Skip to main content

ଓଡ଼ିଶା ରାଜନୀତିରେ ଆଉ ଏକ ମଧ୍ୟାନ୍ତର

ଓଡ଼ିଶା ବିଧାନସଭା ପାଇଁ ୨୦୨୪ରେ ଅନୁଷ୍ଠିତ ନିର୍ବାଚନରେ ବିଜେପି କ୍ଷମତାସୀନ ହୋଇଛି। ହେଲେ ମତଦାତାମାନେ ଦଳକୁ ଲୋକସଭା ଆସନଗୁଡ଼ିକରେ ଯେଉଁଭଳି ଅକୁଣ୍ଠ ସମର୍ଥନ ଦେଇ ୨୧ଟିରୁ ୨୦ଟି ଆସନରେ ବିଜୟୀ କରାଇଛନ୍ତି, ରାଜ୍ୟରେ ସରକାର ଗଠନ ଲାଗି ସେଭଳି ଅକୁଣ୍ଠ ସମର୍ଥନ ଦେଇନାହାନ୍ତି । ସେଭଳି ହୋଇଥିଲେ ଦଳ ଅନ୍ତତଃ ୧୦୦ରୁ ଅଧିକ ଆସନରେ ବିଜୟୀ ହୋଇଥାନ୍ତା। ଦଳ ମାତ୍ର ୭୮ଟି ସ୍ଥାନରେ ବିଜୟୀ ହେବାର ଅର୍ଥ ଲୋକମାନେ ବିଜେଡ଼ି ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ଅଧିକ ତତ୍ପରତା ପ୍ରଦର୍ଶନ କରିଥିବାରୁ ଏହାକୁ ବିଜେପି ସରକାର ଗଠନ ସପକ୍ଷରେ ଏକ ସକାରାତ୍ମକ ଭୋଟ ବୋଲି କୁହାଯାଇ ନପାରେ । ଫଳାଫଳ ଘୋଷଣା ପରେ ରାଜ୍ୟ ରାଜନୀତି ଆଉ ଏକ ମଧ୍ୟାନ୍ତରରେ ଉପନୀତ ହୋଇଛି ବୋଲି କୁହାଯାଇପାରେ। ବିଜେପି ଅପେକ୍ଷାକୃତ ଶକ୍ତିଶାଳୀ ଓ ବିଜେଡି ଦୁର୍ବଳ ହୋଇ ଉଭୟ ଦଳ ପ୍ରାୟ ସମାନ ସ୍ଥିତିରେ ପହଞ୍ଚି ଯାଇଥିଲାବେଳେ କଂଗ୍ରେସ ତା’ର ପ୍ରଦର୍ଶନକୁ ପୂର୍ବାପେକ୍ଷା ଭଲ କରିବାକୁ ସମର୍ଥ ହୋଇଛି। ଅର୍ଥାତ୍ ପ୍ରତିଟି ଦଳ ପାଇଁ ଆଗାମୀ ଦିନରେ ବିସ୍ତାର ଲାଗି ସମ୍ଭାବନା ସୃଷ୍ଟି ହୋଇଥିବାରୁ ପ୍ରତିଟି ଦଳ ନିଜ ନିଜ ରଣନୀତିକୁ ଅତି ସୂକ୍ଷ୍ମ ଭାବେ ଓ ସତର୍କତାର ସହିତ ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି ।

ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବିଜେପିର ପ୍ରସାର ଯଥେଷ୍ଟ ଅଧିକ ହୋଇଥିବାରୁ ଦଳ ରାଜ୍ୟରେ ୨୦ଟି ଲୋକସଭା ଆସନ ଜିତିବା ସହ ୭୮ଟି ବିଧାନସଭା ଆସନ ଜିତି ସରକାର ଗଠନ କରିବାକୁ ସମର୍ଥ ହୋଇଛି। କିନ୍ତୁ ଏବେ ମଧ୍ୟ ଗଜପତି, ରାୟଗଡ଼ା, ଦେଓଗଡ଼ ଓ ନୂଆପଡ଼ା ପରି ୪ଟି ଜିଲ୍ଲାର କୌଣସି ଆସନରେ ଦଳ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇନାହିଁ । ସମ୍ୱଲପୁର, କେଉଁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୋନପୁର, କନ୍ଧମାଳ, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାରେ ଉଭୟ ବିଜେପି ଓ ବିଜେଡି ସମାନ ସଂଖ୍ୟକ ଆସନ ପାଇଥିବା ବେଳେ ସୁନ୍ଦରଗଡ଼, କଳାହାଣ୍ତି, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଭଳି ଜିଲ୍ଲାଗୁଡ଼ିକରେ ଦଳ ବିଜେଡିଠାରୁ କମ ସଂଖ୍ୟକ ଆସନ ପାଇଛି । ଅର୍ଥାତ୍, ଦଳର ସଫଳଟା ମୁଖ୍ୟତଃ  ୫୦ ପ୍ରତିଶତରୁ ଅଧିକ ଆସନ ମିଳିଥିବା ଗଞ୍ଜାମ, ମୟୂରଭଞ୍ଜ, ଢେଙ୍କାନାଳ, ଝାରସୁଗୁଡ଼ା, ବୌଦ, ବରଗଡ଼, ବଲାଙ୍ଗିର, ଅନୁଗୁଳ, ନବରଙ୍ଗପୁର ଓ ପୁରୀ ଭଳି ମାତ୍ର ୧୦ଟି ଜିଲ୍ଲାରେ କେନ୍ଦ୍ରିତ। ତେଣୁ ରାଜ୍ୟର ସର୍ବତ୍ର ଗ୍ରହଣୀୟ ହେବା ଲାଗି ବିଜେପିକୁ ଏବେ ବି ପ୍ରୟାସ କରିବାକୁ ହେବ। ଏଯାଏ ଉନ୍ନତ ସାଂଗଠନିକ ଶକ୍ତି, ଅର୍ଥବଳ, ରଣନୀତି ଓ ନିରନ୍ତର ପ୍ରୟାସକୁ ଆଧାର କରି ଦଳ ତା’ର ବିସ୍ତାର କରିବାକୁ ସମର୍ଥ ହୋଇଛି। ଏଣିକି ରାଜ୍ୟରେ କ୍ଷମତାଲାଭ ଦଳର ବିସ୍ତାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରେ । 

'ପାଣ୍ଡିଆନ ପ୍ରକରଣ' ବିଜେଡ଼ି ପରାଜୟର ମୁଖ୍ୟ କାରଣ ବୋଲି ଏତେ ଅଧିକ କୁହାଯାଉଛି ଯେ ଅନ୍ୟାନ୍ୟ ବାସ୍ତବ କାରଣଗୁଡ଼ିକ ଉପରୁ ଲୋକଙ୍କ ଧ୍ୟାନ ଅପସାରିତ ହୋଇଯାଉଛି । ଗତ ଦଶ ବର୍ଷ ଧରି ଦଳର ଘୋଷିତ ନୀତି ‘ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ’ ହୋଇଥିଲେ ବି ଗତ ୫ ବର୍ଷ ମଧ୍ୟରେ ଏହା ବିଜେପିର ଅଧିକ ନିକଟତର ହୋଇଥିଲା । ଏନଡିଏ ମେଣ୍ଟରେ ନ ଥାଇବି ବିଜେଡ଼ି ଏକ ସହଯୋଗୀ ଦଳ ଭାବେ କାର୍ଯ୍ୟ କରୁଛି ବୋଲି ସାଧାରଣରେ ଧାରଣାଟିଏ ସୃଷ୍ଟି ହୋଇଆସିଥିଲା । ସଂସଦରେ ଭୋଟଦାନ ସମୟରେ ବିଭିନ୍ନ ପ୍ରସଙ୍ଗରେ, ଏପରିକି କିଛି ଅଗଣତାନ୍ତ୍ରିକ ବିଲକୁ ପାରିତ କରିବାରେ, ବିଜେଡି ବିରୋଧୀ ଦଳର ଭୂମିକା ନିର୍ବାହ କରିବା ତ ଦୂରର କଥା ବିଜେପିକୁ ଆଖିବୁଜା ସମର୍ଥନ ଦେଇଆସିଥିଲା । ରାଜ୍ୟ ସ୍ୱାର୍ଥରେ ବା ଜାତୀୟ ସ୍ୱାର୍ଥରେ ସେପରି କରାଯାଇଛି ବୋଲି ସଫେଇଟିଏ ଦିଆଯାଉଥିଲେ ବି ତଦ୍ଦ୍ୱାରା ଆଜିଯାଏ ରାଜ୍ୟର କି ସ୍ୱାର୍ଥ ହାସଲ ହୋଇଛି ତାହା ଅଜ୍ଞାତ । ଗତ ଲୋକସଭାରେ ଉଭୟ ବିଜେଡି ଓ ଜଗନମୋହନଙ୍କ ୱାଇଏସସିଆରପି ଦଳ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଏଭଳି ସମର୍ଥନ କରୁଥିଲେ ଯେ ସେମାନେ ବିଜେପିର ବି ଟିମ୍ ବୋଲି ଧାରଣାଟିଏ ଜନମାନସରେ ବସା ବାନ୍ଧିଥିଲା। ଉଲ୍ଲେଖଯୋଗ୍ୟ ଯେ ଉଭୟ ଦଳଙ୍କୁ ସେଥିପାଇଁ ଦଣ୍ଡିତ ହେବାକୁ ହୋଇଛି। ନିଜ ଦଳର କାହାକୁ ନ ପଠାଇ ବିଜେପି ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ଦୁଇ ଥର ରାଜ୍ୟସଭାକୁ ପଠାଇବା ଉଭୟ ଦଳଙ୍କ ମଧ୍ୟରେ ଥିବା ଭିତିରି ସମ୍ପର୍କକୁ ନେଇ ଓଡ଼ିଶାବାସୀଙ୍କ ମନରେ ସଂଶୟଟିଏ ସୃଷ୍ଟି କରିଥିଲା। ନିର୍ବାଚନ ଘୋଷଣାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ମେଣ୍ଟଗଠନର ସମ୍ଭାବନା ନେଇ ଆଲୋଚନା ଜାରି ରହିବା ସେହି ସମ୍ପର୍କର ପ୍ରଗାଢ଼ତାକୁ ଇଙ୍ଗିତ କରୁଥିଲା। ବିଜେଡ଼ି ବିଜେପିର ଅତ୍ୟଧିକ ନିକଟତର ହୋଇଥିବାର ଅବଧାରଣାଟିଏ ସୃଷ୍ଟି ହେବା ହିଁ ଦଳର ବିପର‌୍ୟ୍ୟର ଏକ ବଡ଼ କାରଣ । କିଛି ମତଦାତା ମନେ କଲେ ଯେ ବିଜେଡିକୁ ଭୋଟ ଦେଲେ ସେମାନେ ବିରୋଧୀ ଦଳ ଭାବେ କାମ ନ କରି ପ୍ରତି ପ୍ରସଙ୍ଗରେ ବିଜେପିକୁ ସୁହଇଲା ଭଳି କାମ କରିବେ। ବିଜେପିର ବି ଟିମକୁ ଭୋଟ ଦେବା ଅପେକ୍ଷା ବିଜେପିକୁ ସିଧାସଳଖ ଭୋଟ ଦେବା ବରଂ ଭଲ। ଫଳରେ ବିଜେଡି ପାଇ ଆସୁଥିବା କିଛି ବିଜେପି-ବିରୋଧୀ ଭୋଟ ଏଥର ବିଡେଜିକୁ ନ ଯାଇ କଂଗ୍ରେସ ବା ଅନ୍ୟ ଦଳଗୁଡ଼ିକୁ ଗଲା ଓ ଦଳର ଭୋଟ ୨୦୧୯ ତୁଳନାରେ ପ୍ରାୟ ୫ ପ୍ରତିଶତ ହ୍ରାସ ପାଇ ୪୦.୨୨ ପ୍ରତିଶତରେ ପହଞ୍ଚିଲା ।

ଏବେ ପ୍ରଶ୍ନ ଉଠୁଛି ବିଜେଡିର ପୁନରୁତ୍ଥାନ ସମ୍ଭବ କି, ଯାହାର ଉତ୍ତର ହେବ ସ୍ପଷ୍ଟ ହଁ। କାରଣ ଦଳ କ୍ଷମତାଚ୍ୟୁତ ହୋଇଥିଲେ ବି ଏହା ଏବେ ମଧ୍ୟ ରାଜ୍ୟରେ ଏକ ନମ୍ୱର ଦଳ ହୋଇରହିଛି। ଏହା ୫୧ଟି ଆସନରେ ବିଜୟୀ ହୋଇଥିଲେ ବି ୯୦ଟି ଆସନରେ ଦ୍ୱିତୀୟ ଆସନରେ ରହିଛି । ଅର୍ଥାତ୍ ୧୪୧ଟି ଆସନରେ ବିଜେଡି ଲଢ଼େଇରେ ଅଛି। ଅନ୍ୟପକ୍ଷରେ ବିଜେପି ୭୮ଟି ଆସନରେ ଜିତିଥିଲେ ବି ମାତ୍ର ୪୪ଟିରେ ଦ୍ୱିତୀୟ ସ୍ଥାନରେ ଅଛି। ତେଣୁ ବିଜେପି ସମୁଦାୟ ୧୨୨ଟି ଆସନରେ ଲଢ଼େଇରେ ଅଛି ଯାହା ବିଜେଡି ତୁଳନାରେ ଯଥେଷ୍ଟ କମ୍ । ପୁନଶ୍ଚ,  ବିଜେପି ଅଧିକ ସଂଖ୍ୟକ ଆସନରେ ବିଜୟୀ ହୋଇଛି ସତ ହେଲେ ସାମାନ୍ୟ ଅଧିକ ସଂଖ୍ୟକ ଲୋକ ବିଜେଡିକୁ ଭୋଟ ଦେଇଛନ୍ତି। ବିଜେଡି ସମୁଦାୟ ୧,୦୧,୦୨୪୫୪ ଭୋଟ ପାଇଥିବା ବେଳେ ବିଜେପି ପାଇଥିବା ସମୁଦାୟ ଭୋଟ ସଂଖ୍ୟା ୧,୦୦,୬୪,୮୨୭। ଅଧିକ ଭୋଟ ପାଇ କମ ସଂଖ୍ୟକ ଆସନ ହାସଲ କରିବାର କାରଣ ହେଉଛି ପ୍ରାୟ ୨୫ଟି ଆସନରେ ବିଜେଡ଼ି ୧୦୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ବିଜେପି ୪୫ଟି ଆସନରେ ୧୦୦୦୦ରୁ କମ ଭୋଟରେ ଜିତିଛି । ବରୀ (୫୧୦୦୦), ବେଗୁନିଆ (୪୭୦୦୦) ଓ ଚମ୍ପୁଆ (୩୯୦୦୦) ଭଳି ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ହୋଇଥିବା ପ୍ରଥମ ତିନୋଟି ଆସନ ବିଜେଡ଼ି ସପକ୍ଷରେ ଯାଇଛି। କୌଣସି ଆସନ ଦଖଲ ପାଇଁ ବହୁତ ଅଧିକ ଭୋଟ ମିଳିବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ ଜିତିବାଲାଗି ଆବଶ୍ୟକ ସର୍ବନିମ୍ନ ସୀମାବର୍ତ୍ତୀ (ଥ୍ରେସହୋଲ୍ଡ) ଭୋଟ ହାସଲ କରିବା। ଏ କ୍ଷେତ୍ରରେ ଅନେକ ଆସନରେ ବିଜେଡି ସେହି ଥ୍ରେସହୋଲଡ ଭୋଟ ହାସଲ କରିବାରେ ଅସଫଳ ହୋଇଥିବାରୁ ତା’ର ଆସନ ସଂଖ୍ୟା କମିଛି । ତେଣୁ ବିଜେଡ଼ିର କିଛି ନୀତି ଓ କାର‌୍ୟ୍ୟଶୈଳୀ ପ୍ରତ୍ୟାଖ୍ୟାତ ହୋଇଥିଲେ ବି ରାଜ୍ୟବାସୀ ନେତା ଓ ଦଳକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିହେବ ନାହିଁ। ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ ନେଇ ଆଲୋଚନା କରାଯାଇପାରେ । ତେବେ ବାସ୍ତବତା ହେଉଛି ନିର୍ବାଚନ ହାରିବା ସତ୍ତ୍ୱେ ଏବେ ମଧ୍ୟ ତାଙ୍କ ଲୋକପ୍ରିୟତା, ବିଶେଷ କରି ଗ୍ରାମାଞ୍ଚଳରେ ଓ ମହିଳାମାନଙ୍କ ନିକଟରେ, ଅତୁଟ ରହିଥିବାର ପରିଲକ୍ଷିତ ହେଉଛି। ନବୀନ ପଟ୍ଟନାୟକଙ୍କ ଏହି ଲୋକପ୍ରିୟତା (ବ୍ରାଣ୍ଡ ଇମେଜ) ମଳିନ ପଡ଼ିବା ପୂର୍ବରୁ ତାକୁ ଆଧାର କରି ତୁରନ୍ତ କେତେଗୁଡ଼ିଏ ପଦକ୍ଷେପ ନିଆଗଲେ, ଦଳ ଦ୍ରୁତ ପୁନଃସଂଗଠିତ ହୋଇପାରିବ। ଦଳ ଏବେ ସରକାରରେ ନାହିଁ। ଫଳରେ ବିଜେପି ଓ କଂଗ୍ରେସଠାରୁ ସମ ଦୂରତ୍ୱ ରକ୍ଷା କରିବା ନୀତିର ଆଉ କିଛି ଅର୍ଥ ଥିଲା ଭଳି ମନେ ହୁଏନାହିଁ। ତେଣୁ ଦଳକୁ ସେହି ନୀତିର ପୁନର୍ବିଚାର କରି କୌଣସି ଗୋଟିଏ ମେଣ୍ଟରେ ଯୋଗଦାନ କରିବାକୁ ପଡ଼ିବ। କିନ୍ତୁ ବିଜେପି ଓଡିଶାରେ ନିଜର ବିସ୍ତାରକୁ ପ୍ରାଧାନ୍ୟ ଦେବା ସ୍ୱାଭାବିକ ହୋଇଥିବାରୁ ଏନଡିଏରେ ସାମିଲ ହେଲେ ତାହା ବିଜେଡି ପକ୍ଷରେ ଆତ୍ମଘାତୀ ହେବ। ତେଣୁ ‘ଇଣ୍ଡିଆ’ରେ ସାମିଲ ହେବା ଦଳ ପାଇଁ ଉପଯୋଗୀ ହୋଇପାରେ। ଦୀର୍ଘ ୨୪ ବର୍ଷ ଧରି ବିଜେଡ଼ିର ନେତାମାନେ ବିଭିନ୍ନ ଭାବେ କ୍ଷମତା ଉପଭୋଗ କରିଆସିଥିବାରୁ ବିଜେଡିରେ ରହି କ୍ଷମତାଲାଭର ସମ୍ଭାବନା ଟିକକ ଖୋଜି ନ ପାଇଲେ ତନ୍ମଧ୍ୟରୁ କିଛି ବିଧାୟକ, ସାଂସଦ ଦଳ ବଦଳାଇବାକୁ ତତ୍ପର ହୋଇପାରନ୍ତି। ଇତିମଧ୍ୟରେ ତାର ପ୍ରଥମ ଉଦାହରଣ ଦେଖିବାକୁ ମିଳି ସାରିଲାଣି ରାଜ୍ୟସଭାର ବିଜେଡ଼ି ସାଂସଦ ଦଳ ତ୍ୟାଗ କରି ବିଜେପିରେ ମିଶିବା ପରେ । ଏଣେ ବିଜେପି ସଂଖ୍ୟାଗରିଷ୍ଠତାଠାରୁ ସାମାନ୍ୟ ଅଧିକ ଆସନ ପାଇଥିବାରୁ ସରକାରକୁ ସ୍ଥିରତା ପ୍ରଦାନ କରିବା ଲାଗି ଦଳ ତରଫରୁ ଅନ୍ୟ ଦଳର ବିଧାୟକଙ୍କୁ ପ୍ରଲୋଭିତ କରି ନିଜ ଦଳରେ ମିଶାଇବାର ପ୍ରୟାସ ହୋଇପାରେ। ଅତୀତରେ ବିଜେପି ଅନ୍ୟ କିଛି ରାଜ୍ୟରେ ଏହି ପନ୍ଥା ଅନୁସରଣ କରିସାରିଛି। ଦଳର ବିଘଟନକୁ ରୋକି ନିଜ ବିଧାୟକଙ୍କୁ ଏକଜୁଟ ରଖିବାକୁ ହେଲେ ବିଜେଡିକୁ ସଂଖ୍ୟାଗରିଷ୍ଠତାର ନିକଟତର ହୋଇ କ୍ଷମତା ଦଖଲ କରିବାକୁ ପ୍ରୟାସ କରିବାକୁ ହେବ। କ୍ଷମତାଲାଭର ସମ୍ଭାବନା ହିଁ ଏକ ଅଠା ପରି କାମ କରିଥାଏ, ଯାହା ନେତାମାନଙ୍କୁ ଦଳ ସହିତ ଯୋଡି ହୋଇ ରହିବାକୁ ବାଧ୍ୟ କରିଥାଏ। ବିଜେଡି ‘ଇଣ୍ଡିଆ’ ମେଣ୍ଟରେ ସାମିଲ ହେଲେ ରାଜ୍ୟ ବିଧାନସଭାରେ କଂଗ୍ରେସ ଓ ସିପିଏମର ସଦସ୍ୟଙ୍କୁ ମିଶାଇ ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ୬୬ରେ ପହଞ୍ଚିବ, ଯାହା ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୭୪ରୁ ମାତ୍ର ୮ କମ । ଉଲ୍ଲେଖଯୋଗ୍ୟ ଯେ ଟିକେଟ ନ ପାଇ ବିଜେଡିରୁ ଦଳ ପରିବର୍ତ୍ତନ କରି ବିଜେପିରୁ ଲଢି ନିର୍ବାଚନ ଜିତିଥିବା ଓ ମନ୍ତ୍ରୀ ହୋଇନଥିବା କିଛି ବିଧାୟକ ଅଛନ୍ତି, ଯେଉଁମାନଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । କ୍ଷମତାକୁ ଫେରିବାର ସମ୍ଭାବନା ହିଁ ଦଳକୁ ବିଘଟନରୁ ରକ୍ଷା କରିପାରେ । ଅଧିକନ୍ତୁ ଲୋକସଭାରେ ଦଳର କୌଣସି ପ୍ରତିନିଧିତ୍ୱ ନଥିଲେ ବି ରାଜ୍ୟସଭାରେ ୮ ଜଣ ସଦସ୍ୟ ଥିବାରୁ ମେଣ୍ଟରେ ରହି ଦଳର ସାଂସଦମାନେ ନିଜର ଉପସ୍ଥିତିକୁ ଦୃଢ଼ତାର ସହିତ ଜାହିର କରିପାରିବେ। ତେବେ ବିଜେଡି ପକ୍ଷରେ ଇଣ୍ଡିଆ ମେଣ୍ଟରେ ସାମିଲ ହେବାର ଅନ୍ତରାୟ ହୋଇପାରେ ଦଳର କଂଗ୍ରେସ ବିରୋଧୀ ମାନସିକତା। ହେଲେ ଗତ କିଛି ବର୍ଷ ମଧ୍ୟରେ କଂଗ୍ରେସର ଅନେକ ନେତାଙ୍କୁ ବିଜେଡ଼ି ଦଳରେ ଗ୍ରହଣ କରିଛି ଓ ସେମାନଙ୍କ ମଧ୍ୟରୁ ଅନେକ ନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି। ତେଣୁ କଂଗ୍ରେସ ନେତାଙ୍କ ଗ୍ରହଣୀୟତା ଉପରେ କୌଣସି ପ୍ରଶ୍ନ ଉଠୁନାହିଁ। ସାରା ଭାରତରେ କଂଗ୍ରେସ ବିରୋଧୀ ରାଜନୀତି କରିଆସିଥିବା ଆରଜେଡି, ସମାଜବାଦୀ ପାର୍ଟି, ଏନସିପି, ଶିବସେନା ଆଦି ଅନେକ ଦଳ ଏବେ କଂଗ୍ରେସ ସହ ଗୋଟିଏ ମେଣ୍ଟରେ କାମ କରିବାକୁ କୁଣ୍ଠାବୋଧ କରୁନଥିବା ବେଳେ ବିଜେଡି କୁଣ୍ଠାପ୍ରକାଶ କରିବାର କାରଣ ନଥାଇପାରେ। ତାଛଡ଼ା ଏବର କଂଗ୍ରେସର ସ୍ଥିତି ଆଉ ସେପରି ନୁହେଁ ଯେ ଏକା ମେଣ୍ଟରେ ରହି ତାହା ବିଜେଡିର କ୍ଷତି କରିପାରିବ।       

ଏଥର କଂଗ୍ରେସର ବିଧାୟକ ସଂଖ୍ୟା ୯ରୁ ବଢ଼ି ୧୪ ହୋଇଛି ଓ ୧୧ଟି ଆସନରେ ଏହା ଦ୍ୱିତୀୟ ସ୍ଥାନରେ ରହିଛି।  ଦଳ ପୂର୍ବଥର ଭଳି କୋରାପୁଟ ଲୋକସଭା ଆସନଟିକୁ ନିଜ ଅକ୍ତିଆରରେ ରଖିବାକୁ ସମର୍ଥ ହୋଇଛି । ଦଳର ଭୋଟ ହାର କମିଥିଲେ ବି ୨୪ ବର୍ଷ ଧରି କ୍ଷମତା ବାହାରେ ଥାଇ ଏବେ ମଧ୍ୟ ଦଳ ସପକ୍ଷରେ ୩୩ ଲକ୍ଷରୁ ଅଧିକ ମତଦାତା ଭୋଟ ଦେବା ଦଳ ପାଇଁ ଉତ୍ସାହଜନକ ହୋଇପାରେ । ଏହାକୁ ଆଧାର କରି ଦଳ ଆଗାମୀ ଦିନରେ ବିସ୍ତାରର ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ। ରାୟଗଡା ଓ କୋରାପୁଟ ଜିଲ୍ଲାରେ ଦଳର ପ୍ରଦର୍ଶନ ଅତି ଭଲ ହୋଇଥିଲାବେଳେ ଅନ୍ୟ ଜିଲ୍ଲାର ନିର୍ଦ୍ଦିଷ୍ଟ କିଛି ଆସନରେ ସ୍ଥାନୀୟ ନେତାଙ୍କ ଲୋକପ୍ରିୟତା ଯୋଗୁ ଦଳ ଜିତିଛି । କିଛି ଆସନରେ ତ ଲଢେଇ ତ୍ରିମୁଖୀ ହୋଇ ଫଳାଫଳକୁ ପ୍ରଭାବିତ କରିଛି । ତେଣୁ ମେଣ୍ଟକୁ ସୁଦୃଢ଼ କରି ହେଉ ଅବା କିଛି ଆସନରେ କୌଶଳଗତ ମେଣ୍ଟ କରି ହେଉ ଦଳ ନିଜର ସ୍ଥିତିକୁ ଅଧିକ ମଜବୁତ କରିପାରିବ ।

ବଣାଇ ଆସନରୁ ସିପିଏମର ଲକ୍ଷ୍ଣଣ ମୁଣ୍ଡା ବାରମ୍ୱାର ବିଜୟ ଲାଭ କରିବା ଗୋଟିଏ କଥାକୁ ଇଙ୍ଗିତ କରୁଛି ଯେ ପ୍ରତିକୂଳ ପରିସ୍ଥିତିରେ ବି ନେତାଙ୍କ ଲୋକପ୍ରିୟତା ଓ ଦଳର ସାଙ୍ଗଠନିକ ଶକ୍ତି ଗୋଟିଏ ଅପେକ୍ଷାକୃତ ଛୋଟ ଦଳକୁ ବିଜୟର ସ୍ୱାଦ ଚଖାଇପାରେ। ତେଣୁ ଏଥିରୁ ବାମ ଦଳ, ଆପ୍ ଭଳି ଅନ୍ୟାନ୍ୟ ଛୋଟ ଦଳଗୁଡ଼ିକୁ ବାର୍ତ୍ତା ସ୍ପଷ୍ଟ ଯେ କେବଳ ଲଢ଼ିବା ପାଇଁ ନ ଲଢ଼ି ନିଜ ସମ୍ୱଳ ଓ ସାଙ୍ଗଠନିକ ଶକ୍ତିକୁ ଅଳ୍ପ କେତୋଟି ଆସନରେ କେନ୍ଦ୍ରିତ କରି ଏକ ନିର୍ଦ୍ଦିଷ୍ଟ ରଣନୀତି ସହ ଲଢ଼ାଗଲେ ହୁଏତ ବିଜୟର ଦ୍ୱାରଦେଶରେ ପହଞ୍ଚିହେବ ।                            

ଅତୀତ ଓ ବର୍ତ୍ତମାନର ଅନୁଭବ କହୁଛି, ଓଡ଼ିଶାର ଶାସନଭାର ଯେତେବେଳେ ବି କୌଣସି ଜାତୀୟ ରାଜନୈତିକ ଦଳ ହାତକୁ ଯାଇଛି, ସେତେବେଳେ ଏହା ଏକ କରଦ ରାଜ୍ୟରେ ପରିଣତ ହୋଇଛି ଓ ଓଡ଼ିଶାରୁ ଶିଖର ନେତୃତ୍ୱର ବିକାଶ ହୋଇପାରିନାହିଁ। ରାଜ୍ୟ ଶାସନ ପାଣ୍ଡିଆନଙ୍କ ପରି ଜଣେ ତାମିଲଙ୍କ କରାୟତ୍ତ ହେବାର ବଖାଣଟି ଲାଗି ୨୦୨୪ ନିର୍ବାଚନରେ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତା ଏକ ବଡ଼ ପ୍ରସଙ୍ଗ ହୋଇ ଫଳାଫଳକୁ ମାତ୍ରାଧିକ ପ୍ରଭାବିତ କଲା। କିନ୍ତୁ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଚୟନରେ ବିଳମ୍ୱ ହେଉ ବା ରାଜ୍ୟପାଳଙ୍କ ପୁଅ ଦ୍ୱାରା ଓଡ଼ିଆ ପୁଲିସ ଅଫିସର ମାଡ଼ ଖାଇଲା ପରେ ପ୍ରଶାସନିକ ନିଷ୍କ୍ରିୟତା ହେଉ,  ତାହା କ’ଣ ଓଡ଼ିଶାର ସ୍ୱାଭିମାନକୁ ଆଘାତ ପହଞ୍ଚାଉ ନାହିଁ କି? ଲୋକସଭାରେ ୧୬ ଜଣ ସାଂସଦଙ୍କ ସହ ଆନ୍ଧ୍ରପ୍ରଦେଶ ଜାତୀୟ ସ୍ତରରେ ଯେଉଁ ଗୁରୁତ୍ୱ ପାଉଛି ବା ଆହୁରି ଛୋଟ ଛୋଟ ଆଞ୍ଚଳିକ ଦଳଗୁଡ଼ିକ ଯେଉଁ ଗୁରୁତ୍ୱ ପାଉଛନ୍ତି, ରାଜ୍ୟରୁ ବିଜେପିକୁ ୨୦ ଜଣ ସାଂସଦ ଦେଇଥିବା ଓଡ଼ିଶା କ’ଣ ଅନୁରୂପ ଗୁରୁତ୍ୱ ପାଉଛି? ତେଣୁ କୌଣସି ଜାତୀୟ ରାଜନୈତିକ ଦଳ ଦ୍ୱାରା ଓଡ଼ିଶାର ସ୍ୱାଭିମାନ ସୁରକ୍ଷିତ ରହିବା ସମ୍ଭବ ନୁହେଁ। ଏହା କେବଳ ଏକ ଆଞ୍ଚଳିକ ଦଳ ଦ୍ୱାରା ସମ୍ଭବ ଯିଏ କୌଣସି ଜାତୀୟ ଦଳକୁ ଅନ୍ଧ ଭାବେ ସମର୍ଥନ କରି ଗୋଡ଼ାଣିଆ ସାଜୁ ନଥିବ । ପୁନଶ୍ଚ ଅନ୍ୟ ରାଜ୍ୟଗୁଡ଼ିକ ପରି ଓଡ଼ିଶାରେ ଜାତିଗତ ରାଜନୀତିର ଚେର ଭିଡ଼ି ନଥିବାରୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳର ଅନୁପସ୍ଥିତିରେ ଗୁଜରାଟ ଓ ମଧ୍ୟପ୍ରଦେଶ ପରି ଓଡ଼ିଶାକୁ ହିନ୍ଦୁତ୍ୱର ନୂଆ ପରୀକ୍ଷାଗାରରେ ରୂପାନ୍ତରିତ କରିବା ବିଜେପି ପକ୍ଷରେ ଅପେକ୍ଷାକୃତ ସହଜ । ଥରେ ସେଥିରେ ସଫଳ ହେଲେ ଅନ୍ୟ ଦଳଗୁଡ଼ିକ ଲାଗି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ଆଉ ସେତେଟା ସହଜ ହେବନାହିଁ । ଅନ୍ୟ ଦଳଗୁଡ଼ିକ ଏକଜୁଟ ହେଲେ ଯାଇ ବିଜେପିର ବିସ୍ତାରକୁ ପ୍ରତିହତ କରିପାରିବେ । ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଭଳି ଶକ୍ତିଶାଳୀ ଆଞ୍ଚଳିକ  ଦଳ ଥିବା ରାଜ୍ୟଗୁଡ଼ିକରେ ବିଜେପି କେଉଁଠି କେମିତି କ୍ଷମତାସୀନ ହୋଇଥିଲେ ବି ସେହି ରାଜ୍ୟଗୁଡ଼ିକୁ ହିନ୍ଦୁତ୍ୱର ପରୀକ୍ଷାଗାର କରିବାକୁ ସମର୍ଥ ହୋଇନାହିଁ । ଏହି ବାସ୍ତବତାକୁ ଉପଲବ୍ଧି କରି ବିଭିନ୍ନ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ଜାତୀୟ ଦଳଙ୍କ ସହ ରାଜ୍ୟରେ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ରହିବା ନିହାତି ଆବଶ୍ୟକ। ତେଣୁ ସେହି ଭୂମିକାଟିକୁ ସମ୍ପାଦନ କରିବା ଲାଗି କାଳବିଳମ୍ୱ ନ କରି ବିଜେଡିକୁ ପୁନଃସଂଗଠିତ ହେବାକୁ ହେବ ଓ ନିଜ ନୀତି ଏବଂ କାର୍ଯ୍ୟଶୈଳୀରେ ଯଥେଷ୍ଟ ପରିବର୍ତ୍ତନ ଆଣିବାକୁ ହେବ। ଅନ୍ୟଥା ଦଳର ବିଘଟନ ହେବା ଓ ଏକ ନୂତନ ଆଞ୍ଚଳିକ ଦଳର ଅଭ୍ୟୁଦୟ ହୋଇ ସେହି ସ୍ଥାନଟି ଅଧିକୃତ ହେବା କିଛି ଅସମ୍ଭବ ନୁହେଁ।


Published in 15-31 August 2024 issue of Samadrushti  

 

Comments

  1. A good analytical article

    ReplyDelete
  2. Nabin Kumar Parida3 October 2024 at 16:03

    A nice analytical article with predictions. Formation of a new regional party will be good for our state.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍