକସ୍ମିକ ପାଣ୍ଠିର ସର୍ବନିମ୍ନ ସୀମା ଧାର୍ଯ୍ୟ କରିଛନ୍ତି । ଏବର ସ୍ଥିତିରେ ହୁଏତ ଆକସ୍ମିକ ପାଣ୍ଠିର ଏହି ଆକାର ଯଥେଷ୍ଟ ହୋଇପାରେ । ପ୍ରତି ପାଞ୍ଚ ବର୍ଷରେ ଥରେ ଏହାକୁ ସମୀକ୍ଷା କରିବା କଥା ମଧ୍ୟ ରିପୋର୍ଟରେ କୁହାଯାଇଛି । ତେବେ ସାରା ବିଶ୍ୱର ଭୂ-ରାଜନୈତିକ ପରିସ୍ଥିତି (ଜିଓ-ପଲିଟିକାଲ ସିଚୁଏସନ) ଓ ଦେଶ ଦେଶ ମଧ୍ୟରେ ଲାଗି ରହିଥିବା ଅନ୍ତର୍ଜାତିକ ବ୍ୟାପାର ଓ ମୁଦ୍ରା ଯୁଦ୍ଧ (ଟ୍ରେଡ ଆଣ୍ଡ କରେନ୍ସି ଓାର) ଜନିତ ସ୍ଥିତି ଯୋଗୁ ଭବିଷ୍ୟତରେ ଅପ୍ରତ୍ୟାଶିତ ଭାବେ କୌଣସି ବଡ ଧରଣର ବିପଦ ଆସିଲେ ତାକୁ ପ୍ରତିହତ କରିବା ପାଇଁ ରିଜର୍ଭ ବ୍ୟାଙ୍କର ଏହି ସଙ୍କୁଚିତ ଆକସ୍ମିକ ପାଣ୍ଠି କେତେ ଦୂର ସମର୍ଥ ହେବ, ତାହା ଏକ ବଡ ପ୍ରଶ୍ନ । ଅନ୍ୟଥା ଏହା ଦ୍ୱାରା କେବଳ ରିଜର୍ଭ ବ୍ୟାଙ୍କ ନୁହେଁ, ବରଂ ସମଗ୍ର ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଯେଉଁ ଅକଳନୀୟ କ୍ଷତି ହେବ ତାହା ଦେଶର ଅର୍ଥନୀତିକୁ ଗଭୀର ଆଘାତ ପହଞ୍ଚାଇବାର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ ।
Published in Odia daily Sambad on September 04, 2019.
Comments
Post a Comment