Skip to main content

ନିର୍ବାଚନରେ ଅର୍ଥ ଓ ବାହୁବଳ

ନିର୍ବାଚନରେ ପ୍ରାର୍ଥୀ ଚୟନ ବେଳେ ଆମେ ଉଇନେବିଲିଟି (ଜିତିବା ସମ୍ଭାବନା) ଉପରେ ଅଧିକ ଗୁରୁତ୍ୱ ଦେଉଛୁ’, ଏ କଥା ଯେ କୌଣସି ରାଜନୈତିକ ଦଳର ମୁଣ୍ଡିଆଳମାନେ ମୁଖସ୍ତ କଲା ଭଳି କହିଥାନ୍ତି । ତେବେ ଏହି ଉଇନେବିଲିଟିର ଅର୍ଥ, ନିର୍ବାଚନରେ ଟିକେଟ ଆଶାୟୀ ଜଣେ ନେତାଙ୍କୁ ଏକ ନୂଆ ଦଳରେ ଯୋଗ ଦେବା ଅବସରରେ ପଚରା ଯାଉଥିବା ପ୍ରଶ୍ନରୁ ହିଁ ବୁଝି ହେବ । ‘କେତେ ଖର୍ଚ୍ଚ କରି ପାରିବେ (ପାଖରେ କଳା ଟଙ୍କା କେତେ ଅଛି)?’ ‘ହାତରେ କେତେ ଟୋକା (ବେକାର, ଅସାମାଜିକ ହେଲେ ଆହୁରି ଭଲ) ଅଛନ୍ତି?’ ଅର୍ଥାତ୍, ଏଣିକି ଟଙ୍କା ଆଉ ଟୋକା ଉଇନେବିଲିଟିର ପରିମାପକ ପାଲଟିଛି । ନିଜ ପାଖରେ ଟଙ୍କା ନଥିଲେ ବି ଚଳିବ, ଯଦି ଆପଣଙ୍କ ସମର୍ଥନରେ କିଛି ମାଲଦାର ଅସାଧୁ ବ୍ୟବସାୟୀ, କଣ୍ଟ୍ରାକ୍ଟର ବା ଶିଳ୍ପପତି ଛିଡା ହୋଇ ଟଙ୍କା ଢାଳିବାକୁ ପ୍ରସ୍ତୁତ ଥାଆନ୍ତି । କ୍ରମଶଃ, ଅନେକ ପ୍ରାର୍ଥୀଙ୍କ ଦକ୍ଷତା, ଯୋଗ୍ୟତା ଗୌଣ ହୋଇ ପଡୁଛିି । ବ୍ୟୟ ବହୁଳ ହୋଇ ପଡିଥିବାରୁ ସାଧାରଣ ଲୋକଟିଏ ପକ୍ଷରେ ନିର୍ବାଚନ ଲଢିବା ଅସମ୍ଭବ ହୋଇ ପଡିଲାଣି । ଟଙ୍କା ଫୋପାଡି ପାରୁଥିବା ଲୋକଟି ପଛରେ ଜନ୍ଦାପିମ୍ପୁଡି ଭଳି କର୍ମୀମାନେ ମାଳମାଳ ବୁଲିଥାନ୍ତି । ତାକୁ ‘ପାରିବାର ଲୋକ’ କୁହା ଯାଉଥିବା ବେଳେ ଟଙ୍କା ଫୋପାଡିବାର କ୍ଷମତା ନଥିଲେ ‘ଧଇଁଆ ପାର୍ଟି’ ବୋଲି ଅଭିହିତ କରିଥାନ୍ତି । ଉଦବେଗର ବିଷୟ, ନିର୍ବାଚନୀ ରାଜନୀତି ଅର୍ଥସର୍ବସ୍ୱ ହୋଇ ପଡିଥିବାରୁ ଏଣିକି ବିଧାନସଭା ଓ ଲୋକସଭାରେ କୋଟିପତିଙ୍କୁ ଗଣି ହେଉନାହିଁ ।

ଣ୍ଟରନ୍ୟାସନାଲ ଆଇଡିଆ (ଇନଷ୍ଟିଚ୍ୟୁଟ ଫର୍ ଡେମୋକ୍ରେସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ) ସଂସ୍ଥା ୧୭୨ଟି ଦେଶର ନିର୍ବାଚନୀ ବ୍ୟବସ୍ଥା ସମ୍ପର୍କରେ ଯେଉଁ ତଥ୍ୟ ସଂଗ୍ରହ କରିଛନ୍ତି ସେଥିରୁ ବିଭିନ୍ନ ଦେଶରେ ନିର୍ବାଚନ ବ୍ୟବସ୍ଥା କିପରି କ୍ରମଶଃ ବ୍ୟୟବହୁଳ ହେବାରେ ଲାଗିିଛି, ତାହା ବୁଝିହୁଏ । ବିଭିନ୍ନ ପରିମାପକକୁ ଭିତ୍ତି କରି ଏ ସମସ୍ତ ତଥ୍ୟ ସଂଗୃହୀତ ହୋଇଥିଲେ ମଧ୍ୟ ଯେଉଁ ଦୁଇଟି ପରିମାପକ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ତନ୍ମଧ୍ୟରୁ ପ୍ରଥମଟି, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ସାଧାରଣ ଜନତା ଆର୍ଥିକ ଦାନ ବା ସହଯୋଗ କରିବାର କୌଣସି ସର୍ବୋଚ୍ଚ ସୀମା ଅଛି କି? ଦ୍ୱିତୀୟଟି, ନିର୍ବାଚନରେ ଜଣେ ପ୍ରାର୍ଥୀ ସର୍ବାଧିକ କେତେ ଖର୍ଚ୍ଚ କରପାରିବେ? ଏ ପ୍ରସଙ୍ଗରେ ଓଇସିଡି ରାଷ୍ଟ୍ରସମୂହରେ ସମ୍ମିଳିତ ୩୬ଟି ଅପେକ୍ଷାକୃତ ଉନ୍ନତ ଦେଶର ସ୍ଥିତିକୁ ତର୍ଜମା କଲେ କେତେକ ପ୍ରଚଳିତ ସର୍ବଶ୍ରେଷ୍ଠ ପ୍ରଣାଳୀ ସମ୍ପର୍କରେ ଧାରଣା ହୋଇପାରେ । ଏମାନଙ୍କ ମଧ୍ୟରୁ ପର୍ତୁଗାଲ ଓ ମେକ୍ସିକୋରେ ସମସ୍ତ ଚାନ୍ଦା କେବଳ ଦଳକୁ ଦିଆଯାଇଥାଏ, ପ୍ରାର୍ଥୀଙ୍କୁ ନୁହେଁ । ଅଷ୍ଟ୍ରେଲିଆ, ଡେନମାର୍କ, ନେଦରଲାଣ୍ଡସ, ନରଓ୍ଵେ, ସୁଇଜରଲାଣ୍ଡ, ସ୍ପେନ, ତୁର୍କୀ ଆଦି ଦେଶମାନଙ୍କରେ ଉଭୟ ଚାନ୍ଦା ପ୍ରଦାନ ଓ ନିର୍ବାଚନ ଖର୍ଚ୍ଚ ଉପରେ କୌଣସି ସୀମା ଧାର୍ଯ୍ୟ ହୋଇନାହିଁ । ତେବେ ଏପରି ଆଇନ ରହିଛି ଯଦ୍ୱାରା ଜଣେ ଚାହିଁଲେ ବି ଅଧିକ ଖର୍ଚ୍ଚ କରିପାରିବ ନାହିଁ । ଉଦାହରଣ ସ୍ୱରୂପ, କୌଣସି ପ୍ରାର୍ଥୀ ଟିଭିରେ ବିଜ୍ଞାପନ ଦେଇ ପାରିବେ ନାହିଁ । ନିର୍ବାଚନର ବହୁ ପୂର୍ବରୁ ପ୍ରଚାର କରିପାରିବେ ନାହିଁ, ପ୍ରତିପକ୍ଷକୁ ଆକ୍ରମଣ କରି ବିଜ୍ଞାପନ ଦେଇ ପାରିବେ ନାହିଁ, ଇତ୍ୟାଦି । ଅନ୍ୟ ପକ୍ଷରେ ଫ୍ରାନ୍ସ, ବେଲଜିୟମ, କାନାଡା, ଗ୍ରୀସ, ଜାପାନ, ଇସ୍ରାଏଲ, ଦକ୍ଷିଣ କୋରିଆ, ପୋଲାଣ୍ଡ ଭଳି ଦେଶମାନଙ୍କରେ ଉଭୟ ଚାନ୍ଦା ଦେବା ଓ ଖର୍ଚ୍ଚ କରିବା ଉପରେ ସର୍ବୋଚ୍ଚ ସୀମା ଧାର୍ଯ୍ୟ ହୋଇଛି । କାନାଡାରେ ଜଣେ ସାଧାରଣ ନାଗରିକ ଚାନ୍ଦା ଆକାରରେ ସର୍ବାଧିକ ୧୧୦୦ ଡଲାର ଦେଇ ପାରୁଥିବା ବେଳେ, ଜାପାନରେ ୧୫ ଲକ୍ଷ ୟେନ (ପ୍ରାୟ ୧୪୫୦୦ ଡଲାର) ଦେଇ ପାରନ୍ତି । ଏହି ଦେଶମାନଙ୍କରେ ନିର୍ବାଚନୀ ଖର୍ଚ୍ଚର ସର୍ବୋଚ୍ଚ ସୀମାକୁ କମ ରଖାଯାଇଛି । ବ୍ରିଟେନ, ଅଷ୍ଟ୍ରିଆ, ଇଟାଲି, ନିଉଜିଲାଣ୍ଡ ଆଦି ଦେଶରେ ଖର୍ଚ୍ଚ କରିବାର ସୀମା ଧାର୍ଯ୍ୟ ହୋଇଥିଲେ ମଧ୍ୟ ଚାନ୍ଦା ପ୍ରଦାନ ଉପରେ କୌଣସି ସୀମା ନଥିବାରୁ ପ୍ରାର୍ଥୀଙ୍କୁ ଚାନ୍ଦା ସଂଗ୍ରହ ପାଇଁ ଖୁବ ବେଶି ଚିନ୍ତିତ ହେବାକୁ ପଡି ନଥାଏ । ଅନ୍ୟ ପକ୍ଷରେ ଆମେରିକା ଓ ଫିନଲାଣ୍ଡରେ ଖର୍ଚ୍ଚ ଉପରେ କୌଣସି ସୀମା ଧାର୍ଯ୍ୟ ହୋଇ ନଥିବା ବେଳେ ଚାନ୍ଦା ପ୍ରଦାନର ସୀମା ରହିଛି । ଆମେରିକାର ନାଗରିକ ଜଣେ ପ୍ରାର୍ଥୀଙ୍କୁ ଫେଡେରାଲ ନିର୍ବାଚନର ପ୍ରାଥମିକ ପର୍ଯ୍ୟାୟରେ ୨୭୦୦ ଡଲାର ଓ ସାଧାରଣ ପର୍ଯ୍ୟାୟରେ ଆଉ ୨୭୦୦ ଡଲାର, ଏହିପରି ସର୍ବାଧିକ ୫୪୦୦ ଡଲାର ଦେଇ ପାରିବେ । ଜଣେ କୋଟିପତି ମଧ୍ୟ ଏହାଠାରୁ ଅଧିକ ଦେଇ ପାରି ନଥାଏ । ଫଳରେ ପ୍ରାର୍ଥୀଙ୍କ ପକ୍ଷରେ ପାଣ୍ଠି ସଂଗ୍ରହ ଏକ ବଡ ଆହ୍ୱାନ ହୋଇ ପଡେ । ବିଭିନ୍ନ ଦେଶରେ ପ୍ରଚଳିତ ସର୍ବଶ୍ରେଷ୍ଠ ପ୍ରଣାଳୀ ମଧ୍ୟରୁ କେତୋଟିକୁ ଭାରତରେ ପ୍ରୟୋଗରେ ଅଣାଯାଇପାରନ୍ତା । ଅବଶ୍ୟ ଭାରତରେ ମଧ୍ୟ ଜଣେ ବିଧାନ ସଭା ପ୍ରାର୍ଥୀ ପାଇଁ ସର୍ବାଧିକ ୨୦ରୁ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ସୀମା ଧାର୍ଯ୍ୟ ହୋଇଥିବା ବେଳେ, ଲୋକସଭା ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହି ସୀମା ୫୦ ରୁ ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲେ ବି ପ୍ରାର୍ଥୀଙ୍କ ପାଇଁ ଦଳ ବହନ କରୁଥିବା ଖର୍ଚ୍ଚକୁ ପ୍ରାର୍ଥୀଙ୍କ ଖାତାରେ ଯୋଡା ହୋଇ ନଥାଏ । ଅଧିକାଂଶ ପ୍ରାର୍ଥୀ ଯେ ଏହି ନିର୍ଦ୍ଧାରିତ ଖର୍ଚ୍ଚଠାରୁ ଢେର ଅଧିକ ଖର୍ଚ୍ଚ କରିଥାନ୍ତି, ତାହା କାହାକୁ ଅଛପା ନାହିଁ ।

ବିଭିନ୍ନ ଦେଶରେ ନିର୍ବାଚନ ବ୍ୟୟବହୁଳ ହେବାର ଭିନ୍ନ ଭିନ୍ନ କାରଣ ରହିଛି । ଯେମିତି ଆମେରିକା ଓ କେତେକ ପଶ୍ଚିମ ୟୁରୋପୀୟ ଦେଶମାନଙ୍କରେ ନିର୍ବାଚନୀ ଖର୍ଚ୍ଚର ସିଂହଭାଗ ଟେଲିଭିଜନ ବିଜ୍ଞାପନରେ ହୋଇଥାଏ । ଏହି ଅପବ୍ୟୟକୁ ରୋକିବା ପାଇଁ ଜର୍ମାନୀ ଏକ ଅଭିନବ ଉପାୟ ଅବଲମ୍ବନ କରିଛିି । ସେଠାରେ ପ୍ରତିଟି ରାଜନୈତିକ ଦଳ ଏକ ୯୦ ସେକେଣ୍ଡ ବିଶିଷ୍ଟ ନିର୍ବାଚନୀ ବିଜ୍ଞାପନ ପ୍ରସ୍ତୁତ କରିଥାନ୍ତି । ଦୁଇଟି ପ୍ରମୁଖ ଜାତୀୟ ଟିଭି ଚ୍ୟାନେଲରେ ଏହି ବିଜ୍ଞାପନ ପ୍ରଦର୍ଶିତ ହୋଇଥାଏ ଓ ସରକାର ଏହାର ସମ୍ପୂର୍ଣ୍ଣ ବ୍ୟୟ ବହନ କରିଥାନ୍ତି । ତେବେ ପୂର୍ବ ନିର୍ବାଚନରେ ଦଳ ପାଇଥିବା ଭୋଟ ଆଧାରରେ ଆନୁପାତିକ ଭାବେ କେଉଁ ଦଳର ବିଜ୍ଞାପନକୁୁ କେତେ ଥର ପ୍ରଦର୍ଶନ କରିବାକୁ ଦିଆଯିବ, ତାହା ସ୍ଥିର ହୋଇଥାଏ । ଅପେକ୍ଷାକୃତ ଛୋଟ ଦଳଗୁଡିକର ବିଜ୍ଞାପନକୁ ମଧ୍ୟ ପ୍ରଦର୍ଶନ କରାଯାଇଥାଏ । ଏହାଦ୍ୱାରା ବିତ୍ତଶାଳୀ ଦଳଗୁଡିକ ଚାହିଁଲେ ବି ଅଧିକ ଟିଭି ବିଜ୍ଞାପନ କରିପାରୁ ନଥିବା ବେଳେ ଛୋଟ ଦଳଗୁଡିକ ଅର୍ଥାଭାବ ଯୋଗୁ ଟିଭିିରେ ବିଜ୍ଞାପନ ଦେବାରୁ ବଞ୍ଚିତ ହୁଅନ୍ତି ନାହିଁ ଓ ସବୁ ଦଳ ପାଇଁ ଏକ ଅପେକ୍ଷାକୃତ ସମତଳ ନିର୍ବାଚନୀ ରଣାଙ୍ଗନ ପ୍ରସ୍ତୁତ ହୋଇପାରେ ।

ଭାରତରେ ନିର୍ବାଚନ ବ୍ୟୟବହୁଳ ହେବାର ଏକ ପ୍ରମୁଖ କାରଣ ହେଲା ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଟଙ୍କା, ମଦ, ମାଂସ, ଭୋଜି ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିବା ପାଇଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା । ବଡ ବଡ ହୋର୍ଡିଙ୍ଗ, ବ୍ୟାନର, ପୋଷ୍ଟର ଓ ଅନ୍ୟ ମୁଦ୍ରିତ ସାମଗ୍ରୀ ପ୍ରସ୍ତୁତ କରିବାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଥାଏ । ଏଥି ସହ ବଡ ବଡ ନିର୍ବାଚନୀ ରାଲି, ରୋଡ ସୋ’ ଆଦିର ଆୟୋଜନରେ ମଧ୍ୟ ପ୍ରଚୁର ଅର୍ଥ ବ୍ୟୟ ହୋଇଥାଏ । ଭୋଟରଙ୍କୁ ବୁଥ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଦଳ ତରଫରୁ ବୁଥ ସ୍ତରରୁ ଆରମ୍ଭ କରି ସମଗ୍ର ନିର୍ବାଚନୀ ତନ୍ତ୍ରକୁ ପରିଚାଳନା କରିବା ଲାଗି ଯଥେଷ୍ଟ ଖର୍ଚ୍ଚ କରିବାକୁ ହୋଇଥାଏ । ଏଥିରୁ କେତୋଟିକୁ ବାଦ ଦେଇ ଖର୍ଚ୍ଚ କମାଇ ହେବ । ପ୍ରଥମତଃ, ବଡ ବଡ ରାଲି ଆୟୋଜନ ଉପରେ ପ୍ରତିବନ୍ଧକ ଲାଗିବା ଉଚିତ । ଏହାଦ୍ୱାରା ହେଲିକପ୍ଟରର ଅପବ୍ୟବହାରଠାରୁ ଆରମ୍ଭ କରି ବିଶାଳ ଆୟୋଜନ ବାବଦ ଖର୍ଚ୍ଚ ଅନାବଶ୍ୟକ ହୋଇ ପଡିବ । ଅନ୍ୟ ପକ୍ଷରେ ସାଧାରଣ ସଭା ଆୟୋଜନ ପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ନିର୍ବାଚନ ମଣ୍ଡଳୀର କେତେକ ସ୍ଥାନରେ ଅସ୍ଥାୟୀ ସଭାମଞ୍ଚ ନିର୍ମାଣ କରି ବିଭିନ୍ନ ଦଳକୁ ଦିଆଯାଇପାରେ । ଅନ୍ୟଥା ଗୋଟିଏ ମଞ୍ଚରେ ଏକତ୍ର ସବୁ ପ୍ରାର୍ଥୀଙ୍କୁ ଭାଷଣ ଦେବାର ସୁଯୋଗ ଦିଆଗଲେ ମତଦାତା ଯୋଗ୍ୟ ପ୍ରାର୍ଥୀଙ୍କୁ ସହଜରେ ବାଛି ପାରିବେ । ଆଜିକାଲି ‘ବାଇକ ରାଲି’ ମାଧ୍ୟମରେ ପ୍ରାର୍ଥୀମାନେ ସର୍ବ ସମ୍ମୁଖରେ ନିଜ ପତିଆରାର ନଗ୍ନ ପ୍ରଦର୍ଶନ କରୁଛନ୍ତି । ଏହା ମଧ୍ୟ ପରୋକ୍ଷରେ ଭୋଟରଙ୍କଠାରେ ଭୀତି ସଞ୍ଚାର କରିଥାଏ । ତେଣୁ ନିର୍ବାଚନ ସମୟରେ ବାଇକ ରାଲିକୁ ନିଷେଧ କରାଗଲେ ତାହା ନିର୍ବାଚନୀ ଖର୍ଚ୍ଚ କମାଇବା ସହ ଏକ ଭୀତିଶୂନ୍ୟ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ ।

ଏତଦବ୍ୟତୀତ ନିର୍ବାଚନ ସମୟରେ ଭୋଟରଙ୍କୁ ବଣ୍ଟା ହେଉଥିବା ଟଙ୍କା, ମଦ, ମାଂସ ଆଦି ନିର୍ବାଚନକୁ ବ୍ୟୟବହୁଳ କରିବା ସହ ସମଗ୍ର ପ୍ରକ୍ରିୟାକୁ କଳୁଷିତ କରୁଛି । ଏହାକୁ ପ୍ରତିହତ କରିବା ପାଇଁ ନାଗରିକ ସମାଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । ବସ୍ତୁତଃ, ମିଜୋରାମରେ ଗତ ବିଧାନସଭା ନିର୍ବାଚନରେ ମିଜୋ ପିପୁଲସ ଫୋରମ ନାମକ ସାମାଜିକ ସଂଗଠନ ନେତୃତ୍ୱରେ ସେଠାକାର ସଚେତନ ନାଗରିକ ସମାଜ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ସବୁ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଦେବା ପାଇଁ ପଦକ୍ଷେପ ନେଇଥିଲେ । ଗୋଟିଏ ଅଞ୍ଚଳରେ ଲାଗୁଥିବା ବ୍ୟାନର, ପୋଷ୍ଟର, ପତାକାର ସର୍ବାଧିକ ଆକାର ଓ ସଂଖ୍ୟା ମଧ୍ୟ ଏହି ସଂସ୍ଥା ସ୍ଥିର କରିଥିଲା । ଘର ଘର ବୁଲି ପ୍ରଚାର କରିବାକୁ ଉତ୍ସାହିତ କରାଯାଉଥିଲା ବେଳେ କୌଣସି ରାଲି ବା ଶୋଭାଯାତ୍ରା କରିବାକୁ ପ୍ରଶ୍ରୟ ଦିଆଯାଉ ନଥିଲା । ଭୋଟରମାନଙ୍କୁ ଯେପରି ଭୋଜିଭାତ, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ ଓ ପ୍ରତିଶ୍ରୁତି ମାଧ୍ୟମରେ ପ୍ରଲୋଭିତ କରା ନ ଯାଏ ସେଥିପ୍ରତି ମଧ୍ୟ ସଂଗଠନ ତରଫରୁ କଡା ନଜର ରଖାଯାଉଥିଲା । ଫଳରେ ନିର୍ବାଚନ ଅପେକ୍ଷାକୃତ ମୁକ୍ତ ଓ ଅବାଧ ହେବା ସଙ୍ଗେସଙ୍ଗେ ନିର୍ବାଚନୀ ଖର୍ଚ୍ଚ ଯଥେଷ୍ଟ କମ ହୋଇ ଏହାର ସୁଫଳ ମିଳି ପାରିଥିଲା ।

ଜଣେ ସଚେତନ ନାଗରିକ ଭାବେ ନିଜ ଭୋଟକୁ ବିବେକାନୁସାରେ ଦେବା ଯେତିକି ଆବଶ୍ୟକ ଅନ୍ୟ କେହି ଲୋଭ ବା ଭୟର ବଶବର୍ତ୍ତୀ ହୋଇ ଭୋଟଦାନ କରୁଥିଲେ ତାକୁ ପ୍ରତିହତ କରିବା ମଧ୍ୟ ସେତିକି ଜରୁରୀ । ଅର୍ଥ ଓ ବାହୁବଳ କବଳରୁ ଗଣତନ୍ତ୍ରକୁ ସୁରକ୍ଷା ଦେବାକୁ ହେଲେ ମିଜୋରାମ ଭଳି ଓଡିଶାରେ ମଧ୍ୟ ସାମାଜିକ ସଂଗଠନମାନେ ସକ୍ରିୟ ଭୂମିକା ଗ୍ରହଣ କରି ଗାଁଠାରୁ ସହର ଯାଏଁ ହେଉଥିବା ବିଭିନ୍ନ ନିର୍ବାଚନୀ ଦୁର୍ନୀତିକୁ ସୋସିଆଲ ମିଡିଆରେ ଉଜାଗର କରିବା ଦରକାର । କାରଣ ଅର୍ଥ ଓ ବାହୁବଳରେ ସଂଗୃହୀତ ଖଣ୍ଡିିଏ ଭୋଟ ମଧ୍ୟ ଜଣେ ଅଯୋଗ୍ୟ ବ୍ୟକ୍ତିକୁ ନୀତି ନିର୍ଦ୍ଧାରକର ଆସନରେ ବସାଇବା ପାଇଁ ଯଥେଷ୍ଟ ହୋଇ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିପାରେ ।

Published in Odia Daily Sambad on March 18, 2019.

Comments

  1. Hard truth laid down. What has been elaborated is actually the ground truth.
    Adoption of Mizoram policy seems to be a very good and effeffect suggestion. Question is whether public of Odisha with a volatile mind can sincerely adopt and make it effective !
    I wish they do.
    Congratulation Mr Das for your analytical scrutiny and sincere
    suggestion.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍