Skip to main content

ନାଗରିକତା ଆଇନ ସଂଶୋଧନ ପ୍ରୟାସ

ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ଆସାମ ଆନ୍ଦୋଳନ ସମୟରେ ଜୀବନ ହରାଇଥିବା ଆନ୍ଦୋଳନକାରୀଙ୍କୁ ମିଳିଥିବା ସ୍ମୃତିଚିହ୍ନ ଓ ମାନପତ୍ରକୁ ଫେରାଇବା ପାଇଁ ୮୫୫ ଜଣ ପରିବାର ସଦସ୍ୟ ଏକତ୍ରିତ ହେବା, ମଣିପୁରୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅରିବମ ଶ୍ୟାମ ଶର୍ମା ମିଳିଥିବା ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଘୋଷଣା କରିବା ପରେ ପ୍ରଖ୍ୟାତ ଆସାମୀ ଗାୟକ ଭୁପେନ ହଜାରିକାଙ୍କୁ ସଦ୍ୟ ପ୍ରଦାନ କରାଯାଇଥିବା ଭାରତରତ୍ନ ପୁରସ୍କାର ଗ୍ରହଣ କରିବାକୁ ତାଙ୍କ ପୁଅ ମନା କରିଦେବା ଘଟଣାରୁ ସ୍ପଷ୍ଟ ହେଲା ଯେ ସମଗ୍ର ଉତ୍ତର-ପୂର୍ବାଞ୍ଚଳରେ ସେହି ବିଲକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ କେତେ ଅଧିକ ଓ ପ୍ରତିବାଦର ସ୍ୱର କେତେ ଶାଣିତ ।  

ରାଜ୍ୟସଭାର ବିଧି ବ୍ୟବସ୍ଥା ଅନୁଯାୟୀ ଲୋକସଭାରେ ପାରିତ ନ ହୋଇ ଯଦି କୌଣସି ବିଲ ରାଜ୍ୟସଭାରେ ବିଚାରାଧୀନ ଥାଏ ତେବେ ତାହା ବିଲୋପ (ଲାପ୍ସ) ହୋଇ ନଥାଏ । ମାତ୍ର ଲୋକସଭାରେ ପାରିତ ହୋଇ ଯଦି କୌଣସି ବିଲ ଲୋକସଭାର କାର୍ଯ୍ୟକାଳ ପୂରିବା ମଧ୍ୟରେ ରାଜ୍ୟସଭାରେ ପାରିତ ହୋଇ ନଥାଏ ତେବେ ସେହି ବିଲଟି ବିଲୋପ ହୋଇଯାଏ । ଫଳରେ ତାହା ଆଉ ରାଜ୍ୟସଭାରେ ଆଗତ ଓ ପାରିତ ହୋଇ ନଥାଏ । ତଦନୁସାରେ ଲୋକସଭାରେ ଜାନୁଆରୀ ୮ ତାରିଖ ଦିନ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲ, ୨୦୧୬ ଷୋଡଶ ଲୋକସଭାର ଶେଷ କାର୍ଯ୍ୟ ଦିବସ, ଅର୍ଥାତ୍ ୧୩ ଫେବୃଆରୀ ୨୦୧୯ ସୁଦ୍ଧା ରାଜ୍ୟସଭାରେ ପାରିତ ହୋଇ ନଥିବାରୁ ବୈଷୟିକ ଦୃଷ୍ଟିରୁ ତାର ବିଲୋପ ଘଟିଲା ଓ ଫଳସ୍ୱରୂପ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ଲୋକେ ବିଜୟୋତ୍ସବ ପାଳନ କରି ଆନନ୍ଦ ଉଲ୍ଲାସ ପ୍ରଦର୍ଶନ କଲେ ।

ଆଫଗାନିସ୍ତାନ, ବଙ୍ଗଳାଦେଶ ଓ ପାକିସ୍ତାନରୁ ଉତ୍ପୀଡନର ଶିକାର ହୋଇ ପଳାୟନ କରିି ଭାରତରେ ବେଆଇନ ଭାବେ ବସବାସ କରୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଉଦ୍ଦେଶ୍ୟରେ ନାଗରିକତା ଆଇନ, ୧୯୫୫କୁ ସଂଶୋଧନ କରିବାକୁ ୧୯ ଜୁଲାଇ ୨୦୧୬ରେ ଲୋକସଭାରେ ଏକ ବିଲ୍ ଆଗତ ହୋଇଥିଲା । ଏହି ସଂଶୋଧନ ବିଲରେ ପୂର୍ବର ୧୧ ବର୍ଷ ସମୟ ସୀମାକୁ କୋହଳ କରି ଉପରୋକ୍ତ ଶ୍ରେଣୀର କୌଣସି ବ୍ୟକ୍ତି ଭାରତରେ ୬ ବର୍ଷ ଧରି ରହିଥିଲେ ସେ ସ୍ୱାଭାବିକ (ନେଚୁରାଲାଇଜେସନ) ଭାବେ ନାଗରିକତା ପାଇବାକୁ ହକଦାର ହେବେ ବୋଲି ମଧ୍ୟ ପ୍ରାବଧାନ ରହିଲା । ଏହା ଏକ ସଂଯୁକ୍ତ ସଂସଦୀୟ କମିଟି ଦ୍ୱାରା ତର୍ଜମା ହେବା ପରେ ୭ ଜାନୁଆରୀ ୨୦୧୯ରେ ଲୋକସଭାରେ ଆଗତ ହୋଇ ଗୋଟିଏ ଦିନ ମଧ୍ୟରେ ୮ ଜାନୁଆରୀରେ ପାରିତ ହୋଇଗଲା । ବିଲଟିକୁ ଲୋକସଭାରେ ପାରିତ କରାଇବାରେ ସରକାର ଯେଉଁ ତତ୍ପରତା ଦେଖାଇଲେ, ସେଥିରୁ ଆଶା କରାଯାଉଥିଲା ହୁଏତ ରାଜ୍ୟସଭାରେ ମଧ୍ୟ ତାହା ଖୁବ ଶୀଘ୍ର ପାରିତ ହୋଇଯିବ । କିନ୍ତୁ ତାହା ହୋଇ ପାରିଲା ନାହିଁ, କାରଣ ବିଲଟିକୁ ନେଇ ସମଗ୍ର ଉତ୍ତର-ପୂର୍ବାଞ୍ଚଳରେ ଯେଉଁ ଭଳି ବିରୋଧ ପ୍ରଦର୍ଶନ ହେଲା ତାହା ସରକାରଙ୍କୁ ଏକ ରକମ ପଶ୍ଚାତପଦ ହେବା ପାଇଁ ବାଧ୍ୟ କଲା ।

ଭାରତ ଏକ ଧର୍ମ ନିରପେକ୍ଷ ଦେଶ ଓ ନାଗରିକତା ସଂଶୋଧନ ବିଲରେ ଉତ୍ପୀଡିତ ମୁସଲମାନଙ୍କ ପାଇଁ ନାଗରିକତା ପ୍ରଦାନର କୌଣସି ଉଲ୍ଲେଖ ନଥିବାରୁ ଏହା ସମ୍ବିଧାନର ଧାରା ୧୪ର ବିରୁଦ୍ଧାଚରଣ କରୁଛି ବୋଲି ବିଶେଷଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି । ବଙ୍ଗଳାଦେଶୀ ହିନ୍ଦୁ ବଙ୍ଗାଳୀମାନଙ୍କୁ ନାଗରିକତା ପ୍ରଦାନ କରାଗଲେ ଆସାମ ଓ ଅନ୍ୟ ଜନଜାତି ଅଧ୍ୟୁଷିତ ଅଞ୍ଚଳର ଜନସଂଖ୍ୟାର ଚରିତ୍ର ବଦଳି ସେଠାକାର ଲୋକେ ସଂଖ୍ୟା ଲଘୁ ପାଲଟିଯିବେ ବୋଲି ଉତ୍ତର-ପୂର୍ବାଞ୍ଚଳର ଲୋକମାନଙ୍କ ଆଶଙ୍କା । ତେବେ ଭିନ୍ନ ଭିନ୍ନ ରାଜ୍ୟରେ ବିଲ ପ୍ରତି ଭିନ୍ନ କାରଣରୁ ବିରୋଧ ହେଉଛି । ଏହା ଉଭୟ ୧୯୮୫ର ଆସାମ ଚୁକ୍ତି ଓ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)ର ବିରୁଦ୍ଧାଚରଣ କରୁଥିବାରୁ ଆସାମର ରାଜନୈତିକ ଦଳଗୁଡିକ ଏହାର ବିରୋଧ କରୁଛନ୍ତି । ପୂର୍ବୋକ୍ତ ଚୁକ୍ତି ଓ  ଏନଆରସି ଅନୁଯାୟୀ ୨୫ ମାର୍ଚ୍ଚ ୧୯୭୧ଠାରୁ ଆସାମରେ ପ୍ରବେଶ କରିଥିବା ସମସ୍ତଙ୍କୁ ବିଦେଶୀ ବୋଲି ଗ୍ରହଣ କରାଯିବା କଥା, ଯାହା ବିଲର ପ୍ରାବଧାନରେ ନାହିଁ । ବଙ୍ଗଳାଦେଶୀ ହିନ୍ଦୁ ଶରଣାର୍ଥୀଙ୍କ ଅପେକ୍ଷା ବହୁ ସଂଖ୍ୟାରେ ଚକମା ବୌଦ୍ଧ ଶରଣାର୍ଥୀଙ୍କ ଅନୁପ୍ରବେଶକୁ ଆଶଙ୍କା କରି ମିଜୋରାମରେ ଏହାର ବିରୋଧ ହେଉଛି । ଆସୁ, ଅବସୁ ଭଳି ଉତ୍ତର-ପୂର୍ବାଞ୍ଚଳର ୨୪ଟି ଛାତ୍ର ସଂଗଠନ ନର୍ଥ-ଇଷ୍ଟ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ ମଞ୍ଚରେ ଏକଜୁଟ ହୋଇ  ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ । ସେହି ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ନାଗରିକ ସଂଗଠନ ବିଲକୁ ବିରୋଧ କରିବାକୁ ପଛାଇଲେ ନାହିଁ । ବଙ୍ଗଳାଦେଶରେ ହିନ୍ଦୁମାନେ ପ୍ରକୃତପକ୍ଷେ ଉତ୍ପୀଡନର ଶିକାର ହେଉଥିଲେ ସେଠାରେ ସଦ୍ୟ ସମ୍ପନ୍ନ ନିର୍ବାଚନରେ ୧୭ ଜଣ ହିନ୍ଦୁ ଏମପି କିପରି ଜିତିଲେ ବୋଲି ପାଲଟା ପ୍ରଶ୍ନ କଲେ । କେବଳ ଆସାମର ବଙ୍ଗାଳୀ ହିନ୍ଦୁ ଅଧ୍ୟୁଷିତ ବାରାକ ଉପତ୍ୟକା ଅଞ୍ଚଳରୁ ଏହି ବିଲ ସପକ୍ଷରେ ଖୋଲାଖୋଲି ସମର୍ଥନ ମିଳିଲା ।

ଉତ୍ତର-ପୂର୍ବାଞ୍ଚଳରେ ବିଲର ବିରୋଧ ହେବାର ସମ୍ଭାବନା ସତ୍ତ୍ଵେ ବିଜେପି ହିସାବ ନିକାଶ କରି ଏକ ସୁଚିନ୍ତିତ ରଣନୀତି ମାଧ୍ୟମରେ ବିଲଟିକୁ ପାରିତ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରିଥିଲା । ପ୍ରଥମତଃ, ଉତ୍ତର-ପୂର୍ବାଞ୍ଚଳର ଅଧିକାଂଶ ରାଜ୍ୟରେ ବିଜେପିର ନିଜସ୍ୱ ବା ମେଣ୍ଟ ସରକାର ଥିବାରୁ ସେଠାକାର  ୨୫ଟିି ସଂସଦୀୟ ଆସନ ମଧ୍ୟରୁ ଅଧିକାଂଶରେ ବିଜେପି ବା ସହଯୋଗୀ ଦଳ ବିଜୟୀ ହେବାର ସମ୍ଭାବନା ଦଳ ଦେଖୁଛି । ଦ୍ୱିତୀୟତଃ, ବଙ୍ଗଳାଦେଶରୁ ଆସିଥିବା ହିନ୍ଦୁ ବଙ୍ଗାଳୀଙ୍କୁ ନାଗରିକତା ପ୍ରଦାନ ପ୍ରସଙ୍ଗ ଉଠାଇ ପଶ୍ଚିମବଙ୍ଗର ବଙ୍ଗୀୟ ହିନ୍ଦୁଙ୍କ ହିତୈଷୀ ସାଜିବାର ପ୍ରତ୍ୟୟ ସୃଷ୍ଟି ମାଧ୍ୟମରେ ସେଠାକାର ୪୭ଟି ସଂସଦୀୟ ଆସନ ମଧ୍ୟରୁ ଅଧିକାଧିକ ଆସନ ହାତେଇବାର ଲକ୍ଷ୍ୟ ରଖିଛିି ।

ଇତି ମଧ୍ୟରେ ନାଗରିକତା ସଂଶୋଧନ ବିଲ ଯୋଗୁ ଉତ୍ତର-ପୂର୍ବାଞ୍ଚଳର ରାଜନୈତିକ ସମୀକରଣରେ  କେତେକ ପରିବର୍ତ୍ତନ ହୋଇ ସାରିଲାଣି ଓ ଆଗାମୀ ଦିନରେ ଏହାର ସମ୍ଭାବ୍ୟ ରାଜନୈତିକ ପ୍ରଭାବ ସମ୍ପର୍କରେ ତର୍ଜମା କରାଯାଇପାରେ । ବିଲକୁ ବିରୋଧ କରି ଏନଡିଏରେ ଭାଗିଦାର ଥିବା ଆସାମ ଗଣ ପରିଷଦ ଏନଡିଏ ତ୍ୟାଗ କରିବା ସହ ଆସାମରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରରୁ ଦୁଇ ମାସ ଧରି ସମ୍ପର୍କ ଚ୍ଛିନ୍ନ କରିବା ପରେ ନିବାଚନ ଅବ୍ୟବହିତ ପୂର୍ବରୁ ପୁଣି ଥରେ ଏନଡିଏରେ ସାମିଲ ହୋଇଛି । କୁହାଯାଉଛି, ବିଜେପିଠାରୁ ନାଗରିକତା ବିଲରେ ସଂଶୋଧନର ଆଶ୍ୱାସନା ପାଇବା ପରେ ଦଳ ଏ ଭଳି ପଦକ୍ଷେପ ନେଇଛି ।  ବିଲକୁ ବିରୋଧ କରିବାରେ ନ୍ୟାସନାଲ ପିପୁଲସ ପାର୍ଟି (ଏନପିପି)ର ନେତା ତଥା ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଅଗ୍ରଣୀ ଭୂମିକା ଗ୍ରହଣ କରିବା ସଙ୍ଗେସଙ୍ଗେ ଉତ୍ତର-ପୂର୍ବାଞ୍ଚଳର ବିଲ ବିରୋଧୀ ୧୧ଟି ରାଜନୈତିକ ଦଳକୁ ଗୋଟିଏ ମଞ୍ଚକୁ ଆଣିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଉଲ୍ଲେଖଯୋଗ୍ୟ, ଏମାନଙ୍କ ମଧ୍ୟରୁ ୭ଟି ଦଳ ଏନଡିଏର ସହଯୋଗୀ । ଏଥିମଧ୍ୟରୁ ଏନପିପି, ଏମଏନଏଫ ଭଳି କେତେକ ଦଳ ବିଜେପି ନେତୃତ୍ୱାଧୀନ ନର୍ଥ ଇଷ୍ଟ ଡେମୋକ୍ରାଟିକ ଆଲାଏନ୍ସ (ନେଡା) ଓ ଏନଡିଏରୁ ଓହରିଯିବା ପାଇଁ ଧମକ ଦେଇ ବିଜେପି ଉପରେ ଚାପ ସୃଷ୍ଟି କରିବାକୁ ସମର୍ଥ ହେଲେ ।

ନାଗରିକତା ସଂଶୋଧନ ବିଲକୁ ବିରୋଧ କରିବା ପାଇଁ ସମଗ୍ର ଉତ୍ତର-ପୂର୍ବାଞ୍ଚଳର ଜନତା ଓ ରାଜନୈତିକ ଦଳ ନିଜ ନିଜର ରାଜନୈତିକ, ଜନଜାତିଗତ (ଏଥନିସିଟି) ମତ ପାର୍ଥକ୍ୟକୁ ଭୁଲି ଯେଉଁ ଭଳି ଭାବେ ଗୋଟିଏ ମଞ୍ଚରେ ଐକ୍ୟ ପ୍ରଦର୍ଶନ କଲେ ସେଥିରୁ ଆଗାମୀ ଦିନରେ ସେହି ଅଞ୍ଚଳରେ କେନ୍ଦ୍ର ବିରୋଧୀ ଏକ ନୂଆ ରାଜନୈତିକ ମଞ୍ଚ ଜନ୍ମ ନେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିିଁ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ପୋଷଣ କଲେଣି । ଏହି ପ୍ରକରଣରେ ବିଜେପି ନେତା ତଥା ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲଙ୍କ ନୀରବତା ଅବଲମ୍ବନ ତାଙ୍କ ଭାବମୂର୍ତ୍ତିକୁ ମଳିନ କରିଛି । ଏ ସବୁକୁ ବିଶ୍ଳେଷଣ କଲେ ଜଣା ପଡୁଛି, ହୁଏତ ବିଜେପି ଉତ୍ତର-ପୂର୍ବାଞ୍ଚଳରୁ ଆଶା ରଖିଥିବା ଅଧିକ ସଂଖ୍ୟକ ଆସନ ଲାଭ କରିବାରେ ସମର୍ଥ ହୋଇ ନପାରେ । ନାଗରିକତା ସଂଶୋଧନ ବିଲ ଯୋଗୁ ପଶ୍ଚିମ ବଙ୍ଗରେ ମଧ୍ୟ ବିଜେପି ସପକ୍ଷରେ ପ୍ରବଳ ଜନମତ ସୃଷ୍ଟି ହୋଇ ତାହା ଦଳକୁ ଅଧିକ ଆସନ ଜିତିବାରେ ସହାୟକ ହେବ ବୋଲି ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ମିଳୁନାହିଁ । କୌଣସି ନିର୍ବାଚନୀ ଲାଭକ୍ଷତିର ହିସାବ ନ କରି କେବଳ ଜନସ୍ୱାର୍ଥ ପାଇଁ ବିଲରେ ସଂଶୋଧନ ଅଣାଯାଇଥିଲେ ତାହା କିପରି ରାଜ୍ୟସଭାରେ ପାରିତ ହେବ ସେ ନେଇ ସରକାର ତତ୍ପରତା ଦେଖାଇଥାନ୍ତେ । ତାହା ହୋଇ ନଥିବାରୁ ବିଲଟିରେ ଯେ ନିର୍ବାଚନୀ ଲାଭ ହାସଲର ଉଦ୍ଦେଶ୍ୟ ମଧ୍ୟ ଅନ୍ତର୍ନିହିତ, ତାହା ସୁସ୍ପଷ୍ଟ । ତେବେ ନାଗରିକତା ଆଇନକୁ ସଂଶୋଧନ କରାଇବା ନେଇ ପ୍ରୟାସ ଦଳକୁ ଉଭୟ ଉତ୍ତର-ପୂର୍ବାଞ୍ଚଳ ଓ ପଶ୍ଚିମବଙ୍ଗରେ ଇପ୍ସିତ ନିର୍ବାଚନୀ ସଫଳତା ପ୍ରଦାନ କରିବାରେ ସହାୟକ ହେଉଛି ନା ବୁମେରାଂ ଭଳି ଘାତକ ସାବ୍ୟସ୍ତ ହେଉଛି ତାହା ଆଗାମୀ ଦିନରେ ପରିଷ୍କାର ହେବ ।

Published in Odia dailies Amruta Dunia - 24.03.19, Odisha Express - 24.03.19, Swadhikar - 24.03.19, Krantidhara - 24.03.19, Samanya Kathan - 24.03.19, Sanchar - 29.03.19

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍