ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ (ଡିଲିମିଟେସନ୍) ବିମର୍ଶ ଏବେ କ୍ରମଶଃ ତୀବ୍ର ହୋଇ ଉତ୍ତର ଓ ଦକ୍ଷିଣର ରାଜ୍ୟଗୁଡ଼ିକ ମଧ୍ୟରେ ଦୂରତ୍ୱ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଲାଣି । ‘ଡିଲିମିଟେସନ’ ପରେ ଲୋକସଭାରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ହ୍ରାସ ପାଇ ସେମାନଙ୍କ ରାଜନୈତିକ ଗୁରୁତ୍ୱ ଗୌଣ ହେବାର ଆଶଙ୍କାରେ ଦକ୍ଷିଣ ଭାରତର ରାଜ୍ୟ ଓ ରାଜନେତାମାନେ ଉଦବିଗ୍ନ । ତେବେ ଏହା ଦ୍ୱାରା କୌଣସି ରାଜ୍ୟର ଆସନ ସଂଖ୍ୟା ହ୍ରାସ ପାଇବ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହ ଦୃଢ଼ୋକ୍ତି କରିଛନ୍ତି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ମତରେ ଯେ ପର୍ୟ୍ୟନ୍ତ ସବୁ ରାଜ୍ୟ ଜନସଂଖ୍ୟା ବୃଦ୍ଧି ହାରକୁ ସମାନ ସ୍ତରକୁ ଆଣି ନାହାନ୍ତି, ‘ଡିଲିମିଟେସନ’ ପ୍ରକ୍ରିୟାରେ ଲୋକସଭାର ଆସନ ସଂଖ୍ୟା ବୃଦ୍ଧି କରାଗଲେ ୧୯୭୧ ମସିହାର ଜନଗଣନାକୁ ଆଧାର କରି ଆନୁପାତିକ ଭାବେ ପ୍ରତ୍ୟେକ ରାଜ୍ୟର ଆସନ ସଂଖ୍ୟା ବୃଦ୍ଧି କରାଯିବା ଉଚିତ । ଅଧିକ ବିଚାରବିମର୍ଶ ପାଇଁ ‘ଡିଲିମିଟେସନ’ ପ୍ରକ୍ରିୟାରେ ପ୍ରଭାବିତ ହେବାର ଆଶଙ୍କା ଥିବା ରାଜ୍ୟଗୁଡ଼ିକର ନେତାମାନେ ଏକଜୁଟ ହେବାକୁ ଲାଗିଲେଣି । ଏହି ରାଜ୍ୟଗୁଡ଼ିକର ଉଦବେଗକୁ ବିଚାରକୁ ନିଆଯିବାର ଆବଶ୍ୟକତା ରହିଛି ।
ସମ୍ୱିଧାନର ଅନୁଚ୍ଛେଦ ୮୧ ଅନୁଯାୟୀରେ ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ଏପରି ନିର୍ଦ୍ଧାରିତ ହେବ ଯହିଁରେ, (କ) ପ୍ରତି ରାଜ୍ୟ ଲାଗି ଆସନ ଓ ଜନସଂଖ୍ୟାର ଅନୁପାତ ସମାନ ରହିବ, (ଖ) ଗୋଟିଏ ରାଜ୍ୟର ନିର୍ବାଚନ କ୍ଷେତ୍ର ପିଛା ଜନସଂଖ୍ୟା ସମାନ ରହିବ । ସେହିପରି ଅନୁଚ୍ଛେଦ ୧୭୦ (୨)ରେ ରାଜ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ନିର୍ଦ୍ଧାରଣର ପ୍ରାବଧାନ ରହିଛି । ଅର୍ଥାତ୍ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ବେଳେ ଜନସଂଖ୍ୟା ଯଥାସମ୍ଭବ ସମାନ ହେବା ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇଛି । ‘ପ୍ରତିନିଧିତ୍ୱରେ ସମାନତା’ ସିଦ୍ଧାନ୍ତ ଉପରେ ତାହା ପର୍ଯ୍ୟବସିତ, ଯହିଁରେ ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି ସମାନ ସଂଖ୍ୟକ ନାଗରିକଙ୍କ ପ୍ରତିନିଧିତ୍ୱ କରିବେ । ତଦ୍ଦ୍ୱାରା ପ୍ରତିଟି ଭୋଟର ମୂଲ୍ୟ ଓ ଗୁରୁତ୍ୱ ସମାନ ରହିବ । ଏହାର ଅର୍ଥ ‘ଜଣେ ବ୍ୟକ୍ତି-ଗୋଟିଏ ଭୋଟ-ସମାନ ମୂଲ୍ୟ’ (ୱାନ୍ ପର୍ସନ୍-ୱାନ୍ ଭୋଟ୍- ୱାନ୍ ଭେଲ୍ୟୁ) ଭଳି ସିଦ୍ଧାନ୍ତ । ଫଳରେ ମଝିରେ ମଝିରେ ଜନସଂଖ୍ୟା ବୃଦ୍ଧି ଓ ପରିବର୍ତ୍ତନ ସହ ନିର୍ବାଚନ ମଣ୍ଡଳୀଗୁଡ଼ିକର ସଂଖ୍ୟା ଓ ସୀମା ପୁନଃ ନିର୍ଦ୍ଧାରଣ କରାଯାଇଥାଏ ।
ଭାରତୀୟ ସମ୍ୱିଧାନର ଅନୁଚ୍ଛେଦ ୮୨ ଓ ୧୭୦(୩) ଅନୁଯାୟୀ ପ୍ରତି ୧୦ ବର୍ଷରେ ଥରେ ଜନଗଣନା ସରିବା ପରେ ‘ଡିଲିମିଟେସନ’ କରାଯିବା ଆବଶ୍ୟକ । ଜନ ପ୍ରତିନିଧିତ୍ୱ ଆଇନ, ୧୯୫୦ ଅନୁଯାୟୀ ସ୍ୱାଧୀନୋତ୍ତର ଭାରତରେ ଅନୁଷ୍ଠିତ ହୋଇଥିବା ପ୍ରଥମ ନିର୍ବାଚନ ଲାଗି ନିର୍ବାଚନ ମଣ୍ଡଳୀଗୁଡ଼ିକର ସଂଖ୍ୟା ଓ ସୀମା ନିର୍ଦ୍ଧାରଣ କରାଯାଇଥିଲା । ସେତେବେଳେ ଲୋକସଭାର ଆସନ ସଂଖ୍ୟା ଥିଲା ୪୮୯ ଓ ଭୋଟରଙ୍କ ସଂଖ୍ୟା ଥିଲା ୧୭.୩ କୋଟି । ୧୯୫୧, ୧୯୬୧ ଓ ୧୯୭୧ ମସିହାର ଜନଗଣନା ପରେ ତିନିଟି ‘ଡିଲିମିଟେସନ’ ଆୟୋଗ ଗଠିତ ହୋଇଥିଲା । ଜରୁରିକାଳୀନ ପରିସ୍ଥିତି ସମୟରେ ପରିବାର କଲ୍ୟାଣ କାର୍ଯ୍ୟକ୍ରମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଥିଲା । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଯେପରି ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱକୁ ପ୍ରଭାବିତ ନ କରେ ସେଥିପାଇଁ ୧୯୭୬ ମସିହାରେ ୪୨ତମ ସମ୍ୱିଧାନ ସଂଶୋଧନ ଆଇନ ଜରିଆରେ ‘ଡିଲିମିଟେସନ’ ପ୍ରକ୍ରିୟାକୁ ୨୦୦୧ ଜନଗଣନା ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା । ୨୦୦୨ ମସିହାରେ ଚତୁର୍ଥ ‘ଡିଲିମିଟେସନ’ ଆୟୋଗ ଗଠିତ ହେଲା ସତ, ହେଲେ ସେହି ବର୍ଷ ୮୪ତମ ସମ୍ୱିଧାନ ସଂଶୋଧନ ଜରିଆରେ ‘ଡିଲିମିଟେସନ’ ପ୍ରକ୍ରିୟାକୁ ୨୦୨୬ ମସିହା ପରର ପ୍ରଥମ ଜନଗଣନା ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା । ତେବେ ଚତୁର୍ଥ ‘ଡିଲିମିଟେସନ’ ଆୟୋଗ ରାଜ୍ୟଗୁଡ଼ିକର ଲୋକସଭା ଓ ବିଧାନସଭା ଆସନ ସଂଖ୍ୟାରେ ପରିବର୍ତ୍ତନ କରି ପାରି ନଥିଲେ ବି ସେଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ କରିଥିଲେ । ୧୯୭୧ ଜନଗଣନାରେ ୫୪.୮ କୋଟି ଜନସଂଖ୍ୟା ଥିଲା ଓ ତୃତୀୟ ‘ଡିଲିମିଟେସନ’ ଆୟୋଗ ଦ୍ୱାରା ଲୋକସଭା ଆସନ ସଂଖ୍ୟା ୫୪୩ ଧାର୍ୟ୍ୟ ହୋଇଥିଲା । ଇତିମଧ୍ୟରେ ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲେ ବି ୫୦ ବର୍ଷ ପରେ ଆଜି ମଧ୍ୟ ଆସନ ସଂଖ୍ୟା ସେହି ୫୪୩ରେ ରହିଛି । ଏତେ ବର୍ଷ ଧରି ଡିଲିମିଟେସନ ନ ହେବା ଯୋଗୁଁ ବିଭିନ୍ନ ରାଜ୍ୟର ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଜନତା ଓ ଲୋକପ୍ରତିନିଧିତ୍ୱ ଅନୁପାତରେ ଯଥେଷ୍ଟ ତାରତମ୍ୟ ଦେଖାଦେଇଛି । ପରିବାର କଲ୍ୟାଣ କାର୍ଯ୍ୟକ୍ରମର ସଫଳ ରୂପାୟନ ଯୋଗୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ଜନସଂଖ୍ୟା ନିୟନ୍ତ୍ରଣାଧୀନ ଥିବା ବେଳେ ସେ କ୍ଷେତ୍ରରେ ଉତ୍ତର ଭାରତ ରାଜ୍ୟଗୁଡ଼ିକର ବିଫଳତା ସେହି ରାଜ୍ୟଗୁଡ଼ିକରେ ଜନସଂଖ୍ୟା ବୃଦ୍ଧିର କାରଣ ହୋଇଛି । ଫଳରେ ଉତ୍ତର ଭାରତର ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଭୋଟରଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଉଦାହରଣ ସ୍ୱରୂପ, ୧୯୭୧ ମସିହାରେ କେରଳରେ ହାରାହାରି ୧୦.୬୭ ଲକ୍ଷ ଭୋଟରଙ୍କୁ ନେଇ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିବା ବେଳେ ରାଜସ୍ଥାନରେ ସେହି ସଂଖ୍ୟା ଥିଲା ୧୦.୩୧ ଲକ୍ଷ ଓ ସର୍ବ ଭାରତୀୟ ସ୍ତରରେ ୧୦.୪୪ ଲକ୍ଷ ଥିଲା । ଲୋକସଭା ଆସନ ସଂଖ୍ୟା ୫୪୩ରେ ଅପରିବର୍ତ୍ତିତ ରହିଲେ ୨୦୩୧ ମସିହାର ସମ୍ଭାବ୍ୟ ଜନଗଣନା ଆକଳନ ଅନୁଯାୟୀ କେରଳରେ ହାରାହାରି ୧୮.୩୫ ଲକ୍ଷ ଭୋଟରଙ୍କୁ ନେଇ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ ହେବାକୁ ଥିବାବେଳେ ରାଜସ୍ଥାନରେ ସେହି ସଂଖ୍ୟା ୩୪.୮୭ ଲକ୍ଷ ଛୁଇଁବ । ସର୍ବ ଭାରତୀୟ ସ୍ତରରେ ସେହି ସଂଖ୍ୟା ନିର୍ବାଚନ ମଣ୍ଡଳୀ ପିଛା ହାରାହାରି ୨୭.୨୩ ଲକ୍ଷ ହେବ । ଜଣେ ପ୍ରତିନିଧିଙ୍କ ପକ୍ଷରେ ଏତେ ନାଗରିକଙ୍କୁ ସେବା ଯୋଗାଇ ଉଚିତ ଢଙ୍ଗରେ ପ୍ରତିନିଧିତ୍ୱ କରିବା ଦୁରୂହ ବ୍ୟାପାର ନିଶ୍ଟୟ । ତେଣୁ ‘ଡିଲିମିଟେସନ’ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚନ ମଣ୍ଡଳୀଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇବା ନେଇ କାହାରି ଆପତ୍ତି ଥିବା ଜଣାପଡ଼ୁ ନାହିଁ । ତେବେ ରାଜନୈତିକ ଦୃଷ୍ଟିରୁ ‘ଡିଲିମିଟେସନ’ ଏକ ସମ୍ୱେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କେବଳ ଜନସଂଖ୍ୟା ଏହାର ଆଧାର ହୋଇ ନ ପାରେ । କାରଣ ଉତ୍ତର ଭାରତରେ ଜନସଂଖ୍ୟାର ଘନତ୍ୱ ଅଧିକ ହୋଇଥିବାରୁ ଏମିତିରେ ଅଧିକ ଥିବା ସେହି ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ଆହୁରି ଅଧିକ ହେବ । ତଦ୍ଦ୍ୱାରା ପରିବାର କଲ୍ୟାଣ କାର୍ଯ୍ୟକ୍ରମକୁ ସଫଳ କରିଥିବା ଦାକ୍ଷିଣାତ୍ୟର ରାଜ୍ୟଗୁଡ଼ିକ ଦଣ୍ଡିତ ହେବା ଭଳି ସ୍ଥିତି ଉପୁଜିବ, ଅଥଚ ତହିଁରେ ବିଫଳ ହୋଇଥିବା ରାଜ୍ୟଗୁଡ଼ିକ ପୁରସ୍କୃତ ହେବେ । ପୁନଶ୍ଚ ଭାରତର ଜିଡିପିରେ ଉତ୍ତର ଭାରତ ରାଜ୍ୟଗୁଡ଼ିକର ଯୋଗଦାନ ମାତ୍ର ୨୪ ପ୍ରତିଶତ ହୋଇଥିବା ବେଳେ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକର ଯୋଗଦାନ ୩୧ ପ୍ରତିଶତ ଅଟେ । ଏହା ସତ୍ତ୍ୱେ ରାଜନୈତିକ ଗୁରୁତ୍ୱ ହ୍ରାସକୁ ଗ୍ରହଣ କରିବା ସେମାନଙ୍କ ପକ୍ଷେ ସହଜ ହେବନାହିଁ । ଉଦାହରଣ ସ୍ୱରୂପ, ଲୋକସଭାର ସଦସ୍ୟ ସଂଖ୍ୟାକୁ ୫୪୩ରେ ଅପରିବର୍ତ୍ତିତ ରଖି କେବଳ ଜନସଂଖ୍ୟା ଆଧାରରେ ଆସନଗୁଡ଼ିକ ବିଭିନ୍ନ ରାଜ୍ୟ ମଧ୍ୟରେ ପୁନଃବଣ୍ଟନ କଲେ ଦକ୍ଷିଣ ଭାରତର କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭଳି ୫ଟି ରାଜ୍ୟ ସମୁଦାୟ ୨୪ଟି ଆସନ ହରାଇବେ । ଓଡ଼ିଶାର ଆସନ ସଂଖ୍ୟା ମଧ୍ୟ ୨୧ରୁ ହ୍ରାସ ପାଇ ୧୮ ହେବ । ଅନ୍ୟ ପକ୍ଷରେ ଉତ୍ତର ଭାରତର ଜନବହୁଳ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ଭଳି ୪ଟି ରାଜ୍ୟର ସମୁଦାୟ ଆସନ ସଂଖ୍ୟା ୩୪ଟି ବୃଦ୍ଧି ପାଇବ । ଏକ ଅଧ୍ୟୟନ ଅନୁଯାୟୀ ଜନସଂଖ୍ୟା ବୃଦ୍ଧିକୁ ଭିତ୍ତି କରି ଲୋକସଭାର ସଦସ୍ୟ ସଂଖ୍ୟା ୮୪୮କୁ ବୃଦ୍ଧି କରାଯାଇପାରେ । ସେ କ୍ଷେତ୍ରରେ ଉପରୋକ୍ତ ୪ଟି ଉତ୍ତର-ଭାରତ ରାଜ୍ୟର ଆସନ ସଂଖ୍ୟା ୧୭୪ରୁ ୧୫୦ଟି ଅଧିକ ହୋଇ ୩୨୪ରେ ପହଞ୍ଚିବ । ଫଳରେ ସେହି ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ବର୍ତ୍ତମାନର ୩୨ ପ୍ରତିଶତରୁ ବୃଦ୍ଧି ପାଇ ୩୮ ପ୍ରତିଶତ ହେବ ଓ ସେଗୁଡ଼ିକର ରାଜନୈତିକ ଗୁରୁତ୍ୱ ଆଶାତୀତ ବୃଦ୍ଧି ପାଇବ । ଅନ୍ୟ ପକ୍ଷରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ୧୨୯ରୁ ବଢ଼ି ୧୬୪ ହେଉଥିଲେ ବି ସେହି ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ବର୍ତ୍ତମାନର ୨୪ ପ୍ରତିଶତରୁ ୧୯ ପ୍ରତିଶତକୁ ହ୍ରାସ ପାଇବ । ଫଳରେ ଜାତୀୟ ରାଜନୀତିରେ ସେଗୁଡ଼ିକର ରାଜନୈତିକ ଗୁରୁତ୍ୱ ଗୌଣ ହୋଇଯିବ । ଓଡ଼ିଶାର ଆସନ ସଂଖ୍ୟା ୨୧ରୁ ୨୮କୁ ବୃଦ୍ଧି ପାଉଥିଲେ ବି ଏହାର ପ୍ରତିନିଧିତ୍ୱ ବର୍ତ୍ତମାନର ୩.୮୭ ପ୍ରତିଶତରୁ ହ୍ରାସ ପାଇ ୩.୩୦ ପ୍ରତିଶତ ହେବ, ଯାହା ଉଦବେଗଜନକ ।
୨୦୩୧ ଜନଗଣନାକୁ ଆହୁରି ୬ ବର୍ଷ ଥିବାରୁ ତା’ପରେ ଯାଇ ଆୟୋଗ ଗଠିତ ହେବ । ଏବେ ତ ଆୟୋଗ ଗଠନର ଚର୍ଚ୍ଚା ନାହିଁ । ୨୦୩୪ ନିର୍ବାଚନ ପୂର୍ବରୁ ‘ଡିଲିମିଟେସନ’ର ପ୍ରଭାବ ଦେଖିବାକୁ ମିଳିବ ନାହିଁ । ତା’ହେଲେ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକ ‘ଡିଲିମିଟେସନ’କୁ ନେଇ ଉଦବିଗ୍ନ କାହିଁକି? ୮୪ତମ ସମ୍ୱିଧାନ ସଂଶୋଧନରେ ୨୦୨୬ ମସିହା ପରର ପ୍ରଥମ ଜନଗଣନା କଥା ଉଲ୍ଲେଖ ହୋଇଛି, ୨୦୩୧ ମସିହାର ଉଲ୍ଲେଖ ନାହିଁ । ୨୦୨୧ର ଜନଗଣନା ବର୍ଷ ପରେ ବର୍ଷ ଘୁଞ୍ଚି ଚାଲିବା ଏକ ସଂଯୋଗ ହୋଇ ନପାରେ । ‘ଡିଲିମିଟେସନ୍’ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ୨୦୩୧ ଜନଗଣନାକୁ ଅପେକ୍ଷା ନ କରି ସ୍ଥଗିତ ଥିବା ୨୦୨୧ର ଜନଗଣନାକୁ ୨୦୨୭ ସୁଦ୍ଧା ସାରି ତୁରନ୍ତ ପଞ୍ଚମ ‘ଡିଲିମିଟେସନ୍’ ଆୟୋଗ ଗଠନ କରାଯିବାର ଆଶଙ୍କା ପ୍ରକାଶ ପାଉଛି । ସେ କ୍ଷେତ୍ରରେ ୨୦୨୯ରେ ହେବାକୁ ଥିବା ନିର୍ବାଚନ ‘ଡିଲିମିଟେସନ୍’ ଆୟୋଗଙ୍କ ସୁପାରିଶ ଆଧାରରେ ହୋଇପାରେ । ଅଧିକ ସଦସ୍ୟ ବସି ପାରିବା ଭଳି ନୂତନ ସଂସଦ ଭବନର ତରବରିଆ ଭାବେ ନିର୍ମାଣ ହେବା, ଜନଗଣନାକୁ ଧାର୍ଯ୍ୟ ସମୟରେ ନ କରି ବର୍ଷ ବର୍ଷ ଧରି ଘୁଞ୍ଚାଇବା ଆଦିରୁ ‘ଡିଲିମିଟେସନ’କୁ ଆଗତୁରା କରାଯିବାର ଆଭାସ ମିଳୁଥାଇପାରେ ।
ପ୍ରତିନିଧିତ୍ୱ ଅସମାନତା ଉଦବେଗକୁ କମ୍ କରିବାକୁ ହେଲେ ‘ହ୍ରାସମାନ ଆନୁପାତିକତା’ (ଡିଗ୍ରେସିଭ୍ ପ୍ରୋପୋର୍ସନାଲିଟି) ନୀତିର ଅନୁସରଣ କଥା ବିଚାର କରାଯାଇପାରେ, ଯେଉଁଥିରେ ବୃହତ୍ ରାଜ୍ୟଗୁଡ଼ିକର ପ୍ରତିନିଧି ସଂଖ୍ୟା ଅଧିକ ହେଉଥିବା ବେଳେ କ୍ଷୁଦ୍ର ରାଜ୍ୟଗୁଡ଼ିକ ସେମାନଙ୍କ ଜନସଂଖ୍ୟା ଅନୁପାତରେ ଅଧିକ ପ୍ରତିନିଧିତ୍ୱ ପାଇଥାଆନ୍ତି । ୟୁରୋପୀୟ ୟୁନିଅନର ସଂସଦ କ୍ଷେତ୍ରରେ ଏହି ନୀତି ଅନୁସୃତ ହେଉଛି, ଯହିଁରେ ମାଲଟା ଭଳି ଛୋଟ ଦେଶ ଲାଗି ପ୍ରତି ୯୦୦୦୦ ଲୋକରେ ଜଣେ ପ୍ରତିନିଧି ଥିବା ବେଳେ ଜର୍ମାନୀ ଭଳି ବଡ଼ ଦେଶ ଲାଗି ୮.୭୫ ଲକ୍ଷ ନାଗରିକରେ ଜଣେ ପ୍ରତିନିଧିର ବ୍ୟବସ୍ଥା ଅଛି । ଭାରତର ଲୋକସଭା କ୍ଷେତ୍ରରେ ଏହି ନୀତିର ଅନୁସରଣ କରାଗଲେ ବର୍ଦ୍ଧିତ ଆସନ ସଂଖ୍ୟାକୁ ପ୍ରଥମେ ବିଭିନ୍ନ ରାଜ୍ୟ ମଧ୍ୟରେ ସେମାନଙ୍କ ଏବର ଆନୁପାତିକ ପ୍ରତିନିଧିତ୍ୱ ଆଧାରରେ ବାଣ୍ଟି ଦିଆଯାଇପାରେ । ଏହି ପଦ୍ଧତିରେ ଓଡ଼ିଶାର ଆସନ ସଂଖ୍ୟା ହେବ ୩୩ । ସମ୍ପୃକ୍ତ ରାଜ୍ୟର ଜନସଂଖ୍ୟା ଓ ଆସନ ସଂଖ୍ୟାକୁ ଭିତ୍ତି କରି ସେହି ରାଜ୍ୟର ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ କରାଯାଇପରେ । ତା’ ହେଲେ ରାଜ୍ୟ ରାଜ୍ୟ ମଧ୍ୟରେ ନିର୍ବାଚନ ମଣ୍ଡଳୀ ପିଛା ଭୋଟରଙ୍କ ସଂଖ୍ୟା କମ ବେଶି ହେଲେ ମଧ୍ୟ ଗୋଟିଏ ରାଜ୍ୟର ନିର୍ବାଚନ ମଣ୍ଡଳୀଗୁଡ଼ିକର ଭୋଟରଙ୍କ ସଂଖ୍ୟା ପ୍ରାୟତଃ ସମାନ ରହିବ । ଉଲ୍ଲେଖଯୋଗ୍ୟ ଯେ ଏବେ ମଧ୍ୟ କେତେକ ଛୋଟ ଛୋଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ମଣ୍ଡଳୀରେ ଭୋଟର ସଂଖ୍ୟା ଅନ୍ୟ ବଡ଼ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ ।
୨୦୦୨ ମସିହାରେ ‘ଡିଲିମିଟେସନ’ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପଛର ଏକ ବଡ଼ କାରଣ ଥିଲା ତତ୍କାଳୀନ ଏନଡିଏ ସରକାର ଦକ୍ଷିଣ ଭାରତର ଅନେକ ଆଞ୍ଚଳିକ ଦଳ ଉପରେ ନିର୍ଭରଶୀଳ ଥିଲେ । ବର୍ତ୍ତମାନର ସ୍ଥିତି କିନ୍ତୁ ଭିନ୍ନ । ଏତଦ୍ ବ୍ୟତୀତ ଉତ୍ତର ଭାରତରେ ବିଜେପିର ସ୍ଥିତି ମଜବୁତ ଥିବାରୁ ସେଠାରେ ଆସନ ସଂଖ୍ୟା ବଢ଼ିବା ଦଳକୁ ସୁହାଉ ଥାଇପାରେ । ‘ଡିଲିମିଟେସନ’ ଏକ ସ୍ୱାଭାବିକ ସାମ୍ୱିଧାନିକ ପ୍ରକ୍ରିୟା ହୋଇଥିବାରୁ ତାକୁ କୌଣସି ମତେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ବ୍ୟବହାର କରାଯିବା ଅନୁଚିତ । ବରଂ ତା’ର ଆଧାର ସୁସ୍ପଷ୍ଟ ହେବା ଆବଶ୍ୟକ । ସେଥିପାଇଁ ଉଭୟ ଜନସଂଖ୍ୟା ଅନୁଯାୟୀ ପ୍ରତିନିଧିତ୍ୱ ଓ ସଂଘୀୟ ବ୍ୟବସ୍ଥାରେ ରାଜ୍ୟଗୁଡ଼ିକର ରାଜନୈତିକ ଗୁରୁତ୍ୱ ଅତୁଟ ରହିବା ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ଏକାନ୍ତ ପ୍ରାସଙ୍ଗିକ । ‘ଡିଲିମିଟେସନ’ ପ୍ରସଙ୍ଗକୁ ସତର୍କତାର ସହ ପରିଚାଳନା କରା ନ ଗଲେ ହୁଏତ ଉତ୍ତର-ଦକ୍ଷିଣ ରାଜ୍ୟଗୁଡ଼ିକ ମଧ୍ୟରେ ଖାଇ ବୃଦ୍ଧି ପାଇବ । ଏହା ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରିପାରେ । ଓଡ଼ିଶା ଭଳି ରାଜ୍ୟ ମଧ୍ୟ ଆନୁପାତିକ ପ୍ରତିନିଧିତ୍ୱ ହରାଇବାର ଆଶଙ୍କା ଥିବାରୁ ରାଜ୍ୟର ସ୍ୱାର୍ଥ ରକ୍ଷା ଲାଗି ଏଠାକାର ରାଜନୈତିକ ଦଳ ଓ ନେତାମାନଙ୍କର ଆଭିମୁଖ୍ୟ ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।
Published in Sambad on March 18, 2025
Comments
Post a Comment