Skip to main content

ନ୍ୟାୟପାଳିକାରେ ଭ୍ରଷ୍ଟାଚାର

ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବାସଭବନର ଆଉଟ ହାଉସରେ ନିଆଁ ଲାଗିବା ଓ ସେଥିରେ କୋଟି କୋଟି ଟଙ୍କାର ନୋଟ ବିଡ଼ା  ଅର୍ଦ୍ଧଦଗ୍ଧ ଅବସ୍ଥାରେ ଦେଖିବାକୁ ମିଳିବା ଭଳି ଘଟଣା ନ୍ୟାୟପାଳିକାରେ ଥିବା ଭ୍ରଷ୍ଟାଚାର ସମ୍ପର୍କରେ ବିତର୍କକୁ ପୁଣି ଥରେ ଉଷ୍ଣ କରିଛି । ତଳ କୋର୍ଟଗୁଡ଼ିକରେ ଥିବା ଭ୍ରଷ୍ଟାଚାର ନେଇ ଆଲୋଚନାମାନ ଶୁଣାଯାଉଥିଲେ ହେଁ ହାଇକୋର୍ଟ ଓ ସୁପ୍ରିମ କୋର୍ଟର ବିଚାରପତିମାନେ ସାଧାରଣତଃ ଏପରି ଅଭିଯୋଗର ଊର୍ଦ୍ଧ୍ୱରେ ରହି ଆସିଛନ୍ତି । କିନ୍ତୁ ଜଷ୍ଟିସ୍ ବର୍ମାଙ୍କୁ ନେଇ ଘଟିଥିବା ଘଟଣାରେ ସାଧାରଣ ଲୋକଙ୍କ ସେହି ବିଶ୍ୱାସକୁ ଦୋହଲି ଯାଇଛି । ଏହି ଘଟଣାରେ ଭ୍ରଷ୍ଟାଚାର ସହିତ ଜଷ୍ଟିସ୍ ବର୍ମାଙ୍କୁ ଯୋଡ଼ା ଯାଉଥିବା ବେଳେ ଅନେକ ଏହାକୁ ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ବୋଲି ଅଭିହିତ କରୁଛନ୍ତି । ତେବେ ଉଚ୍ଚ ନ୍ୟାୟପାଳିକାରେ ଭ୍ରଷ୍ଟାଚାର ପ୍ରସଙ୍ଗଟି ଜନସାଧାରଣଙ୍କୁ ବିଚଳିତ କରୁଥିବାରୁ ଏହି ଘଟଣା ସଂଲଗ୍ନ କେତେକ ବିନ୍ଦୁ ଉପରେ ଆଲୋଚନା ପ୍ରାସଙ୍ଗିକ ଭଳି ମନେହୁଏ ।

୨୦୨୫ ମସିହା ମାର୍ଚ୍ଚ ୧୪ ତାରିଖ ରାତି ସାଢ଼େ ୧୧ଟା ବେଳେ ଜଷ୍ଟିସ ବର୍ମାଙ୍କ ବାସଭବନର ଏକ ‘ଆଉଟ ହାଉସ’ରେ ନିଆଁ ଲାଗିବାର ସୂଚନା ପାଇ ତାଙ୍କ ବ୍ୟକ୍ତିଗତ ସଚିବ ପି.ସି.ଆର.କୁ ଫୋନରେ ଜଣାଇଥିଲେ । ଘଟଣା ଦିନ ଜଷ୍ଟିସ ବର୍ମା ଭୋପାଳରେ ଥିଲେ ଓ ଘରେ କେବଳ ତାଙ୍କ ଝିଅ ଓ ବୁଢ଼ୀ ମାଆ ଥିଲେ । ପର ଦିନ ଅର୍ଥାତ୍ ୧୫ ତାରିଖରେ ଦିଲ୍ଲୀର ପୁଲିସ କମିସନର୍ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଉପାଧ୍ୟାୟଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ସେଠାରେ ନଗଦ ଟଙ୍କାରେ ଭରା ୪-୫ଟି ବସ୍ତା ଥିଲା ବୋଲି ସୂଚନା ଦେଇଥିଲେ । ଏହାକୁ ଜଷ୍ଟିସ ଉପାଧ୍ୟାୟ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କ ଦୃଷ୍ଟିକୁ ଆଣିଥିଲେ ।  ଜଷ୍ଟିସ ବର୍ମା ସେହିଦିନ ସଞ୍ଜବେଳେ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କଲେ । ତେବେ, ୧୫ ତାରିଖ ଦିନ ସକାଳୁ ଜଷ୍ଟିସ ବର୍ମାଙ୍କ ନିଆଁ ଲାଗିଥିବା ଘରୁ କିଛି ଜଳି ଯାଇଥିବା ସାମଗ୍ରୀ ବାହାରକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ପୁଲିସ କମିସନର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ । ନିଆଁ ଲାଗିଥିବା ଘରଟି ତାଙ୍କ ମୂଳ ବାସଭବନର ଅଂଶବିଶେଷ ନୁହେଁ । ତାହା ତାଙ୍କ ଅନ୍ୟ ସହାୟକ କର୍ମଚାରୀମାନଙ୍କ ଚଳପ୍ରଚଳରେ ଥିଲା ଓ ସେଠାରେ ତାଙ୍କର କିଛି ପରିତ୍ୟକ୍ତ ଆସବାବପତ୍ର ଥିଲା ବୋଲି ଜଷ୍ଟିସ୍ ବର୍ମାଙ୍କଠାରୁ ଜଣାପଡ଼ିଥିଲା । ମାର୍ଚ୍ଚ ୨୦ ତାରିଖରେ ଜଷ୍ଟିସ ବର୍ମାଙ୍କୁ ଆଲାହାବାଦ ହାଇକୋର୍ଟକୁ ବଦଳି କରିବା ଲାଗି ସୁପ୍ରିମ କୋର୍ଟର କଲିଜିଅମରେ ନିଷ୍ପତ୍ତି ନିଆଗଲା । ଆଶ୍ଚର୍ଯ୍ୟର ବିଷୟ ହେଲା, ଏତେ ସବୁ ଘଟି ଯାଇଥିଲେ ବି ମାର୍ଚ୍ଚ ୨୧ ତାରିଖରେ ଏ ସଂକ୍ରାନ୍ତ ସମ୍ୱାଦ ଏକ ପ୍ରମୁଖ ଖବରକାଗଜରେ ପ୍ରକାଶିତ ନ ହେବା ଯାଏଁ ଏହା ଲୋକଲୋଚନର ଅନ୍ତରାଳରେ ଥିଲା । ମାର୍ଚ୍ଚ ୨୨ ତାରିଖରେ ଅଭିଯୋଗର ତଦନ୍ତ କରିବା ଲାଗି ପ୍ରଧାନ ବିଚାରପତିଙ୍କ ଦ୍ୱାରା ତିନିଜଣ ବିଚାରପତିଙ୍କୁ ନେଇ ଏକ କମିଟି ଗଠିତ ହେଲା ।

ସୁପ୍ରିମ କୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍ ଜେ ଏସ ଖେହରଙ୍କ ୨୦୧୪ ମସିହାର ଏକ ରାୟ ଅନୁଯାୟୀ ହାଇକୋର୍ଟ ଓ ସୁପ୍ରିମ କୋର୍ଟର କୌଣସି ବିଚାରପତିଙ୍କ ବିରୋଧରେ ଅଭିଯୋଗର ତଦନ୍ତ ପୁଲିସ ଦ୍ୱାରା ନ ହୋଇ ସାତଟି ପଦକ୍ଷେପ ବିଶିଷ୍ଟ ଏକ ‘ଆଭ୍ୟନ୍ତରୀଣ ପ୍ରକ୍ରିୟା’ ଦ୍ୱାରା କରାଯିବ । ଏ କ୍ଷେତ୍ରରେ ମଧ୍ୟ ସେହି ପ୍ରକ୍ରିୟା ଅନୁସୃତ ହେଉଛି । ଅଭିଯୋଗ ମିଳିବା ପରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କଠାରୁ ରିପୋର୍ଟ ମଗାଗଲା । ତାଙ୍କ ରିପୋର୍ଟର ଅନୁଶୀଳନ ପରେ ଚତୁର୍ଥ ପଦକ୍ଷେପ ସ୍ୱରୂପ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କ ଦ୍ୱାରା ତିନି ଜଣ ବିଚାରପତିଙ୍କୁ ନେଇ ଏକ ଆଭ୍ୟନ୍ତରୀଣ କମିଟି ଗଠିତ ହେଲା । ପଞ୍ଚମ ପଦକ୍ଷେପରେ କମିଟି ତାଙ୍କ ରିପୋର୍ଟରେ ଦୁରାଚାର ଅଭିଯୋଗର ଗମ୍ଭୀରତା ସମ୍ପର୍କରେ ଉଲ୍ଲେଖ କରି ତାଙ୍କୁ ବହିଷ୍କାର କରିବା ବା ନ କରିବା ସମ୍ପର୍କରେ ସ୍ପଷ୍ଟ ଭାବେ ଜଣାଇବେ । ଷଷ୍ଠ ପଦକ୍ଷେପରେ କମିଟି ତାଙ୍କ ବହିଷ୍କାର ପାଇଁ ସୁପାରିଶ ନ କଲେ ଜଷ୍ଟିସ ବର୍ମାଙ୍କୁ ତାହା ଜଣାଇଦିଆଯିବ । ତାଙ୍କ ବହିଷ୍କାର ପାଇଁ ସୁପାରିସ ହୋଇଥିଲେ ପ୍ରଧାନ ବିଚାରପତି ତାଙ୍କୁ ଇସ୍ତଫା ଦେବା ବା ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ଲାଗି ପ୍ରସ୍ତାବ ଦେଇପାରନ୍ତି । ଜଷ୍ଟିସ ବର୍ମାଙ୍କ ଦ୍ୱାରା ତାହା ଗ୍ରହଣୀୟ ନ ହେଲେ ସପ୍ତମ ପଦକ୍ଷେପ ଅନୁଯାୟୀ ତାଙ୍କ ବହିଷ୍କାର ଲାଗି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରାଯାଇପାରେ । ବିଚାରପତିଙ୍କ ଦୁର୍ନୀତିର ତଦନ୍ତ ଆଭ୍ୟନ୍ତରୀଣ ବ୍ୟବସ୍ଥା ଦ୍ୱାରା ହେବା ଏବେ ସମାଲୋଚନାର ଶରବ୍ୟ ହୋଇଛି ।  ତେବେ, ଏହି ଘଟଣାକୁ ନେଇ କେତେକ ପ୍ରଶ୍ନ ଉଠୁଛି, ଯାହାର ଉତ୍ତର ମିଳିବା ଆବଶ୍ୟକ । ଜଷ୍ଟିସ ବର୍ମାଙ୍କ ଆଉଟ ହାଉସରେ ଚାବି ପଡ଼ି ନଥିବାରୁ ମିଳିଥିବା ଟଙ୍କା ତାଙ୍କର ନା ଅନ୍ୟ କାହାର ? ତାଙ୍କ ଭଳି ଜଣେ ଅଭିଜ୍ଞ ବିଚାରପତି କ’ଣ ଉତ୍କୋଚ ଗ୍ରହଣ କରି ତାକୁ ବସ୍ତାରେ ରଖିବେ, ତାହା ପୁଣି ଅନ୍ୟମାନଙ୍କ ଚଳପ୍ରଚଳ ଥିବା ଏକ ପରିତ୍ୟକ୍ତ ଘରେ ? 

ନ୍ୟାୟପାଳିକାରେ ଦୁର୍ନୀତି ନେଇ ଆଲୋଚନା ବେଳେ ଅନେକ ଦିଗ ପ୍ରତି  ଦୃଷ୍ଟି ଯାଇଥାଏ । ରାଜନୈତିକ ଚାପ ବା ସରକାରୀ ଅନୁଗ୍ରହର ପ୍ରଲୋଭନ ଦୁର୍ନୀତିକୁ ଜନ୍ମ ଦେଇପାରେ । ଅଦାଲତଗୁଡ଼ିକରେ ସରକାର ସମ୍ପୃକ୍ତ ଥିବା ମାମଲାର ସଂଖ୍ୟା ସର୍ବାଧିକ; ଯହିଁରେ ଦେଖିବାକୁ ମିଳିଥାଏ ଯେ ପ୍ରାୟ ୫୦ ପ୍ରତିଶତ ମାମଲାରେ ସରକାର ପକ୍ଷଭୁକ୍ତ ହୋଇଥାଆନ୍ତି । ତେଣୁ ନ୍ୟାୟପାଳିକାର ନିର୍ଣ୍ଣୟକୁ ନିଜ ସପକ୍ଷରେ ନେବାର ପ୍ରବଣତା ସରକାରଙ୍କଠାରେ ରହିବା ସ୍ୱାଭାବିକ ହୋଇଥିବାରୁ ଉପରୋକ୍ତ ସରକାରୀ ପ୍ରଭାବ ବିଷୟ ମନକୁ ଆସିଥାଏ । ଅବସର ପରେ କେତେକ ବିଚାରପତିଙ୍କୁ ରାଜ୍ୟସଭାର ସଦସ୍ୟତା ଦିଆଯାଏ ତ କାହାକୁ ରାଜ୍ୟପାଳ ତଥା ଅନ୍ୟାନ୍ୟ ପଦରେ ଅବସ୍ଥାପିତ କରାଯାଇଥାଏ, ଯହିଁରୁ ଦୁର୍ନୀତିର ସନ୍ଦେହ ଜାତ ହୋଇଥାଏ । ଏହି ପ୍ରସଙ୍ଗରେ ୨୦୧୨ ମସିହାରେ ଅରୁଣ ଜେଟଲି ମଧ୍ୟ କହିଥିଲେ ଯେ ଅବସର ପୂର୍ବର ରାୟଗୁଡ଼ିକ ଅବସର ପରବର୍ତ୍ତୀ ନିଯୁକ୍ତି ଦ୍ୱାରା ପ୍ରଭାବିତ ହୋଇଥାଏ । ମାମଲାର ଦୋଷଗୁଣ ଓ ଗମ୍ଭୀରତାକୁ ବିବେଚନା ନ କରି ବ୍ୟକ୍ତିଗତ ପରିଚୟ ବା ନିକଟତା ଆଧାରରେ ନ୍ୟାୟ ପ୍ରଦାନ କରାଯିବା ମଧ୍ୟ ଦୁର୍ନୀତିର ଅନ୍ୟ ଏକ ରୂପ ।  ସ୍ଥଳ ବିଶେଷରେ ହିଂସା ବା ଅନ୍ୟ କୌଣସି ଭୟ କାରଣରୁ ମଧ୍ୟ ବିଚାରପତିଙ୍କ ରାୟ ପ୍ରଭାବିତ ହୋଇପାରେ ।                  

ମାନବାଧିକାରର ସୁରକ୍ଷା ପ୍ରଦାନ ହେଉଛି ନ୍ୟାୟପାଳିକାର ପ୍ରମୁଖ କର୍ତ୍ତବ୍ୟ । ଅନ୍ୟ ପକ୍ଷରେ ଦୁର୍ନୀତି ହିଁ ମାନବାଧିକାର ସୁରକ୍ଷାର ବଡ଼ ଶତ୍ରୁ । ଆମ ଦେଶରେ ଜନସେବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଅନୁଷ୍ଠାନ ଦୁର୍ନୀତିଗ୍ରସ୍ତ ହୋଇପଡ଼ିଥିବାରୁ ମାନବାଧିକାରର ହନନ ହୋଇଥାଏ । ଏଭଳି ସ୍ଥଳେ ନ୍ୟାୟପାଳିକା ହେଉଛି ଏକମାତ୍ର ତ୍ରାଣକର୍ତ୍ତା । ତେଣୁ ନ୍ୟାୟପାଳିକାରେ ଦୁର୍ନୀତିର ସନ୍ଦେହ ନାଗରିକମାନଙ୍କୁ ଅଧିକ ବିଚଳିତ କରିଥାଏ । ଅତଏବ ମାନବାଧିକାର ପ୍ରତିଷ୍ଠା ଲାଗି ନ୍ୟାୟପାଳିକାକୁ ଦୁର୍ନୀତି ଓ ଅପପ୍ରଭାବରୁ ମୁକ୍ତ ରହିବା ସର୍ବାଧିକ ଜରୁରି । ମାନବାଧିକାରକୁ ସୁରକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଜାତିସଂଘର ‘ଆନ୍ତର୍ଜାତିକ ଦୁର୍ନୀତିବିରୋଧୀ ଚୁକ୍ତି’ ହିଁ ଏକ ଆୟୁଧ ପରି କାମ କରିଥାଏ । ଏହି ଚୁକ୍ତିର ଅନୁଚ୍ଛେଦ ୧୧ରେ ଦୁର୍ନୀତି ବିରୋଧରେ ଲଢ଼େଇରେ ନ୍ୟାୟପାଳିକାର ଭୂମିକା ଓ ତାକୁ ପ୍ରଭାବୀ ଢଙ୍ଗରେ ନିର୍ବାହ କରିବା ଲାଗି ନ୍ୟାୟାଧୀଶମାନଙ୍କ ସାଧୁତା ଓ ସତ୍ୟନିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଛି । କେବଳ ସେତିକି ନୁହେଁ, ଦୁର୍ନୀତି ନିବାରଣ ଓ ମୁକାବିଲା ପାଇଁ ଏଥିରେ ଆଭ୍ୟନ୍ତରୀଣ ସଂସ୍ଥା ଗଠନ ନେଇ ମାର୍ଗଦର୍ଶିକା ମଧ୍ୟ ରହିଛି । ନ୍ୟାୟପାଳିକାରେ ଭ୍ରଷ୍ଟାଚାର ରହିଲେ ତାହା କ୍ରମଶଃ ସଂଗଠିତ ଅପରାଧକୁ ପ୍ରୋତ୍ସାହନ ଦେଉଥିବାରୁ ଏକ ସଚ୍ଚୋଟ ନ୍ୟାୟପାଳିକାର କାର୍ଯ୍ୟ କରିବା ଉପରେ ଜାତିସଂଘର ଚୁକ୍ତି ଗୁରୁତ୍ୱ ପ୍ରଦାନ କରିଥାଏ । 

ନ୍ୟାୟପାଳିକାର ଶୀର୍ଷସ୍ଥାନରେ ଥିବା ନ୍ୟାୟାଧୀଶମାନଙ୍କ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବା ପାଇଁ ୧୯୯୭ ମସିହା ମେ ୭ ତାରିଖରେ ସୁପ୍ରିମ କୋର୍ଟ ତରଫରୁ ଦୁଇଟି ସଙ୍କଳ୍ପ ଗୃହୀତ ହୋଇଥିଲା । ତନ୍ମଧ୍ୟରୁ ’ଦି ରିଷ୍ଟେଟମେଣ୍ଟ ଅଫ୍ ଜୁଡିସିଆଲ ଲାଇଫ୍’ରେ ସୁପ୍ରିମ କୋର୍ଟ ଓ ହାଇକୋର୍ଟର ନ୍ୟାୟାଧୀଶମାନେ କେତେକ ସର୍ବନିମ୍ନ ନ୍ୟାୟିକ ମାନ ଓ ସିଦ୍ଧାନ୍ତର ଅନୁପାଳନ କରିବା କଥା ଉଲ୍ଲେଖ ଥିଲା । ସେ ସବୁର ଉଲ୍ଲଂଘନ ପରିପ୍ରେକ୍ଷୀରେ କି ପଦକ୍ଷେପ ଗ୍ରହଣ କରାଯିବ ସେ ସମ୍ପର୍କରେ ଦ୍ୱିତୀୟ ସଙ୍କଳ୍ପରେ ଉଲ୍ଲେଖ ଥିଲା । ଏଥିପାଇଁ ଯେଉଁ ଆଭ୍ୟନ୍ତରୀଣ ବ୍ୟବସ୍ଥାର ପ୍ରଚଳନ ହେଲା ତଦନୁଯାୟୀ ସୁପ୍ରିମ କୋର୍ଟର ବିଚାରପତି ଓ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କ ଆଚରଣ ବିରୋଧରେ ଅଭିଯୋଗ ଗ୍ରହଣ କରିବାକୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି କ୍ଷମତାପ୍ରାପ୍ତ ହେଲେ । ହାଇକୋର୍ଟର ବିଚାରପତିମାନଙ୍କ ଆଚରଣ ବିରୋଧରେ ଅଭିଯୋଗ ଗ୍ରହଣ କରିବାକୁ ସମ୍ପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି କ୍ଷମତା ପାଇଲେ । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ୨୦୧୭ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ମାତ୍ର ୫ ବର୍ଷ ମଧ୍ୟରେ ଏହିପରି ମିଳିଥିବା ୧୬୩୧ଟି ଅଭିଯୋଗକୁ ସମ୍ପୃକ୍ତ ପ୍ରଧାନ ବିଚାରପତି ଓ ମୁଖ୍ୟ ବିଚାରପତିମାନଙ୍କ ନିକଟକୁ ପଠାଇ ଦିଆଯାଇଥିଲା । ସେହି ସବୁ ଅଭିଯୋଗର ଶେଷ ଫଳ କ’ଣ ହୋଇଛି, ତାହା ଭିନ୍ନ ପ୍ରସଙ୍ଗ ହୋଇପାରେ । କିନ୍ତୁ କଥା ହେଲା, ଶୀର୍ଷ ସ୍ଥାନୀୟ ବିଚାରପତିମାନଙ୍କ ବିରୋଧରେ ଏତେ ସଂଖ୍ୟକ  ଅଭିଯୋଗ ମିଳିବା ତ ଅତ୍ୟନ୍ତ ଉଦବେଗଜନକ ।

ଆଇନର ଶାସନ ପ୍ରତିଷ୍ଠା ପାଇଁ ନ୍ୟାୟପାଳିକାର ସ୍ୱାଧୀନତା ଯେତିକି ଗୁରୁତ୍ୱପୂର୍ଣ୍ଣ, ନ୍ୟାୟପାଳିକା ଭ୍ରଷ୍ଟାଚାରମୁକ୍ତ ହେବା ତତୋଧିକ ଗୁରୁତ୍ୱପୂର୍ଣ୍ଣ । ଏବେ ମଧ୍ୟ ଅଧିକାଂଶ ଦେଶବାସୀଙ୍କର ନ୍ୟାୟପାଳିକା ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ସେହି ଆସ୍ଥାକୁ ଅତୁଟ ରଖିବା ପାଇଁ ଅବିଳମ୍ୱେ ନ୍ୟାୟପାଳିକାରୁ ଭ୍ରଷ୍ଟାଚାରର ବା ସେ ନେଇ ସନ୍ଦେହ ଦୂରୀଭୁତ ହେବା ଆବଶ୍ୟକ । ସଂସ୍କାର ମାଧ୍ୟମରେ ନ୍ୟାୟପାଳିକାର କାର୍ଯ୍ୟ ପଦ୍ଧତିକୁ ଅଧିକ ସ୍ୱଚ୍ଛ କରାଯିବା ଦରକାର । ବିଚାରପତିମାନଙ୍କ ଦ୍ୱାରା ସେମାନଙ୍କ ସମ୍ପତ୍ତି ଘୋଷଣାକୁ ବାଧ୍ୟତାମୂଳକ କରାଯାଇ ତାହା ସୁପ୍ରିମ କୋର୍ଟର ୱେବସାଇଟରେ ରଖାଯିବା ଉଚିତ । ଅନ୍ୟ ପକ୍ଷରେ, ଦୁର୍ନୀତିରେ ଲିପ୍ତ ନଥିବା କିଛି ବିଚାରପତି ମଧ୍ୟ ମିଛ ଅଭିଯୋଗରେ ବର୍ଷ ବର୍ଷ ଧରି ଉତ୍ପୀଡ଼ିତ ହେଉଥିବାର ଦୃଷ୍ଟାନ୍ତ ରହିଛି । ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ନିର୍ମଳ ଯାଦବ । ୨୦୦୮ ମସିହାରେ କେହି ଜଣେ ନଗଦ ୧୫ ଲକ୍ଷ ଟଙ୍କାର ପ୍ୟାକେଟଟିଏ ଆଣି ତାଙ୍କ ବାସଭବନର ବାରଣ୍ଡାରେ ରଖି ଯାଇଥିଲା । ତା’ପରେ ସମ୍ପୃକ୍ତ ବିଚାରପତି ଉତ୍କୋଚ ଗ୍ରହଣ କରିଥିବାର ଅଭିଯୋଗ ହେଲା ।  ବର୍ଷ ବର୍ଷ ଧରି ଆଇନର ଲଢ଼େଇ ପରେ ଶେଷରେ ୨୦୨୫ ମସିହା ମାର୍ଚ୍ଚ ୨୯ ଚାରିଖ ଦିନ ତାଙ୍କୁ ଦୋଷମୁକ୍ତ ବୋଲି ଘୋଷଣା କରାଗଲା । ଭ୍ରଷ୍ଟାଚାରକୁ ଆଳ କରି ଯେପରି ଜଣେ ହେଲେ ସାଧୁ ଓ ସତ୍ୟନିଷ୍ଠ ନ୍ୟାୟାଧୀଶ କୌଣସି ଚକ୍ରାନ୍ତର ଶିକାର ନ ହୁଅନ୍ତି, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । କେନିଆ ଦେଶରେ ପ୍ରଚଳିତ ଏକ ଲୋକୋକ୍ତିର ସାରମର୍ମ ହେଉଛି, ଯେଉଁଠି ବିଚାରପତି କିଣିବାକୁ ମିଳନ୍ତି, ସେଠି କେସ୍ ଲଢ଼ିବା ପାଇଁ ଓକିଲ ପଛରେ ଟଙ୍କା ଖର୍ଚ୍ଚ କରିବାର କି ପ୍ରୟୋଜନ ? ଭାରତରେ ନ୍ୟାୟାଧୀଶମାନଙ୍କୁ ‘ଧର୍ମାବତାର’ ବୋଲି ସମ୍ୱୋଧନ କରାଯାଇଥାଏ । ଏହାର ଅର୍ଥ ହେଉଛି ବିଚାରପତିମାନେ ସ୍ୱୟଂ ଧର୍ମଙ୍କ ଅବତାର । ଏହି ଭାବମୂର୍ତ୍ତି ସର୍ବଦା ସମୁଜ୍ଜ୍ୱଳ ରହୁ ।


Published in Sambad on April 02, 2025

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...