ଅନ୍ତର୍ଜାତୀୟ ପୁନର୍ନିର୍ମାଣ ଓ ବିକାଶ ବ୍ୟାଙ୍କ(ଏବର ବିଶ୍ୱ ବ୍ୟାଙ୍କ)ର ମଧ୍ୟସ୍ଥତାରେ ୯ ବର୍ଷ ଧରି ବିଚାର ବିମର୍ଶ ଚାଲିବା ପରେ ୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଇତିମଧ୍ୟରେ ଉଭୟ ଦେଶ ମଧ୍ୟରେ ୧୯୬୫ ଓ ୧୯୭୧ ମସିହାରେ ଦୁଇଟି ସମ୍ପୂର୍ଣ୍ଣ ଯୁଦ୍ଧ ଓ ୧୯୯୯ରେ କାରଗିଲ ଯୁଦ୍ଧ ଭଳି ଖଣ୍ଡିତ ଯୁଦ୍ଧ ହୋଇସାରିଛି। ଏଥି ସହିତ ନିୟମିତ ଅନ୍ତରାଳରେ ଅଗଣିତ ଉତ୍ତେଜନାପୂର୍ଣ୍ଣ ଘଟଣା ସଂଘଟିତ ହୋଇଚାଲିଛି। ତଥାପି ଏହି ଦୁଇ ବୈରୀ ଦେଶ ମଧ୍ୟରେ ଗତ ୬୫ ବର୍ଷ ଧରି ନଦୀ ଜଳକୁ ନେଇ ଏହି ଚୁକ୍ତି ସଫଳତାର ସହ କାର୍ୟ୍ୟ କରି ଚାଲିଛି, ଯାହା ଅନେକଙ୍କ ଦୃଷ୍ଟିରେ ଏକ ବିସ୍ମୟ। ତେବେ ନିକଟରେ ପହଲଗାମଠାରେ ଆତଙ୍କବାଦୀଙ୍କ ଦ୍ୱାରା ବର୍ବରୋଚିତ ନୃଶଂସ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କର ପ୍ରାଣହାନି ଘଟିବା ପରେ ସାରା ଦେଶରେ କ୍ରୋଧ ଓ ଆକ୍ରୋଶର ବାତାବରଣ ବିରାଜମାନ। ଏହି ଘଟଣା ପାଇଁ ପାକିସ୍ତାନ ଦାୟୀ ବୋଲି ଭାରତ ସରକାରଙ୍କ ତରଫରୁ ତତକ୍ଷଣାତ୍ ଏକାଧିକ କୂଟନୈତିକ ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି; ଯହିଁରୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଲାଗି ଘୋଷଣା। ତେବେ ଆବେଗାତିଶଯ୍ୟର ବଶବର୍ତ୍ତୀ ନ ହୋଇ ସିନ୍ଧୁ ଜଳ ଚୁକ୍ତିର ସର୍ତ୍ତାବଳୀ ଓ ଏହାକୁ ସ୍ଥଗିତ ରଖାଯିବା କାରଣରୁ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ପ୍ରଭାବ ଉପରେ ଏକ ଆଲୋଚନା କରାଯାଇପାରେ।
ପ୍ରାୟ ୩୧୮୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସିନ୍ଧୁ ନଦୀର ଉତ୍ପତ୍ତି ସ୍ଥଳ ଚୀନସ୍ଥିତ ମାନସରୋବର ହ୍ରଦ। ଏହା ଲଦ୍ଦାଖରେ ଭାରତକୁ ପ୍ରବେଶ କରିବା ପରେ ପାକିସ୍ତାନର ଉତ୍ତରାଞ୍ଚଳ, ପଞ୍ଜାବ ଓ ସିନ୍ଧୁ ପ୍ରଦେଶରେ ପ୍ରବାହିତ ହୋଇ ଶେଷରେ ଆରବ ସାଗରରେ ପଡ଼ିଛି। ଏହି ସୁଦୀର୍ଘ ପଥରେ ଏଥିରେ ଅନେକ ଉପନଦୀ ସମ୍ମିଳିତ ହୋଇ ଏହାର କାୟାବୃଦ୍ଧି କରିଛନ୍ତି। କୃଷି, ଜଳବିଦ୍ୟୁତ ଆଦି ପାଇଁ ସିନ୍ଧୁ ନଦୀ ପ୍ରଣାଳୀ ପାକିସ୍ତାନର ପ୍ରାଣରକ୍ଷକ ବୋଲି କୁହାଯାଇପାରେ। ଜାମ୍ମୁ କାଶ୍ମୀର, ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶ ଓ ରାଜସ୍ଥାନର ଅଞ୍ଚଳ ଏହାର ଜଳ ଉପରେ ନିର୍ଭରଶୀଳ। ଏକାଧିକ ଦେଶ ଦେଇ ପ୍ରବାହିତ ନଦୀର ଜଳର ବ୍ୟବହାରକୁ ନେଇ ବିବାଦ ଉପୁଜିଥାଏ। ତେଣୁ ସମ୍ପୃକ୍ତ ଦେଶଙ୍କ ମଧ୍ୟରେ ସହଯୋଗ ଓ ଜଳପ୍ରବାହ ନେଇ ତଥ୍ୟ ବିନିମୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ତର୍ଜାତୀୟ ଜଳ ଚୁକ୍ତି ସେହି ପ୍ରକ୍ରିୟାଟିକୁ ସୁନିଶ୍ଚିତ କରିବା ସହିତ ଏ ସମ୍ପର୍କରେ ସମ୍ପୃକ୍ତ ଦେଶଙ୍କ ଅଧିକାର ଓ କର୍ତ୍ତବ୍ୟ ନିର୍ଦ୍ଧାରଣ କରିଥାଏ। ବଙ୍ଗଳାଦେଶ ଓ ନେପାଳ ସହ ଗଙ୍ଗା ତଥା ମହାକାଳୀ ନଦୀର ଜଳକୁ ନେଇ ଭାରତର ଚୁକ୍ତି ଅଛି। ଚୀନ ସହ ସ୍ୱାକ୍ଷରିତ ଏକ ସହମତି ଆଧାରରେ ବ୍ରହ୍ମପୁତ୍ର ନଦୀର ଜଳପ୍ରବାହକୁ ପ୍ରଭାବିତ କଲାଭଳି ତଥ୍ୟ ଚୀନ ଭାରତକୁ ଦେଇଥାଏ। ସେହିପରି ଭୁଟାନରୁ ପ୍ରବାହିତ ହୋଇ ଆସୁଥିବା ନଦୀଗୁଡ଼ିକର ପ୍ରବାହ ସମ୍ପର୍କରେ ଭୁଟାନ ଓ ଭାରତ ମଧ୍ୟରେ ତଥ୍ୟ ବିନିମୟର ପ୍ରାବଧାନ ରହିଛି। ପ୍ରକାଶ ଥାଉ କି, ସିନ୍ଧୁ ଜଳ ଚୁକ୍ତି ହେଉଛି ଭାରତର ପ୍ରଥମ ଅନ୍ତର୍ଜାତୀୟ ଜଳ ଚୁକ୍ତି ଓ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ।
ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ ୨ ଅନୁଯାୟୀ ସିନ୍ଧୁ ନଦୀର ପୂର୍ବ ପାର୍ଶ୍ୱରେ ପ୍ରବାହିତ ରାବି, ବ୍ୟାସ (ବିପାଶା) ଓ ସତଲେଜ(ଶତଦ୍ରୁ) ଭଳି ଉପନଦୀଗୁଡ଼ିକର ସମସ୍ତ ଜଳ ଭାରତ ନିରଙ୍କୁଶ ଭାବେ ବ୍ୟବହାର କରିପାରିବ। ଅନୁଚ୍ଛେଦ ୩ ଅନୁଯାୟୀ ସିନ୍ଧୁ ନଦୀ ଓ ଝେଲମ ଓ ଚେନାବ ଭଳି ଉପନଦୀଗୁଡ଼ିକ (ପଶ୍ଚିମ ପାର୍ଶ୍ୱର ନଦୀ ସମୂହ)ର ଜଳ ପାକିସ୍ତାନର ଅବାଧ ବ୍ୟବହାର ପାଇଁ ଉପଲବ୍ଧ। ଏହି ନଦୀଗୁଡ଼ିକର ଜଳପ୍ରବାହକୁ ସାବଲୀଳ ରଖିବାର ଦାୟିତ୍ୱ ଭାରତ ଉପରେ ନ୍ୟସ୍ତ। ଅବଶ୍ୟ ସେହି ଅନୁଚ୍ଛେଦର ପାରା ୨ ଅନୁଯାୟୀ ଭାରତ ଏହି ଜଳର ଘରୋଇ, କୃଷିକାର୍ଯ୍ୟ, ନୌଚଳାଚଳା ପରି ଅଣ-ଉପଭୋଗକାରୀ ବ୍ୟବହାର କରିପାରିବ। ସେମିତି ନଦୀର ପ୍ରବାହକୁ ବାଧିତ ନ କରି ଜଳ ବିଦ୍ୟୁତ ଉତ୍ପାଦନରେ ବ୍ୟବହାର କରିବାରେ କୌଣସି ବାଧା ନାହିଁ। ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ ୬ ଅନୁଯାୟୀ ଉଭୟ ଦେଶ ମଧ୍ୟରେ ଜଳ ପ୍ରବାହ, ଜଳର ବ୍ୟବହାର ନେଇ ନିୟମିତ ଭାବେ ତଥ୍ୟ ବିନିମୟ ହେବ। ନଦୀର ସର୍ବୋତ୍ତମ ବିକାଶ ସହିତ ଉଭୟ ଦେଶଙ୍କ ସ୍ୱାର୍ଥ ଜଡ଼ିତ ଥିବାରୁ ସେମାନଙ୍କ ମଧ୍ୟରେ ଯଥାସମ୍ଭବ ସହଯୋଗ ଅନୁଚ୍ଛେଦ ୭ରେ ଗୁରୁତ୍ୱ ପାଇଛି। ମତଭେଦ ବା ବିବାଦ ଉପୁଜିଲେ ତା’ର ସମାଧାନ ପାଇଁ ନିରପେକ୍ଷ ବିଶେଷଜ୍ଞ ଓ ମଧ୍ୟସ୍ଥତା ନ୍ୟାୟାଳୟ(କୋର୍ଟ ଅଫ ଆର୍ବିଟ୍ରେସନ)ର ସହାୟତା ନିଆଯାଇପାରିବ ବୋଲି ଅନୁଚ୍ଛେଦ ୯ରେ ଉଲ୍ଲିଖିତ। ଅନୁଚ୍ଛେଦ ୧୨ରେ କୁହାଯାଇଛି, ଉଭୟ ଦେଶଙ୍କ ସହମତିରେ ମଝିରେ ମଝିରେ ଚୁକ୍ତିରେ ଆବଶ୍ୟକ ସଂଶୋଧନ କରାଯାଇପାରିବ; ଅର୍ଥାତ୍, ଏକ ତରଫା ଭାବେ ବାତିଲ କରିବା ଲାଗି ଚୁକ୍ତିରେ କୌଣସି ପ୍ରାବଧାନ ନାହିଁ। ତେଣୁ, ପାକିସ୍ତାନ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ର ଦ୍ୱାରସ୍ଥ ହୋଇପାରେ। ତେବେ ଅନ୍ତର୍ଜାତୀୟ ଆଇନଜ୍ଞଙ୍କ ମତରେ ସବୁ ଅନ୍ତର୍ଜାତୀୟ ଚୁକ୍ତି ‘ଭିଏନା କନଭେନସନ ଅନ ଦି ଲ ଅଫ୍ ଟ୍ରିଟିଜ୍, ୧୯୬୯’ ଦ୍ୱାରା ପରିଚାଳିତ। ‘ପରିସ୍ଥିତିରେ ମୌଳିକ ପରିବର୍ତ୍ତନ ହେବା’ କ୍ଷେତ୍ରରେ ଏହାର ଅନୁଚ୍ଛେଦ ୬୨ ଅନୁଯାୟୀ କୌଣସି ଚୁକ୍ତିକୁ ସ୍ଥଗିତ ବା ବାତିଲ କରାଯାଇ ପାରିବ। ‘କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଗତିବିଧି’କୁ ‘ପରିସ୍ଥିତିରେ ମୌଳିକ ପରିବର୍ତ୍ତନ ହେବା’ ବୋଲି ତର୍କ ଦିଆଯାଇପାରିବ। ତେବେ ଅଦାଲତଙ୍କ ରାୟର ପୂର୍ବାନୁମାନ କରିବା ସହଜ ନୁହେଁ।
ଚୁକ୍ତି ଅନୁଯାୟୀ ପଶ୍ଚିମା ନଦୀଗୁଡ଼ିକ ଦେଇ ପାକିସ୍ତାନକୁ ବାର୍ଷିକ ପ୍ରାୟ ୧୩୫ ‘ଏମଏଏଫ’ (ମିଲିଅନ ବା ନିୟୁତ-ଏକର-ଫୁଟ) ପାଣି ପ୍ରବାହିତ ହୋଇଥାଏ। ଏହା ସିନ୍ଧୁ ନଦୀ ପ୍ରଣାଳୀରେ ସମୁଦାୟ ଜଳପ୍ରବାହର ମୋଟାମୋଟି ୮୦ ପ୍ରତିଶତ। ଅନ୍ୟ ପକ୍ଷରେ ରାବି, ବ୍ୟାସ ଓ ସତଲେଜ ନଦୀରେ ପ୍ରବାହିତ ୩୩ ‘ଏମଏଏଫ’ (ପ୍ରାୟ ୨୦ ପ୍ରତିଶତ) ପାଣି ଭାରତ ପାଇଁ ଉପଲବ୍ଧ। ଭାକ୍ରାନାଙ୍ଗଲ, ପୋଙ୍ଗ ଓ ରଣଜିତ ସାଗର ଭଳି ନଦୀବନ୍ଧ ନିର୍ମାଣ କରି ଭାରତ ତା’ ଭାଗର ଜଳରାଶିର ପ୍ରାୟ ୯୫ ପ୍ରତିଶତ ଉପଯୋଗ କରିସାରିଛି। ପ୍ରାଚ୍ୟ ନଦୀଗୁଡ଼ିକରୁ ଅତି ଅଳ୍ପ ପରିମାଣର ଜଳରାଶି ପାକିସ୍ତାନକୁ ପ୍ରବେଶ କରୁଥିବାରୁ ପାକିସ୍ତାନକୁ ବଡ଼ ଧରଣର କ୍ଷତି ପହଞ୍ଚାଇଲା ଭଳି ଆଉ ନୂଆ କିଛି ନିର୍ମାଣ କାର୍ୟ୍ୟ କରିବା ହୁଏତ ସମ୍ଭବ ହୋଇ ନପାରେ। ତେଣୁ କେବଳ ପଶ୍ଚିମା ନଦୀଗୁଡ଼ିକର ଜଳପ୍ରବାହକୁ ରୋଧ କରିବା ଲାଗି ଯାହା କିଛି ପଦକ୍ଷେପ ନିଆଯାଇପାରେ। ତେବେ ଚୁକ୍ତିର ସର୍ତ୍ତ ଅନୁଯାୟୀ ଏବେ ମଧ୍ୟ ପଶ୍ଚିମା ନଦୀଗୁଡ଼ିକରୁ କୃଷିକାର୍ଯ୍ୟ ପାଇଁ ୩୬ ଲକ୍ଷ ଏକର ଫୁଟ ପାଣି ସଂରକ୍ଷିତ କରି ରଖିବା ଲାଗି ଭାରତ ଅଧିକାରପ୍ରାପ୍ତ, ଯେଉଁଥିରେ ଜାମ୍ମୁ କାଶ୍ମୀରର ୧୩.୪ ଲକ୍ଷ ଏକର ଚାଷଜମିରେ ଜଳସେଚନର ସମ୍ଭାବନା ରହିଛି। ଏ ପର୍ଯ୍ୟନ୍ତ ଭାରତ ତହିଁର ଅଧାରୁ କମ୍ ବା ମାତ୍ର ୬.୪୨ ଲକ୍ଷ ଏକର ଜମିକୁ ଜଳସେଚନର ସୁବିଧା ଯୋଗାଇଛି। ଏହାର ଅର୍ଥ ସିନ୍ଧୁ ଜଳର ପୂର୍ଣ୍ଣ ଉପଯୋଗ ଏ ପର୍ୟ୍ୟନ୍ତ ଭାରତ କରିନାହିଁ।
ଏବେ ପାକିସ୍ତାନକୁ ତତ୍କାଳ ପାଣି ବନ୍ଦ କରିବା ସମ୍ଭବ ନୁହେଁ। କାରଣ ମେ’ ମାସରୁ ସେପ୍ଟେମ୍ୱର ମାସ ମଧ୍ୟରେ ବରଫ ତରଳିବା ଓ ମୌସୁମୀଜନିତ ବର୍ଷା ଯୋଗୁ ପଶ୍ଚିମା ନଦୀଗୁଡ଼ିକରେ ଅତ୍ୟଧିକ ଜଳପ୍ରବାହ ହୋଇଥାଏ। ନଦୀର ଉପରମୁଣ୍ଡରେ ବିଦ୍ୟୁତ ଉତ୍ପାଦନ ପାଇଁ କିଶନଗଙ୍ଗା, ବଗଲିହାର ଭଳି ଯେଉଁ କେତୋଟି ବନ୍ଧ ଅଛି, ଏହି ଜଳକୁ ଅଟକାଇ ରଖିବାର କ୍ଷମତା ସେଗୁଡ଼ିକର ନାହିଁ। ତେଣୁ ପାଣିକୁ ଅଟକାଇବାକୁ ହେଲେ ଭାରତକୁ ସଂଖ୍ୟାଧିକ ସୁଉଚ୍ଚ ବଡ଼ ନଦୀବନ୍ଧ ନିର୍ମାଣ କରିବାକୁ ପଡ଼ିବ। ଏହି ଧରଣର ନଦୀବନ୍ଧ ନିର୍ମାଣରେ ଅତି କମରେ ୮-୧୦ ବର୍ଷ ଲାଗିଥାଏ। ଚୁକ୍ତିରୁ ଓହରି ଆସିଲା ପରେ ଭାରତ ପାଇଁ ନିର୍ମାଣ କାର୍ୟ୍ୟ କରିବାର ପଥ ଫିଟିଥିଲେ ବି ବାସ୍ତବରେ ବ୍ୟାପାରଟି ସେତେ ସହଜ ହେବନାହିଁ। କାରଣ କାଶ୍ମୀର ଉପତ୍ୟକାରେ ବନ୍ଧ ନିର୍ମାଣ ଉପଯୋଗୀ ସ୍ଥାନଗୁଡ଼ିକରେ ପାଣିକୁ ଗଚ୍ଛିତ କରି ରଖିବା ଲାଗି ଜାଗାର ଯଥେଷ୍ଟ ଅଭାବ ରହିଛି। ଏଣୁ ଉପଲବଧ ଅତି ସ୍ୱଳ୍ପ ଜମି ମଧ୍ୟ ଜଳମଗ୍ନ ହେବାର ଆଶଙ୍କା ରହିଛି। ତା’ଛଡ଼ା କ୍ଷିପ୍ର ଗତିରେ ପ୍ରବାହିତ ହେଉଥିବା ଝେଲମ ଓ ଚେନାବର ଜଳକୁ ଅଟକାଇବାକୁ ଚେଷ୍ଟା କଲେ ତାହା ଉପରମୁଣ୍ଡରେ ବନ୍ୟାର ଆଶଙ୍କା ସୃଷ୍ଟି କରିପାରେ। ଏହି ଅଞ୍ଚଳ ଅତ୍ୟଧିକ ଭୂମିକମ୍ପ ପ୍ରବଣ ହୋଇଥିବାରୁ ଭୂତାତ୍ତ୍ୱିକ ଦୃଷ୍ଟିରୁ ଏଗୁଡ଼ିକ ବିପଦସଙ୍କୁଳ। ଭୌଗୋଳିକ ସ୍ଥିତି ଯୋଗୁଁ ଏଠାରେ ନଦୀବନ୍ଧ ନିର୍ମାଣ ଅତ୍ୟଧିକ ବ୍ୟୟବହୁଳ ହୋଇଥିବା ବେଳେ ଅବବାହିକାରୁ ଜଳର ଅନ୍ୟତ୍ର ସ୍ଥାନାନ୍ତରଣ (ଡାଇଭର୍ସନ) ମଧ୍ୟ ଆହ୍ୱାନପୂର୍ଣ୍ଣ। ଏହି ଧରଣର ଭିତ୍ତିଭୂମି ନିର୍ମାଣକୁ ପାକିସ୍ତାନ ‘ଯୁଦ୍ଧକୃତ୍ୟ’ (ଆକ୍ଟ ଅଫ ୱାର୍) ବୋଲି ବିବେଚନା କରୁଥିବାରୁ ସେଗୁଡ଼ିକ ପ୍ରତି ସବୁବେଳେ ଶତୃପକ୍ଷ ସାମରିକ ଆକ୍ରମଣର ବିପଦ ରହିପାରେ। ଏପରି ସ୍ଥିତିରେ ଅନ୍ତତଃ ନିକଟ ଭବିଷ୍ୟତରେ ନଦୀବନ୍ଧ ନିର୍ମାଣ କରି ପାଣିକୁ ସମ୍ପୂର୍ଣ୍ଣ ଅଟକାଇବା ସମ୍ଭବ ହୋଇ ନ ପାରେ। ତେବେ ଜଳପ୍ରବାହ ହ୍ରାସ ପାଇବାର ଆଶଙ୍କା ଅପେକ୍ଷା ଭାରତଠାରୁ ଜଳପ୍ରବାହ ସଂକ୍ରାନ୍ତୀୟ ମୂଲ୍ୟବାନ ତଥ୍ୟ ନ ମିଳିବା ପାକିସ୍ତାନ ଲାଗି ଅଧିକ ଚିନ୍ତାଜନକ ହେବ। ଏହି ତଥ୍ୟର ଅଭାବ ପାକିସ୍ତାନରେ ଚାଷକାର୍ଯ୍ୟକୁ ପ୍ରଭାବିତ କରିବ। ପାକିସ୍ତାନ ମଧ୍ୟ ତା’ ଭାଗର ସିନ୍ଧୁ ପାଣିକୁ ସଂରକ୍ଷିତ କରି ରଖିବା ଲାଗି ଏ ଯାଏଁ ପ୍ରସ୍ତୁତ ହୋଇନାହିଁ । ପାକିସ୍ତାନରେ ଥିବା ମଙ୍ଗଳା ଏବଂ ତାରବେଲା ବୃହତ୍ ନଦୀ ଜଳ ପ୍ରକଳ୍ପ ଦୁଇଟିର ସର୍ବାଧିକ ଜଳଧାରଣ କ୍ଷମତା ହେଉଛି ମାତ୍ର ୧୪.୪ ଏମଏଏଫ୍, ଯାହା ପାକିସ୍ତାନ ଭାଗରେ ପଡ଼ୁଥିବା ଜଳର ମାତ୍ର ୧୦ ପ୍ରତିଶତ। ଅବଶ୍ୟ ଚୀନ ସହାୟତାରେ ପାକିସ୍ତାନ କେତେଗୁଡ଼ିଏ ପ୍ରକଳ୍ପର କାମ ଆରମ୍ଭ କରିଛି। ଭାରତର ଏହି ନିର୍ଣ୍ଣୟ ପରେ ସେହି ଧରଣର ଅଧିକ ନଦୀବନ୍ଧ ନିର୍ମାଣ କାର୍ୟ୍ୟ ତ୍ୱରାନ୍ୱିତ ହୋଇପାରେ।
ପାକିସ୍ତାନକୁ ପାଣି ନ ଛାଡ଼ିବା ଏକ ବିପଜ୍ଜନକ ନଜିର ସୃଷ୍ଟି କରିପାରେ, ଯାହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିପାରେ। ଉଦାହରଣ ସ୍ୱରୂପ, ଏହାପରେ ହୁଏତ ଚୀନ ବ୍ରହ୍ମପୁତ୍ର ନଦୀ ଜଳକୁ ଭାରତ ବିପକ୍ଷରେ ଏକ ଅସ୍ତ୍ର ରୂପେ ପ୍ରୟୋଗ କରିବାକୁ ଚିନ୍ତା କରିବ। ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁତ୍ର ନଦୀରୁ ଭାରତର ମଧୁର ଜଳ ଆବଶ୍ୟକତାର ପ୍ରାୟ ୩୦ ପ୍ରତିଶତ ମିଳୁଥିବା ବେଳେ ଭାରତର ସମୁଦାୟ ଜଳବିଦ୍ୟୁତ ପ୍ରକଳ୍ପ ସମ୍ଭାବନାର ପ୍ରାୟ ୪୪ ପ୍ରତିଶତ ଏହି ନଦୀ ସହ ସମ୍ପର୍କିତ। ବ୍ରହ୍ମୁପୁତ୍ରର ଉପର ମୁଣ୍ଡରେ ୨୦୧୫ ମସିହାରେ ଚୀନ ପକ୍ଷରୁ ଝାଙ୍ଗମୁ ପ୍ରକଳ୍ପ କାର୍ୟ୍ୟକାରୀ କରିବା ପରେ ଦାଗୁ, ଜିଏକ୍ସୁ ଓ ଜିଆଚା ପ୍ରକଳ୍ପ ମଧ୍ୟ ସ୍ଥାପିତ ହୋଇସାରିଛି। ବ୍ରହ୍ମପୁତ୍ର ନଦୀର ଜଳପ୍ରବାହ ସମ୍ପର୍କିତ ତଥ୍ୟ ଭାରତକୁ ଦେବାରୁ ଚୀନ ନିବୃତ୍ତ ରହିଲେ ତାହା ଭାରତ ହିତରେ ଯିବନାହିଁ।
ନଦୀକୁ ଯୁଦ୍ଧାସ୍ତ୍ର ରୂପେ ବ୍ୟବହାର କରିବା ନ୍ୟାୟୋଚିତ ମନେ ହୋଇ ନ ପାରେ। ତେବେ ପ୍ରେମ ଓ ଯୁଦ୍ଧରେ ସବୁ କିଛି ଉଚିତ ବୋଲି ଗ୍ରହଣ କରାଯାଉଥିବାରୁ ବିଭିନ୍ନ ସମୟରେ ନଦୀକୁ ଯୁଦ୍ଧାସ୍ତ୍ର ରୂପେ ପ୍ରୟୋଗ କରାଯାଇଥିବାର ଦୃଷ୍ଟାନ୍ତମାନ ରହିଛି। ବର୍ତ୍ତମାନ ମଧ୍ୟ ଭାରତ ସିନ୍ଧୁ ଜଳ ଚୁକ୍ତିରୁ ସମ୍ପୂର୍ଣ୍ଣ ଓହରି ନାହିଁ, ଏହାକୁ ସାମୟିକ ଭାବେ ସ୍ଥଗିତ ରଖିଛି ଯାହା। ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରୁ ନିବୃତ୍ତ ହେବା ଲାଗି ଏହା ପାକିସ୍ତାନକୁ ଏକ ଦୃଢ଼ ଚେତାବନୀ ଭଳି। ଅନ୍ୟ ପକ୍ଷରେ ଚୁକ୍ତିରୁ ନ ଓହରି ଏହାକୁ ଭାରତ-ସ୍ୱାର୍ଥ ଅନୁକୂଳ କରିବା ଲାଗି ଏଥିରେ ସଂଶୋଧନ କରିବା ଲାଗି ଭାରତ ଚାପ ପକାଇପାରେ। ଜାତୀୟ ସ୍ୱାର୍ଥକୁ ଧ୍ୟାନରେ ରଖି ଉଚିତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆଶା କରିବା ଉଚିତ। ତେବେ ଭାରତକୁ ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା, ଲାଭକ୍ଷତି ସମ୍ପର୍କରେ ବିଚାର କରି ନିଷ୍ପତ୍ତି ନେବାକୁ ପଡ଼ିବ।
Published in Sambad on April 30, 2025
🙏sir Nicely and lucid elaboration very much informative. Best regards
ReplyDeleteଧନ୍ୟବାଦ
DeleteAn excellent article giving due weightage to all angles. A well researched article.
ReplyDelete