ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ଲାଗି ଟେଲିଭିଜନରେ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ଗଲା ଅଗଷ୍ଟ ୩୦, ୨୦୨୪ରେ ମହାରାଷ୍ଟ୍ରର ଏକ ଜନସଭାରେ ସେ ଦ୍ୱିତୀୟ ଥର ଲାଗି ସର୍ବସମକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏ ଥର କ୍ଷମାପ୍ରାର୍ଥନାର କାରଣ ଥିଲା ମହାରାଷ୍ଟ୍ରରେ ମାତ୍ର ୯ ମାସ ତଳେ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଛତ୍ରପତି ଶିବାଜୀଙ୍କର ଷ୍ଟାଚ୍ୟୁଟି ଖଣ୍ଡ ବିଖଣ୍ଡିତ ହୋଇ ଧରାଶାୟୀ ହୋଇଯିବା । ଉଲ୍ଲେଖଯୋଗ୍ୟ ଯେ ୨୦୨୩ ମସିହା ଡିସେମ୍ୱର ୪ ତାରିଖ ଦିନ ‘ନୌବାହିନୀ ଦିବସ’ ଉପଲକ୍ଷେ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାସ୍ଥିତ ରାଜକୋଟ ଦୁର୍ଗରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଛତ୍ରପତି ଶିବାଜୀଙ୍କର ଏକ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁର ଅନାବରଣ କରାଯାଇଥିଲା । ଏତେ ଶୀଘ୍ର ପ୍ରତିମୂର୍ତ୍ତିଟି ଧରାଶାୟୀ ହୋଇଯିବା ପରେ ନୌବାହିନୀ ଓ ମହାରାଷ୍ଟ୍ର ରାଜ୍ୟ ସରକାର ପରସ୍ପରକୁ ଦୋଷାରୋପ କରୁଛନ୍ତି । ମରାଠୀମାନଙ୍କ ପାଇଁ ଶିବାଜୀ ଦେବତୁଲ୍ୟ ମାନ୍ୟତା ପାଉଥିବାରୁ ଏ ଘଟଣା ପରେ ରାଜନୀତି ମଧ୍ୟ ସରଗରମ ହୋଇଛି । ତାଙ୍କ ପ୍ରତିମୂର୍ତ୍ତିର ଏହି ଦୁର୍ଦ୍ଦଶାକୁ ଏକ ଅଶୁଭ ଲକ୍ଷଣ ଭାବେ ବିବେଚନା କରାଯାଉଛି । ଆଉ ମାତ୍ର ୨ରୁ ୩ ମାସ ମଧ୍ୟରେ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଶିବାଜୀଙ୍କ ଷ୍ଟାଚ୍ୟୁ ଭୂପତିତ ହେବା ଘଟଣା ମହାରାଷ୍ଟ୍ର ରାଜନୀତିରେ ଉଦବେଳନ ସୃଷ୍ଟି କଲାଣି । ପ୍ରାୟ ଅଢେଇ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ମଧ୍ୟ ଶୁଣିବାକୁ ମିଳିଲାଣି । ବିଭିନ୍ନ ଷ୍ଟାଚ୍ୟୁର ନିର୍ମାଣ ଓ ଉନ୍ମୋଚନ ଯେପରି ରାଜନୀତି ପ୍ରଣୋଦିତ ହୋଇଥାଏ, ତାହା ବିଧ୍ୱଂସ୍ତ ହେବାରେ ତାଠାରୁ ଅଧିକ ରାଜନୀତି ଆମନ୍ତ୍ରିତ ହେବାର ଆଶଙ୍କା ଦେଖାଦେବା କିଛି ବିଚିତ୍ର ନୁହେଁ । ଆଗାମୀ ଦିନରେ ଷ୍ଟାଚ୍ୟୁଗୁଡ଼ିକ ରାଜନୈତିକ ଦ୍ୱନ୍ଦ୍ୱର ଏକ ପ୍ରମୁଖ ବିନ୍ଦୁ ହେବାକୁ ଯାଉଥିବାରୁ, ପ୍ରତିମୂର୍ତ୍ତି ସ୍ଥାପନାର ଧାରା, ଉଦ୍ଦେଶ୍ୟ ଓ ଔଚିତ୍ୟକୁ ଏକ ଆଲୋଚନା କରାଯାଇପାରେ ।
ସାରା ଦେଶରେ ଯେଉଁଭଳି ଛତୁ ଫୁଟିଲା ଭଳି ଷ୍ଟାଚ୍ୟୁମାନ ସ୍ଥାପିତ ହୋଇଚାଲିଛି ଓ ତାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଭାବେ ରାଜନୀତି ହୋଇଆସୁଛି, ତା’ ଉପରେ ନିୟନ୍ତ୍ରଣ ଲାଗିବାର ଆବଶ୍ୟକତା ରହିଛି । କୌଣସି ନେତାଙ୍କ ସଂଖ୍ୟାଧିକ ପ୍ରତିମୂର୍ତ୍ତି ସ୍ଥାପନ ହେବା କେଉଁଠି ବିବାଦର କାରଣ ହେଉଥିଲା ବେଳେ, ପ୍ରତିମୂର୍ତ୍ତି ସ୍ଥାପନାରେ ନେତାଙ୍କ ଶ୍ରେୟ ନେବାକୁ ନେଇ ଅନ୍ୟ କେଉଁଠି ଦ୍ୱନ୍ଦ୍ୱ ଉପୁଜୁଛି । ୧୯୮୪ ମସିହାରେ ବାଲେଶ୍ୱର ଜିଲ୍ଲାର ବସ୍ତା ନିକଟସ୍ଥ ଦାଣ୍ଡି ଗାଁରେ ତ ସୋଭିଏତ ରୁଷିଆର କନସଲ୍ ଜେନେରାଲଙ୍କ ଦ୍ୱାରା ଲେନିନଙ୍କ ଏକ ଷ୍ଟାଚ୍ୟୁର ଉନ୍ମୋଚନ ଅବସରରେ ବିବାଦ ଉପୁଜିବାରୁ ତୁରନ୍ତ ମହାତ୍ମା ଗାନ୍ଧୀଙ୍କର ଏକ ଷ୍ଟାଚ୍ୟୁ ଅଣାଯାଇ ଏକ ସଙ୍ଗେ ଦୁଇଟି ଷ୍ଟାଚ୍ୟୁର ଉନ୍ମୋଚନ କରିବାକୁ ପଡ଼ିଥିଲା ।
ରାଜାରାଜୁଡ଼ା ବା ବ୍ୟକ୍ତି ବିଶେଷଙ୍କ ଷ୍ଟାଚ୍ୟୁ ନିର୍ମାଣ ଭାରତୀୟ ସଂସ୍କୃତିର ଅଂଶବିଶେଷ ନୁହେଁ । ସେଥିପାଇଁ ଅଶୋକଙ୍କ ଭଳି ସମ୍ରାଟ ମଧ୍ୟ ତାଙ୍କ ଶାସନ କାଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ତମ୍ଭମାନ ନିର୍ମାଣ କରିଥିଲେ ବି ନିଜର ପ୍ରତିମୂର୍ତ୍ତି ସ୍ଥାପନା କଥା ଚିନ୍ତା କରି ନଥିଲେ । ଭାରତର ବିଭିନ୍ନ ସ୍ଥାନରେ ବହୁ ପ୍ରାଚୀନ ବିଶାଳକାୟ ମନ୍ଦିର ଅଛି । ତେବେ କେଉଁଠି ହେଲେ ସେଗୁଡ଼ିକୁ ତିଆରି କରାଇଥିବା ରାଜାଙ୍କ ପ୍ରତିମୂର୍ତ୍ତି ନାହିଁ । ଏପରିକି ମନ୍ଦିର ଗାତ୍ରରେ ବି ସେମାନଙ୍କ ପ୍ରତିକୃତି ପର୍ଯ୍ୟନ୍ତ ଖୋଦିତ ହୋଇନାହିଁ । ଦ୍ୱିତୀୟ ଶତାବ୍ଦୀର କୁଶାଣ ସମ୍ରାଟ କନିଷ୍କଙ୍କ ମୁଣ୍ଡବିହୀନ ପ୍ରତିମୂର୍ତ୍ତିଟି ସମ୍ଭବତଃ ଭାରତର କୌଣସି ରାଜାଙ୍କର ସର୍ବାପୁରାତନ ଉପଲବ୍ଧ ପ୍ରତିମୂର୍ତ୍ତି । ତାହା ମଧ୍ୟ କୌଣସି ସର୍ବସାଧାରଣ ସ୍ଥାନରେ ସ୍ଥାପିତ ନ ହୋଇ ତୈଳଚିତ୍ର ଟଙ୍ଗା ହେଲା ଭଳି ଏକ କାନ୍ଥରେ ଖୋଦେଇ ହୋଇଥିବା ଜଣା ପଡ଼େ । ଅବଶ୍ୟ ଭାରତରେ ଉପଲବ୍ଧ ପ୍ରାଚୀନ ମୂର୍ତ୍ତିଗୁଡ଼ିକ ମୂଳତଃ ଧର୍ମ ବା ଧର୍ମୀୟ ବିଶ୍ୱାସ ସହ ଜଡ଼ିତ ଥିବାର ଦେଖାଯାଏ । ଓଡ଼ିଶାର ସର୍ବପୁରାତନ ପ୍ରତିମୂର୍ତ୍ତିଟି ପିପିଲି ବ୍ଲକର ବାଗେଶ୍ୱରପୁର ଗାଁରୁ ମିଳିଥିବା, ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ବୌଦ୍ଧଧର୍ମର ପୂଜ୍ୟ ଅବଲୋକିତେଶ୍ୱର ପଦ୍ମପାଣିଙ୍କର ବୋଲି କୁହାଯାଏ । ଭାରତରେ ମୁସଲମାନ ଶାସନ କାଳରେ ମଧ୍ୟ ରାଜାରାଜୁଡ଼ାଙ୍କର ପ୍ରତିମୂର୍ତ୍ତି ସ୍ଥାପନାର ପରମ୍ପରା ନ ଥିଲା । ଷ୍ଟାଚ୍ୟୁ ସ୍ଥାପନା ମୂଳତଃ ପାଶ୍ଚାତ୍ୟ ସଂସ୍କୃତିର ଅଂଶବିଶେଷ ହୋଇଥିବାରୁ ବ୍ରିଟିଶ ଶାସନାଧୀନ ହେବା ପରେ ଦେଶରେ ତାହାର ପ୍ରଚଳନ ହେଲା ବୋଲି କହିଲେ ଭୁଲ ହେବନାହିଁ । ୧୯୩୪ ମସିହାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ବଡ଼ଦାଣ୍ଡରେ ଗାନ୍ଧିଜୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ବେଳେ ସ୍ୱୟଂ ଗାନ୍ଧୀଜୀଙ୍କ ପରି ମହାନ୍ ବ୍ୟକ୍ତିତ୍ୱଙ୍କର ଭାରତରେ ପ୍ରଥମ ପ୍ରତିମୂର୍ତ୍ତି ତାଙ୍କ ମୃତ୍ୟୁର ୧୩ ଦିନ ପରେ ୧୯୪୮ ମସିହା ଫେବୃଆରୀ ୧୨ ତାରିଖ ଦିନ ତାମିଲନାଡ଼ୁର ଭେଲୋର ନିକଟସ୍ଥ ରାନିପେଟ ବସଷ୍ଟାଣ୍ଡରେ ସ୍ଥାପିତ ହୋଇଥିଲା । ସ୍ୱାଧୀନତା ପରେ ସାରା ଦେଶରେ ନିଜ ନିଜ ପ୍ରିୟ ନେତାଙ୍କର ଷ୍ଟାଚ୍ୟୁ ସ୍ଥାପନା ଜାତୀୟତା ପ୍ରଦର୍ଶନର ଏକ ଜରିଆ ସାଜି ଏକ ପ୍ରକାର ଆମ ସଂସ୍କୃତିର ଅଂଶବିଶେଷ ହୋଇଗଲା । ତେବେ ରାଜନୈତିକ ଭିନ୍ନ ବିଚାରଧାରା ଯୋଗୁଁ ହେଉ ବା ଅସହିଷ୍ଣୁତା କାରଣରୁ, ସମୟ କ୍ରମେ ସେଗୁଡ଼ିକ ହିଂସାର ଶରବ୍ୟ ହୋଇ ଖଣ୍ଡିତ, ବିକୃତ ଓ ବିବର୍ଣ୍ଣ ହେଉଛନ୍ତି ।
ଷ୍ଟାଚ୍ୟୁ ପ୍ରତି ଅସମ୍ମାନ ପ୍ରଦର୍ଶନ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ବିଭିନ୍ନ ସମୟରେ ହୋଇଆସିଛି । କମ୍ୟୁନିଷ୍ଟ ଶାସନର ପତନ ପରେ ବିଭିନ୍ନ ଦେଶରେ ଲେନିନ, ଷ୍ଟାଲିନ ଓ ଅନ୍ୟମାନଙ୍କ ଷ୍ଟାଚ୍ୟୁ ଜନ ଆକ୍ରୋଶର ଶିକାର ହୋଇ ଧରାଶାୟୀ ହୋଇଥିଲେ । ବର୍ଣ୍ଣ ବୈଷମ୍ୟ ଅଭିଯୋଗରେ ଲଣ୍ଡନରେ ଚର୍ଚ୍ଚିଲଙ୍କ ଷ୍ଟାଚ୍ୟୁ ଓ ଜୋହାନସବର୍ଗରେ ଗାନ୍ଧୀଜୀ ଷ୍ଟାଚ୍ୟୁ ମଧ୍ୟ ଜନ ଆକ୍ରୋଶରୁ ବର୍ତ୍ତି ପାରିନଥିଲା । ସେହି ଏକା କାରଣରୁ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଓ ଘାନା ବିଶ୍ୱବିଦ୍ୟାଳୟରେ ଅବସ୍ଥାପିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିକୁ ସେଠାକାର ଛାତ୍ର ଓ ଅଧ୍ୟାପକଙ୍କ ପ୍ରବଳ ବିରୋଧ ପରେ ବିଶ୍ୱବିଦ୍ୟାଳୟ ପରିସରରୁ ଅପସାରଣ କରିବାକୁ ପଡ଼ିଥିଲା । ନିକଟରେ ବେଲଜିଅମର ରାଜା ଦ୍ୱିତୀୟ ଲିଓପୋଲଡଙ୍କ ଷ୍ଟାଚ୍ୟୁ ଜନଆକ୍ରୋଶର ଶିକାର ହୋଇଛି ।
ଆଫଗାନିସ୍ତାନ ତାଲିବାନ ଶାସନାଧୀନ ହେବା ପରେ ସେଠାରେ ଥିବା ମନୁଷ୍ୟାକୃତିର ସବୁ ପ୍ରତିମୂର୍ତ୍ତିକୁ ଧ୍ୱଂସ କରିବାକୁ ତାଲିବାନୀ ନେତା ମୁଲ୍ଲା ମହମ୍ମଦ ଓମାର ଆଦେଶ ଦେଇଥିଲେ, ଯେପରିକି ଭବିଷ୍ୟତରେ କେହି ସେମାନଙ୍କୁ ସମ୍ମାନ ପ୍ରଦର୍ଶନ ବା ପୂଜା କରିପାରିବେ ନାହିଁ । ତଦନୁଯାୟୀ ବାମିୟାନ୍ ଉପତ୍ୟକାରେ ଥିବା ଷଷ୍ଠ ଶତାବ୍ଦୀରେ ନିର୍ମିତ ଦୁଇଟି ପ୍ରାଚୀନ ବୁଦ୍ଧ ମୂର୍ତ୍ତିକୁ ମାର୍ଚ୍ଚ ୨, ୨୦୦୧ ମସିହାରେ ତୋପ ଯୋଗେ ଧ୍ୱଂସ କରିଦିଆଗଲା । ନିକଟରେ ପଡ଼ୋଶୀ ବଙ୍ଗଳାଦେଶରେ ଶେଖ ହସିନା ସରକାରଙ୍କ ପତନ ପରେ ସେଠାରେ ଜନ ଆକ୍ରୋଶ ଯେଉଁଭଳି ଉଗ୍ରରୂପ ଧାରଣ କଲା ସେଥିରେ ବଙ୍ଗଳାଦେଶର ରାଷ୍ଟ୍ରପିତା କୁହାଯାଉଥିବା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହେମାନଙ୍କ ବିଶାଳକାୟ ପ୍ରତିମୂର୍ତ୍ତିକୁ ଯେଉଁଭଳି ଖଣ୍ଡ ବିଖଣ୍ଡିତ କରି ଧରାଶାୟୀ କରାଗଲା, ତାହା ବାସ୍ତବିକ ବିଚଳିତ କଲା ଭଳି । ଇରାକରେ ସଦ୍ଦାମ ହୁସେନ ଓ ଲିବ୍ୟାରେ କର୍ଣ୍ଣେଲ ଗଦ୍ଦାଫିଙ୍କ ଷ୍ଟାଟ୍ୟୁ ବି ଅନୁରୂପ ଆକ୍ରୋଶର ଶିକାର ହୋଇ ଭୂପତିତ ହୋଇଥିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଅତୀତରେ ଜଣେ ଯେତେ ମହାନ୍ ହୋଇଥିଲେ ବି ପରିବର୍ତ୍ତିତ ପରିସ୍ଥିତିରେ ଶାସନ ବ୍ୟବସ୍ଥାରେ ଥିବା ଲୋକଙ୍କ ମାନସିକତା ବା ସମାଜରେ ସେତେବେଳର ବହୁସଂଖ୍ୟକଙ୍କ ମତ ଆଧାରରେ ହୁଏତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଅସମ୍ମାନିତ ହୋଇପାରନ୍ତି । ତାଙ୍କ ଅବର୍ତ୍ତମାନରେ ତାଙ୍କର ପ୍ରତିନିଧିତ୍ୱ କରୁଥିବା ଷ୍ଟାଚ୍ୟୁଗୁଡ଼ିକ ହିଁ ଆକ୍ରମଣର ଶରବ୍ୟ ହୋଇଥାନ୍ତି । ଏହିପରି ଅତୀତର ଭୁଲକୁ ସୁଧାରିବାର ଦ୍ୱାହି ଦେଇ ବିଭିନ୍ନ ସ୍ଥାନରେ ଷ୍ଟାଚ୍ୟୁଗୁଡ଼ିକୁ ବିଧ୍ୱଂସ, ବିକୃତ ବା ବିବର୍ଣ୍ଣ କରାଯାଉଛି ।
ଏହି ପ୍ରସଙ୍ଗରେ ପ୍ରଖ୍ୟାତ କଥାକାର ମନୋଜ ଦାସଙ୍କ ‘ଷ୍ଟାଚ୍ୟୁ’ ଗପଟିର ସାରମର୍ମର ଅବତାରଣା ଅପ୍ରାସଙ୍ଗିକ ହୋଇ ନପାରେ । ସନ୍ତ୍ରାସବାଦୀଙ୍କ ଦ୍ୱାରା ଗୋଟିଏ ସହରରେ ଥିବା ଷ୍ଟାଚ୍ୟୁଗୁଡ଼ିକର ସମ୍ପୃକ୍ତ ନେତାଙ୍କ ଖ୍ୟାତି ଆଧାରରେ ମୁଣ୍ଡକାଟ ହେଉଛି । ସେହି ସହରର ଜଣେ ନେତା ଗୁପ୍ତଜୀଙ୍କ ଦ୍ୱାରା ନିଜ ଜୀବଦ୍ଦଶାରେ ଅନୁଗତଙ୍କ ସହାୟତାରେ ନିର୍ମିତ ନିଜର ଷ୍ଟାଚ୍ୟୁଟି କିନ୍ତୁ ସନ୍ତ୍ରାସବାଦୀଙ୍କ ଆକ୍ରମଣର ଶିକାର ନ ହେବାର ଦେଖି ସେ ମ୍ରିୟମାଣ ହୋଇଛନ୍ତି । ତଦ୍ଦ୍ୱାରା ତାଙ୍କ ଖ୍ୟାତି ଓ ଗୁରୁତ୍ୱର ଅବମୂଲ୍ୟାୟନ ହେଉଛି ବୋଲି ମନେ କରି ଦିନେ ରାତିରେ ନିଜକୁ ଲୁଚାଇ ସେ ତାଙ୍କ ଷ୍ଟାଚ୍ୟୁ ନିକଟକୁ ଯାଇଛନ୍ତି । ଏତିକିବେଳେ ସନ୍ତ୍ରାସବାଦୀ ମନେ ହେଉଥିବା କିଛି ଯୁବକ ଷ୍ଟାଚ୍ୟୁ ଆଡ଼କୁ ଆସୁଥିବାର ଦେଖି ସେ ଉତଫୁଲ୍ଲିତ ହୋଇଛନ୍ତି ଯେ ଏବେ ବୋଧେ ସେମାନେ ଷ୍ଟାଚ୍ୟୁଟିର ମୁଣ୍ଡକାଟ କରିବେ । ମାତ୍ର ସେମାନେ ସେପରି କିଛି କରିନାହାନ୍ତି । ବରଂ ସେମାନଙ୍କ ଭିତରୁ ଜଣେ ଷ୍ଟାଚ୍ୟୁ ଉପରେ ଚଢ଼ି କାନ୍ଧରେ ଭରା ଦେଇ କିଛି ଦୂରରେ ଥିବା ବ୍ୟାଙ୍କ ଆଡ଼କୁ ନିରୀକ୍ଷଣ କରି ଅନ୍ୟମାନଙ୍କୁ କଣ ଇଙ୍ଗିତ କରିଛି ଓ ସମସ୍ତେ ଫେରିଯିବାକୁ ଉଦ୍ୟତ ହୋଇଛନ୍ତି । ଏଥିରେ ନିରାଶ ହୋଇ ଗୁପ୍ତଜୀ ସେମାନଙ୍କୁ ଗାଳି ଦେଇଛନ୍ତି । ଯୁବକମାନେ ଷ୍ଟାଚ୍ୟୁକୁ ଲକ୍ଷ୍ୟ କରି କଣ ଫୋପାଡ଼ିଛନ୍ତି ଯେଉଁଥିରେ ଦୁର୍ବଳ ଷ୍ଟାଚ୍ୟୁଟି ଖଣ୍ଡ ବିଖଣ୍ଡିତ ହୋଇ ଧରାଶାୟୀ ହୋଇଛି । ଗପଟିର ଶେଷ ଧାଡ଼ିଟି ବେଶ୍ ଚିନ୍ତା ଓ ଚେତନା ଉଦ୍ରେକକାରୀ – ‘ପରବର୍ତ୍ତୀ ଷ୍ଟାଚ୍ୟୁହୀନ ଜୀବନରେ ଗୁପ୍ତଜୀ ଶାନ୍ତିରେ ଅଛନ୍ତି । ସେ ଆଜିକାଲି ବହୁତ ହସନ୍ତି ।‘ ଗୁପ୍ତଜୀ ତ ଜୀବିତ ଥିଲେ ବୋଲି ଷ୍ଟାଚ୍ୟୁହୀନ ଜୀବନ ଜିଇବାର ବାଟଟି ସେ ନିଜେ ଫିଟାଇ ପାରିଥିଲେ । ପରଲୋକଗତ ନେତାମାନେ ତ ଆଉ ନିଜ ପାଇଁ ଷ୍ଟାଚ୍ୟୁହୀନ ଅବସ୍ଥାନକୁ ସୁନିଶ୍ଚିତ କରିପାରିବେ ନାହିଁ । କାହାର ଷ୍ଟାଚ୍ୟୁ ନିର୍ମାଣ ହେବା ବା ନ ହେବା ନିଷ୍ପତ୍ତି ଅନ୍ୟମାନଙ୍କର । ବିଶିଷ୍ଟ ବ୍ୟକ୍ତିଙ୍କର ଷ୍ଟାଚ୍ୟୁଟିଏର ସ୍ଥାପନାର ଉଦ୍ଦେଶ୍ୟ ତାଙ୍କୁ ସମ୍ମାନ ଦେବା ସହ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି ଭବିଷ୍ୟତ ବଂଶଧରଙ୍କୁ ଅନୁପ୍ରେରିତ କରିବା । କିନ୍ତୁ ତାଙ୍କୁ ସମ୍ମାନ ଦେବା ତ ଦୂରର କଥା, ତାଙ୍କ ଷ୍ଟାଚ୍ୟୁକୁ ମଧ୍ୟ ଉଚିତ ସମ୍ମାନ ମିଳି ନ ଥାଏ । ଷ୍ଟାଚ୍ୟୁକୁ ଦେଖି ନୀତି ଆଦର୍ଶରେ ଅନୁପ୍ରାଣିତ ହେଉଥିବା ଲୋକଟିଏକୁ ହୁଏତ ଖୋଜିବାକୁ ପଡ଼ିପାରେ । ସତେ ଯେମିତି ଜନ୍ମ ବା ଶ୍ରାଦ୍ଧ ଦିବସରେ ବେକରେ ଫୁଲମାଳଟିଏ ପକାଇବା ହିଁ ଷ୍ଟାଚ୍ୟୁ ସ୍ଥାପନାର ଏକମାତ୍ର ଉଦ୍ଦେଶ୍ୟ ! ସେହି ଫୁଲମାଳଟିଏ ବି ଅନେକ ଷ୍ଟାଚ୍ୟୁର ଭାଗ୍ୟରେ ଜୁଟି ନ ଥାଏ । ତେଣୁ ଷ୍ଟାଚ୍ୟୁ ଏଣିକି ତାର ପ୍ରାସଙ୍ଗିକତା ହରାଇସାରିଛି ।
ମଣିଷ ଜୀବନ ପରି ଷ୍ଟାଚ୍ୟୁର ଜୀବନ ମଧ୍ୟ କ୍ଷଣସ୍ଥାୟୀ । ତଥାପି ନିଜ ଜୀବଦ୍ଦଶାରେ ନିଜ ପାଇଁ ଷ୍ଟାଚ୍ୟୁ ତିଆରି କରାଇ ବା ମୃତ୍ୟୁ ପରେ ଅନୁଗତଙ୍କ ଦ୍ୱାରା ଷ୍ଟାଚ୍ୟୁ ନିର୍ମାଣ କରାଇବାର ସମସ୍ତ ବ୍ୟବସ୍ଥା କରାଇ ଅମରତ୍ୱ ଲାଭ କରିବାର ପ୍ରବଳ ଲାଳସା କିଛି ଲୋକଙ୍କର ଥାଏ । ତେବେ ହୁଏତ ନିଜ କର୍ମ ମାଧ୍ୟମରେ ଅମରତ୍ୱ ଲାଭ ହୋଇପାରେ, ଷ୍ଟାଚ୍ୟୁ ମାଧ୍ୟମରେ ନୁହେଁ । ଷ୍ଟାଚ୍ୟୁ ଅମରତ୍ୱ ଲାଭର ନୁହେଁ ବରଂ ଅଶାନ୍ତିର କାରଣ ହୋଇପାରେ । ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ବିବାଦର କାରଣ ହୋଇପାରେ । ଷ୍ଟାଚ୍ୟୁ ଲାଗି ପରଲୋକଗତ ଆତ୍ମାଟିଏକୁ ଅଶାନ୍ତି ଓ ବାଦବିବାଦ ଭିତରକୁ ଟାଣି ଆଣିବା କେତେ ଦୂର ସମୀଚୀନ । ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଚଳିତ ପ୍ରମୁଖ ବିଚାରଧାରା ବା ମାନ୍ୟତା ଷ୍ଟାଚ୍ୟୁର ଭବିଷ୍ୟତ ନିର୍ଦ୍ଧାରଣ କରିଥାଏ । ଏଣିକି ଷ୍ଟାଚ୍ୟୁକୁ ଧରାଶାୟୀ ବା ବିଧ୍ୱଂସ କରିବାକୁ ବିଚାରଧାରା ବା ଶାସନ ବ୍ୟବସ୍ଥାର ମୂଳୋତ୍ପାଟନର ପ୍ରତୀକ ରୂପେ ଗ୍ରହଣ କରାଯାଉଛି । ତେଣୁ ଭବିଷ୍ୟତରେ ଷ୍ଟାଚ୍ୟୁଗୁଡ଼ିକ ପ୍ରତି ଜନଆକ୍ରୋଶ ତୀବ୍ର ହେବାର ଆଶଙ୍କାକୁ ଏଡ଼ାଇ ହେବନାହିଁ । ସେପରି ହେଲେ ଷ୍ଟାଚ୍ୟୁଗୁଡ଼ିକ ପ୍ରତି ସଙ୍କଟ ଘନୀଭୂତ ହେବା ଅବଶ୍ୟମ୍ଭାବୀ । ଷ୍ଟାଚ୍ୟୁ ନିର୍ମାଣରେ ହଜାର ହଜାର କୋଟି ଟଙ୍କା ବ୍ୟୟ କରି ମଧ୍ୟ ସେଗୁଡିକର ସ୍ଥାୟୀତ୍ୱ ସୁନିଶ୍ଚିତ କରି ହେଉ ନ ଥିବାରୁ ଏକ ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧ ଅନୁକରଣ କରିବା କେତେ ଦୂର ସମୀଚୀନ । ବରଂ ଷ୍ଟାଚ୍ୟୁ-ମନସ୍କ ହେବାରୁ ନିବୃତ୍ତ ହୋଇ ଜୀବିତ ଲୋକଙ୍କ ପ୍ରତି ଅଧିକ ଧ୍ୟାନ ଦିଆଗଲେ ସମାଜର ମଙ୍ଗଳ ହେବ । ଏ କଥା ସତ ଯେ ଷ୍ଟାଚ୍ୟୁଟିଏ ଧରାଶାୟୀ ହେଲେ ସମାଜ ବିଭାଜିତ ହୁଏ । ତେଣୁ ଷ୍ଟାଚ୍ୟୁ ପ୍ରତିଷ୍ଠାକୁ ନେଇ ନୂତନ ଭାବେ ବିମର୍ଶ ହେଉ ।
Published in Sambad on September 04, 2024
Comments
Post a Comment