Skip to main content

ଭାରତର ଅର୍ଥନୀତି ନେଇ ଦୁଇ ଖବର

ଏଇ ସପ୍ତାହକ ଭିତରେ ଦେଶର ଅର୍ଥନୀତିକୁ ନେଇ ଦୁଇଟି ବଡ଼ ଖବର ପ୍ରକାଶ ପାଇଛି। ପ୍ରଥମଟି, ଜାପାନକୁ ପଛରେ ପକାଇ ଭାରତ ଚତୁର୍ଥ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହେବା ସହ ଏହାର ଅର୍ଥନୀତିର ଆକାର ୪ ଟ୍ରିଲିଅନ୍ (ଲକ୍ଷ କୋଟି) ଡଲାର ଟପିଯାଇଛି।, ଏକ ଉଲ୍ଲସିତ ହେଲା ଭଳି ଖବର। କୁହାଯାଉଛି ଯେ ଭାରତର ସର୍ବମୋଟ ଘରୋଇ ଉତ୍ପାଦ ବା ଜାତୀୟ ଆୟ (ଜି.ଡି.ପି)ର. ବୃଦ୍ଧି ହାର ୬ ପ୍ରତିଶତରୁ ସାମାନ୍ୟ ଅଧିକ ରହିଲେ ଏହା ୨୦୨୮ ମସିହା ସୁଦ୍ଧା ତୃତୀୟ ସ୍ଥାନରେ ଥିବା ଜର୍ମାନୀକୁ ମଧ୍ୟ ଟପିବା ସହ ୫ ଟ୍ରିଲିଅନ୍ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ ହେବ। ତେବେ ମୁଣ୍ଡପିଛା ଆୟ ଦୃଷ୍ଟିରୁ ବିଶ୍ୱରେ ୧୯୪ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୬। କାରଣ ଭାରତର ମୁଣ୍ଡପିଛା ଆୟ ମାତ୍ର ୨୮୮୦ ଡଲାର। ଏବେ ମଧ୍ୟ ଏହା ଏକ ନିମ୍ନ-ମଧ୍ୟମ ଆୟ ବର୍ଗର ଦେଶ ହୋଇ ରହିଛି। ମୁଣ୍ଡପିଛା ଆୟ ଆହୁରି ୫୫ ପ୍ରତିଶତ ବୃଦ୍ଧି ପାଇ ୪୪୬୬ ଡଲାର ହେଲେ ଯାଇ ଏହା ଏକ ଉଚ୍ଚ-ମଧ୍ୟମ ଆୟ ବର୍ଗର ଦେଶରେ ପରିଣତ ହେବ।

ଦ୍ୱିତୀୟଟି ହେଲା ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୫ ଆର୍ଥିକ ବର୍ଷରେ ଭାରତରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫଡିଆଇ)ର ନିଟ୍ ପ୍ରବାହ (ନେଟ୍ ଇନଫ୍ଲୋ)  ପୂର୍ବ ବର୍ଷ ତୁଳନାରେ ୯୬ ପ୍ରତିଶତରୁ ଅଧିକ ହ୍ରାସ ପାଇବା, ଯାହା ଏକ ଉଦବେଗଜନକ ସୂଚନା। ନିଯୁକ୍ତି ଓ ରୋଜଗାର କ୍ଷେତ୍ର ଉପରେ ଦ୍ୱିତୀୟ ଖବରଟିର ସିଧାସଳଖ ପ୍ରଭାବ ପଡ଼ିବାର ଆଶଙ୍କା ଅଛି। ୨୦୨୪ ଆର୍ଥିକ ବର୍ଷରେ ଦେଶରେ ସର୍ବମୋଟ ଏଫଡିଆଇର ପରିମାଣ ୭୧୨୮ କୋଟି ଡଲାର ଥିବା ବେଳେ ୨୦୨୫ ଆର୍ଥିକ ବର୍ଷରେ ତାହା ୧୩.୭ ପ୍ରତିଶତ ବୃଦ୍ଧି ପାଇ ୮୧୦୪ କୋଟି ଡଲାର ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଗଚ୍ଛିତ ଥିବା ସର୍ବମୋଟ ଏଫଡିଆଇ ମଧ୍ୟରୁ ମାତ୍ର ୨୯୫୫ କୋଟି ଡଲାର ଏ ବର୍ଷ ପ୍ରତ୍ୟକ୍ଷ ନିବେଶ ଭାବେ ମିଳିଛି। ଗତବର୍ଷ ଏହାର ପରିମାଣ ଥିଲା ୨୬୮୧ କୋଟି ଡଲାର। ତେବେ ୨୦୨୫ ମସିହାରେ ମୋଟ ଏଫଡ଼ିଆଇ ପରିମାଣରେ ବୃଦ୍ଧି ସତ୍ତ୍ୱେ ନିଟ୍ ଏଫଡିଆଇ ପରିମାଣରେ ଏତେ ଅଧିକ ହ୍ରାସ ଘଟିଛି। ପ୍ରଶ୍ନ ହେଲା, ଏମିତି ହେଲା କିପରି? ପ୍ରତିବର୍ଷ ବିଦେଶୀ ପୁଞ୍ଜି ନିବେଶକମାନେ ଭାରତରେ ଯେମିତି ପୁଞ୍ଜି ନିବେଶ କରନ୍ତି ସେମିତି କିଛି ମାତ୍ରାରେ ପୁଞ୍ଜି ପ୍ରତ୍ୟାହାର ମଧ୍ୟ କରିଥାଆନ୍ତି। କିଛି ଭାରତୀୟ କମ୍ପାନୀଗୁଡ଼ିକ ବିଦେଶରେ ପୁଞ୍ଜି ନିବେଶ କରୁଥିବାରୁ ଏଠାରେ ବିଦେଶୀ ପୁଞ୍ଜି ହ୍ରାସ ପାଇଥାଏ। ତେବେ ପ୍ରତ୍ୟାହୃତ ହେଉଥିବା ପୁଞ୍ଜି ଏବଂ ଦେଶ ଭିତରକୁ ପ୍ରବେଶ କରୁଥିବା ପୁଞ୍ଜି ଭିତରେ ଥିବା ଅନ୍ତର ବା ବ୍ୟବଧାନ ହେଉଛି ନିଟ୍ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ପ୍ରବାହ (ନେଟ୍ ଏଫଡିଆଇ ଇନଫ୍ଲୋ)ର ପରିମାଣ ଜଣା ପଡ଼ିଥାଏ। ୨୦୨୪ ଆର୍ଥିକ ବର୍ଷରେ ପ୍ରତ୍ୟାହୃତ ପୁଞ୍ଜିର ପରିମାଣ ଥିଲା ୧୬୭୦ କୋଟି ଡଲାର। ଏ ବର୍ଷ ତାହା ହଠାତ୍ ୨୯୨୦ କୋଟି ଡଲାରକୁ ବୃଦ୍ଧି ପାଇଲା। ଫଳରେ ୨୦୨୪ ଆର୍ଥିକ ବର୍ଷରେ ନିଟ୍ ଏଫଡିଆଇ ପରିମାଣ ୧୦୧୩ କୋଟି ଡଲାର ଥିବା ବେଳେ ଏବର୍ଷ ତାହା ମାତ୍ର ୩୫ କୋଟି ଡଲାର ହୋଇଛି। କହିବା ବାହୁଲ୍ୟ, ଏହା ଏକ ତୀବ୍ର ସ୍ଖଳନ।

କୌଣସି ବିଦେଶୀ କମ୍ପାନୀ ଭାରତୀୟ କମ୍ପାନୀରେ ନିବେଶ କରିଥିବା ଅଂଶଧନକୁ ହ୍ରାସ କରିପାରେ ବା କମ୍ପାନୀରୁ ସମ୍ପୂର୍ଣ୍ଣ ରୂପେ ଓହରିଯାଇପାରେ। ସେ କ୍ଷେତ୍ରରେ ଅଂଶଧନ ବିକ୍ରି ଲବ୍ଧ ଅର୍ଥକୁ ବିଦେଶୀ ମୁଦ୍ରାରେ ଫେରାଇ ନେବାର ପ୍ରାବଧାନ ରହିଛି, ଯାହାକୁ ବିଦେଶୀ ପୁଞ୍ଜି ପ୍ରତ୍ୟାହାର କୁହାଯାଇଥାଏ। ୨୦୨୫ ଆର୍ଥିକ ବର୍ଷରେ ବିଭିନ୍ନ ବିଦେଶୀ କମ୍ପାନୀଙ୍କ ଦ୍ୱାରା ଭାରତରୁ ସର୍ବାଧିକ ୪୯୫୩ କୋଟି ଡଲାର ପୁଞ୍ଜି ପ୍ରତ୍ୟାହୃତ ହୋଇଛି। ଗତ ବର୍ଷ ଏହି ପୁଞ୍ଜି ପ୍ରତ୍ୟାହାର ପରିମାଣ ଥିଲା ୪୧୩୩ କୋଟି ଡଲାର। ବିଗତ ଦିନଗୁଡ଼ିକରେ ଭାରତୀୟ ଅଂଶଧନ ବଜାର ଯେଉଁଭଳି ଦ୍ରୁତ ଉପରମୁହାଁ ହୋଇଥିଲା, ସେଥିରୁ ଲାଭ ଉଠାଇବା ଲାଗି ହୁଣ୍ଡାଇ ମୋଟର, ସ୍ୱିଗି, ବିଶାଲ ମେଗା ମାର୍ଟ, ଆଇଟିସି, ଏୟାରଟେଲ ଆଦି କମ୍ପାନୀରେ ନିବେଶ କରିଥିବା ବିଦେଶୀ କମ୍ପାନିଗୁଡ଼ିକ ‘ଆଇ.ପି.ଓ.’ ମାଧ୍ୟମରେ ଅଂଶଧନ ବିକ୍ରି କରି ବିପୁଳ ପରିମାଣରେ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି। ଏହି କ୍ରମରେ କିଛି ଘରୋଇ ଅଂଶଧନ ଓ ‘ଭେଞ୍ଚର କ୍ୟାପିଟାଲ ଫଣ୍ଡ’ ମଧ୍ୟ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି। ତେବେ ବିଦେଶୀ କମ୍ପାନୀଗୁଡ଼ିକ ଆସ୍ଥା ହରାଇଥିବାରୁ ପୁଞ୍ଜି କରୁଛନ୍ତି ବୋଲି ଯୁକ୍ତି ଉପସ୍ଥାପନ କରାଯାଉଥିଲେ ସୁଦ୍ଧା, ତାହା ଠିକ୍ ହୋଇ ନପାରେ। ଏହି ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଏକ ବ୍ୟାବସାୟିକ ନିଷ୍ପତ୍ତି, ଯାହା ଅନେକ କାରଣ ଉପରେ ନିର୍ଭର କରିଥାଏ। ତେଣୁ ଏହାକୁ କେବଳ ବିଶ୍ୱାସସଙ୍କଟ ଜନିତ ବୋଲି କହିବା ଉଚିତ ନୁହେଁ।          

ରିଜର୍ଭ ବ୍ୟାଙ୍କ ତଥ୍ୟାନୁସାରେ ନିଟ୍ ଏଫଡିଆଇ ହ୍ରାସ ପାଇବାର ଏକ ବଡ଼ କାରଣ ହେଉଛି ବହିର୍ମୁଖୀ ବିଦେଶୀ ପୁଞ୍ଜି ନିବେଶ (ଆଉଟୱାର୍ଡ ଏଫଡିଆଇ) ପରିମାଣରେ ବୃଦ୍ଧି। ଭାରତୀୟ କମ୍ପାନୀଗୁଡ଼ିକ ବିଦେଶରେ ପୁଞ୍ଜି ନିବେଶ କଲେ ଦେଶରୁ ବିଦେଶୀ ମୁଦ୍ରା ବିଦେଶକୁ ଯାଇଥାଏ ଯାହା ବହିର୍ମୁଖୀ ବିଦେଶୀ ପୁଞ୍ଜି ନିବେଶ ପର୍ଯ୍ୟାୟବାଚୀ। ୨୦୨୪ ଆର୍ଥିକ ବର୍ଷରେ ଏଭଳି ପୁଞ୍ଜିର ପରିମାଣ ଥିଲା ମାତ୍ର ୧୬୬୮ କୋଟି ଡଲାର। ଏବର୍ଷ ତାହା ୨୯୨୦ କୋଟି ଡଲାରକୁ ଅର୍ଥାତ୍ ପ୍ରାୟ ୭୫ ପ୍ରତିଶତ ବୃଦ୍ଧି ପାଇଛି। ଅର୍ଥାତ୍ ଅଧିକରୁ ଅଧିକ ଭାରତୀୟ କମ୍ପାନୀ ବିଦେଶରେ ପୁଞ୍ଜି ନିବେଶ କରିବାକୁ ତତ୍ପରତା ଦେଖାଇଛନ୍ତି। ବିଶ୍ୱ ବଜାରକୁ ଦଖଲ କରିବାର ଆକାଂକ୍ଷା ସହିତ ଉତ୍ପାଦନ ଓ ଯୋଗାଣ ବୃଦ୍ଧିର ଲକ୍ଷ୍ୟ ରଖି ଭାରତୀୟ କମ୍ପାନୀଗୁଡ଼ିକ ବିଭିନ୍ନ ଦେଶରେ ସେମାନଙ୍କ ଉପସ୍ଥିତି ଜାହିର କରୁଛନ୍ତି; ଏପରିକି ସେହି ପ୍ରକ୍ରିୟାରେ ସେମାନେ ସେଠାକାର କମ୍ପାନୀକୁ କିଣି ନିଜ ଅକ୍ତିଆରକୁ ଆଣୁଛନ୍ତି। ଏ କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କର ‘ଉଦାରୀକୃତ ରେମିଟାନ୍ସ ଯୋଜନା’ (ଏଲ.ଆର.ଏସ.) କମ୍ପାନୀଗୁଡ଼ିକ ଲାଗି ବିଶେଷ ଉପଯୋଗୀ ହୋଇଛି। ଫଳସ୍ୱରୂପ, ଆଦିତ୍ୟ ବିରଳା ଗ୍ରୁପ, ଇନଫୋସିସ, ହିରୋ ମୋଟୋକର୍ପ, ଆଦାନୀ ଘ୍ରୁପ ଆଦି ଭଳି ଅନେକ ଭାରତୀୟ କମ୍ପାନୀ ବିଦେଶରେ ସେମାନଙ୍କ ବିସ୍ତାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଏହା ଭାରତ ପାଇଁ ନିଶ୍ଚିତ ଭାବେ ଏକ ଗର୍ବର ବିଷୟ। ତେବେ କିଛି ବର୍ଷ ତଳେ କେନ୍ଦ୍ର ସରକାର ଘରୋଇ କମ୍ପାନୀଗୁଡ଼ିକୁ କର୍ପୋରେଟ ଟିକସରେ ଯେଉଁ ରିହାତି ପ୍ରଦାନ କରିଥିଲେ, ତା’ର ଉଦ୍ଦେଶ୍ୟ ଥିଲା ଯେ କମ୍ପାନୀଗୁଡ଼ିକ ସେମାନଙ୍କ ଉଦବୃତ୍ତ ରାଶିକୁ ଦେଶ ଭିତରେ ନିବେଶ କରିବେ, ଯଦ୍ଦ୍ୱାରା ଏଠାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ଏଠାକାର ଅର୍ଥନୀତି ପ୍ରାଣବନ୍ତ ହୋଇପାରିବ। କିନ୍ତୁ ତାହା ଆଶାନୁରୂପ ଭାବେ ଫଳବତୀ ହେଲାନାହିଁ। ଏତିକିବେଳେ ଭାରତୀୟ କମ୍ପାନୀଗୁଡ଼ିକ ବିଦେଶରେ ବିସ୍ତାର ଲାଭ କରିବାକୁ ତତ୍ପର ହେଲେ ତଦ୍ଦ୍ୱାରା ଭାରତରେ ନିବେଶ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇପାରେ। ଏହା ଦ୍ୱାରା ଦେଶ ଭିତରେ ନିଯୁକ୍ତି ଓ ରୋଜଗାର ସମସ୍ୟାକୁ ଅଧିକ ତୀବ୍ର ହେବ। ଯଦି ଆମେରିକାରେ ଉତ୍ପାଦନ କରିବା ଲାଗି ଆମେରିକାର ରାଷ୍ଟ୍ରପତି ଆମେରିକୀୟ କମ୍ପାନୀଗୁଡ଼ିକ, ଏପରିକି ‘ଆପଲ୍’ ଭଳି ବିଶାଳ କମ୍ପାନୀ, ଉପରେ ଚାପ ପ୍ରୟୋଗ କରିପାରୁଛନ୍ତି, ତେବେ ଭାରତ କାହିଁକି ଭାରତୀୟ କମ୍ପାନୀଗୁଡ଼ିକ ଭାରତରେ ପୁଞ୍ଜି ନିବେଶ କରନ୍ତୁ ବୋଲି ବାଧ୍ୟ ନ କରିବ? ଦେଶ ହିତକୁ ଧ୍ୟାନରେ ରଖି ଏ ସମ୍ପର୍କରେ ନୀତି ନିର୍ଦ୍ଧାରଣର ଆବଶ୍ୟକତା ରହିଛି।

ବିଦେଶୀ ନାଗରିକମାନେ ବଣ୍ଡ ବା ଅଂଶଧନ କ୍ରୟ ଜରିଆରେ ଏଠାକାର ଅଂଶଧନ ବଜାରରେ ନିବେଶ କରିଥାନ୍ତି, ଯାହାକୁ ବିଦେଶୀ ପୋର୍ଟଫୋଲିଓ ନିବେଶ (ଏଫ.ପି.ଆଇ.) ବୋଲି କୁହାଯାଏ। ଲାଭ ହେଉଥିବା ଦେଖିଲେ ଏହି ଧରଣର ନିବେଶକମାନେ ତୁରନ୍ତ ବିକ୍ରିକରି ବଜାରରୁ ବାହାରିଯାଉଥିବାରୁ ଏପରି ନିବେଶ ନିର୍ଭରଯୋଗ୍ୟ ନୁହେଁ। ଏଫ.ଡି.ଆଇ.ରେ ନିବେଶ ଅପେକ୍ଷାକୃତ ‘ସ୍ଥିର’ ହୋଇଥିବା ବେଳେ ଏଫ.ପି.ଆଇ. ଅତିମାତ୍ରାରେ ‘ଅସ୍ଥିର’ ହୋଇଥାଏ। ଏବର୍ଷ ନିଟ୍ ଏଫ.ପି.ଆଇ. ପରିମାଣ ୨୬୭ କୋଟି ଡଲାର ରହିଛି ଯାହା ନିଟ୍ ଏଫ.ଡି.ଆଇ.ର ପ୍ରାୟ ୭ ଗୁଣରୁ ଅଧିକ। ଏହା ଚିନ୍ତାକୁ ବଢ଼ାଉଛି।

ବିଦେଶୀ କମ୍ପାନୀ ଏଠାରେ କରିଥିବା ନିବେଶରୁ ପାଉଥିବା ଲାଭାଂଶକୁ ବିଦେଶୀ ମୁଦ୍ରାରେ ନେଇପାରିବେ ବା ତା’ର ପୁନଃନିବେଶ କରିପାରିବେ। ଖୁସିର କଥା ଯେ ୨୦୨୫ ଆର୍ଥିକ ବର୍ଷରେ ଏହିପରି ଭାବେ ପ୍ରାୟ ୨୩୫୪ କୋଟି ଡଲାର ପୁଞ୍ଜି ପୁନଃନିବେଶ ହୋଇଛି, ଯାହା ହୁଏତ ପ୍ରତ୍ୟାହୃତ ହୋଇପାରିଥାନ୍ତା। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଆର୍ଥିକ ବର୍ଷରେ ପୁନଃନିବେଶ ହୋଇଥିବା ପୁଞ୍ଜିର ପରିମାଣ ଥିଲା ମାତ୍ର ୧୯୭୭ କୋଟି ଡଲାର। ଏହା ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ବିଦେଶୀ କମ୍ପାନୀଙ୍କ ଆସ୍ଥାକୁ ସୂଚାଉଛି। ସହଜରେ ବିଶାଳ ପରିମାଣରେ ପୁଞ୍ଜି ନିବେଶ ହେବା ଓ ପୁଞ୍ଜି ପ୍ରତ୍ୟାହୃତ ହେବାକୁ କେହି କେହି ଏକ ପରିପକ୍ୱ ଅର୍ଥବ୍ୟବସ୍ଥାର ପରିଚାୟକ ବୋଲି ମଧ୍ୟ କହିଥାନ୍ତି। ବିଦେଶୀ ପୁଞ୍ଜି ନିବେଶକମାନେ ସହଜରେ ପୁଞ୍ଜି ପ୍ରତ୍ୟାହାର କରିପାରିଲେ ସେମାନଙ୍କର ସେହି ଦେଶର ଅର୍ଥବ୍ୟବସ୍ଥା ପ୍ରତି ବିଶ୍ୱାସ ବୃଦ୍ଧି ପାଇଥାଏ। ସେ ଦୃଷ୍ଟିରୁ ଭାରତ ଏକ ପରିପକ୍ୱ ଅର୍ଥବ୍ୟବସ୍ଥା ଭାବେ ବିଦେଶୀ ନିବେଶକଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଉଛି।

ସାରା ବିଶ୍ୱରେ ଲାଗି ରହିଥିବା ଭୂ-ରାଜନୈତିକ ଅସ୍ଥିରତା ଯୋଗୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ପ୍ରବାହର ଦିଗ ଓ ପରିମାଣ ନିର୍ଦ୍ଧାରଣ କରିବା ପ୍ରତିଟି ଦେଶ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି। ଗୋଟିଏ ପଟେ ଆମେରିକା ଦ୍ୱାରା ଟାରିଫ୍ ମାଧ୍ୟମରେ ଏକପ୍ରକାର ବାଣିଜ୍ୟ ଯୁଦ୍ଧ ଚାଲିଥିବା ବେଳେ ବିଶ୍ୱର ବିଭିନ୍ନ ଅଞ୍ଚଳ ଏବେ ସଂଘର୍ଷ ଓ ସାମରିକ ଉତ୍ତେଜନା ଦ୍ୱାରା କବଳିତ। ଏଥିଯୋଗୁଁ ଭିନ୍ନ ଭିନ୍ନ ଦେଶ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଭାଭବାନ ହୋଇପାରନ୍ତି ବା କ୍ଷତିଗ୍ରସ୍ତ ମଧ୍ୟ ହୋଇପାରନ୍ତି। ଆମେରିକା ଓ ଚୀନ ମଧ୍ୟରେ ଟାରିଫ୍ ବିବାଦ ଅଧିକ ଜଟିଳ ହେଲେ ଚୀନରେ ଥିବା ବିଦେଶୀ କମ୍ପାନୀଗୁଡ଼ିକ ମଧ୍ୟରୁ କେତେକ ସେମାନଙ୍କର କାରଖାନା ଅନ୍ୟ ଦେଶକୁ ସ୍ତାନାନ୍ତର କରିବାକୁ ବାଧ୍ୟ ହେବେ। କେତେକଙ୍କ ପାଇଁ ଭାରତ ସ୍ୱାଭାବିକ ପସନ୍ଦର ଦେଶ ହୋଇଥିବାରୁ ଏଠାରେ ସେମାନେ କମ୍ପାନୀ ପ୍ରତିଷ୍ଠା କରିପାରନ୍ତି। ଭାରତ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ଲାଗି ରହିଲେ ହୁଏତ କିଛି କମ୍ପାନୀ ଭାରତକୁ ଆସିବାକୁ ଅନିଚ୍ଛା ପ୍ରକାଶ କରିବେ, ଯାହାର ଲାଭ ହୁଏତ ତୃତୀୟ ଦେଶ ଉଠାଇପାରେ। ଅନ୍ୟ ପକ୍ଷରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଚାପକୁ ଏଡ଼ାଇ ନ ପାରିଲେ ‘ଆପଲ’ ଭଳି କିଛି କମ୍ପାନୀଙ୍କୁ ହୁଏତ ଭାରତରୁ ବିଦାୟ ନେବାକୁ ପଡ଼ିପାରେ। ତେଣୁ ଆଗାମୀ କିଛି ଦିନ ଧରି ବିଦେଶୀ ପୁଞ୍ଜି ପ୍ରବାହକୁ ନେଇ ଅନିଶ୍ଚିତତା ଲାଗି ରହିବା ସ୍ୱାଭାବିକ।

ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ କ୍ଷେତ୍ରରେ ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ସ୍ଥାନ ସବା ତଳେ ରହିବା ବାସ୍ତବିକ ନିରାଶାଜନକ। ଏ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ, ଦିଲ୍ଲୀ ଓ ତାମିଲନାଡୁରେ ପ୍ରତିବର୍ଷ ଶହ ଶହ କୋଟି ଡଲାରର ବିଦେଶୀ ପୁଞ୍ଜି ନିବେଶ ହେଉଥିବା ବେଳେ ଓଡିଶାରେ ୨୦୧୯ରୁ ୨୦୨୩ ପାଞ୍ଚ ବର୍ଷ ଭିତରେ ମାତ୍ର ୧୬.୫ କୋଟି ଡଲାର ବିଦେଶୀ ପୁଞ୍ଜି ନିବେଶ ହୋଇଥିବା ଜଣାପଡ଼େ। ଏ ପ୍ରସଙ୍ଗରେ ଉଚିତ ପ୍ରତିକାରମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।      

ତେବେ, ପୁଞ୍ଜି ପ୍ରତ୍ୟାହାରକୁ ନେଇ ଅଧିକ ବିଚଳିତ ହେବାର କାରଣ ନାହିଁ।  ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ଦୃଷ୍ଟିରୁ ୨୦୨୫ ଆର୍ଥିକ ବର୍ଷଟିକୁ ଭାରତ ପାଇଁ ଏକ ବ୍ୟତିକ୍ରମ ବର୍ଷ ବୋଲି ଧରା ଯାଇପାରେ। ଆଗାମୀ ବର୍ଷଗୁଡ଼ିକରେ ପୁଞ୍ଜି ପ୍ରତ୍ୟାହାର ହ୍ରାସ ପାଇ ନିଟ୍ ଏଫ.ଡି.ଆଇ.ର ପରିମାଣରେ ବୃଦ୍ଧି ଘଟିପାରେ। ଭାରତ ନିକଟରେ ଏବେ ମଧ୍ୟ ପ୍ରାୟ ୬୮୫୦୦ କୋଟି ଡଲାରର ଏକ ବିଶାଳ ବିଦେଶୀ ମୁଦ୍ରାଭଣ୍ଡାର ଗଚ୍ଛିତ ରହିଛି। ଏହା ଏ ସାମୟିକ ଅସ୍ଥିରତାକୁ ଲାଘବ କରିବାକୁ ଯଥେଷ୍ଟ। ତେବେ ଏବର୍ଷ ଭଳି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ କ୍ଷେତ୍ରରେ ଯଦି ନିଟ ଏଫଡିଆଇ ହ୍ରାସ ପାଇବା ଧାରାରେ ପରିଣତ ହୁଏ, ତେବେ ତାହା ନିଶ୍ଚିତ ଭାବେ ଆମ ଅର୍ଥନୀତି ପାଇଁ ଶୁଭଙ୍କର ହେବ ନାହିଁ। 


Published in Sambad on May 28, 2025

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...