ଜୁଲାଇ ଆସିଲେ ଆଳୁର ଦର ବୃଦ୍ଧି ଓଡ଼ିଆଙ୍କ ଚିନ୍ତା ବଢ଼ାଏ । ଏଥର ତ ଏହା ସମସ୍ତଙ୍କୁ ନୟାନ୍ତ କରିସାରିଲାଣି । ଆଳୁର ଦର ମାନକ ଦର ହୋଇଥିବାରୁ ଏହାର ବୃଦ୍ଧି ହେଲେ ଅନ୍ୟ ପନିପରିବାର ଦର ମଧ୍ୟ ବଢ଼ିଥାଏ । ତେବେ ଅନ୍ୟ ପନିପରିବାର ଦାମ ଅଧିକ ରହୁଥିଲେ ବି ଆଳୁକୁ ଅପେକ୍ଷାକୃତ ଅଧିକ ଲୋକ ଅଧିକ ପରିମାଣରେ କ୍ରୟ କରୁଥିବାରୁ ହେଉଥିବାରୁ ଏହାର ଦର ବୃଦ୍ଧି ଅନେକଙ୍କୁ ବାଧିଥାଏ । ଓଡ଼ିଶାକୁ ଆଳୁ ଟ୍ରକ୍ ଆସିବା ଉପରେ ପଶ୍ଚିମବଙ୍ଗ ସରକାର କଟକଣା ଜାରି କରିବା ଦରବୃଦ୍ଧିର ମୁଖ୍ୟ କାରଣ ହୋଇଥିବାରୁ କେହି କେହି ମମତା ଦିଦିଙ୍କ ଉପରେ ରୋଷ ବ୍ୟକ୍ତ କଲେ । ଆଳୁରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରାଇବାରେ ବିଭିନ୍ନ ସମୟରେ ଶାସନରେ ଥିବା ସରକାରଙ୍କ ଅପାରଗତା ବିରୋଧରେ ସେହି ରୋଷର କିଞ୍ଚିତ୍ ଅଭିପ୍ରେତ ହୋଇଥାଆନ୍ତା କି ! ଚଳିତ ବର୍ଷ ଅସମୟରେ ବର୍ଷା ଯୋଗୁ ଆଳୁର ଉତ୍ପାଦନ ପ୍ରାୟ ୨୦ ପ୍ରତିଶତ କମ ହୋଇଥିବାରୁ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ଆଳୁ ଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ବାହାର ରାଜ୍ୟକୁ ଆଳୁ ଚାଲାଣ ଉପରେ କଟକଣା ଲଗାଇଛନ୍ତି । ପଶ୍ଚିମବଙ୍ଗରୁ ଆଳୁ ମିଳିବାରେ ସମସ୍ୟା ସୃଷ୍ଟି ହେବା ପରେ ରାଜ୍ୟ ସରକାରଙ୍କୁ ଉତ୍ତର ପ୍ରଦେଶର ଦ୍ୱାରସ୍ଥ ହେବାକୁ ପଡ଼ିଲା । ବାହାର ରାଜ୍ୟ ଉପରେ ମାତ୍ରାଧିକ ନିର୍ଭରଶୀଳତା ହେତୁ ଓଡ଼ିଶାରେ ଆଳୁ ସଙ୍କଟ ଯେଉଁଭଳି ଉତ୍କଟ ହୋଇଛି, ଅନ୍ୟ କୌଣସି ରାଜ୍ୟରେ ହୁଏତ ସେଭଳି ସଙ୍କଟର ଘଟିନାହିଁ । ଏହି ସମଗ୍ର ପ୍ରକରଣରେ ଓଡ଼ିଶାର ଅସ୍ମିତା ଯେ କ୍ଷୁଣ୍ଣ ହୋଇଛି, ତାହା ଅସ୍ୱୀକାର କରିହେବ ନାହିଁ ।
ଆଳୁ ଏକ ବିଦେଶୀ ପରିବା ଯାହାର ଜନ୍ମସ୍ଥଳୀ ଦକ୍ଷିଣ ଆମେରିକାର ପେରୁଠାରେ । ସପ୍ତଦଶ ଶତାବ୍ଦୀରେ ଏହା ପର୍ତ୍ତୁଗିଜ ବଣିକଙ୍କ ଦ୍ୱାରା ଭାରତକୁ ଆସିଥିଲେ ହେଁ ଦୀର୍ଘ କାଳ ଧରି ଏହାର ଚାଷ ଦକ୍ଷିଣ ଭାରତର ମାଲାବାର ଉପକୂଳ ଅଞ୍ଚଳରେ କାଁ ଭାଁ ସ୍ଥାନରେ ସୀମାବଦ୍ଧ ଥିଲା । ଅଷ୍ଟାଦଶ ଶତାବ୍ଦୀରେ ବ୍ରିଟିଶ ଶାସନାଧୀନ ବଙ୍ଗଳାରେ ଆଳୁର ପ୍ରବେଶ ପରେ ବ୍ୟାପକ ଅଞ୍ଚଳରେ ଏହାର ଚାଷ ଆରମ୍ଭ ହୋଇଥିଲା । ଆଳୁକୁ ଆଦୃତ କରାଇ ଜନତାଙ୍କୁ ଦେଶୀ ପନିପରିବାରୁ ବିମୁଖ କରାଇବା ଥିଲା ବ୍ରିଟିଶମାନଙ୍କ ଦ୍ୱାରା ଦେଶୀମାନଙ୍କୁ ‘ସଭ୍ୟ କରିବାର ଅଭିଯାନ’ (ସିଭିଲାଇଜିଂ ମିସନ୍)ର ଅଂଶବିଶେଷ । ପ୍ରଥମାବସ୍ଥାରେ ବିଦେଶୀ ପରିବା କହି ବ୍ରାହ୍ମଣମାନେ ଏହାକୁ ଖାଉ ନଥିଲେ, ଯାହାକୁ ମାନି ଚଳିବା କ୍ରମଶଃ ସେମାନଙ୍କ ପକ୍ଷରେ ବି ଅସମ୍ଭବ ହୋଇପଡ଼ିଲା । ଏହା ଅନ୍ୟ ସବୁ ପନିପରିବା ସହ ସହଜରେ ମିଶିଯାଇ ପାରୁଥିବାରୁ ଅଚିରେ ଏହା ଏତେ ଆଦୃତି ଲାଭ କଲା ଯେ ଭାରତୀୟମାନେ ଆଳୁକୁ ଦେଶୀ ପରିବା ଭଳି ଗ୍ରହଣ କରିନେଲେ ଓ ବ୍ରିଟିଶମାନେ ସେମାନଙ୍କ ‘ସଭ୍ୟ କରିବାର ଅଭିଯାନ’ର ଲକ୍ଷ୍ୟ ହାସଲରେ ସଫଳ ହେଲେ । ତେବେ ଆଜି ମଧ୍ୟ ଜୈନମାନେ ଆଳୁ ଖାଆନ୍ତି ନାହିଁ । ଶ୍ରୀମନ୍ଦିରରେ ବି ଆଳୁର ପ୍ରବେଶ ନାହିଁ । ବଙ୍ଗଳା ଦେଇ ଓଡ଼ିଶାକୁ ଆଳୁର ପ୍ରବେଶ ଅନେକ ବିଳମ୍ୱରେ ହୋଇଥିଲେ ବି ଅଳ୍ପ ଦିନ ମଧ୍ୟରେ ଏଠାରେ ଆଳୁର ଆଦୃତି ଖୁବ୍ ବଢ଼ିଯାଇଥିଲା । ଏବେ ଆଳୁକୁ ବାଦ୍ ଦେଇ ଓଡ଼ିଆ ରୋଷେଇର ପରିକଳ୍ପନା ବି କରି ହେବନାହିଁ ।
ଦକ୍ଷିଣ ଭାରତ ତୁଳନାରେ ଉତ୍ତର ଓ ପୂର୍ବ ଭାରତରେ ଆଳୁର ବ୍ୟବହାର ଅପେକ୍ଷାକୃତ ଅଧିକ । ତେଣୁ ସାଧାରଣତଃ ଅଧିକ ଆଳୁ ବ୍ୟବହାର ହେଉଥିବା ପ୍ରାୟ ସବୁ ରାଜ୍ୟରେ ଅଧିକ ପରିମାଣରେ ଆଳୁ ଉତ୍ପାଦିତ ହୋଇଥାଏ, ଏକମାତ୍ର ଓଡ଼ିଶାକୁ ଛାଡ଼ି । ଓଡ଼ିଶାରେ ଆଳୁ ଆବଶ୍ୟକତାର ୨୫ ପ୍ରତିଶତ ମଧ୍ୟ ଉତ୍ପାଦନ ହୁଏନାହିଁ । ଅଧିକ ଆଳୁ ଉତ୍ପାଦନକାରୀ ପ୍ରଥମ ୧୦ଟି ରାଜ୍ୟ ମଧ୍ୟରେ ବି ଓଡ଼ିଶାର ନାମ ନାହିଁ । ଏଠାରେ ଆଳୁର ବ୍ୟବହାର ମୁଣ୍ଡପିଛା ମାସିକ ପ୍ରାୟ ୨ କେଜି ହୋଇଥାଏ । ତେଣୁ ରାଜ୍ୟରେ ବାର୍ଷିକ ପ୍ରାୟ ୧୩ ଲକ୍ଷ ଟନ ଆଳୁର ଆବଶ୍ୟକତା ରହିଛି, ଯାହା ବିଭିନ୍ନ କାରଣରୁ ଆଗାମୀ ୨୫ ବର୍ଷ ମଧ୍ୟରେ ୨ ଗୁଣ ହେବ ବୋଲି ଆକଳନ କରାଯାଉଛି । ଏପରି ସ୍ଥଳେ ଏଠାରେ ବାର୍ଷିକ ମାତ୍ର ୩ ଲକ୍ଷ ଟନ୍ ଉତ୍ପାଦନ ହେଉଥିବାରୁ ଅବଶିଷ୍ଟ ୧୦ ଲକ୍ଷ ଟନ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ, ବିଶେଷ କରି ଆଳୁରେ ବଳକା ରାଜ୍ୟ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ହେଉଛି । ତେଣୁ ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ଲାଗି ଆନ୍ତରିକ ଇଦ୍ୟମ ହେବା ଜରୁରି ।
ରାଜ୍ୟରେ ପ୍ରମୁଖ ଆଳୁ ଉତ୍ପାଦନକାରୀ ଜିଲ୍ଲାଗୁଡ଼ିକ ହେଲେ କନ୍ଧମାଳ, କୋରାପୁଟ, କଳାହାଣ୍ଡି, ପୁରୀ, କଟକ, ବାଲେଶ୍ୱର, ମୟୂରଭଞ୍ଜ ଓ ସମ୍ୱଲପୁର । ଉଲ୍ଲେଖଯୋଗ୍ୟ ଯେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ବି କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର ନ ଥିଲା ବେଳେ ବାଲେଶ୍ୱର, ମୟୁରଭଞ୍ଜ ଓ ପୁରୀ ଜିଲ୍ଲାରେ ମାତ୍ର ୨ଟି ଲେଖାଏଁ ଅଛି । ଓଡ଼ିଶାରେ ସମୁଦାୟ ୩୬ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଥିବାବେଳେ ୯୭ଟି ଅକାମି ହୋଇ ପଡ଼ିରହିଛି ବୋଲି ୨୦୨୩ ମସିହାରେ ପୂର୍ବତନ କୃଷିମନ୍ତ୍ରୀ ସୂଚନା ଦେଇଥିଲେ । ଅଚଳ ଶୀତଳ ଭଣ୍ଡାରଗୁଡ଼ିକୁ କାର୍ୟ୍ୟକ୍ଷମ କରିବା ପାଇଁ ଯେଉଁ ପରିମାଣରେ ଅର୍ଥ ଆବଶ୍ୟକ, ତା’ ଅପେକ୍ଷା ନୂଆ ଶୀତଳ ଭଣ୍ଡାର ସ୍ଥାପନ କରିବା ଅଧିକ ସମୀଚୀନ ହେବ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ତେବେ ଗୋଟିଏ ନୂଆ ଶୀତଳ ଭଣ୍ଡାର ସ୍ଥାପନ କରି କାର୍ଯ୍ୟକ୍ଷମ କରିବା ଲାଗି ହାରାହାରି ୨ ବର୍ଷରୁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ତେଣୁ ପ୍ରତିଟି ଅକାମି ଶୀତଳ ଭଣ୍ଡାର କାହିଁକି ଅଚଳ ହୋଇଛି, ତାହାର କାରଣ ଅନୁଧ୍ୟାନ କରି ତନ୍ମଧ୍ୟରୁ ସର୍ବନିମ୍ନ ହସ୍ତକ୍ଷେପରେ କେଉଁଗୁଡ଼ିକୁ ତୁରନ୍ତ କାର୍ୟ୍ୟକ୍ଷମ କରିହେବ, ତାହା ଚିହ୍ନଟ କରାଯିବା ଆବଶ୍ୟକ । ସେ ସବୁ ଚାଲିପାରିଲେ ରାଜ୍ୟରେ ଶୀତଳ ଭଣ୍ଡାର କ୍ଷମତାର ଉପଲବ୍ଧତା ବୃଦ୍ଧିପାଆନ୍ତା ଓ ସେଥିଲାଗି ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ନ୍ତା ନାହିଁ । ତଦ୍ଦ୍ୱାରା ଆଗାମୀ ରବି ଋତୁରେ ସେହି ସମସ୍ତ ଶୀତଳ ଭଣ୍ଡାରର ଆଖପାଖ ଅଞ୍ଚଳରେ ଚାଷୀମାନଙ୍କୁ ଆଳୁଚାଷ କରିବା ଲାଗି ପ୍ରୋତ୍ସାହିତ କରିହେବ । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ପଶ୍ଚିମବଙ୍ଗରେ ୫୮୮ଟି କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର ରହିଛି ଯେଉଁଠାରେ ପ୍ରତି ଋତୁରେ ପ୍ରାୟ ୬୦ ଲକ୍ଷ ଟନ୍ ଆଳୁ ସଂରକ୍ଷିତ ହୋଇ ରହିପାରୁଛି । ଏହା ସତ୍ତ୍ୱେ ସେଠାରେ ୨୦୨୪ରେ ଆହୁରି ୧୭ଟି ନୂଆ ଶୀତଳ ଭଣ୍ଡାର ନିର୍ମାଣ କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି । ଉନ୍ନତ ଭିତ୍ତିଭୂମିର ଉପଲବ୍ଧତା ଓ ଆଳୁ ଚାଷୀମାନଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ହେତୁ ସେଠାରେ ଆଳୁ ଚାଷଜମିର କ୍ଷେତ୍ରଫଳ ବଢ଼ିବା ସହ ଉଭୟ ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧିପାଇଛି । ବାର୍ଷିକ ୧୨୦ ଲକ୍ଷ ଟନ୍ ଉତ୍ପାଦନ ସହ ଦେଶର ସମୁଦାୟ ଆଳୁ ଉତ୍ପାଦନ ସହ ଦେଶର ସମୁଦାୟ ଆଳୁ ଉତ୍ପାଦନର ୨୩ ପ୍ରତିଶତ ପଶ୍ଚିମବଙ୍ଗରେ ହେଉଛି ଓ ଏହା ବର୍ତ୍ତମାନ ଦେଶର ଦ୍ୱିତୀୟ ବୃହତ୍ ଆଳୁ ଉତ୍ପାଦନକାରୀ ରାଜ୍ୟ । ଏଥିରୁ ଓଡ଼ିଶା ସରକାର ଶିକ୍ଷା ଲାଭ କରିବା ଉଚିତ ।
ଶୀତଳ ଭଣ୍ଡାରର ସଂରକ୍ଷଣ କ୍ଷମତାରେ ବୃଦ୍ଧି ନ ଘଟିଲେ ଅଧିକ ଜମିରେ ଆଳୁଚାଷ ହେବା ଏକପ୍ରକାର ଅସମ୍ଭବ । ତେଣୁ ରାଜ୍ୟରେ ଆଳୁ ଉତ୍ପାଦନକୁ ବଢ଼ାଇବାକୁ ହେଲେ ଉଭୟ ଚାଷୀ ଓ ଶୀତଳ ଭଣ୍ଡାର ଉଦ୍ୟମୀଙ୍କୁ ପ୍ରୋତ୍ସାହିତ କରିବାକୁ ପଡ଼ିବ । ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଶୀତଳ ଭଣ୍ଡାରଗୁଡ଼ିକର ସଂରକ୍ଷଣ କ୍ଷମତାକୁ ବର୍ତ୍ତମାନର ପ୍ରାୟ ୨ ଲକ୍ଷ ଟନରୁ ବଢ଼ାଇ ୧୦ ଲକ୍ଷ ଟନ୍ କରିବାକୁ ହେବ । ଏଥିପାଇଁ ୫୦୦୦ ଟନ୍ କ୍ଷମତା ବିଶିଷ୍ଟ ୨୦୦ଟି କାର୍ୟ୍ୟକ୍ଷମ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି । ପ୍ରତି ଶୀତଳ ଭଣ୍ଡାରର ୧୦-୧୫ କିଲୋମିଟର ଦୂରତା ଭିତରେ ଥିବା ଅନ୍ତତଃ ୧୦୦୦ ଏକର ଜମିରେ ଚାଷୀଙ୍କୁ ଆଳୁଚାଷ ପାଇଁ ପ୍ରୋତ୍ସାହନ ଦିଆଯିବା ଜରୁରି । ତେବେ ଆଳୁଚାଷ ଅଞ୍ଚଳ ବୃଦ୍ଧିର ଦାୟିତ୍ୱ ଶୀତଳ ଭଣ୍ଡାର ଉଦ୍ୟମୀଙ୍କ ଉପରେ ନ୍ୟସ୍ତ କରିଦେଲେ ଚଳିବ ନାହିଁ । ଚାଷୀ ଓ ଶୀତଳ ଭଣ୍ଡାର ଉଦ୍ୟମୀଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ପାଇଁ ବିଧିବଦ୍ଧ ପ୍ରୟାସ କରାଯିବା ଉଚିତ, ଯହିଁରେ ଏନଜିଓଗୁଡ଼ିକର ସହାୟତା ମହତ୍ତ୍ୱପୂର୍ଣ୍ଣ ହୋଇପାରେ । ସ୍ଥଳବିଶେଷରେ ସକ୍ରିୟ କୃଷକ ଉତ୍ପାଦକ ସଂଘ (ଏଫପିଓ)ଗୁଡ଼ିକ ମଧ୍ୟ ଏ ଦିଗରେ ଉପଯୋଗୀ ହୋଇପାରନ୍ତି ।
୨୦୧୫ରେ ଆରମ୍ଭ ହୋଇ ବିଫଳ ହୋଇଥିବା ‘ଆଳୁ ମିଶନ’ରେ ଆଳୁ ଚାଷ ଅଞ୍ଚଳକୁ ୧.୫୦ ଲକ୍ଷ ଏକରକୁ ବଢ଼ାଇବାର ଲକ୍ଷ୍ୟ ରଖାଯାଇଥିଲା । ଆଳୁ ଚାଷ ଅଞ୍ଚଳ ୩୭ ହଜାର ଏକରରୁ ବଢ଼ି ପ୍ରାୟ ୬୨ ହଜାର ଏକରରେ ପହଞ୍ଚିଛି । ହେଲେ ଆଳୁ ଉତ୍ପାଦନ ଆଶାନୁରୂପକ ବଢ଼ିନାହିଁ । ଏହାର ଏକ ବଡ଼ କାରଣ ହେଉଛି ସର୍ବ ଭାରତୀୟ ସ୍ତରରେ ଆଳୁର ହାରାହାରି ଅମଳ ଏକର ପିଛା ପ୍ରାୟ ୧୦ ଟନ ହେଉଥିବା ବେଳେ ଓଡ଼ିଶାରେ ଏହା ମାତ୍ର ୭ ଟନ ରହିଛି । ଉନ୍ନତ ମାନର ବିହନର ଅନୁପଲବ୍ଧତା ଅମଳ ବୃଦ୍ଧି ନ ହେବାର ଏକ ବଡ଼ କାରଣ । ତେଣୁ ଉନ୍ନତ ଉତ୍ପାଦକ ସାମଗ୍ରୀ, ଜ୍ଞାନକୌଶଳ ଓ କୃଷି ପ୍ରଣାଳୀର ଅବଲମ୍ୱନ ଦ୍ୱାରା ଅମଳ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବା ଜରୁରି । ଅମଳ ବଢ଼ିଲେ ଓଡ଼ିଶାର ଚାଷୀମାନଙ୍କର କେଜି ପିଛା ଆଳୁ ଉତ୍ପାଦନ ଖର୍ଚ୍ଚ ଅନ୍ୟ ରାଜ୍ୟଗୁଡ଼ିକର ସମତୁଲ ହେବ ଓ ସେମାନେ ଲାଭାନ୍ୱିତ ହୋଇପାରିବେ ।
ଚାଷ ଓ ଅମଳ ବଢ଼ାଇ ଓଡ଼ିଶାକୁ ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ସମୟ ସାପେକ୍ଷ ହୋଇପାରେ । ସେ ପର୍ଯ୍ୟନ୍ତ ଖାଉଟିଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖାଯିବା ଆବଶ୍ୟକ । ପାହାଡ଼ି ଅଞ୍ଚଳରେ ହେଉଥିବା ଖରିଫ ଆଳୁର ଅମଳ ନଭେମ୍ୱରରେ ହେଉଥିବାରୁ ଓଡ଼ିଶାରେ ସାଧାରଣତଃ ଆଳୁର ତିରୋଟ ସମୟ ଜୁଲାଇରୁ ଅକ୍ଟୋବର ଯାଏ ଚାରିମାସ ହୋଇଥାଏ । ପ୍ରତିମାସ ହାରାହାରି ଏକ ଲକ୍ଷ ଟନ ଆଳୁର ଚାହିଦା ଥିବାରୁ ଏହି ଚାରିମାସରେ ସର୍ବମୋଟ ୪ ଲକ୍ଷ ଟନ ଆଳୁ ଆବଶ୍ୟକ ହୋଇଥାଏ । ଯଦି ସେହି ଆବଶ୍ୟକତାର ୫୦ ପ୍ରତିଶତ ବା ମାତ୍ର ୨ ଲକ୍ଷ ଟନ ତିରୋଟ ସମୟ ପାଇଁ ଉତ୍ସର୍ଗୀକୃତ ଭାବେ ଶୀତଳ ଭଣ୍ଡାରରେ ସଂରକ୍ଷଣ କରି ରଖାଯାଆନ୍ତା, ତେବେ ଆଳୁର ଦର ଆକାଶଛୁଆଁ ହୁଅନ୍ତା ନାହିଁ । ଏଥିପାଇଁ ସରକାରଙ୍କ ଦ୍ୱାରା ଚାଷୀଙ୍କଠାରୁ ପୂର୍ବ ଘୋଷିତ ଦରରେ ଆଳୁ ସଂଗ୍ରହ କରାଯାଇପାରନ୍ତା । ଚାଷୀଙ୍କଠାରୁ ଧାନ ସଂଗ୍ରହ ବେଳେ ଅନୁସୃତ ପନ୍ଥାର ଅବଲମ୍ୱନରେ ଆଳୁ ସଂଗ୍ରହ କରାଗଲେ ରାଜ୍ୟର ଚାଷୀ, ଖାଉଟି ଓ ଶୀତଳ ଭଣ୍ଡାରର ଉଦ୍ୟମୀମାନେ ଉପକୃତ ହୋଇପାରନ୍ତେ ।
ସମଗ୍ର ବିଶ୍ସ ଏବେ ଗୋଟିଏ ବୈଶ୍ୱିକ ଗ୍ରାମରେ ପରିଣତ ହୋଇସାରିଥିବାରୁ ବିଭିନ୍ନ ସାମଗ୍ରୀ ପାଇଁ ଦେଶ-ଦେଶ, ରାଜ୍ୟ-ରାଜ୍ୟ ପରସ୍ପର ଉପରେ ନିର୍ଭର କରିବା ସ୍ୱାଭାବିକ । ତେବେ ଖାଦ୍ୟସାମଗ୍ରୀ, ବିଶେଷ କରି ବହୁଳ ବ୍ୟବହାର ହେଉଥିବା ଖାଦ୍ୟ ପଦାର୍ଥ, ପାଇଁ ଯେଉଁ ଅଞ୍ଚଳ, ରାଜ୍ୟ ବା ଦେଶ ଯେତେ ଅଧିକ ଆତ୍ମନିର୍ଭରଶୀଳ, ସେହି ଅଞ୍ଚଳର ଲୋକେ ଦରଦାମ ବୃଦ୍ଧିଜନିତ ସମସ୍ୟାରେ ଆକ୍ରାନ୍ତ ହେବାର ଆଶଙ୍କା ସେତେ କ୍ଷୀଣ ହୋଇଥାଏ । ଅଧିକନ୍ତୁ ଦୂରଦୂରାନ୍ତରୁ ବୁହା ହୋଇ ଆସିବାକୁ ପଡ଼ୁ ନଥିବାରୁ ବିଶ୍ୱ ଉତ୍ତପ୍ତୀକରଣ ପ୍ରକ୍ରିୟାକୁ ହ୍ରାସ କରିବାରେ ମଧ୍ୟ ଏହା ପରୋକ୍ଷରେ ସହାୟକ ହୋଇଥାଏ । ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଲେ ପ୍ରତିଥର ଆମେ ଆଳୁ ଯୋଗାଣ ଲାଗି ବାରମ୍ୱାର ମମତା ବାନାର୍ଜୀ କିମ୍ୱା ଆଦିତ୍ୟନାଥଙ୍କ ନିକଟରେ କାକୁତିମିନତି ହୋଇ ହାତ ପତେଇବା ଆମ ଅସ୍ମିତାର ପରିପନ୍ଥୀ । ଅସ୍ମିତା କେବଳ ଧର୍ମ, ସଂସ୍କୃତି, ଭାଷାର ସୁରକ୍ଷା ମଧ୍ୟରେ ସୀମିତ ନଥାଏ । ଗୋଟିଏ ଜାତିର ସ୍ୱାଭିମାନକୁ ଆଘାତ ଲାଗିଲା ଭଳି ଯେ କୌଣସି ବିଷୟ ଅସ୍ମିତାର ପ୍ରସଙ୍ଗ ହୋଇପାରେ । ଆତ୍ମନିର୍ଭରଶୀଳତା ମଧ୍ୟ ଅସ୍ମିତା ରକ୍ଷା ଲାଗି ଏକ ଅତ୍ୟାବଶ୍ୟକ ସର୍ତ୍ତ । ଆଳୁ, ପିଆଜ, ବିଲାତି ବାଇଗଣ, ମାଛ, ଅଣ୍ଡା, କଦଳୀ, ପନିପରିବା, ଫଳ ପର୍ଯ୍ୟନ୍ତ ବିଭିନ୍ନ ଖାଦ୍ୟପଦାର୍ଥ ଲାଗି ଅନ୍ୟ ରାଜ୍ୟ ଉପରେ ମାତ୍ରାଧିକ ନିର୍ଭରଶୀଳ ଥିବା ଯାଏ ଆମ ମୁହଁରେ ଅସ୍ମିତାର ଉଚ୍ଚାରଣ ଶେଭା ପାଇବ ନାହିଁ । ଏହି ସ୍ଥିତିରେ ପରିବର୍ତ୍ତନ ଆସିବା ଉଚିତ । ତେଣୁ ପ୍ରତିଟି କ୍ଷେତ୍ରରେ ଆତ୍ମର୍ଭରଶୀଳତା ହାସଲ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ସରକାରୀ ନୀତି ପ୍ରଣୟନ ଯେତିକି ଜରୁରି ତା’ଠାରୁ ବେଶୀ ଜରୁରି ତାକୁ କାର୍ଯ୍ୟକାରୀ କରିବା ଲାଗି ସାଧାରଣ ଲୋକଙ୍କ ମଧ୍ୟରେ ଉନ୍ମାଦନା ସୃଷ୍ଟି ହେବା । ସେ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରି ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶା ଅନ୍ତତଃ ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାର ଲକ୍ଷ୍ୟ ଧାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଅର୍ଥାତ୍, ଆଳୁରେ ଆତ୍ମନିର୍ଭରଶୀଳତାରୁ ଓଡ଼ିଆ ଅସ୍ମିତାର ପ୍ରଥମ ଜୟଯାତ୍ରା ଆରମ୍ଭ ହେଉ ।
Published in Sambad on August 20, 2024
ଅତି ସୁନ୍ଦର ଜ୍ଞାନ ବର୍ଧକ ଲେଖା ଧନ୍ୟବାଦ ସରଳ
ReplyDeleteଧନ୍ୟବାଦ
Delete