Skip to main content

ଆଦାନୀ ସାମ୍ରାଜ୍ୟ ମୁହାଁ ଝଡ଼

ବିଶେଷ ଭୌଗୋଳିକ ଅବସ୍ଥିତିଜନିତ ପ୍ରାକୃତିକ କାରଣ ଯୋଗୁଁ ଓଡ଼ିଶା ଏକ ବାତ୍ୟାପ୍ରବଣ ଅଞ୍ଚଳରେ ପରିଣତ ହୋଇଥିଲା ବେଳେ ଆଦାନୀ କମ୍ପାନୀସମୂହ ଏବେ ନିୟମିତ ଅନ୍ତରାଳରେ ବିଭିନ୍ନ ଆର୍ଥିକ ଅନିୟମିତତା ଅଭିଯୋଗର ସମ୍ମୁଖୀନ ହୋଇ କର୍ପୋରେଟ ଜଗତରେ କ୍ରମଶଃ ଏକ ବିବାଦପ୍ରବଣ କମ୍ପାନୀସମୂହରେ ପରିଣତ ହେଉଥିବା ପରିଲକ୍ଷିତ ହେଉଛି । ୨୦୨୩ ମସିହାରେ ହିଣ୍ଡେନବର୍ଗ ରିସର୍ଚ୍ଚର ହାନିକାରକ ରିପୋର୍ଟରେ ଥିବା ଆର୍ଥିକ ଅନିୟମିତତାର ଅଭିଯୋଗରେ ଏହାର ମେରୁଦଣ୍ଡ ଏକପ୍ରକାର ଦୋହଲି ଯାଇଥିଲା । ମାମଲା ବିଚାରାଧୀନ ଥିବା ବେଳେ ଭାରତରେ ଏହାର ଅନୁସନ୍ଧାନ କରୁଥିବା ‘ସେବି’ ସଂସ୍ଥାର ମୁଖ୍ୟଙ୍କ ଆଦାନୀ ସମୂହ ସହ ଥିବା ଅନୈତିକ ସ୍ୱାର୍ଥ-ଦ୍ୱନ୍ଦ୍ୱ ବିଷୟ ଲୋକଲୋଚନକୁ ଆସି ପୁଣି ଏକ ଝଡ଼ ସୃଷ୍ଟି ହେଲା । ଠିକ୍ ଏତିକିବେଳେ ୨୬.୫ କୋଟି ଡଲାର ବା ପ୍ରାୟ ୨୦୨୯ କୋଟି ଟଙ୍କାର ଭିନ୍ନ ଏକ ଲାଞ୍ଚ ପ୍ରଦାନ ମାମଲାରେ ଆମେରିକାର ନ୍ୟାୟ ବିଭାଗ ଓ ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନଙ୍କ ଦ୍ୱାରା ଅଭିଯୁକ୍ତ ୮ ଜଣଙ୍କ ମଧ୍ୟରେ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀଙ୍କ ନାମ ରହି ଗିରଫ ପରୁଆନା ଜାରି ହେବାକୁ ଆଦାନୀ ସାମ୍ରାଜ୍ୟ ମୁହାଁ ଆଉ ଏକ ବାତ୍ୟା କହିଲେ ଅତ୍ୟୁକ୍ତି ହେବନାହିଁ । ଆଦାନୀ ପ୍ରକରଣରେ ସଂସଦ ଦିନ ଦିନ ଧରି ଅଚଳ ହେଉଥିବାରୁ ଏହାର ଗମ୍ଭୀରତା ଅନୁମେୟ । ତେବେ ଏଥି ଯୋଗୁଁ ଭାରତର ବିକାଶର ଗତି ମଧ୍ୟ ଶିଥିଳ ହେବାର ଆଶଙ୍କା ଥିବାରୁ ଏ ସମ୍ପର୍କରେ ଆଲୋଚନାର ଆବଶ୍ୟକତା ରହିଛି ।

ଆମେରିକାର ନ୍ୟାୟ ବିଭାଗର ୫୪ ପୃଷ୍ଠା ସମ୍ୱଳିତ ଅଭିଯୋଗ ପତ୍ର ଅନୁସାରେ କଥିତ ଲାଞ୍ଚ କାରବାର ଭାରତରେ ସଂଘଟିତ ହୋଇଥିଲା, ଯାହାର ପୃଷ୍ଠଭୂମି କିଛିଟା ଏହିପରି । ଟେଣ୍ଡର ପ୍ରକ୍ରିୟାରେ କୃତକାର୍ଯ୍ୟ ହେବା ପରେ ଭାରତର ଆଦାନୀ ଗ୍ରିନ ଏନର୍ଜି ଲିମିଟେଡ (ଆଜେଲ) ଓ ଆମେରିକାସ୍ଥିତ ଆଜ୍ୟୋର ପାୱାର ଗ୍ଲୋବାଲ ନାମକ ଦୁଇଟି କମ୍ପାନୀଙ୍କ ନିକଟରୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ସୌରଶକ୍ତି କ୍ରୟ କରିବା ଲାଗି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଭାରତୀୟ ସୌରଶକ୍ତି କର୍ପୋରେସନ (ଏସଇସିଆଇ) ‘ଲେଟର ଅଫ ଆୱାର୍ଡ’ ପ୍ରଦାନ କରିଥିଲା ।  ତଦନୁଯାୟୀ ‘ଆଜେଲ’ ନିକଟରୁ ୮ ଗିଗାୱାଟ (୮୦୦୦ ମେଗାୱାଟ) ଓ ‘ଆଜ୍ୟୋର’ ନିକଟରୁ ୪ ଗିଗାୱାଟ (୪୦୦୦ ମେଗାୱାଟ) କିଣାଯିବା ଲାଗି ସ୍ଥିର ହୋଇଥିଲା । ଅବଶ୍ୟ ସୌରଶକ୍ତିର ୟୁନିଟ ପିଛା ବଜାର ଦର ତୁଳନାରେ ଏହି ଦୁଇ କମ୍ପାନୀଙ୍କଠାରୁ ଅଧିକ ଦରରେ ସୌରଶକ୍ତି କିଣାଯିବା ଲାଗି ପ୍ରସ୍ତାବ ଥିଲା । ନିୟମାନୁସାରେ ଏସଇସିଆଇ ସେହି ସୌରଶକ୍ତିକୁ ବିକିବା ଲାଗି ବିଭିନ୍ନ ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ସହ ଯୋଗାଯୋଗ କରିଥିଲେ ମଧ୍ୟ ବର୍ଦ୍ଧିତ ଦରରେ ସୌରଶକ୍ତି କିଣିବା ଲାଗି କେହି ରାଜି ହୋଇନଥିଲେ । ଫଳରେ କୌଣସି ବିତରଣ କମ୍ପାନୀ ସହ ଏସଇସିଆଇ ଶକ୍ତି ବିକ୍ରୟ ଚୁକ୍ତିନାମା (ପାୱାର ସେଲ୍ ଆଗ୍ରିମେଣ୍ଟ – ପିଏସଏ) ସ୍ୱାକ୍ଷର କରିବାକୁ ଅସମର୍ଥ ହେଲା । ପିଏସଏ ସ୍ୱାକ୍ଷର ହୋଇ ନପାରିଲେ କୋଟି କୋଟି ଟଙ୍କା ଲାଭର ସମ୍ଭାବନା ଥିବା ଏଭଳି ଆକର୍ଷଣୀୟ ପ୍ରକଳ୍ପର ଯବନିକା ପତନ ସୁନିଶ୍ଚିତ ଜାଣି ଉଭୟ କମ୍ପାନୀ ରାଜ୍ୟଗୁଡ଼ିକର ବିତରଣ କମ୍ପାନୀ ଓ ଏସଇସିଆଇ ମଧ୍ୟରେ ପିଏସଏ ସ୍ୱାକ୍ଷର କରାଇବାର ଜିମା ହାତକୁ ନେଲେ । ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପ୍ରଲୋଭିତ କରିବା ଲାଗି ଆକର୍ଷକ ‘ଲାଞ୍ଚ ଯୋଜନା’ ପ୍ରସ୍ତୁତ କରାଗଲା । ଡିସେମ୍ୱର ୨୦୨୧ରେ ପ୍ରାୟ ୧୭୫୦ କୋଟି ଟଙ୍କାର ଲାଞ୍ଚ ବିନିମୟରେ ଏସଇସିଆଇ ନିକଟରୁ ୭ ଗିଗାୱାଟ (୭୦୦୦ ମେଗାୱାଟ) ସୌରଶକ୍ତି  କିଣିବା ଲାଗି ଆନ୍ଧ୍ର ପ୍ରଦେଶର ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ରାଜି ହୋଇ ଚୁକ୍ତି ସ୍ୱାକ୍ଷର କରିଥିଲେ । ଲାଞ୍ଚ ମିଳିବାର ବିଶ୍ୱାସଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ଜୁଲାଇ ୨୦୨୧ରୁ ଫେବୃଆରୀ ୨୦୨୨ ମଧ୍ୟରେ ଓଡ଼ିଶା, ଜାମ୍ମୁ କାଶ୍ମୀର, ତାମିଲନାଡ଼ୁ, ଛଚିଶଗଡ଼ ରାଜ୍ୟଗୁଡିକ ଚୁକ୍ତି ସ୍ୱାକ୍ଷର କରିଥିବା ଜଣାପଡ଼େ । କେଉଁ ରାଜ୍ୟ କେତେ ପରିମାଣରେ ସୌରଶକ୍ତି କିଣିବା ଲାଗି ଚୁକ୍ତି କରିବାକୁ ରାଜି ଓ ସେଥିପାଇଁ କାହାକୁ (ସଂକ୍ଷିପ୍ତୀକୃତ ନାମ) କେତେ ଟଙ୍କା ଲାଞ୍ଚ ଯଚା ଯାଇଥିଲା, ସେ ସବୁର ଇଲେକ୍ଟ୍ରୋନିକ ପ୍ରମାଣ ଅଭିଯୁକ୍ତଙ୍କ ଉପକରଣରୁ ଉଦ୍ଧାର ହୋଇ ଏଫବିଆଇ ନିକଟରେ ଥିବା ଉଲ୍ଲେଖ ଅଛି । ତତ୍ପରେ କମ୍ପାନୀ ଦୁଇଟି ସହ ଏସଇସିଆଇ ଅକ୍ଟୋବର ୨୦୨୧ରୁ ଫେବୃଆରୀ ୨୦୨୨ ମଧ୍ୟରେ ଶକ୍ତି କ୍ରୟ ଚୁକ୍ତିନାମା (ପାୱାର ପରଚେଜ ଆଗ୍ରିମେଣ୍ଟ- ପିପିଏ) ସ୍ୱାକ୍ଷର କଲା । ତଦନୁଯାୟୀ ‘ଆଜ୍ୟୋର’ ଛତିଶଗଡ଼, ତାମିଲନାଡ଼ୁ, ଓଡ଼ିଶା ଓ ଜାମ୍ମୁ କାଶ୍ମୀର ରାଜ୍ୟ ଓ ଅଞ୍ଚଳଗୁଡ଼ିକୁ ସମୁଦାୟ ୬୫୦ ମେଗାୱାଟ ସୌରଶକ୍ତି ଯୋଗାଇବା ଧାର‌୍ୟ୍ୟ ହୋଇଥିବା ବେଳେ ପ୍ରାୟ ୨.୩ ଗିଗାୱାଟ (୨୩୦୦ ମେଗୱାଟ) ସୌରଶକ୍ତି ଆନ୍ଧ୍ର ପ୍ରଦେଶକୁ ଯୋଗାଇବା ଉଲ୍ଲେଖ ଥିଲା । ‘ଆଜ୍ୟୋର’ ଲାଗି ଲାଞ୍ଚ ଦେବା କାମଟି ମଧ୍ୟ ଆଦାନୀ ଗ୍ରୀନ ପାୱାର ବୁଝୁଥିବାରୁ ସେଥିପାଇଁ ଲାଞ୍ଚ ବାବଦ ଦେୟ (୬୫୦ ମେଗାୱାଟ ପାଇଁ ୫୫ କୋଟି ଟଙ୍କା ଓ ୨୩୦୦ ମେଗାୱାଟ ପାଇଁ ୫୮୩ କୋଟି ଟଙ୍କା) ‘ଆଜ୍ୟୋର’ ନିକଟରୁ ଆଦାନୀ ଗ୍ରୀନକୁ ମିଳିବାର ଥିଲା । ଆମେରିକାର ଏଫସିପିଏ ଆଇନ ଅନୁଯାୟୀ ବିଦେଶରେ କାମ ହାସଲ ପାଇଁ ଲାଞ୍ଚ ଦେବା ଏକ ଅପରାଧ । ସେଠାକାର କମ୍ପାନୀଗୁଡ଼ିକୁ ନିୟମିତ ଅନ୍ତରାଳରେ ଏ ସଂକ୍ରାନ୍ତରେ ତଥ୍ୟ ଦେବାକୁ ହୋଇଥାଏ । ଆମେରିକାର ଏସଇସି ମାର୍ଚ୍ଚ ୨୦୨୨ରେ ଏକ ସାଧାରଣ ପତ୍ରାଚାରରେ ‘ଆଜ୍ୟୋର’ ନିକଟରୁ ଏ ସଂକ୍ରାନ୍ତରେ ତଥ୍ୟ ମାଗିବା ପରେ କମ୍ପାନୀ ବିଚଳିତ ହେଲା । ଲାଞ୍ଚ ପ୍ରକରଣକୁ ଚପାଇବା ଓ ଆଦାନୀ ଗ୍ରୀନକୁ ଲାଞ୍ଚ ଦେୟ ଅର୍ଥ ଆକାରରେ ନ ଦେଇ ଭିନ୍ନ ଭାବେ ଦେବା ଲାଗି ଏକ ମସୁଧା ପ୍ରସ୍ତୁତ କରାଗଲା । ତଦନୁଯାୟୀ ଆନ୍ଧ୍ର ପ୍ରଦେଶକୁ ସୌରଶକ୍ତି ଯୋଗାଣ କରିବା ଲାଗି କରିଥିବା ଚୁକ୍ତିରୁ ଓହରିଯାଇ ତାହା ଆଦାନୀ ଗ୍ରୀନକୁ ଆବଣ୍ଟନ କରିବାକୁ 'ଆଜ୍ୟୋର' ଏସଇସିଆଇକୁ ଆବେଦନ କଲା । ମାର୍ଚ୍ଚ ୨୦୨୪ରେ ଏସଇସିଆଇ ‘ଆଜ୍ୟୋର’ର ୨.୩ ଗିଗାୱାଟ ସୌରଶକ୍ତି ଆବଣ୍ଟନକୁ ବାତିଲ କରି ତାହା ଆଦାନୀ ଗ୍ରୀନକୁ ପୁନଃଆବଣ୍ଚନ କଲେ, ଯାହା ଦୁର୍ନୀତି ଆଚରଣ ପର୍ଯ୍ୟାୟବାଚୀ । କେବଳ ଲାଞ୍ଚ ନୁହେଁ, ଆମେରିକାର ନିବେଶକଙ୍କୁ ଲାଞ୍ଚ ପ୍ରଦାନ ବାବଦରେ ମିଛ ଓ  ଭ୍ରମାତ୍ମକ ତଥ୍ୟ ପ୍ରଦାନ କରି ସେମାନଙ୍କଠାରୁ ‘ଆଜେଲ’ ପୁଞ୍ଜି ସଂଗ୍ରହ କରିଥିଲା, ଯାହା ଠକେଇ ପର୍ଯ୍ୟାୟବାଚୀ ।               

ଆମେରିକାର ବିଦେଶୀ ଭ୍ରଷ୍ଟ ଆଚରଣ ଆଇନ (ଏଫସିପିଏ) ଅନୁଯାୟୀ, “ଆମେରିକାର ଲୋକ ଓ ବ୍ୟାବସାୟିକ ଅନୁଷ୍ଠାନ, ଆମେରିକାର ଷ୍ଟକ୍ ଏକ୍ସଚେଞ୍ଜଗୁଡ଼ିକରେ ପଞ୍ଜିକୃତ ଆମେରିକୀୟ ଓ ବିଦେଶୀ କମ୍ପାନୀ, ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନରେ ନିୟମିତ ଅନ୍ତରାଳରେ ରିପୋର୍ଟ ଦାଖଲ କରିବାର ଆବଶ୍ୟକତା ଥିବା ବ୍ୟକ୍ତି ବା ଅନୁଷ୍ଠାନ ଏବଂ ଆମେରିକାରେ କାର‌୍ୟ୍ୟରତ କେତେକ ନିର୍ଦ୍ଦିଷ୍ଟ ବିଦେଶୀ ବ୍ୟକ୍ତି ଓ ବ୍ୟାବସାୟିକ ଅନୁଷ୍ଠାନ ବ୍ୟବସାୟ ହାସଲ କରିବା ପାଇଁ ବା ବ୍ୟବସାୟକୁ ସୁରକ୍ଷିତ ରଖିବା ପାଇଁ କୌଣସି ବିଦେଶୀ ଅଧିକାରୀଙ୍କୁ ଲାଞ୍ଚ ପ୍ରଦାନ କରିବା ସମ୍ପୂର୍ଣ୍ଣ ନିଷେଧ ।“ ପ୍ରଶ୍ନ ଉଠୁଛି ଆମେରିକାର ଏହି ଆଇନ ଭାରତୀୟ ବ୍ୟକ୍ତି ଓ କମ୍ପାନୀଙ୍କ ପ୍ରତି ଲାଗୁ ହୋଇପାରିବ କି ? ଆମେରିକାରେ ବ୍ୟବସାୟ କରୁଥିବା ଓ ଆମେରିକାର ପୁଞ୍ଜି ବଜାରରୁ ପୁଞ୍ଜି ସଂଗ୍ରହ କରୁଥିବା ସବୁ ଭାରତୀୟ ବ୍ୟକ୍ତି ଓ କମ୍ପାନୀ ଏହି ଆଇନର ପରିସରଭୁକ୍ତ । ଗତ ୧୪ ବର୍ଷ ମଧ୍ୟରେ ଏସଇସି କେବଳ ଭାରତରେ ଲାଞ୍ଚ ପ୍ରଦାନ ମାମଲାରେ ୧୧ଟି କମ୍ପାନୀ ନିକଟରୁ ଜୋରିମାନା ଆଦାୟ କରିସାରିଛି ।

ନ୍ୟାୟ ବିଭାଗ ଦ୍ୱାରା ଅଭିଯୁକ୍ତ ହେବା ପରେ ଆଦାନୀ ସମୂହ ଉପରେ ତା’ର କୁପ୍ରଭାବ ଅନୁଭୂତ ହେବାକୁ ଲାଗିଲାଣି । ଗତ ଦଶ ବର୍ଷ ମଧ୍ୟରେ ଆଦାନୀ ସମୂହର ଉଲକା ଉତ୍ଥାନ ପଛରେ ଯେଉଁ ଦୁଇଟି ମୁଖ୍ୟ କାରଣ ରହିଛି, ତାହା ହେଉଛି ଅମାପ ରାଜନୈତିକ ସଂରକ୍ଷଣ ଓ ଶସ୍ତା ଦରରେ ପ୍ରଚୁର ପୁଞ୍ଜିର ସହଜ ଉପଲବ୍ଧତା । ସେପ୍ଟେମ୍ୱର ୨୦୨୪ ସୁଦ୍ଧା ଆଦାନୀ ସମୂହର ସମୁଦାୟ ଋଣର ପରିମାଣ ୨.୫୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇସାରିଥିଲା । ତନ୍ମଧ୍ୟରୁ  ଭାରତୀୟ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକ ପ୍ରଦାନ କରିଥିବା ଋଣ ପ୍ରାୟ ୪୨ ପ୍ରତିଶତ ହୋଇଥିବା ବେଳେ ବିଦେଶୀ ସଂସ୍ଥାଗୁଡ଼ିକ ପ୍ରଦାନ କରିଥିବା ଋଣ ପ୍ରାୟ ୨୭ ପ୍ରତିଶତ ଓ ପୁଞ୍ଜି ବଜାରରୁ ସଂଗୃହୀତ ଋଣର ପରିମାଣ ପ୍ରାୟ ୨୯ ପ୍ରତିଶତ । ଶସ୍ତା ବିଦେଶୀ ଋଣର ଏକ ବଡ଼ ଅଂଶ ଆମେରିକାରୁ ଆସିଛି । ଏହା ଆଦାନୀ ସମୂହକୁ ଅନ୍ୟ କମ୍ପାନୀଙ୍କ ତୁଳନାରେ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ କରି ଏହାର ବିସ୍ତାରରେ ସହାୟକ ହୋଇଛି । ତେବେ ଲାଞ୍ଚ ମାମଲା ପ୍ରଘଟ ହେଲା ପରେ ଭାରତୀୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଆଦାନୀସମୂହକୁ ପ୍ରଦତ୍ତ ଋଣର ସମୀକ୍ଷା କରିଛନ୍ତି । ଅନ୍ୟ ପକ୍ଷରେ ମାମଲାର ବିଚାର ନ ସରିଲା ପର୍ଯ୍ୟନ୍ତ ବିଦେଶରୁ, ବିଶେଷ କରି ଆମେରିକାରୁ, ପୁଞ୍ଜି ଆହରଣ ଏକ ପ୍ରକାର ବନ୍ଦ ହୋଇଯିବ । ଆମେରିକାର ପେନସନ୍ ଫଣ୍ଡଗୁଡ଼ିକ ଆଦାନୀ ସମୂହରେ ପୁଞ୍ଜି ବିନିଯୋଗ କରିବାକୁ ପଛଘୁଞ୍ଚା ଦେବେ । ନ୍ୟାୟ ବିଭାଗ ଓ ଏସଇସିର ମନ୍ତବ୍ୟକୁ ଅନ୍ୟ ଦେଶର ପୁଞ୍ଜି ବଜାର ଗୁରୁତ୍ୱ ଦେଉଥିବାରୁ ସେଠାରୁ ମଧ୍ୟ ପୁଞ୍ଜି ସଂଗ୍ରହ ସହଜ ହେବନାହିଁ । ସ୍ଥିତି ସ୍ପଷ୍ଟ ନ ହେଲା ଯାଏଁ ଫ୍ରାନ୍ସର 'ଟୋଟାଲ ଏନର୍ଜି' କମ୍ପାନୀ ଏଥିରେ ଆଉ କୌଣସି ନୂତନ ନିବେଶ କରିବ ନାହିଁ ବୋଲି ଘୋଷଣା କରିସାରିଲାଣି । ଫଳରେ ଆଉ ନୂଆ ପ୍ରକଳ୍ପରେ ହାତ ମାରିବା ତ ଦୂରର କଥା ପୁଞ୍ଜିର ଅଭାବ ଯୋଗୁଁ ଆଦାନୀ ସମୂହ ପକ୍ଷରେ ଚାଲୁ ପ୍ରକଳ୍ପଗୁଡ଼ିକୁ ଶେଷ କରିବା ଲାଗି ଆହ୍ୱାନ ସୃଷ୍ଟି ହେବ । ଇତିମଧ୍ୟରେ କମ୍ପାନୀକୁ ପ୍ରଦତ୍ତ ଦୁଇଟି ପ୍ରକଳ୍ପକୁ କେନିଆ ବାତିଲ କରିଥିବା ବେଳେ ବଙ୍ଗଳାଦେଶ ଓ ଶ୍ରୀଲଙ୍କା ନିର୍ଦ୍ଦିଷ୍ଟ କିଛି ପ୍ରକଳ୍ପକୁ ସମୀକ୍ଷା କରୁଥିବା ଜଣାପଡ଼ିଛି । ଭାରତର ପ୍ରାଶାସନିକ ବ୍ୟବସ୍ଥାର ପାରଦର୍ଶିତାକୁ ନେଇ ସନ୍ଦେହ ଉତ୍ପନ୍ନ ହେଲେ ଅନ୍ୟ କମ୍ପାନୀଗୁଡ଼ିକ ଲାଗି ମଧ୍ୟ ବିଦେଶରୁ ପୁଞ୍ଜି ଆହରଣ କରିବା କଷ୍ଟକର ହୋଇପଡ଼ିବ । ଏହାର ପ୍ରତିକୂଳ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିବାର ଆଶଙ୍କା ଦେଖା ଦେଇପାରେ।        

ପରିତାପର ବିଷୟ, କରୋନାର ଭୟାବହତା ମଧ୍ୟରେ ଜନତା ଯେତେବେଳେ ଜୀବନ ବଞ୍ଚାଇବା ଲାଗି ଜୀବିକାକୁ ଜଳାଞ୍ଜଳି ଦେଇ ଘରେ ଆବଦ୍ଧ ରହିବାକୁ ବାଧ୍ୟ ହେଉଥିଲେ, ଠିକ୍ ସେତିକିବେଳେ ସେମାନଙ୍କ ସ୍ୱାର୍ଥହାନିର ଷଡ଼ଯନ୍ତ୍ର ରଚନା ହୋଇଚାଲିଥିଲା । ବିଧିବଦ୍ଧ ତଦନ୍ତ ହେଲେ ଯାଇ ଏହି ଅଭିଯୋଗଗୁଡ଼ିକର ସତ୍ୟାସତ୍ୟ ଜଣାପଡ଼ିବ । ତେବେ ଲାଞ୍ଚ ମାମଲାରେ ସମ୍ପୃକ୍ତ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଥିବାରୁ ଓ ଉଚ୍ଚ ଦରରେ ସୌରଶକ୍ତି କିଣା କଥା ସତ ହୋଇଥିଲେ ଆଗାମୀ ୨୦ ବର୍ଷ ଯାଏଁ ରାଜ୍ୟବାସୀଙ୍କଠାରୁ ବର୍ଦ୍ଧିତ ବିଦ୍ୟୁତ ଦେୟ ଆଦାୟ ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ତୁରନ୍ତ ନିମ୍ନ କେତୋଟି ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାଇ ସ୍ଥିତି ସ୍ପଷ୍ଟ କରିବା ଆବଶ୍ୟକ । ପ୍ରଥମତଃ ୨୦୨୧ରେ ଓଡ଼ିଶାର ଗ୍ରିଡକୋ ସଂସ୍ଥା ଏସଇସିଆଇ ସହ ସୌରଶକ୍ତି କିଣିବା ଲାଗି କୌଣସି ଚୁକ୍ତିନାମା ସ୍ୱାକ୍ଷର କରିଥିଲା କି ? ସେଥିରେ ବଜାର ଦରଠାରୁ ଅଧିକ ଦରରେ ବିଦ୍ୟୁତ କିଣିବାର ପ୍ରାବଧାନ ଅଛି କି ? ତାହା ହୋଇଥିଲେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଚୁକ୍ତିକୁ ବାତିଲ କରନ୍ତୁ । ସେ କ୍ଷେତ୍ରରେ ଲାଞ୍ଚ କାରବାରରେ ସଂଲିପ୍ତ ଅପରାଧୀଙ୍କୁ ଦଣ୍ଡିତ କରିବା ଲାଗି ସରକାର ତୁରନ୍ତ ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ । ଇତିମଧ୍ୟରେ ଆନ୍ଧ୍ର ପ୍ରଦେଶ ସରକାର ଉଲ୍ଲିଖିତ ଶକ୍ତି ବିକ୍ରୟ ଚୁକ୍ତିନାମାର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇସାରିଲେଣି ।

କୁହାଯାଏ ଯେ ବଡ଼ ବଡ଼ ସମ୍ପଦ ସ୍ରଷ୍ଟାମାନେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଦେଶର ଅର୍ଥନୀତିକୁ ଗତିଶୀଳ କରିବାରେ ସହାୟକ ହେଉଥିବାରୁ ସେମାନଙ୍କୁ ଆବଶ୍ୟକ ସଂରକ୍ଷଣ ପ୍ରଦାନ କରାଯିବା ଉଚିତ । କିନ୍ତୁ କାହାରି ପ୍ରତିକୂଳ ଆଚରଣ ଯୋଗୁଁ ଦେଶ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିଲେ ବା ଦେଶର ଛବି ବାଧିତ ହେଉଥିଲେ ସେଭଳି ସଂରକ୍ଷଣ ଜାରି ରଖିବା ସମୀଚୀନ ନୁହେଁ । ଆଦାନୀ ସମୂହ ତରଫରୁ ଲାଞ୍ଚ ମାମଲାର ଅଭିଯୋଗଗୁଡ଼ିକୁ ଅମୂଳକ ବୋଲି କୁହାଯାଉଛି । ଲାଞ୍ଚ ମାମଲା ପ୍ରଘଟ ହେବା ପରେ ତଦନ୍ତରେ ତତ୍ପରତା ପ୍ରଦର୍ଶିତ ହୋଇନଥିବାରୁ ଭାରତର ଶାସନ ବ୍ୟବସ୍ଥାର ପାରଦର୍ଶିତାକୁ ନେଇ ପ୍ରଶ୍ନ ଉଠି ବିଦେଶରେ ଦେଶର ଛବି ମଳିନ ହେବାର ଆଶଙ୍କା ଦେଖା ଦେଇପାରେ । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ବିଭିନ୍ନ ସ୍ତରରେ ଏହାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆମେରିକା ନ୍ୟାୟ ବିଭାଗର ଅଭିଯୋଗଗୁଡ଼ିକୁ ଅମୂଳକ ସାବ୍ୟସ୍ତ କରନ୍ତୁ ନତୁବା ଦୋଷୀଙ୍କୁ ଦଣ୍ଡିତ କରିବାର ପ୍ରୟାସ କରନ୍ତୁ ।


Published in Sambad on December 17, 2024 

 

Comments

  1. ବହୁତ ସୁନ୍ଦର ନିରପେକ୍ଷ ଆଲୋଚନା ଅଦାନୀର କେଳେଙ୍କାରୀ ସମ୍ବନ୍ଧରେ। ତାକୁ କିଏ ସବୁ ପ୍ରକାର ସାହାଯ୍ୟ ଓ ସମର୍ଥନ ଦେଉଛି ସମସ୍ତେ ଜାଣିଛନ୍ତି। ମାତ୍ର ପଇସା ମୁହଁରେ ଭର୍ତି ତେଣୁ ମୁହଁ ବନ୍ଦ 😂

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...