ବିଶିଷ୍ଟ ଅର୍ଥନୀତିଜ୍ଞ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ପତି ପରକାଲା ପ୍ରଭାକର ନିର୍ବାଚନୀ ବଣ୍ଡ୍ ପ୍ରସଙ୍ଗକୁ କେବଳ ଭାରତର ନୁହେଁ ବରଂ ସମଗ୍ର ବିଶ୍ୱର ସର୍ବବୃହତ୍ ଦୁର୍ନୀତି କହିବା ସଙ୍ଗେ ସଙ୍ଗେ ଏହାକୁ ‘ମୋଦୀଗେଟ’ ବୋଲି ଅଭିହିତ କରିଛନ୍ତି । ମତଦାତାମାନେ ନିର୍ବାଚନରେ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଜାଣିବାର ଆବଶ୍ୟକତାକୁ ଉପଲବ୍ଧି କରି ନିର୍ବାଚନ କମିସନ ପ୍ରାର୍ଥୀମାନଙ୍କ ସମ୍ପର୍କିତ ତଥ୍ୟ ୱେବସାଇଟରେ ଦିଅନ୍ତି । ସେହିଭଳି ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ସଂଗୃହୀତ ବିପୁଳ ଅର୍ଥ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ସତ୍ୟ ଜନସାଧାରଣଙ୍କ ସମ୍ମୁଖରେ ଉନ୍ମୋଚିତ ହେବାର ଆବଶ୍ୟକତା ରହିଛି । ନିର୍ବାଚନ କମିସନଙ୍କ ୱେବସାଇଟରେ କେଉଁ ବ୍ୟକ୍ତି ବା କମ୍ପାନୀ କେତେ ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିଛନ୍ତି ଓ କେଉଁ ରାଜନୈତିକ ଦଳ କେତେ ଟଙ୍କାର ନିର୍ବାଚନୀ ବଣ୍ଡ୍ ପାଇଛନ୍ତି, ଏତିକି ତଥ୍ୟ ସିନା ମିଳୁଛି, କିନ୍ତୁ ଚାନ୍ଦା ଦେବା ପଛର ନିହିତ ଉଦ୍ଦେଶ୍ୟ ସମ୍ପର୍କରେ ଜାଣି ହେଉନାହିଁ । ନିର୍ବାଚନ ପ୍ରକ୍ରିୟାକୁ ବହୁଳ ଭାବେ ପ୍ରଭାବିତ କରିବାର କ୍ଷମତା ରଖୁଥିବା ନିର୍ବାଚନୀ ବଣ୍ଡର ଚାନ୍ଦାଦାତା, ଲାଭାର୍ଥୀ ଓ ନିହିତ ଉଦ୍ଦେଶ୍ୟ ସମ୍ପର୍କରେ ମତଦାତା ଅବଗତ ହୋଇ ମତଦାନ କରିବା ହୁଏତ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଉଚିତ ହୁଅନ୍ତା । କିନ୍ତୁ ଏହି ତଥ୍ୟର ଅଭାବରେ କିଛି ସନ୍ଧାନୀ ସାମ୍ୱାଦିକ ତାହା ଖୋଜି ବାହାର କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି, ଯାହା ପ୍ରଶଂସାଯୋଗ୍ୟ ।
ନିର୍ବାଚନୀ ବଣ୍ଡ୍ ବ୍ୟବସ୍ଥା ଅସ୍ୱଚ୍ଛ, ଅବୈଧ ଓ ଅସାମ୍ୱିଧାନିକ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇ ସାରିଥିବା ସତ୍ତ୍ୱେ ଶାସକ ଦଳର ତୁଙ୍ଗ ନେତାମାନଙ୍କ ଦ୍ୱାରା ଏହାକୁ ଯୁକ୍ତିଯୁକ୍ତ ଦର୍ଶାଇବାର ନିର୍ଲଜ ପ୍ରୟାସ ଚାଲୁରହିଛି । ‘ନିର୍ବାଚନ ବଣ୍ଡ୍ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ନଗଦ ଆକାରରେ ଚାନ୍ଦା ସଂଗ୍ରହ କରୁଥିବାରୁ ଚାନ୍ଦା ସମ୍ପର୍କରେ ଜନସାଧାରଣ ଜାଣିବାର କୌଣସି ଅବକାଶ ନଥିଲା ବେଳେ ଏବେ ଅନ୍ତତଃ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ସଂଗୃହୀତ ଚାନ୍ଦା ସମ୍ପର୍କରେ ଜନସାଧାରଣ ଜାଣିପାରୁଛନ୍ତି ତ !’ ବୋଲି ଯୁକ୍ତିଟିଏ ଦିଆଯାଉଛି । ତା’ଛଡ଼ା ବ୍ୟାଙ୍କ ମାଧ୍ୟମରେ ନିର୍ବାଚନୀ ବଣ୍ଡ୍ କିଣାଯାଉଥିବାରୁ ଚାନ୍ଦା ପ୍ରଦାନରେ ନଗଦ ଟଙ୍କା ଆକାରରେ କଳାଧନର ଉପଯୋଗର ପରିସମାପ୍ତି ଘଟିଛି ବୋଲି ମଧ୍ୟ ସଫେଇଟିଏ ଦିଆଯାଉଛି । କିନ୍ତୁ ଦୁଇଟିଯାକ ଯୁକ୍ତି ଅମୂଳକ । ସତ କଥାଟି ହେଉଛି, ନିର୍ବାଚନୀ ବଣ୍ଡ୍ ସମ୍ପର୍କୀୟ ତଥ୍ୟ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ବାଧ୍ୟ କରି ନଥିଲେ, ଭାରତୀୟ ଷ୍ଟେଟ ବ୍ୟାଙ୍କ ତାହା ଦେଇନଥାନ୍ତା କି ଜନସାଧାରଣ ଏ ସମ୍ପର୍କରେ କିଛି ହେଲେ ଜାଣି ପାରି ନ ଥାଆନ୍ତେ । ଏପରିକି ଏ ସମ୍ପର୍କରେ କୌଣସି ତଥ୍ୟ ଜାଣିବାର ଅଧିକାର ଜନସାଧାରଣଙ୍କର ନାହିଁ ବୋଲି ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୁକ୍ତି ବାଢ଼ିଥିଲେ । ଷ୍ଟେଟ ବ୍ୟାଙ୍କ ମଧ୍ୟ ଏହାକୁ ନିର୍ବାଚନ ସରିବା ପରେ ପ୍ରକାଶ କରିବାକୁ ଚାହୁଁଥିଲା । ଅର୍ଥାତ୍ ଶେଷପର୍ୟ୍ୟନ୍ତ ସମସ୍ତ ସୂଚନା ଗୁପ୍ତ ରଖିବାର ସାଧ୍ୟ ମୁତାବକ ପ୍ରୟାସ କରାଯାଇଥିଲା । ଦ୍ୱିତୀୟ କଥାଟି ହେଲା ନିର୍ବାଚନୀ ବଣ୍ଡ୍ ପ୍ରଚଳନ ପୂର୍ବରୁ ମଧ୍ୟ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ବା କମ୍ପାନୀ ଚାହିଁଲେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇ ପାରୁଥିଲେ । ପୁଣି ଆଗର ନଗଦ ଆକାରରେ ଚାନ୍ଦା ଦେବାର ବ୍ୟବସ୍ଥା ଏବେ ବି ଅଛି ; ଫରକ ହେଉଛି, ଆଗରୁ ୨୦୦୦୦ ଟଙ୍କା ପର୍ୟ୍ୟନ୍ତ ନଗଦ ଚାନ୍ଦା ଦେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବାର ଆବଶ୍ୟକତା ନ ଥିଲା । ଏବେ ସେହି ପରିମାଣକୁ କମାଇ ୨୦୦୦ ଟଙ୍କା କରିଦିଆଯାଇଛି ।
ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ମାତ୍ର ୧୬ହଜାର କୋଟି ଟଙ୍କାର ବଣ୍ଡ୍ କିଣା ଓ ଭଙ୍ଗା ଯାଇଥିଲେ ବି ଏହି ସ୍କିମକୁ ‘ଦୁର୍ନୀତିର ଜନନୀ’ ବୋଲି ଅଭିହିତ କରାଯାଉଛି, କାରଣ କମ୍ପାନୀଗୁଡ଼ିକ ଦ୍ୱାରା ରାଜନୈତିକ ଦଳଗୁଡ଼ିକୁ ପ୍ରଦତ୍ତ ଅଧିକାଂଶ ବଣ୍ଡ୍ ପଛରେ ସେମାନଙ୍କ ନ୍ୟସ୍ତ ସ୍ୱାର୍ଥ ସାଧନ କରିବାର ଉଦ୍ଦେଶ୍ୟ ଲୁକ୍କାୟିତ ଭାବେ ରହି ଗୋଟିଏ ଗୋଟିଏ ବଡ଼ ବଡ଼ ଦୁର୍ନୀତିର ଗାଥା ବଖାଣୁଛି । ଏଥିରେ ବିଭିନ୍ନ ସରକାରୀ ସଂସ୍ଥାଙ୍କ ପରୋକ୍ଷ ବା ପ୍ରତ୍ୟକ୍ଷ ସମ୍ପୃକ୍ତି, ବିଭିନ୍ନ ରାଜନୈତିକ ଦଳଙ୍କ ସଂଲିପ୍ତତା ଓ ଏହାର ଭୌଗୋଳିକ ବିସ୍ତାର ଏହି ମହାଦୁର୍ନୀତିର ବ୍ୟାପକତାକୁ ଇଙ୍ଗିତ କରୁଛି । ତେଣୁ ସାମଗ୍ରିକ ଭାବେ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ହୋଇଥିବା ବିଭିନ୍ନ ଦୁର୍ନୀତିର ପରିମାଣ ଲକ୍ଷ ଲକ୍ଷ କୋଟି ଟଙ୍କା ବୋଲି ଆକଳନ କରାଯାଏ । ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ହୋଇଥିବା ଦୁର୍ନୀତିକୁ ମୋଟାମୋଟି ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ପ୍ରଥମଟି ହେଲା ‘ଚାନ୍ଦା ଦିଅ କାମ ନିଅ’, ଅର୍ଥାତ୍ ଟଙ୍କା ବିନିମୟରେ ସ୍ୱାର୍ଥ ହାସଲ (କ୍ୱିଡ ପ୍ରୋ କ୍ୱୋ) । ଉଦାହରଣ ସ୍ୱରୂପ, ମେଘା ଇଞ୍ଜିନିଅରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ନାମକ କମ୍ପାନୀ ଏପ୍ରିଲ ୨୦୨୩ରେ ୧୧୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କ୍ରୟ କରିବା ପରେ ଅକ୍ଟୋବର ୨୦୨୩ରେ ସେହି କମ୍ପାନୀକୁ ମହାରାଷ୍ଟ୍ରରେ ୧୪୪୦୦ କୋଟି ଟଙ୍କାର ଏକ ସୁଡ଼ଙ୍ଗ ଖୋଲା ପ୍ରକଳ୍ପର କାମ ମିଳିବା । ସେହିପରି ବଣ୍ଡ୍ କ୍ରୟ କରିଥିବା କମ୍ପାନୀଗୁଡ଼ିକର ବ୍ୟାବସାୟିକ ଫାଇଦା ଲାଗି ବିଭିନ୍ନ ସରକାରୀ ନୀତି (ଟେଲିକମ ନୀତି, ଏନବିଏଫସି ନୀତି)କୁ ବଦଳାଇବାର ପ୍ରୟାସ କରାଯାଇଥିବାର ଅଭିଯୋଗମାନ ହେଉଛି । ଦ୍ୱିତୀୟ ପ୍ରକାର ଦୁର୍ନୀତି ହେଲା ‘ବଟି ଅସୁଲି’ ବା ‘ଏକସଟୋର୍ସନ’ । ଅନେକ କମ୍ପାନୀଙ୍କ ଉପରେ ଇଡି, ସିବିଆଇ, ଆୟକର ବିଭାଗ ଗୁଡ଼ିକର ଚଢ଼ଉ ପରେ ସେମାନେ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଦେଇଛନ୍ତି ଓ ପରେ ପରେ ତଦନ୍ତକୁ କୋହଳ ବା ବନ୍ଦ କରି ଦିଆଯାଇଥିବାର ଅଭିଯୋଗ ହେଉଛି । ତୃତୀୟତଃ, ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ‘ଅର୍ଥ ଚାଲାଣ’ (ମନି ଲଣ୍ଡରିଙ୍ଗ) ଭଳି ଅପରାଧମାନ ସଂଘଟିତ ହୋଇଥିବାର ଆରୋପ ଲାଗୁଛି । ଏପରିକି ୭ ବର୍ଷ ଧରି କ୍ଷତିରେ ଚାଲୁଥିବା ବା କୌଣସି ଲାଭ କରି ନଥିବା ୩୩ଟି କମ୍ପାନୀ ୫୭୬ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିଛନ୍ତି । ଏହି କମ୍ପାନୀଗୁଡ଼ିକର ସମୁଦାୟ କ୍ଷତିର ପରିମାଣ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଓ ଏଥିରୁ ୧୬ଟି କମ୍ପାନୀ ଟିକସ ଆକାରରେ ଟଙ୍କାଟିଏ ଦେଇ ନାହାନ୍ତି । ତେଣୁ ପ୍ରଶ୍ନ ଉଠେ ଏତେ ବିପୁଳ ପରିମାଣର ନିର୍ବାଚନୀ ବଣ୍ଡ୍ କ୍ରୟ କରିବା ଲାଗି ସେହି କମ୍ପାନୀଗୁଡ଼ିକ ସମର୍ଥ ହେଲେ କିପରି ? ଜଣାଯାଏ ଯେ କିଛି ବଡ଼ ବଡ଼ କମ୍ପାନୀ ବିଭିନ୍ନ ‘ଶେଲ୍’ ବା ନକଲି କମ୍ପାନୀ ଜରିଆରେ ଅର୍ଥ ଦେଇଛନ୍ତି, ଯାହା ଅର୍ଥ ଚାଲାଣ ବା ମନି ଲଣ୍ଡରିଙ୍ଗ ଅପରାଧ ପର୍ଯ୍ୟାୟବାଚୀ । ଆଦାନୀ, ଆମ୍ୱାନୀଙ୍କ ଭଳି ଉଦ୍ୟୋଗପତି ତଥା ସରକାରଙ୍କ ଅଧିକାଂଶ ପ୍ରକଳ୍ପରେ ଅଂଶୀଦାର ଥିବା କିଛି ବଡ଼ ବଡ଼ କମ୍ପାନୀ ନିର୍ବାଚନୀ ବଣ୍ଡ୍ ଯୋଜନାରେ ଆଦୌ ଅଂଶଗ୍ରହଣ ନ କରିବା, ଏହି ସନ୍ଦେହକୁ ଦ୍ୱିଗୁଣିତ କରୁଛି ।
ଚାନ୍ଦା ମାଧ୍ୟମରେ ‘କୃତଜ୍ଞତା ପ୍ରଦର୍ଶନ’ ମଧ୍ୟ ଦୁର୍ନୀତିର ଅନ୍ୟ ଏକ ରୂପ ହୋଇପାରେ, ଯହିଁରେ କୃତଜ୍ଞତା ପରିପ୍ରକାଶ ସ୍ୱରୂପ ଅର୍ଥ ପରେ ଦିଆଯାଇଥାଏ । କୋଭିସିଲ୍ଡ ଟୀକାର ନିର୍ମାଣକାରୀ ‘ସେରମ ଇନଷ୍ଟିଚ୍ୟୁଟ’ର ସତ୍ତ୍ୱାଧିକାରୀ ସାଇରସ୍ ପୁନାୱାଲାଙ୍କୁ ମାର୍ଚ୍ଚ ୨୦୨୨ରେ ‘ପଦ୍ନଭୂଷଣ’ରେ ସମ୍ମାନିତ କରାଯିବା ପରେ ସେ ଅଗଷ୍ଟ ୨୦୨୨ରେ ସେ ବିଜେପିକୁ ୫୦.୨୫ କୋଟି ଟଙ୍କାର ଚାନ୍ଦା ପ୍ରଦାନ କରିଥିଲେ । ଅବଶ୍ୟ ଏହି ଚାନ୍ଦା ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଦିଆ ନ ଯାଇ ‘ପ୍ରୁଡେନସିଆଲ ଇଲେକ୍ଟୋରାଲ ଟ୍ରଷ୍ଟ’ (ନିର୍ବାଚନୀ ନ୍ୟାସ) ମାଧ୍ୟମରେ ଦିଆଯାଇଛି ଯହିଁରେ ଚାନ୍ଦାଦାତାଙ୍କ ନାମ ଗୋପନୀୟ ରହି ନଥାଏ । ତେବେ ନିର୍ବାଚନୀ ବଣ୍ଡ୍ କ୍ରୟ କରି ମଧ୍ୟ ‘କୃତଜ୍ଞତା ପ୍ରଦର୍ଶନ’ କରାଯାଇଥାଇପାରେ ।
ଏତଦଭିନ୍ନ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଚାନ୍ଦା ଆଦାୟକୁ ନିର୍ବିଘ୍ନ କରିବା ଲାଗି କେଉଁଠି ଆଇନର ଉଲ୍ଲଂଘନକୁ ପ୍ରଶ୍ରୟ ଦିଆଯାଇଛି ତ କେଉଁଠି ପୁଣି ନିୟନ୍ତ୍ରକ ଆଇନକାନୁନର କଡ଼ାକଡ଼ି ଅନୁପାଳନ କରିନାହାନ୍ତି । ୨୦୧୮ ମସିହାରେ ପଞ୍ଜିକୃତ ଅନ୍ୟୂନ ୪୩ଟି କମ୍ପାନୀ ପଞ୍ଜିକରଣର ଅଳ୍ପ ଦିନ ମଧ୍ୟରେ ୩୮୪.୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛନ୍ତି । ଭାରତୀୟ କମ୍ପାନୀ ଆଇନ, ୨୦୧୩ର ଧାରା ୧୮୨(୧) ଅନୁଯାୟୀ ପଞ୍ଜିକରଣର ୩ ବର୍ଷ ନ ପୂରିବା ଯାଏଁ କୌଣସି କମ୍ପାନୀ ରାଜନୈତିକ ଦଳକୁ ଚାନ୍ଦା ଦେଇପାରିବେ ନାହିଁ । ଦେଶରେ ଅନ୍ୟୂନ ୩୫ଟି ଔଷଧ କମ୍ପାନୀ ଓ କର୍ପୋରେଟ ହସପିଟାଲ ୯୪୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିବା ମଧ୍ୟ ଅନେକଙ୍କୁ ବିସ୍ମିତ କରିଛି । ଏଥି ମଧ୍ୟରୁ ୨୨ଟି କମ୍ପାନୀ ସେମାନଙ୍କ ଔଷଧ ଉତ୍ପାଦନ କାରଖାନା ଥିବା ରାଜ୍ୟରେ ସମ୍ପୃକ୍ତ ଶାସକ ଦଳଗୁଡ଼ିକୁ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଦେଇଥିବା ବିଷୟ ଜଣାପଡ଼ୁଛି । ଉଲ୍ଲେଖଯୋଗ୍ୟ ଯେ କମ୍ପାନୀ ବିରୋଧରେ ନିମ୍ନମାନର ଔଷଧ ବା ଅନ୍ୟ କୌଣସି ଆଇନ ଉଲ୍ଲଂଘନର ଅଭିଯୋଗ ହେଲେ କେବଳ କାରଖାନା ଥିବା ରାଜ୍ୟର ସରକାର ଦଣ୍ଡିତ କରିପାରନ୍ତି । କୋଭିଡ ସମୟରେ ଅତି ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ଗୁଜରାଟସ୍ଥିତ ‘ଜାଇଡସ ହେଲଥକେୟାର’ ଦ୍ୱାରା ପ୍ରସ୍ତୁତ ‘ରେମଡେସିଭିର’ର ଗୋଟିଏ ବ୍ୟାଚ୍ ଔଷଧ ବିହାର ଡ୍ରଗସ୍ କଣ୍ଟ୍ରୋଲରଙ୍କ ଦ୍ୱାରା ନିମ୍ନମାନର ବୋଲି ଅଭିଯୋଗ ହୋଇଥିଲେ ବି ଗୁଜରାଟ ସରକାରଙ୍କ ତରଫରୁ କୌଣସି କାର୍ୟ୍ୟାନୁଷ୍ଠାନ କରାଯାଇ ନଥିଲା । କିଛି ନିମ୍ନମାନର ଔଷଧ ସମ୍ପର୍କରେ ଡ୍ରଗସ୍ କଣ୍ଟ୍ରୋଲରଙ୍କଠାରୁ ପ୍ରତିକୂଳ ରିପୋର୍ଟ ମିଳିବା ପରେ କିଛି କମ୍ପାନୀ ନିର୍ବାଚନୀ ବଣ୍ଡ୍ କିଣିଥିବାର ଅଭିଯୋଗ ହେଉଛି । ଔଷଧର ଗୁଣମାନ ନେଇ ଏଭଳି ଅଭିସନ୍ଧିମୂଳକ ବୁଝାମଣା ଗର୍ହିତ ନିଶ୍ଚୟ ।
ବହୁଜନ ସମାଜ ପାର୍ଟି ଓ ଏନପିପି ପରି ଦୁଇଟି ଜାତୀୟ ରାଜନୈତିକ ଦଳକୁ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ କୌଣସି ଚାନ୍ଦା ମିଳି ନ ଥିବା ବେଳେ ସ୍କିମକୁ ବିରୋଧ କରି ସିପିଆଇ, ସିପିଏମ, ଫରୱାର୍ଡ ବ୍ଲକ ଓ ସିପିଆଇଏମଏଲ ଭଳି ବାମଦଳଗୁଡ଼ିକ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ କୌଣସି ଚାନ୍ଦା ଗ୍ରହଣ କରିନାହାନ୍ତି । କେନ୍ଦ୍ରରେ ଥିବା ବିଜେପି ଏବଂ ବିଭିନ୍ନ ରାଜ୍ୟ ଶାସନ କ୍ଷମତାରେ ଥିବା ଆଞ୍ଚଳିକ ଦଳଗୁଡ଼ିକୁ ଅଧିକ ପରିମାଣରେ ବଣ୍ଡ୍ ମିଳିଥିବାର ପରିଲକ୍ଷିତ ହେଉଛି । ତେବେ ଆଇନ ପ୍ରଣୟନ ପରେ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଗ୍ରହଣ ବୈଧ ହୋଇଥିବାରୁ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଗ୍ରହଣ ଦୋଷାବହ ହୋଇ ନ ପାରେ । ତେଣୁ ସମୁଦାୟ ନିର୍ବାଚନୀ ବଣ୍ଡକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ । କୌଣସି ପ୍ରତ୍ୟାଶା ନ ରଖି ରାଜନୈତିକ ଦଳ ପ୍ରତି ସମର୍ଥନ କାରଣରୁ ବ୍ୟକ୍ତିବିଶେଷ ବା କମ୍ପାନୀଙ୍କ ଦ୍ୱାରା ଦିଆଯାଇଥିବା ଚାନ୍ଦା ଓ ନିର୍ଦ୍ଦିଷ୍ଟ ସ୍ୱାର୍ଥ ହାସଲ ଲାଗି ଦିଆଯାଇଥିବା ବଣ୍ଡ, ଯାହା ପ୍ରକାରାନ୍ତରେ ଉତ୍କୋଚ ହୋଇଥିବାରୁ ଭ୍ରଷ୍ଟାଚାର ପର୍ଯ୍ୟାୟବାଚୀ ବୋଲି କୁହାଯାଇପାରେ ।
ଇତିମଧ୍ୟରେ କିଛି ଦଳ ସେମାନଙ୍କୁ ମିଳିଥିବା ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତରେ ତଥ୍ୟ ନିର୍ବାଚନ କମିସନଙ୍କୁ ଦେଇ ସାରିଲେଣି । ତଦନୁଯାୟୀ ଗତ ୬ ବର୍ଷ ମଧ୍ୟରେ ବିଜେଡି ୯୪୪.୫୦ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ପାଇଥିବାର ସୂଚନା ମିଳୁଛି । ଏଥିରୁ ସିଂହଭାଗ ଖଣି ଓ ଖଣି ଆଧାରିତ ଶିଳ୍ପୋଦ୍ୟୋଗ ଓ ପୁଞ୍ଜିପତିଙ୍କ ନିକଟରୁ ମିଳିବା ଉଦବେଗଜନକ । ଓଡ଼ିଶାର ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏତେ ପରିମାଣର ଚାନ୍ଦା ପ୍ରତିବଦଳରେ କମ୍ପାନୀଗୁଡ଼ିକ କିଭଳି ଲାଭାନ୍ୱିତ ହୋଇଛନ୍ତି ଓ ତାହା ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ସ୍ୱାର୍ଥର ପ୍ରତିକୂଳରେ ହୋଇନାହିଁ ତ ? ଅନ୍ୟ ପକ୍ଷରେ ସିଂହଭାଗ ବଣ଼୍ଡ୍ ପାଇଥିବା ବିଜେପି, କଂଗ୍ରେସ, ଟିଏମସି ଦଳ ନିର୍ବାଚନ କମିସନଙ୍କୁ ତଥ୍ୟ ପ୍ରଦାନ କରିନାହାନ୍ତି । ରାଜ୍ୟ ସରକାରଗୁଡ଼ିକ ଚଢ଼ଉ କରିବାର କ୍ଷମତା ସୀମିତ ହୋଇଥିବା ସତ୍ତ୍ୱେ କ୍ଷମତାସୀନ ଦଳକୁ ମିଳୁଥିବା ଚାନ୍ଦାର ପରିମାଣ ଅଧିକ ହେବାର କାରଣ ଜମି ଅଧିଗ୍ରହଣ, କ୍ଷତିପୂରଣ ରାଶି ନିର୍ଦ୍ଧାରଣ, ପରିବେଶ ଆଇନର କୋହଳ ଅନୁପାଳନ ଆଦି ଜରିଆରେ ସମ୍ପୃକ୍ତ କମ୍ପାନୀଗୁଡ଼ିକୁ ଅନୁଗୃହୀତ କରିବା ହୋଇପାରେ ।
ପ୍ରତିଟି ବଣ୍ଡ୍ ପଛରେ ଥିବା ଦୁର୍ନୀତିର କାହାଣୀ ଉନ୍ମୋଚିତ ହେବା ଜରୁରୀ । ଏହି କାମଟି କେବଳ ସୁପ୍ରିମକୋର୍ଟଙ୍କ ନିୟନ୍ତ୍ରିତ ଏକ ସ୍ୱତନ୍ତ୍ର ଏସଆଇଟି ଦ୍ୱାରା ହିଁ ନିରପେକ୍ଷ ଭାବେ କରାଯାଇପାରିବ, ଯେଉଁଥିପାଇଁ ବିଭିନ୍ନ ସଂଗଠନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେଣି । କେବଳ ନିର୍ବାଚନୀ ବଣ୍ଡ୍ ନୁହେଁ ନିର୍ବାଚନୀ ନ୍ୟାସ ମାଧ୍ୟମରେ ମିଳିଥିବା ଚାନ୍ଦାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ଆବଶ୍ୟକ । ବିଳମ୍ୱରେ ହେଲେ ବି ନିର୍ବାଚନୀ ବଣ୍ଡ୍ ସଂଲଗ୍ନ ସମସ୍ତ ଅନୀତି ଓ ଦୁର୍ନୀତି ଉନ୍ମୋଚିତ ହେଉ । ନିର୍ବାଚନ ପୂର୍ବରୁ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଜଣାପଡ଼ିଥିଲେ ହୁଏତ ଫଳାଫଳକୁ ତାହା ଅନେକାଂଶରେ ପ୍ରଭାବିତ କରିଥାନ୍ତା । ତେବେ ଭ୍ରଷ୍ଟାଚାରମୁକ୍ତ ଦେଶ ଗଠନ ଲାଗି ଆନ୍ତରିକ ଭାବେ ଚାହୁଁଥିବା ପ୍ରତ୍ୟେକ ମତଦାତା ଯେ ମତଦାନ ପୂର୍ବରୁ ମହାଦୁର୍ନୀତିର ଗନ୍ଧ ବାରି ହେଉଥିବା ନିର୍ବାଚନୀ ବଣ୍ଡ୍ ପ୍ରସଙ୍ଗରେ ନିଶ୍ଚିତ ଭାବେ ଥରୁଟିଏ ହେଲେ ଗମ୍ଭୀରତାର ସହ ଚିନ୍ତା କରିବାକୁ ବିବଶ ହେବେ, ଏଥିରେ ସନ୍ଦେହ ନାହିଁ ।
Published in Sambad on May 14, 2024
Comments
Post a Comment