Skip to main content

ଦିନେ ଏଇଠି ଆମ ସ୍କୁଲ ଥିଲା

ଦୀର୍ଘ ଦଶ ବର୍ଷ ଧରି ଓଡ଼ିଶାରେ ପ୍ରାୟ ୮ ହଜାର ସ୍କୁଲ ବନ୍ଦ ହୋଇଯାଇଛି । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ଲୋକେ ତା’ର କବାଟ ଝରକା ପର୍ଯ୍ୟନ୍ତ ଖୋଲି ନେବାକୁ ପଛାଇନାହାନ୍ତି । ଫଳରେ କେତେକ ସ୍ଥାନରେ ତାହା ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଆସିଲାଣି । କେଉଁଠି ପୁଣି ତାହା ଅସାମାଜିକ କାର‌୍ୟ୍ୟକଳାପର ଆଡ୍ଡା ପାଲଟିଲାଣି । ‘ଆହେ ଦୟାମୟ ବିଶ୍ୱବିହାରୀ ପ୍ରାର୍ଥନା’ର ସ୍ମୃତି ରୋମନ୍ଥନ କରିବା ଓ  ‘ଦିନେ ଏଇଠି ଆମ ସ୍କୁଲ ଥିଲା’ ବୋଲି ବିଳାପ କରିବା ଭିନ୍ନ ଅସହାୟ ପୁରାତନ ଛାତ୍ର ଏବଂ ସ୍କୁଲ ସହ ଆବେଗିକ ସ୍ତରରେ ସଂଶ୍ଲିଷ୍ଟ କିଛି ଲୋକଙ୍କର ସେମାନଙ୍କ ସ୍କୁଲ ଫେରି ପାଇବା ଲାଗି କରଣୀୟ କ'ଣ ତାହା ଯେମିତି ସେମାନେ ବୁଝିପାରୁନାହାନ୍ତି । କାରଣ ମାମଲା ଏବେ ବିଚାରାଧୀନ ଏବଂ ହାଇକୋର୍ଟଙ୍କ ନିଷ୍ପତ୍ତି ଅପେକ୍ଷାରେ ସମସ୍ତେ । ତଥାପି ରାଜ୍ୟରେ ନୂତନ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନଃସମୀକ୍ଷା ହେବା କଥା ବାରମ୍ୱାର ଶୁଣିବାକୁ ମିଳୁଛି । ଏହା ଦ୍ୱାରା ବନ୍ଦ ସ୍କୁଲଗୁଡ଼ିକ ଖୋଲିବାର ବାଟ ସୁଗମ ହୋଇପାରେ । ଏ କଥା ସତ ଯେ ପୂର୍ବ ସରକାରଙ୍କ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ସେତେବେଳେ ଉଭୟ ବିଜେପି ଓ କଂଗ୍ରେସ ବିରୋଧ କରିଆସୁଥିଲେ । ତେବେ ଉଭୟ 'ନିତି ଆୟୋଗ' ଓ କେନ୍ଦ୍ର ସରକାର ଯୌକ୍ତିକତା ଆଧାରରେ ସ୍କୁଲ ବନ୍ଦ ନିଷ୍ପତ୍ତିର ସପକ୍ଷରେ ଥିବାରୁ ଓଡ଼ିଶାରେ ବନ୍ଦ ସ୍କୁଲଗୁଡ଼ିକୁ ଖୋଲିବାରେ କେତେ ଦୂର ସଫଳତା ହାସଲ ହେବ, ତାହା କହି ହେବନାହିଁ ।    

ଓଡ଼ିଶାରେ ସ୍କୁଲ ବନ୍ଦ ଓ ସ୍କୁଲ ମିଶ୍ରଣ ପ୍ରକ୍ରିୟା ୨୦୧୪ ମସିହାରୁ ଆରମ୍ଭ ହେଲାଣି । ଉଲ୍ଲେଖଯୋଗ୍ୟ, 'ନୀତି ଆୟୋଗ' ଦ୍ୱାରା ସରକାରୀ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ରୂପାନ୍ତରଣ ପାଇଁ ୨୦୧୭ ମସିହାରେ ସସ୍ଟେନେବଲ୍ ଆକସନ୍ ଫର୍ ଟ୍ରାନ୍ସଫର୍ମିଂ ହ୍ୟୁମାନ କ୍ୟାପିଟାଲ – ଏଜୁକେଶନ (ସାଥ-ଇ) ନାମକ ଏକ ପରୀକ୍ଷାମୂଳକ କାର୍ଯ୍ୟକ୍ରମ ଓଡ଼ିଶା, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ଭଳି ତିନିଟି ରାଜ୍ୟକୁ ଆଦର୍ଶ ରାଜ୍ୟରେ ପରିଣତ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହେଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଅତି କମ ସଂଖ୍ୟକ ଛାତ୍ର ଥିବା ସ୍କୁଲଗୁଡ଼ିକୁ ବନ୍ଦ କରି ତାକୁ ନିକଟସ୍ଥ ଅନ୍ୟ ଏକ ସ୍କୁଲ ସହ ମିଶାଇ ଦେବାର ଲକ୍ଷ୍ୟ ଧାର‌୍ୟ୍ୟ ହୋଇଥିଲା ।  କିନ୍ତୁ ତା’ ଯଥେଷ୍ଟ ପୂର୍ବରୁ ଓଡ଼ିଶାରେ ସେହି ଯୋଜନାର ଭିନ୍ନ ଭାବେ ଶୁଭାରମ୍ଭ ହୋଇସାରିଥିଲା । ଏଠାରେ ଲକ୍ଷ୍ୟ କରିବାର କଥା ନିତି ଆୟୋଗ ପ୍ରଥମ ଦଫାରେ ଯେଉଁ ତିନିଟି ରାଜ୍ୟରେ ଏହି କାର‌୍ୟ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ସ୍ଥିର କଲେ ଅନ୍ୟ ଅନେକ ରାଜ୍ୟ ତୁଳନାରେ ସେହି ତିନିଟି ରାଜ୍ୟରେ ଅଧିକ ସଂଖ୍ୟକ ଆଦିବାସୀ ବସବାସ କରିଥାନ୍ତି । ଆଦିବାସୀ ଅଧ୍ୟୁଷିତ ଗାଁଗୁଡିକ ବିକ୍ଷିପ୍ତ ହୋଇ ରହିଥିବା ବେଳେ ସେଗୁଡ଼ିକର ଜନସଂଖ୍ୟା ଯଥେଷ୍ଟ କମ । ଏପରି ସ୍ଥଳେ ସେଠାକାର ସ୍କୁଲଗୁଡ଼ିକରେ ଅଧିକ ସଂଖ୍ୟକ ପିଲା ନାମ ଲେଖାଇବା ସମ୍ଭବ କି ? ତେଣୁ କମ ଛାତ୍ର ନାମ ଲେଖାଉଥିବାକୁ ଆଳ କରି ସ୍କୁଲ ବନ୍ଦ ବା ମିଶ୍ରଣର ନିଷ୍ପତ୍ତି ମୂଳତଃ ଆଦିବାସୀ ସ୍ୱାର୍ଥ ବିରୋଧୀ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଉଦାହରଣ ସ୍ୱରୂପ, ଓଡ଼ିଶାରେ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକ ଭିତରୁ ଅଧିକାଂଶ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଥିବା ଜଣାପଡ଼େ ।

ରାଜ୍ୟରେ ସ୍କୁଲ ବନ୍ଦ ଓ ସମ୍ମିଶ୍ରଣକୁ ନେଇ ପ୍ରସ୍ତୁତ ଏକ ସ୍କୁଲ ଯୌକ୍ତିକତା ନୀତି ( ରାସନାଇଲେଜସନ୍ ପଲିସି) ଓପେପା ଦ୍ୱାରା ୨୩ ମେ ୨୦୧୮ ମସିହାରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ସୂଚୀତ କରାଯାଇଥିଲା । ତଦନୁଯାୟୀ କୌଣସି ସ୍କୁଲରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଛାତ୍ରରୁ କମ ଥିଲେ ସେହି ସ୍କୁଲକୁ  ନିକଟସ୍ଥ ସ୍କୁଲରେ ମିଶାଇ ଦେବା ଲାଗି ସ୍ଥିର ହେଲା । ତେବେ ସ୍କୁଲ ସମ୍ମିଶ୍ରଣ ସମୟରେ ଶିକ୍ଷା ଅଧିକାରରେ ଉଲ୍ଲିଖିତ ଦୂରତା ନିୟମକୁ ବିଚାରକୁ ନିଆଯିବା ସହିତ ସ୍କୁଲର ଭୌଗୋଳିକ ସ୍ଥିତି, ପ୍ରାକୃତିକ ବାଧକ ଓ ଅନ୍ୟାନ୍ୟ ଦିଗଗୁଡ଼ିକୁ ମଧ୍ୟ ବିବେଚନା କରାଯିବା ଆବଶ୍ୟକ ବୋଲି ସେଥିରେ ଉଲ୍ଲେଖ ଥିଲା । ପ୍ରାକୃତିକ ବାଧକ ଓ ମନୁଷ୍ୟକୃତ ବାଧକ  କହିଲେ ନଈ, ନାଳ, ପର୍ବତ, ଜାତୀୟ ଓ ରାଜ୍ୟ ରାଜପଥ, ରେଳ ଲାଇନ ଆଦିକୁ ବୁଝାଏ । ଏ କ୍ଷେତ୍ରରେ କୌଣସି ସ୍କୁଲରେ ଛାତ୍ର ସଂଖ୍ୟା ଆବଶ୍ୟକ ସଂଖ୍ୟାଠାରୁ କମ ହେଲେ ବି ସେହି ସ୍କୁଲକୁ ସମ୍ମିଶ୍ରଣ ପ୍ରକ୍ରିୟାରୁ ବାଦ ଦିଆଯାଇପାରେ । ଏ ସଂକ୍ରାନ୍ତରେ ଅନ୍ୟ ଏକ ସୁବିସ୍ତୃତ ଯୌକ୍ତିକତା ନୀତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ୭ ମାର୍ଚ୍ଚ ୨୦୨୦ରେ ଜାରି ହୋଇଥିଲା । ଏହା ସତ୍ତ୍ୱେ କେତେକ କ୍ଷେତ୍ରରେ ସମ୍ମିଶ୍ରଣ ନୀତିର ଯନ୍ତ୍ରବତ୍ ଅନୁସରଣ ପୂର୍ବକ ପ୍ରାକୃତିକ ଓ ଅନ୍ୟାନ୍ୟ ବାଧକକୁ ଅଣଦେଖା କରି ସ୍କୁଲକୁ ବନ୍ଦ କରି ଅନ୍ୟ ସ୍କୁଲରେ ମିଶାଇ ଦିଆଗଲା । ଏଠାରେ ବରଗଡ଼ ଜିଲ୍ଲାର ରାମଖୋଲ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତିର ବିଶେଷ ଉଲ୍ଲେଖ କରାଯାଇପାରେ । ଏହି ସ୍କୁଲ ବନ୍ଦ ହେବା ପରେ ସେହି ସ୍କୁଲର ୬ରୁ ୧୦ ବର୍ଷର ସାନ ସାନ ପିଲାଙ୍କୁ ଭୟଙ୍କର ଜଙ୍ଗଲି ହାତୀ ଓ ବାରହା ଥିବା ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ଦେଇ ୨ କିଲୋମିଟର ରାସ୍ତା ଚାଲି ଚାଲି ଯିବାକୁ ପଡ଼ୁଥିଲା । କାରଣ ସେହି ରାସ୍ତାରେ ମଟର ସାଇକେଲ ଭିନ୍ନ ଅନ୍ୟ କୌଣସି ଗାଡ଼ି ଚଳାଚଳ କରିପାରୁ ନଥିଲା । ଏ  ଭଳି ସମସ୍ୟା ଥିବା ସ୍କୁଲଗୁଡ଼ିକୁ ପୁଣି ଖୋଲିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ବି ସେହି ଭଳି କେତେ ସ୍କୁଲ ଖୋଲିପାରିଥିଲା ତାହାର ତଥ୍ୟ ସର୍ବସାଧରଣରେ ଉପଲବ୍ଧ ନାହିଁ । କୌଣସି ସ୍କୁଲ ବନ୍ଦ କରିବାର ନିଷ୍ପତ୍ତିର ସେଠାକାର ଜନଜୀବନ ଉପରେ ସୁଦୂରପ୍ରସାରୀ ପ୍ରଭାବ ପଡ଼ୁଥିବାରୁ ସେଭଳି ନିଷ୍ପତ୍ତି ଗ୍ରହଣ ପୂର୍ବରୁ ତାହା ପଲ୍ଲୀସଭା, ଗ୍ରାମସଭା, ଗ୍ରାମ ପଞ୍ଚାୟତର ସହମତି ଓ ଅନୁମୋଦନ କ୍ରମେ ହେବା ଉଚିତ । ମାତ୍ର ଅଧିକାଂଶ କ୍ଷେତ୍ରରେ ତାହାର ଅନୁପାଳନ ହୋଇନାହିଁ ।

ଉନ୍ନତ ଶିକ୍ଷାଦାନକୁ ସୁନିଶ୍ଚିତ କରିବା ଲାଗି ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ବାସ୍ତବ ପକ୍ଷେ ବନ୍ଦ ସ୍କୁଲର ଛାତ୍ରଛାତ୍ରୀମାନେ କି ଭଳି ଉପକୃତ ହୋଇଛନ୍ତି ବା ହୋଇନାହାନ୍ତି ସେ ନେଇ ନିକଟରେ ବିଧିବଦ୍ଧ ଭାବେ ହୋଇଥିବା କୌଣସି ସରକାରୀ ଅଧ୍ୟୟନର ରିପୋର୍ଟ ଅନ୍ତତଃ ସର୍ବ ସମକ୍ଷରେ ଉପଲବ୍ଧ ନାହିଁ । ଉଦାହରଣ ସ୍ୱରୂପ ସ୍କୁଲଟିଏ ବନ୍ଦ ବା ମିଶ୍ରଣ ହେଉଥିବା ବେଳେ ସେହି ସ୍କୁଲରେ ପଢୁଥିବା ପିଲାମାନଙ୍କୁ ନିକଟବର୍ତ୍ତୀ ସ୍କୁଲରେ ନାମ ଲେଖାଇ ସେଠାରେ ପଢ଼ାଇବାର ଲକ୍ଷ୍ୟ ରଖାଯାଇଥିଲା । ପ୍ରଶ୍ନ ଉଠୁଛି, ଏହିପରି ବନ୍ଦ ହୋଇଥିବା ସ୍କୁଲର ଛାତ୍ରମାନଙ୍କର ବର୍ତ୍ତମାନର ସ୍ଥିତି କ’ଣ ? ଅର୍ଥାତ୍, ବନ୍ଦ ସ୍କୁଲର ଛାତ୍ରମାନଙ୍କ ମଧ୍ୟରୁ ନୂଆ ସ୍କୁଲରେ ନାମ ଲେଖାଇଥିବା କେତେ ଜଣ ଛାତ୍ର ଏବେ ମଧ୍ୟ ସେହି ସ୍କୁଲରେ ପଢ଼ୁଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ ସେମାନଙ୍କ ଗାଁ ପାଖରେ ଥିବା ବା ଖୋଲିଥିବା ଘରୋଇ ସ୍କୁଲରେ ନାମ ଲେଖାଇଛନ୍ତି ବା ଅନ୍ୟତ୍ର କେଉଁଠାରେ ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ ସ୍କୁଲ ବନ୍ଦ ନିଷ୍ପତ୍ତି ଯୋଗୁଁ ମଝିରୁ ପାଠପଢ଼ା ସମ୍ପୂର୍ଣ୍ଣ ଛାଡ଼ି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି ପରେ ରାଜ୍ୟର ଅନେକ ସ୍ଥାନରେ ଛତୁ ଫୁଟିଲା ପରି ଶସ୍ତା ଇଂରାଜୀ ମାଧ୍ୟମ ସ୍କୁଲ ଓ ଅନ୍ୟ ଘରୋଇ ସ୍କୁଲ ଖୋଲିଯାଇଛି । କେବଳ ୨୦୧୪-୧୫ରୁ ୨୦୧୭-୧୮ ତିନି ବର୍ଷ ମଧ୍ୟରେ ଏହି ଧରଣର ସ୍କୁଲର ସଂଖ୍ୟାରେ ୧୭ ପ୍ରତିଶତ ବୃଦ୍ଧି ଘଟିଛି । କହିବା ବାହୁଲ୍ୟ ଯେ ସରକାରୀ ସ୍କୁଲରେ ଛାତ୍ର ସଂଖ୍ୟା ହ୍ରାସ ପାଇ ସ୍କୁଲ ବନ୍ଦ ହେବାର ଅବକାଶ ସୃଷ୍ଟି ହେଉଥିବା ବେଳେ ଘରୋଇ ସ୍କୁଲଗୁଡ଼ିକରେ ଛାତ୍ର ସଂଖ୍ୟା ବୃଦ୍ଧି ପାଉଛି । ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାର ବାଧ୍ୟବାଧକତା ଅନେକ ପରିବାରକୁ ଋଣଗ୍ରସ୍ତ କରୁଛି । ପ୍ରାୟ ୬ ବର୍ଷ ତଳେ ୨୦୧୮ ମସିହାରେ ‘ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଓ ଅଧିକାର କମିସନ୍’ଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼େ ଯେ ସ୍କୁଲ ବନ୍ଦ ହେବା ପରେ ଏହିପରି ଅନେକ ପିଲା ସ୍କୁଲ ଆସୁନାହାନ୍ତି ଓ ପାଠପଢ଼ା ଛାଡ଼ି ଦେଇଛନ୍ତି । ଏହିପରି କୌଣସି ପିଲା ଯେପରି ମଝିରୁ ପାଠ ପଢ଼ା ଛାଡ଼ି ନ ଦିଏ ସେଥି ପ୍ରତି ଧ୍ୟାନ ଦେବା ପାଇଁ ଏହି କାର୍ଯ୍ୟକ୍ରମରେ ବିଶେଷ ଉଲ୍ଲେଖ ରହିଛି । ଏହା ସତ୍ତ୍ୱେ ଯଦି ଏହିପରି ଗୋଟିଏ ପିଲା ବି ମଝିରୁ ପାଠ ଛାଡ଼ି ଦେଇଥାଏ, ତେବେ ତାହା ସରକାରୀ ନିଷ୍ପତ୍ତି କାରଣରୁ ହୋଇଥିବାରୁ ତାହା ଅପରାଧ ଶ୍ରେଣୀଭୁକ୍ତ ବୋଲି ବିବେଚନା ହେବା ଉଚିତ ନୁହେଁ କି ?  ତେଣୁ ବାସ୍ତବ ସ୍ଥିତି ପରଖିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଭାବେ ତୁରନ୍ତ ଏ ନେଇ ଅଧ୍ୟୟନ ହେବାର ଆବଶ୍ୟକତା ରହିଛି । ସେହି ଭଳି ପିଲା ଚିହ୍ନଟ ହୋଇପାରିଲେ ସେମାନଙ୍କୁ ଶିକ୍ଷାଦାନରେ ବିଶେଷ ସହାୟତା ଯୋଗାଇ ଦେଇ ସେମାନଙ୍କୁ ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ି ରଖିବାର ପ୍ରୟାସ କରାଯାଇପାରନ୍ତା ।         

ଭାଷାଗଚ ବିବିଧତା ଦୃଷ୍ଟିରୁ ଭାରତରେ ପ୍ରାୟ ୧୯୫୬୯ଟି ଭାଷା ମାତୃଭାଷା ରୂପେ ପରିଗଣିତ ହେଉଥିଲେ ବି  ତନ୍ମଧ୍ୟରୁ ମାତ୍ର ୧୨୧ଟି ଭାଷାରେ କଥା ହେଉଥିବା ଲୋକଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ । ପୁନଶ୍ଚ ମାତ୍ର ୨୨ଟି ଭାଷା ତଫସିଲଭୁକ୍ତ ଭାଷାର ମାନ୍ୟତା ପାଇଥିବା ବେଳେ କେବଳ ୨୮ଟି ଭାଷା ଶିକ୍ଷାଦାନର ମାଧ୍ୟମ ହୋଇଥାଏ । ଅର୍ଥାତ୍ ଆଦିବାସୀ ପିଲାଙ୍କ ମଧ୍ୟରୁ ଏକ ପ୍ରତିଶତ ମଧ୍ୟ ସେମାନଙ୍କ ମାତୃଭାଷାରେ ଶିକ୍ଷାଲାଭର ସୁଯୋଗ ପାଇ ନଥାନ୍ତି । ଏକ ଆକଳନ ଅନୁସାରେ ଛାତ୍ରଙ୍କୁ ସେମାନେ ବୁଝୁଥିବା ଭାଷାରୁ ଭିନ୍ନ ଭାଷାରେ ଶିକ୍ଷାପ୍ରଦାନ କରାଯାଉଥିବାରୁ ପ୍ରାୟ ୨୫ ପ୍ରତିଶତ ଛାତ୍ରଙ୍କର ଶିକ୍ଷଣରେ ଅସୁବିଧା ସୃଷ୍ଟି ହୋଇଥାଏ, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କର ପାଠ ଛାଡ଼ିବାର କାରଣ ହୋଇଥାଏ । ତେଣୁ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ସେମାନଙ୍କ ପ୍ରତି ଉଭୟ ନ୍ୟାୟ ଓ ସମାନତାର ପ୍ରଶ୍ନ ଅଟେ ଓ ସେଥିରୁ ସେମାନଙ୍କୁ ବଞ୍ଚିତ କରିବା ସର୍ବାଦୌ ଅନୁଚିତ । ଏପରିକି  ନୂଆ ଶିକ୍ଷା ନୀତିର ପାରା ୪.୧୧ ଅନୁଯାୟୀ ଅନ୍ତତଃ ପଞ୍ଚମ ଶ୍ରେଣୀ ପର‌୍ୟ୍ୟନ୍ତ (ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ହୋଇପାରିଲେ ଆହୁରି ଭଲ) ପିଲାଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାପ୍ରଦାନ କରାଯିବା ଉପରେ ଗୁରୁତ୍ୱ ଦେଇଛି ।  ସେ କ୍ଷେତ୍ରରେ ସ୍କୁଲର ଛାତ୍ର ସଂଖ୍ୟା ସ୍କୁଲ ବନ୍ଦ କରିବାର ଏକକ ଆଧାର ହେଲେ ୧୦ ହଜାରରୁ କମ ଲୋକ ଲୋକ କଥା ହେଉଥିବା ମାତୃଭାଷାରେ ସ୍କୁଲ ଖୋଲି ହେବ ନାହିଁ, ଆଉ ଖୋଲିଥିଲେ ସେଗୁଡ଼ିକୁ ବନ୍ଦ କରିବାକୁ ପଡ଼ିବ । ପୁନଶ୍ଚ,  ଯୌକ୍ତିକତା ନୀତିରେ ବି ମଦ୍ରସା, ସଂସ୍କୃତ ଟୋଲ ଓ ଅନ୍ୟ ବିଶେଷ ପ୍ରକାରର ସ୍କୁଲଗୁଡ଼ିକୁ ମିଶ୍ରଣ ପ୍ରକ୍ରିୟା ଅନ୍ତର୍ଭୁକ୍ତ ନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସେହି ଏକା ଯୁକ୍ତିରେ ବିଭିନ୍ନ ଆଦିବାସୀ ଭାଷାରେ ଶିକ୍ଷାଦାନକୁ ସୁନିଶ୍ଚିତ କରାଯାଇପାରିଥିଲେ ସେଗୁଡ଼ିକ ମଧ୍ୟ ଆଜି ହୁଏତ ମିଶ୍ରଣ ପ୍ରକ୍ରିୟାରୁ ଦୂରରେ ରହିଥାନ୍ତେ । ତେଣୁ ଆଦିବାସୀ ଅଞ୍ଚଳରେ ମାତୃଭାଷାରେ ଶିକ୍ଷାଦାନକୁ ଜ୍ୱରାନ୍ୱିତ କରିବାକୁ ହେଲେ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକୁ ଖୋଲିବାକୁ ପଡ଼ିପାରେ ।  

ସରକାରଙ୍କ ସ୍କୁଲ ବନ୍ଦ ଓ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ୧୬୮ ଜଣ ଆବେଦନକାରୀ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ଏହା ଶିଶୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ ୨୦୧୦ର ଉଲ୍ଲଂଘନ କରୁଥିବା ଦର୍ଶାଇ ଜଷ୍ଟିସ ବି ଆର ଷଡ଼ଙ୍ଗୀ ସରକାରଙ୍କ ଅଧିସୂଚନାକୁ ୪ ମେ ୨୦୨୧ରେ ଖାରଜ କରିବା ସହ ଯେଉଁ କଡ଼ା ଟିପ୍ପଣୀ ପ୍ରଦାନ କରିଥିଲେ ତାହା ପ୍ରଣିଧାନଯୋଗ୍ୟ । ଅଦାଲତଙ୍କ ଅନୁସାରେ, “ସ୍କୁଲରେ ପିଲାଙ୍କ ସଂଖ୍ୟା କାହିଁକି କମ ହେଉଛି ନ ଜାଣି, ସ୍କୁଲର ମିଶ୍ରଣ କରିବା ସେହି ସମସ୍ୟାର ନିଦାନ ବୋଲି ଗ୍ରହଣ କରିନେବା କଥା ନୁହେଁ । ରୋଗର କାରଣ ନ ଜାଣି ଚିକିତ୍ସା ଆରମ୍ଭ କରିଦେବା ଯାହା, ଇଏ ଠିକ୍ ତାହା । ସ୍କୁଲରେ ପିଲାଙ୍କ ସଂଖ୍ୟା କମ ହେବା ପଛରେ ଅନେକ କାରଣ ରହିଛି । ତୃଣମୂଳ ସ୍ତରରେ ଥିବା ଅସୁବିଧାଗୁଡ଼ିକୁ ଦୂର ନ କରି ସ୍କୁଲଗୁଡ଼ିକର ମିଶ୍ରଣ କରାଯାଉଛି, କାରଣ ତୃଣମୂଳ ସ୍ତରର ବାସ୍ତବତା ସମ୍ପର୍କରେ ଅବଗତ ନ ହୋଇ ଉପର ସ୍ତରରେ ଥିବା ଲୋକମାନେ ନିଷ୍ପତ୍ତି ଗ୍ରହଣ କରୁଛନ୍ତି ।“ ଏହି ରାୟ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟର ତିନିଜଣିଆ ଖଣ୍ଡପୀଠର ଦ୍ୱାରସ୍ଥ ହେଲେ । ଖଣ୍ଡପୀଠ ଉପରୋକ୍ତ ଆଦେଶ ଉପରେ ଜୁଲାଇ ୨୦, ୨୦୨୧ରେ ରହିତାଦେଶ ଲଗାଇଲେ । ଛୋଟ ସ୍କୁଲକୁ ବଡ଼ ବଡ଼ ସ୍କୁଲ ସହ ମିଶ୍ରଣ ସପକ୍ଷରେ ଯୁକ୍ତି ବାଢ଼ିଲା ବେଳେ ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଉଛି ଯେ ଏହା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାଦାୟୀ ହେବ, ଛାତ୍ର-ଶିକ୍ଷକ ଅନୁପାତକୁ ଉନ୍ନତ କରିବ, ଉନ୍ନତ ଭିତ୍ତିଭୂମିର ବିକାଶ ସମ୍ଭବ ହେବ, ଏହା ଉନ୍ନତ ଶିକ୍ଷଣ ପରିବେଶ ସୃଷ୍ଟିରେ ସହାୟକ ହେବ । ଏହା ଦ୍ୱାରା ଶିକ୍ଷକଙ୍କର ପ୍ରାଶାସନିକ କାର୍ଯ୍ୟରେ ଅପଚୟ ହେଉଥିବା ସମୟର ସଞ୍ଚୟ ହୋଇପାରିବ । ଏହା ବିରୋଧରେ ମଧ୍ୟ ଅନେକ ଯୁକ୍ତି ଉପସ୍ଥାପିତ ହୋଇସାରିଛି । ଇତିମଧ୍ୟରେ ତିନି ବର୍ଷ ଧରି ମାମଲାଟିର ଶୁଣାଣି ଲାଗି ରହିବା ପରେ ଏପ୍ରିଲ ୧୮, ୨୦୨୪ରେ ଶୁଣାଣି ଶେଷ ହୋଇଛି ଏବଂ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।        

ସ୍କୁଲ ବନ୍ଦ ହେବାର ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି । ବନ୍ଦ ହୋଇଥିବା ସବୁ ସ୍କୁଲରେ ଖାଦ୍ୟ ରାନ୍ଧିବା ଓ ପରଷିବା ପାଇଁ ଅନ୍ୟୂନ ଜଣେ ଲେଖାଏଁ ପାଚିକା ଓ ସହାୟକ ନିଯୁକ୍ତ ହୋଇଥିଲେ । ଅର୍ଥାତ୍ ସ୍କୁଲ ବନ୍ଦ ହେବା ସହ ଏହିପରି ପ୍ରାୟ ୧୬୦୦୦ ମହିଳା ସେମାନଙ୍କର ରୋଜଗାର ହରାଇଲେ । କହିବା ବାହୁଲ୍ୟ ଯେ, ଏମାନଙ୍କ ମଧ୍ୟରୁ ଅନେକ ଏକୁଟିଆ ଓ ନିରାଶ୍ରୟ ମହିଳା ଓ ସେମାନଙ୍କୁ ଗାଁ ସ୍ତରରେ ରୋଜଗାର ଯୋଗାଇ ଦିଆଯାଇପାରିଥିଲା, ଯାହା ସେମାନେ ହରାଇ ବସିଲେ ।

ଯୌକ୍ତିକତା ନୀତିର ପରିକଳ୍ପନା ଓ ପ୍ରଣୟନ ପଛରେ ଯେଉଁ ସବୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, ତନ୍ମଧ୍ୟରେ ସ୍କୁଲଗୁଡ଼ିକୁ ଆକାଂକ୍ଷୀ ସ୍କୁଲରେ ପରିଣତ କରିବା, ଛାତ୍ର-ଶିକ୍ଷକ ଅନୁପାତକୁ ଉନ୍ନତ କରିବା, ଉନ୍ନତ ଭିତ୍ତିଭୂମିର ବିକାଶ କରିବା, ସ୍କୁଲରେ ଉନ୍ନତ ଶିକ୍ଷଣ ବାତାବରଣ ସୁନିଶ୍ଚିତ କରିବା, ରାଜ୍ୟ ସ୍ତରରେ ସ୍କୁଲଗୁଡ଼ିକର ନିରୀକ୍ଷଣକୁ ଅଧିକ ମାନସମ୍ପନ୍ନ କରିବା, ସ୍କୁଲ ବାତାବରଣରେ ଭବିଷ୍ୟତର ଉଦ୍ୟମୀ ଓ ନିଯୁକ୍ତିଦାତା ସୃଷ୍ଟି କରିବା ଆଦି ଥିଲା । ଇତିମଧ୍ୟରେ ଆମେ ସେହି ଲକ୍ଷ୍ୟର କେତେ ନିକଟତର ହୋଇଛେ, ତାହାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା କରିବା ଦରକାର ପଡ଼ିଲାଣି । ଏସବୁ ସତ୍ତ୍ୱେ କେତେକ ସ୍ଥାନରେ ଏହି ନୀତି ଯୁକ୍ତିସଙ୍ଗତ ଭାବେ କାର୍ଯ୍ୟ କରି ସେଥିରୁ ସୁଫଳ ମିଳୁଥିବା ଦେଖାଯାଉଛି । ସେଭଳି ସ୍କୁଲକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ଉଚିତ ହୋଇ ନପାରେ । ତେବେ ଆଦିବାସୀ ବହୁଳ ଅଞ୍ଚଳ ଓ ଅନ୍ୟ କେତେକ ବିଶେଷ ଅଞ୍ଚଳରେ ଏହି ନୀତିର ପୁନରାବଲୋକନର ଆବଶ୍ୟକତା ଅନୁଭୂତ ହେଉଛି । ଧ୍ୟାନରେ ରଖିବାକୁ ହେବ ଯେ ସରକାରୀ ନୀତି ଓ ନିଷ୍ପତ୍ତି ଲାଗି ଜଣେ ହେଲେ ଛାତ୍ର, ସିଏ ଆଦିବାସୀ ହୁଅନ୍ତୁ ଅଥବା ଅନ୍ୟ କେହି, ଯେପରି ଅଧାରୁ ପାଠ ଛାଡ଼ି ନ ଦିଅନ୍ତି ।


Published in Sambad on October 4, 2024


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍