Skip to main content

ହ୍ରାସ ପାଉଥିବା ବୈଦେଶିକ ମୁଦ୍ରା ଭଣ୍ଡାରକୁ ନେଇ ଉଦବେଗ

ସେପ୍ଟେମ୍ୱର ୨୭, ୨୦୨୪ରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୭୦୪୮୯ କୋଟି ଡଲାରର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ଗତ ୨ ମାସ ଧରି ଏହା ଲଗାତାର ଭାବେ ହ୍ରାସ ପାଇ ନଭେମ୍ୱର ୨୨, ୨୦୨୪ରେ ସମାପ୍ତ ହୋଇଥିବା ସପ୍ତାହରେ ୬୫୭୮୯ କୋଟି ଡଲାରରେ ଆସି ପହଞ୍ଚିଛି । ଏହି ଦୁଇ ମାସ ମଧ୍ୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪୭୦୦ କୋଟି ଡଲାର ବା ପ୍ରାୟ ୬.୭ ପ୍ରତିଶତ ହ୍ରାସ ପାଇବା ଉଦବେଗର କାରଣ ପାଲଟିଛି । କେବଳ ଗତ ଏକ ସପ୍ତାହ ମଧ୍ୟରେ ଏହା ୧୭୭୬ କୋଟି ଡଲାର ହ୍ରାସ ପାଇଛି । ତେଣୁ ଏହି ଚିନ୍ତାଜନକ ସ୍ଥିତିର କାରଣ ଓ ଏହାର ସୁଦୂର ପ୍ରସାରୀ ପ୍ରଭାବ ସମ୍ପର୍କରେ ଅବଗତ ହେବାର ଆବଶ୍ୟକତା ରହିଛି ।

ଯେ କୌଣସି ଦେଶର ଅର୍ଥନୀତିରେ ବୈଦେଶିକ ମୁଦ୍ରା ଭଣ୍ଡାର ବା ଫରେକ୍ସ ରିଜର୍ଭ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଆମଦାନି ରପ୍ତାନି ପରି ଆନ୍ତର୍ଜାତିକ ବାଣିଜ୍ୟ, ଦେଣନେଣ, ବିନିଯୋଗ ଆଦି ଅନେକ ଆର୍ଥିକ କାର୍ରେଯ୍ୟ ବୈଦେଶିକ ମୁଦ୍ରା ଆବଶ୍ୟକ ହେଉଥିବାରୁ ଏକ ବଳିଷ୍ଠ ବୈଦେଶିକ ମୁଦ୍ରା ଭଣ୍ଡାର ଯେ କୌଣସି ଦେଶ ପାଇଁ ବରଦାନ ସଦୃଶ । ସେ ଦୃଷ୍ଟିରୁ ଗତ କିଛି ବର୍ଷ ଧରି ବିଭିନ୍ନ କାରଣରୁ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଉତ୍ସାହଜନକ ଭାବେ ବୃଦ୍ଧି ପାଇ ଚାଲିଥିଲା । ତେବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଚାଲିଥିବାରୁ ତାର ପ୍ରଭାବରେ ବୈଦେଶିକ ମୁଦ୍ରା ଚାପଗ୍ରସ୍ତ ହୋଇଛି ।

ବିଶ୍ୱର ସର୍ବାଧିକ ବୈଦେଶିକ ମୁଦ୍ରା ଭଣ୍ଡାର ଥିବା ଦେଶଗୁଡ଼ିକ ମଧ୍ୟରେ ଚୀନ ପ୍ରଥମ ସ୍ଥାନରେ ଥିବା ବେଳେ, ଜାପାନ ଓ ସ୍ୱିଜରଲାଣ୍ଡ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ସେହି ତାଲିକାରେ ଭାରତର ସ୍ଥାନ ଚତୁର୍ଥ । ଚୀନର ଫରେକ୍ସ ରିଜର୍ଭର ଆକାର ଏବେ ପ୍ରାୟ ୩.୨୬୧ ଲକ୍ଷ କୋଟି ଡଲାର, ଯାହା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରଠାରୁ ପ୍ରାୟ ୫ ଗୁଣ ବଡ଼ । ସେଠାରେ ମଧ୍ୟ ବୈଦେଶିକ ଭଣ୍ଡାର ହ୍ରାସ ପାଇଛି ।  ତେବେ ଗତ କିଛି ବର୍ଷ ଧରି କୌଶଳଗତ ଭାବେ ଚୀନ ଏହି ମୁଦ୍ରା ଭଣ୍ଡାରରେ ଡଲାରର ପ୍ରାଧାନ୍ୟକୁ ହ୍ରାସ କରିଚାଲିଛି । ଫଳରେ ୨୦୧୬ ମସିହାରେ ଚୀନର ବୈଦେଶିକ ଭଣ୍ଡାରରେ ପ୍ରାୟ ୫୯ ପ୍ରତିଶତ ଡଲାର ବା ଡଲାର ମୂଲ୍ୟବର୍ଗର ସମ୍ପଦ ଥିବା ବେଳେ ୨୦୨୩ ବେଳକୁ ତାହା ହ୍ରାସ ପାଇ ୨୫ ପ୍ରତିଶତରେ ପହଞ୍ଚିସାରିଲାଣି । ଅନ୍ୟ ପକ୍ଷରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ଏବେ ମଧ୍ୟ ଡଲାର ମୂଲ୍ୟବର୍ଗର ସମ୍ପଦ (ଡଲାର ଡିନୋମିନେଟେଡ ଆସେଟ)ର ପରିମାଣ ପ୍ରାୟ ୬୦ ପ୍ରତିଶତ ରହିଛି । ତେଣୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଅଧିକ ହ୍ରାସ ହେଲେ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ତାର ପ୍ରତିକୂଳ ପ୍ରଭାବ ଯେ କେତେ ଅଧିକ ହେଉଛି, ତାହା ସହଜରେ ଅନୁମେୟ । 

ବୈଦେଶିକ ମୁଦ୍ରା ଭଣ୍ଡାର କହିଲେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ବିଦେଶୀ ମୁଦ୍ରା ଆକାରରେ ଗଚ୍ଛିତ ଥିବା ପାଣ୍ଠିକୁ ବୁଝାଏ । ମୁଦ୍ରା ବ୍ୟତୀତ ଏଥିରେ ବିଦେଶୀ ବଣ୍ଡ, ଟ୍ରେଜେରୀ ବିଲ୍ ଓ ଅନ୍ୟ ସରକାରୀ ପ୍ରତିଭୂତି (ସିକ୍ୟୁରିଟିଜ୍) ମଧ୍ୟ ଥାଏ । ଏହି ପାଣ୍ଠିକୁ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲେ ବି ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ପାଇଲେ ବା ଦେବାଳିଆ ପରିସ୍ଥିତି ଉପୁଜିଲା ଭଳି ଅବାଞ୍ଛିତ ପରିସ୍ଥିତିର ମୁକାବିଲା କରିବାକୁ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଗଚ୍ଛିତ ଥିବା ଏହି ପାଣ୍ଠି ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।         

 ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ । ଏଥିରେ ବୈଦେଶିକ ମୁଦ୍ରା ସମ୍ପଦ (ଫରେନ୍ କରେନ୍ସି ଆସେଟସ୍ ବା ଏଫସିଏ), ସ୍ୱର୍ଣ୍ଣ ଭଣ୍ଡାର, ଏସଡିଆର ( ସ୍ପେଶାଲ ଡ୍ରଇଂ ରାଇଟସ୍) ଆଦି ସମ୍ମିଳିତ । ଆମେରିକୀୟ ଡଲାର ସହ ପାଉଣ୍ଡ, ୟୁରୋ, ୟେନ, ୟୁଆନ ଭଳି ବିଭିନ୍ନ ଦେଶର ଗଚ୍ଛିତ ମୁଦ୍ରା ଏଫସିଏର ଅଂଶବିଶେଷ । ଭାରତର ଗଚ୍ଛିତ ସ୍ୱର୍ଣ୍ଣ ଭଣ୍ଡାରର ମୂଲ୍ୟ ୬୫୭୦ କୋଟି ଡଲାର, ଯାହା ସମୁଦାୟ ବୈଦେଶିକ ମୁଦ୍ରାଭଣ୍ଡାରର ପ୍ରାୟ ୧୦ ପ୍ରତିଶତ ଅଟେ । ସେହିପରି ୧୮୦୦ କୋଟି ଡଲାର ମୂଲ୍ୟର ଏସଡିଆର ଥିବା ବେଳେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ନିକଟରେ ରିଜର୍ଭ ଆକାରରେ ୪୨୦ କୋଟି ଡଲାର ରହିଛି । ତେବେ ୫୬୯୮୪ କୋଟି ଡଲାର ମୂଲ୍ୟର ଏଫସିଏ ହିଁ ବୈଦେଶିକ ମୁଦ୍ରା ଭଣ୍ଡାରର ସିଂହଭାଗ (୮୬ ପ୍ରତିଶତ) ଅଟେ, ଯାହାର ପରିମାଣ ଡଲାର ଆକାରରେ ପ୍ରକାଶ କରାଯାଇଥାଏ । ତେଣୁ ଡଲାର ତୁଳନାରେ ଅନ୍ୟ ବୈଦେଶିକ ମୁଦ୍ରାର ମୂଲ୍ୟ ବୃଦ୍ଧି ବା ହ୍ରାସ ହେଲେ ଗଚ୍ଛିତ ଅନ୍ୟ ବୈଦେଶିକ ମୁଦ୍ରାର ପୁନଃମୂଲ୍ୟାୟନ କରାଯାଇ ତାହା ଡଲାରରେ ପ୍ରକାଶ କରାଯାଇଥାଏ । ଫଳରେ ବୈଦେଶିକ ମୁଦ୍ରାଭଣ୍ଡାରର ମୂଲ୍ୟ ବୃଦ୍ଧି ବା ହ୍ରାସ ହୋଇଥାଏ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ବଣ୍ଡରୁ ଆୟ (ୟିଲଡ) ବୃଦ୍ଧି ପାଇବା ଓ ଡଲାର ଅଧିକ ଶକ୍ତିଶାଳୀ ହେବା କାରଣରୁ ଅନ୍ୟ ଅନେକ ବୈଦେଶିକ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି । ତେଣୁ ପୁନଃମୂଲ୍ୟାୟନଜନିତ କ୍ଷତି ବୃଦ୍ଧି ପାଇ ଭାରତୀୟ ବୈଦେଶିକ ମୁଦ୍ରାଭଣ୍ଡାରର ପରିମାଣ ମଧ୍ୟ ହ୍ରାସ ପାଇଛି । ଉଦାହରଣ ସ୍ୱରୂପ ଗତ ସପ୍ତାହରେ ଏହି ପୁନଃ ମୂଲ୍ୟାୟନ ଜନିତ କ୍ଷତି  ୧୦୪୦ କୋଟି ଡଲାର ହୋଇଛି । ଡଲାରର ଚାହିଦା ଅନୁପାତରେ ଯୋଗାଣ ଏବଂ ଦେଶର ଅର୍ଥନୈତିକ ସ୍ଥିତି ଉପରେ ନିର୍ଭର କରି ବଜାର ଶକ୍ତି ଦ୍ୱାରା ଟଙ୍କାର ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ । ଟଙ୍କାର ମୂଲ୍ୟରେ ଅନୁଚିତ ଅସ୍ଥିରତା ସୃଷ୍ଟି ହେଲେ ମୂଲ୍ୟରେ ସ୍ଥିରତା ଆଣିବା ପାଇଁ ରିଜର୍ଭ ବ୍ୟାଙ୍କକୁ ହସ୍ତକ୍ଷେପ କରିବାକୁ ହୋଇଥାଏ । ଡଲାର ପିଛା ଟଙ୍କାର ମୂଲ୍ୟ ହ୍ରାସ ପାଇ ସର୍ବନିମ୍ନ ୮୪.୫୦ ଟଙ୍କା ସ୍ତରରେ ପହଞ୍ଚିଯିବାରୁ ଟଙ୍କାର ମୂଲ୍ୟରେ ସ୍ଥିରତା ଆଣିବା ଲାଗି ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କକୁ ପ୍ରାୟ ୭୨୦ କୋଟି ଡଲାର ବିକ୍ରି କରିବାକୁ ପଡ଼ିଛି । ଏହା ସତ୍ତ୍ୱେ ସପ୍ତାହାନ୍ତରେ ଡଲାର ପିଛା ଟଙ୍କାର ମୂଲ୍ୟ ପୂର୍ବ ସପ୍ତାହ ତୁଳନାରେ ୩.୦୪ ଟଙ୍କା ହ୍ରାସ ପାଇ ୮୪.୪୪ ଟଙ୍କା ହୋଇଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ  ଅତ୍ୟଧିକ ହ୍ରାସ ପାଇଲେ ଭାରତର ରପ୍ତାନିକାରୀମାନେ ଲାଭବାନ ହେଉଥିବା ବେଳେ ଆମଦାନିକାରୀମାନେ କ୍ଷତିଗ୍ରସ୍ତ ହୋଇଥାନ୍ତି । ତେବେ ବିଦେଶରୁ ସ୍ୱଚ୍ଛନ୍ଦରେ ସାମଗ୍ରୀ ଆମଦାନି କରିବା ଲାଗି ଯେ କୌଣସି ଦେଶ ନିକଟରେ ଯଥେଷ୍ଟ ପରିମାଣର ବୈଦେଶିକ ମୁଦ୍ରା ଗଚ୍ଛିତ ଥିବା ଆବଶ୍ୟକ । ଆଦର୍ଶ ସ୍ଥିତିରେ ଆମଦାନି ଆବଶ୍ୟକତାର ପୂର୍ତ୍ତି ଲାଗି କୌଣସି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ଅନ୍ତତଃ ୬ ମାସ ଆମଦାନି ଲାଗି ବୈଦେଶିକ ମୁଦ୍ରା ଗଚ୍ଛିତ ରହିବା ଜରୁରୀ ହୋଇଥିଲେ ବି ଭାରତ ଭଳି ଗତିଶୀଳ ଅର୍ଥନୀତି ବିଶିଷ୍ଟ ଦେଶ ନିକଟରେ ୧୦-୧୨ ମାସର ଭଣ୍ଡାର ଗଚ୍ଛିତ ରହିବା ଆବଶ୍ୟକ । ତଦନୁସାରେ ଏବେ ଭାରତ ନିକଟରେ ୧୧.୨ ମାସର ଆମଦାନି ଲାଗି ବୈଦେଶିକ ମୁଦ୍ରା ଗଚ୍ଛିତ ଥିବାରୁ ଭାରତର ସ୍ଥିତି ଅପେକ୍ଷାକୃତ ସ୍ୱଚ୍ଛଳ ବୋଲି ଗ୍ରହଣ କରାଯାଇପାରେ । ତେବେ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଆମଦାନି ୮୫୪୮୦ କୋଟି ଡଲାର ହୋଇଥିବା ବେଳେ ରପ୍ତାନି ୭୭୬୬୮ କୋଟି ଡଲାର ହୋଇଥିବାରୁ ଭାରତକୁ ୭୮୧୨ କୋଟି ଡଲାର ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥିଲା । ଟଙ୍କାର ମୂଲ୍ୟ ହ୍ରାସ ପାଇ ରପ୍ତାନି ତୁଳନାରେ ଆମଦାନିର ପରିମାଣ ଅଧିକ ହେଲେ ସମ ପରିମାଣର ଆମଦାନି ପାଇଁ ଅଧିକ ଡଲାର ବ୍ୟୟ କରିବାକୁ ହେବ । ଫଳରେ ବୈଦୈଶିକ ମୁଦ୍ରାଭଣ୍ଡାର ଚାପଗ୍ରସ୍ତ ହେବ ।

ଆନ୍ତର୍ଜାତୀୟ ସ୍ତରରେ ଦେଖା ଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ଟଙ୍କାର ମୂଲ୍ୟ ହ୍ରାସ ପଛର ଏକ ପ୍ରମୁଖ କାରଣ । ତେବେ ଭାରତର ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ବିଦେଶରୁ ଆମଦାନୀ ହେଉଥିବାରୁ ଓ ବିଶ୍ୱବଜାରରେ ଅଶୋଧିତ ତେଲର ଦର ଉଚ୍ଚ ସ୍ତରରେ ରହୁଥିବାରୁ ଭାରତକୁ ଅଧିକ ଡଲାର ବ୍ୟୟ କରିବାକୁ ହେଉଛି । ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ଡଲାର ନ ଦେଇ ରୁଷୀୟ ମୁଦ୍ରା ରୁବଲରେ ରୁଷିଆରୁ ଶସ୍ତା ଦରରେ ତେଲ ଆମଦାନି କରିପାରୁଥିବାରୁ ସେଠାରୁ ତେଲ ଆମଦାନିର ପରିମାଣ ବୃଦ୍ଧି ପାଇଥିଲା । ଇତିମଧ୍ୟରେ ସେଠାରେ ମିଳୁଥିବା ରିହାତି କମ ହୋଇଯାଇଥିବାରୁ ରୁଷିଆରୁ ତୈଳ ଆମଦାନି ହ୍ରାସ ପାଇଛି । ଫଳରେ ତେଲ ପାଇଁ ଭାରତକୁ ପୁଣି ଥରେ ପାରମ୍ପରିକ ମଧ୍ୟ-ପ୍ରାଚ୍ୟ ଦେଶସମୂହମୁହାଁ ହେବାକୁ ପଡ଼ିଛି । ଏହା ଦ୍ୱାରା ତେଲ ପାଇଁ ଭାରତର ଡଲାର ନିର୍ଭରଶୀଳତା ବଢ଼ିଛି, ଯାହା ଟଙ୍କାର ମୂଲ୍ୟହ୍ରାସର ଏକ ବଡ଼ କାରଣ । କେବଳ ଅଶୋଧିତ ତେଲ ପାଇଁ ନୁହେଁ, ବରଂ ସାମଗ୍ରିକ ଭାବେ ଭାରତର ରପ୍ତାନି ତୁଳନାରେ ଆମଦାନି ଯଥେଷ୍ଟ ଅଧିକ ହୋଇ ବାଣିଜ୍ୟ ନିଅଣ୍ଟ ବଢି ବଢ଼ି ଚାଲିଛି । ଦେଶର ଚଳନ୍ତି ଖାତା ନିଅଣ୍ଟ ( କରେଣ୍ଟ ଆକାଉଣ୍ଟ ଡେଫିସିଟ) ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୯୭୦ କୋଟି ଡଲାରକୁ ବୃଦ୍ଧି ପାଇଛି ଯାହା ଦେଶର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ର ୧.୧ ପ୍ରତିଶତ । ଗତ ବର୍ଷର ଏହି ସମୟରେ ଏହା ୧ ପ୍ରତିଶତ ଥିଲା ।  

୨୦୨୩ ମସିହାରେ ବିଦେଶୀ ନିବେଶକମାନଙ୍କ ଲାଗି ଭାରତ ନିବେଶର ପ୍ରଥମ ପସନ୍ଦ ଥିଲା । ତେବେ ସେହି ସ୍ଥିତିରେ ପରିବର୍ତ୍ତନ ଘଟିଛି । ଅଗଷ୍ଟ ୨୦୨୪ରୁ ବିଦେଶୀ ଅଂଶଧନ ନିବେଶକଙ୍କ ପୁଞ୍ଜି ଭାରତକୁ ଆସିବା ଏକ ପ୍ରକାର ବନ୍ଦ ହୋଇଯାଇଥିବା ବେଳେ ସେମାନେ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରିବା ବଢାଇ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରଠାରୁ ବିଭିନ୍ନ କାରଣରୁ ବିଦେଶୀ ଅଂଶଧନ ନିବେଶକମାନେ ଭାରତୀୟ ଅଂଶଧନ ବଜାର ପ୍ରତି ଆଗ୍ରହ ପ୍ରଦର୍ଶନ କରୁ ନଥିବାର ପରିଲକ୍ଷିତ ହେଉଛି । ଏସୀୟ ଅଂଶଧନ ବଜାରଗୁଡ଼ିକ ମଧ୍ୟରୁ ଭାରତରୁ ସର୍ବାଧିକ ପରିମାଣର ବିଦେଶୀ ଅଂଶଧନ ପୁ଼୍ଞ୍ଜି ପ୍ରତ୍ୟାହାର କରାଯାଇଛି । ଅକ୍ଟୋବର ପହିଲାରୁ ମାତ୍ର ଦୁଇ ମାସରୁ କମ୍ ସମୟ ମଧ୍ୟରେ ପ୍ରାୟ ୧୩୬୦ କୋଟି ଡଲାର ପ୍ରତ୍ୟାହୃତ ହେବା ଉଦବେଗଜନକ ।               

ତଳମୁହାଁ ଟଙ୍କାକୁ ନେଇ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଏବେ ନିଷ୍ପତ୍ତି ସଙ୍କଟ ଦେଖାଦେଇଛି । ବ୍ୟାଙ୍କ ହସ୍ତକ୍ଷେପ ନ କରି ଟଙ୍କାର ମୂଲ୍ୟ ବଜାର ଶକ୍ତି ଦ୍ୱାରା ନିର୍ଦ୍ଧାରିତ ହେବାକୁ ଛାଡ଼ିଦେବ ନା ହସ୍ତକ୍ଷେପ କରି ଟଙ୍କା ମୂଲ୍ୟକୁ ସ୍ଥିର ରଖିବାର ପ୍ରୟାସ କରିବ ? ବଜାର ଶକ୍ତି ଦ୍ୱାରା ମୂଲ୍ୟ ନିର୍ଦ୍ଧାରଣ ହେବାକୁ ଛାଡ଼ିଦେଲେ ଟଙ୍କାର ମୂଲ୍ୟ ଆହୁରି ତଳକୁ ଖସିପାରେ । ଅନ୍ୟ ପକ୍ଷରେ ଟଙ୍କାର ମୂଲ୍ୟକୁ ସ୍ଥିର ରଖିବାକୁ ହେଲେ ରିଜର୍ଭ ବ୍ୟାଙ୍କକୁ ବୈଦେଶିକ ମୁଦ୍ରା ଭଣ୍ଡାରକୁ ଖୋଲା ରଖିବାକୁ ହେବ, ଯଦ୍ଦ୍ୱାରା ବୈଦେଶିକ ମୁଦ୍ରା ଭଣ୍ଡାର ଆହୁରି ହ୍ରାସ ପାଇବ । ଏ ଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ଚୀନର କେନ୍ଦ୍ରୀୟ ବ୍ୟାଙ୍କ ରପ୍ତାନିକୁ ପ୍ରୋତ୍ସାହିତ କରିବା ଲାଗି ଚୀନର ମୁଦ୍ରା ୟୁଆନର ମୂଲ୍ୟ ହ୍ରାସ ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଚୀନର ଆମଦାନି ତୁଳନାରେ ରପ୍ତାନି ଯଥେଷ୍ଟ ଅଧିକ ଥିବାରୁ ରପ୍ତାନିକୁ ଆହୁରି ପ୍ରୋତ୍ସାହିତ କରି ବୈଦେଶିକ ମୁଦ୍ରା ଲାଭ କରିବାକୁ ଚୀନ ପକ୍ଷରେ ସେଭଳି ନିଷ୍ପତ୍ତି ନେବାରେ ବିଶେଷ ଅସୁବିଧା ହୋଇନାହିଁ । କିନ୍ତୁ ଭାରତର ଆମଦାନି ତୁଳନାରେ ରପ୍ତାନି ଯଥେଷ୍ଟ କମ ହୋଇଥିବାରୁ ଟଙ୍କା ମୂଲ୍ୟକୁ ଅନିୟନ୍ତ୍ରିତ ଭାବେ ତଳକୁ ଖସିବାକୁ ଛାଡ଼ିଦେଲେ ତାହା ଅର୍ଥନୀତି ପ୍ରତି ବୁମେରାଂ ସାବ୍ୟସ୍ତ ହୋଇପାରେ । କାରଣ ବିଭିନ୍ନ ଅଧ୍ୟୟନରୁ ଜଣାପଡ଼େ ଯେ ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ମଧ୍ୟ ରପ୍ତାନିକାରୀମାନେ ଖୁବ୍ ବେଶି ଲାଭବାନ ହୋଇନଥାନ୍ତି । ସେମାନଙ୍କ ଲାଭ ମାତ୍ର ୦.୧ରୁ ୦.୩ ପ୍ରତିଶତ ମଧ୍ୟରେ ସୀମିତ ରହିଥାଏ । ଅନ୍ୟ ପକ୍ଷରେ ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇବ । ଫଳରେ ଦରଦାମ ଆହୁରି ବୃଦ୍ଧି ପାଇ ଜନସାଧାରଣ ହନ୍ତସନ୍ତ ହେବାର ଆଶଙ୍କା ଦେଖାଦେବ । ତେଣୁ ଟଙ୍କାର ମୂଲ୍ୟକୁ ଅନିୟନ୍ତ୍ରିତ ଭାବେ ତଳକୁ ଖସିବାକୁ ଛାଡ଼ିଦେବା ନିଷ୍ପତ୍ତି ବିଜ୍ଞତାର ପରିଚୟ ହୋଇ ନପାରେ । ରିଜର୍ଭ ବ୍ୟାଙ୍କକୁ ନିଷ୍ପତ୍ତି-ଦ୍ୱନ୍ଦ୍ୱରୁ ମୁକୁଳି ଦେଶ ହିତରେ ସ୍ପଷ୍ଟ ନିଷ୍ପତ୍ତି ଗ୍ରହଣ କରିବାକୁ ହେବ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ବନ୍ଦ ନ ହେଲେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ପୁଣି ଉପରମୁହାଁ ହେବା ନେଇ ସଂଶୟ ସୃଷ୍ଟି ହେବା ସ୍ୱାଭାବିକ । ଫଳରେ ଭାରତର ୫ ଟ୍ରିଲିଅନ ଡଲାର ଅର୍ଥନୀତିର ସ୍ୱପ୍ନ ବାସ୍ତବ ରୂପ ନେବା ବିଳମ୍ୱିତ ହୋଇପାରେ ।     


Published in Odisha Reporter on November 25, 2024  


Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...