ନିର୍ବାଚନରେ ପ୍ରାର୍ଥୀ ଚୟନ ବେଳେ ଆମେ ଉଇନେବିଲିଟି (ଜିତିବା ସମ୍ଭାବନା) ଉପରେ ଅଧିକ ଗୁରୁତ୍ୱ ଦେଉଛୁ’, ଏ କଥା ଯେ କୌଣସି ରାଜନୈତିକ ଦଳର ମୁଣ୍ଡିଆଳମାନେ ମୁଖସ୍ତ କଲା ଭଳି କହିଥାନ୍ତି । ତେବେ ଏହି ଉଇନେବିଲିଟିର ଅର୍ଥ, ନିର୍ବାଚନରେ ଟିକେଟ ଆଶାୟୀ ଜଣେ ନେତାଙ୍କୁ ଏକ ନୂଆ ଦଳରେ ଯୋଗ ଦେବା ଅବସରରେ ପଚରା ଯାଉଥିବା ପ୍ରଶ୍ନରୁ ହିଁ ବୁଝି ହେବ । ‘କେତେ ଖର୍ଚ୍ଚ କରି ପାରିବେ (ପାଖରେ କଳା ଟଙ୍କା କେତେ ଅଛି)?’ ‘ହାତରେ କେତେ ଟୋକା (ବେକାର, ଅସାମାଜିକ ହେଲେ ଆହୁରି ଭଲ) ଅଛନ୍ତି?’ ଅର୍ଥାତ୍, ଏଣିକି ଟଙ୍କା ଆଉ ଟୋକା ଉଇନେବିଲିଟିର ପରିମାପକ ପାଲଟିଛି । ନିଜ ପାଖରେ ଟଙ୍କା ନଥିଲେ ବି ଚଳିବ, ଯଦି ଆପଣଙ୍କ ସମର୍ଥନରେ କିଛି ମାଲଦାର ଅସାଧୁ ବ୍ୟବସାୟୀ, କଣ୍ଟ୍ରାକ୍ଟର ବା ଶିଳ୍ପପତି ଛିଡା ହୋଇ ଟଙ୍କା ଢାଳିବାକୁ ପ୍ରସ୍ତୁତ ଥାଆନ୍ତି । କ୍ରମଶଃ, ଅନେକ ପ୍ରାର୍ଥୀଙ୍କ ଦକ୍ଷତା, ଯୋଗ୍ୟତା ଗୌଣ ହୋଇ ପଡୁଛିି । ବ୍ୟୟ ବହୁଳ ହୋଇ ପଡିଥିବାରୁ ସାଧାରଣ ଲୋକଟିଏ ପକ୍ଷରେ ନିର୍ବାଚନ ଲଢିବା ଅସମ୍ଭବ ହୋଇ ପଡିଲାଣି । ଟଙ୍କା ଫୋପାଡି ପାରୁଥିବା ଲୋକଟି ପଛରେ ଜନ୍ଦାପିମ୍ପୁଡି ଭଳି କର୍ମୀମାନେ ମାଳମାଳ ବୁଲିଥାନ୍ତି । ତାକୁ ‘ପାରିବାର ଲୋକ’ କୁହା ଯାଉଥିବା ବେଳେ ଟଙ୍କା ଫୋପାଡିବାର କ୍ଷମତା ନଥିଲେ ‘ଧଇଁଆ ପାର୍ଟି’ ବୋଲି ଅଭିହିତ କରିଥାନ୍ତି । ଉଦବେଗର ବିଷୟ, ନିର୍ବାଚନୀ ରାଜନୀତି ଅର୍ଥସର୍ବସ୍ୱ ହୋଇ ପଡିଥିବାରୁ ଏଣିକି ବିଧାନସଭା ଓ ଲୋକସଭାରେ କୋଟିପତିଙ୍କୁ ଗଣି ହେଉନାହିଁ ।
ଇଣ୍ଟରନ୍ୟାସନାଲ ଆଇଡିଆ (ଇନଷ୍ଟିଚ୍ୟୁଟ ଫର୍ ଡେମୋକ୍ରେସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ) ସଂସ୍ଥା ୧୭୨ଟି ଦେଶର ନିର୍ବାଚନୀ ବ୍ୟବସ୍ଥା ସମ୍ପର୍କରେ ଯେଉଁ ତଥ୍ୟ ସଂଗ୍ରହ କରିଛନ୍ତି ସେଥିରୁ ବିଭିନ୍ନ ଦେଶରେ ନିର୍ବାଚନ ବ୍ୟବସ୍ଥା କିପରି କ୍ରମଶଃ ବ୍ୟୟବହୁଳ ହେବାରେ ଲାଗିିଛି, ତାହା ବୁଝିହୁଏ । ବିଭିନ୍ନ ପରିମାପକକୁ ଭିତ୍ତି କରି ଏ ସମସ୍ତ ତଥ୍ୟ ସଂଗୃହୀତ ହୋଇଥିଲେ ମଧ୍ୟ ଯେଉଁ ଦୁଇଟି ପରିମାପକ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ତନ୍ମଧ୍ୟରୁ ପ୍ରଥମଟି, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ସାଧାରଣ ଜନତା ଆର୍ଥିକ ଦାନ ବା ସହଯୋଗ କରିବାର କୌଣସି ସର୍ବୋଚ୍ଚ ସୀମା ଅଛି କି? ଦ୍ୱିତୀୟଟି, ନିର୍ବାଚନରେ ଜଣେ ପ୍ରାର୍ଥୀ ସର୍ବାଧିକ କେତେ ଖର୍ଚ୍ଚ କରପାରିବେ? ଏ ପ୍ରସଙ୍ଗରେ ଓଇସିଡି ରାଷ୍ଟ୍ରସମୂହରେ ସମ୍ମିଳିତ ୩୬ଟି ଅପେକ୍ଷାକୃତ ଉନ୍ନତ ଦେଶର ସ୍ଥିତିକୁ ତର୍ଜମା କଲେ କେତେକ ପ୍ରଚଳିତ ସର୍ବଶ୍ରେଷ୍ଠ ପ୍ରଣାଳୀ ସମ୍ପର୍କରେ ଧାରଣା ହୋଇପାରେ । ଏମାନଙ୍କ ମଧ୍ୟରୁ ପର୍ତୁଗାଲ ଓ ମେକ୍ସିକୋରେ ସମସ୍ତ ଚାନ୍ଦା କେବଳ ଦଳକୁ ଦିଆଯାଇଥାଏ, ପ୍ରାର୍ଥୀଙ୍କୁ ନୁହେଁ । ଅଷ୍ଟ୍ରେଲିଆ, ଡେନମାର୍କ, ନେଦରଲାଣ୍ଡସ, ନରଓ୍ଵେ, ସୁଇଜରଲାଣ୍ଡ, ସ୍ପେନ, ତୁର୍କୀ ଆଦି ଦେଶମାନଙ୍କରେ ଉଭୟ ଚାନ୍ଦା ପ୍ରଦାନ ଓ ନିର୍ବାଚନ ଖର୍ଚ୍ଚ ଉପରେ କୌଣସି ସୀମା ଧାର୍ଯ୍ୟ ହୋଇନାହିଁ । ତେବେ ଏପରି ଆଇନ ରହିଛି ଯଦ୍ୱାରା ଜଣେ ଚାହିଁଲେ ବି ଅଧିକ ଖର୍ଚ୍ଚ କରିପାରିବ ନାହିଁ । ଉଦାହରଣ ସ୍ୱରୂପ, କୌଣସି ପ୍ରାର୍ଥୀ ଟିଭିରେ ବିଜ୍ଞାପନ ଦେଇ ପାରିବେ ନାହିଁ । ନିର୍ବାଚନର ବହୁ ପୂର୍ବରୁ ପ୍ରଚାର କରିପାରିବେ ନାହିଁ, ପ୍ରତିପକ୍ଷକୁ ଆକ୍ରମଣ କରି ବିଜ୍ଞାପନ ଦେଇ ପାରିବେ ନାହିଁ, ଇତ୍ୟାଦି । ଅନ୍ୟ ପକ୍ଷରେ ଫ୍ରାନ୍ସ, ବେଲଜିୟମ, କାନାଡା, ଗ୍ରୀସ, ଜାପାନ, ଇସ୍ରାଏଲ, ଦକ୍ଷିଣ କୋରିଆ, ପୋଲାଣ୍ଡ ଭଳି ଦେଶମାନଙ୍କରେ ଉଭୟ ଚାନ୍ଦା ଦେବା ଓ ଖର୍ଚ୍ଚ କରିବା ଉପରେ ସର୍ବୋଚ୍ଚ ସୀମା ଧାର୍ଯ୍ୟ ହୋଇଛି । କାନାଡାରେ ଜଣେ ସାଧାରଣ ନାଗରିକ ଚାନ୍ଦା ଆକାରରେ ସର୍ବାଧିକ ୧୧୦୦ ଡଲାର ଦେଇ ପାରୁଥିବା ବେଳେ, ଜାପାନରେ ୧୫ ଲକ୍ଷ ୟେନ (ପ୍ରାୟ ୧୪୫୦୦ ଡଲାର) ଦେଇ ପାରନ୍ତି । ଏହି ଦେଶମାନଙ୍କରେ ନିର୍ବାଚନୀ ଖର୍ଚ୍ଚର ସର୍ବୋଚ୍ଚ ସୀମାକୁ କମ ରଖାଯାଇଛି । ବ୍ରିଟେନ, ଅଷ୍ଟ୍ରିଆ, ଇଟାଲି, ନିଉଜିଲାଣ୍ଡ ଆଦି ଦେଶରେ ଖର୍ଚ୍ଚ କରିବାର ସୀମା ଧାର୍ଯ୍ୟ ହୋଇଥିଲେ ମଧ୍ୟ ଚାନ୍ଦା ପ୍ରଦାନ ଉପରେ କୌଣସି ସୀମା ନଥିବାରୁ ପ୍ରାର୍ଥୀଙ୍କୁ ଚାନ୍ଦା ସଂଗ୍ରହ ପାଇଁ ଖୁବ ବେଶି ଚିନ୍ତିତ ହେବାକୁ ପଡି ନଥାଏ । ଅନ୍ୟ ପକ୍ଷରେ ଆମେରିକା ଓ ଫିନଲାଣ୍ଡରେ ଖର୍ଚ୍ଚ ଉପରେ କୌଣସି ସୀମା ଧାର୍ଯ୍ୟ ହୋଇ ନଥିବା ବେଳେ ଚାନ୍ଦା ପ୍ରଦାନର ସୀମା ରହିଛି । ଆମେରିକାର ନାଗରିକ ଜଣେ ପ୍ରାର୍ଥୀଙ୍କୁ ଫେଡେରାଲ ନିର୍ବାଚନର ପ୍ରାଥମିକ ପର୍ଯ୍ୟାୟରେ ୨୭୦୦ ଡଲାର ଓ ସାଧାରଣ ପର୍ଯ୍ୟାୟରେ ଆଉ ୨୭୦୦ ଡଲାର, ଏହିପରି ସର୍ବାଧିକ ୫୪୦୦ ଡଲାର ଦେଇ ପାରିବେ । ଜଣେ କୋଟିପତି ମଧ୍ୟ ଏହାଠାରୁ ଅଧିକ ଦେଇ ପାରି ନଥାଏ । ଫଳରେ ପ୍ରାର୍ଥୀଙ୍କ ପକ୍ଷରେ ପାଣ୍ଠି ସଂଗ୍ରହ ଏକ ବଡ ଆହ୍ୱାନ ହୋଇ ପଡେ । ବିଭିନ୍ନ ଦେଶରେ ପ୍ରଚଳିତ ସର୍ବଶ୍ରେଷ୍ଠ ପ୍ରଣାଳୀ ମଧ୍ୟରୁ କେତୋଟିକୁ ଭାରତରେ ପ୍ରୟୋଗରେ ଅଣାଯାଇପାରନ୍ତା । ଅବଶ୍ୟ ଭାରତରେ ମଧ୍ୟ ଜଣେ ବିଧାନ ସଭା ପ୍ରାର୍ଥୀ ପାଇଁ ସର୍ବାଧିକ ୨୦ରୁ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ସୀମା ଧାର୍ଯ୍ୟ ହୋଇଥିବା ବେଳେ, ଲୋକସଭା ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହି ସୀମା ୫୦ ରୁ ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲେ ବି ପ୍ରାର୍ଥୀଙ୍କ ପାଇଁ ଦଳ ବହନ କରୁଥିବା ଖର୍ଚ୍ଚକୁ ପ୍ରାର୍ଥୀଙ୍କ ଖାତାରେ ଯୋଡା ହୋଇ ନଥାଏ । ଅଧିକାଂଶ ପ୍ରାର୍ଥୀ ଯେ ଏହି ନିର୍ଦ୍ଧାରିତ ଖର୍ଚ୍ଚଠାରୁ ଢେର ଅଧିକ ଖର୍ଚ୍ଚ କରିଥାନ୍ତି, ତାହା କାହାକୁ ଅଛପା ନାହିଁ ।
ବିଭିନ୍ନ ଦେଶରେ ନିର୍ବାଚନ ବ୍ୟୟବହୁଳ ହେବାର ଭିନ୍ନ ଭିନ୍ନ କାରଣ ରହିଛି । ଯେମିତି ଆମେରିକା ଓ କେତେକ ପଶ୍ଚିମ ୟୁରୋପୀୟ ଦେଶମାନଙ୍କରେ ନିର୍ବାଚନୀ ଖର୍ଚ୍ଚର ସିଂହଭାଗ ଟେଲିଭିଜନ ବିଜ୍ଞାପନରେ ହୋଇଥାଏ । ଏହି ଅପବ୍ୟୟକୁ ରୋକିବା ପାଇଁ ଜର୍ମାନୀ ଏକ ଅଭିନବ ଉପାୟ ଅବଲମ୍ବନ କରିଛିି । ସେଠାରେ ପ୍ରତିଟି ରାଜନୈତିକ ଦଳ ଏକ ୯୦ ସେକେଣ୍ଡ ବିଶିଷ୍ଟ ନିର୍ବାଚନୀ ବିଜ୍ଞାପନ ପ୍ରସ୍ତୁତ କରିଥାନ୍ତି । ଦୁଇଟି ପ୍ରମୁଖ ଜାତୀୟ ଟିଭି ଚ୍ୟାନେଲରେ ଏହି ବିଜ୍ଞାପନ ପ୍ରଦର୍ଶିତ ହୋଇଥାଏ ଓ ସରକାର ଏହାର ସମ୍ପୂର୍ଣ୍ଣ ବ୍ୟୟ ବହନ କରିଥାନ୍ତି । ତେବେ ପୂର୍ବ ନିର୍ବାଚନରେ ଦଳ ପାଇଥିବା ଭୋଟ ଆଧାରରେ ଆନୁପାତିକ ଭାବେ କେଉଁ ଦଳର ବିଜ୍ଞାପନକୁୁ କେତେ ଥର ପ୍ରଦର୍ଶନ କରିବାକୁ ଦିଆଯିବ, ତାହା ସ୍ଥିର ହୋଇଥାଏ । ଅପେକ୍ଷାକୃତ ଛୋଟ ଦଳଗୁଡିକର ବିଜ୍ଞାପନକୁ ମଧ୍ୟ ପ୍ରଦର୍ଶନ କରାଯାଇଥାଏ । ଏହାଦ୍ୱାରା ବିତ୍ତଶାଳୀ ଦଳଗୁଡିକ ଚାହିଁଲେ ବି ଅଧିକ ଟିଭି ବିଜ୍ଞାପନ କରିପାରୁ ନଥିବା ବେଳେ ଛୋଟ ଦଳଗୁଡିକ ଅର୍ଥାଭାବ ଯୋଗୁ ଟିଭିିରେ ବିଜ୍ଞାପନ ଦେବାରୁ ବଞ୍ଚିତ ହୁଅନ୍ତି ନାହିଁ ଓ ସବୁ ଦଳ ପାଇଁ ଏକ ଅପେକ୍ଷାକୃତ ସମତଳ ନିର୍ବାଚନୀ ରଣାଙ୍ଗନ ପ୍ରସ୍ତୁତ ହୋଇପାରେ ।
ଭାରତରେ ନିର୍ବାଚନ ବ୍ୟୟବହୁଳ ହେବାର ଏକ ପ୍ରମୁଖ କାରଣ ହେଲା ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଟଙ୍କା, ମଦ, ମାଂସ, ଭୋଜି ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିବା ପାଇଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା । ବଡ ବଡ ହୋର୍ଡିଙ୍ଗ, ବ୍ୟାନର, ପୋଷ୍ଟର ଓ ଅନ୍ୟ ମୁଦ୍ରିତ ସାମଗ୍ରୀ ପ୍ରସ୍ତୁତ କରିବାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଥାଏ । ଏଥି ସହ ବଡ ବଡ ନିର୍ବାଚନୀ ରାଲି, ରୋଡ ସୋ’ ଆଦିର ଆୟୋଜନରେ ମଧ୍ୟ ପ୍ରଚୁର ଅର୍ଥ ବ୍ୟୟ ହୋଇଥାଏ । ଭୋଟରଙ୍କୁ ବୁଥ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଦଳ ତରଫରୁ ବୁଥ ସ୍ତରରୁ ଆରମ୍ଭ କରି ସମଗ୍ର ନିର୍ବାଚନୀ ତନ୍ତ୍ରକୁ ପରିଚାଳନା କରିବା ଲାଗି ଯଥେଷ୍ଟ ଖର୍ଚ୍ଚ କରିବାକୁ ହୋଇଥାଏ । ଏଥିରୁ କେତୋଟିକୁ ବାଦ ଦେଇ ଖର୍ଚ୍ଚ କମାଇ ହେବ । ପ୍ରଥମତଃ, ବଡ ବଡ ରାଲି ଆୟୋଜନ ଉପରେ ପ୍ରତିବନ୍ଧକ ଲାଗିବା ଉଚିତ । ଏହାଦ୍ୱାରା ହେଲିକପ୍ଟରର ଅପବ୍ୟବହାରଠାରୁ ଆରମ୍ଭ କରି ବିଶାଳ ଆୟୋଜନ ବାବଦ ଖର୍ଚ୍ଚ ଅନାବଶ୍ୟକ ହୋଇ ପଡିବ । ଅନ୍ୟ ପକ୍ଷରେ ସାଧାରଣ ସଭା ଆୟୋଜନ ପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ନିର୍ବାଚନ ମଣ୍ଡଳୀର କେତେକ ସ୍ଥାନରେ ଅସ୍ଥାୟୀ ସଭାମଞ୍ଚ ନିର୍ମାଣ କରି ବିଭିନ୍ନ ଦଳକୁ ଦିଆଯାଇପାରେ । ଅନ୍ୟଥା ଗୋଟିଏ ମଞ୍ଚରେ ଏକତ୍ର ସବୁ ପ୍ରାର୍ଥୀଙ୍କୁ ଭାଷଣ ଦେବାର ସୁଯୋଗ ଦିଆଗଲେ ମତଦାତା ଯୋଗ୍ୟ ପ୍ରାର୍ଥୀଙ୍କୁ ସହଜରେ ବାଛି ପାରିବେ । ଆଜିକାଲି ‘ବାଇକ ରାଲି’ ମାଧ୍ୟମରେ ପ୍ରାର୍ଥୀମାନେ ସର୍ବ ସମ୍ମୁଖରେ ନିଜ ପତିଆରାର ନଗ୍ନ ପ୍ରଦର୍ଶନ କରୁଛନ୍ତି । ଏହା ମଧ୍ୟ ପରୋକ୍ଷରେ ଭୋଟରଙ୍କଠାରେ ଭୀତି ସଞ୍ଚାର କରିଥାଏ । ତେଣୁ ନିର୍ବାଚନ ସମୟରେ ବାଇକ ରାଲିକୁ ନିଷେଧ କରାଗଲେ ତାହା ନିର୍ବାଚନୀ ଖର୍ଚ୍ଚ କମାଇବା ସହ ଏକ ଭୀତିଶୂନ୍ୟ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ ।
ଏତଦବ୍ୟତୀତ ନିର୍ବାଚନ ସମୟରେ ଭୋଟରଙ୍କୁ ବଣ୍ଟା ହେଉଥିବା ଟଙ୍କା, ମଦ, ମାଂସ ଆଦି ନିର୍ବାଚନକୁ ବ୍ୟୟବହୁଳ କରିବା ସହ ସମଗ୍ର ପ୍ରକ୍ରିୟାକୁ କଳୁଷିତ କରୁଛି । ଏହାକୁ ପ୍ରତିହତ କରିବା ପାଇଁ ନାଗରିକ ସମାଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । ବସ୍ତୁତଃ, ମିଜୋରାମରେ ଗତ ବିଧାନସଭା ନିର୍ବାଚନରେ ମିଜୋ ପିପୁଲସ ଫୋରମ ନାମକ ସାମାଜିକ ସଂଗଠନ ନେତୃତ୍ୱରେ ସେଠାକାର ସଚେତନ ନାଗରିକ ସମାଜ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ସବୁ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଦେବା ପାଇଁ ପଦକ୍ଷେପ ନେଇଥିଲେ । ଗୋଟିଏ ଅଞ୍ଚଳରେ ଲାଗୁଥିବା ବ୍ୟାନର, ପୋଷ୍ଟର, ପତାକାର ସର୍ବାଧିକ ଆକାର ଓ ସଂଖ୍ୟା ମଧ୍ୟ ଏହି ସଂସ୍ଥା ସ୍ଥିର କରିଥିଲା । ଘର ଘର ବୁଲି ପ୍ରଚାର କରିବାକୁ ଉତ୍ସାହିତ କରାଯାଉଥିଲା ବେଳେ କୌଣସି ରାଲି ବା ଶୋଭାଯାତ୍ରା କରିବାକୁ ପ୍ରଶ୍ରୟ ଦିଆଯାଉ ନଥିଲା । ଭୋଟରମାନଙ୍କୁ ଯେପରି ଭୋଜିଭାତ, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ ଓ ପ୍ରତିଶ୍ରୁତି ମାଧ୍ୟମରେ ପ୍ରଲୋଭିତ କରା ନ ଯାଏ ସେଥିପ୍ରତି ମଧ୍ୟ ସଂଗଠନ ତରଫରୁ କଡା ନଜର ରଖାଯାଉଥିଲା । ଫଳରେ ନିର୍ବାଚନ ଅପେକ୍ଷାକୃତ ମୁକ୍ତ ଓ ଅବାଧ ହେବା ସଙ୍ଗେସଙ୍ଗେ ନିର୍ବାଚନୀ ଖର୍ଚ୍ଚ ଯଥେଷ୍ଟ କମ ହୋଇ ଏହାର ସୁଫଳ ମିଳି ପାରିଥିଲା ।
ଜଣେ ସଚେତନ ନାଗରିକ ଭାବେ ନିଜ ଭୋଟକୁ ବିବେକାନୁସାରେ ଦେବା ଯେତିକି ଆବଶ୍ୟକ ଅନ୍ୟ କେହି ଲୋଭ ବା ଭୟର ବଶବର୍ତ୍ତୀ ହୋଇ ଭୋଟଦାନ କରୁଥିଲେ ତାକୁ ପ୍ରତିହତ କରିବା ମଧ୍ୟ ସେତିକି ଜରୁରୀ । ଅର୍ଥ ଓ ବାହୁବଳ କବଳରୁ ଗଣତନ୍ତ୍ରକୁ ସୁରକ୍ଷା ଦେବାକୁ ହେଲେ ମିଜୋରାମ ଭଳି ଓଡିଶାରେ ମଧ୍ୟ ସାମାଜିକ ସଂଗଠନମାନେ ସକ୍ରିୟ ଭୂମିକା ଗ୍ରହଣ କରି ଗାଁଠାରୁ ସହର ଯାଏଁ ହେଉଥିବା ବିଭିନ୍ନ ନିର୍ବାଚନୀ ଦୁର୍ନୀତିକୁ ସୋସିଆଲ ମିଡିଆରେ ଉଜାଗର କରିବା ଦରକାର । କାରଣ ଅର୍ଥ ଓ ବାହୁବଳରେ ସଂଗୃହୀତ ଖଣ୍ଡିିଏ ଭୋଟ ମଧ୍ୟ ଜଣେ ଅଯୋଗ୍ୟ ବ୍ୟକ୍ତିକୁ ନୀତି ନିର୍ଦ୍ଧାରକର ଆସନରେ ବସାଇବା ପାଇଁ ଯଥେଷ୍ଟ ହୋଇ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିପାରେ ।
Published in Odia Daily Sambad on March 18, 2019.
Hard truth laid down. What has been elaborated is actually the ground truth.
ReplyDeleteAdoption of Mizoram policy seems to be a very good and effeffect suggestion. Question is whether public of Odisha with a volatile mind can sincerely adopt and make it effective !
I wish they do.
Congratulation Mr Das for your analytical scrutiny and sincere
suggestion.
Thanks. A beginning can be made.
Delete