ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତି ‘ଏଇ ଥର, ଚାରିଶହ ପାର’ ପରିପ୍ରେକ୍ଷୀରେ ବିଶ୍ଳେଷକମାନେ ତହିଁର ନିହିତାର୍ଥ ବୁଝିବା ଲାଗି ଭିନ୍ନ ଭିନ୍ନ ପ୍ରକାରେ ତର୍ଜମା କରୁଛନ୍ତି । ଏହା ହୁଏତ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଆତ୍ମବିଶ୍ୱାସର ସଂକେତ ହୋଇପାରେ ବା ଦଳୀୟ କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବା ଲାଗି ଏହା ଏକ ଉଦ୍ୟମ ମଧ୍ୟ ହୋଇପାରେ ନା ଏହା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି ! ଦେଶରେ ଦରବୃଦ୍ଧି, ବେକାରୀ ଭଳି ଉତ୍କଟ ସମସ୍ୟାଗୁଡ଼ିକ କାରଣରୁ ଜନତାଙ୍କ ରୋଷ ବୃଦ୍ଧି ପାଇଥିବାରୁ ୪୦୦ରୁ ଅଧିକ ଆସନ ସହଜସାଧ୍ୟ ହୋଇ ନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଉଦଘୋଷଣା ପଛରେ ଆଉ କିଛି ଅଭିସନ୍ଧି ଥାଇପାରେ ବୋଲି ବିରୋଧୀ ପକ୍ଷଙ୍କ ଅନୁମାନ । ସେମାନେ କହନ୍ତି ଯେ ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ ୪୦୦ରୁ ଅଧିକ ଆସନ ଅର୍ଥାତ୍ ସମ୍ପୂର୍ଣ୍ଣ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଲାଭ କରି ସମ୍ୱିଧାନକୁ ବଦଳାଇବା ଲାଗି ସରକାର ଉଦ୍ୟମ କରିବେ । ତେଣୁ ଏ ସଂଦର୍ଭରେ ଏକ ଆଲୋଚନା କରାଯିବା ଉଚିତ ।
ବିଜେପିର ୪୦୦ ପାର ସ୍ଳୋଗାନ ବିରୋଧୀ ଦଳଗୁଡ଼ିକ ହାତରେ ସତେ ଯେମିତି ଅସ୍ତ୍ରଟିଏ ଧରାଇଦେଇଛି । ‘ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ ପରେ ବିଜେପି ସମ୍ୱିଧାନକୁ ବଦଳାଇ ସମାଜର ଦଳିତ, ପଛୁଆ ତଥା ବଞ୍ଚିତ ବର୍ଗର ଲୋକଙ୍କ ଅଧିକାରକୁ ସେମାନଙ୍କଠାରୁ ଛଡ଼ାଇ ନେବାକୁ ଚାହୁଁଛି କି ?’ ଏଭଳି ବଖାଣଟିଏ ଏବେ ପ୍ରସାରିତ ହେବାରେ ଲାଗିଛି; ଯାହା ସେହି ବର୍ଗର ଲୋକଙ୍କ ମନରେ ଭୟ ଉଦ୍ରେକ କରିବା ପାଇଁ ଯଥେଷ୍ଟ । ଅବଶ୍ୟ ସମ୍ୱିଧାନ ପରିବର୍ତ୍ତନ ନେଇ ଆଲୋଚନା ହେଉଛି ବୋଲି ବିତର୍କଟିଏ ବେଶ୍ କିଛି ଦିନ ଧରି ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟଙ୍କ ମତରେ (୨୦୨୩ରେ ତାଙ୍କ ଲିଖିତ ଏକ ଆଲେଖ୍ୟ ଅନୁସାରେ) ଲିଖିତ ସମ୍ୱିଧାନଗୁଡ଼ିକର ହାରାହାରି ବୟସ ୧୭ ବର୍ଷ ହୋଇଥାଏ । ସୁତରାଂ, ବର୍ତ୍ତମାନର ସମ୍ୱିଧାନ ସ୍ଥାନରେ ଏକ ନୂଆ ସମ୍ୱିଧାନର ଆବଶ୍ୟକତା ଉପୁଜିଲାଣି । ନିକଟରେ ଏକାଧିକ ବିଜେପି ନେତାଙ୍କ ସମ୍ୱିଧାନ ବଦଳାଇବା ସପକ୍ଷରେ ଦୃଢ଼ ମତ ରଖିଛନ୍ତି ଯାହା ଏଭଳି ଆଶଙ୍କାକୁ ବିଶ୍ୱାସଯୋଗ୍ୟ କରିବା ଲାଗି ଅଧିକ ଖୋରାକ ଯୋଗାଇଛି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଠିକ୍ ପୂର୍ବରୁ କର୍ଣ୍ଣାଟକର ବିଜେପି ସାଂସଦ ଅନନ୍ତ ହେଗଡ଼େ ମାର୍ଚ୍ଚ ମାସର ଆଦ୍ୟ ଭାଗରେ ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଲେ ଯେ କଂଗ୍ରେସ ସମ୍ୱିଧାନକୁ ବଦଳାଇ ସେଥିରେ ଯେଉଁ ସବୁ ହିନ୍ଦୁତ୍ୱ ବିରୋଧୀ ପ୍ରାବଧାନ ପୂରାଇଛି, ସେ ସବୁକୁ ଦୂର କରି ସମ୍ୱିଧାନକୁ ବଦଳାଇବା ଲାଗି ବିଜେପିକୁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ । ଏହା ପରେ ପରେ ରାଜସ୍ଥାନର ନାଗୌର ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଜ୍ୟୋତି ମିର୍ଦ୍ଧା, ଉତ୍ତର ପ୍ରଦେଶସ୍ଥିତ ଫୈଜାବାଦର ସାଂସଦ ଲାଲୁ ସିଂହ ଓ ମିରଟ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଅରୁଣ ଗୋଭିଲ ମଧ୍ୟ ଅନୁରୂପ ମତ ପ୍ରଦାନ କରିଛନ୍ତି । ଯଦିଓ ଏହା ସେମାନଙ୍କ ବ୍ୟକ୍ତିଗତ ମତ ଓ ଦଳ ସେଥିରେ ସହମତ ନୁହେଁ ବୋଲି ଦଳ ତରଫରୁ କୁହାଯାଇଛି, ତେବେ ସେମାନଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା କାରଣରୁ ଦଳର ଆଭିମୁଖ୍ୟ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି ।
ବିଜେପି ଦଳୀୟ ସମ୍ୱିଧାନର ଧାରା ୩ ଅନୁଯାୟୀ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ‘ଏକାତ୍ମ ମାନବବାଦ’ ପୁସ୍ତକଟିରେ ଉଲ୍ଲିଖିତ ଚିନ୍ତନଗୁଡ଼ିକ ହେଉଛି ଦଳର ମୌଳିକ ଦର୍ଶନ । ଏଥିରେ ଧର୍ମକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି । ବସ୍ତୁତଃ ଏହା ବିଧାୟିକା, କାର୍ଯ୍ୟପାଳିକା, ନ୍ୟାୟପାଳିକାଙ୍କଠାରୁ ଉଚ୍ଚତର; ଏପରିକି ଜନସାଧାରଣଙ୍କଠାରୁ ମଧ୍ୟ ଉପରେ । ଅନ୍ୟ ପକ୍ଷରେ ଭାରତୀୟ ସମ୍ୱିଧାନରେ ଜନସାଧାରଣଙ୍କୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି । ପୁସ୍ତକଟି ଅନୁସାରେ ଧର୍ମ ବିରୋଧରେ କାର୍ଯ୍ୟ କରିବାର କୌଣସି ଅଧିକାର ଜନସାଧାରଣଙ୍କ ନିକଟରେ ନାହିଁ । ସମ୍ୱିଧାନରେ ଥିବା ଧର୍ମନିରପେକ୍ଷତା ଶବ୍ଦ ହିଁ ତ୍ରୁଟିପୂର୍ଣ୍ଣ ଅଟେ । ରାଷ୍ଟ୍ର ପାଇଁ ଧର୍ମ ହିଁ ପ୍ରୟୋଜନୀୟ ସର୍ତ୍ତ, ଯେଉଁ କାରଣରୁ କୌଣସି ବିଷୟ ଧର୍ମ ଆଧାରିତ ହୋଇ ନଥିଲେ, ତାହା ଗ୍ରହଣୀୟ ହୋଇ ନପାରେ । ତେଣୁ ଧର୍ମନିରପେକ୍ଷତାକୁ କୌଣସି ପ୍ରକାରେ ଗ୍ରହଣ କରାଯାଇନପାରେ । ଏହିଠାରେ ଭାରତୀୟ ସମ୍ୱିଧାନର ମୂଳ ଢାଞ୍ଚା ସହ ‘ଏକାତ୍ମ ମାନବବାଦ’ ଦର୍ଶନର ସିଧାସଳଖ ସଂଘାତ ପରିଲକ୍ଷିତ ହୁଏ । କେବଳ ସେତିକି ନୁହେଁ ପୁସ୍ତକରେ ଜାତୀୟ ଏକତାକୁ ଭାରତର ରାଷ୍ଟ୍ରଧର୍ମ ରୂପେ ଗ୍ରହଣ କରାଯାଇଥିବାରୁ କୌଣସି ପ୍ରକାର ବିବିଧତାକୁ ସ୍ୱୀକାର କରିବା ସମସ୍ୟାଯୁକ୍ତ ହୋଇପାରେ । ତେଣୁ ଭାରତର ସମ୍ୱିଧାନର ସଂରଚନାକୁ ସଂଘୀୟ (ଫେଡେରାଲ)ରୁ ଐକାନ୍ତିକ (ୟୁନିଟାରି) ବ୍ୟବସ୍ଥାକୁ ବଦଳାଇବାର ଆବଶ୍ୟକତା ରହିଛି, ଯେଉଁଥିରେ ରାଜ୍ୟଗୁଡ଼ିକର କୌଣସି ପ୍ରକାର ଆଇନ ପ୍ରଣୟନ କ୍ଷମତା ରହିବ ନାହିଁ । ଯେଉଁ ‘ଏକାତ୍ମ ମାନବବାଦ’ ପୁସ୍ତକକୁ ବିଜେପି ତା’ର ମୌଳିକ ଦର୍ଶନ ରୂପେ ଗ୍ରହଣ କରିଛି ସେଥିରେ ସମ୍ୱିଧାନର ସଂଶୋଧନ ନୁହେଁ ବରଂ ତା’ର ମୂଳ ଢାଞ୍ଚାକୁ ବଦଳାଇବା ସପକ୍ଷରେ ସ୍ପଷ୍ଟ ଉଲ୍ଲେଖ ରହିଛି । ତେଣୁ, ଅନେକ ବିଶ୍ଳେଷଣକାରୀ ମନେ କରନ୍ତି ଯେ ଏଭଳି ଦର୍ଶନଗତ ବିଭେଦ କାରଣରୁ ଦଳ ସୁଯୋଗ ପାଇଲେ ସମ୍ୱିଧାନରେ ପରିବର୍ତ୍ତନ ଆଣିବାକୁ କୁଣ୍ଠିତ ହେବ ନାହିଁ ।
ସମ୍ୱିଧାନକୁ ସଂଶୋଧନ କରିବା ଲାଗି ତିନି ପ୍ରକାର ପ୍ରାବଧାନ ରହିଛି । ପ୍ରଥମଟିରେ, ସଂସଦର ଉଭୟ ସଦନରେ ସାଧାରଣ ସଂଖ୍ୟାଗରିଷ୍ଠତା (ଅର୍ଦ୍ଧାଧିକ ସଦସ୍ୟ) ଜରିଆରେ ସମ୍ୱିଧାନକୁ ସଂଶୋଧନ କରାଯାଇଥାଏ । ଦ୍ୱିତୀୟ ପ୍ରକାରେ, ସଂସଦରେ ଉପସ୍ଥିତ ଥାଇ ଭୋଟ ଦେଉଥିବା ସଦସ୍ୟଙ୍କ ମଧ୍ୟରୁ ଉଭୟ ସଦନରେ ଦୁଇ-ତୃତୀୟାଂଶ ସଦସ୍ୟ ସଂଶୋଧନ ସପକ୍ଷରେ ଭୋଟ ଦେଲେ କେତେକ ସଂଶୋଧନ କରିବା ସମ୍ଭବ ହୁଏ । ତେବେ ଏହି ପ୍ରକ୍ରିୟାରେ ସଂଘୀୟ ବ୍ୟବସ୍ଥାକୁ ପ୍ରଭାବିତ କଲା ଭଳି କୌଣସି ସଂଶୋଧନ ହୋଇପାରି ନଥାଏ । ତୃତୀୟ ପ୍ରକାରେ, ସମ୍ୱିଧାନ ସଂସଦର ଉଭୟ ସଦନରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ସହ ଅର୍ଦ୍ଧେକ ରାଜ୍ୟ ବିଧାନସଭାର ସମ୍ମତି ସମ୍ୱିଧାନ ସଂଶୋଧନ ଲାଗି ଲୋଡ଼ା ହୋଇଥାଏ । ରାଷ୍ଟ୍ରପତିଙ୍କ ନିର୍ବାଚନ, କେନ୍ଦ୍ର ଓ ରାଜ୍ୟଗୁଡ଼ିକର କାର୍ଯ୍ୟନିର୍ବାହୀ କ୍ଷମତା, କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଆଇନ ପ୍ରଣୟନ ପରିସର, ସଂସଦରେ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏଭଳି ସଂଶୋଧନର କଥା ସମ୍ୱିଧାନର ଅନୁଚ୍ଛେଦ ୩୬୮ରେ ରହିଛି । ଅର୍ଥାତ୍, ଏହି ପ୍ରକ୍ରିୟାରେ ରାଜ୍ୟ ତାଲିକାରେ ଥିବା ବିଷୟ ଉପରେ ମଧ୍ୟ କେନ୍ଦ୍ର ଆଇନ ପ୍ରଣୟନ କରିବାକୁ ସମର୍ଥ ହୋଇଥାଏ । ତେବେ, ଏହାଦ୍ୱାରା ସଂଘୀୟ ବ୍ୟବସ୍ଥା ପ୍ରଭାବିତ ହୋଇ ରାଜ୍ୟଗୁଡ଼ିକ ତୁଳନାରେ କେନ୍ଦ୍ର ଅଧିକ ଶକ୍ତିଶାଳୀ ହେବାର ଆଶଙ୍କା ଥାଏ । ସାଧାରଣ ସଂଖ୍ୟା ଗରିଷ୍ଠତା ହାସଲ କରି ଗୋଟିଏ ଦଳ କ୍ଷମତା ଦଖଲ କରିବାକୁ ସମର୍ଥ ହୋଇପାରେ । ହେଲେ ସମ୍ୱିଧାନ ସଂଶୋଧନ କରିବାର ଅଭୀପ୍ସା ରଖୁଥିବା ଶାସକ ଦଳ ପାଇଁ ସଂସଦର ଉଭୟ ସଦନରେ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ଜରୁରୀ ହୋଇଥାଏ ।
ଏବେ ‘ଏଥର ବିଜେପି ୩୭୦ ଓ ଏନଡ଼ିଏ ୪୦୦ ପାର’ ଭଳି ସ୍ଳୋଗାନଟିର ତର୍ଜମା କରାଯାଉ । ଲୋକସଭାରେ କୌଣସି ଦଳକୁ ନିରଙ୍କୁଶ ବା ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇବାକୁ ହେଲେ ତା’ର ୩୬୨ଟି ଆସନ ଆବଶ୍ୟକ । ଅର୍ଥାତ୍ ବିଜେପିର ୩୭୦ ପାର ସ୍ଳୋଗାନର ଆଭିମୁଖ୍ୟ ହେଉଛି କୌଣସି ଦଳ ଉପରେ ନିର୍ଭର ନ କରି ସେହି କୁହୁକ ସଂଖ୍ୟାଟି ହାସଲ କରିବା । ଦଳ ଏହି ଲକ୍ଷ୍ୟ ହାସଲ କରିବାକୁ ଅସମର୍ଥ ହେଲେ ମେଣ୍ଟ ପାଇଁ ଧାର୍ୟ୍ୟ ହୋଇଥିବା ୪୦୦ ପାର ଦ୍ୱାରା ମଧ୍ୟ ଉଦ୍ଦେଶ୍ୟ ପୂରଣ କରାଯାଇପାରେ । ଲୋକସଭା ପରେ ରାଜ୍ୟସଭାରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଉପରେ ପଦକ୍ଷେପ ଗ୍ରହଣ କରାଯାଇପାରେ । ରାଜ୍ୟସଭାରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ହେଲେ ଦଳକୁ ୧୬୪ଟି ଆସନ ଦଖଲକୁ ନେବାକୁ ହେବ, ଯେଉଁଥିପାଇଁ ଅଧିକାଂଶ ବଡ଼ ରାଜ୍ୟକୁ ମିଶାଇ ଅନ୍ତତଃ ୨୦ଟି ରାଜ୍ୟରେ ଦଳକୁ ଶାସନ କ୍ଷମତାକୁ ଆସିବାକୁ ହେବ । ଅନେକଙ୍କ ମତରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଲାଗି ବିଜେପିର ବ୍ୟାକୁଳତା ପଛରେ ଥିବା କାରଣ ସମ୍ୱିଧାନ ସଂଶୋଧନ ।
ଏ ଯାବତ୍ ସମ୍ୱିଧାନର ପ୍ରାବଧାନ ଅନୁଯାୟୀ ସମ୍ୱିଧାନ ୧୦୬ ଥର ସଂଶୋଧିତ ହୋଇସାରିଛି । ତେଣୁ, ସମ୍ୱିଧାନ ବଦଳିବା ନେଇ ଉଦବିଗ୍ନ ହେବାର କାରଣ କ’ଣ ବୋଲି ପ୍ରଶ୍ନ କରାଯାଉଛି । ତେବେ ସମ୍ୱିଧାନରେ ସଂଶୋଧନ କରିବା ଓ ସମ୍ୱିଧାନର ମୂଳ ଢ଼ାଞ୍ଚାରେ ପରିବର୍ତ୍ତନ କରି ତା’ର ସମ୍ପୂର୍ଣ୍ଣ ନବୀକରଣ କରାଯିବା ଏକା କଥା ନୁହେଁ । ବିରୋଧୀ ଦଳଗୁଡ଼ିକ ତରଫରୁ ଭୟର ବାତାବରଣଟିଏ ସୃଷ୍ଟି କରାଯାଉଛି ଯେ ସମ୍ୱିଧାନ ବଦଳିଲେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କୁ ମିଳୁଥିବା ଆରକ୍ଷଣ ସୁବିଧାକୁ ଉଠାଇ ଦିଆଯାଇପାରେ । ଅବଶ୍ୟ ବିଜେପିର ଅନେକ ତୁଙ୍ଗ ନେତା ଏ ସଂଦର୍ଭରେ ଆତ୍ମରକ୍ଷାତ୍ମକ ମୁଦ୍ରାକୁ ଚାଲି ଆସିଲେଣି । ଦଳିତ ଓ ପଛୁଆ ବର୍ଗଙ୍କୁ ସୀମାନ୍ତରିତ କରିବା ପାଇଁ ବିଜେପି ସମ୍ୱିଧାନ ବଦଳାଇବା ଲାଗି ଉଦଗ୍ରୀବ ଭଳି ଧାରଣା ଅମୂଳକ ଓ ବିଜେପି ଆସିଲେ ଆରକ୍ଷଣ ସମାପ୍ତ ହେବ ନାହିଁ ବୋଲି ସେମାନେ କହୁଛନ୍ତି । ତଥାପି ସାଧାରଣ ଜନତାଙ୍କ ଭିତରେ ବାନ୍ଧିଥିବା ଭୟର ବସାଟି ଏ ଯାଏଁ ଅତୁଟ ରହିଛି ।
ଏକ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଭୟ ଶାସକ ଦଳ ଓ ବିରୋଧୀ ଦଳ ଶକ୍ତିଶାଳୀ ହେବା ନିହାତି ଆବଶ୍ୟକ । କୁହାଯାଉଛି ଯେ ବିଜେପିର ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଦେଶକୁ ମଧ୍ୟ ଶକ୍ତିଶାଳୀ କରିବ । କିନ୍ତୁ ବାସ୍ତବତା ହେଲା, କୌଣସି ଦଳର ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ ଓ ଦେଶ ଶକ୍ତିଶାଳୀ ହେବା ଭିତରେ କୌଣସି ସିଧାସଳଖ ସମ୍ପର୍କ ନାହିଁ । ଆମେରିକାରେ ଦୁଇଟି ଦଳ ନିର୍ବାଚନ ଲଢ଼ନ୍ତି; ଡେମୋକ୍ରାଟିକ ଓ ରିପବ୍ଲିକାନ । ସେଠାକାର ନିର୍ବାଚନରେ କୌଣସି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କଥା ଉଠାଉ ନଥିଲେ ମଧ୍ୟ ତାହା ପୃଥିବୀର ସବୁଠାରୁ ଶକ୍ତିଶାଳୀ ଦେଶ । ଅନ୍ୟ ପକ୍ଷରେ ବୃହତ୍ ଜନସଂଖ୍ୟା, ଶାସକ ଦଳର ସଂଖ୍ୟା ଗରିଷ୍ଠତା ଓ ୧୦ ବର୍ଷ ଧରି ଦୃଢ଼ ନେତୃତ୍ୱ ସତ୍ତ୍ୱେ ଭାରତ ଏବେ ବି ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ‘ପାୱାର ରାଙ୍କ’ରେ ନିଜ ପାଇଁ ପ୍ରଥମ ଦଶଟି ଦେଶ ମଧ୍ୟରେ ସ୍ଥାନଟିଏ ସୁନିଶ୍ଚିତ କରିପାରିନାହିଁ । ଅନ୍ୟ ପକ୍ଷରେ ୧୯୬୯ର ବ୍ୟାଙ୍କ ଜାତୀୟକରଣ ହେଉ, ବା ୧୯୯୧ର ଆର୍ଥିକ ଉଦାରୀକରଣ ଅବା ୧୯୯୯ର ପରମାଣୁ ବୋମା ପରୀକ୍ଷା ନିଷ୍ପତ୍ତି ଭଳି କ୍ରାନ୍ତିକାରୀ ନିର୍ଣ୍ଣୟଗୁଡ଼ିକ ଗ୍ରହଣ କଲାବେଳେ ତତ୍କାଳୀନ ସରକାରଗୁଡ଼ିକ ନିକଟରେ କେବଳ କାମଚଳା ସଂଖ୍ୟାଗରିଷ୍ଠତା ଉପଲବ୍ଧ ଥିଲା, ନିରଙ୍କୁଶ ସଂଖ୍ୟାଗରିଷ୍ଠତା ନୁହେଁ । ଅଧିକନ୍ତୁ, କାମଚଳା ସଂଖ୍ୟାଗରିଷ୍ଠତା ଶାସକକୁ ଜନତାଙ୍କ ପ୍ରତି ଅଧିକ ବିଶ୍ୱସ୍ତ ରହିବାକୁ ବାଧ୍ୟକରି ସେମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିପାରେ । ସେମିତି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହିତ ଅବାଧ କ୍ଷମତା, ସ୍ଥଳ ବିଶେଷରେ, ଶାସକଠାରେ ଏକଚ୍ଛତ୍ରବାଦୀ ମାନସିକତା ସୃଷ୍ଟି କରାଇଥାଏ, ଯହିଁରେ ନାଗରିକ ନିଜର ଅଧିକାରମାନ ହରାଇ ସଂତ୍ରସ୍ତ ହୋଇରହେ । ଭାରତ ଭଳି ପ୍ରତିନିଧିମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମତଦାତା ଦଳୀୟ ଚିହ୍ନର ଊର୍ଦ୍ଧ୍ୱରେ ରହି ପ୍ରାର୍ଥୀଙ୍କ ଯୋଗ୍ୟତା ଭିତ୍ତିରେ ଭୋଟ ଦେଲେ କୌଣସି ଦଳ ପକ୍ଷରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିବା ସହଜ ହୋଇ ନଥାଏ । ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସମ୍ୱିଧାନରେ ପରିବର୍ତ୍ତନର ଆଶଙ୍କାକୁ ଦୃଢ଼ କରୁଥିବାରୁ ମତଦାନ ସମୟରେ କୌଣସି ଦଳ ବା କୌଣସି ଘୋଷିତ/ ଅଘୋଷିତ ମେଣ୍ଟକୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ପ୍ରଦାନ ପୂର୍ବରୁ ସତର୍କତା ଅବଲମ୍ୱନ ପୂର୍ବକ ବିବେଚନାପୂର୍ଣ୍ଣ ନିଷ୍ପତ୍ତି ନେବା ଆବଶ୍ୟକ ।
Published in Sambad on May 01, 2024
Comments
Post a Comment