Skip to main content

Posts

Showing posts from August, 2024

ଆଳୁ ଓ ଓଡ଼ିଆ ଅସ୍ମିତା

ଜୁଲାଇ ଆସିଲେ ଆଳୁର ଦର ବୃଦ୍ଧି ଓଡ଼ିଆଙ୍କ ଚିନ୍ତା ବଢ଼ାଏ । ଏଥର ତ ଏହା ସମସ୍ତଙ୍କୁ ନୟାନ୍ତ କରିସାରିଲାଣି । ଆଳୁର ଦର ମାନକ ଦର ହୋଇଥିବାରୁ ଏହାର ବୃଦ୍ଧି ହେଲେ ଅନ୍ୟ ପନିପରିବାର ଦର ମଧ୍ୟ ବଢ଼ିଥାଏ ।  ତେବେ ଅନ୍ୟ ପନିପରିବାର ଦାମ ଅଧିକ ରହୁଥିଲେ ବି ଆଳୁକୁ ଅପେକ୍ଷାକୃତ ଅଧିକ ଲୋକ ଅଧିକ ପରିମାଣରେ କ୍ରୟ କରୁଥିବାରୁ ହେଉଥିବାରୁ ଏହାର ଦର ବୃଦ୍ଧି ଅନେକଙ୍କୁ ବାଧିଥାଏ । ଓଡ଼ିଶାକୁ ଆଳୁ ଟ୍ରକ୍ ଆସିବା ଉପରେ ପଶ୍ଚିମବଙ୍ଗ ସରକାର କଟକଣା ଜାରି କରିବା ଦରବୃଦ୍ଧିର ମୁଖ୍ୟ କାରଣ ହୋଇଥିବାରୁ କେହି କେହି ମମତା ଦିଦିଙ୍କ ଉପରେ ରୋଷ ବ୍ୟକ୍ତ କଲେ । ଆଳୁରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରାଇବାରେ ବିଭିନ୍ନ ସମୟରେ ଶାସନରେ ଥିବା ସରକାରଙ୍କ ଅପାରଗତା ବିରୋଧରେ ସେହି ରୋଷର କିଞ୍ଚିତ୍ ଅଭିପ୍ରେତ ହୋଇଥାଆନ୍ତା କି ! ଚଳିତ ବର୍ଷ ଅସମୟରେ ବର୍ଷା ଯୋଗୁ ଆଳୁର ଉତ୍ପାଦନ ପ୍ରାୟ ୨୦ ପ୍ରତିଶତ କମ ହୋଇଥିବାରୁ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ଆଳୁ ଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ବାହାର ରାଜ୍ୟକୁ ଆଳୁ ଚାଲାଣ ଉପରେ କଟକଣା ଲଗାଇଛନ୍ତି । ପଶ୍ଚିମବଙ୍ଗରୁ ଆଳୁ ମିଳିବାରେ ସମସ୍ୟା ସୃଷ୍ଟି ହେବା ପରେ ରାଜ୍ୟ ସରକାରଙ୍କୁ ଉତ୍ତର ପ୍ରଦେଶର ଦ୍ୱାରସ୍ଥ ହେବାକୁ ପଡ଼ିଲା । ବାହାର ରାଜ୍ୟ ଉପରେ ମାତ୍ରାଧିକ ନିର୍ଭରଶୀଳତା ହେତୁ ଓଡ଼ିଶାରେ ଆଳୁ ସଙ୍କଟ ଯେଉଁଭଳି ଉତ୍କଟ ହୋଇଛି, ଅନ୍ୟ କୌଣସି ରାଜ୍ୟରେ ହୁଏତ ସେଭଳି  ସଙ୍କଟର ଘଟିନାହିଁ

ଐତିହ୍ୟ ବୃକ୍ଷ ସଂରକ୍ଷଣ ଓ ସୁରକ୍ଷା

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ଥାପନା ସମୟରେ ଏହାର ସୀମାକୁ ଘେରାଇବା ଲାଗି ପ୍ରାଚୀର ନିର୍ମାଣ ହେଉଥାଏ । ସୀମାର ଗୋଟିଏ ସ୍ଥାନରେ ଥିବା ଏକ ବିଶାଳ ଦ୍ରୁମକୁ ନ କାଟିଲେ ପାଚେରୀ ସିଧା ହୋଇପାରିବ ନାହିଁ ବୋଲି ମନେ କରି ଦାୟିତ୍ୱରେ ଥିବା ଯନ୍ତ୍ରୀ ଗଛଟିକୁ କାଟିବାର ଯୋଜନା କରୁଥାନ୍ତି । ଏହି କଥା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ମହାମନା ମଦନ ମୋହନ ମାଲବ୍ୟଙ୍କ କାନରେ ପଡ଼ିଲା । ସେ ତୁରନ୍ତ ସେଠାରେ ଉପସ୍ଥିତ ହୋଇ ପଚାରିଥିଲେ, “ପାଚେରୀଟି ସିଧା ହେବା କ’ଣ ନିହାତି ଜରୁରୀ ? ଟିକେ ବଙ୍କା ହୋଇଗଲେ କ୍ଷତି କ’ଣ ?” ତାଙ୍କର ସେହି ଗୋଟିଏ ପ୍ରଶ୍ନ ହୁଏତ ଏକ ବିଶାଳ ଦ୍ରୁମକୁ ଭୂପତିତ ହେବାରୁ ରକ୍ଷା କରିଦେଲା । କିନ୍ତୁ, ଆଜିକାଲି ବିକାଶ ନାମରେ ଅହରହ ହଜାର ହଜାର ଦ୍ରୁମ ନିର୍ବିଚାରରେ ଧରାଶାୟୀ ହେଉଛନ୍ତି, ଯହିଁରେ କେତେ ଯେ ପୁରୁଣା ଗଛ ନିଶ୍ଚିହ୍ନ ହେଉଛନ୍ତି, ତାହାର ହିସାବ କାହା ପାଖରେ ନଥାଏ । ଏ ପରିପ୍ରେକ୍ଷୀରେ ପ୍ରଶ୍ନ କଲେ ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ତର ଶିଣିବାକୁ ମିଳିଥାଏ ଯେ, ଯେତିକି ଗଛ କଟା ହେଉଛି ସେହି ଅନୁସାରେ ନୂଆ ଗଛ ଲଗା ହେଉଛି । କିନ୍ତୁ, ପ୍ରକୃତରେ କେତେ ଗଛ ଲଗା ହେଲା ଓ ସେଥିରୁ କେତେ ବଞ୍ଚିଲା ଏବଂ ସେହି ଚାରାମାନ କେବେ ପୁରୁଣା ବୃକ୍ଷଗୁଡ଼ିକର ବୟସ ଧାରଣ କରି ଦମ୍ଭର ସହିତ ଛିଡ଼ା ହେବେ, ତାର ଉତ୍ତର କାହା ପାଖରେ ନ ଥାଏ ।  ଏହି ସନ୍ଦର୍ଭରେ ଐତିହ୍ୟ ବୃକ୍ଷର ସଂରକ୍ଷଣ ଚିନ୍ତା ଯଥେଷ୍ଟ ଗୁରୁତ୍