Skip to main content

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓ ରଣଭୂମି ରାଜ୍ୟ

ରିପବ୍ଲିକାନ୍ ଦଳର ପ୍ରାର୍ଥୀ ଡୋନାଲଡ୍ ଟ୍ରମ୍ପ ଓ ଡେମୋକ୍ରାଟ ଦଳର ପ୍ରାର୍ଥୀ କମଲା ହାରିସଙ୍କ ମଧ୍ୟରେ ନଭେମ୍ୱର ୫, ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଉପରେ ଏବେ ସମଗ୍ର ବିଶ୍ୱବାସୀଙ୍କ ଦୃଷ୍ଟି ନିବଦ୍ଧ, କାରଣ ଏହା ହିଁ ନିର୍ଦ୍ଧାରଣ କରିବ ଅନ୍ତତଃ ଆଗାମୀ ୪ ବର୍ଷ ଯାଏଁ ବିଶ୍ୱର ଭୂ-ରାଜନୀତି (ଜିଓପଲିଟିକ୍ସ)ର ନକ୍ସା । ପ୍ରାଥମିକ ପର‌୍ୟ୍ୟାୟର ଜନମତ ସର୍ଭେରେ ଉପରାଷ୍ଟ୍ରପତି କମଲା ହାରିସ ଟ୍ରମ୍ପଙ୍କଠାରୁ ସାମାନ୍ୟ ଆଗୁଆ ଥିବା ଦର୍ଶାଯାଉଥିଲା । ତେବେ ନିର୍ବାଚନ ନିକଟତର ହେବା ସହ ଟ୍ରମ୍ପ ତାଙ୍କ ସ୍ଥିତିକୁ ସୁଧାରିବା ସହ ହାରିସଙ୍କଠାରୁ ସାମାନ୍ୟ ଆଗୁଆ ଥିବା ପ୍ରକାଶ ପାଉଛି । ଉଭୟଙ୍କ ମଧ୍ୟରେ ବ୍ୟବଧାନ ଏତେ କମ ଯେ ଏ ନିର୍ବାଚନରେ କିଏ ଜିତିବ ତାହା ସ୍ପଷ୍ଟ ରୂପେ ପୂର୍ବାନୁମାନ କରିହେଉନାହିଁ । ପରମ୍ପରାଗତ ଭାବେ କିଛି ନିର୍ଦ୍ଦିଷ୍ଟ ରାଜ୍ୟ ରିପବ୍ଲିକାନ୍ ବା ଡେମୋକ୍ରାଟ ଦଳ ସପକ୍ଷରେ ଭୋଟ ଦେଇ ଆସୁଥିବା ବେଳେ ଏମିତି କିଛି ରାଜ୍ୟ ଅଛନ୍ତି ଯେଉଁଗୁଡ଼ିକୁ ରଣଭୂମି ରାଜ୍ୟ ରୂପେ ଅଭିହିତ । ସେଗୁଡ଼ିକ କେଉଁ ଦଳ ସପକ୍ଷରେ ମତଦାନ କରିବେ ତାହା ନିର୍ଦ୍ଦିଷ୍ଟ ଭାବେ ଜଣା ପଡ଼ି ନଥାଏ । ଆମେରିକାର ରାଷ୍ଟ୍ରପତି ନିର୍ବାଚନର ପ୍ରକ୍ରିୟା ଯେମିତି ଭିନ୍ନ, ନିର୍ବାଚନୀ ଫଳାଫଳରେ ରଣଭୂମି ରାଜ୍ୟଗୁଡ଼ିକ (ବ୍ୟାଟଲ ଗ୍ରାଉଣ୍ଡ ଷ୍ଟେଟସ୍)ର ଭୂମିକା ମଧ୍ୟ ସେମିତି ଗୁରୁତ୍ୱପୂର୍ଣ୍ଣ । ତେଣୁ ସେଭଳି ଏକ ଆକର୍ଷଣୀୟ ନିର୍ବାଚନ ସମ୍ପର୍କରେ ଜାଣିବା ବେଶ ରୋଚକ ନିଶ୍ଚୟ । 

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରଚଳିତ ପ୍ରକ୍ରିୟା ସମ୍ପର୍କରେ କୁହାଯାଏ ଯେ ସେଠାରେ ଲୋକମାନେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି, ହେଲେ ରାଜ୍ୟଗୁଡ଼ିକ ତାଙ୍କୁ ନିର୍ବାଚିତ କରିଥାନ୍ତି । ଅର୍ଥାତ୍ ଆମେରିକାର ମତଦାତା ରାଷ୍ଟ୍ରପତିଙ୍କୁ ସିଧାସଳଖ ବାଛୁ ନଥିବାରୁ ସମଗ୍ର ଦେଶରେ ସର୍ବାଧିକ ଲୋକଙ୍କ ଭୋଟ ପାଇଲେ ଯେ ଜଣେ ନିର୍ବାଚିତ ହେବେ, ତାହା ନୁହେଁ । ବିଭିନ୍ନ ରାଜ୍ୟକୁ ପ୍ରଦତ୍ତ ଇଲେକ୍ଟୋରାଲ କଲେଜର ଆସନ ସଂଖ୍ୟା ସାଧାରଣ ଜନତାଙ୍କ ଭୋଟ ଆଧାରରେ କେଉଁ ପ୍ରାର୍ଥୀଙ୍କ ସପକ୍ଷରେ କେତେ ଅଧିକ ଯାଉଛି ତାରି ଆଧାରରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି । ସେଥିଲାଗି ୨୦୧୬ ନିର୍ବାଚନରେ ରିପବ୍ଲିକାନ୍ ଦଳର ପ୍ରାର୍ଥୀ ଡୋନାଲଡ ଟ୍ରମ୍ପଙ୍କୁ ଡେମୋକ୍ରାଟ ପ୍ରାର୍ଥୀ ହିଲାରି କ୍ଲିଣ୍ଟନଙ୍କ ତୁଳନାରେ କମ ଲୋକ ଭୋଟ ଦେଇଥିଲେ ବି ସେ ଇଲେକ୍ଟୋରାଲ କଲେଜରେ ଅଧିକ ଭୋଟ ପାଇଥିବାରୁ ସେ ନିର୍ବାଚିତ ହୋଇଥିଲେ । ତେଣୁ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଇଲେକ୍ଟୋରାଲ କଲେଜର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଆମେରିକାର ୫୦ଟି ରାଜ୍ୟର ସିନେଟ ଓ ପ୍ରତିନିଧି ସଭା (ହାଉସ ଅଫ ରିପ୍ରେଜେଣ୍ଟେଟିଭସ)ରେ ଯେତେ ସଂଖ୍ୟକ ସଭ୍ୟ ଅଛନ୍ତି ସେହି ରାଜ୍ୟ ପାଇଁ ଇଲେକ୍ଟୋରାଲ କଲେଜରେ ସେତିକି ସଂଖ୍ୟକ ଆସନ ଚିହ୍ନିତ ହୋଇଛି । ସେହିପରି କଲମ୍ୱିଆ ଜିଲ୍ଲା ପାଇଁ ୩ଟି ଆସନ ରହିଛି । ଇଲେକ୍ଟୋରାଲ କଲେଜରେ ସର୍ବାଧିକ ୫୪ଟି ଆସନ  କାଲିଫର୍ଣ୍ଣିଆ ରାଜ୍ୟ ଲାଗି ଚିହ୍ନିତ ହୋଇଥିବା ବେଳେ ଟେକ୍ସାସ, ଫ୍ଲୋରିଡ଼ା, ନ୍ୟୁୟର୍କ ରାଜ୍ୟଗୁଡ଼ିକ ଲାଗି ଯଥାକ୍ରମେ ୪୦, ୩୦ ଓ ୨୮ଟି ଲେଖାଏଁ ଆସନ ଚିହ୍ନିତ ହୋଇଛି । ଏହିପରି ଭାବେ ଇଲେକ୍ଟୋରାଲ କଲେଜର ସମୁଦାୟ ଆସନ ସଂଖ୍ୟା ୫୩୮ । ଜନସାଧାରଣ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଉଥିଲେ ବି ପ୍ରକୃତ ପକ୍ଷେ ନିର୍ବାଚନରେ ସେମାନଙ୍କ ମତର ପ୍ରତିନିଧିତ୍ୱ କରିବା ପାଇଁ ସେମାନେ ସେହି ଦଳର ଏକ ଇଲୋକ୍ଟର (ନିର୍ବାଚକ) ଗୋଷ୍ଠୀକୁ ଭୋଟ ଦେଇଥାନ୍ତି, ଯେଉଁ ଗୋଷ୍ଠୀ ହିଁ ପ୍ରକୃତ ପକ୍ଷେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ୫୦ଟି ରାଜ୍ୟ ମଧ୍ୟରୁ ୪୮ଟି ରାଜ୍ୟରେ ଜନସାଧାରଣଙ୍କ ଭୋଟ ଆଧାରରେ ପ୍ରତି ରାଜ୍ୟରେ ଯେଉଁ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ସର୍ବାଧିକ ଭୋଟ ମିଳେ, ‘ବିଜେତା ଭାଗରେ ସବୁ’ ନିୟମାନୁଯାୟୀ ସେହି ରାଜ୍ୟର ଇଲେକ୍ଟୋରାଲ କଲେଜ ଲାଗି ଉଦ୍ଦିଷ୍ଟ ସମସ୍ତ ଆସନ ସେହି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଚାଲିଯାଏ । କେବଳ ମେନ୍ ଓ ନେବ୍ରାସ୍କା ରାଜ୍ୟ ଦ୍ୱୟର ଆଇନ ଆନୁସାରେ ସେଠାରେ ଭିନ୍ନ ପ୍ରକ୍ରିୟା ଅନୁସୃତ ହୋଇଥାଏ । 

ପ୍ରତି ୪ ବର୍ଷରେ ଥରେ ହେଉଥିବା ଏହି ନିର୍ବାଚନ ନିର୍ଦ୍ଦିଷ୍ଟ ଭାବେ ନଭେମ୍ୱର ମାସର ପ୍ରଥମ ସୋମବାର ପର ମଙ୍ଗଳବାର ଦିନ ହେଉଥିବାରୁ ଏଥର ତାହା ନଭେମ୍ୱର ୫ ତାରିଖରେ ଅନୁଷ୍ଠିତ ହେଉଛି । ସାଧାରଣତଃ ପ୍ରତି ରାଜ୍ୟରେ ବିଜୟ ଲାଭ କରିଥିବା ଦଳର ନିର୍ବାଚକ (ଇଲେକ୍ଟର)ମାନେ ସେହି ରାଜ୍ୟର ରାଜଧାନୀରେ ଡିସେମ୍ୱର ମାସ ଦ୍ୱିତୀୟ ବୁଧବାର ପର ମଙ୍ଗଳବାର ଦିନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭୋଟ ଦେଇଥାନ୍ତି । ଏ ବର୍ଷ ତାହା ଡିସେମ୍ୱର ୧୭ ତାରିଖ ଦିନ ଅନୁଷ୍ଠିତ ହେବ । ଏହି ନିର୍ବାଚକମାନଙ୍କର ମନୋନୟନ ସେମାନଙ୍କର ଦଳ ପ୍ରତି ପ୍ରତିବଦ୍ଧତା ଆଧାରରେ ହେଉଥିବାରୁ ସେମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ଆଶା କରାଯାଏ । ତେବେ ସ୍ଥଳ ବିଶେଷରେ କେହି କେହି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଉ ନ ଥିବାର ନଜିର ମଧ୍ୟ ରହିଛି । ଏମାନଙ୍କୁ ‘ବିଶ୍ୱାସରହିତ ନିର୍ବାଚକ’ (ଫେଥଲେସ୍ ଇଲେକ୍ଟର) ବୋଲି ଅଭିହିତ କରାଯାଇଥାଏ । ଅବଶ୍ୟ କେତେକ ରାଜ୍ୟରେ ଏହାକୁ ଦଣ୍ଡନୀୟ କରି ଆଇନ ପ୍ରଣୟନ ହେଲାଣି । ଇଲେକ୍ଟୋରାଲ କଲେଜରେ ସମୁଦାୟ ୫୩୮ ଜଣ ନିର୍ବାଚକ ଥିବାରୁ ଯେଉଁ ପ୍ରାର୍ଥୀ ଅନ୍ତତଃ ୨୭୦ଟି ଭୋଟ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରନ୍ତି ତାଙ୍କୁ ରାଷ୍ଟ୍ରପତି ରୂପେ ଘୋଷଣା କରାଯାଏ । କୌଣସି ପ୍ରାର୍ଥୀ ସଂଖ୍ୟା ଗରିଷ୍ଠତା (୨୭୦ଟି ଭୋଟ) ହାସଲ କରିବାକୁ ଅସମର୍ଥ ହେଲେ ‘ହାଉସ ଅଫ ରିପ୍ରେଜେଣ୍ଟେଟିଭ’ ଦ୍ୱାରା ଏକ ଆକସ୍ମିକ ନିର୍ବାଚନ (କଣ୍ଟିଞ୍ଜେଣ୍ଟ ଇଲେକ୍ସନ) ପ୍ରକ୍ରିୟାରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି । 

ଆମେରିକାରେ ଅଧିକାଂଶ ମତଦାତା ରିପବ୍ଲିକାନ ବା ଡେମୋକ୍ରାଟ ଦଳର ସମର୍ଥକ ରୂପେ ଭାଗ ଭାଗ ହୋଇଯାଇଛନ୍ତି । ତେଣୁ ପ୍ରତିଥର ନିର୍ବାଚନ ପୂର୍ବରୁ କେଉଁ ରାଜ୍ୟର ଭୋଟ କେଉଁ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଯିବ ତାହା ପ୍ରାୟତଃ ସ୍ପଷ୍ଟ ହୋଇସାରିଥାଏ । ଲଗାତାର ଭାବେ କିଛି ରାଜ୍ୟ  ରିପବ୍ଲିକାନ ଦଳ ସପକ୍ଷରେ ଭୋଟ ଦେଇଆସୁଥିବାରୁ ସେହି ରାଜ୍ୟଗୁଡ଼ିକୁ ‘ରେଡ ଷ୍ଟେଟ୍’ (ଲାଲ ରାଜ୍ୟ) କୁହାଯାଇଥାଏ । ସେହିପରି ବାରମ୍ୱାର ଡେମୋକ୍ରାଟ ଦଳ ସପକ୍ଷରେ ଥିବା ରାଜ୍ୟଗୁଡ଼ିକୁ ‘ବ୍ଲୁ ଷ୍ଟେଟ୍’ (ନୀଳ ରାଜ୍ୟ) ଭାବେ ବିଦିତ । ତେବେ ଏମିତି କିଛି ‘ସ୍ୱିଙ୍ଗ ଷ୍ଟେଟ୍’ ବା ଝୁଲନ୍ତ ରାଜ୍ୟ ଅଛନ୍ତି ଯେଉଁଠାରେ ଉଭୟ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ଏତେ କମ ହୋଇଥାଏ ଯେ ସେହି ରାଜ୍ୟ କେଉଁ ଦଳ ସପକ୍ଷରେ ମତ ଦେବ, ତାହା ଶେଷ ପର‌୍ୟ୍ୟନ୍ତ ଜଣାପଡ଼ି ନଥାଏ । ସାରା ଦେଶରେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟର ବ୍ୟବଧାନ ଅତି କମ ହୋଇଥିଲେ ପ୍ରାର୍ଥୀଙ୍କ ହାରଜିତ୍ ଏହିଭଳି କତିପୟ ରାଜ୍ୟରେ ନିର୍ଦ୍ଧାରିତ ହେଉଥିବାରୁ ଏଗୁଡ଼ିକୁ ରଣଭୂମି ରାଜ୍ୟ (ବ୍ୟାଟଲଗ୍ରାଉଣ୍ଡ ଷ୍ଟେଟସ୍) ବୋଲି କୁହାଯାଇଥାଏ । ତେଣୁ ଉଭୟ ପ୍ରାର୍ଥୀ ନିର୍ବାଚନ ପ୍ରଚାର ବେଳେ ଏହି ରାଜ୍ୟଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି ।  ଏଗୁଡ଼ିକର ରଙ୍ଗ ‘ଲାଲ’ ବା ‘ନୀଳ’ ହୋଇ ନଥିବାରୁ ଏଗୁଡ଼ିକ ‘ପର୍ପଲ’ ବା ‘ବାଇଗଣି’ ରାଜ୍ୟ ଭାବେ ମଧ୍ୟ ବିଦିତ । ଜନସଂଖ୍ୟାର ଚରିତ୍ରରେ ପରିବର୍ତ୍ତନ ହେଲେ ବା କୌଣସି ପ୍ରଭାବଶାଳୀ ଘଟଣା ଘଟିଲେ ଏକ ନିର୍ଦ୍ଦିଷ୍ଟ ରାଜ୍ୟ ସ୍ୱିଙ୍ଗ ଷ୍ଟେଟକୁ ରୂପାନ୍ତରିତ ହେବାର ଆଶଙ୍କା ଦେଖାଦେଇଥାଏ । ଏଥର ନିର୍ବାଚନରେ ଏହିପରି ୭ଟି ଝୁଲନ୍ତ ରାଜ୍ୟ ଅଛି । ଜନମତ ସର୍ଭେରେ କମଲା ହାରିସ୍ ଓ ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ ଭୋଟ ବ୍ୟବଧାନ କ୍ଷୀଣ ହୋଇଥିବାରୁ ଏହି ରାଜ୍ୟଗୁଡ଼ିକ ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନିର୍ଦ୍ଧାରଣ କରିବେ । ଏହି ରାଜ୍ୟଗୁଡ଼ିକ ନିକଟରେ ଥିବା ସମୁଦାୟ ୯୩ଟି ଇଲେକ୍ଟୋରାଲ କଲେଜ ଭୋଟ ମଧ୍ୟରୁ ଯେଉଁ ଦଳ ସପକ୍ଷରେ ଯେତେ ଅଧିକ ଭୋଟ ଯିବ, ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ଏକପ୍ରକାର ସୁନିଶ୍ଚିତ ।

୭ଟି ରାଜ୍ୟ ମଧ୍ୟରୁ ଗ୍ରାଣ୍ଡ କାନ୍ୟନ ରାଜ୍ୟ ଭାବେ ପରିଚିତ ଆରିଜୋନାରେ ୧୧ଟି ଇଲେକ୍ଟୋରାଲ ଭୋଟ ଅଛି । ୨୦୧୬ରେ ଏହି ରାଜ୍ୟ ଟ୍ରମ୍ପଙ୍କ ସପକ୍ଷରେ ଭୋଟ ଦେଇଥିବା ବେଳେ ୨୦୨୦ରେ ଏଠାରୁ ବାଇଡେନ ବିଜୟୀ ହୋଇଥିଲେ । ମେକ୍ସିକୋ ସୀମାକୁ ଲାଗି ଥିବା ଏହି ରାଜ୍ୟରେ ବହିରାଗମନ (ଇମିଗ୍ରେସନ) ଏକ ନିର୍ବାଚନୀ ପ୍ରସଙ୍ଗ ହୋଇପାରେ । ଅନ୍ୟତମ ଝୁଲନ୍ତ ରାଜ୍ୟ ହେଉଛି ଜର୍ଜିଆ, ଯେଉଁଠାରେ ୧୬ଟି ଭୋଟ ରହିଛି । ଦୀର୍ଘ ଦିନର ବ୍ୟବଧାନ ପରେ ଜଣେ ଡେମୋକ୍ରାଟ ଦଳର ପ୍ରତ୍ୟାଶୀ ଭାବେ ବାଇଡେନ ୨୦୨୦ରେ ସେଠାରୁ ଜିତିଥିଲେ । ମହାନ ହ୍ରଦର ରାଜ୍ୟ ଭାବେ ପରିଚିତ ମିଚିଗାନ ନିକଟରେ ୧୫ଟି ଭୋଟ ରହିଛି । ଗତଥର ଏଠାରୁ ବାଇଡେନ ଜିତିଥିଲେ ବି ତା ପୂର୍ବ ଥର ଟ୍ରମ୍ପ ବିଜୟୀ ହୋଇଥିଲେ । ଝୁଲନ୍ତ ରାଜ୍ୟଙ୍କ ମଧ୍ୟରେ ନେବାଡା ନିକଟରେ ସର୍ବନିମ୍ନ ୬ଟି ଭୋଟ ଥିଲେ ବି ଏହାର ଗୁରତ୍ୱ କିଛି କମ ନୁହେଁ, କାରଣ ଗତ ୪ ଥର ଏଠାରୁ ଡେମୋକ୍ରାଟ ପ୍ରାର୍ଥୀ ବିଜୟୀ ହୋଇଆସୁଥିଲେ ବି ତା ପୂର୍ବରୁ ଲଗାତାର ଭାବେ ରିପବ୍ଲିକାନ ପ୍ରାର୍ଥୀ ବିଜୟୀ ହେଉଥିବାର ଦୃଷ୍ଟାନ୍ତ ରହିଛି । ୧୬ଟି ଭୋଟ ଥିବା ନର୍ଥ କାରୋଲିନା ରାଜ୍ୟରୁ ୨୦୨୦ ନିର୍ବାଚନରେ ଟ୍ରମ୍ପ ମାତ୍ର ୧.୬ ପ୍ରତିଶତ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାରୁ ଏଥର ଫଳାଫଳ କେଉଁ ଦିଗକୁ ଢଳିବ, ତାହା ସ୍ପଷ୍ଟ ନୁହେଁ । ଝୁଲନ୍ତ ରାଜ୍ୟଙ୍କ ମଧ୍ୟରେ ପେନସିଲଭାନିଆ ରାଜ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ଏଠାରେ ସର୍ବାଧିକ ୧୯ଟି ଆସନ ରହିଛି । ୨୦୨୦ରେ ଏହି ରାଜ୍ୟ ହିଁ ବାଇଡେନଙ୍କ ବିଜୟକୁ ଏକ ପ୍ରକାର ସୁନିଶ୍ଚିତ କରିଥିଲା । ସପ୍ତମ ଝୁଲନ୍ତ ରାଜ୍ୟଟି ହେଉଛି ୱିସକନସିନ ଯେଉଁଠାରୁ ୧୦ ଜଣ ଇଲେକ୍ଟୋରାଲ କଲେଜକୁ ଆସିବେ । ଦୀର୍ଘଦିନ ଧରି ଏହା ଡେମୋକ୍ରାଟଙ୍କର ଏକ ଗଡ଼ ଭାବେ ପରିଚିତ ଥିଲେ ବି ୨୦୧୬ରେ ଟ୍ରମ୍ପ ସେହି ବିଜୟ ଧାରାକୁ ପରିବର୍ତ୍ତନ କରି ତାକୁ ନିଜ ସପକ୍ଷକୁ ନେଇପାରିଥିଲେ ।                 

ଆମେରିକା ୫୦ଟି ରାଜ୍ୟକୁ ନେଇ ଗଠିତ ବୋଲି ଅନେକଙ୍କ ଧାରଣା । ତେବେ ଏହି ରାଜ୍ୟଗୁଡ଼ିକ ଭିନ୍ନ ଆମେରିକା ଅଧୀନରେ ୧୬ଟି ଅଲଗା କ୍ଷେତ୍ର (ଟେରିଟୋରି) ଅଛି । ସେଗୁଡ଼ିକ ମଧ୍ୟରୁ ପୋର୍ଟୋରିକୋ, ୟୁଏସ ଭର୍ଜିନ ଆଇଲାଣ୍ଡସ୍, ଆମେରିକାନ ସମୋଆ, ନର୍ଦର୍ଣ୍ଣ ମାରିଆନା ଆଇଲାଣ୍ଡସ ଓ ଗୁଆମ ଊଳି ୫ଟି ଟେରିଟୋରିରେ ଜନବସତି ରହିଛି । ପୋର୍ଟୋରିକୋର ଜନସଂଖ୍ୟା ତ ପ୍ରାୟ ୩୨ ଲକ୍ଷ । ଏହି ଟେରିଟୋରିଗୁଡ଼ିକର ଅଧିବାସୀମାନେ ଆମେରିକୀୟ ନାଗରିକ ହୋଇଥିଲେ ବି ଆମେରିକାର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ସେମାନେ ଭୋଟଦାନ କରିପାରି ନ ଥାନ୍ତି । ତେବେ ସେମାନଙ୍କ ମଧ୍ୟରୁ ଆମେରିକୀୟ ମୂଳ ଭୂଖଣ୍ଡର ୫୦ଟି ରାଜ୍ୟରେ ବସବାସ କରୁଥିବା ଲୋକମାନଙ୍କୁ ଭୋଟଦାନର ଅଧିକାର ମିଳିଥାଏ । ଆମେରିକାର ୨୦୨୨ର ଜନଗଣନା ଅନୁସାରେ ଏବେ ମୂଳ ଭୂଖଣ୍ଡର ବିଭିନ୍ନ ରାଜ୍ୟରେ କେବଳ ପୋର୍ଟାରିକୋର ପ୍ରାୟ ୫୯ ଲକ୍ଷ ଲୋକ ବସବାସ କରୁଛନ୍ତି ଯେଉଁମାନେ ଭୋଟଦାନରେ ଅଂଶଗ୍ରହଣ କରିପାରିବେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମୂଳ ଭୂଖଣ୍ଡରେ ଶ୍ରମଶକ୍ତିର ଅଭାବ ଦେଖାଦେବାରୁ ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସେଠାକୁ ସ୍ଥାନାନ୍ତରିତ କରାଯାଇଥିଲା । 

ଅତି କମ ବ୍ୟବଧାନରେ ହାରଜିତର ଅନିଶ୍ଚିତତା ମଧ୍ୟରେ କଡ଼ା ମୁକାବିଲାରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ଛୋଟ ଛୋଟ ଘଟଣା, ମନ୍ତବ୍ୟମାନ ମଧ୍ୟ ନିର୍ବାଚନର ଫଳାଫଳକୁ ଏପାଖ ସେପାଖ କରିଦେଇପାରେ । ଇତିମଧ୍ୟରେ ସେଭଳି ଏକ ଘଟଣା ଘଟିଛି  ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାର ଉଦ୍ଦେଶ୍ୟରେ ମାଡ଼ିସନ ସ୍କୋୟାର ଗାର୍ଡନଠାରେ ଆୟୋଜିତ ଏକ ସଭାରେ । ଟ୍ରମ୍ପଙ୍କ ସମର୍ଥକ ତଥା ଷ୍ଟାଣ୍ଡ-ଅପ୍ ହାସ୍ୟ ଅଭିନେତା ଟୋନି ହିଞ୍ଚକ୍ଲିଫଙ୍କର ପୋର୍ଟୋରିକୀୟଙ୍କ ପ୍ରତି ଏକ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଫଳରେ କେତେକ ଝୁଲନ୍ତ ରାଜ୍ୟରେ ନିର୍ବାଚନ ଫଳାଫଳ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ପୋର୍ଟୋରିକୋକୁ ‘ଏକ ଭାସମାନ ଅଳିଆଗଦାର ଦ୍ୱୀପ’ (ଫ୍ଲୋଟିଂ ଆଇଲାଣ୍ଡ ଅଫ ଗାର୍ବେଜ୍) ବୋଲି ହିଞ୍ଚକ୍ଲିଫ୍ ଅବଜ୍ଞାସୂଚକ ମନ୍ତବ୍ୟ ପ୍ରଦାନ କରିଥିଲେ, ଯଦ୍ଦ୍ୱାରା ପୋର୍ଟୋରିକୀୟମାନେ ଅତ୍ୟଧିକ ଆଘାତପ୍ରାପ୍ତ ହୋଇଥିବା ପରିଲକ୍ଷିତ ହୋଇଛି । ଅବଶ୍ୟ ସେ ଏହା ମଜାରେ କହିଥିଲେ ବୋଲି ପରେ ସଫେଇ ଦେଇଥିଲେ ବି ମୂଳ ଭୂଖଣ୍ଡରେ ରହୁଥିବା ପୋର୍ଟୋରିକୀୟଙ୍କ ରାଗ ଭୋଟଦାନ ସମୟରେ ପ୍ରତିଫଳିତ ହେଉଛି କି ନାହିଁ, ତାହା ପରେ ଜଣାପଡ଼ିବ । ତେବେ ଝୁଲନ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ପେନସିଲଭାନିଆ ରାଜ୍ୟରେ ସର୍ବାଧିକ ପ୍ରାୟ ୪.୮୬ ଲକ୍ଷ ବା ୩.୭ ପ୍ରତିଶତ ମତଦାତା ହେଉଛନ୍ତି ପୋର୍ଟୋରିକୀୟ । ସେଠାରେ ଜନମତ ସର୍ଭେରେ ଟ୍ରମ୍ଫ  ହାରିସଙ୍କଠାରୁ ମାତ୍ର ୦.୨ ପ୍ରତିଶତ ଆଗୁଆ ଅଛନ୍ତି । ତେବେ ଉପରୋକ୍ତ ନିନ୍ଦନୀୟ ଘଟଣା ପରେ ଟ୍ରମ୍ପଙ୍କୁ ଭୋଟ ଦେବାକୁ ସ୍ଥିର କରିଥିବା କିଛି ପୋର୍ଟୋରିକୀୟ ହୁଏତ ତାଙ୍କ ବିପକ୍ଷରେ ମତଦାନ କରିପାରନ୍ତି ବା ଭୋଟଦାନରୁ ବିରତ ରହିପାରନ୍ତି । ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ତାହା ହାରିସଙ୍କୁ ସୁହାଇବା କିଛି ବିଚିତ୍ର ନୁହେଁ । କାରଣ ଝୁଲନ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ପେନସିଲଭାନିଆରେ ହିଁ ସର୍ବାଧିକ ୧୯ଟି ଇଲେକ୍ଟୋରାଲ କଲେଜ ଭୋଟ ରହିଛି । ସେହିପରି ଅନ୍ୟ ଏକ ଝୁଲନ୍ତ ରାଜ୍ୟ ଜର୍ଜିଆରେ ପ୍ରାୟ ୧.୩୧ ଲକ୍ଷ ବା ୧ ପ୍ରତିଶତ ପୋର୍ଟୋରିକୀୟ ଅଛନ୍ତି । ଏଠାରେ ଜନମତ ସର୍ଭେରେ ଟ୍ରମ୍ପ ମାତ୍ର ୨ ପ୍ରତିଶତ ଆଗୁଆ ଅଛନ୍ତି । ଅନ୍ୟ ଏକ ଝୁଲନ୍ତ ରାଜ୍ୟ ନର୍ଥ କାରୋଲିନାରେ ମଧ୍ୟ ପୋର୍ଟୋରିକୀୟଙ୍କ ସଂଖ୍ୟା ଜନସଂଖ୍ୟାର ପ୍ରାୟ ୧ ପ୍ରତିଶତ, ଯାହା ଫଳାଫଳକୁ ପ୍ରଭାବିତ କରିପାରେ । ଏପରିକି ଝୁଲନ୍ତ ରାଜ୍ୟ ହୋଇ ନଥିଲେ ବି ୧୨ ଲକ୍ଷ ବା ଜନସଂଖ୍ୟା ବିଶିଷ୍ଟ ଫ୍ଲୋରିଡ଼ା ରାଜ୍ୟରେ ୫.୬ ପ୍ରତିଶତ, ୨.୯୯ ଲକ୍ଷ ବା ୮.୩ ପ୍ରତିଶତ ରହୁଥିବା କନେକ୍ଟିକଟ ରାଜ୍ୟ, ୩.୨୬ ଲକ୍ଷ ବା ୪.୭ ପ୍ରତିଶତ ରହୁଥିବା ମାସାଚୁସେଟସ୍ ରାଜ୍ୟ ଓ ପ୍ରାୟ ୧୦ ଲକ୍ଷ ପୋର୍ଟୋରିକୀୟ ରହୁଥିବା ନ୍ୟୁୟର୍କ ରାଜ୍ୟର ନିର୍ବାଚନୀ ଫଳାଫଳ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । 

କିଛି ଝୁଲନ୍ତ ରାଜ୍ୟରେ ବହୁ ସଂଖ୍ୟାରେ ଭାରତୀୟ ବସବାସ କରୁଥିବାରୁ ଟ୍ରମ୍ପ ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗକୁ ଦୀପାବଳି ସମୟରେ  ଉଠାଇଥିଲେ । ତାହାର ସେ କେତେ ଲାଭ ପାଇବେ ତାହା ଭୋଟ ପରେ ଜଣା ପଡ଼ିବାକୁ ଥିଲେ ବି କମଲା ହାରିସ ନିଜେ ଜଣେ ଭାରତୀୟ ମୂଳର ବ୍ୟକ୍ତି ହୋଇଥିବାରୁ ସେଠାରେ ବସବାସ କରୁଥିବା ଭାରତୀୟଙ୍କ ଭୋଟ ତାଙ୍କ ସପକ୍ଷରେ ଅଧିକ ଯିବାର ସମ୍ଭାବନାକୁ ବି ଏଡାଇ ହେବନାହିଁ । 

ଦୀର୍ଘ ଦିନ ପରେ ରାଷ୍ଟ୍ରପତି ନିର୍ବାଚନରେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ଏତେ କ୍ଷୀଣ ବ୍ୟବଧାନ ଥିବା ଦେଖିବାକୁ ମିଳୁଥିବାରୁ ରଣଭୂମି ରାଜ୍ୟଗୁଡ଼ିକର ମତଦାତାଙ୍କ ନିର୍ଣ୍ଣୟ ସ୍ଥିର କରିବ ଆମେରିକାର ରାଷ୍ଟ୍ରପତି ଆସନରେ ପ୍ରଥମ ଥର ଲାଗି ଜଣେ ମହିଳା ଅଧିଷ୍ଠିତ ହେବେ ନା ଟ୍ରମ୍ପଙ୍କର ପୁଣି ଥରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ ହେବ ।


Published in Odisha Reporter on November 02, 2024     


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍