Skip to main content

ଷୋହଳ ସନ୍ତାନ ଲାଭ କର

ନିକଟରେ ଏକ ଗଣ ବିବାହୋତ୍ସବରେ ଯୋଗ ଦେଇ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଯେତେବେଳେ ନବଦମ୍ପତିମାନଙ୍କୁ ଷୋହଳଟି ସନ୍ତାନ ଲାଭ କରିବାକୁ ଆହ୍ୱାନ ଦେଲେ, ତାହା ଅନେକଙ୍କୁ ବିସ୍ମିତ କରିଥିଲା । ଅଳ୍ପ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ଅନୁରୂପ ଭାବେ ଲୋକମାନଙ୍କୁ ଦୁଇଟିରୁ ଅଧିକ ସନ୍ତାନ ଜନ୍ମ କରିବାକୁ ପରାମର୍ଶ ଦେଇଥିଲେ । କେବଳ ସେତିକି ନୁହେଁ, ଏଣିକି ସେଠାରେ ଦୁଇଟି ସନ୍ତାନରୁ ଅଧିକ ଥିବା ବାପା, ମା’ମାନେ ମଧ୍ୟ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ଲଢ଼ି ପାରିବେ ବୋଲି ଆଇନ ହେଲାଣି । ଦକ୍ଷିଣ ଭାରତର ଏହି ଦୁଇ ମୁଖ୍ୟମନ୍ତ୍ରୀ ହଠାତ୍ ଅଧିକ ସନ୍ତାନ ଲାଭ କରିବା ଲାଗି କାହିଁକି ଏଭଳି ଆହ୍ୱାନ ଦେଇଛନ୍ତି, ତାହା ପର୍ଯ୍ୟାଲୋଚନାର ବିଷୟ ନିଶ୍ଚୟ ।

୨୦୨୬ ମସିହାରେ ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ କରାଯିବାର ଯୋଜନା ରହିଛି । ଏହା ହେଲେ ଦେଶର ରାଜନୈତିକ ମାନଚିତ୍ରରେ ଅନେକ ପରିବର୍ତ୍ତନ ହୋଇଯିବ । ସଂସଦରେ ଉତ୍ତର ଭାରତର କତିପୟ ରାଜ୍ୟଙ୍କ ତୁଳନାରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ରାଜନୈତିକ ପ୍ରଭାବ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି । ଏହା ହିଁ ଉଦବେଗ କାରଣ । ସମ୍ୱିଧାନର ଅନୁଚ୍ଛେଦ ୮୨ ଓ ୧୭୦ ଅନୁଯାୟୀ ପ୍ରତି ୧୦ ବର୍ଷରେ ଥରେ ଜନଗଣନା ଆଧାରରେ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକର ସଂଖ୍ୟା ଓ ସୀମା ନିର୍ଦ୍ଧାରଣ ହେବା ଆବଶ୍ୟକ । ତଦନୁସାରେ ୧୯୫୧, ୧୯୬୧ ଓ ୧୯୭୧ରେ ହୋଇଥିବା ଜନଗଣନା ଆଧାରରେ ଲୋକସଭା ନିର୍ବାଚନମଣ୍ଡଳୀର ସଂଖ୍ୟା ଯଥାକ୍ରମେ ୪୯୪, ୫୨୨ ଓ ୫୪୩ ଧାର୍ଯ୍ୟ ହୋଇଥିଲା । ଯେଉଁ ରାଜ୍ୟର ଜନସଂଖ୍ୟା ଯେତେ ଅଧିକ, ସେହି ରାଜ୍ୟର ଆସନ ସଂଖ୍ୟା ଆନୁପାତିକ ଭାବେ ସେତିକି ଅଧିକ ହେବା ଉଚିତ । କିନ୍ତୁ ଏଭଳି ବ୍ୟବସ୍ଥା ଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣର ଲକ୍ଷ୍ୟ ପରାହତ ହେଉଥିବାରୁ ସମ୍ୱିଧାନର ୪୨ତମ ସମ୍ୱିଧାନ ସଂଶୋଧନ ଆଇନ ବଳରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ୨୦୦୦ ମସିହା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ପୁନର୍ବାର ୨୦୦୨ ମସିହାରେ ୮୪ତମ ସମ୍ୱିଧାନ ସଂଶୋଧନ ଅଣାଯାଇ ଏହି ପ୍ରକ୍ରିୟାକୁ ୨୦୨୬ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା । ତେଣୁ ୨୦୨୬ ପରେ ହେବାକୁ ଥିବା ନୂଆ ଜନଗଣନା ଆଧାରରେ ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ କରଯିବ । ଫଳରେ ୧୯୭୧ ମସିହା ଜନସଂଖ୍ୟା ଆଧାରରେ ଏ ଯାବତ୍ ବଳବତ୍ତର ଥିବା ଲୋକସଭା ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ । ଏହା ଦୁଇ ପ୍ରକାରେ କରାଯାଇପାରେ – ଆସନ ସଂଖ୍ୟାକୁ ୫୪୩ରେ ସ୍ଥିର ରଖି ସେହି ଆସନଗୁଡ଼ିକୁ ବିଭିନ୍ନ ରାଜ୍ୟ ମଧ୍ୟରେ ଆବଣ୍ଟନ କରାଯାଇପାରେ ବା ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ ସଂଖ୍ୟା ବୃଦ୍ଧି କରାଯାଇପାରେ । ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ପଦ୍ଧତିର ଅନୁସରଣ କରି ଯୁକ୍ତରାଷ୍ଟ୍ର ଆମେରିକାର ‘ପ୍ରତିନିଧି ସଭା’ (ହାଉସ ଅଫ ରିପ୍ରେଜେଣ୍ଟେଟିଭସ୍ )ର ସଭ୍ୟ ସଂଖ୍ୟାକୁ ୧୯୧୩ ମସିହାରୁ ୪୩୫ରେ ଅପରିବର୍ତ୍ତିତ ରଖାଯାଇଛି । ଦ୍ୱିତୀୟ ପଦ୍ଧତି ଅନୁସାରେ ଜନସଂଖ୍ୟା ବୃଦ୍ଧି ହେତୁ ଆସନ ସଂଖ୍ୟା ୮୪୮କୁ ବୃଦ୍ଧି ପାଇପାରେ । ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ଉତ୍ତର ଭାରତର ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ବିଶେଷ ସଫଳ ହୋଇ ନଥିବାରୁ ସେଠାରେ ଜନସଂଖ୍ୟା ଖୁବ୍ ବୃଦ୍ଧି ପାଇଥିବା ବେଳେ କେରଳ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସଫଳ ହୋଇ ଜନସଂଖ୍ୟାକୁ ସୀମିତ ରଖିପାରିଛନ୍ତି । କିନ୍ତୁ, ବିଡ଼ମ୍ୱନା ହେଲା ଏହି ସଫଳତା ସତ୍ତ୍ୱେ ସୀମା ପୁନଃନିର୍ଦ୍ଧାରଣ ପରିପ୍ରେକ୍ଷୀରେ ଜନସଂଖ୍ୟା ନିୟନ୍ତ୍ରଣ କରିପାରି ନଥିବା ଉତ୍ତର ଭାରତର କେତେକ ରାଜ୍ୟ ଅଧିକ ଆସନ ପାଇ ପୁରସ୍କୃତ ହେବାକୁ ଯାଉଥିବା ବେଳେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ବା ଆସନ ସଂଖ୍ୟା ହ୍ରାସ ପାଇ ସେମାନେ ଏକ ପ୍ରକାର ଦଣ୍ଡିତ ହେବେ । ଉଦାହରଣ ସ୍ୱରୂପ, ଲୋକସଭାର ଆସନ ସଂଖ୍ୟା ୮୪୮କୁ ବୃଦ୍ଧି ପାଇଲେ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶର ଆସନ ସଂଖ୍ୟା ୮୦, ୪୦, ୨୫, ୨୯ରୁ ବଢ଼ି ଯଥାକ୍ରମେ ୧୪୩, ୭୯, ୫୦, ୫୨ ହେବ । ଅର୍ଥାତ୍ ଏହି ୪ଟି ରାଜ୍ୟରେ ଥିବା ବର୍ତ୍ତମାନର ଲୋକସଭା ଆସନ ସଂଖ୍ୟା ୧୭୪ରୁ  ୮୬ ପ୍ରତିଶତ ବୃଦ୍ଧି ପାଇ ୩୨୪ରେ ପହଞ୍ଚିବ, ଯାହା ସମୁଦାୟ ଆସନ ସଂଖ୍ୟାର ୩୮ ପ୍ରତିଶତ ହେବ । ସୁତରାଂ, ଜାତୀୟ ରାଜନୀତିରେ ସେହି ରାଜ୍ୟଗୁଡ଼ିକର ପ୍ରଭାବ ଆଶାତୀତ ଭାବେ ବୃଦ୍ଧି ପାଇବ । ଅନ୍ୟ ପକ୍ଷରେ କେରଳ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଭଳି ଦକ୍ଷିଣ ଭାରତର ୫ଟି ରାଜ୍ୟରେ ଥିବା ବର୍ତ୍ତମାନର ସମୁଦାୟ ଲୋକସଭା ଆସନ ସଂଖ୍ୟା ୧୨୯ରୁ ମାତ୍ର ୨୧ ପ୍ରତିଶତ ବୃଦ୍ଧି ପାଇ ୧୬୪ରେ ପହଞ୍ଚିବ । ଲୋକସଭା ଆସନ ସଂଖ୍ୟା ଯଦି ୫୪୩ରେ ଅପରିବର୍ତ୍ତିତ ରହେ, ତେବେ ଏହି ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ୧୦୩କୁ ଖସି ଆସିବ । ତେଣୁ ସୀମା ପୁନଃନିର୍ଦ୍ଧାରଣ ହେଲେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ରାଜନୈତିକ ପ୍ରଭାବ ଯେ ଯଥେଷ୍ଟ ହ୍ରାସ ପାଇବ ଏଥିରେ ସନ୍ଦେହ ନାହିଁ । ଏଥିସହ ସେଠାକାର ଆଞ୍ଚଳିକ ଦଳଗୁଡ଼ିକର ମୂଲଚାଲ କ୍ଷମତା କମିଯିବ । ବର୍ଦ୍ଧିତ ଆସନ ବିଶିଷ୍ଟ ଲୋକସଭାରେ ଓଡ଼ିଶାର ଆସନ ସଂଖ୍ୟା ୨୧ରୁ ମାତ୍ର ୩୩ ପ୍ରତିଶତ ବଢ଼ି ୨୮ ହେବ, ଯଦ୍ଦ୍ୱାରା ଓଡ଼ିଶାର ପ୍ରଭାବ ମଧ୍ୟ ଜାତୀୟ ରାଜନୀତିରେ ଆନୁପାତିକ ଭାବେ ଆହୁରି ହ୍ରାସ ପାଇବ ।        

ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଜନସଂଖ୍ୟା ନିୟନ୍ତ୍ରିତ ହେବାର ବଡ଼ କାରଣ ହେଉଛି ସେଠାକାର ମହିଳାମାନଙ୍କର ହାରାହାରି ମୋଟ ସନ୍ତାନ ପ୍ରସବ ହାର (ଟୋଟାଲ ଫର୍ଟିଲିଟି ରେଟ୍ ବା ଟିଏଫ୍ଆର) ସର୍ବଭାରତୀୟ ହାରାହାରିଠାରୁ ଯଥେଷ୍ଟ କମ୍ । ଜଣେ ପ୍ରଜନନକ୍ଷମ ମହିଳା ତାଙ୍କ ଜୀବଦ୍ଦଶାରେ ସମୁଦାୟ ହାରାହାରି କେତୋଟି ଶିଶୁକୁ ଜନ୍ମ ଦେଉଛନ୍ତି, ତାକୁ ନେଇ ‘ଟିଏଫ୍ଆର’ ନିର୍ଦ୍ଧାରଣ କରାଯାଇଥାଏ । ଏହି ‘ଟିଏଫ୍ଆର’ ଅଧିକ ହେଲେ ଜନସଂଖ୍ୟା ବୃଦ୍ଧି ହୋଇଥାଏ, ଆଉ କମ ହେଲେ ଜନସଂଖ୍ୟା ହ୍ରାସ ପାଇଥାଏ । ତେବେ ‘ଟିଏଫ୍ଆର୍’ ୨.୧ ସ୍ତରରେ ରହିଲେ ଜନସଂଖ୍ୟା ସ୍ଥିର ରହେ । ‘ଟିଏଫ୍ଆର୍’ ୨.୧ର ଅର୍ଥ ୧୦୦ ଜଣ ମହିଳା ୨୧୦ଟି ସନ୍ତାନର ଜନନୀ ହେବା । ସେହି ଦୃଷ୍ଟିରୁ ଏହା ହିଁ ଆଦର୍ଶ ସ୍ତରର ଟିଏଫ୍ଆର, ଯାହାକୁ ‘ପ୍ରତିପୂର୍ତ୍ତି ହାର’ (ରିପ୍ଲେସମେଣ୍ଟ ରେଟ) ମଧ୍ୟ କୁହାଯାଇଥାଏ ।  ଏଥିରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସ୍ଥାନ ପୂରଣ ହୋଇ ଜନସଂଖ୍ୟା କମି ନଥାଏ କି ବଢ଼ି ନଥାଏ । ପରିବାର କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଯୋଗୁଁ ସମ୍ପ୍ରତି ଭାରତର ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇବାରେ ଲାଗିଛି । ୨୦୨୨ରେ 'ପ୍ରତିପୂର୍ତ୍ତି ହାର'ଠାରୁ ମଧ୍ୟ କମ ହୋଇ ‘ଟିଏଫ୍ଆର୍’ ୨.୦୧ ସ୍ତରରେ ପହଞ୍ଚିଲାଣି । ତେବେ ଦେଶର ବିଭିନ୍ନ ରାଜ୍ୟରେ ‘ଟିଏଫ୍ଆର୍’ ଭିନ୍ନ ଭିନ୍ନ । ‘ଏନଏଫଏଚଏସ-୫’ ବା ‘ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫’ର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ‘ଟିଏଫଆର’ ୧.୬୪ ଥିବାବେଳେ ବିହାର ଓ ଉତ୍ତର ପ୍ରଦେଶରେ ଏହା ଯଥାକ୍ରମେ ୩.୦୨ ଓ ୨.୩୮ । 

ତେଣୁ ଅତିମାତ୍ରାରେ ଜନସଂଖ୍ୟା ନିୟନ୍ତ୍ରଣ କରି ରାଜନୈତିକ ଗୁରୁତ୍ୱ ହରାଇବାକୁ ବସିଥିବା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ସନ୍ତାନ ସଂଖ୍ୟା ବୃଦ୍ଧି ଲାଗି ଆହ୍ୱାନ ଦେବା ସ୍ୱାଭାବିକ । ଏହା ବ୍ୟତୀତ ଜନସଂଖ୍ୟା ହ୍ରାସର ଭୟଙ୍କର ଆର୍ଥିକ ଦିଗ ମଧ୍ୟ ସେମାନଙ୍କୁ ବିଚଳିତ କରିଛି । କେନ୍ଦ୍ରୀୟ ଅନୁଦାନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ଜନସଂଖ୍ୟାକୁ ଗୁରୁତ୍ୱ ଦିଆଯାଉଥିବାରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଯଥେଷ୍ଟ କ୍ଷତିଗ୍ରସ୍ତ ହେଉଛନ୍ତି । ଅଧିକନ୍ତୁ, ‘ଟିଏଫ୍ଆର୍’ ହ୍ରାସ ଯୋଗୁ କର୍ମକ୍ଷମ ଶ୍ରମବଳ ଆନୁପାତିକ ଭାବେ ହ୍ରାସ ପାଉଥିବାରୁ ତାହା ରାଜ୍ୟର ମୋଟ ଆୟରେ ସଂକୋଚନ ଘଟାଇବା ସ୍ୱାଭାବିକ । କେବଳ ସେତିକି ନୁହେଁ, ଆୟୁରେ ବୃଦ୍ଧି ହେତୁ ନିର୍ଭରଶୀଳ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଫଳରେ ଉଭୟ ସମାଜ ଓ ସରକାରଙ୍କୁ ପେନସନ୍ ଓ ସ୍ୱାସ୍ଥ୍ୟ ବାବଦରେ ଅଧିକ ବ୍ୟୟ କରିବାକୁ ହେଉଛି, ଯାହା ଅର୍ଥନୀତି ଉପରେ ଚାପ ସୃଷ୍ଟି କରୁଛି ।          

ମହିଳାଙ୍କ ପିଛା ଶିଶୁଜନ୍ମ ହାର ଯଥେଷ୍ଟ କମ ହେବା ଯୋଗୁଁ ଆଗାମୀ କିଛି ବର୍ଷ ମଧ୍ୟରେ ସମଗ୍ର ବିଶ୍ୱର ଜନସଂଖ୍ୟା ହ୍ରାସ ପାଇ ବିକଟ ସମସ୍ୟାମାନ ଦେଖାଦେବ ବୋଲି ଜାତିସଂଘ ଚେତାଇ ସାରିଲେଣି । ଆମେରିକା ଓ ଅଷ୍ଟ୍ରେଲିଆରେ 'ଟିଏଫ୍ଆର୍' ୧.୬ ଥିବାବେଳେ, ୨୦୨୨ରେ ୟୁରୋପର ଦେଶଗୁଡ଼ିକରେ ଏହା ଉଦବେଗଜନକ ୧.୪୬ ସ୍ତରରେ ପହଞ୍ଚିଲାଣି । ଏପରିକ ଏକଦା ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନର କଠୋର ଜନସଂଖ୍ୟା ନିୟନ୍ତ୍ରଣ ନୀତି ଯୋଗୁଁ ଦେଶ ଏବେ ଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି । ସେଠାରେ ଦୀର୍ଘ ଦିନ ଧରି ‘ଟିଏଫଆର’ ୧.୬୬ରେ ସ୍ଥିର ରହିବା ପରେ ତାହା ଉଦବେଗଜନକ ଭାବେ ହ୍ରାସ ପାଇବାରୁ ପ୍ରଚଳିତ ‘ଏକ ସନ୍ତାନ ନୀତି’କୁ ୨୦୧୬ ମସିହାରୁ ବାତିଲ କରିବାକୁ ପଡ଼ିଲା । ତଥାପି ୨୦୨୦ ମସିହାରେ ‘ଟିଏଫ୍ଆର୍’ ୧.୨୮କୁ ହ୍ରାସ ପାଇ ୨୦୨୩ରେ ତାହା ୧ରେ ପହଞ୍ଚିଲାଣି । ଜନ୍ମ ତୁଳନାରେ ଅଧିକ ସଂଖ୍ୟକ ଲୋକ ମୃତ୍ୟୁବରଣ କରିଥିବାରୁ ଗତ ଦୁଇ ବର୍ଷ ଧରି ସେଠାରେ ଜନସଂଖ୍ୟା ବୃଦ୍ଧି ହେବା ପରିବର୍ତ୍ତେ ହ୍ରାସ ପାଇବାକୁ ଲାଗିଲାଣି । ଏଭଳି ବିକଟ ସ୍ଥିତିରୁ ମୁକୁଳିବା ଲାଗି ଚୀନରେ ୨୦୨୧ ମସିହାରେ ‘ତିନି ସନ୍ତାନ ନୀତି’ର ପ୍ରଚଳନ ହୋଇ ସରକାରୀ ଭାବେ ଟିକସ ରିହାତି ଓ ଅନ୍ୟାନ୍ୟ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଏହା ସତ୍ତ୍ୱେ ଆଶାନୁରୂପ ଫଳ ମିଳୁନାହିଁ । ତା’ର ଏକ ପ୍ରମୁଖ କାରଣ ହେଉଛି ‘ଏକ ସନ୍ତାନ ନୀତି’ ଯୋଗୁଁ କନ୍ୟା ସନ୍ତାନଙ୍କ ସଂଖ୍ୟା କମ ହୋଇ ପରବର୍ତ୍ତୀ ସମୟରେ ପ୍ରଜନନକ୍ଷମ ମହିଳାଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ଅନ୍ୟ ପକ୍ଷରେ ଅତ୍ୟଧିକ ଅର୍ଥନୈତିକ ଚାପ ଶିଶୁ ପରିପାଳନର ଆନନ୍ଦକୁ ଅନାକର୍ଷଣୀୟ କରିଦେଉଛି । କେବଳ ଚୀନ ନୁହେଁ ଜାପାନ, ସିଙ୍ଗାପୁର, ତାଇୱାନ୍, ହଂକଂ ପରି ଏସିଆର ଅନ୍ୟ କେତେକ ଦେଶରେ ‘ଟିଏଫଆର’ ହ୍ରାସ ପାଇ ଯଥାକ୍ରମେ ୧.୨୬, ୧.୦୪, ୦.୮୭, ୦.୮ରେ ପହଞ୍ଚିଲାଣି । ଦକ୍ଷିଣ କୋରିଆରେ ତ ଏହା ବିଶ୍ୱର ସର୍ବନିମ୍ନ ୦.୭୮ ହେଲାଣି, ଯାହାର ଅର୍ଥ ୧୦୦ ମହିଳା ମାତ୍ର ୭୮ଟି ସନ୍ତାନର ଜନନୀ ହେଉଛନ୍ତି । ‘ଟିଏଫ୍ଆର୍’ ତଳମୁହାଁ ହୋଇସାରିଥିବା ଏହି ସବୁ ଦେଶରେ ସରକାରୀ ତତ୍ପରତା ଓ ପ୍ରୋତ୍ସାହନ ସତ୍ତ୍ୱେ ତାକୁ ଆଉ ଆଶାନୁରୂପ ଭାବେ ଉପରକୁ ଉଠାଇ ହେଉନାହିଁ । ଜନସଂଖ୍ୟାବିଦମାନଙ୍କ ମତରେ ଏହି ସ୍ଥିତି ‘ନିମ୍ନ-ଉତ୍ପାଦିକା ଯନ୍ତା’ ବା ଲୋ-ଫର୍ଟିଲିଟି ଟ୍ରାପ୍’କୁ ଜନ୍ମ ଦେଉଛି, ଯାହା ଅନୁସାରେ ଯଦି ‘ଟିଏଫ୍ଆର୍’ ୧.୫ ବା ୧.୪ରୁ କମ ହୁଏ ତେବେ ତାକୁ ଆଉ ବଢ଼ାଇବା ଅତ୍ୟନ୍ତ କଠିନ ଏପରିକି ଅସମ୍ଭବ ହୋଇଥାଏ । ନିମ୍ନମୁଖୀ ‘ଟିଏଫ୍ଆର୍’ ଯୋଗୁଁ ବିକଶିତ ଦେଶଗୁଡ଼ିକ ଊଣାଅଧିକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ଲାଗିଲେଣି । ତେଣୁ ସେଠାରେ ବହିରାଗତ (ଇମିଗ୍ରାଣ୍ଟସ୍)ଙ୍କ ଆଗମନକୁ  ପ୍ରୋତ୍ସାହିତ କରାଯାଉଛି । 

ବାସ୍ତବ ପକ୍ଷେ ଷ୍ଟାଲିନ ଯେଉଁ ଷୋହଳ ସନ୍ତାନ ଲାଭ କରିବା କଥା କହିଥିଲେ, ତାହା ଏକ ତାମିଲ ଆଶୀର୍ବଚନ, ଯାହା ସାଧାରଣତଃ ନବଦମ୍ପତିମାନଙ୍କୁ ଦିଆଯାଇଥାଏ । ତାହାର ପ୍ରକୃତ ଅର୍ଥ ଅଧିକ ସନ୍ତାନ ଜନ୍ମ କରିବା ନୁହେଁ ବରଂ ଜୀବନରେ ସମୃଦ୍ଧି, ସ୍ଥିରତା, ସଫଳତା, ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ, ସମ୍ପତ୍ତି, ଧର୍ମ, ପରପିଢ଼ିର ଉନ୍ନତି ଭଳି ୧୬ଟି ବର ପ୍ରାପ୍ତି । ତେବେ ରାଜନୈତିକ ଓ ଅର୍ଥନୈତିକ କାରଣରୁ ଷ୍ଟାଲିନଙ୍କ ଉକ୍ତିରେ ନବଦମ୍ପତିଙ୍କ ସକାଶେ ଯେ ଅଧିକ ଶିଶୁ ଜନ୍ମ କରିବାର ପରାମର୍ଶ ଥିଲା, ତାହା ନିଃସନ୍ଦେହ । 

 ‘ଏନଏଫଏଚଏସ-୫’ର ରିପୋର୍ଟ ଅନୁସାରେ ବିବେଚନା କଲେ ଜଣାଯାଏ ଯେ ଓଡ଼ିଶାରେ ମହିଳାଙ୍କ ‘ଟିଏଫଆର’ ହେଉଛି ୨.୧୪, ଯାହା ସନ୍ତୋଷଜନକ ମନେହୁଏ । ତେଣୁ ଏଠାରେ ଜନସଂଖ୍ୟାକୁ ଅଧିକ ନିୟନ୍ତ୍ରଣ କରିବାର ପ୍ରୟାସରୁ ବିରତ ରହିବା ଆବଶ୍ୟକ । ଆନ୍ଧ୍ରପ୍ରଦେଶ ପରି ଏଠାରେ ମଧ୍ୟ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ନିର୍ବାଚନ ଲଢ଼ିବା ପାଇଁ ଥିବା ‘ଦୁଇ-ଶିଶୁ ନୀତି’ର ପରିବର୍ତ୍ତନ କରାଯିବା ଆବଶ୍ୟକ । ମହିଳାଙ୍କ ପିଛା ଶିଶୁ ଜନ୍ମହାର ଅନ୍ତତଃ ପକ୍ଷେ ୨.୧ର ‘ପ୍ରତିପୂର୍ତ୍ତି ସ୍ତର’ରେ ବଳବତ୍ତର ରଖିବା ଲାଗି ସରକାରୀ ସ୍ତରରେ ପ୍ରୟାସ ଓ ପ୍ରୋତ୍ସାହନ ପ୍ରଦାନର ଆବଶ୍ୟକତା ରହିଛି । ନହେଲେ ଭବିଷ୍ୟତରେ ‘ଅତି ଛୋଟ ପରିବାର ଦୁଃଖୀ ସରକାର’ର କାରଣ ହୋଇପାରେ ।


Published in Sambad on October 29, 2024


Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍