Skip to main content

ଭାରତ-ପାକ ସଂଘର୍ଷ: ବିଦେଶୀ ଶକ୍ତିଙ୍କ ଭୂମିକା

ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଘମାଘୋଟ ସଂଘର୍ଷକୁ ମାତ୍ର ତିନି ଦିନ ହୋଇଥାଏ। ଭାରତର ସ୍ଥିତି ଅପେକ୍ଷାକୃତ ଭଲ ଜଣାପଡ଼ୁଥାଏ। ହଠାତ୍ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଛି ବୋଲି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କର ଏକ ଟ୍ୱିଟ୍ ଆସିଲା। ଠିକ୍ ତାପରେ ଉଭୟ ଦେଶ ତୁରନ୍ତ ଅସ୍ତ୍ରବିରତି ଘୋଷଣା କଲେ। ଅନେକ ଲୋକ ଏଥିରେ ବିସ୍ମିତ ହେଲେ। ଯୁଦ୍ଧ ଚାହୁଁଥିବା ଲୋକେ ଏଥର ନିର୍ଣ୍ଣାୟକ ଲଢ଼େଇ ହୋଇ ପି.ଓ.କେ. ଭାରତ ଦଖଲକୁ ଆସିବ ଓ ବେଲୁଚିସ୍ତାନ ପାକିସ୍ତାନଠାରୁ ଅଲଗା ହେବ ବୋଲି ଆଶା ବାନ୍ଧିଥିଲେ। ଯୁଦ୍ଧ ଚାହୁଁ ନଥିବା ଲୋକେ ଅସ୍ତ୍ରବିରତିରେ ଆଶ୍ୱସ୍ତ ହେଲେ। ତେବେ, ଆମେରିକାର ମଧ୍ୟସ୍ଥତାରେ ଅସ୍ତ୍ରବିରତିର ଘୋଷଣାକୁ ନେଇ ଲୋକେ କ୍ଷୋଭ ପ୍ରକଟ କଲେ। କାଶ୍ମୀର ମାମଲାରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ସ୍ୱୀକାର କରିନାହିଁ। ଏହା ସତ୍ତ୍ୱେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ବିଭିନ୍ନ ଦେଶ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବାଠାରୁ ଆରମ୍ଭ କରି ମଧ୍ୟସ୍ଥତା କରିବାର ପ୍ରସ୍ତାବ ଦେବାକୁ ପଛାଇନାହାନ୍ତି। ଦୁଇଟି ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଲେ ତାହା ଭୟଙ୍କର ରୂପ ଧାରଣ କରିପାରେ ବୋଲି ଉତ୍ତେଜନା ହ୍ରାସ କରିବାର ଭଲ ଉଦ୍ଦେଶ୍ୟ ରଖି ହୁଏତ କିଛି ଦେଶ ପ୍ରୟାସ କରିଥିବେ। କିନ୍ତୁ, ଏ ପ୍ରସଙ୍ଗରେ ବିଭିନ୍ନ ଦେଶଙ୍କ ଆଚରଣ ଓ ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ବୁଝିବାର ଆବଶ୍ୟକତା ରହିଛି।   

ଏପ୍ରିଲ ୨୨ ତାରିଖ ଦିନ ପହଲଗାମ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ପରେ ବିଭିନ୍ନ ଦେଶ ଏହାର ନିନ୍ଦା କରିଥିଲେ। ତେବେ ପାକିସ୍ତାନ ଏହି ଆକ୍ରମଣ ସହ ସମ୍ପୃକ୍ତ ନାହିଁ ବୋଲି କହିବା ସହ ଘଟଣାଟିର ଏକ ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ ଲାଗିପ୍ରସ୍ତାବ ଦେଇଥିଲା। ତା’ ପରେ ପରେ ଚୀନ ଓ ମାଲେସିଆ ପାକିସ୍ତାନର ଏହି ପ୍ରସ୍ତାବ ସହ ସ୍ୱର ମିଳାଇଥିଲେ। ସ୍ୱାଭାବିକ ଭାବେ ଭାରତ ଏହାକୁ ଅଣଦେଖା କରିଥିଲା। ମେ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ୫୭ଟି ଇସଲାମୀୟ ଦେଶଙ୍କ ସଙ୍ଗଠନ ‘ଓ.ଆଇ.ସି.’ର ବୈଠକରେ ପହଲଗାମଠାରେ ଆତଙ୍କବାଦୀ  ଆକ୍ରମଣକୁ ନିନ୍ଦା କରାଯାଇଥିଲେ ହେଁ ଏଥିପାଇଁ ପାକିସ୍ତାନକୁ ଦାୟୀ କରାଯାଇ ନଥିଲା । ତେଣୁ ଏହି ପ୍ରସଙ୍ଗରେ ‘ଓ.ଆଇ.ସି.’ର ଦେଶଗୁଡ଼ିକ ଭାରତର ପକ୍ଷକୁ ସମର୍ଥନ କରୁ ନଥିବା ଦେଖାଯାଇଥିଲା।

ପହଲଗାମ ଘଟଣାରେ ଚୀନ ତତକ୍ଷଣାତ୍ ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିଥିଲା। ମେ ୭ ତାରିଖରେ ସାମରିକ ଗତିବିଧି ଆରମ୍ଭ ହେବା ପରେ ଉଭୟ ଦେଶଙ୍କୁ ଉତ୍ତେଜନା ହ୍ରାସ କରି ଶାନ୍ତି ବଜାୟ ରଖିବା ଲାଗି ପରାମର୍ଶ ଦେଇଥିଲା। ହେଲେ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ସାର୍ବଭୌମତ୍ୱ ରକ୍ଷା କରିବା ଲାଗି ଚୀନ ସଙ୍କଳ୍ପବଦ୍ଧ ବୋଲି ସ୍ପଷ୍ଟ କଲା। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନକୁ ଚୀନ ଏକ ରଣନୈତିକ ସହଯୋଗୀ (ଷ୍ଟ୍ରାଟେଜିକ ପାର୍ଟନର) ବୋଲି ବିଚାର କରୁଥିବାରୁ ପାକିସ୍ତାନ ସମର୍ଥନରେ ରହିବା ସ୍ୱାଭାବିକ।         

ଭାରତ ମୁଖ୍ୟତଃ ୬ଟି ଦେଶ ନିକଟରୁ ଯୁଦ୍ଧାସ୍ତ୍ର କିଣିଥାଏ । ଦୀର୍ଘଦିନ ଧରି ଭାରତ  ସୋଭିଏତ ସଂଘ ନିକଟରୁ ଅଧିକାଂଶ ଯୁଦ୍ଧାସ୍ତ୍ର କିଣିଆସୁଥିଲା। ତେବେ ଗତ କିଛି ବର୍ଷ ହେଲା ରୁଷିଆ ସମେତ କିଛି ପାଶ୍ଚାତ୍ୟ ଦେଶଙ୍କଠାରୁ ମଧ୍ୟ ଭାରତ ଯୁଦ୍ଧାସ୍ତ୍ର କିଣୁଛି; ଯେଉଁ ଦେଶଗୁଡ଼ିକ ହେଲେ ଆମେରିକା, ଫ୍ରାନ୍ସ, ବ୍ରିଟେନ, ଇସ୍ରାଏଲ ଓ ଜର୍ମାନୀ। ଏତଦଭିନ୍ନ ଦକ୍ଷିଣ କୋରିଆ ଓ ଦକ୍ଷିଣ ଆଫ୍ରିକା ନିକଟରୁ ମଧ୍ୟ ଭାରତ କିଛି ପରିମାଣରେ ଅସ୍ତ୍ରଶସ୍ତ୍ର କିଣିଥାଏ। ଅନ୍ୟ ପକ୍ଷରେ ପାକିସ୍ତାନ ତା’ର ଯୁଦ୍ଧାସ୍ତ୍ର ଆବଶ୍ୟକତାର  ପ୍ରାୟ ୮୧ ପ୍ରତିଶତ ଚୀନରୁ ଆମଦାନୀ କରୁଛି। ଅବଶିଷ୍ଟ ଅସ୍ତ୍ରଶସ୍ତ୍ର ତୁର୍କୀ, ଆମେରିକା ଓ ନେଦରଲାଣ୍ଡସଠାରୁ କ୍ରୟ କରୁଛି। ଉଲ୍ଲେଖଯୋଗ୍ୟ ଯେ ହଜାର ହଜାର କୋଟି ଡଲାର ବିନିଯୋଗ କରି ଚୀନ ଯେଉଁ ସାମରିକ ବୈଷୟିକ ଜ୍ଞାନକୌଶଳ ବିକାଶ କରିବାରେ ସମର୍ଥ ହୋଇ ଉନ୍ନତ ମାନର ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରୁଥିବାର ଦାବି କରୁଛି, ତାହାର ପ୍ରକୃତ ପରୀକ୍ଷା ଏହି ଲଢ଼େଇରେ ପାକିସ୍ତାନ ମାଧ୍ୟମରେ କରିବାର ପ୍ରୟାସ କରିଛି। ଭାରତ-ପାକ୍ ମଧ୍ୟରେ ସାମରିକ ଗତିବିଧି ଆରମ୍ଭ ହେବା ପରେ ଚୀନର ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକର ଅଂଶଧନର ମୂଲ୍ୟ ବୃଦ୍ଧି ପାଇଛି।  ପାକିସ୍ତାନ ବ୍ୟବହାର କରୁଥିବା ଚୀନ ତିଆରି ଜେଏଫ-୧୭ ଥଣ୍ଡର, ଜେ-୧୦ସି ଭିଗରସ୍ ଡ୍ରାଗନ୍ ଫାଇଟର ଜେଟ ବିମାନର ନିର୍ମାତା ଏଭିକ ଚେଙ୍ଗଡୁ ଏୟାରକ୍ରାଫ୍ଟ କମ୍ପାନୀର ଅଂଶଧନର ମୂଲ୍ୟ ସପ୍ତାହକ ଭିତରେ ୬୩ ପ୍ରତିଶତ ବୃଦ୍ଧି ପାଇ ମେ ୧୨ ତାରିଖରେ ୯୬ ୟୁଆନରେ ପହଞ୍ଚିବା ତା’ର ଏକ ନମୁନା ମାତ୍ର। ସତେ ଯେମିତି ଯୁଦ୍ଧାସ୍ତ୍ର ବ୍ୟବସାୟ ଲାଗି ଚୀନ ଏପରି ଏକ ସାମରିକ ସଂଘର୍ଷ ଚାହୁଁଥିଲା! ସଂଘର୍ଷ ଲାଗି ରହିଲେ ଚୀନ ସମେତ ଉପରୋକ୍ତ ଦେଶଗୁଡ଼ିକର ଅସ୍ତ୍ରଶସ୍ତ୍ର ନିର୍ମାତାମାନେ ଯେ ଲାଭବାନ୍ ହେବେ ସେଥିରେ ସନ୍ଦେହ ନାହିଁ। ତେଣୁ ସେହି ଦେଶଗୁଡ଼ିକ ପାଇଁ ଯୁଦ୍ଧ ବନ୍ଦ ହେଲେ ଭଲ, ନ ହେଲେ ଆହୁରି ଭଲ। ହେଡ୍ ହେଉ କି ଟେଲ୍, ଉଭୟରେ ଜିତାପଟ।      

କୋଭିଡ ପରଠାରୁ ଚୀନର ନିର୍ମାଣ (ମାନୁଫେକଚରିଂ) କ୍ଷେତ୍ର ଚାପଗ୍ରସ୍ତ ହୋଇଛି। ଏହାର କୁପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ୁଛି। ନିର୍ମାଣ କ୍ଷେତ୍ରର ବିକାଶ ଲାଗି ଚୀନରେ ଥିବା ବାତାବରଣ ବର୍ଦ୍ଧିତ ପାରିଶ୍ରମିକ, ଭୂ-ରାଜନୈତିକ ଅସ୍ଥିରତା ଆଦି କାରଣରୁ ଆଉ ବିଶେଷ ଅନୁକୂଳ ହୋଇ ରହିନାହିଁ। ଏତିକିବେଳେ ଚୀନର ଉତ୍ପାଦ ଉପରେ ଆମେରିକା ଲଗାଇଥିବା ଅତ୍ୟଧିକ ଶୁଳ୍କ ଯୋଗୁଁ ସେଠାରୁ ରପ୍ତାନି ଅତିମାତ୍ରାରେ ହ୍ରାସ ପାଇଛି। ଏହି କାରଣରୁ ସେଠାକାର ନିର୍ମାଣ ଶିଳ୍ପ ଅଧିକ ଚାପଗ୍ରସ୍ତ ହୋଇଛି। ତେଣୁ କିଛି ବିଦେଶୀ କମ୍ପାନୀ ସେମାନଙ୍କ ଶିଳ୍ପକୁ ଚୀନରୁ ଅନ୍ୟତ୍ର ଯେମିତିକି ଭିଏତନାମ, ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ଭାରତକୁ ସ୍ଥାନାନ୍ତରିତ କରିବାର ଯୋଜନା କରୁଛନ୍ତି। ଏଭଳି ସ୍ଥଳେ କେତେକ ଦେଶ ଚାହିଁପାରନ୍ତି ଯେ ଭାରତ ଯୁଦ୍ଧ ଦ୍ୱାରା ଅଶାନ୍ତ ରହୁ, ଯାହାଦ୍ୱାରା ଉଦ୍ୟୋଗଗୁଡ଼ିକ ଭାରତରେ ନ ହୋଇ ଅନ୍ୟତ୍ର ବା ସେମାନଙ୍କ ନିକଟକୁ ଚାଲିଯିବେ। ଫଳରେ ଭାରତର ଅର୍ଥନୈତିକ ବିକାଶର ଲକ୍ଷ୍ୟ ହାସଲ ବାଧିତ ହେବ।          

ପାକିସ୍ତାନର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ବିନା ଆର୍ଥିକ ଓ ସାମରିକ ସହାୟତାରେ ତା’ ପକ୍ଷରେ ଏକ ଲମ୍ୱା ଯୁଦ୍ଧ ଲଢ଼ିବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ପାକିସ୍ତାନ ଯେପରି ବିଭିନ୍ନ ଦେଶ ଓ ବୈଶ୍ୱିକ ଆର୍ଥିକ ସଂସ୍ଥାଙ୍କ ନିକଟରୁ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୁଏ, ସେ ନେଇ ଭାରତ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରୟାସ କରିବା ସ୍ୱାଭାବିକ। ପାକିସ୍ତାନକୁ ଆର୍ଥିକ ସହାୟତା ଯୋଗାଇ ଆସୁଥିବା ପ୍ରମୁଖ ଦେଶଙ୍କ ମଧ୍ୟରେ ଅଛନ୍ତି ଆମେରିକା, ସାଉଦି ଆରବ, କାତାର ଓ ଚୀନ। ଏମାନଙ୍କ ମଧ୍ୟରୁ ଚୀନକୁ ବାଦ୍ ଦେଲେ ବାକି ଦେଶଗୁଡ଼ିକ ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଛି। ନିକଟରେ ଚୀନ ପାକିସ୍ତାନକୁ ୨୦୦ କୋଟି ଡଲାର (ପ୍ରାୟ ୧୭୦୦୦ କୋଟି ଟଙ୍କା)ର ଏକ ଋଣର ନବୀକରଣ କରିଛି, ଯାହା ଆର୍ଥିକ ଦୃଷ୍ଟିରୁ ପାକିସ୍ତାନର ଚୀନ ଉପରେ ନିର୍ଭରଶୀଳତାରେ ବୃଦ୍ଧିକୁ ଦର୍ଶାଉଛି। ଯୁଦ୍ଧ ଭଳି ପରିସ୍ଥିତି ଲାଗି ରହିଥିବା ବେଳେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକିସ୍ତାନକୁ ୧୦୦କୋଟି ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୮୫୦୦ କୋଟି ଟଙ୍କା)ର ‘ସଙ୍କଟଗ୍ରସ୍ତ ଆର୍ଥିକ ସହାୟତା’ (ବେଲ ଆଉଟ) ପ୍ୟାକେଜ୍ ପ୍ରଦାନ ଲାଗି ନିଷ୍ପତ୍ତି ନିଆଯିବାର ଥିଲା। ଏଭଳି ସ୍ଥିତିରେ ପାକିସ୍ତାନକୁ ଏତେ ପରିମାଣର ଅର୍ଥ ମିଳିଲେ ତାହାର ସିଂହଭାଗ ସାମରିକ ଉଦ୍ଦେଶ୍ୟରେ ବିନିଯୋଗ ହେବାର ଆଶଙ୍କା ଥିବାରୁ ଭାରତ ତାହାର ପ୍ରତିବାଦ କରିଥିଲା। ଆଶା କରାଯାଉଥିଲା ଯେ ‘ଆଇଏମଏଫ’ ଅନ୍ତତଃ କିଛିଦିନ ପାଇଁ ଏହି ନିଷ୍ପତ୍ତିକୁ ଘୁଞ୍ଚାଇ ଦେବ। ତେବେ ଭାରତର ପ୍ରବଳ ବିରୋଧ ସତ୍ତ୍ୱେ ମେ ୯ରେ ଅନୁଷ୍ଠିତ ‘ଆଇଏମଏଫ’ ନିର୍ଦ୍ଦେଶକମଣ୍ଡଳୀ ବୈଠକରେ ପାକିସ୍ତାନକୁ ଏହି ସହାୟତା ରାଶି ମଞ୍ଜୁର କରାଗଲା। ମଞ୍ଜୁରି କମିଟି ବୈଠକରେ ଭାରତ ଭୋଟଦାନରୁ ବିରତ ରହିଥିଲେ ମଧ୍ୟ ଯେଉଁ ପ୍ରମୁଖ ଦେଶଙ୍କ ସମର୍ଥନରେ ପାକିସ୍ତାନ ଏହି ରାଶି ପାଇବାକୁ ଯୋଗ୍ୟ ହେଲା ସେମାନଙ୍କ ମଧ୍ୟରେ ଥିଲେ ଆମେରିକା, ଜାପାନ, ଚୀନ, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ୍, ଇଟାଲି, କାନାଡ଼ା। 

ମେ ୪ ତାରିଖ ଦିନ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏକ ଭିନ୍ନ ମଞ୍ଚରେ ଏକ ପ୍ରକାର କ୍ଷୋଭ ପ୍ରକାଶ କରି କହିଥିଲେ ଯେ ‘ଭାରତ ସହଯୋଗୀ ଚାହେଁ, ପ୍ରବଚକ ନୁହେଁ।‘ ଏହି ଉକ୍ତି କିଛି ୟୁରୋପୀୟ ଦେଶଙ୍କ ପ୍ରତି ଉଦ୍ଦିଷ୍ଟ ଥିଲେ ମଧ୍ୟ ଭାରତ ପାକିସ୍ତାନ ସହ ଉତ୍ତେଜନାକୁ ହ୍ରାସ କରିବା ଲାଗି ‘କ’ଣ କରିବା ଉଚିତ, କ’ଣ ନ କରିବା ଉଚିତ’ର ଉପଦେଶ ଦେଉଥିବା ପ୍ରତିଟି ଦେଶ ପ୍ରତି ଏହା ଥିଲା କଟାକ୍ଷ। ପନ୍ଦର ଦିନ ବିତିଯିବା ପରେ ମଧ୍ୟ ରୁଷିଆ ଓ ଇସ୍ରାଏଲ ବ୍ୟତୀତ ଭାରତ ସମର୍ଥନରେ ଖୋଲାଖୋଲି ଭାବେ ବାହାରିବା ଲାଗି ପ୍ରସ୍ତୁତ ପ୍ରକୃତ ବନ୍ଧୁ ମିଳିଲେ ନାହିଁ। କାରଣ ଏବର ଦୁନିଆରେ କୌଣସି ଦେଶ କାହାର ସ୍ଥାୟୀ ଶତ୍ରୁ ବା ମିତ୍ର ନୁହନ୍ତି। ଦେଶ ଦେଶ ମଧ୍ୟରେ ପ୍ରତିଟି ସମ୍ପର୍କ କେବଳ ନେଣଦେଣମୂଳକ (ଟ୍ରାନଜେକସନାଲ) ହୋଇଥିବାରୁ ପ୍ରତିଟି ପ୍ରସଙ୍ଗରେ ଲାଭ-କ୍ଷତିକୁ ବିବେଚନା କରି ଦେଶଗୁଡ଼ିକ ନିଷ୍ପତ୍ତି ନେଉଛନ୍ତି ଓ ସେମାନଙ୍କ ମଧ୍ୟରେ ସମ୍ପର୍କର ସନ୍ନିକଟତା ବା ଦୂରତା ଅହରହ ନିରୂପିତ ହେଉଛି। ଆତଙ୍କବାଦ ପ୍ରସଙ୍ଗରେ ଅନେକ ଦେଶ ଭାରତର ପକ୍ଷକୁ ସମର୍ଥନ ଜଣାଇଥିଲେ। କିନ୍ତୁ ଯୁଦ୍ଧ ଘୋଷଣା ହୋଇଥିଲେ ସେମାନଙ୍କ ମଧ୍ୟରୁ କିଏ କିଏ ଭାରତ ସହ ଠିଆ ହୋଇଥାଆନ୍ତେ, କହିହେବ ନାହିଁ। ଅନ୍ୟ ପକ୍ଷରେ ଯୁଦ୍ଧ ଘୋଷଣା ପୂର୍ବରୁ ପାକିସ୍ତାନ ସମର୍ଥନରେ ତୁର୍କୀ ଓ ଆଜରବୈଜାନ ଖୋଲାଖୋଲି ଭାବେ ବାହାରିଲେ।

ସଂଘର୍ଷ ପୂର୍ବରୁ ଆମେରିକା କୌଣସି ପ୍ରକାର ମଧ୍ୟସ୍ଥତା କରିବ ନାହିଁ ବୋଲି ଆମେରିକାର ଉପ ରାଷ୍ଟ୍ରପତି ଜେ ଡି ଭାନ୍ସ ସ୍ପଷ୍ଟ କରିଥିଲେ। କିନ୍ତୁ ସାମ୍ପ୍ରତିକ ଭୂ-ରାଜନୈତିକ ପରିସ୍ଥିତିରେ ଉଭୟ ଭାରତ ଓ ପାକିସ୍ତାନ ଉପରେ ପ୍ରଭାବ ବିସ୍ତାର କରିବାକୁ ମଧ୍ୟସ୍ଥତା କରିବା ଉଚିତ ମଣି ଆମେରିକା ନିଷ୍ପତ୍ତି ବଦଳାଇଲା। ତେଣୁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି କରାଇବାରେ ଆମେରିକାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଟ୍ରମ୍ପ ଏହାର ସବୁ ଶ୍ରେୟ ନେବାକୁ ବସିଥିବାବେଳେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଲାଗି ସାଉଦି ଆରବ, ଇରାନ, ୟୁଏଇ ଓ କାତାର ଭଳି କିଛି ଦେଶ ମଧ୍ୟ ଆନ୍ତରିକ ପ୍ରୟାସ କରିଥିଲେ।  

ସମ୍ପ୍ରତି ଯୁଦ୍ଧ କେବଳ ଦୁଇଟି ଦେଶ ମଧ୍ୟରେ ଲଢ଼େଇରେ ସୀମିତ ହୋଇ ରହୁନାହିଁ। ବିଶ୍ୱର ବିଭିନ୍ନ ସ୍ଥାନରେ ଚାଲିଥିବା ଯୁଦ୍ଧଗୁଡ଼ିକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଏଣିକି ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ତ ହୋଇପାରେ, କିନ୍ତୁ ତା’ପରେ ଅନ୍ୟ ଦେଶଙ୍କ ହସ୍ତକ୍ଷେପ ଯୋଗୁଁ ସେହି ଯୁଦ୍ଧର ଗତି ଓ ପ୍ରକୃତି ଆଉ ସମ୍ପୃକ୍ତ ଦେଶଙ୍କ ନିୟନ୍ତ୍ରଣରେ ରହିବ କି ନା ତାହା ଅନିଶ୍ଚିତ। ମାତ୍ର ୫ ଦିନ ଭିତରେ ସାରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ୩ ବର୍ଷ ପରେ ମଧ୍ୟ ଅମୀମାଂସିତ। ଅନେକ ଦେଶ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପେ ଏଥିରେ ସାମିଲ ହୋଇସାରିଲେଣି। ତେଣୁ ଏବେ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ର ବା ସେନାଙ୍କ ଦ୍ୱାରା ଲଢ଼ା ଯାଉନାହିଁ। ଏଥିରେ ଅନ୍ତର୍ଜାତୀୟ ଚାପର ଏକ ବଡ଼ ଭୂମିକା ରହୁଛି। ବିଧ୍ୱଂସୀ କ୍ଷେପଣାସ୍ତ୍ରଟିଏର ନିକ୍ଷେପ କରି ହୁଏତ ଯୁଦ୍ଧର ଅୟମାରମ୍ଭ କରାଯାଇପାରେ, କିନ୍ତୁ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କ ଗୋଟିଏ ଫୋନ୍ ମଧ୍ୟ ସେହି ଯୁଦ୍ଧକୁ ବନ୍ଦ କରିବା ଲାଗି ଯଥେଷ୍ଟ ହୋଇପାରେ। କାରଣ ବୃହତ୍ତର ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଚାପକୁ ଏଡ଼ାଇବା ବେଳେବେଳେ ଅସମ୍ଭବ ହୋଇପଡ଼େ। ସେଥିଲାଗି ଇସ୍ରାଏଲ ଓ ହମାସ ଲଢ଼େଇରେ ବିରାମ ଆସିଲା, ଯେମିତି ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଛି।


Published in Sambad on May 14, 2025 


Comments

  1. ଧନ୍ୟବାଦ ସରଳ ବହୁତ ସୁନ୍ଦର ନିରପେକ୍ଷ ବିସ୍ଲେସଣ

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...