Skip to main content

ଶବ୍ଦର ଆୟୁଷ

କିଛି ଦିନ ଧରି ‘ରାଣ୍ଡିପୁଅ ଅନନ୍ତା’ ସିନେମାର ନାମକରଣକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ବିତର୍କ ଲାଗିରହିଛି ।  ସୂକ୍ଷ୍ମ ଭାବେ ଅନୁଧ୍ୟାନ କଲେ ଜଣାଯାଏ ଯେ ପ୍ରଥମ ପର୍ଯ୍ୟାୟର ବିତର୍କରେ ମୁଖର ଭାବେ ଅଂଶ ଗ୍ରହଣ କରିଥିବା ପ୍ରାୟ ୯୫ ଭାଗ ପୁରୁଷ ହୋଇଥିଲା ବେଳେ ଅଧିକାଂଶ ମହିଳା ନୀରବ ରହିବାକୁ ପସନ୍ଦ କରିଥିଲେ । ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟର ବିତର୍କରେ କିଛି ମହିଳା ମୁଖର ହୋଇ “ରାଣ୍ଡି’ ଶବ୍ଦଟିର ବ୍ୟବହାରକୁ ଖୋଲାଖୋଲି ବିରୋଧ କରିବା ଦେଖାଯାଉଛି । ଫଳରେ ଏହି ପ୍ରସଙ୍ଗରେ ଲିଙ୍ଗଗତ ମତଭେଦ ଥିବା ସ୍ପଷ୍ଟ ବାରି ହେଉଛି । ତେବେ ବ୍ୟାସକବି ଫକିରମୋହନଙ୍କ ଏହି କାଳଜୟୀ କୃତିର ସାହିତ୍ୟିକ ଉତ୍କର୍ଷକୁ ନେଇ କାହାରି ମନରେ ସନ୍ଦେହ ଥିଲା ପରି ମନେ ହେଉନାହିଁ । ତେବେ ବିତର୍କରେ ଯେଉଁ ଦୁଇଟି ମୁଖ୍ୟ ପ୍ରସଙ୍ଗ ଉତ୍ଥାପିତ ହୋଇଛି ତାହା ଫକିରମୋହନଙ୍କ ପ୍ରତି ଉଦ୍ଦିଷ୍ଟ ହୋଇ ନଥିବାରୁ ଆବେଗିକ ସ୍ତରରେ ତାକୁ ଫକିରମୋହନଙ୍କ ସହ ନ ଯୋଡ଼ି ଏକ ବୌଦ୍ଧିକ ଆଲୋଚନା ଲାଗି ପ୍ରଯତ୍ନ କରାଯାଉ ।

ପ୍ରଥମ ପ୍ରସଙ୍ଗଟି ହେଉଛି ସାମ୍ପ୍ରତିକ ସମୟର କୃତିରେ (ସାହିତ୍ୟ ହେଉ ବା ସିନେମା) ‘ରାଣ୍ଡି’ ଶବ୍ଦର ପ୍ରୟୋଗ ଯୁକ୍ତିଯୁକ୍ତ କି ? ଦ୍ୱିତୀୟଟି ହେଉଛି ଜଣେ ଲେଖକଙ୍କ ବିନାନୁମତିରେ ତାଙ୍କ ଗପ, ଉପନ୍ୟାସ ବା ନାଟକ ଉପରେ ନିର୍ମାଣ ହେଉଥିବା ସିନେମାରେ ନିର୍ଦ୍ଦେଶକ ପରିବର୍ତ୍ତନ କରିପାରିବେ କି ଏବଂ କରିବା ଉଚିତ କି ?

‘ରାଣ୍ଡ’ ବା ‘ରାଣ୍ଡି’ ଶବ୍ଦ ଆକ୍ଷେପମୂଳକ ହୋଇଥିବାରୁ ଜଣେ ବିଧବା ନାରୀ ପ୍ରତି ଏହି ଶବ୍ଦର ଇଚ୍ଛାକୃତ ପ୍ରୟୋଗ ତାକୁ ସର୍ବ ସମକ୍ଷରେ ଘୃଣିତ କରି ଦୁର୍ବଳ କରିବାର ଏକ ପ୍ରୟାସ ମାତ୍ର । ‘ରାଣ୍ଡ’ ବା ‘ରାଣ୍ଡି’ ଶବ୍ଦ ପରି ଶବ୍ଦକୋଷରେ ‘ରାଣ୍ଡୁଆ’ ଶବ୍ଦଟିଏ ଅଛି, ଯାହାର ଅର୍ଥ ବିପତ୍ନୀକ, ବେଶ୍ୟାସକ୍ତ । ବେଶ୍ୟାସକ୍ତ ଅର୍ଥରେ ଏହାର ପ୍ରୟୋଗ ହେଉଥିଲେ ବି ପତ୍ନୀହରା ପୁରୁଷଙ୍କ ଉଦ୍ଦେଶ୍ୟରେ ରାଣ୍ଡୁଆ ଶବ୍ଦଟିର ପ୍ରୟୋଗ ପ୍ରାୟତଃ କୌଣସି ସାହିତ୍ୟ କୃତିରେ ଦେଖିବାକୁ ମିଳେ ନାହିଁ । ବରଂ ତାଙ୍କ ପ୍ରତି ବିପତ୍ନୀକ, ବିଧୁର ପରି ସମ୍ମାନଜନକ ଶବ୍ଦର ପ୍ରୟୋଗ ହୋଇଥାଏ । ଅନ୍ୟ ପକ୍ଷରେ କିଛି ଲେଖକଙ୍କ ଦ୍ୱାରା ରାଣ୍ଡ ବା ରାଣ୍ଡି ଶବ୍ଦର ପ୍ରୟୋଗରେ କୌଣସି କୁଣ୍ଠା ପ୍ରକାଶ ପାଇବା ଦେଖାଯାଏ ନାହିଁ । ଏହା ପୁରୁଷତାନ୍ତ୍ରିକ ମାନସିକତା ଓ ସମାଜ ବ୍ୟବସ୍ଥାର ସ୍ପଷ୍ଟ ନିଦର୍ଶନ, ଯାହା ବିରୋଧରେ ମହିଳାଙ୍କ ସ୍ୱର ଉତ୍ତୋଳନ ସ୍ୱାଭାବିକ । ସମୟ ଥିଲା ଯେତେବେଳେ ଏ ଭଳି ସମ୍ୱୋଧନକୁ ମଥାପାତି ସହି ନେବା ଓ ନୀରବ ରହିବା ଭିନ୍ନ ସେମାନଙ୍କର ଗତ୍ୟନ୍ତର ନ ଥିଲା । ପ୍ରଥମ ଅବସ୍ଥାରେ କିଛି ଶବ୍ଦ ଗାଳି ବିବେଚିତ ହେଉଥିଲେ ବି ତାହା ସମାଜରେ ବହୁଳ ଭାବେ ବ୍ୟବହୃତ ହେବାକୁ ଲାଗିଲେ ସମୟ କ୍ରମେ ତାହା ଗ୍ରହଣୀୟ ହୋଇ ଶବ୍ଦକୋଷର ଅଂଶବିଶେଷ ହୋଇଯାଏ । ଫଳରେ ତାହା ସାମାଜିକ ସ୍ୱୀକୃତି ପାଏ ଓ ତାହାର ପ୍ରୟୋଗ ପାଇଁ ସେହି ପିଢ଼ି ଓ ପରବର୍ତ୍ତୀ ପିଢ଼ିର ଅନ୍ୟମାନଙ୍କୁ ଏକପ୍ରକାର ଲାଇସେନ୍ସ ମିଳିଯାଏ । ସମାଜର ନିର୍ଦ୍ଦିଷ୍ଟ ବର୍ଗର ଲୋକେ ଏଭଳି ଆକ୍ଷେପମୂଳକ ଶବ୍ଦର ପ୍ରୟୋଗରେ ଆହତ ହେଉଥିଲେ ବି ଏହା ସମାଜର ପ୍ରଭାବଶାଳୀ ବର୍ଗର ଲୋକଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହୃତ ହେଉଥିବାରୁ ସେହି ସମୟରେ ସେମାନେ ପ୍ରତିବାଦ କରିବାରୁ ନିବୃତ୍ତ ରହିବାକୁ ଏକପ୍ରକାର ବାଧ୍ୟ ହୋଇଥାନ୍ତି । କାଳକ୍ରମେ ଶକ୍ତି ସଂଗ୍ରହ କରିପାରିଲେ ସେମାନଙ୍କ ପ୍ରତିବାଦର ସ୍ୱର ତୀବ୍ର ହୋଇପାରେ । ଉଦାହରଣ ସ୍ୱରୂପ ଏଠାରେ ‘ହରିଜନ’ ଶବ୍ଦଟିକୁ ନିଆଯାଉ । ମହାତ୍ମା ଗାନ୍ଧୀ ତାଙ୍କ ସମ୍ପାଦିତ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାର ନାମ ପରିବର୍ତ୍ତନ କରି ‘ହରିଜନ’ ରଖିଥିଲେ । ପ୍ରସିଦ୍ଧ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଏକ ଉପନ୍ୟାସର ନାମ ‘ହରିଜନ’ । କିନ୍ତୁ ସମୟ କ୍ରମେ ଦଳିତ ବର୍ଗର ଲୋକେ ‘ହରିଜନ’ ଶବ୍ଦ ମାଧ୍ୟମରେ ସେମାନଙ୍କୁ ‘ଦୟାର ପାତ୍ର’ ପରି ଉପସ୍ଥାପିତ କରାଯାଉଛି ବୋଲି ଅନୁଭବ କଲେ । ସେମାନେ ଏହାକୁ ଅପମାନସୂଚକ ମନେ କରି ବିରୋଧ କରିବା ଆରମ୍ଭ କଲେ । ଦୀର୍ଘ ଦିନ ଧରି କଥାବାର୍ତ୍ତା ଓ ସାହିତ୍ୟରେ ବହୁଳ ଭାବେ ବ୍ୟବହୃତ ହେଉଥିବା ଏଇ ଶବ୍ଦଟି ହଠାତ୍ ସ୍ପର୍ଶକାତର ହୋଇଉଠିଲା । ୨୦୧୦ ମସିହାରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ତରଫରୁ ଏହି ଶବ୍ଦର ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଛି । ସୁପ୍ରିମକୋର୍ଟ ‘ହରିଜନ’ ଶବ୍ଦର ବ୍ୟବହାରକୁ ‘ଅପମାନଜନକ’ ଓ ‘ଆକ୍ରାମକ’ ବୋଲି ଅଭିହିତ କରିସାରିଛନ୍ତି । ସର୍ବୋଚ୍ଚ ଅଦାଲତଙ୍କ ମତରେ, “ଏହି ଶବ୍ଦଟିର ବ୍ୟବହାର ଏକ ଜାତିକୁ ଚିହ୍ନିତ କରିବା ଲାଗି ନୁହେଁ ବରଂ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଅପମାନିତ ଓ ଅବମାନନା କରିବା ଲାଗି ହୋଇଥାଏ ।“ ଅର୍ଥାତ୍ ‘ହରିଜନ’ ଶବ୍ଦଟିର ବ୍ୟବହାର ପଛରେ ନିଜକୁ ଉଚ୍ଚ ଆସନରେ ରଖି ଅନ୍ୟକୁ ନୀଚ ଦୃଷ୍ଟିରେ ଦେଖିବାର ପ୍ରବୃତ୍ତି ଲୁକ୍କାୟିତ ଥାଏ, ଯେଉଁଥିପାଇଁ ସମ୍ପୃକ୍ତ ବ୍ୟକ୍ତି ବା ବର୍ଗର ଲୋକେ ମାନସିକ ଭାବେ ଆହତ ହୋଇଥାନ୍ତି । 

ଏମିତି କିଛି ଲିଙ୍ଗସୂଚକ ଶବ୍ଦ ଅଛି ଯାହା ଇଂରାଜୀ ଭାଷାରେ ଆନାୟାସରେ ଲେଖାଯାଇ ପାରୁଥିଲେ ବି ଓଡ଼ିଆରେ ସେଗୁଡ଼ିକୁ ଲେଖିବାକୁ କୁଣ୍ଠା ପ୍ରକାଶ ପାଇଥାଏ । ତଥାପି ଯେଉଁ ଲେଖକମାନେ ସେଭଳି ଶବ୍ଦକୁ ଅକୁଣ୍ଠିତ ଭାବେ ଲେଖିପାରନ୍ତି ସେମାନଙ୍କୁ ‘ବୋଲଡ’ ବା ସାହସୀ ବୋଲି କୁହାଯାଏ । ହୁଏତ ଏବେ ଲେଖି ହେଉ ନଥିବା ସେହିପରି ଶବ୍ଦଗୁଡ଼ିକ ଆଉ କିଛି ବର୍ଷ ପରେ ଅନାୟାସରେ ପ୍ରୟୋଗକୁ ଆସିପାରେ । ମୋଟ କଥା ହେଲା ଭାଷା ଭିତରକୁ କିଛି ଶବ୍ଦ ଅହରହ ପ୍ରବେଶ କରୁଥିବା ବେଳେ ଆଉ କିଛି ଶବ୍ଦ ଅଚଳ ହେଉଥାନ୍ତି । ଏହି ପରିବର୍ତ୍ତନ ମନ୍ଥର ହେଲେ ବି ନିରନ୍ତର ଚାଲିଥାଏ ଯାହା କିଛି କାଳଖଣ୍ଡର ବ୍ୟବଧାନରେ ହୁଏତ ସ୍ପଷ୍ଟ ବାରିହୁଏ । ଯେ କୌଣସି ଭାଷା ଓ ତାର ଶବ୍ଦରେ ହେଉଥିବା ଏଭଳି ପରିବର୍ତ୍ତନକୁ ଭାଷାତାତ୍ତ୍ୱିକ ଦୃଷ୍ଟିରେ ‘ଡାଏକ୍ରୋନିକ’ ପରିବର୍ତ୍ତନ ବୋଲି କୁହାଯାଇଥାଏ । ତେବେ କେଉଁ ଶବ୍ଦ ଗ୍ରହଣୀୟ ହେବ ଓ କେଉଁ ଶବ୍ଦ ଅଚଳ ହେବ ତାହା ସାଧାରଣତଃ ପରିବର୍ତ୍ତିତ ସମୟର ଆବଶ୍ୟକତା ଓ ସାମାଜିକ ବ୍ୟବସ୍ଥା ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । କିଛି ଶବ୍ଦ ସ୍ୱାଭାବିକ ଭାବେ ଅଚଳ ହେଉଥିବା ବେଳେ କିଛି ଶବ୍ଦ ବିରୋଧର ସମ୍ମୁଖୀନ ହୋଇ ପ୍ରୟୋଗ-ଅଯୋଗ୍ୟ ହୋଇ ଶବ୍ଦକୋଷରେ ମୃତବତ୍ ପଡ଼ି ରହନ୍ତି । କିଛି ଶବ୍ଦ ଆଇନଗତ ଭାବେ ନିଷିଦ୍ଧ ହୋଇ ଅକାଳ ମ଼ୃତ୍ୟୁବରଣ କରନ୍ତି, ଯେମିତି ଘଟିଛି ‘ହରିଜନ’ ଶବ୍ଦଟି କ୍ଷେତ୍ରରେ । କୌଣସି ଶବ୍ଦ ବାଦ୍ ପଡ଼ିଲେ ଯେ ଭାଷା ଦୁର୍ବଳ ହୋଇଯାଏ, ତାହା ନୁହେଁ । ଅଶ୍ଳୀଳ ଓ ଆକ୍ଷେପମୂଳକ ଶବ୍ଦ ଉଭୟର ପ୍ରୟୋଗ ଗର୍ହିତ ହୋଇଥିଲେ ବି ଆକ୍ଷେପମୂଳକ ଶବ୍ଦର ପ୍ରୟୋଗ ଦ୍ୱାରା ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ବର୍ଗର ଲୋକେ ଆହତ ହେବାର ଆଶଙ୍କା ଅଧିକ । ଅନେକ ଲୋକ ଗାଳିଗୁଲଜ କଲା ବେଳେ ମୌଖିକ ଭାବେ ଏହାର ପ୍ରୟୋଗ କରନ୍ତି । ସାମାଜିକ ଅସ୍ଥିରତା ସୃଷ୍ଟି କରୁଥିବା ଯେ କୌଣସି ଶବ୍ଦର ବ୍ୟବହାର ଗ୍ରହଣୀୟ ନୁହେଁ । ତେଣୁ ସାମ୍ପ୍ରତିକ ସମୟର ସାହିତ୍ୟ, ସିନେମା ଓ ନାଟକରେ ବିଧବା ମହିଳାଙ୍କ ପ୍ରତି ରାଣ୍ଡ ଓ ରାଣ୍ଡି ଶବ୍ଦର ଅବାଧ ପ୍ରୟୋଗ ଉପରେ କଟକଣା ଲାଗିବା ସମୀଚୀନ ମନେହୁଏ ।  

ଏବେ ଦ୍ୱିତୀୟ ପ୍ରସଙ୍ଗଟି ହେଲା ସିନେମାରେ ପରିବର୍ତ୍ତନ ସମୀଚୀନ କି ? ସିନେମା ଏପରି ଏକ ମାଧ୍ୟମ ଯେଉଁଥିରେ ଦୃଶ୍ୟ, ସଙ୍ଗୀତ ଓ କଥାର ସମ୍ମିଶ୍ରଣ ହୋଇଥାଏ । ଗପ ଉପନ୍ୟାସରେ ଲେଖକ ସର୍ବେସର୍ବା ହୋଇଥିଲା ବେଳେ ସିନେମା ମାଧ୍ୟମର ବସ୍ ହେଉଛନ୍ତି ନିର୍ଦ୍ଦେଶକ । ବିଦେଶରେ କୌଣସି ଗପ ବା ଉପନ୍ୟାସ ଉପରେ ସିନେମାଟିଏ ତିଆରି ହେଲା ବେଳେ ସିନେମାଟିକୁ ସରସ ସୁନ୍ଦର କରିବା ପାଇଁ ସେଥିରେ ଆବଶ୍ୟକ ପରିବର୍ତ୍ତନ କରାଯାଇପାରିବ ବୋଲି ଗ୍ରହଣୀୟ ହୋଇସାରିଛି । ଫଳରେ ଅନେକ ଇଂରାଜୀ ସିନେମାରେ ନିର୍ଦ୍ଦେଶକ ଆବଶ୍ୟକତାନୁସାରେ ବିଭିନ୍ନ ପ୍ରକାର ପରିବର୍ତ୍ତନ କରିଛନ୍ତି । ପ୍ରସିଦ୍ଧ ଇଂରାଜୀ ଉପନ୍ୟାସ ‘ପ୍ରାଇଡ ଆଣ୍ଡ ପ୍ରେଜୁଡିସ’  ଉପରେ ଆଧାରିତ ୨୦୦୫ ମସିହାରେ ନିର୍ମିତ ସିନେମାଟିରେ ତ ନିର୍ଦ୍ଦେଶକ ଜୋ ରାଇଟ ଅନେକ ଚରିତ୍ରକୁ ବାଦ୍ ଦେଇଛନ୍ତି । ହେଲେ ଭାରତରେ ସମାଲୋଚକମାନେ ସିନେମା ନିର୍ମାଣର ସେହି କଳାତ୍ମକ ଆବଶ୍ୟକତାଟିକୁ ଏଯାଏଁ ଗ୍ରହଣ କରିପାରିନାହାନ୍ତି । ସେଥିପାଇଁ ସତ୍ୟଜିତ ରାୟଙ୍କ ପରି ନିର୍ଦ୍ଦେଶକ ମଧ୍ୟ ବିଭୂତି ଭୂଷଣ ବନ୍ଦୋପାଧ୍ୟାୟଙ୍କ ‘ପଥେର ପାଞ୍ଚାଲି’ ଓ ରବୀନ୍ଦ୍ରନାଥଙ୍କ ଗପଗୁଡ଼ିକ ଉପରେ ନିର୍ମାଣ କରିଥିବା ସିନେମାଗୁଡ଼ିକରେ କରିଥିବା ପରିବର୍ତ୍ତନ ପାଇଁ ଆଲୋଚନାର ଶରବ୍ୟ ହୋଇଥିଲେ । ତାଙ୍କ ମତରେ, ସମାଲୋଚକମାନେ ବହି ଓ ସିନେମା ମଧ୍ୟରେ ଥିବା ପାର୍ଥକ୍ୟଗୁଡ଼ିକୁ ଚିହ୍ନିତ କରିବା ଉପରେ ଏତେ ଗୁରୁତ୍ୱ ଦେଇଥାନ୍ତି ଯେ ସିନେମା ମାଧ୍ୟମଟିରେ କରାଯାଇଥିବା ପରୀକ୍ଷା ନିରୀକ୍ଷାର ଉତ୍କର୍ଷ ସେମାନଙ୍କ ଆଖିରେ ପଡ଼ି ନ ଥାଏ । ବହିଟିଏ ସିନେମାରେ ରୂପାନ୍ତରିତ ହେଲା ବେଳେ ଲେଖକଙ୍କ ଅନୁମତି ନିଆଯାଇଥାଏ ଓ ଆବଶ୍ୟକ ପରିବର୍ତ୍ତନ ସେହି ଅନୁମତିର ଅଂଶବିଶେଷ ହୋଇଥାଏ ।       

ଏବେ ପ୍ରଶ୍ନ ଉଠୁଛି କୌଣସି ସାହିତ୍ୟ କୃତିକୁ ଆଧାର କରି ନାଟକ ବା ସିନେମା ପ୍ରସ୍ତୁତ କଲାବେଳେ ତାର ନାମ ପରିବର୍ତ୍ତନ କରି ହେବ କି ? ଏପରି ପରିବର୍ତ୍ତନର ଅନେକ ଉଦାହରଣ ରହିଛି । ଫକିରମୋହନଙ୍କ ‘ପେଟେଣ୍ଟ ମେଡ଼ିସିନ’ର କାହାଣୀକୁ ନେଇ ପ୍ରସ୍ତୁତ ଗୀତିନାଟ୍ୟର ନାମ ‘ଶ୍ରୀମତୀ ସମାର୍ଜନୀ’ ରଖାଯାଇଥିଲା । ଭଗବତୀ ପାଣିଗ୍ରାହୀଙ୍କ ଗଳ୍ପ  ‘ଶିକାର’କୁ ହିନ୍ଦୀ ଚଳଚ୍ଚିତ୍ରର ରୂପ ଦେଲା ବେଳେ ନିର୍ଦ୍ଦେଶକ ମୃଣାଳ ସେନ ତାର ନାମ ‘ମୃଗୟା’ ରଖିଥିଲେ । ବଙ୍ଗଳା ଭାଷାରେ ସତ୍ୟଜିତ ରାୟଙ୍କ ଦ୍ୱାରା ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ସିନେମା ‘ଚାରୁଲତା’ ରବୀନ୍ଦ୍ର ନାଥ ଠାକୁରଙ୍କ ‘ନଷ୍ଟନୀଡ଼’ ଗପ ଉପରେ ଆଧାରିତ । ବାସୁ ଭଟ୍ଟାଚାର‌୍ୟ୍ୟଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ‘ତିସରୀ କସମ’ ହିନ୍ଦୀ କଥାକାର ଫଣୀଶ୍ୱର ନାଥ ରେଣୁଙ୍କ ‘ମାରେ ଗଏ ଗୁଲଫାମ’ ଗପ ଉପରେ ଆଧାରିତ । ଅନ୍ୟ ପକ୍ଷରେ ବର୍ତ୍ତମାନ କେହି ଯଦି ଗୋପୀନାଥ ମହାନ୍ତିଙ୍କ ‘ହରିଜନ’ ଉପନ୍ୟାସଟିକୁ ଚଳଚ୍ଚିତ୍ରର ରୂପ ଦେବାକୁ ଚାହିଁବେ, ସେ ତାର ନାମ ପରିବର୍ତ୍ତନ ନ କରି ସିନେମାଟିକୁ ତିଆରି କରିପାରିବେ କି ? ତେଣୁ ନିର୍ଦ୍ଦେଶକ ଚାହିଁଲେ ‘ରାଣ୍ଡିପୁଅ ଅନନ୍ତା’ ସିନେମାର ନାମ ବଦଳାଇବାରେ କୌଣସି ଅସୁବିଧା ନାହିଁ ।   

ଗପଟିର ନାମକରଣରେ ଫକିରମୋହନ ପ୍ରୟୋଗ କରିଥିବା ଶ୍ଳେଷକୁ ବୁଝି ନ ପାରିଲେ ଏହା ଗାଳି ପରି ଶୁଣାଯାଇଥାଏ । ଜଣେ ବିଧବା ନାରୀର ମନୋବଳକୁ ଚୂର୍ଣ୍ଣ କରିବା ଲାଗି ସମାଜ ତାଚ୍ଛଲ୍ୟ କରି ତାକୁ ରାଣ୍ଡି ଓ ତା ପୁଅକୁ ରାଣ୍ଡିପୁଅ ଭାବେ ସମ୍ୱୋଧନ କରୁଥିଲେ ବି ସେହି ମାଆ ତା ପୁଅ ଭିତରେ ଏପରି ସଂସ୍କାର ଭରି ଦେଇଥିଲା ଯେ ତାର ବାଳୁଙ୍ଗା ପୁଅଟି ସାମୂହିକ ହିତାର୍ଥେ ଚରମ ବଳିଦାନ ଦେବାକୁ ବି ପଛାଇଲା ନାହିଁ । ତଦ୍ଦ୍ୱାରା ସେ ଉଭୟ ବିଧବା ମାଆ ଓ ତା ପୁଅକୁ ମହମାନ୍ୱିତ କରିବା ସହ ବିଧବାମାନଙ୍କୁ ହୀନ ଦୃଷ୍ଟିରେ ଦେଖୁଥିବା ସମାଜର ମୁଷ୍ଟିମେୟ ବଡ଼ପଣ୍ଡାମାନଙ୍କ ଆଚରଣ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ହେଲେ ବିବାଦ ସତ୍ତ୍ୱେ ଗପଟିକୁ ପଢ଼ି ନ ଥିବା ଲୋକଙ୍କ ଭିତରୁ କିଛି ହୁଏତ ସିନେମାଟିକୁ ଦେଖିବେ । ସିନେମାର ପହଞ୍ଚ ଯଥେଷ୍ଟ ଅଧିକ ହୋଇଥିବାରୁ ସିନେମାଟିକୁ ନ ଦେଖି ଆହୁରି ଅନେକ ସିନେମାର ନାମରୁ ‘ରାଣ୍ଡି’ ଓ ‘ରାଣ୍ଡିପୁଅ’ ଶବ୍ଦକୁ ଗାଳି ବୋଲି ଧରି ନେଇ ସାମାଜିକ ଗଣମାଧ୍ୟମରେ ତାର ଅବାଧ ପ୍ରୟୋଗ କରିବେ ଓ ମହିଳାମାନେ ଏହାର  ଶରବ୍ୟ ହେବାର ଆଶଙ୍କା ଅଧିକ । ଅନ୍ୟକୁ ଆକ୍ଷେପ କରିବା ଲାଗି ବା ଗାଳି ଉଦ୍ଦେଶ୍ୟରେ ‘ରାଣ୍ଡିପୁଅ’ ଶବ୍ଦକୁ କିପରି ବ୍ୟବହାର କରିହୁଏ ଇତିମଧ୍ୟରେ ତାର ନମୁନା ଖୋଦ୍ ଓଡ଼ିଆ ସିନେମା ଶିଳ୍ପ ସହ ସମ୍ପୃକ୍ତ କିଛି ଲୋକଙ୍କଠାରୁ ମିଳିସାରିଲାଣି । ଆଗାମୀ ଦିନରେ ଏହା  ସମାଜରେ ବିଶୃଙ୍ଖଳା ଖେଳାଇପାରେ ।                          

‘ରାଣ୍ଡିପୁଅ ଅନନ୍ତା’ ପରି ଏକ ମୌଳିକ କାହାଣୀ ଉପରେ ସିନେମାଟିଏ ନିର୍ମାଣ କରିଥିବାରୁ ନିର୍ଦ୍ଦେଶକ ନିଶ୍ଚୟ ଧନ୍ୟବାଦର ପାତ୍ର । ଏବେ ସିନେମାଟିର ନାମ ପରିବର୍ତ୍ତନ କରିବା ବା ନ କରିବା ନିଷ୍ପତ୍ତି ନିର୍ଦ୍ଦେଶକଙ୍କର । ତେବେ ବିବାଦ ଘେରକୁ ଆସି ସିନେମାଟିକୁ ଯଥେଷ୍ଟ ମାଗଣା ବିଜ୍ଞାପନ ମିଳି ସାରିଥିବାରୁ ନାମ ବଦଳାଇବା ହୁଏତ ବ୍ୟାବସାୟିକ ଦୃଷ୍ଟିରୁ ଲାଭଜନକ ନିଷ୍ପତ୍ତି ହୋଇ ନପାରେ । ଏହା ସତ୍ତ୍ୱେ ବିବାଦ ଲାଗି ରହିଲେ ‘ପଦ୍ମାବତୀ’ ସିନେମାର ନାମ ପରିବର୍ତ୍ତନ ହେଲା ପରି ସେନସର୍ ବୋର୍ଡ ମଧ୍ୟ ନାମ ପରିବର୍ତ୍ତନ କରିବାକୁ ବାଧ୍ୟ କରିପାରନ୍ତି । ସିନେମାର ନାମରେ ଥିବା ‘ରାଣ୍ଡି’ ଶବ୍ଦଟିରେ ମହିଳାମାନେ ଅଧିକ ଆହତ ଓ ପ୍ରତିକ୍ରିୟାଶୀଳ ହେଉଥିବାରୁ ନିର୍ଦ୍ଦେଶକ ପ୍ରତିନିଧି ସ୍ଥାନୀୟ କିଛି ମହିଳାଙ୍କ ସହ ବିଚାର ବିମର୍ଶ କରି ଉଚିତ ନିଷ୍ପତ୍ତି ନେଇ ବିବାଦର ଅନ୍ତ ଘଟାଇବାର ପ୍ରୟାସ କରିବା ଆବଶ୍ୟକ । ନ ହେଲେ ହୁଏତ ସିନେମାର ନାମ ନୁହେଁ, ‘ରାଣ୍ଡି’ ଶବ୍ଦର ଆୟୁଷ ଅଦାଲତ ନିର୍ଦ୍ଧାରଣ କରିବା ପର୍ଯ୍ୟନ୍ତ କଥା ଯାଇପାରେ ।


Published in Sambad on December 3, 2024


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...