“କିଣୁବାବୁଙ୍କ ପୁଅ ବାହାଘର ଧୁମଧାମରେ ହେଉଥାଏ । ସେତେବେଳକୁ ଏଠିକି ଆହୁରି ବିଜୁଳି ବତି ଆସି ନଥାଏ । ତଥାପି ବାହାଘର ପାଇଁ ସେ ସ୍ୱତନ୍ତ୍ର ଭାବେ କଲିକତାରୁ ବିଜୁଳିବତି ମଗେଇଥିଲେ । ସମସ୍ତଙ୍କ ଆଖି ଝଲସି ହେଇ ଯାଇଥିଲା ନା ! ଯେତେ ଲୋକ! ଯୋଉଁ ଖାଇବା ! ଯାହା ତ ଖାଇଲେ ଖାଇଲେ, ଯେତିକି ରସଗୋଲା, ମାଛ, ମାଂସ ବାହାଳିରେ ଫୋପଡ଼ା ହୋଇଥିଲା, ତା’ ପର ଦିନ ତାକୁ ଦେଖି ଆଖି ତାଟକା ହୋଇଯାଉଥିଲା ପରା!” ପ୍ରାୟ ପଚାଶ ବର୍ଷ ତଳେ ଗୋଟେ ଛୋଟ ସହରରେ ଜଣେ ବୃଦ୍ଧ ତାଙ୍କର ଯୁବାବସ୍ଥାରେ ଦେଖିଥିବା ଏକ ଆଖି ଝଲସା ବାହାଘରକୁ ଏହିଭଳି ବର୍ଣ୍ଣନା କରିଥିଲେ । ଅମୁକ ବାବୁଙ୍କ ପୁଅ ବା ସମୁକ ବାବୁଙ୍କ ଝିଅ ବାହାଘର କହି ଏଭଳି କୌଣସି ବାହାଘରର ଭବ୍ୟତା ସମ୍ପର୍କରେ ସାଧାରଣ ଲୋକେ ଯେଉଁଭଳି ଆଖି ତରାଟି ଆଲୋଚନାମାନ କରିଥାନ୍ତି, ତାହା ନିଶ୍ଚିତ ଭାବେ ଧନାଢ଼୍ୟମାନଙ୍କୁ ପ୍ରୀତ କରୁଥିବ, ଯେଉଁଥି ଲାଗି ନବ୍ୟ ଧନାଢ଼୍ୟମାନେ ଆଖିଝଲସା ବିବାହୋତ୍ସବର ଆୟୋଜନ କରିବାରେ ପାଇଁ ପ୍ରେରିତ ହୋଇଥାନ୍ତି । ତେବେ କଥା ହେଲା ଏବେ ଏଭଳି ବିବାହର ଆୟୋଜନ କେବଳ ଧନିକଙ୍କ ଭିତରେ ସୀମିତ ନାହିଁ, ସାଧାରଣ ମଧ୍ୟବିତ୍ତ ପରିବାରର ଲୋକେ ମଧ୍ୟ ଏଭଳି ଆୟୋଜନରେ ପ୍ରବୃତ୍ତ ହେଲେଣି ।
ନିକଟରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ୱାନୀଙ୍କ ସାନପୁଅ ଅନନ୍ତଙ୍କ ବିବାହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାର ଭବ୍ୟତା ସମ୍ପର୍କରେ ଜାତୀୟ ଗଣମାଧ୍ୟମଗୁଡ଼ିକର ବର୍ମ୍ଣନାରେ କେବଳ ଆମ ଦେଶର ନୁହେଁ, ବିଶ୍ୱବାସୀଙ୍କ ଆଖି ଖୋସି ହୋଇଗଲା । ‘ହଲିଉଡ ରିପୋର୍ଟର’ ପତ୍ରିକାର ଆକଳନ ଅନୁଯାୟୀ ଅମ୍ୱାନୀପୁତ୍ରଙ୍କ ବିବାହୋତ୍ସବରେ ୬୦୦ ମିଲିଅନ୍ ଡଲାରରୁ ଊର୍ଦ୍ଧ୍ୱ ବା ୫୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି, ଯାହା ଏ ଯାବତ୍ ବିଶ୍ୱର ସବୁଠାରୁ ବ୍ୟୟବହୁଳ ବିବାହୋତ୍ସବ । ଏଥିରେ ଦେଶୀ, ବିଦେଶୀ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ରାଜନେତା, ମନ୍ତ୍ରୀ ଧର୍ମଗୁରୁମାନଙ୍କ ଉପସ୍ଥିତି ଯେମିତି ଗୋଟିଏ କଥାର ଉଦଘୋଷଣା କରୁଥିଲା ଯେ ଅକଳ୍ପନୀୟ ବିତ୍ତଶାଳୀ ବ୍ୟକ୍ତିଙ୍କ ଚୁମ୍ୱକୀୟ ଆକର୍ଷଣ କିଛି ଭିନ୍ନ । ଉଲ୍ଲେଖଯୋଗ୍ୟ ଯେ ଆଜକୁ ୨୦ ବର୍ଷ ତଳେ ୫୫ ମିଲିଅନ ଡଲାର ବା ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ଦୁହିତା ବନିଶାଙ୍କ ବାହାଘର ଓ ୪୮ ମିଲିଅନ୍ ଡଲାର (୪୦୦ କୋଟି ଟଙ୍କାରୁ କମ) ବ୍ୟୟରେ ଇଂଲାଣ୍ଡର ଯୁବରାଜ ଚାର୍ଲସ ଓ ଯୁବରାଣୀ ଡାଏନାଙ୍କ ବାହାଘର ହେଉଛି ଯଥାକ୍ରମେ ବିଶ୍ୱର ଦ୍ୱିତୀୟ ଓ ତୃତୀୟ ସର୍ବାଧିକ ବ୍ୟୟବହୁଳ ବାହାଘର । ଏହାର ଅର୍ଥ, ତୁଳନାତ୍ମକ ଭାବେ ଭାରତର ଧନାଢ଼୍ୟମାନେ ବିବାହୋତ୍ସବରେ ଅଧିକ ବ୍ୟୟ କରନ୍ତି ବା ତା ମାଧ୍ୟମରେ ନିଜ ପ୍ରତିପତ୍ତିର ପ୍ରଦର୍ଶନ କରିବାକୁ ଅଧିକ ପସନ୍ଦ କରନ୍ତି । ଭାରତ ଭଳି ଏକ ଗରିବ ଦେଶ ଯେଉଁଠି ୮୦ କୋଟି ଲୋକ ମାଗଣା ରାସନ୍ ଉପରେ ନିର୍ଭରଶୀଳ, ସେଠାରେ ଏଭଳି ବ୍ୟୟବହୁଳ ବାହାଘର ଓ ସେଥିରେ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ଚକ୍ଷୁଶୂଳ ହେବା ସହ କେତେକ ପ୍ରଶ୍ନ ଉତ୍ଥାପନ କରିଥାଏ ।
୨୦୧୯ର ଏକ ଆକଳନ ଅନୁଯାୟୀ ସାରା ବିଶ୍ୱରେ ଆମେରିକୀୟ ବିବାହୋତ୍ସବଗୁଡ଼ିକ ସର୍ବାଧିକ ବ୍ୟୟବହୁଳ, ଯେଉଁଠି ହାରାହାରି ୨୯୨୦୦ ଡଲାର ବା ପ୍ରାୟ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ତାଲିକାରେ ଆମେରିକା ପଛକୁ ଥିବା ଦେଶଗୁଡ଼ିକ ହେଲେ ସ୍ପେନ, ଇଟାଲି, କାନାଡା, ବ୍ରିଟେନ, ଫ୍ରାନ୍ସ । ଫ୍ରାନ୍ସରେ ହାରାହାରି ୧୭୬୦୦ ଡଲାର ବା ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଭାରତର ବିବାହୋତ୍ସବଗୁଡ଼ିକରେ ହାରାହାରି ବ୍ୟୟ ଅପେକ୍ଷାକୃତ କମ ହୋଇଥିଲେ ବି ଏଠାକାର ମଧ୍ୟବିତ୍ତ ପରିବାର ବିବାହୋତ୍ସବରେ ହାରାହାରି ବ୍ୟୟ ପୂର୍ବୋକ୍ତ ଦେଶଗୁଡ଼ିକର ସମକକ୍ଷ । ଗୋଟିଏ ମଧ୍ୟବିତ୍ତ ଭାରତୀୟ ପରିବାର ବିବାହୋତ୍ସବରେ ହାରାହାରି ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟ କରନ୍ତି । ମାତ୍ର ତିନି ଚାରିଦିନର ଏକ ପାରିବାରିକ ଉତ୍ସବରେ ଗୋଟିଏ ଗୋଟିଏ ପରିବାର ଆଗପଛ କିଛି ଚିନ୍ତା ନ କରି ତାଙ୍କ ସାରା ଜୀବନର ସଞ୍ଚିତ ପୁଞ୍ଜିକୁ ବ୍ୟୟ କରିବାକୁ ପଛାଉ ନଥିବାରୁ ବାହାଘର ପରେ କେହି କେହି ଆର୍ଥିକ ଦୃଷ୍ଟିରୁ ତଳିତଳାନ୍ତ ଓ ଋଣଗ୍ରସ୍ତ ମଧ୍ୟ ହୋଇଥାଆନ୍ତି । ‘ଜୀବନରେ ତ ଥରେ ବାହା ହେବ, ତାମଝାମରେ କାହିଁକି ନୁହେଁ?’ ଭଳି ନିଜ ବାହାଘରକୁ ଅବିସ୍ମରଣୀୟ କରିବାର ମନୋବୃତ୍ତି ଯୁବଗୋଷ୍ଠୀଙ୍କୁ ମଧ୍ୟ ଗ୍ରାସ କରୁଛି । କିନ୍ତୁ ସାମ୍ପ୍ରତିକ ସମୟର ଏକ ବିଡ଼ମ୍ୱନା ହେଲା, ମାତ୍ରାଧିକ ଜାକଜମକ ତଥା ପ୍ରଚୁର ବ୍ୟୟରେ ଅନୁଷ୍ଠିତ ହେଉଥିବା ବିବାହଗୁଡ଼ିକ ମଧ୍ୟରୁ କେତେକ ମାସ କେଇଟା ମଧ୍ୟ ତିଷ୍ଠି ରହି ନ ପାରି ବିଚ୍ଛେଦରେ ପରିଣତ ହେଉଛି । ବିବାହ ବ୍ୟୟରେ ଭାଙ୍ଗି ପଡ଼ୁଥିବା ପରିବାର ନିକଟକୁ ପୁଣି କନ୍ୟା ଫେରିଆସେ ଓ ମନସ୍ତାପ ବହୁଗୁଣିତ ହୋଇଯାଏ । ତାକୁ ବଳିଯାଏ ଯୌତୁକ ଆସବାବପତ୍ର ଲଦା ଟ୍ରକ୍ ଓଲଟ ଚକରେ ବାପଘର ମୁହାଁ ହେବାର ହୃଦୟ ବିଦାରକ ଦୃଶ୍ୟ । ତଥାପି ବାହାଘରରେ ବ୍ୟୟ ବୃଦ୍ଧି ପଛରେ କି କାରଣ ଥାଇପାରେ ?
ଏହା ପଛରେ ମୁଖ୍ୟତଃ ଅଭିବାବକଙ୍କର ଦୁଇ ପ୍ରକାର ମାନସିକତା କାମ କରିଥାଏ – ଗୋଟିଏ ହେଲା ଆଡ଼ମ୍ୱରପୂର୍ଣ୍ଣ ନ ହେଲେ ଲୋକେ କଣ କହିବେ ଏବଂ ଦ୍ୱିତୀୟଟି ହେଲା ବାହାଘରଟି କରି ଲୋକଙ୍କୁ ଚମକାଇ ଦେବାର ଅଛି । ସୁତରାଂ ବିବାହୋତ୍ସବଗୁଡ଼ିକ ବ୍ୟୟବହୁଳ କରିବା ପଛରେ ରହିଛି ନିଜ ସାମର୍ଥ୍ୟ ବାହାରକୁ ଯାଇ ହେଉ ପଛେ ସାମାଜିକ ସ୍ୱୀକୃତି ଲୋଭରେ ନିଜ ଅହଂ ଚରିତାର୍ଥ କରିବାର ପ୍ରବୃତ୍ତି, ଯାହା ଖୁବ୍ ଦ୍ରୁତ ଗତିରେ ସଂକ୍ରମିତ ହୋଇଚାଲିଛି ।
ଏଣିକି ବିବାହୋତ୍ସବ ବ୍ୟୟବହୁଳ ହେବା ପଛରେ ଗୋଟିଏ ବଡ଼ କାରଣ ହେଲା ସୁନା ଦର ବୃଦ୍ଧି । ତେବେ ବଡ଼ ବଡ ନାମୀଦାମୀ ହୋଟେଲ ବା ମଣ୍ଡପରେ ବିବାହ ଆୟୋଜନ, ବିଶେଷ ଭାବେ ଫୁଲ, ଆଲୁଅରେ ସାଜସଜ୍ଜା, ଭୋଜିଭାତରେ ଅସୀମ ଅତିଥି ଓ ବ୍ୟଞ୍ଜନ, ପ୍ରି-ୱେଡିଂ ଫଟୋସୁଟ (ପ୍ରାକ୍ ବିବାହ ଫଟୋଉଠା)ରୁ ଆରମ୍ଭ କରି ଦାମୀ ଡିଜାଇନର୍ ବିବାହ ପରିଧାନ, ପାରମ୍ପରିକ ବିବାହ ଅନୁଷ୍ଠାନ ସହିତ ସଙ୍ଗୀତ୍, ମେହନ୍ଦୀ, କକଟେଲ୍ ପାର୍ଟି ଭଳି ନୂଆ ନୂଆ ଅନୁଷ୍ଠାନ ଓ ପ୍ରଥାର ଅନୁପ୍ରବେଶ ବିବାହକୁ ମାତ୍ରାଧିକ ବ୍ୟୟବହୁଳ କରିଚାଲିଛି । ପୁଣି ଅତ୍ୟନ୍ତ ବିଳାସପୂର୍ଣ୍ଣ ‘ଡେଷ୍ଟିନେସନ୍ ମ୍ୟାରେଜ୍’ରେ ଅକଳ୍ପନୀୟ ବ୍ୟୟ କରାଯାଉଛି । ଏହିଭଳି ଚାଲିଲେ ଖର୍ଚ୍ଚରେ ଅଙ୍କୁଶ ଲାଗିବ କେମିତି ? ଏବେ ଗାଁ ଗହଳିର ଗରିବଗୁରୁବାଙ୍କ ବାହାଘରରେ ବି ଡିଜେ, ଟେଣ୍ଟ ହାଉସର ପ୍ରଚଳନ ସାଧାରଣ ହେବାକୁ ବସିଲାଣି ଯାହା ବିଳାସପୂର୍ଣ୍ଣ ବାହାଘରର ସଂକ୍ରମଣ ପ୍ରଭାବ ଜନିତ ବୋଲି କୁହାଯାଇପାରେ ।
ଅବଶ୍ୟ ଯୁକ୍ତି କରାଯାଇପାରେ କି ଯାହାର ଟଙ୍କା ଅଛି, ତା’ର ଖର୍ଚ୍ଚ କରିବାର ବି ଅଧିକାର ଓ ସ୍ୱାଧୀନତା ଅଛି । ତେଣୁ ସେଥିରେ ଅନ୍ୟ କାହାର ଆପତ୍ତିର କାରଣ ନାହିଁ । ତେବେ ଟଙ୍କା ଥିଲେ ଜଣକର ଯାହା ଓ ଯେମିତି ଇଚ୍ଛା ସେ ସେମିତି ଖର୍ଚ୍ଚ କରିପାରିବ କି ? ବିତ୍ତର ଏଭଳି ନଗ୍ନ ପ୍ରଦର୍ଶନ ଓ ବହ୍ୱାଡ଼ମ୍ୱର ଅନେକଙ୍କୁ ଏପରି ପ୍ରଭାବିତ କରିଥାଏ ଯେ ଅନେକ ଲୋକ ନିଜର ସାମର୍ଥ୍ୟ ନଥିଲେ ସୁଦ୍ଧା ସେଥିରେ ପ୍ରବୃତ୍ତ ରହି ନିଜର ସର୍ବନାଶ ଘଟାନ୍ତି , ଅର୍ଥାତ୍ ସମାଜ ଉପରେ ଏହା’ର ମନ୍ଦ ପ୍ରଭାବ ପଡ଼ିଥାଏ । ବ୍ୟୟବହୁଳ ବିବାହୋତ୍ସବ ଆୟୋଜନ କରିବାର ସାମର୍ଥ୍ୟ ଥିବା ଲୋକେ ସେଥିରୁ ନିବୃତ୍ତ ରହିଲେ ସମାଜ ଉପରେ ତାର ଭଲ ପ୍ରଭାବ ପଡ଼ନ୍ତା । ହେଲେ ସେମାନଙ୍କଠାରୁ ସ୍ୱେଚ୍ଛାରେ ଏଭଳି ଆଚରଣ ଆଶା କରିବା ବୃଥା । ତେଣୁ ଏଭଳି ବ୍ୟୟ ଉପରେ ଅଙ୍କୁଶ ଲଗାଇବା ପାଇଁ କଡ଼ା ଆଇନ ପ୍ରଣୟନର ଆବଶ୍ୟକତା ରହିଛି ।
୧୯୯୩ରେ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାରେ ବିବାହ ଖର୍ଚ୍ଚରେ ଅଙ୍କୁଶ ଲଗାଇବା ଲାଗି ବିଧାନସଭାରେ ‘ଓଡ଼ିଶା ମ୍ୟାରେଜ ଏକ୍ସପେନ୍ସେସ୍ ଲିମିଟେସନ୍’ ବିଲ୍ ଆଗତ ହୋଇଥିଲା । ଏଥିରେ ବିବାହ ଖର୍ଚ୍ଚର ସର୍ବୋଚ୍ଚ ସୀମା ୨୫ ହଜାର ଟଙ୍କା ଧାର୍ୟ୍ୟ ହୋଇଥିଲା । ବରଯାତ୍ରୀ ଭାବେ ସର୍ବାଧିକ ୫୦ ଜଣଙ୍କୁ ଆଣିବାର ପ୍ରାବଧାନ ଥିଲା । ଏହାର ବ୍ୟତିକ୍ରମ ହେଲେ ଯେ କୌଣସି ବ୍ୟକ୍ତି ବା ସାମାଜିକ ସଙ୍ଗଠନ ଅଭିଯୋଗ କରିପାରିବାର ବ୍ୟବସ୍ଥା ଥିଲା । ଦୋଷୀ ସାବ୍ୟସ୍ତ ହେଲେ ୬ ମାସର ଜେଲଦଣ୍ଡ ଓ ୧୦୦୦ ଟଙ୍କାର ଅର୍ଥଦଣ୍ତର ପ୍ରାବଧାନ ଥିଲା । ତେବେ ଆନ୍ତରିକତା ଅଭାବରୁ ବିବାହ ଖର୍ଚ୍ଚ ୨୫୦୦୦ ଟଙ୍କାରେ ସୀମିତ ରହିବା ତ ଦୂରର କଥା, ଏଇ ୩୧ ବର୍ଷ ଭିତରେ ତାହା ୧୦୦ଗୁଣ ବୃଦ୍ଧି ପାଇ ୨୫ ଲକ୍ଷ ଟଙ୍କାରେ ପହଞ୍ଚିଲାଣି । ଗଲା ତିନି ଦଶନ୍ଧି ଭିତରେ ମୁଦ୍ରାସ୍ଫୀତି ଓ ଲୋକଙ୍କ ରୋଜଗାର ବୃଦ୍ଧିକୁ ହିସାବକୁ ନେଲେ ବୁଝି ହେବ ଯେ ଏହି ଅବଧିରେ ହୋଇଥିବା ବିବାହ ବ୍ୟୟରେ ବୃଦ୍ଧି ଅତ୍ୟନ୍ତ ମାତ୍ରାଧିକ ।
ବିବାହ ଖର୍ଚ୍ଚକୁ ସୀମିତ କରିବା ଲାଗି ବିଭିନ୍ନ ସମୟରେ ସଂସଦରେ ମଧ୍ୟ ଘରୋଇ ସଦସ୍ୟ ବିଲମାନ ଆଗତ ହୋଇଛି । ୨୦୧୬ ମସିହାରେ କଂଗ୍ରେସ ସାଂସଦ ରଞ୍ଜିତ ରଞ୍ଜନଙ୍କ ଦ୍ୱାରା ଆଗତ ଏକ ଘରୋଇ ସଦସ୍ୟ ବିଲରେ ବାହାଘରର ଖର୍ଚ୍ଚକୁ ୫ ଲକ୍ଷ ଟଙ୍କା ଭିତରେ ସୀମିତ ରଖିବାର ପ୍ରସ୍ତାବ ଥିଲା । ତା’ଠାରୁ ଅଧିକ ହେଲେ ଏକ ଅଧିକୃତ କର୍ତ୍ତୃପକ୍ଷଙ୍କ ନିକଟରେ ତାହା ଘୋଷଣା କରିବା ସହ ବର୍ଦ୍ଧିତ ଖର୍ଚ୍ଚର ୧୦ ପ୍ରତିଶତ ରାଶି ଏକ ପାଣ୍ଠିରେ ଜମା କରାଯିବ, ଯେଉଁଥିରୁ ଗରିବ ପରିବାରର ବାହାଘର ଲାଗି ସାହାଯ୍ୟ ଦିଆଯାଇପାରିବ । କଂଗ୍ରେସ ସାଂସଦ ଜସବୀର ସିଂହ ଗିଲଙ୍କ ଦ୍ୱାରା ୨୦୨୩ ମସିହାରେ ଆଗତ ବିଲରେ ସର୍ବାଧିକ ୫୦ ଜଣ ବରଯାତ୍ରୀ, ଭୋଜିରେ ୧୦ଟି ଯାଏଁ ବ୍ୟଞ୍ଜନ ଓ ଉପହାରର ମୂଲ୍ୟ ୨୫୦୦ ଟଙ୍କା ମଧ୍ୟରେ ସୀମିତ ରଖିବାର ପ୍ରସ୍ତାବ ଥିଲା । ତେବେ ଘରୋଇ ସଦସ୍ୟ ବିଲଗୁଡ଼ିକ ପ୍ରାୟତଃ ପାରିତ ହୋଇପାରୁ ନଥିବାରୁ ଏ ସଂକ୍ରାନ୍ତରେ ସରକାରୀ ଭାବେ ଆଇନ ପ୍ରଣୟନ ହେବାର ଆବଶ୍ୟକତା ରହିଛି । କୋଭିଡ ସମୟରେ ଅନୁଷ୍ଠିତ ବିବାହୋତ୍ସବଗୁଡ଼ିକ ତ ପୁଣି ସରକାରୀ ନିୟମର କଟକଣା ମଧ୍ୟରେ ଅନୁଷ୍ଠିତ ହୋଇପାରିଥିଲା ! ଏବେ ସେଭଳି ହୋଇ ନ ପାରିବ କାହିଁକି ?
ତେବେ, କେବଳ ଆଇନ ପ୍ରଣୟନ କରି ଏହି ସମସ୍ୟାର ସମାଧାନ କରିବା ସମ୍ଭବ ନୁହେଁ । ସେଥିପାଇଁ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ । ନିଜ ସମ୍ପତ୍ତି ଓ ପ୍ରତିପତ୍ତିର ନଗ୍ନ ପ୍ରଦର୍ଶନ ପାଇଁ କିଛି ଧନାଢ୍ୟ ବ୍ୟକ୍ତି ବିବାହୋତ୍ସବକୁ ଏକ ବଡ଼ ସୁଯୋଗ ବୋଲି ମନେ କରନ୍ତି । ତେଣୁ କେବଳ ଭବ୍ୟ ଆୟୋଜନ କରି ନୁହେଁ ବରଂ ତାହା କିପରି ଅନ୍ୟମାନଙ୍କ ଆଖିରେ ପଡ଼ି ଚର୍ଚ୍ଚାର ବିଷୟବସ୍ତୁ ହେବ, ସେମାନଙ୍କର ସେହି ଇଚ୍ଛା ମଧ୍ୟ ରହି ଥାଏ । ତେଣୁ ସମାଜର ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ବ୍ୟକ୍ତି, ସେଲିବ୍ରିଟି ଆଦିଙ୍କୁ ଆମନ୍ତ୍ରଣ କରି ଆଶୀର୍ବାଦ ଦେବା ନାଁରେ ସେମାନଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ପଛରେ ଥାଏ ଏକ ପ୍ରଚ୍ଛନ୍ନ ଉଦ୍ଦେଶ୍ୟ । ରାଜନେତା, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଧର୍ମଗୁରୁ ଓ ବଡ଼ ବଡ଼ ସେଲିବ୍ରିଟି ଆସିଲେ ଗଣମାଧ୍ୟମଙ୍କ ଧାଡ଼ି ଛୁଟି ଈପସିତ ପ୍ରଚାର ପ୍ରସାର ସହଜରେ ହୋଇପାରିଥାଏ । ଏହି ମାନସିକତାକୁ ପ୍ରତିହତ କରିବାକୁ ହେଲେ ବିଳାସପୂର୍ଣ୍ଣ ବିବାହଗୁଡ଼ିକର ସାମାଜିକ ଗ୍ରହଣୀୟତାକୁ ହ୍ରାସ କରିବାକୁ ହେବ । ତେଣୁ ଏଭଳି ବାହାଘରରୁ ଉଚ୍ଚ ପଦାସୀନ କ୍ଷମତାଶାଳୀ ବ୍ୟକ୍ତିବିଶେଷ, ପ୍ରଭାବଶାଳୀ ଲୋକେ ଓ ସେଲିବ୍ରିଟିମାନେ ଯଥାସମ୍ଭବ ଦୂରେଇ ରହିବା ଉଚିତ । ଅବଶ୍ୟ ଏହା ସତ ଯେ ଏଭଳି ବ୍ୟକ୍ତିମାନେ ପରସ୍ପର ସହିତ ବ୍ୟକ୍ତିଗତ ଓ ପାରିବାରିକ ବନ୍ଧୁତା ସୂତ୍ରରେ ଆବଦ୍ଧ ଥାଆନ୍ତି । କିନ୍ତୁ ସାମାଜିକ ଦାୟିତ୍ୱ ଦୃଷ୍ଟିରୁ ସେମାନେ ଏଭଳି ପଦକ୍ଷେପ ନେବା ଉଚିତ ବା ବିବାହଟିକୁ ନିରାଡ଼ମ୍ୱର କରି ଦୃଷ୍ଟାନ୍ତ ପ୍ରଦର୍ଶନ କରିବାକୁ ବିତ୍ତଶାଳୀ ବର ବା କନ୍ୟା ପିତାମାତାଙ୍କୁ ପ୍ରଭାବିତ କରିବା ଉଚିତ । ଏହା ଦ୍ୱାରା ଏକ ସୁନ୍ଦର ବାର୍ତ୍ତାଟିଏ ଯାଆନ୍ତା, ଯାହା ସାଦାସିଧା ବାହାଘର କରିବାକୁ ଲୋକମାନଙ୍କୁ ଅନୁପ୍ରେରିତ କରନ୍ତା । ଗଣମାଧ୍ୟମଗୁଡ଼ିକ ମଧ୍ୟ ଏଭଳି ଆଡ଼ମ୍ୱରପୂର୍ଣ୍ଣ ବିବାହୋତ୍ସବର ମହିମା ମଣ୍ଡନ କରିବାରୁ କ୍ଷାନ୍ତ ହେବା ଉଚିତ ।
ଭାରତରେ ବିବାହୋତ୍ସବର ଆୟୋଜନ ଏବେ ଲକ୍ଷେ କୋଟି ଟଙ୍କା ମୂଲ୍ୟର ଶିଳ୍ପରେ ପରିଣତ ହୋଇଛି । ଏହା ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ଓ କର୍ମସଂସ୍ଥାନ ପ୍ରଦାନ କରୁଛି । ତେଣୁ ବିବାହୋତ୍ସବରେ ଖର୍ଚ୍ଚ କାଟ ହେଲେ ଏହି ଶିଳ୍ପର କ୍ଷତିସାଧନ ହେବା ଅବଶ୍ୟମ୍ଭାବୀ । ତଥାପି ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ବିବାହୋତ୍ସବଗୁଡ଼ିକ ବ୍ୟୟବହୁଳ ହେବା ଉପରେ ଅଙ୍କୁଶ ଲଗାଯିବା ଆବଶ୍ୟକ । କୁହାଯାଏ, ବାହାଘର ସ୍ୱର୍ଗରେ ଅନୁଷ୍ଠିତ ହୋଇଥାଏ । ସତେ ଯେମିତି ସେହି ସ୍ୱର୍ଗାନୁଭୂତିକୁ ଧରଣୀକୁ ଅବତରି ଆଣିବା ଲାଗି ବିବାହୋତ୍ସବକୁ ଆକାଶଛୁଆଁ କରିବାର ପ୍ରୟାସ ଚାଲିଛି । ଏଥିରେ ସମସ୍ତେ ଏକମତ ହେବେ ଯେ ବିବାହୋତ୍ସବ ଅବିସ୍ମରଣୀୟ ହେଉ କି ନ ହେଉ ତା’ର ମଧୁର ଅନୁଭୂତି ଅନ୍ତତଃ ଦୀର୍ଘସ୍ଥାୟୀ ହେଉ । ବିବାହୋତ୍ସବ କୌଣସି ପରିବାର ଲାଗି ଅଶାନ୍ତି ଓ ଦାରିଦ୍ର୍ୟର କାରଣ ନ ହେଉ ।
Published in Sambad on July 23, 2024
କଥା ଟା ଠିକ, କାରଣ ବିବାହ ଖର୍ଚ୍ଚ ଉଠାଇବା ପରେ ଖାଲି ଝିଅ ର ବାପା ମା କୁ ଛାଡି ଅନ୍ୟମାନେ ଦୂରେଇ ଯାଇ ଥାଆନ୍ତି, କିନ୍ତୁ ବିଲେଇ ବେକରେ ଦଉଡୀ ବାନ୍ଧିବ କିଏ
ReplyDeleteଧନ୍ୟବାଦ
Delete