Skip to main content

ଫାସିବାଦର ସତର୍କ ଘଣ୍ଟି

ତୃଣମୂଳ କଂଗ୍ରେସ ଦଳର ନବ ନିର୍ବାଚିତ ସାଂସଦ ମହୁଆ ମୈତ୍ର ସଂସଦରେ ତାଙ୍କର ପ୍ରଥମ ଭାଷଣ ପାଇଁ ବେଶ ପ୍ରଶଂସିତ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏକଦା ନିଉୟର୍କ ଓ ଲଣ୍ଡନଠାରେ ଉଚ୍ଚ ପଦବୀରେ ଅଧିଷ୍ଠିିତ ଏହି ପ୍ରାକ୍ତନ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ତାଙ୍କ ଦଶ ମିନିଟର ଓଜସ୍ୱିନୀ ଭାଷଣରେ ପ୍ରଖ୍ୟାତ ହିନ୍ଦୀ କବି ଦିନକରଙ୍କୁ ଉଦ୍ଧାର କରି କହିଥିଲେ ଯେ ଅସହମତି ହେଉଛି ଏହି ଦେଶର ରାଷ୍ଟ୍ରୀୟ ଚରିତ୍ର ଓ କେହି ଏହାକୁ ବଦଳାଇ ପାରିବେ ନାହିଁ । ସରକାର ଫାସିବାଦ ଆଡକୁ ଅଗ୍ରସର ହେଉଛନ୍ତି ବୋଲି ସତର୍କ ବାଣୀ ଶୁଣାଇ ସେ ଯେଉଁ ସାତୋଟି ବିନ୍ଦୁ ଉପରେ ଆକ୍ରମଣ କରିଥିଲେ ସେଗୁଡିକ ହୋଲୋକଷ୍ଟ ମ୍ୟୁଜିୟମରେ ସ୍ଥାନିତ ଏକ ପୋଷ୍ଟରରେ ଉଲ୍ଲିଖିତ ଫାସିବାଦ ପୂର୍ବ ସୂଚନାର ଅଂଶ ବିଶେଷ ବୋଲି ସେ ଉଲ୍ଲେଖ କରିଥିଲେ ।

ୟୁରୋପରେ ନାଜୀ ଗଣସଂହାରରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ନୃତିରେ ଆମେରିକାରେ ସ୍ଥାପିିତ ହୋଲୋକଷ୍ଟ ମେମୋରିଆଲ ମ୍ୟୁଜିୟମର ଏକ ଉପହାର ଦୋକାନରେ ୨୦୧୭ ମସିହା ଜାନୁଆରୀ ମାସରେ ଏକ ପୋଷ୍ଟର ବିକ୍ରି ପାଇଁ ସ୍ଥାନିତ ହୋଇଥିବା ଲକ୍ଷ୍ୟ କରାଗଲା, ଯେଉଁଥିରେ ଫାସିବାଦର ଚଉଦଟି ଲକ୍ଷଣର ସତର୍କ ସୂଚନା ଉଲ୍ଲିଖିତ ଥିଲା । ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାସନରେ ଫାସିବାଦୀ ଲକ୍ଷଣ ଦେଖୁଥିବା କିଛି ଲୋକ ଏହି ପୋଷ୍ଟରର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିବାକୁ ଲାଗିଲେ । ତେବେ ଏହି ତାଲିକାରେ ଥିବା ଲକ୍ଷଣଗୁଡିକ ସର୍ବ ପ୍ରଥମେ ୨୦୦୩ ମସିହାରେ ଲରେନ୍ସ ବ୍ରିଟଙ୍କ ଲିଖିତ ଏକ ଆଲେଖ୍ୟରେ ସ୍ଥାନ ପାଇଥିଲା, ଯାହା ତତକାଳୀନ ଜର୍ଜ ବୁଶ ପ୍ରଶାସନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଏ । ବିଂଶ ଶତାବ୍ଦୀର ବିଶ୍ୱର ସାତ ଜଣ ପ୍ରମୁଖ ଫାସିବାଦୀ ଶାସକ ଯଥା, ନାଜୀ ଜର୍ମାନୀର ହିଟଲର, ଇଟାଲିର ମୁସୋଲିନି, ସ୍ପେନର ଫ୍ରାଙ୍କୋ, ପର୍ତ୍ତୁଗାଲର ସାଲାଜାର, ଗ୍ରୀସର ପାପାଦାପୋଲସ, ଚିଲିର ପିନୋସେ ଓ ଇଣ୍ଡୋନେସିଆର ସୁହାର୍ତୋଙ୍କ ଶାସନକୁ ଗଭୀର ଅଧ୍ୟୟନ କଲା ପରେ ସେ ଏହି ତାଲିକାଟିକୁ ପ୍ରସ୍ତୁତ କରିଥିଲେ । କୌଣସି ଦେଶର ଶାସନରେ ଏହି ଲକ୍ଷଣଗୁଡିକର ଝଲକ ଦେଖିବାକୁ ମିଳିିଲେ ସେହି ଦେଶ ଫାସିବାଦୀ ଶାସନ ଆଡକୁ ମୁହାଁଉଛି ବୋଲି ବୁଝିବାକୁ ହେବ ।

ଯେଉଁ ଦେଶରେ ଏକ ଶକ୍ତିଶାଳୀ ଓ ନିରବଚ୍ଛିନ୍ନ ଜାତୀୟତାବାଦ ବିକଶିତ ହୁଏ ତାହା ଫାସିବାଦ ଆଡକୁ ଅଗ୍ରସର ହେବାର ପ୍ରଥମ ଲକ୍ଷଣ । ଫାସିବାଦୀ ସରକାରଙ୍କ ଦ୍ୱାରା ଜାତୀୟ ଲକ୍ଷ୍ୟ, ଜାତୀୟ ଚିହ୍ନ, ଜାତୀୟ ସଙ୍ଗୀତ ଆଦିର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଏ ଓ ଏହା କରୁ ନଥିବା ଲୋକଙ୍କ ଦେଶପ୍ରେମ ଉପରେ ପ୍ରଶ୍ନ ଉଠାଯାଇଥାଏ । ଜାତୀୟ ପତାକା ସର୍ବତ୍ର ଦେଖିବାକୁ ମିଳେ, ଏପରିକି ପୋଷାକପତ୍ରରେ ପତାକାର ଚିହ୍ନ ବହୁଳ ଭାବେ ବ୍ୟବହାର ହେବା ଆରମ୍ଭ ହୋଇଯାଏ । ଜାତୀୟତାବାଦ (ନେସନାଲିଜମ) ଦେଶପ୍ରେମ (ପେଟ୍ରିଅଟିଜମ)ର ସ୍ଥାନ ନିଏ । ଦେଶକୁ ଭଲ ପାଉଥିବା ଲୋକଟି ନିକଟରେ ଦେଶପ୍ରେମ ଭରି ରହିଥିବା ବେଳେ ଜଣେ ଉଗ୍ର ଜାତୀୟତାବାଦୀ ନିକଟରେ ଅନ୍ଧ ଦେଶାନୁରକ୍ତି ଥାଏ, ଯାହା ବିଶ୍ୱପ୍ରୀତିର ପରିପନ୍ଥୀ ହୋଇପଡେ । କ୍ରମଶଃ ଜାତୀୟତାବାଦକୁ ନେଇ ଲୋକଙ୍କଠାରେ ଉଗ୍ରତା ଦେଖା ଦେଇଥାଏ ଓ ତାହା ଭୟଙ୍କର ରୂପ ନେଇଥାଏ । ‘ନିଜ ଦେଶ ସର୍ବଶ୍ରେଷ୍ଠ’, ‘ନିଜ ଦେଶର ସ୍ୱାର୍ଥ ସର୍ବାଗ୍ରେ’ର ଭାବନା ଏପରି ଗ୍ରାସ କରେ ଯେ ସେଥିରେ ମାନବବାଦ, ଆନ୍ତଜାର୍ତିକତାବାଦ ବଳି ପଡିଯାଏ । ଏହି ଭାବନାର ଅହଂକାରରେ ନିମଗ୍ନ ହୋଇ ଅନ୍ୟ ଦେଶର ନାଗରିକଙ୍କୁ ତୁଚ୍ଛ ମଣିବା ଆରମ୍ଭ ହୋଇଯାଏ । ‘ପ୍ରଥମେ ଆମେରିକା’ (‘ଆମେରିକା ଫାର୍ଷ୍ଟ’) ଓ ଆମେରିକାକୁ ‘ପୁଣି ଥରେ ମହାନ’ କରିବା (‘ଗ୍ରେଟ ଏଗେନ’) ଆଦି ଟ୍ରମ୍ପଙ୍କ ବାର୍ତ୍ତାମାନ ନିଶ୍ଚିତ ଭାବେ ଶକ୍ତିଶାଳୀ ଜାତୀୟତାବାଦକୁ ପ୍ରୋତ୍ସାହନ ଦେବାର ପ୍ରଚେଷ୍ଟା ମାତ୍ର । ତେବେ ଏହି ନବ-ଜାତୀୟତାବାଦର ଉନ୍ମେଷ କେବଳ ଆମେରିକା ପର୍ଯ୍ୟନ୍ତ ସୀମିତ ନୁହେଁ । ବରଂ ୟୁରୋପ ଏବଂ ଏସିଆର ଅନେକ ଦେଶ ମଧ୍ୟ ଏହାର କବଳିତ । ବାସ୍ତବ ପକ୍ଷେ, ସୋଭିଏତ ସଂଘର ବିଘଟନ ପରେ ଏହି ଧାରା ପୁଟିନଙ୍କ ଦ୍ୱାରା ପ୍ରଥମେ ପ୍ରବର୍ତ୍ତିତ ହୋଇଥିଲା ରୁଷିଆରେ । ଚୀନ ରାଷ୍ଟ୍ରପତିଙ୍କ ‘ଚୀନ ରାଷ୍ଟ୍ରର ମହାନ ନବଯୌବନ ହାସଲ’ ସ୍ଳୋଗାନ ହେଉ ବା ବ୍ରିଟେନର ବ୍ରେକ୍ସିଟ ମାଧ୍ୟମରେ ୟୁରୋପୀୟ ୟୁନିଅନରୁ ଓହରିଯିବା ପ୍ରସଙ୍ଗ ହେଉ, ଏ ସବୁ ପଛରେ ରହିଛି ଜାତୀୟତାବାଦର ଉଚ୍ଚାଟ ଉଚ୍ଚାରଣ ମାଧ୍ୟମରେ ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେବା । ‘ନିୟୁ ଇଣ୍ଡିଆ’ ସ୍ଳୋଗାନ ମଧ୍ୟ ସେହି ଧାରାର ଏକ ସମ୍ପ୍ରସାରଣ ।  

ମାନବିକ ଅଧିକାର ପ୍ରତି ଅବଜ୍ଞା ପ୍ରଦର୍ଶନ ଫାସିବାଦ ଆଗମନର ଦ୍ୱିତୀୟ ଲକ୍ଷଣ । ଆତଙ୍କବାଦର ମୁକାବିଲା ପ୍ରସଙ୍ଗରେ ଟ୍ରମ୍ପଙ୍କ ଚର୍ଚ୍ଚିତ ଉକ୍ତି ‘ଯନ୍ତ୍ରଣା କାମ ଦିଏ’(ଟରଚର ଓାର୍କସ)ରୁ ମାନବିକ ଅଧିକାର ଉଲ୍ଲଂଘନକୁ ଏଇ ଧରଣର ଶାସକମାନେ କିପରି ଭ୍ରୁକ୍ଷେପ କରନ୍ତି ନାହିଁ ବା ଏଥି ନେଇ ଉଦବିଗ୍ନ ନୁହନ୍ତି, ତାହା ସୁସ୍ପଷ୍ଟ । ତୃତୀୟ ଲକ୍ଷଣଟି ହେଉଛି ଦେଶବାସୀଙ୍କୁ ବାନ୍ଧି ରଖିବା ପାଇଁ ଦେଶର ଶତ୍ରୁମାନଙ୍କୁ ଚିହ୍ନଟ କରିବା । ଆତଙ୍କବାଦୀ, ଆଇଏସଆଇଏସ, କୌଣସି ଦେଶ ବା କୌଣସି ମୌଳବାଦୀ ସଂଗଠନ ଆଡୁ ସମ୍ଭାବିତ ଆକ୍ରମଣ ଆଦିକୁ ଦର୍ଶାଇ ଲୋକଙ୍କୁ ଉଦବିଗ୍ନ କରାଇ ସେମାନଙ୍କ ମଧ୍ୟରେ ଭୟ ସଞ୍ଚାର କରାଯାଇଥାଏ । ସ୍ଥଳ ବିଶେଷରେ ଏହି ଆଶଙ୍କା ବାସ୍ତବ ହୋଇଥିଲା ବେଳେ ଅନ୍ୟ ସମୟରେ ଏହା କାଳ୍ପନିକ ହୋଇଥାଏ । ସମ୍ପୃକ୍ତ ଶାସକଙ୍କ ପରି ଜଣେ ଦୃଢ ଶାସକ ହିଁ କେବଳ ଏହାର ମୁକାବିଲା କରି ପାରିବ କହି ଦେଶବାସୀଙ୍କ ଅକୁଣ୍ଠ ସମର୍ଥନ ହାସଲ କରି ହୋଇଥାଏ । ମା’ମାନେ ଛୋଟ ପିଲାଙ୍କୁ ଖୁଆଇଲା ବେଳେ ‘ଖାଇ ଦେ ନହେଲେ ବାୟା ଆସିବ’ କହିବା ଯାହା, ଇଏ ଠିକ ସେହି ଶ୍ରେଣୀର ।

ଦେଶରେ ଉଗ୍ର ଲିଙ୍ଗବାଦର ପ୍ରସାର ହେବାକୁ ଚତୁର୍ଥ ଲକ୍ଷଣ ଭାବେ ଗ୍ରହଣ କରାଯାଇପାରେ । ଲିଙ୍ଗବାଦରେ ଲୋକଙ୍କୁ ଲିଙ୍ଗ ଆଧାରରେ ବିବେଚନା କରାଯାଏ ଓ ଲୋକଙ୍କୁ ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହେବାକୁ ହୋଇଥାଏ । ସେହିପରି ସାମରିକ ଆଧିପତ୍ୟ ବିସ୍ତାର (ମିଲିଟାରୀ ସୁପ୍ରିମେସି) ଫାସିବାଦ ଆଗମନର ପଞ୍ଚମ ଲକ୍ଷଣ । ଗଣମାଧ୍ୟମର କଣ୍ଠରୋଧ କରି ତାକୁ ଶାସକ ନିଜ ନିୟନ୍ତ୍ରଣକୁ ଆଣିବାର ପ୍ରବୃତ୍ତିରେ ବୃଦ୍ଧି ହେବାକୁ ଷଷ୍ଠ ଲକ୍ଷଣ କୁହାଯିବ । ଟ୍ରମ୍ପ ନିର୍ବାଚିତ ହେବାର କିଛି ଦିନ ପରେ ତାଙ୍କର ପ୍ରମୁଖ ରଣନୀତିକାର ଷ୍ଟିଫେନ ବେନନ କହିଥିଲେ ଯେ ଏଣିକି ମିଡିଆ ମୁହଁ ବନ୍ଦ ରଖିବା ଉଚିତ । ସାମ୍ବାଦିକଙ୍କ ଅସହଜ ପ୍ରଶ୍ନରେ ଉତକ୍ଷିପ୍ତ ହେବା, ତାକୁ ଏଡାଇବା ପାଇଁ ସାମ୍ବାଦିକ ସମ୍ମିଳନୀର ସମ୍ମୁଖୀନ ନ ହେବାର ମାନସିକତା ଶାସକଠାରେ ଦେଖା ଦେଇଥାଏ । ଏଣେ ନିୟମିତ ଭାବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହି ମହିମାମଣ୍ଡିତ ହେବାର ଲୋଭ ମଧ୍ୟ ତାଠାରେ ଥାଏ । ତେଣୁ ଅନୁଗୃହୀତ କରି ହେଉ ବା ସରକାରୀ କଳକୌଶଳର ପ୍ରୟୋଗ ମାଧ୍ୟମରେ ଭୟଭୀତ କରାଇ ହେଉ ମିଡିଆକୁ ନିଜ ସପକ୍ଷରେ ନେବାର ଉଦ୍ୟମ ଆରମ୍ଭ ହୋଇଯାଏ, କାରଣ ମିଡିଆ ସରକାରଙ୍କ ସପକ୍ଷରେ ରହିଲେ ହିଟଲରଙ୍କ ପ୍ରଚାର ମନ୍ତ୍ରୀ ଗୋବେଲ୍ସଙ୍କ ସିଦ୍ଧାନ୍ତ ଅନୁଯାୟୀ ଗୋଟିଏ ମିଛକୁ ବାରମ୍ବାର କହି ତାକୁ ସତର ଭ୍ରମ ସୃଷ୍ଟି କରିବା ସହଜ ହୋଇଥାଏ । କ୍ରମଶଃ ମିଡିଆର କେତେକ ସରକାରଙ୍କ ପ୍ରଚାର ଅଙ୍ଗ ଭଳି ଆଚରଣ କରିବା ଆରମ୍ଭ କରିଦିଅନ୍ତି । ସରକାରଙ୍କର, ବିଶେଷ କରି ଶାସନ ମୁଖ୍ୟଙ୍କର ସ୍ତୁତିଗାନ କରିବା ଏହି ଧରଣର ମିଡିଆର ଏକମାତ୍ର ଲକ୍ଷ୍ୟ ହୋଇପଡେ । ଜନତାଙ୍କ ନିକଟରେ ଉତ୍ତରଦାୟୀ ନିର୍ବାଚିତ ସରକାରଙ୍କୁ ତାଙ୍କ ଦାୟିତ୍ୱ ନିର୍ବାହରେ ହେଉଥିବା ଭୁଲଭଟକା ପାଇଁ ପ୍ରଶ୍ନ ନ ପଚାରି ଧ୍ୟାନ ବିକେନ୍ଦ୍ରିତ କରିବା ପାଇଁ ବିରୋଧୀ ଦଳକୁ ତାର ଅତୀତର କାର୍ଯ୍ୟକଳାପ ପାଇଁ ବାରମ୍ବାର କାଠଗଡାରେ ଠିଆ କରିବାର ଉଦ୍ୟମ ଜାରି ରହେ । ଏହି ଧରଣର ମିଡିଆକୁ ହିନ୍ଦୀରେ ‘ଗୋଦି ମିଡିଆ’ କୁହାଯାଉଥିବା ବେଳେ ଓଡିଆରେ ‘ପୋଷା ମିଡିଆ’ର ଆଖ୍ୟା ଦିଆଯାଇପାରେ । ଭାରତରେ ମଧ୍ୟ ଗଣମାଧ୍ୟମର ସିଂହଭାଗ ଏବେ କର୍ପୋରେଟ ହାଉସ ନିୟନ୍ତ୍ରଣରେ ଥିବା ବେଳେ ଇତି ମଧ୍ୟରେ ସରକାରଙ୍କୁ ସମାଲୋଚନା କରୁଥିବା ବା ଅସହଜ ପ୍ରଶ୍ନ ପଚାରି ଅସୁବିଧାରେ ପକାଉଥିବା ସାମ୍ବାଦିକଙ୍କୁ ଚାକିରୀ ହରାଇବାକୁ ପଡିଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ।

ଜାତୀୟ ସୁରକ୍ଷା ପ୍ରତି ଅତ୍ୟଧିକ ଆବେଶ ସପ୍ତମ ଲକ୍ଷଣ ଭାବେ ଗୋଟିଏ ଦେଶକୁ ଫାସିବାଦର ନିକଟତର କରିଥାଏ । ଏ ଭଳି ଦେଶମାନଙ୍କ ପାଇଁ ଜାତୀୟ ସୁରକ୍ଷାର ସଂଜ୍ଞା ଆଉ କେବଳ ଭୌଗୋଳିକ ସୀମାର ସୁରକ୍ଷା ଭିତରେ ଆବଦ୍ଧ ହୋଇ ନରହି ତାହା ତାକୁ ଡେଇଁ ବିଶ୍ୱର ଯେ କୌଣସି ସ୍ଥାନରେ ଦେଶର ଯେ କୌଣସି ରାଜନୈତିକ, ଅର୍ଥନୈତିକ, ସାମରିକ ସ୍ୱାର୍ଥର ସୁରକ୍ଷା ଦେବା ଯାଏଁ ପରିବ୍ୟାପ୍ତ ହୋଇଥାଏ । ଏଥିପାଇଁ ଅନ୍ୟ ଦେଶ ଭିତରକୁ ଅନୁପ୍ରବେଶ କରିବା ପାଇଁ ମଧ୍ୟ କୁଣ୍ଠା ପ୍ରକାଶ ପାଇ ନଥାଏ । ଜାତୀୟ ସୁରକ୍ଷାର ଏ ଭଳି ବ୍ୟାଖ୍ୟା ବିଶ୍ୱ ଶାନ୍ତି ପାଇଁ ବିପଜ୍ଜନକ ହୋଇଥାଏ । ସେହିପରି ଧର୍ମ ଓ ସରକାର ପରସ୍ପରଠାରୁ ଦୂରତା ବଜାୟ ରଖିବା ଉଚିତ । ଏ ଦୁହେଁ  ପରସ୍ପର ସହ ବିଜଡିତ ହେବା ବା ନିକଟତର ହେବା ଫାସିବାଦ ଆଗମନର ଅଷ୍ଟମ ଲକ୍ଷଣ ।

ସରକାରଙ୍କ ଦ୍ୱାରା କର୍ପୋରେଟମାନଙ୍କ ସ୍ୱାର୍ଥ ଅଧିକ ସୁରକ୍ଷିତ ହେବା ଫାସିବାଦ ସଂକ୍ରମଣର ନବମ ଲକ୍ଷଣ । ସରକାର ଓ କର୍ପୋରେଟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇ କର୍ପୋରେଟଙ୍କୁ ସୁହାଇଲା ଭଳି ଦେଶର ନୀତି ନିର୍ଦ୍ଧାରଣ ହେବାକୁ ଲାଗେ । ସେଥିରେ ପ୍ରତିଦ୍ୱନ୍ଦ୍ୱୀ ସରକାରୀ ସଂସ୍ଥାର କ୍ଷତି ହେଲେ ମଧ୍ୟ ତାକୁ ଅଣଦେଖା କରାଯାଏ । ଏହାର ତାର୍କିକ ବିସ୍ତାର ହେଉଛି ଶ୍ରମଶକ୍ତିର ଦମନ, ଯାହା ଦଶମ ଲକ୍ଷଣ ଭାବେ ଉଭା ହୋଇଥାଏ । ଏହାଦ୍ୱାରା କମ୍ପାନୀମାନେ ସିଧାସଳଖ ଲାଭବାନ ହୋଇଥାନ୍ତି । ବସ୍ତୁତଃ, ସଂଗଠିତ ଶ୍ରମଶକ୍ତି ଫାସିବାଦୀ ସରକାର ପ୍ରତି ଏକମାତ୍ର ବିପଦ ହୋଇଥିବାରୁ ତାକୁ ଦମନ କରିବାର ସମସ୍ତ ଉଦ୍ୟମ କରାଯାଇଥାଏ । ଶ୍ରମ ସଂଗଠନଗୁଡିକୁ ନିଶ୍ଟିହ୍ନ କରିି ଦିଆଯାଏ ବା ଏପରି ନିଷ୍କ୍ରିୟ କରି ଦିଆଯାଏ ଯଦ୍ୱାରା ସେମାନେ ସ୍ଥାଣୁ ପାଲଟି ଯାଆନ୍ତି ।

ବୁଦ୍ଧିଜୀବୀ ଓ କଳାକାରଙ୍କୁ ସମ୍ମାନ ନ ଦେବା ଓ ସେମାନଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରିବା ଫାସିବାଦ ଆଗମନର ଏକାଦଶ ଲକ୍ଷଣ । ଏ ଭଳି ସ୍ଥିତିରେ କାହାକୁ ତାର ଲେଖା ପାଇଁ ତ କାହାକୁ କାର୍ଟୁନ, ଅଭିନୟ, ଗୀତ ବା ସିନେମା ପାଇଁ ଶାସକୀୟ ଆକ୍ରୋଶର ଶିକାର ହେବାକୁ ହୋଇଥାଏ । ଅପରାଧ ଓ ଦଣ୍ଡ ପ୍ରତି ଅତ୍ୟଧିକ ଆବେଶ ସୃଷ୍ଟି ହେଲେ ତାହା ଦ୍ୱାଦଶ ଲକ୍ଷଣ ଭାବେ ଫାସିବାଦ ଆଡକୁ ମୁହାଁଇଥାଏ । ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା ନାଁରେ ପୋଲିସ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇପଡେ । କିଛି ଫାସିବାଦ ସମର୍ଥକ ଦେଶପ୍ରେମ ନାଁରେ ପୋଲିସ ଅତ୍ୟାଚାରକୁ ଅଣ ଦେଖା କରିବା ସହ ନାଗରିକ ସ୍ୱାଧୀନତାକୁ ଜଳାଞ୍ଜଳି ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇଯାନ୍ତି । ବିଶେଷ କରି ଦଣ୍ଡ ପ୍ରଦାନ ବେଳେ ଦୋହରା ମାପଦଣ୍ଡ ଅନୁସୃତ ହୋଇ ଫାସିବାଦ ସପକ୍ଷରେ ଥିବା ଲୋକଙ୍କୁ ଆଇନର ଊଦ୍ଧ୍ୱର୍ରେ ଥିବା ପରି ବ୍ୟବହାର କରାଯାଉଥିବା ବେଳେ ବିରୋଧୀମାନଙ୍କୁ ଆଇନଗତ ସମସ୍ତ ଅଧିକାରରୁ ବଞ୍ଚିତ କରାଯାଏ । ନିଜ ବନ୍ଧୁବାନ୍ଧବ ଓ ଅନ୍ତରଙ୍ଗଙ୍କୁ ଲାଭ ପହଞ୍ଚାଇବା ଓ ଦୁର୍ନୀତିର ମାତ୍ରା ଅତ୍ୟଧିକ ହେବା ହେଉଛି ଫାସିବାଦ ସଂକ୍ରମଣର ତ୍ରୟୋଦଶ ଲକ୍ଷଣ । ଫଳରେ ସମଗ୍ର ଶାସନ ବ୍ୟବସ୍ଥାରେ ଦୁର୍ନୀତି ସଞ୍ଚରି ଯାଏ । ସେତେବେଳେ ଦେଶର ସ୍ୱାର୍ଥରକ୍ଷା ଅପେକ୍ଷା ମୁଷ୍ଟିମେୟ ଅନ୍ତରଙ୍ଗଙ୍କୁ ଲାଭାନ୍ୱିତ କରିବା ପ୍ରାଥମିକତା ହାସଲ କରେ । ଫାସିବାଦ ଆଗମନର ଅନ୍ତିମ ଲକ୍ଷଣଟି ହେଉଛି ଦେଶରେ ଏକ ପ୍ରତାରଣାମୂଳକ ନିର୍ବାଚନ ଅନୁଷ୍ଠିତ କରାଇ ଶାସନ ଦଖଲ କରିବା । ନିର୍ବାଚନ ଶାସକକୁ ବୈଧତା ପ୍ରଦାନ କରୁଥିବାରୁ ନିର୍ବାଚନ ପ୍ରକ୍ରିୟାରେ ଚଞ୍ଚକତା କରି ଶାସନକୁ ଆସିବା ଏହି ଧରଣର ଶାସକଙ୍କ ଲକ୍ଷ୍ୟ ହୋଇପଡେ, ଯାହା ଗଣତନ୍ତ୍ର ପାଇଁ ବିପଜ୍ଜନକ ।

ର୍ତ୍ତମାନ ବିଶ୍ୱର କେତେକ ଦେଶରେ ଉପରୋକ୍ତ ଲକ୍ଷଣଗୁଡିକ ଦୃଷ୍ଟିଗୋଚର ହେଉଥିବାରୁ ସେ ସବୁ ଦେଶ ଫାସିବାଦର ନିକଟତର ହେଉଥିବା ଆଶଙ୍କା ପ୍ରକାଶ ପାଉଛି । ଏ ପରିପ୍ରେକ୍ଷୀରେ ମହୁଆ ମୈତ୍ରଙ୍କ ଦୃଢ ବିଶ୍ୱାସ ଯେ ଭାରତରେ ଉପରୋକ୍ତ ଲକ୍ଷଣ ମଧ୍ୟରୁ ସାତୋଟି ଲକ୍ଷଣ (ପ୍ରଥମ, ଦ୍ୱିତୀୟ, ଷଷ୍ଠ, ସପ୍ତମ, ଅଷ୍ଟମ, ଏକାଦଶ ଓ ଚତୁର୍ଦ୍ଦଶ) ଦେଖା ଦେଇଥିବାରୁ ଦେଶ ଫାସିବାଦ ଆଡକୁ  ଅଗ୍ରସର ହେଉଛି । ତାଙ୍କର ଏହି ବିଶ୍ୱାସ ସହ କିଛି ଲୋକ ସହମତ ହୋଇପାରନ୍ତି ଓ ଆଉ କିଛି ଲୋକ ଅସହମତ । ତେବେ ଦେଶ ଯେପରି କେବେ ବି ଫାସିବାଦ କବଳିତ ନହୁଏ ସେଥିପାଇଁ ଉପରୋକ୍ତ ଲକ୍ଷଣଗୁଡିକୁ ଦୃଷ୍ଟିରେ ରଖି ସଚେତନ ନାଗରିକମାନେ ସଦା ସର୍ବଦା ସତର୍କତା ଅବଲମ୍ବନ କରିବା ଉଚିତ । କାରଣ ନାଗରିକଙ୍କ ନିରବଚ୍ଛିନ୍ନ ସତର୍କତା ହିଁ ଗଣତନ୍ତ୍ରକୁ ଦୀର୍ଘଜୀବୀ କରିଥାଏ ।

Published in various Odia dailies, web magazines (Matrubhasa - 18.09.19, Amruta Dunia - 18.09.19, Sanchar - 19.09.19, Prajatantra - 19.09.19, Odisha Express - 19.09.19, Swadhikar - 19.09.19, Odisha.live - 19.09.19, Manthan -  22.09.19, Odisha,live.com, Nua Dunia -16 to 23 September, Samadrushti 16-30 September) 

Comments

  1. You have touched a very vital issues through which our country is passing through. Intelctuals to study seriously. Saral babu thanks for your analysis.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍