Skip to main content

ପାର୍କିଂ ସୁବିଧା ନ ଥିଲେ କାର୍ ପଞ୍ଜିକରଣ ମନା

ଆମ୍ୱୁଲାନ୍ସଟିଏ ଗଳି ମୁଣ୍ଡରେ ଘନଘନ ସାଇରନ୍ ବଜାଇ ଚାଲିଥାଏ, ହେଲେ ଗଳି ଭିତରକୁ ପଶି ପାରୁ ନଥାଏ । କାରଣ ଗଳିର ସଂକୀର୍ଣ୍ଣ ରାସ୍ତାଟିକୁ ଅବରୋଧ କରି ଠିଆ ହୋଇ ରହିଥିବା ଗାଡ଼ିଗୁଡ଼ିକୁ ବାହାର କରିବା ଲାଗି ଗାଡ଼ି ମାଲିକମାନଙ୍କଠାରେ ତତ୍ପରତା ପ୍ରକାଶ ପାଉ ନ ଥାଏ । ଇଆଡ଼େ ରୋଗୀ ଜଣକର ଅବସ୍ଥା ଗୁରୁତର ହୋଇ ପଡ଼ୁଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ଜରୁରି ହୋଇ ପଡ଼ୁଥାଏ । ତେଣୁ ବାଧ୍ୟ ହୋଇ ରୋଗୀର ଜ୍ଞାତିପରିଜନମାନେ ତାଙ୍କୁ ବୋହି ବୋହି ଆମ୍ୱୁଲାନ୍ସ ନିକଟରେ ପହଞ୍ଚାନ୍ତି । ଆଉ ସାମାନ୍ୟ ବିଳମ୍ୱ ହୁଏତ ଅଘଟଣକୁ ଆମନ୍ତ୍ରଣ କରିଥାନ୍ତା । ରାସ୍ତାକୁ ଅବରୋଧ କରି ସଂକୀର୍ଣ୍ଣ ଗଳି ରାସ୍ତାରେ ଗାଡ଼ିଗୁଡ଼ିକୁ ପାର୍କିଂ କରାଯାଉଥିବାରୁ ଏଭଳି ଘଟଣାମାନ ପ୍ରତିଦିନ ଘଟୁଛି । କେଉଁଠି ଆବର୍ଜନା ସଂଗ୍ରହ କରୁଥିବା ମ୍ୟୁନିସିପାଲିଟିର ଗାଡ଼ି ଗଳି ଭିତରକୁ ପଶି ପାରୁନାହିଁ ତ କେଉଁଠି ପୁଣି ରାସ୍ତା ଅବରୋଧ ଥିବା ଦେଖି ଭଡ଼ାଗାଡିରେ ଆସୁଥିବା ଯାତ୍ରୀଙ୍କୁ ଗଳିମୁଣ୍ଡରେ ଓହ୍ଲାଇ ଦିଆଯାଉଛି । ରାସ୍ତା ଅବରୋଧଜନିତ ଦୃଶ୍ୟମାନତାର ଅଭାବରୁ ପଦଚାରୀମାନେ ଦୁର୍ଘଟଣାର ମଧ୍ୟ ଶିକାର ହେଉଛନ୍ତି । ଫଳରେ ପଡ଼ୋଶୀମାନଙ୍କ ମଧ୍ୟରେ ଅଶାନ୍ତି ଓ ଗଣ୍ଡଗୋଳ ଲାଗି ରହି ସ୍ଥଳ ବିଶେଷରେ ହିଂସାତ୍ମକ ରୂପ ଧାରଣ କରୁଛି । ବେଆଇନ ପାର୍କିଂ ଯୋଗୁଁ ସ୍ଥାନୀୟ ଅଧିବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ବି ସମସ୍ୟାର ନିଦାନ ହୋଇପାରୁ ନାହିଁ । ପର୍ଯ୍ୟାପ୍ତ ପାର୍କିଂ ସୁବିଧା ନ ଥାଇ ଘର ପିଛା ଗାଡ଼ି ସଂଖ୍ୟା ବଢ଼ି ବଢ଼ି ଚାଲୁଥିବାରୁ ଆଗକୁ ସହରମାନଙ୍କରେ ଏହି ସମସ୍ୟା ଆହୁରି ଉତ୍କଟ ହେବାକୁ ଯାଉଛି । ମୁମ୍ୱଇ, ଦିଲ୍ଲୀ ପରି ସହରଗୁଡ଼ିକରେ ତ ଏହି ସମସ୍ୟା ଅନିୟନ୍ତ୍ରିତ ହୋଇଗଲାଣି । ତେଣୁ ଆମ ରାଜ୍ୟରେ ସ୍ଥିତି ଜଟିଳ ହେବା ପୂର୍ବରୁ ଉଭୟ ନାଗରିକ ଓ ସରକାରଙ୍କୁ ଅବ୍ୟବସ୍ଥିତ ପାର୍କିଂ ସମସ୍ୟା ପ୍ରତି ସଚେତନ ହୋଇ ତାହାର ନିଦାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । 

ସାରା ବିଶ୍ୱରେ ଏବେ ସହରୀକରଣ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଥିବାରୁ ସହରଗୁଡ଼ିକର ଲୋକସଂଖ୍ୟା ଆଶାତୀତ ଭାବେ ବଢ଼ିବାରେ ଲାଗିଛି । ଏଥିସହ ଯାନବାହନର ସଂଖ୍ୟା ମଧ୍ୟ ବହୁଗୁଣିତ ହୋଇ ପାର୍କିଂ ସ୍ଥଳର ଅଭାବ ଦେଖାଦେଉଛି, ଯାହା ପାର୍କିଂ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଛି । ପଦଚାରୀଙ୍କଠାରୁ ଆରମ୍ଭ କରି ଗାଡ଼ି ଚାଳକ, ବ୍ୟାବସାୟିକ ଅନୁଷ୍ଠାନ, ପୌର କର୍ତ୍ତୃପକ୍ଷ ଓ ଅନ୍ୟ ସମସ୍ତେ ଏହି ସମସ୍ୟାର ଶିକାର ହେବାକୁ ବାଧ୍ୟ ହେଉଛନ୍ତି । ଭାରତରେ ପଞ୍ଜିକୃତ ଗଡ଼ିର ସଂଖ୍ୟା ୩୫ କୋଟି ଟପି ସାରିଲାଣି । ପ୍ରତି ୧୦୦୦ ଲୋକଙ୍କ ପିଛା ହାରାହାରି ପ୍ରାୟ ୩୧ଟି କାର୍ ଥିବା ବେଳେ ୧୭୨ଟି ଦୁଇ ଚକିଆ ଯାନ ରହିଛି । ଓଡ଼ିଶାରେ ବି ୨୦୨୩-୨୪ ଆର୍ଥିକ ବର୍ଷରେ ୭.୭୬ ଲକ୍ଷ ଗାଡ଼ି ବିକ୍ରି ହୋଇଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ୧୯.୩୨ ପ୍ରତିଶତ ଅଧିକ । ଓଡ଼ିଶାରେ ପଞ୍ଜିକୃତ ଗାଡ଼ିର ସଂଖ୍ୟା ପ୍ରାୟ ୧ କୋଟି । ଲୋକଙ୍କ ରୋଜଗାର ବୃଦ୍ଧି, ଜୀବନ ଧାରଣ ମାନରେ ଉନ୍ନତି ତଥା ଅପର‌୍ୟ୍ୟାପ୍ତ ସାଧାରଣ ପରିବହନ ବ୍ୟବସ୍ଥା ଏହି ସଂଖ୍ୟା ବୃଦ୍ଧିର କାରଣ ପାଲଟିଛି । ଗାଡ଼ି ତୁଳନାରେ ପାର୍କିଂ ସ୍ଥଳର ଅଭାବ ଯୋଗୁଁ ରାସ୍ତା ଘାଟରେ ଗାଡ଼ି ଠିଆ କରି ଦିଆଯାଉଛି, ଯାହା ଯାନବାହନଗୁଡ଼ିକର ସ୍ୱଚ୍ଛନ୍ଦ ଚଳାଚଳରେ ବାଧା ଉତ୍ପନ୍ନ କରି ପ୍ରଦୂଷଣ ବୃଦ୍ଧିର କାରଣ ହେଉଛି । ଦିଲ୍ଲୀ, କୋଲକାତା, ସୁରଟ, ଅହମଦାବାଦ, ପୁଣେ, ବେଙ୍ଗାଲୁରୁ, ଚଣ୍ଡିଗଡ଼ ଭଳି କେତେକ ସହରରେ ସହରଭିତ୍ତିକ ପାର୍କିଂ ନୀତି ଅନୁସୃତ ହେଉଥିଲେ ବି ସାରା ଦେଶରେ ଏଭଳି ନୀତିର ପ୍ରଣୟନ ହେବା ଉଚିତ ।    

ଦେଶରେ ଆବାସିକ ସୌଧଗୁଡ଼ିକରେ ପାର୍କିଂ ବ୍ୟବସ୍ଥାର ପ୍ରାବଧାନ ସୁନିଶ୍ଚିତ କରିବା ଲାଗି ନିର୍ଦ୍ଦିଷ୍ଟ ଭାବେ କିଛି ଆଇନ ରହିଛି । ନ୍ୟାସନାଲ ବିଲଡିଙ୍ଗ କୋଡର ନିୟମ ଅନୁଯାୟୀ ଆବାସିକ ସୌଧରେ ପ୍ରତିଟି କାର ଓ ଦୁଇ ଚକିଆ ଯାନର ପାର୍କିଂ ପାଇଁ ସର୍ବନିମ୍ନ ଯଥାକ୍ରମେ ପ୍ରାୟ ୧୪୮ ବର୍ଗ ଫୁଟ ଓ ୧୪ ବର୍ଗ ଫୁଟ ସ୍ଥାନର ପ୍ରାବଧାନ କରାଯିବା ଆବଶ୍ୟକ । ପୁନଶ୍ଚ, କେନ୍ଦ୍ର ସରକାରଙ୍କ ଆବାସ ଓ ନଗର ବିଷୟକ ମନ୍ତ୍ରାଳୟ ଏକ ଆଦର୍ଶ ସୌଧ ଉପବିଧି (ବାଇ-ଲ) ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ପାର୍କିଂ ନିୟମ ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ ରହିଛି । ତଦନୁଯାୟୀ ପ୍ରତି ୧୦୦ ବର୍ଗ ମିଟରର ଫ୍ଲୋର କ୍ଷେତ୍ର ପାଇଁ  ୨ଟି କାର ରହି ପାରିବା ଭଳି ପାର୍କିଂ କ୍ଷେତ୍ରର ପ୍ରାବଧାନ କରିବାକୁ ହେବ । ଅର୍ଥାତ୍ ପ୍ରତି ତିନି ବେଡରୁମ ଫ୍ଲାଟର ନିବାସୀ ଗୋଟିଏ ଓ  ଚାରି ବେଡରୁମ ଫ୍ଲାଟର ନିବାସୀ ଦୁଇଟି ଲେଖାଏଁ କାର ପାର୍କିଂ ସ୍ଥାନ ପାଇ ପାରିବେ । ସେହିପରି ରିଅଲ ଇଷ୍ଟେଟ ରେଗୁଲେଟରି ଅଥରିଟି (ରେରା) ଅନୁଯାୟୀ ନିବାସୀଙ୍କ ଲାଗି ପାର୍କିଂ ସୁବିଧା ସାଧାରଣ ସୁବିଧା (କମନ ଫେସିଲିଟିଜ)ର ଅଂଶବିଶେଷ ହୋଇଥିବାରୁ କୌଣସି ବିଲଡର ନିବାସୀଙ୍କୁ ଅଲଗା ଭାବେ ପାର୍କିଂ ସ୍ଥଳ ବିକ୍ରି କରିପାରିବେ ନାହିଁ । ୨୦୧୦-୧୧ ମସିହାରେ ମୁମ୍ୱଇରେ କିଛି ବିଲଡର ପାର୍କିଂ ସ୍ଥଳକୁ ବାହାର ଲୋକଙ୍କୁ ବିକ୍ରି କରିବାର ମସୁଧା କରିଥିଲେ । ଏ ସଂକ୍ରାନ୍ତୀୟ ମାମଲାରେ ବମ୍ୱେ ହାଇକୋର୍ଟଙ୍କ ସ୍ପଷ୍ଟ ରାୟ ଥିଲା ଯେ ପାର୍କିଂ ସ୍ଥଳ ସାଧାରଣ ସୁବିଧାର ଅଂଶବିଶେଷ ହୋଇଥିବାରୁ ବିଲଡରମାନେ ତାହା କରିପାରିବେ ନାହିଁ । 

ଦିଲ୍ଲୀରେ ସର୍ବସାଧାରଣ ସ୍ଥାନଗୁଡ଼ିକର ଜବରଦଖଲ ସମସ୍ୟା ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏକ ତିନିଜଣିଆ କମିଟି ନିକଟରେ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । ଦିଲ୍ଲୀର ପାର୍କ ଓ ସର୍ବସାଧାରଣ ସ୍ଥାନଗୁଡ଼ିକ କିପରି ଅନଧିକୃତ ଭାବେ ଗାଡ଼ି ରଖିବା ପାଇଁ ପାର୍କିଂ ସ୍ଥଳ ଭାବେ ବ୍ୟବହୃତ ହେଉଛି, ତାହା ରିପୋର୍ଟରେ ଉଲ୍ଲେଖ ହୋଇଛି । କେବଳ ସେତିକି ନୁହେଁ, ଫୁଟପାଥ ଓ ସର୍ଭିସ୍ ରୋଡଗୁଡ଼ିକରେ ମନ ଇଚ୍ଛା ଗାଡ଼ି ରଖାଯାଉଥିବାରୁ ପଦଚାରୀଙ୍କ ଚାଲିବା ଲାଗି ବାଟ ରହୁନାହିଁ । ଏଥି ସହ ମୁଷ୍ଟିମେୟ ଅଶିଷ୍ଟ ଲୋକଙ୍କ ଦ୍ୱାରା ରାସ୍ତାର ମନୋମୁଖୀ ଅବରୋଧ ଯୋଗୁଁ ଗତିରୋଧକ ଅବସ୍ଥା ଲାଗି ରହି ଯାନବାହନର ଗମନାଗମନ ସ୍ୱଚ୍ଛନ୍ଦ ହୋଇପାରୁନାହିଁ ଓ ଦୁର୍ଘଟଣାମାନ ମଧ୍ୟ ଘଟୁଛି । ତେଣୁ ଭବିଷ୍ୟତରେ ଗାଡ଼ି ପଞ୍ଜିକରଣ ବେଳେ ପରିବାର ପିଛା କେବଳ ଗୋଟିଏ ଲେଖାଏଁ କାରର ପଞ୍ଜିକରଣ କରାଯିବା ନେଇ କମିଟି ସୁପାରିଶ କରିଛନ୍ତି । କେବଳ ଅଧିକୃତ ପାର୍କିଂ ସ୍ଥାନ ଥିବା କ୍ରେତାଙ୍କୁ ଗାଡ଼ି ବିକ୍ରି କରିହେବ ବୋଲି ନିର୍ଦ୍ଦେଶ ଜାରି କରିବା ଲାଗି କମିଟି ତରଫରୁ ସୁପ୍ରିମକୋର୍ଟଙ୍କୁ ସୁପାରିଶ କରାଯାଇଛି । ଏହା କେବଳ ଦିଲ୍ଲୀର ସମସ୍ୟା ନୁହେଁ । ବର୍ତ୍ତମାନ ପ୍ରାୟ ସବୁ ଛୋଟ ବଡ଼ ସହରରେ ଗାଡ଼ିର ପାର୍କିଂ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ସୁପ୍ରିମକୋର୍ଟ ହୁଏତ ସାରା ଦେଶ ଲାଗି ଏହି ଧରଣର ନିର୍ଦ୍ଦେଶ ଜାରି କରିପାରନ୍ତି । ଯାନବାହନ ସଂଖ୍ୟାରେ ଅହେତୁକ ବୃଦ୍ଧି ଯୋଗୁଁ ସୃଷ୍ଟି ହେଉଥିବା ନିୟନ୍ତ୍ରଣବିହୀନ ଗତିରୋଧକ ଅବସ୍ଥାକୁ ଲାଘବ କରିବା ପାଇଁ ଇତିମଧ୍ୟରେ ମହାରାଷ୍ଟ୍ର ସରକାର ସହରାଞ୍ଚଳଗୁଡ଼ିକରେ ନୂଆ ଗାଡ଼ିର ପଞ୍ଜିକରଣକୁ ନେଇ ଏକ ନୂଆ ନୀତିର ପ୍ରଣୟନ କରିବାକୁ ଯାଉଛନ୍ତି । ତଦନୁଯାୟୀ ନୂଆ କାରର ପଞ୍ଜିକରଣ ପୂର୍ବରୁ ଗାଡି ରଖିବା ଲାଗି କ୍ରେତାଙ୍କ ନିକଟରେ ଅଧିକୃତ ସ୍ଥାନଟିଏ ଅଛି ବୋଲି ତାଙ୍କୁ ଏକ ‘ପ୍ରମାଣିତ ପାର୍କିଂ ସ୍ଥଳ’ (ସାର୍ଟିଫାଏଡ ପାର୍କିଂ ଏରିଆ- ସିପିଏ) ପ୍ରମାଣ ପତ୍ର ଦାଖଲ କରିବାକୁ ହେବ । ଅର୍ଥାତ୍ ଏଣିକି ଅଧିକୃତ ପାର୍କିଂ ସ୍ଥାନ ନଥିବା ବ୍ୟକ୍ତିଙ୍କ ପକ୍ଷରେ କାର କିଣିବା ଆଉ ସମ୍ଭବ ହେବ ନାହିଁ । ତେବେ କୌଣସି ଗ୍ରାହକଙ୍କ ନିକଟରେ ନିଜର ପାର୍କିଂ ସ୍ଥାନ ନଥିଲେ ବି ସେ ତାଙ୍କ ଗାଡ଼ି ଲାଗି ପାର୍କିଂ ସ୍ଥାନ ଯୋଗାଉଥିବା ଘରୋଇ ବା ସରକାରୀ ସଂସ୍ଥାଙ୍କ ନିକଟରୁ ‘ଅଧିକୃତ ପାର୍କିଂ ସ୍ଥାନ’ଟିଏ ହାସଲ କରିପାରିବେ ଓ ଏହାର ପ୍ରମାଣ ପତ୍ର ପରିବହନ ବିଭାଗ ଅନୁମୋଦନରେ ସମ୍ପୃକ୍ତ ମ୍ୟୁନିସିପାଲିଟି ବା କର୍ପୋରେସନ ଦ୍ୱାରା ପ୍ରଦାନ କରାଯିବ । ଏହି ସିପିଏ ନୀତି ପ୍ରଥମେ ନୂଆ ଗାଡ଼ି ପ୍ରତି ଲାଗୁ ହେଉଥିଲେ ବି ପରେ ପୁରୁଣା ଗାଡ଼ିଗୁଡ଼ିକ ମଧ୍ୟ ଏହାର ଅନ୍ତର୍ଭୁକ୍ତ ହେବେ । ପ୍ରତିଟି ପାର୍କିଂ ସ୍ଥଳର ତଥ୍ୟ ଉପଲବ୍ଧ ହେବାକୁ ଲାଗିଲେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଘରୋଇ ଓ ସରକାରୀ ଭାବେ କେତେ ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା ଅଛି, ତାହା ଜଣାପଡ଼ିବ, ଯାହା ନୂଆ ବହୁତଳୀୟ ପାର୍କିଂ ସ୍ଥାନ ନିର୍ମାଣ ସଂକ୍ରାନ୍ତୀୟ ନିଷ୍ପତ୍ତି ନେବାରେ ସହାୟକ ହେବ । ଏହି  ନୀତି ପ୍ରଣୀତ ହେଲେ ମନ ଇଚ୍ଛା ଗାଡ଼ି କିଣାରେ ବାଧା ସୃଷ୍ଟି ହୋଇ ଗାଡ଼ି ସଂଖ୍ୟା ହ୍ରାସ ପାଇବା ସହ ଗତିରୋଧକ ଅବସ୍ଥା, ପ୍ରଦୂଷଣ ଓ ପାର୍କିଂ ଜନିତ ଗଣ୍ଡଗୋଳ ହ୍ରାସ ପାଇବ ବୋଲି ଆଶା କରାଯାଇପାରେ । ଅବଶ୍ୟ ଗାଡ଼ି ସଂଖ୍ୟା ହ୍ରାସ ପାଉଥିବାରୁ ସରକାରଙ୍କୁ ସାଧାରଣ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବାକୁ ହେବ । ଉଲ୍ଲେଖଯୋଗ୍ୟ ଯେ ଏହି ଧରଣର ନୀତି ଟୋକିଓ, ସିଙ୍ଗାପୁର, ଳଣ୍ଡନ ଭଳି ବିଶ୍ୱର କେତେକ ବଡ଼ ବଡ଼ ସହରରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି ।

ଭବିଷ୍ୟତରେ ଓଡ଼ିଶାରେ ମଧ୍ୟ ପାର୍କିଂ ସମସ୍ୟା ଦିଲ୍ଲୀ, ମୁମ୍ୱଇ ପରି ଉତ୍କଟ ହେବାକୁ ଯାଉଥିବାରୁ ରାଜ୍ୟ ସରକାର ତାକୁ ଏଡ଼ାଇବା ଲାଗି ଏବେଠାରୁ ତତ୍ପରତା ପ୍ରଦର୍ଶନ କରିବା ଆବଶ୍ୟକ । ମହାରାଷ୍ଟ୍ର ଢା଼ଞ୍ଚାରେ  ଓଡ଼ିଶାରେ ମଧ୍ୟ ଅନୁରୂପ ଆଇନଟିଏ ପ୍ରଣୟନ କରାଯାଇ ନୂତନ ଗାଡ଼ି ପଞ୍ଜିକରଣକୁ ଅଧିକୃତ ପାର୍କିଂ ସ୍ଥଳର ଉପଲବ୍ଧତା ସହ ଯୋଡ଼ିବା କଥା ବିଚାର କରାଯାଇପାରେ । ଏଣିକି ଗୃହ ନିର୍ମାଣ ପାଇଁ ଅନୁମତି ପ୍ରଦାନ ବେଳେ ଆଇନାନୁଯାୟୀ ସେଥିରେ ଆବଶ୍ୟକ ପରିମାଣର ପାର୍କିଂ କ୍ଷେତ୍ରର ପ୍ରାବଧାନ ହୋଇଛି କି ନାହିଁ, ତାହା ସୁନିଶ୍ଚିତ କରାଯିବା ଦରକାର । 

ଅବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥା ସହ କୌଣସି ସହର ଆଧୁନିକ ଓ ଗତିଶୀଳ ହୋଇପାରିବ ନାହିଁ । ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ମଧ୍ୟ ଏକ ସ୍ମାର୍ଟ ସିଟିର ଅପରିହାର୍ଯ୍ୟ ପରିଚାୟକ ହୋଇଥିବାରୁ ତାକୁ ବ୍ୟବସ୍ଥିତ କରିବା ପ୍ରତି ପୌର କର୍ତ୍ତୃପକ୍ଷ ବିଶେଷ ଗୁରୁତ୍ୱ ଦେଇ ତୁରନ୍ତ କେତେକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ପାର୍କିଂ ସ୍ଥାନ ନ ଥାଇ କିଛି ଘର ମାଲିକ ଏକ ବା ଏକାଧିକ ଗାଡ଼ି ଥିବା ଭଡ଼ାଟିଆଙ୍କୁ ଘର ଭଡ଼ାରେ ଦେଉଛନ୍ତି ଏବଂ ସେହି ଗାଡ଼ିଗୁଡ଼ିକ ସର୍ବସାଧାରଣ ରାସ୍ତା ଓ ସ୍ଥାନମାନଙ୍କରେ ପାର୍କିଂ କରାଯାଉଛି । ସେଭଳି ଘରମାଲିକମାନଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ଆଇନ ହେବା ସହ ତା’ର କଡ଼ାକଡ଼ି ଅନୁପାଳନ ହେବା ଆବଶ୍ୟକ । ନିଜର ପାର୍କିଂ ସ୍ଥାନ ନଥିବା ଲୋକଙ୍କ ଗାଡ଼ିଗୁଡ଼ିକର ପାର୍କିଂ ଲାଗି ପୌର କର୍ତ୍ତୃପକ୍ଷ ଆବଶ୍ୟକତାନୁସାରେ ସ୍ଥାନେ ସ୍ଥାନେ ବହୁତଳୀୟ କାର ପାର୍କିଂ ସ୍ଥଳ ନିର୍ମାଣ କରିପାରନ୍ତି । ବ୍ୟବହାରକାରୀଙ୍କୁ ଅଧିକୃତ ପାର୍କିଂ ସ୍ଥାନ ଯୋଗାଇ ଭଡ଼ା ଆଦାୟ କରାଯାଇପାରେ, ଯାହା ପୌର ପରିଷଦର ରାଜସ୍ୱ ବୃଦ୍ଧିରେ ମଧ୍ୟ ସହାୟକ ହେବ । ଅଟୋ, ଟାକ୍ସି, ମିନି ଟ୍ରକ୍, ଟ୍ରକ୍, ବସ ପରି ବାଣିଜ୍ୟିକ ବାହନଗୁଡ଼ିକର ପାର୍କିଂ ପାଇଁ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇପାରେ । ଯେ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହୋଇନାହିଁ, ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ସେଭଳି ଗାଡ଼ିଗୁଡ଼ିକୁ ସୁନିର୍ଦ୍ଦିଷ୍ଟ ସର୍ବସାଧାରଣ ସ୍ଥାନରେ ରଖିବାର ଅନୁମତି ଦିଆଯାଇପାରେ, ଯଦ୍ଦ୍ୱାରା ଗାଡ଼ିଗୁଡ଼ିକ ଅବ୍ୟବସ୍ଥିତ ଭାବେ ପାର୍କିଂ ହେବନାହିଁ । ଏହା ସତ୍ତ୍ୱେ ଆଇନର ଉଲ୍ଲଂଘନ କରି ଅନିର୍ଦ୍ଦିଷ୍ଟ ସର୍ବସାଧାରଣ ସ୍ଥାନରେ ଗାଡ଼ିର ପାର୍କିଂ କରାଯାଉଥିଲେ, ସେଗୁଡ଼ିକୁ ଟୋଇଂ କରି ଜରିମାନା ଆଦାୟ କରାଯିବା ଆବଶ୍ୟକ । ପର୍ଯ୍ୟାପ୍ତ ପାର୍କିଂ ସୁବିଧା ନଥିବା ହୋଟେଲ, ମଲ୍ ଓ ଅନ୍ୟ ବାଣିଜ୍ୟିକ ସୌଧଗୁଡ଼ିକ ସମ୍ମୁଖରେ ରାସ୍ତାକୁ ଅବରୋଧ କରି ଯାନବାହନ ଠିଆ ହୋଇରହୁଥିବାର ଦେଖାଯାଏ । ଏଗୁଡ଼ିକ ଲାଗି ‘ଭ୍ୟାଲେଟ ପାର୍କିଂ’ ବ୍ୟବସ୍ଥା ବାଧ୍ୟତାମୂଳକ  କରାଯିବା ଆବଶ୍ୟକ । ଭ୍ୟାଲେଟ ପାର୍କିଂ ବ୍ୟବସ୍ଥା ପ୍ରଚଳିତ ହେଲେ ଗ୍ରାହକଙ୍କ ଗାଡ଼ିକୁ ସମ୍ପୃକ୍ତ ବାଣିଜ୍ୟିକ ଅନୁଷ୍ଠାନ ତରଫରୁ ଉପଯୁକ୍ତ ସ୍ଥାନରେ ପାର୍କିଂ କରାଇବାର ବନ୍ଦୋବସ୍ତ ହୋଇଥାଏ । ଉଲ୍ଲେଖଯୋଗ୍ୟ ଯେ ଅଧୁନା ଭାରତର ଅନେକ ସହରରେ ଏହି ବ୍ୟବସ୍ଥା ପ୍ରଚଳିତ ।

କେବଳ ସରକାରଙ୍କ ଦ୍ୱାରା ଆଇନ ପ୍ରଣୟନ ହେବା ଯଥେଷ୍ଟ ନୁହେଁ । ଲୋକଙ୍କଠାରେ ନାଗରିକ ଭାବନାର ବିକାଶ ହେବା ମଧ୍ୟ ଜରୁରି । ସର୍ବସାଧାରଣ ସ୍ଥାନକୁ ବ୍ୟକ୍ତିଗତ ସମ୍ପତ୍ତି ମନେ କରି ତା’ର  ଅପବ୍ୟବହାର କରିବାର ମାନସିକତା ଉତ୍ତମ ନାଗରିକ ଭାବନା ବିକାଶର ପରିପନ୍ଥୀ ହୋଇଥାଏ । ତେଣୁ ପ୍ରତ୍ୟେକ ନାଗରିକ ସାଥୀ ନାଗରିକଙ୍କ ସୁବିଧା-ଅସୁବିଧା ପ୍ରତି ଅଧିକ ସମ୍ୱେଦନଶୀଳ ହେଲେ ଯାଇ ପାର୍କିଂ ସମସ୍ୟା ଲାଘବ ହୋଇ ବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥା ସୁନିଶ୍ଚିତ ହୋଇପାରିବ ।


Published in Sambad on March 4, 2025


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...