Skip to main content

ଟ୍ରମ୍ପଙ୍କ ବିଜୟରେ ଭାରତର ଚିନ୍ତା

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲଡ ଟ୍ରମ୍ପ ନିର୍ବାଚିତ ହେଲା ପରେ ବିଶ୍ୱର ଅନେକ ରାଷ୍ଟ୍ରମୁଖ୍ୟଙ୍କ ନିକଟରୁ ତାଙ୍କ ପାଖକୁ ସୌଜନ୍ୟମୂଳକ ଅଭିନନ୍ଦନର ସୁଅ ଛୁଟିଲା । ହେଲେ ତାଙ୍କ ବିଜୟ ପରେ କେବଳ ଇସ୍ରାଏଲକୁ ବାଦ୍ ଦେଲେ ଚୀନଠାରୁ ଆରମ୍ଭ କରି ୟୁରୋପୀୟ ଦେଶସମୂହଙ୍କ ପର୍ଯ୍ୟନ୍ତ ଅଧିକାଂଶ ରାଷ୍ଟ୍ରଙ୍କର ଚିନ୍ତା ଊଣା ଅଧିକେ ବୃଦ୍ଧି ପାଇଛି । ସେହି ଚିନ୍ତାର କାରଣ ଭିନ୍ନ ଭିନ୍ନ ହୋଇପାରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ବେଶ ଭଲ ଥିବା ସତ୍ତ୍ୱେ, କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଭାରତର ମଧ୍ୟ ଚିନ୍ତା ବୃଦ୍ଧି ପାଇଛି ।

ରାଷ୍ଟ୍ରପତି ଭାବେ ପ୍ରଥମ ଦଫାର ଶାସନ କାଳରୁ ଏପର‌୍ୟ୍ୟନ୍ତ ଟ୍ରମ୍ପ ‘ଆମେରିକା ଫାଷ୍ଟ’ ବା ‘ପ୍ରଥମେ ଆମେରିକା’ ନୀତି ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ଅର୍ଥାତ୍, ସ୍ୱାର୍ଥଦ୍ୱନ୍ଦ୍ୱ ଉପୁଜିଲେ ଆମେରିକାର ସ୍ୱାର୍ଥ ରକ୍ଷା ପାଇଁ ସେ ଯେ କୌଣସି ପଦକ୍ଷେପ ନେବାକୁ ପଛାଇବେ ନାହିଁ । ତାହାର ସଫଳ ରୂପାୟନ ପାଇଁ ସେ ଆମେରିକାର ମାନୁଫାକଚରିଙ୍ଗ (ଉତ୍ପାଦନ) ଶିଳ୍ପର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ମାନୁଫାକଚରିଙ୍ଗ ଶିଳ୍ପକୁ ଆବଶ୍ୟକ ସଂରକ୍ଷଣ ପ୍ରଦାନ କରିବା ଲାଗି ସେ ଶ୍ରମବଳର ବିକାଶ, ଅନ୍ୟ ଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବା ଓ କେତେକ ଆବଶ୍ୟକ ଆଇନ ପ୍ରଣୟନ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି । ବିଦେଶୀମାନଙ୍କ ଅବାଞ୍ଛିତ ଓ ଅବୈଧ ଆମେରିକ ପ୍ରବେଶ (ଇମିଗ୍ରେସନ) ଭଳି ସମସ୍ୟାର ମୂଳୋତ୍ପାଟନ କରିବାର ପ୍ରତିଶ୍ରୁତି ସେ ନିର୍ବାଚନ ପ୍ରଚାର କାଳରେ ଦେଇ ଆସିଛନ୍ତି । ତେଣୁ ଯେତେ ବନ୍ଧୁତା ବା ନିକଟତା ଥିଲେ ବି ତାଙ୍କ ଉପରୋକ୍ତ ମୂଳ ନୀତି ଓ ଲକ୍ଷ୍ୟ ପରିପ୍ରେକ୍ଷୀରେ ସେ ବନ୍ଧୁତାକୁ ପ୍ରାଥମିକତା ଦେବା କସ୍ମିନ କାଳେ ସମ୍ଭବ ନୁହେଁ ।

୨୦୨୨ର ଜନଗଣନା ଅନୁସାରେ ବିଭିନ୍ନ ଦେଶରୁ ଆସି ଆମେରିକାରେ ବସବାସ କରୁଥିବା ବହିରାଗତ (ଇମିଗ୍ରାଣ୍ଟସ)ଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୧୪.୩ ପ୍ରତିଶତ । ଆମେରିକାରେ ବୈଧ ଭାବେ ବସବାସ କରୁଥିବା ବହିରାଗତଙ୍କ ସଂଖ୍ୟା ଗତ ୨୦ ବର୍ଷ ଭିତରେ ୨.୪୨ କୋଟିରୁ ବଢ଼ି ୩.୬୯ କୋଟିରେ ପହଞ୍ଚିଲାଣି । ଆଇନଗତ ପ୍ରକ୍ରିୟାର ଅନୁସରଣ କରି ସେମାନଙ୍କ ମଧ୍ୟରୁ ପ୍ରାୟ ୪୯ ପ୍ରତିଶତ ଆମେରିକାର ‘ସ୍ୱାଭାବିକ ନାଗରିକତ୍ୱ’ (ନେଚୁରାଲ ସିଟିଜେନସିପ) ହାସଲ କରିସାରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଅନେକ ଭାରତୀୟ ମୂଳର ବାସିନ୍ଦା । ୨୦୨୩ ମସିହାର ରିପୋର୍ଟ ଅନୁଯାୟୀ ସେଠାରେ ବାସ କରୁଥିବା ଭାରତୀୟଙ୍କ ସଂଖ୍ୟା ଥିଲା ପ୍ରାୟ ୫୨ ଲକ୍ଷ, ଯାହା ଆମେରିକା ଜନସଂଖ୍ୟାର ପ୍ରାୟ ୧.୪୭ ପ୍ରତିଶତ । ତନ୍ମଧ୍ୟରୁ ପ୍ରାୟ ୩୩ ଲକ୍ଷ ହେଉଛନ୍ତି ଭାରତୀୟ ମୂଳର ଅଧିବାସୀ । ଆର୍ଥିକ ଦୃଷ୍ଟିରୁ ଭାରତୀୟଙ୍କ ଅବସ୍ଥା ଅପେକ୍ଷାକୃତ ସ୍ୱଚ୍ଛଳ । ବୈଧ ଭାବେ ରହୁଥିବା ଭାରତୀୟମାନଙ୍କର ଅବଦାନ ଆମେରିକାର ବିକାଶରେ ଯଥେଷ୍ଟ ମହତ୍ତ୍ୱପୂର୍ଣ୍ଣ । କିନ୍ତୁ ଆମେରିକାର ମୁଣ୍ଡ ବ୍ୟଥାର କାରଣ ହେଉଛନ୍ତି ସେଠାରେ ଅବୈଧ ଭାବେ ରହୁଥିବା ବିଦେଶୀ । ବିଭିନ୍ନ ଦେଶରୁ ଆସି ଆମେରିକାରେ ଅବୈଧ ଭାବେ ବସବାସ କରୁଥିବା ପ୍ରାୟ ୧.୧୨ କୋଟି ଅନୁପ୍ରବେଶକାରୀ ଏବେ ଟ୍ରମ୍ପଙ୍କ କୋପ ଦୃଷ୍ଟିରେ । ଏପରି ଅବୈଧ ଇମିଗ୍ରାଣ୍ଟସଙ୍କ ମଧ୍ୟରୁ ସର୍ବାଧିକ ପ୍ରାୟ ୪୧ ଲକ୍ଷ ମେକ୍ସିକୋର ହୋଇଥିବା ବେଳେ, ଦ୍ୱିତୀୟ ସ୍ଥାନରେ  ଏଲ ସାଲଭାଡୋରର ଅଧିବାସୀ ଓ ତୃତୀୟ ସ୍ଥାନରେ ଅଛନ୍ତି ଭାରତୀୟ, ଯେଉଁମାନଙ୍କ ସଂଖ୍ୟା ପ୍ରାୟ ୭.୨୫ ଲକ୍ଷ । ପ୍ରତି ବର୍ଷ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସବୁଜ ଚାରଣ ଭୂମିର ସନ୍ଧାନରେ ହଜାର ହଜାର ଭାରତୀୟ ଆମେରିକାମୁହାଁ ହୋଇ ଅବୈଧ ଭାବେ ଅନୁପ୍ରବେଶ କରିବାର ପ୍ରୟାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଫେଡେରାଲ ପୋଲିସ ହାତରେ ଧରା ମଧ୍ୟ ପଡ଼ୁଛନ୍ତି । ଆମେରିକାର ଶୁଳ୍କ ଓ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ‘ୟୁଏସ-ସିବିପି’ର ରିପୋର୍ଟ ଅନୁଯାୟୀ ଅକ୍ଟୋବର ୨୦୨୩ରୁ ସେପ୍ଟେମ୍ୱର ୨୦୨୪ କେବଳ ଗୋଟିଏ ବର୍ଷ ମଧ୍ୟରେ ମେକ୍ସିକୋ ଓ କାନାଡ଼ା ସୀମା ଦେଇ ଅବୈଧ ଭାବେ ଅନୁପ୍ରବେଶ କରିବାକୁ ପ୍ରୟାସ କରୁଥିବା ୯୦୪୧୫ ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି । ଏହା ବେଶ୍ ଉଦବେଗଜନକ । ଉଲ୍ଲେଖଯୋଗ୍ୟ ଯେ ଏମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ହେଉଛନ୍ତି ଗୁଜୁରାଟୀ । ପୂର୍ବେ ଭାରତୀୟମାନେ ଦୁବାଇ, ତୁର୍କୀ ହୋଇ ମେକ୍ସିକୋ ଯାଇ ସେଠାରୁ ନିଜ ଜୀବନକୁ ବାଜି ଲଗାଇ ଆମେରିକା ସୀମା ଭିତରେ ପ୍ରବେଶ କରିବାକୁ ପସନ୍ଦ କରୁଥିଲେ, ଯାହାକୁ ‘ଡଙ୍କି ରୁଟ’ ବୋଲି କୁହାଯାଏ । ଏବେ କିନ୍ତୁ ପର୍ଯ୍ୟଟକ ଭିସାରେ କାନାଡ଼ା ଯାଇ ସେଠାରୁ ଆମେରିକାକୁ ଅନୁପ୍ରବେଶ କରିବା ଅପେକ୍ଷାକୃତ ସହଜ ମାର୍ଗ ହୋଇଛି । ତେବେ ଆମେରିକାରେ ଥିବା ଅନୁପ୍ରବେଶକାରୀମାନଙ୍କୁ ତଡ଼ିବା ଟ୍ରମ୍ପଙ୍କ ପ୍ରାଥମିକତା ବୋଲି ସ୍ପଷ୍ଟ ହୋଇସାରିଥିବାରୁ ଏଭଳି ପ୍ରାୟ ୭.୨୫ ଲକ୍ଷ ଭାରତୀୟଙ୍କ ଭବିଷ୍ୟତ ଏବେ ଅନ୍ଧକାର ମଧ୍ୟରେ । ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ତରଫରୁ ମଧ୍ୟ କୌଣସି ପ୍ରକାର ଅବୈଧ ଅନୁପ୍ରବେଶକୁ ସମର୍ଥନ କରାଯାଏ ନାହିଁ ବୋଲି ସ୍ପଷ୍ଟ କରାଯାଇ ସାରିଥିବାରୁ ଆଗାମୀ ଦିନରେ ଏଭଳି ଅନୁପ୍ରବେଶକାରୀଙ୍କ ସମସ୍ୟା ବୃଦ୍ଧି ପାଇ ସେମାନଙ୍କର ଆମେରିକାରେ ରହିବା ଏକପ୍ରକାର ଅସମ୍ଭବ ହୋଇପଡ଼ିବ । ତେଣୁ ଏତେ ସଂଖ୍ୟକ ଭାରତୀୟଙ୍କୁ ଆମେରିକାରୁ ଫେରାଇ ଆଣି ସେମାନଙ୍କୁ ଉଚିତ ଭାବେ ଥଇଥାନ କରିବା ଭାରତ ସରକାରଙ୍କ ପାଇଁଏକ ବଡ଼ ଆହ୍ୱାନ ହୋଇପାରେ । ଆମେରିକାରେ ନିଯୁକ୍ତି ପାଇଥିବା କୁଶଳୀ ଇମିଗ୍ରାଣ୍ଟସମାନଙ୍କୁ 'ଏଚ-୧ବି' ଭିସା ପ୍ରଦାନ କରାଯାଇଥାଏ । ଏହି ଭିସା ଲାଭ କରି ଆଇଟି କ୍ଷେତ୍ରରେ ଅନେକ ଭାରତୀୟ ଏବେ ଆମେରିକାରେ କାର୍ଯ୍ୟରତ । ତେବେ ଟ୍ରମ୍ପଙ୍କ ବିଜୟ ପରେ ଏହି ଭିସା ମିଳିବା କଷ୍ଟକର ହେବ ବୋଲି ଉଦବେଗ ପ୍ରକାଶ ପାଉଛି । କାରଣ ଟ୍ରମ୍ପଙ୍କ ପ୍ରଥମ ଦଫା ରାଷ୍ଟ୍ରପତି ଶାସନ କାଳରେ ୧୭ ପ୍ରତିଶତ ‘ଏଚ-୧ବି’ ଭିସା ଆବେଦନକାରୀଙ୍କୁ ଭିସା ମିଳୁ ନ ଥିଲା, ଯାହା ବାଇଡେନ ପ୍ରଶାସନ ସମୟରେ ୪ ପ୍ରତିଶତକୁ ହ୍ରାସ ପାଇଥିଲା । ‘ଏଚ-୧ ବି’ ଭିସା ମିଳିବାରେ କଟକଣା ଲାଗିଲେ କମ ସଂଖ୍ୟକ ଭାରତୀୟ ଆମେରିକାରେ ଚାକିରି କରିପାରିବେ ଏବଂ ଭିସାର ନବୀକରଣ ହୋଇ ନପାରିଲେ କିଛି ଭାରତୀୟଙ୍କୁ ସ୍ୱଦେଶକୁ ଫେରିବାକୁ ପଡ଼ିପାରେ । ଉଲ୍ଲେଖଯୋଗ୍ୟ ଯେ ଆମେରିକା ଦ୍ୱାରା ୨୦୨୨ରେ ପ୍ରଦାନ କରାଯାଇଥିବା ୪.୪୧ ଲକ୍ଷ ‘ଏଚ-୧ବି’ ଭିସା ମଧ୍ୟରୁ ୭୨ ପ୍ରତିଶତରୁ ଅଧିକ ଭିସା ଭାରତୀୟମାନଙ୍କୁ ମିଳିଥିଲା । ସେହିପରି ‘ଏଚ-୧ବି’ ଭିସାରେ ଯାଇଥିବା ବ୍ୟକ୍ତିମାନଙ୍କ ଉପରେ ନିର୍ଭରଶୀଳ ଜୀବନସାଥୀ (ପତ୍ନୀ ବା ପତି)ମାନେ ଏବେ ‘ଏଚ-୪’ ଭିସା ଜରିଆରେ ସେଠାରେ କାର‌୍ୟ୍ୟ କରିବା ଅନୁମତି ପାଇଛନ୍ତି । ଏବେ ସେହି ଭିସା ପ୍ରତ୍ୟାହୃତ ହେବାର ଆଶଙ୍କା ଦେଖାଦେଇଛି । ଫଳରେ ଅନେକ ଭାରତୀୟ ଇମିଗ୍ରାଣ୍ଟ ପରିବାର ଆର୍ଥିକ ଦୁଃସ୍ଥିତିର ସାମ୍ନା କରିବାକୁ ବାଧ୍ୟ ହେବେ । ଏବର ନିୟମାନୁସାରେ ଇମିଗ୍ରାଣ୍ଟ ପିତାମାତାଙ୍କର ଆମେରିକାରେ ଜନ୍ମଲାଭ କରୁଥିବା ଶିଶୁମାନଙ୍କୁ ‘ଜନ୍ମସୂତ୍ରେ ନାଗରିକତ୍ୱ’ ମିଳିପାରୁଛି, ଯାହା ବାତିଲ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ଭାରତୀୟ ଇମିଗ୍ରାଣ୍ଟମାନେ ଘୋର ଚିନ୍ତିତ ।          

ଆମେରିକାର ଘରୋଇ ମାନୁଫାକଚରିଙ୍ଗ (ଉତ୍ପାଦନ) ଶିଳ୍ପକୁ ସଂରକ୍ଷଣ ଦେବା ପାଇଁ ବିଭିନ୍ନ ଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯିବ ବୋଲି ଟ୍ରମ୍ପ କହିସାରିଛନ୍ତି । ଚୀନରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ସର୍ବାଧିକ ୬୦ ପ୍ରତିଶତ ଶୁଳ୍କ ଲଗାଯିବ ବୋଲି ସେ ଘୋଷଣା କରିସାରିଛନ୍ତି । ଚୀନ ଦ୍ୱାରା ଆମେରିକାକୁ ହେଉଥିବା ରପ୍ତାନି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ । ଅଧିକ ଆମଦାନି ଶୁଳ୍କ ଲଗାଉଥିବାର ଅଭିଯୋଗ କରି ତାଙ୍କ ଭାଷଣରେ ସେ ଭାରତକୁ ‘ଅପବ୍ୟବହାରକାରୀ’ (ଆବ୍ୟୁଜର) ରୂପେ ଚିତ୍ରିତ କରିସାରିଛନ୍ତି ଓ ଭାରତୀୟ ସାମଗ୍ରୀ ଉପରେ ୨୦ ପ୍ରତିଶତ ସୀମାଶୁଳ୍କ ଲଗାଇବାକୁ ମନସ୍ଥ କରିଛନ୍ତି । ତେବେ ଭାରତୀୟ ରପ୍ତାନି ଉପରେ ଏହାର ଖୁବ୍ ବେଶି ପ୍ରତିକୂଳ ପ୍ରଭାବ ପଡ଼ି ନପାରେ, କାରଣ ଚୀନ ସାମଗ୍ରୀ ଉପରେ ପ୍ରସ୍ତାବିତ ଅଧିକ ଶୁଳ୍କ କାରଣରୁ ଭାରତ ପରୋକ୍ଷରେ ଲାଭବାନ ହୋଇପାରେ । ଏକ ବିକାଶଶୀଳ ରାଷ୍ଟ୍ର ହୋଇଥିବାରୁ ପୂର୍ବେ ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ଅନେକ ସାମଗ୍ରୀ ଉପରେ କୌଣସି ଶୁଳ୍କ ଦେବାକୁ ପଡ଼ୁନଥିଲା । ୨୦୧୯ ମସିହାରେ ଟ୍ରମ୍ପଙ୍କର ପ୍ରଥମ ରାଷ୍ଟ୍ରପତିତ୍ୱ କାଳରେ ଏହି ସୁବିଧା ପ୍ରତ୍ୟାହୃତ ହୋଇଥିଲା । ପ୍ରତିକ୍ରିୟା ସ୍ୱରୂପ ଭାରତ ମଧ୍ୟ ଆମେରିକାରୁ ଆମଦାନୀ ହେଉଥିବା ଅନେକ ସାମଗ୍ରୀ ଉପରେ ଶୁଳ୍କ ବଢ଼ାଇଥିଲା, ଯାହା ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ଉଦବେଳନ ସୃଷ୍ଟି କରିଥିଲା । ଇତିମଧ୍ୟରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଯଥେଷ୍ଟ ବୃଦ୍ଧି ପାଇ ୨୦୨୩ ଆର୍ଥିକ ବର୍ଷରେ ତାହା ୧୨୮୭୮ କୋଟି ଡଲାରରେ ପହଞ୍ଚିସାରିଛି । ଆମେରିକା ଭାରତର ସବୁଠାରୁ ବଡ଼ ବାଣିଜ୍ୟ ଅଂଶୀଦାର ହୋଇଥିଲା ବେଳେ  ପ୍ରସ୍ତାବିତ ଶୁଳ୍କ ବୃଦ୍ଧି ଯୋଗୁଁ ସେହି ସ୍ଥିତିରେ ପରିବର୍ତ୍ତନ ହୋଇପାରେ । 

ଟ୍ରମ୍ପଙ୍କ ପ୍ରସ୍ତାବିତ ନୀତିଗୁଡ଼ିକର ପରିଣାମ ସ୍ୱରୂପ ଆମେରିକୀୟ ଡଲାର ଅନ୍ୟ ଅନ୍ତର୍ଜାତୀୟ ମୁଦ୍ରାଗୁଡ଼ିକ ତୁଳନାରେ ଅଧିକ ଶକ୍ତିଶାଳୀ ହେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିସାରିଲେଣି, ଯାହା ଭାରତୀୟ ଟଙ୍କା ପାଇଁ ଶୁଭ ସୂଚନା ହୋଇ ନ ପାରେ । କାରଣ ସେ କ୍ଷେତ୍ରରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇବ । ନିର୍ବାଚନ ଫଳ ପ୍ରକାଶ ପାଇବାର ଚାରି ଦିନ ଭିତରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୨୫ ପଇସା ଅଧିକ ହ୍ରାସ ପାଇ ପ୍ରତି ଡଲାର ମୂଲ୍ୟ ୮୪.୩୮ ଟଙ୍କା ହୋଇସାରିଲାଣି । ଆଗାମୀ ବର୍ଷକ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇ ପ୍ରତି ଡଲାର ମୂଲ୍ୟ ୮୫ ଟଙ୍କାରୁ ଅଧିକ ହେବ ବୋଲି ପୂର୍ବାନୁମାନ କରାଗଲାଣି । ଉଲ୍ଲେଖଯୋଗ୍ୟ ଯେ ଏବେ ବି ଭାରତୀୟ ବାଣିଜ୍ୟର ୮୫ ପ୍ରତିଶତ ଡଲାର ଉପରେ ନିର୍ଭରଶୀଳ । ତେଣୁ ଟଙ୍କାର ମୂଲ୍ୟହ୍ରାସରେ ଆମ ଗଚ୍ଛିତ ବିଦେଶୀ ମୁଦ୍ରା ଭଣ୍ଡାର ଚାପଗ୍ରସ୍ତ ହେବ । ଏହାର ପ୍ରତିକୂଳ ପ୍ରଭାବ ଜିଡିପି ଓ ସାମଗ୍ରିକ ଭାବେ ଦେଶର ଅର୍ଥନୀତି ଉପରେ ପଡ଼ିବା ଅବଶ୍ୟମ୍ଭାବୀ ।  ଏହା ଅଧିକ ଦରବୃଦ୍ଧିର କାରଣ ହେବ । 

ଆମେରିକାର ବ୍ୟାବସାୟିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଟ୍ରମ୍ପଙ୍କ ଦ୍ୱାରା ଗ୍ରହଣ କରାଯିବାକୁ ଥିବା ବିଭିନ୍ନ ଅଭିବୃଦ୍ଧିକାରୀ ଅର୍ଥନୈତିକ ନୀତି ଯୋଗୁଁ ସେଠାରେ ବଣ୍ଡ ନିବେଶରୁ ହେଉଥିବା ଆୟ (ୟିଲଡ) ଅଧିକ ହୋଇ ଆମେରିକାରେ ପୁଞ୍ଜି ନିବେଶ ଆକର୍ଷଣୀୟ ହେବ । ଫଳରେ ଭାରତ ଭଳି ଦେଶଗୁଡ଼ିକରୁ ଆନୁଷ୍ଠାନିକ ବିଦେଶୀ ପୁଞ୍ଜି (ଏଫଆଇଆଇ) ପ୍ରତ୍ୟାହୃତ ହୋଇ ଆମେରିକାମୁହାଁ ହେବାର ଆଶଙ୍କା ଦେଖା ଦେବ । ସାମୟିକ ଭାବେ ହେଲେ ବି ଏହା ଭାରତୀୟ ଅଂଶଧନ ବଜାରକୁ ଅସ୍ଥିର କରିପାରେ । 

ଅନିଶ୍ଚିତତା ହିଁ ଟ୍ରମ୍ପଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତ୍ୱ । ସେ କେଉଁ ପରିସ୍ଥିତିରେ କିପରି ଆଚରଣ କରିବେ ତାହା ତାଙ୍କର ନିକଟତମ ଲୋକମାନେ ମଧ୍ୟ ଜାଣି ପାରିନଥାନ୍ତି । ବେଳେବେଳେ ତାଙ୍କ ଉଚ୍ଚାରଣରେ ମାତ୍ରାଧିକ କଠୋରତା ପ୍ରକାଶ ପାଉଥିବା ବେଳେ କାର୍ଯ୍ୟ କ୍ଷେତ୍ରରେ ସେହି କଠୋରତା ପରିଲକ୍ଷିତ ହୋଇ ନଥାଏ । ସେଥିପାଇଁ ରାଷ୍ଟ୍ରପତି ଭାବେ ତାଙ୍କ ପ୍ରଥମ ଦଫା ଶାସନ କାଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ସହଯୋଗୀଙ୍କ ମଧ୍ୟରୁ ଅଧିକାଂଶ ଏବେ ତାଙ୍କ ସହ ନାହାନ୍ତି । ନିର୍ବାଚନୀ ପ୍ରଚାର ବେଳେ ଭାରତୀୟ ହିନ୍ଦୁଙ୍କ ଭୋଟ ହାତେଇବା ପାଇଁ ସେ ଦେଇଥିବା ଭାଷଣ ଯୋଗୁଁ ସେ ଭାରତ ସପକ୍ଷରେ ବୋଲି ଭ୍ରମଟିଏ ସୃଷ୍ଟି ହେଉଥାଇପାରେ । ମନେ ରଖିବାକୁ ହେବ ଯେ ଏ ଧରଣର ଆଚରଣ ଓ ଉଚ୍ଚାରଣ ଦେଣ-ନେଣ ଆଧାରିତ (ଟ୍ରାନଜେକସନାଲ) ହୋଇଥିବାରୁ ଏଗୁଡ଼ିକର ସ୍ଥାୟିତ୍ୱ କେବଳ ସ୍ୱାର୍ଥସିଦ୍ଧି ପର୍ଯ୍ୟନ୍ତ । ମୋଦୀଙ୍କ ସହ ତାଙ୍କ ବନ୍ଧୁତା ଅତି ଘନିଷ୍ଠ ଓ ଉଭୟଙ୍କ ମଧ୍ୟରେ ଥିବା ରସାୟନ (କେମିଷ୍ଟ୍ରି) କାଳେ ଭାରତ ହିତରେ ହେବ ବୋଲି ମନେ କରି କେହି କେହି ଉତ୍ସାହିତ । ତେବେ କୂଟନୀତି କ୍ଷେତ୍ରରେ ରସାୟନ ଯେତେ ଫଳପ୍ରଦ ହୋଇଥାଏ, ଅର୍ଥନୀତି କ୍ଷେତ୍ରରେ ସେପରି ହେବ ବୋଲି କହିବା କଷ୍ଟକର । ଏ କ୍ଷେତ୍ରରେ ‘ଆମେରିକା ଫାଷ୍ଟ’ ନୀତିର ପରିପନ୍ଥୀ ଯେ କୌଣସି ବିଷୟ ବିବାଦ ସୃଷ୍ଟି କରିପାରେ । ତେଣୁ ଟ୍ରମ୍ପଙ୍କ ଶାସନ କାଳରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଉତ୍କଣ୍ଠାରହିତ ହେବା ନେଇ ଆଶଙ୍କା ଜନ୍ମିବା ସ୍ୱାଭାବିକ ।


Published in Sambad on Novemeber 13, 2024  


Comments

  1. Very good analysis n practical prediction...

    ReplyDelete
  2. Very good analytical article

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...