Skip to main content

ରାଜ୍ୟପାଳଙ୍କ କାର୍ଯ୍ୟଶୈଳୀ ଉପରେ ଲଗାମ

କେହି ନିଜ କ୍ଷମତା ବହିର୍ଭୁତ କାମଟିଏ କଲେ ‘ମନେମନେ ନିଜକୁ ଗଭର୍ଣ୍ଣର ଭାବୁଛି’ ଭଳି କଟାକ୍ଷଟିଏ ଓଡ଼ିଆରେ ଶୁଣିବାକୁ ମିଳିଥାଏ । ଅବଶ୍ୟ ବ୍ୟବହୃତ ‘ଗଭର୍ଣ୍ଣର’ ଶବ୍ଦଟି ଏବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ସ୍ୱାଧୀନତା ପୂର୍ବର ବ୍ରିଟିଶ୍ ପ୍ରଦେଶଗୁଡ଼ିକର ଗଭର୍ଣ୍ଣରଙ୍କ ପ୍ରତି ହୋଇଥାଏ, କାରଣ ସେତେବେଳେ ସେମାନେ ଅମାପ କ୍ଷମତା ଉପଭୋଗ କରୁଥିଲେ । ଭାରତୀୟ ସମ୍ୱିଧାନରେ ରାଜ୍ୟପାଳ କେବଳ ରାଜ୍ୟର ସାମ୍ୱିଧାନିକ ମୁଖ୍ୟ, ଯିଏ ନ୍ୟସ୍ତ ଦାୟିତ୍ୱ ଓ ଅଧିକାରକୁ ମନ୍ତ୍ରୀମଣ୍ଡଳର ସହଯୋଗ ଓ ପରାମର୍ଶ କ୍ରମେ ନିର୍ବାହ କରିଥାଆନ୍ତି । ତଥାପି ସେହି ପଦରେ ଅଧିଷ୍ଠିତ କେହି କେହି ଏହି ବାସ୍ତବତାଟିକୁ ଗ୍ରହଣ ନ କରି ସାମ୍ୱିଧାନିକ କ୍ଷମତା ବହିର୍ଭୁତ କାର‌୍ୟ୍ୟମାନ କରି ବସିଥାନ୍ତି । ଅବଶ୍ୟ ସେମାନଙ୍କ ଏପରି ଆଚରଣ ପଛରେ କେନ୍ଦ୍ର ସରକାରଙ୍କ ସମର୍ଥନ ଯେ ନ ଥାଏ, ତାହା କହି ହେବ ନାହିଁ । ଫଳରେ ବିଭିନ୍ନ ରାଜ୍ୟରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇ ସ୍ୱାଭାବିକ ଶାସନ ପରିଚାଳନା କ୍ଷେତ୍ରରେ ବାଧା ଉତ୍ପନ୍ନ ହୋଇଥାଏ । ତାମିଲନାଡ଼ୁ ବିଧାନସଭା ଦ୍ୱାରା ଗୃହୀତ ୧୦ଟି ବିଲର ଅନୁମୋଦନକୁ ନେଇ ତାମିଲନାଡ଼ୁର ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୁପ୍ରିମ କୋର୍ଟରେ ବର୍ଷାଧିକ କାଳ ଧରି ମାମଲା ଲାଗି ରହିଥିଲା । ଜଷ୍ଟିସ ଜେ ବି ପାର୍ଦିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ୮ ଏପ୍ରିଲ ୨୦୨୫ ଦିନ ଏହାର ନିର୍ଣ୍ଣୟ କରି ଏକ ଐତିହାସିକ ରାୟ ପ୍ରଦାନ କଲେ, ଯହିଁରେ ଅବାଞ୍ଛିତ କାର୍ଯ୍ୟଶୈଳୀ ପାଇଁ ତାମିଲନାଡ଼ୁର ରାଜ୍ୟପାଳ ଭର୍ତ୍ସିତ ହୋଇଛନ୍ତି । ସଂଘୀୟ ବ୍ୟବସ୍ଥାର ସନ୍ତୁଳନ ରକ୍ଷାରେ ସୁପ୍ରିମକୋର୍ଟଙ୍କ ଏହି ୪୧୫ ପୃଷ୍ଠା ବିଶିଷ୍ଟ ରାୟର ଯେ ସୁଦୂରପ୍ରସାରୀ ପ୍ରଭାବ ପରିଲକ୍ଷିତ ହେବ, ସେଥିରେ ସନ୍ଦେହ ନାହିଁ । 

ଜାନୁଆରୀ ୧୩, ୨୦୨୦ରୁ ଏପ୍ରିଲ ୨୮, ୨୦୨୩ ମଧ୍ୟରେ ତାମିଲନାଡୁ ବିଧାନସଭା ଦ୍ୱାରା ୧୨ଟି ବିଲ ଗୃହୀତ ହୋଇ ଅନୁମୋଦନ ନିମନ୍ତେ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା । ବିଲଗୁଡ଼ିକ ଉପରେ ଅକ୍ଟୋବର ୨୦୨୩ ପର‌୍ୟ୍ୟନ୍ତ କୌଣସି ନିର୍ଣ୍ଣୟ ନିଆ ନ ଯିବାରୁ ରାଜ୍ୟପାଳଙ୍କ ନିଷ୍କ୍ରିୟତାରେ ଅତିଷ୍ଠ ହୋଇ ତାମିଲନାଡୁ ସରକାର ୩୧ ଅକ୍ଟୋବର ୨୦୨୩ରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ ଅଦାଲତଙ୍କଠାରୁ ନୋଟିସ ପାଇବା ପରେ ରାଜ୍ୟପାଳ ତନ୍ମଧ୍ୟରୁ ୨ଟି ବିଲକୁ ରାଷ୍ଟ୍ରପତିଙ୍କ ବିବେଚନା ପାଇଁ ସଂରକ୍ଷିତ ରଖିଥିବା ବେଳେ ଅବଶିଷ୍ଟ ୧୦ଟି ବିଲକୁ ନଭେମ୍ୱର ୧୩ ତାରିଖ ଦିନ ବାତିଲ କରି ଫେରାଇ ଦେଇଥିଲେ । ନଭେମ୍ୱର ୧୮ ତାରିଖରେ ତାମିଲନାଡୁ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଆହୂତ ହୋଇ ୧୦ଟି ଯାକ ବିଲ ପୁନର୍ବାର ଗୃହୀତ ହେଲା । ସେହି ଦିନ ହିଁ ସେଗୁଡ଼ିକୁ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଇ ଦିଆଯାଇଥିଲା । ଅନୁମୋଦନ ପ୍ରଦାନ  ନ କରି ସେ ବିଲଗୁଡ଼ିକୁ ରାଷ୍ଟ୍ରପତିଙ୍କ ବିବେଚନା ପାଇଁ ସଂରକ୍ଷିତ ରଖିଦେଲେ । ଏହାର ପ୍ରତିବାଦରେ ରାଜ୍ୟ ସରକାର ପୁନଶ୍ଚ ୧୧ ଡିସେମ୍ୱର ୨୦୨୩ରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ । ରାଜ୍ୟପାଳ ‘ପଞ୍ଜାବ ରାଜ୍ୟ ବନାମ ପଞ୍ଜାବ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମାମଲା’ (୨୦୨୩)ରେ ସୁପ୍ରିମ କୋର୍ଟଙ୍କ ପ୍ରଦତ୍ତ ରାୟର ଅନୁଧ୍ୟାନ କରି କାର୍ଯ୍ୟ କରିଥିଲେ ହୁଏତ ବିଲଗୁଡ଼ିକୁ ଆଉ ରାଷ୍ଟ୍ରପତିଙ୍କ ବିବେଚନା ଲାଗି ସଂରକ୍ଷିତ ରଖିବାକୁ ପଡ଼ି ନଥାନ୍ତା । 

ଭାରତ ସରକାର ଆଇନ, ୧୯୩୫ର ଧାରା ୭୫ ଅନୁଯାୟୀ ତତକାଳୀନ ପ୍ରାଦେଶିକ ଗଭର୍ଣ୍ଣରମାନଙ୍କର ବିଲ ଅନୁମୋଦନ ବେଳେ ଇଚ୍ଛାଧୀନ କ୍ଷମତା (ଡିସକ୍ରିସନାରୀ ପାୱାର) ଥିଲା । ସମ୍ୱିଧାନ ପ୍ରଣୟନ ସଭାରେ ଏ ସମ୍ପର୍କରେ ସୁଦୀର୍ଘ ଆଲୋଚନା ପରେ ଆମ ସମ୍ୱିଧାନରେ ତାକୁ ବାଦ୍ ଦିଆଯାଇଥିଲା । ସୁପ୍ରିମ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବିଧାନସଭା ଦ୍ୱାରା ଗୃହୀତ ହୋଇ କୌଣସି ବିଲ୍ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଲେ ସମ୍ୱିଧାନର ଅନୁଚ୍ଛେଦ ୨୦୦ ଅନୁଯାୟୀ ତାଙ୍କ ସମ୍ମୁଖରେ କେବଳ ତିନିଟି ବିକଳ୍ପ ଉନ୍ମୁକ୍ତ – ସେ ବିଲଟିକୁ ଅନୁମୋଦନ କରିପାରନ୍ତି, ବାତିଲ କରିପାରନ୍ତି କିମ୍ବା, ରାଷ୍ଟପତିଙ୍କ ବିବେଚନାର୍ଥେ ସଂରକ୍ଷିତ ରଖିପାରନ୍ତି । କୌଣସି ବିଲ ବାତିଲ ହୋଇ ବିଧାନସଭାକୁ ଫେରିଲେ ତାହା ସଂଶୋଧନ ସହ ବା ବିନା ସଂଶୋଧନରେ ବିଧାନସଭାରେ ପୁନର୍ବାର ଗୃହୀତ ହୋଇପାରେ । ତତ୍ପରେ ତାକୁ ରାଜ୍ୟପାଳଙ୍କ ନିକଟକୁ ଅନୁମୋଦନ ଲାଗି ପଠାଯାଇଥାଏ । ଦ୍ୱିତୀୟ ଥର ବିଲଟି ବିଧାନସଭାରେ ଗୃହୀତ ହୋଇ ଆସିଲେ ରାଜ୍ୟପାଳ ତାକୁ ଆଉ ରାଷ୍ଟ୍ରପତିଙ୍କ ବିବେଚନା ଲାଗି ସଂରକ୍ଷିତ ରଖି ପାରିବେ ନାହିଁ । ଅର୍ଥାତ୍, ଏ କ୍ଷେତ୍ରରେ ବିଲଟିକୁ ଅନୁମୋଦନ କରିବା ବ୍ୟତୀତ ରାଜ୍ୟପାଳଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନାହିଁ । ତେଣୁ ତାମିଲନାଡ଼ୁ ବିଧାନସଭା ଦ୍ୱାରା ଦ୍ୱିତୀୟ ଥର ୧୦ଟି ବିଲ୍ ଗୃହୀତ ହୋଇ ରାଜ୍ୟାପାଳଙ୍କ ଅନୁମୋଦନ ପାଇଁ ଆସିବା ପରେ ତାକୁ ସେ ରାଷ୍ଟ୍ରପତିଙ୍କ ବିବେଚନାର୍ଥେ ସଂରକ୍ଷିତ ରଖିବା କେବଳ ଭୁଲ ନୁହେଁ ବେଆଇନ ବୋଲି ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ମତ । ଏ କଥା ଠିକ୍ ଯେ ରାଜ୍ୟପାଳ କେତେ ଦିନ ମଧ୍ୟରେ ବିଲକୁ ଅନୁମୋଦନ କରିବେ ସେ ସମ୍ପର୍କରେ ସମ୍ୱିଧାନରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନ ଥିଲେ ବି ‘ଯଥାଶୀଘ୍ର ସମ୍ଭବ’ ବୋଲି ଲେଖା ହୋଇଛି । ଅର୍ଥାତ୍ ଏ ଦିଗରେ ସମ୍ୱିଧାନ ରାଜ୍ୟପାଳଙ୍କ ନିକଟରୁ ତତ୍ପରତା ଆଶା କରେ । ତେବେ ସ୍ଥଳ ବିଶେଷରେ ତତ୍ପରତା ପ୍ରଦର୍ଶନ ପରିବର୍ତ୍ତେ ରାଜ୍ୟପାଳଙ୍କ ନିଷ୍କ୍ରିୟତା ରାଜ୍ୟରେ ଆଇନ ପ୍ରଣୟନ କ୍ଷେତ୍ରରେ ବାଧା ଉତ୍ପନ୍ନ କରିଥାଏ । କୌଣସି ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ସମୟ ସୀମାର ଉଲ୍ଲେଖ ନଥିଲେ ଆଇନ ଅନୁଯାୟୀ  ତାହା ‘ନ୍ୟାୟୋଚିତ ସମୟ’ ମଧ୍ୟରେ ସମ୍ପନ୍ନ ହେବ ବୋଲି ଆଶା କରାଯାଇଥାଏ । ତା’ର ଉଲ୍ଲଂଘନ ହେଲେ ସେହି ଦାୟିତ୍ୱକୁ ସମୟବଦ୍ଧ ଭାବେ ନିର୍ବାହ କରାଇବା ଲାଗି ନ୍ୟାୟାଳୟ ହସ୍ତକ୍ଷେପ କରିପାରିବେ । ସେହି କ୍ଷମତାର ବ୍ୟବହାର କରି ସୁପ୍ରିମ କୋର୍ଟ ରାଜ୍ୟପାଳଙ୍କ ଅନୁମୋଦନ ପ୍ରକ୍ରିୟାକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପନ୍ନ କରିବାକୁ ନିର୍ଦ୍ଧାରଣ କରିଛନ୍ତି । ତଦନୁଯାୟୀ, ଗୃହୀତ ବିଲକୁ ରାଜ୍ୟପାଳ ବାତିଲ କରିବାକୁ ଚାହୁଁଥିଲେ ବା ରାଷ୍ଟ୍ରପତିଙ୍କ ବିବେଚନା ପାଇଁ ସଂରକ୍ଷିତ ରଖିବାକୁ ଚାହୁଁଥିଲେ, ତାହା ସର୍ବାଧିକ ମାସକ ଭିତରେ କରିବାକୁ ହେବ । ବାତିଲ କଲେ ସେହି ମର୍ମରେ ଏକ ବାର୍ତ୍ତା ସହ ବିଲଟିକୁ ସର୍ବାଧିକ ୩ ମାସ ମଧ୍ୟରେ ଫେରାଇବାକୁ ହେବ । ରାଷ୍ଟ୍ରପତିଙ୍କ ବିବେଚନା ପାଇଁ ସଂରକ୍ଷିତ ରଖିବାକୁ ହେଲେ, ସର୍ବାଧିକ ୩ ମାସ ମଧ୍ୟରେ କରିବାକୁ ହେବ । କୌଣସି ବିଲ ପୁନର୍ବିବେଚନା ପରେ ବିଧାନସଭା ଦ୍ୱାରା ଦ୍ୱିତୀୟ ଥର ଲାଗି ଗୃହୀତ ହୋଇ ରାଜ୍ୟପାଳଙ୍କ ନିକଟକୁ ଆସିଲେ, ରାଜ୍ୟପାଳଙ୍କୁ ତୁରନ୍ତ ବା ସର୍ବାଧିକ ମାସକ ମଧ୍ୟରେ ଅନୁମୋଦନ ପ୍ରଦାନ କରିବାକୁ ହେବ ।                   

ସାମ୍ୱିଧାନିକ ପଦରେ ଅଧିଷ୍ଠିତ ବ୍ୟକ୍ତିଙ୍କ ଦାୟିତ୍ୱ ସମ୍ପାଦନରେ ନିଷ୍କ୍ରିୟତାକୁ କୌଣସି ମତେ ନ୍ୟାୟସଙ୍ଗତ ବୋଲି ଗ୍ରହଣ କରାଯାଇ ନ ପାରେ । ସମ୍ୱିଧାନର ଅନୁଚ୍ଛେଦ ୨୦୧ ଅନୁସାରେ ରାଜ୍ୟପାଳଙ୍କଠାରୁ ମିଳିଥିବା ବିଲ ସମ୍ପର୍କରେ ରାଷ୍ଟ୍ରପତି ନିର୍ଣ୍ଣୟ ନେବାକୁ ଅଧିକୃତ । ଏ କ୍ଷେତ୍ରରେ ତାଙ୍କ ନିକଟରେ ଦୁଇଟି ବିକଳ୍ପ ରହିଛି – ବିଲକୁ ଅନୁମୋଦନ କରିବା ବା କାରଣ ଦର୍ଶାଇ ବାତିଲ କରିବା । ସମ୍ୱିଧାନ ରାଷ୍ଟ୍ରପତିଙ୍କୁ ପୂର୍ଣ୍ଣ (ଆବସଲ୍ୟୁଟ) ଭିଟୋ ବା ପକେଟ ଭିଟୋର କ୍ଷମତା ପ୍ରଦାନ କରି ନାହିଁ । କୌଣସି ବିଲକୁ ଅନୁମୋଦନ ପ୍ରଦାନ ନ କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ପକାଇ ରଖିଲେ ତାହା ଆଇନରେ ପରିଣତ ହୋଇପାରି ନ ଥାଏ । ଏହି ଇଚ୍ଛାକୃତ ନିଷ୍କ୍ରିୟତାକୁ ‘ପକେଟ ଭିଟୋ’ ବୋଲି କୁହାଯାଏ । ଉଲ୍ଲେଖଯୋଗ୍ୟ ଯେ ତାମିଲନାଡ଼ୁ ରାଜ୍ୟପାଳଙ୍କଠାରୁ ମିଳିଥିବା ବିଲଗୁଡ଼ିକ ମଧ୍ୟରୁ କେତୋଟି ସଂକ୍ରାନ୍ତରେ ରାଷ୍ଟ୍ରପତିଙ୍କ ଦ୍ୱାରା କୌଣସି ନିର୍ଣ୍ଣୟ ନିଆଯାଇ ନ ଥିଲା । ସୁପ୍ରିମ କୋର୍ଟଙ୍କ ଅନୁଯାୟୀ ରାଷ୍ଟ୍ରପତିଙ୍କ ବିବେଚନା ପାଇଁ ପଠାଯାଉଥିବା ବିଲ ସମ୍ପର୍କରେ ବିଲ ପ୍ରାପ୍ତିର ସର୍ବାଧିକ ୩ ମାସ ମଧ୍ୟରେ ରାଷ୍ଟ୍ରପତିଙ୍କୁ ନିର୍ଣ୍ଣୟ ନେବାକୁ ହେବ । ସେଥିରେ ବିଳମ୍ୱ ହେଲେ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଉପଯୁକ୍ତ କାରଣ ଦର୍ଶାଇ ଲିଖିତ ଭାବେ ଜଣାଇବାକୁ ପଡ଼ିବ । ଏହି ନିର୍ଣ୍ଣୟ ପରେ ରାଷ୍ଟ୍ରପତିଙ୍କ ନିକଟରେ ଦୀର୍ଘ ଦିନ ଧରି ମୃତପ୍ରାୟ ପଡ଼ି ରହିଥିବା ବିଭିନ୍ନ ରାଜ୍ୟର ଅନେକ ବିଲ ଜୀବନ୍ୟାସ ପାଇପାରନ୍ତି । ବିଲର ସାମ୍ୱିଧାନିକତା ଓ ବୈଧତାକୁ ପ୍ରସଙ୍ଗ କରି ମଧ୍ୟ ତାହା ରାଷ୍ଟ୍ରପତିଙ୍କ ବିବେଚନା ଲାଗି ପଠାଯାଇଥାଏ । ଏ ସମ୍ପର୍କରେ ନିର୍ଣ୍ଣୟ ନେବା ଲାଗି ସାମ୍ୱିଧାନିକ ଅଦାଲତ ଅଧିକୃତ ହୋଇଥିବାରୁ ସମ୍ୱିଧାନର ଅନୁଚ୍ଛେଦ ୧୪୩ରେ ରାଷ୍ଟ୍ରପତିଙ୍କୁ ପ୍ରଦତ୍ତ କ୍ଷମତା ବଳରେ ସେ ସେଗୁଡ଼ିକୁ ସାମ୍ୱିଧାନିକ ଅଦାଲତଙ୍କ ବିଚାରାର୍ଥେ ପଠାଇବା ଆବଶ୍ୟକ । 

ସାଧାରଣତଃ ବିଧାନସଭା ଦ୍ୱାରା ଗୃହୀତ ବିଲଟିଏ ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କ ଅନୁମୋଦନ ହାସଲ କଲା ପରେ ଯାଇ ଆଇନରେ ପରିଣତ ହୋଇଥାଏ । କିନ୍ତୁ ଭାରତର ସଂସଦୀୟ ଇତିହାସରେ ପ୍ରଥମ ଥର ଲାଗି ଏପରି ହେଲା ଯେ ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କ ବିନା ଦସ୍ତଖତରେ ସୁପ୍ରିମ କୋର୍ଟଙ୍କ ରାୟ ଆଧାରରେ ତାମିଲନାଡୁ ବିଧାନସଭା ଦ୍ୱାରା ଗୃହୀତ ୧୦ଟି ବିଲ୍ ଆଇନରେ ପରିଣତ ହୋଇଗଲା । କେବଳ ସେତିକି ନୁହେଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେହି ବିଲଗୁଡ଼ିକ ପିଛିଲା ଭାବେ ନଭେମ୍ୱର ୧୮, ୨୦୨୩ ତାରିଖରୁ  ରାଜ୍ୟପାଳଙ୍କ ଅନୁମୋଦନ ହାସଲ କରିସାରିଛି ବୋଲି ଧରି ନିଆଗଲା । ଉଲ୍ଲେଖଯୋଗ୍ୟ ଯେ ବିଲଗୁଡ଼ିକ ଦ୍ୱିତୀୟ ଥର ଲାଗି ବିଧାନସଭାରେ ଗୃହୀତ ହେବା ପରେ ସେହି ଦିନ ରାଜ୍ୟପାଳଙ୍କ ଅନୁମୋଦନ ଲାଗି ପଠାଯାଇଥିଲା । ସେଗୁଡ଼ିକୁ ତୁରନ୍ତ ଅନୁମୋଦନ ପ୍ରଦାନ କରିବା ବ୍ୟତୀତ ରାଜ୍ୟପାଳଙ୍କର ଗତ୍ୟନ୍ତର ନଥିଲା । ସେ ଉଚିତ ସମୟରେ ତାହା କରି ନ ଥିବାରୁ ପ୍ରକାରାନ୍ତରେ ରାଜ୍ୟ ପ୍ରତି ଅନ୍ୟାୟ ହୋଇଛି । କେବଳ ସେତିକି ନୁହେଁ, ସେ ‘ପଞ୍ଜାବ ସରକାର’ ମାମଲାରେ ସୁପ୍ରିମ କୋର୍ଟଙ୍କ ନିର୍ଣ୍ଣୟକୁ ସମ୍ମାନ ଜଣାଇବାକୁ ଉଚିତ ନ ମଣି କାର୍ଯ୍ୟ କରିଛନ୍ତି, ଯାହା ରାଜ୍ୟ ହିତରେ ହୋଇନାହିଁ । ରାଜ୍ୟ ପ୍ରତି ହୋଇଥିବା ସେହି ଅନ୍ୟାୟର ଭରଣା ଲାଗି ସୁପ୍ରିମକୋର୍ଟ ସମ୍ୱିଧାନର ଅନୁଚ୍ଛେଦ ୧୪୨ରେ ପ୍ରଦତ୍ତ ଅଧିକାରକୁ ପ୍ରୟୋଗ କରି ୧୦ଟି ଯାକ ବିଲକୁ ଅନୁମୋଦନ ପ୍ରଦାନ ପୂର୍ବକ ଆଇନରେ ପରିଣତ କଲେ । ତାମିଲନାଡୁ ସରକାର ମଧ୍ୟ କାଳ ବିଳମ୍ୱ ନ କରି ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ବିଜ୍ଞପ୍ତି ଜାରି କରିସାରିଲେଣି ।

ଗତ କିଛି ବର୍ଷ ଧରି କିଛି ବିରୋଧୀ ଦଳ ଶାସିତ ରାଜ୍ୟରେ ରାଜ୍ୟପାଳ ବିଧାନସଭା ଦ୍ୱାରା ଗୃହୀତ ଗୁରୁତ୍ୱପୂର୍ଣ୍ଣ ବିଲଗୁଡ଼ିକର ପଥରୋଧ କରୁଥିବାର ଅଭିଯୋଗ ହେଉଛି, ଯଦ୍ଦ୍ୱାରା ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇ ସାମ୍ୱିଧାନିକ ସଙ୍କଟ ଦେଖାଦେଉଛି । ଗତ ୨ ବର୍ଷ ଧରି କେରଳ ବିଧାନସଭା ଦ୍ୱାରା ଗୃହୀତ ୭ଟି ବିଲ୍ ରାଜ୍ୟପାଳଙ୍କ ଅନୁମୋଦନ ପାଇ ନଥିବାରୁ ମାମଲା ଏବେ ସର୍ବୋଚ୍ଚ ନ୍ୟାୟାଳୟରେ । ରାଜ୍ୟପାଳ ପଶ୍ଚିମବଙ୍ଗର ୮ଟି ବିଲ୍ ଅଟକାଇ ଥିବାର ଅଭିଯୋଗ ସହ ସେଠାକାର ସରକାର ମଧ୍ୟ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ । ନିକଟ ଅତୀତରେ ପଞ୍ଜାବ, ତେଲେଙ୍ଗାନା, କର୍ଣ୍ଣାଟକ, ରାଜସ୍ଥାନ ଆଦି ରାଜ୍ୟ ମଧ୍ୟ ସମ୍ପୃକ୍ତ ରାଜ୍ୟପାଳମାନଙ୍କ ଅସହଯୋଗର ଶିକାର ହୋଇଛନ୍ତି । ସୁପ୍ରିମ କୋର୍ଟଙ୍କ ସଦ୍ୟତମ ରାୟ ଜରିଆରେ ସବୁ ରାଜ୍ୟର ରାଜ୍ୟପାଳଙ୍କୁ ସ୍ପଷ୍ଟ ବାର୍ତ୍ତାଟିଏ ଯାଇଛି । ରାଜ୍ୟପାଳ ଗଣତାନ୍ତ୍ରିକ ଭାବେ ଗୃହୀତ ବିଲର ପଥରୋଧ କରିପାରିବେ ନାହିଁ । ଫଳରେ ନିର୍ବାଚିତ ରାଜ୍ୟ ସରକାରଗୁଡ଼ିକ ଅଧିକ ଶକ୍ତିଶାଳୀ ହେବା ସହ ସହଯୋଗୀ ସଂଘବାଦ ସୁଦୃଢ଼ ହେବ ।               

ସୁପ୍ରିମ କୋର୍ଟଙ୍କ ରାୟରେ ତାମିଲନାଡ଼ୁ ରାଜ୍ୟପାଳଙ୍କୁ ଯେଉଁ ଭଳି ଭର୍ତ୍ସନା କରାଯାଇଛି କୌଣସି ମନ୍ତ୍ରୀ ସେଭଳି ଭର୍ତ୍ସିତ ହୋଇଥିଲେ ଏତେବେଳକୁ ହୁଏତ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇସାରନ୍ତେଣି । ନୈତିକତା ଦୃଷ୍ଟିରୁ ତାଙ୍କୁ ଅନ୍ତତଃ ସେଠାରୁ ତୁରନ୍ତ ସ୍ଥାନାନ୍ତର କରାଯିବା ଆବଶ୍ୟକ । ରାଜ୍ୟପାଳମାନେ ସେମାନଙ୍କ ସାମ୍ୱିଧାନିକ ଦାୟିତ୍ୱ ଭୁଲି କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭଳି କାମ କରିବାକୁ ଲାଗିଲେ ଏହି ଧରଣର ଭୁଲ ଓ ବେଆଇନ କାର୍ଯ୍ୟ ପୁନରାବୃତ୍ତି ହେବାର ମଧ୍ୟ ଆଶଙ୍କା ଦେଖାଦେବ । ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟର ନକଲକୁ ଦେଶର ସବୁ ହାଇକୋର୍ଟ ଓ ସବୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବମାନଙ୍କ ନିକଟକୁ ପଠାଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହାର ଉଦ୍ଦେଶ୍ୟ ହୁଏତ ତାମିଲନାଡ଼ୁ ରାଜ୍ୟପାଳ କରିଥିବା ଭୁଲ ଓ ବେଆଇନ କାର୍ଯ୍ୟକୁ ଯେପରି ଅନ୍ୟ କୌଣସି ରାଜ୍ୟପାଳ ଅନୁଶାସନହୀନତା ବା ଅଜ୍ଞତା ବଶତଃ ଦୋହରାଇବାର ଦୁଃସାହସ କରି ସାମ୍ୱିଧାନିକ ସଙ୍କଟ ଉତ୍ପନ୍ନ ନ କରନ୍ତି । ସୁପ୍ରିମ କୋର୍ଟଙ୍କ ଏହି ନିର୍ଣ୍ଣୟ ସଂଘୀୟ ବ୍ୟବସ୍ଥାରେ କ୍ଷମତା ସନ୍ତୁଳନକୁ ପୁନର୍ନିଦ୍ଧାରଣ କରିବା ସହ କେନ୍ଦ୍ର-ରାଜ୍ୟ ସମ୍ପର୍କର ସଂଜ୍ଞାକୁ ପୁନଃନିରୂପଣ କରିବ ବୋଲି ଆଶା କରାଯାଇପାରେ ।


Published in Sambad on April 16, 2025


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...