Skip to main content

କମ୍ ମତଦାନର କିଛି ସମ୍ଭାବ୍ୟ କାରଣ

ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଥମେ ଜାରି ହୋଇଥିବା ସୂଚନାରୁ ୨୦୨୪ ସାଧାରଣ ନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟଗୁଡ଼ିକରେ ଭୋଟଦାନ ହାର ଯଥେଷ୍ଟ କମ ହୋଇଥିଲା ବୋଲି ଜଣାପଡ଼ୁଥିଲା। ତେବେ ମେ ୨୫ ତାରିଖରେ କମିସନଙ୍କ ଦ୍ୱାରା ପ୍ରଥମ ୫ଟି ପର୍ଯ୍ୟାୟରେ ସଂସଦ କ୍ଷେତ୍ର ଆସନ ପିଛା ମତଦାନ ସମ୍ପର୍କରେ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରୁ ଜଣାପଡ଼ୁଛି ଯେ ସମଗ୍ର ଦେଶରେ ମୋଟାମୋଟି ପ୍ରାୟ ୬୬.୮ ପ୍ରତିଶତ ମତଦାନ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ୬୭.୪ ପ୍ରତିଶତ ଥିଲା। ସୁତରାଂ, ପାଞ୍ଚ ପର୍ଯ୍ୟାୟର ଭୋଟଦାନ ହାରକୁ ବିଚାର କଲେ ମତଦାନ ମାତ୍ର ୦.୬ ପ୍ରତିଶତ ଊଣା ହୋଇଛି। ଆଗାମୀ ଦୁଇ ପର୍ଯ୍ୟାୟର ମତଦାନ ତଥ୍ୟ ସାର୍ବଜନୀନ ହେଲେ ଚୂଡ଼ାନ୍ତ ସ୍ଥିତି ଜଣାପଡ଼ିବ। ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ ପଶ୍ଚିମବଙ୍ଗ. ଆନ୍ଧ୍ରପ୍ରଦେଶ ଓ ଉତ୍ତର ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକରେ ଅନେକ ସ୍ଥାନରେ ୮୦ ପ୍ରତିଶତରୁ ଅଧିକ ଭୋଟଦାନ ହୋଇଥିବାବେଳେ ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକରେ ହାରାହାରି ମତଦାନ ୬୦ ପ୍ରତିଶତରୁ କମ୍ ହୋଇଛି। ଅନେକ ସ୍ଥାନରେ ତ ତାହା ୫୦ ପ୍ରତିଶତ ବି ଛୁଇଁ ପାରିନାହିଁ। ଓଡ଼ିଶାରେ ହାରାହାରି ମତଦାନ ହାର ଭଲ ଥିଲେ ସୁଦ୍ଧା ଆସ୍କା, ବ୍ରହ୍ମପୁର, ଭୁବନେଶ୍ୱର ଭଳି କେତେକ ଆସନରେ ତାହା କମ୍ ହୋଇଛି। ଏଭଳି ସ୍ଥଳେ ଭୋଟଦାନର ବିଭିନ୍ନ ଦିଗ ସମ୍ପର୍କରେ ଏକ ଆଲୋଚନା କରାଯାଇପାରେ।

ବିଶ୍ଳେଷକମାନଙ୍କ ମତରେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ପରି ଏଥରର ନିର୍ବାଚନରେ ଜାତୀୟ ସ୍ତରରେ କୌଣସି ‘ଲହର' ବା ତରଙ୍ଗ ଦେଖିବାକୁ ମିଳିନାହିଁ। ଫଳରେ କୌଣସି ଦଳକୁ ଜିତାଇବା ବା ହରାଇବା ଲାଗି ଭୋଟରମାନଙ୍କ ମଧ୍ୟରେ ଅତ୍ୟଧିକ ଉତ୍ସାହ ପରିଲକ୍ଷିତ ହୋଇନାହିଁ। ଅନେକ ମତଦାତା ସେମାନଙ୍କ ପସନ୍ଦ ନାପସନ୍ଦ ସମ୍ପର୍କରେ ମୁଖର ଭାବେ କହିବାରୁ ନିବୃତ୍ତ ରହି ନୀରବ ରହିବାକୁ ଉଚିତ ମଣୁଛନ୍ତି। ଏହା ମତଦାନ ପ୍ରତିଶତ ହ୍ରାସ ହେବାର ଅନ୍ୟତମ ମୁଖ୍ୟ କାରଣ। ରାଜନୈତିକ ଦଳ ଓ ନେତାମାନଙ୍କର ଆଚରଣ, ଅର୍ଥ ଓ ବାହୁବଳର ପ୍ରାବଲ୍ୟ, ମନ ମୁତାବକ ପ୍ରାର୍ଥୀଙ୍କ ଅନୁପସ୍ଥିତି ଓ ଟିକଟ ପାଇବା ଲୋଭରେ ନେତାମାନଙ୍କ ଘନଘନ ଦଳବଦଳ ଭଳି  ବିଷୟକୁ ନାପସନ୍ଦ କରି ମତଦାତାଙ୍କ ମଧ୍ୟରେ ନିଜ ମତ ସାବ୍ୟସ୍ତ କରିବା ଲାଗି ବୀତସ୍ପୃହତା ଓ ଅନାଗ୍ରହ ଦେଖିବାକୁ ମିଳିଛି। ଆହୁରି ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଉଛି ଯେ ଶାସକ ଦଳର ବିଜୟ ସୁନିଶ୍ଚିତ ବୋଲି କିଛି ମତଦାତା ଆଶ୍ୱସ୍ତ ହୋଇପଡ଼ିଥିବାରୁ ସେମାନେ ଭୋଟ ଦେବା ଅକାରଣ ଓ ତଦ୍ଦ୍ୱାରା ବିଶେଷ କିଛି ଫରକ ଆସିବ ନାହିଁ ବିଚାର କରି ଭୋଟ ଦେଇନାହାନ୍ତି ।

ଗତ ଥରଗୁଡ଼ିକ ପରି ସାରାଦେଶରେ ଏଥରର ନିର୍ବାଚନରେ ପ୍ରାୟତଃ କୌଣସି ଜାତୀୟ ପ୍ରସଙ୍ଗ ନାହିଁ। ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ମନେ କରାଯାଉଥିଲା ଯେ ଏଥର ବୋଧହୁଏ ରାମ ମନ୍ଦିର ନିର୍ମାଣ, ଅନୁଚ୍ଛେଦ ୩୭୦ର ଉଚ୍ଛେଦ ଆଦି ସନ୍ଦର୍ଭ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ହେବ। କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆଗେଇବା ସହ ଏହି ପ୍ରସଙ୍ଗଗୁଡ଼ିକ ଗୌଣ ହୋଇପଡ଼ିଛି ବୋଲି କୁହାଯାଉଛି। ଫଳରେ କୌଣସି ଜାତୀୟ ବଖାଣ (ନ୍ୟାସନାଲ ନେରେଟିଭ)ର ଅଭାବରେ ପ୍ରତ୍ୟେକ ରାଜ୍ୟ ବା ଅଞ୍ଚଳରେ ନିର୍ବାଚନ ସେହି ରାଜ୍ୟ ବା ଅଞ୍ଚଳର ପ୍ରସଙ୍ଗକୈନ୍ଦ୍ରିକ ଲଢ଼ାଯାଉଛି। ସହସା ଆଲୋଡ଼ନ ସୃଷ୍ଟି କରିଥିବା କେତେକ ବିଷୟ ନିର୍ବାଚନୀ ପ୍ରସଙ୍ଗ ହେବାକୁ ଲାଗିଲା; ଯେମିତି କି ପଶ୍ଚିମବଙ୍ଗର ସନ୍ଦେଶଖାଲି, କର୍ଣ୍ଣାଟକର ପ୍ରଜ୍ଜ୍ୱଳ ରେବନ୍ନା ବା ଦିଲ୍ଲୀରେ ସ୍ୱାତୀ ମାଲିୱାଲ ଭଳି ଘଟଣା। ଏଭଳି ପ୍ରସଙ୍ଗରେ ସାଧାରଣ ନିର୍ବାଚନରେ ହୋହଲ୍ଲା ସୃଷ୍ଟି ହେବା ଅନେକ ଭୋଟରଙ୍କୁ ହତାଶ କରିଛି ଯେଉଁମାନେ ଦରବୃଦ୍ଧି, ବେକାରି ବା ଆର୍ଥିକ ବୈଷମ୍ୟ ଭଳି ସଂଦର୍ଭ ନିର୍ବାଚନୀ ପ୍ରସଙ୍ଗ ହେଉ ବୋଲି ଚାହିଁଥିଲେ। ଅବଶ୍ୟ କଂଗ୍ରେସ ଓ ବିରୋଧୀ ପକ୍ଷ ବେକାରି ସମସ୍ୟା, ଦରଦାମ ବୃଦ୍ଧି, ଆର୍ଥିକ ବୈଷମ୍ୟ,  ସମ୍ୱିଧାନ ସୁରକ୍ଷା ଆଦି ବିଷୟଗୁଡ଼ିକୁ ନେଇ ଉଚ୍ଚାଟ ସୃଷ୍ଟି କରିଥିଲେ ହେଁ ଚାଞ୍ଚଲ୍ୟ ସୃଷ୍ଟିକାରୀ ପ୍ରସଙ୍ଗଗୁଡ଼ିକ ଅଧିକ ତୁମ୍ୱିତୋଫାନ ସୃଷ୍ଟି କରିଛି। କେତେକ ଆସନରେ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ଲୋକପ୍ରିୟତାର ଅଭାବ ମଧ୍ୟ ଅନେକ ଭୋଟରଙ୍କୁ ମତଦାନରୁ ନିରୁତ୍ସାହିତ କରିଛି । ଅନ୍ୟ ପକ୍ଷରେ ଯେଉଁଠାରେ ନିର୍ବାଚନ ଯେତେ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେଉଛି ସେଠାରେ ମତଦାନର ହାର ସେତେ ଅଧିକ ହେଉଥିବାର ପରିଲକ୍ଷିତ ହେଉଛି।

ଦେଶବ୍ୟାପି ଏପ୍ରିଲ ୧୯ରୁ ଜୁନ ୧ ପର୍ଯ୍ୟନ୍ତ ସାତ ଦଫାରେ ହେଉଥିବା ଏଥର ନିର୍ବାଚନର ନାମାଙ୍କନଠାରୁ ନେଇ ଫଳଘୋଷଣା ଯାଏ ନିର୍ବାଚନୀ ଅବଧି ହେଉଛି ପ୍ରାୟ ୨ ମାସ । ଉଲ୍ଲେଖଯୋଗ୍ୟ ଯେ ଏହି ସମୟରେ ଦେଶ ଏ ବର୍ଷର ସବୁଠାରୁ ଉତ୍ତପ୍ତ ସମୟ ଦେଇ ଗତି କରିଛି ଓ ଦେଶର ବିଭିନ୍ନ ଅଞ୍ଚଳରେ ତାପମାନ ୪୦ ଡିଗ୍ରୀରୁ ୪୮ ଡିଗ୍ରୀ ମଧ୍ୟରେ ରହିଛି । ଅତ୍ୟଧିକ ତାପମାନ ଓ ଗ୍ରୀଷ୍ମ ପ୍ରବାହ କାରଣରୁ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଅଞ୍ଚଳର ଲୋକମାନେ ଭୋଟଦାନରୁ ନିବୃତ୍ତ ରହୁଥିବାର ଖବର ମିଳିଛି ।ଏହି କାରଣରୁ କେବଳ ଓଡ଼ିଶାରେ ନିର୍ବାଚନ କାର୍ଯ୍ୟ ପରିଚାଳନାରେ ନିୟୋଜିତ ପୋଲିଂ ଅଧିକାରୀ ବଲାଙ୍ଗିର ଜିଲ୍ଲାର ସ୍କୁଲ ଶିକ୍ଷକ ସୁଶୀଲ କୁମାର ଆଚାର୍ଯ୍ୟ ଓ କଟକର ସୁଜାତା ମିତ୍ରଙ୍କ ଅକାଳ ବିୟୋଗ ହୋଇଥିବାବେଳେ ସୁନ୍ଦରଗଡ଼ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅନେକ  କର୍ମଚାରୀ ଓ ସ୍ୱେଚ୍ଛାସେବୀ ଅସୁସ୍ଥ ହୋଇପଡ଼ିଥିବାର ଖବର ମିଳୁଛି। ସେହିପରି ତଳସରା ବିଧାନସଭା କ୍ଷେତ୍ରର ଏକ ବୁଥରେ ଭୋଟଦାନ କରିବାକୁ ଯାଇଥିବା ଜଣେ ବୃଦ୍ଧା ମହିଳା ଭୋଟର ଅଂଶୁଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବାର ଅଭିଯୋଗ ହେଉଛି। କେବଳ ସେତିକି ନୁହେଁ, ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ରାଜନୈତିକ କର୍ମୀ ଓ ସମର୍ଥକମାନେ ଅଂଶୁଘାତର ଶିକାର ହୋଇ ମୃତ୍ୟୁବରଣ କରିବା ଓ ଅସୁସ୍ଥ ହେବାର ଖବରମାନ ଶୁଣିବାକୁ ମିଳୁଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଦି’ପହରର ନିର୍ଦ୍ଦିଷ୍ଟ ସମୟରେ ଘରୁ ନ ବାହାରିବା ଲାଗି ସରକାରଙ୍କ ତରଫରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଥିବାବେଳେ ସେହି ଏକା ସମୟରେ ନିର୍ବାଚନ କରି ଲୋକଙ୍କୁ ଭୋଟ ଦେବାକୁ ଆସିବା ଲାଗି କୁହାଯିବା ଓ ନିର୍ବାଚନ ପ୍ରଚାର ଉପରେ କଟକଣା ନ ଲଗାଇ ନିର୍ବାଚନୀ ସଭାଗୁଡ଼ିକରେ ହଜାର ହଜାର ଲୋକଙ୍କୁ ଠୁଳ ହେବାର ପଥ ସୁଗମ କରାଯିବା କେତେ ଦୂର ସମୀଚୀନ? ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷର ଏହି ସମୟରେ ତାପମାନ ଅସହନୀୟ ଭାବେ ବୃଦ୍ଧି ପାଇବା ସହ ବାତ୍ୟା (ଏଥର 'ରେମାଳ') ଭଳି ପ୍ରାକୃତିକ ଦୁର୍ବିପାକ ଅଧିକ ହେବାର ଆଶଙ୍କା ଥିବାରୁ ଭବିଷ୍ୟତରେ ନିର୍ବାଚନ ତାରିଖ ବସନ୍ତ ଋତୁରେ କରାଯିବାର ଔଚିତ୍ୟ ସପକ୍ଷରେ ମତ ପ୍ରକାଶ ପାଇଲାଣି। ପ୍ରକାଶ ଥାଉ କି ୨୦୧୯ ମସିହା ମେ ମାସ ୩ ତାରିଖରେ ‘ଫନି’ ବାତ୍ୟା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରଳୟ ଘଟାଇଥିଲା। ସୌଭାଗ୍ୟକୁ ସେହି ବର୍ଷ ଓଡ଼ିଶାରେ ଏପ୍ରିଲ ୨୯ ସୁଦ୍ଧା ନିର୍ବାଚନ ସରିଯାଇଥିଲା । ଏଥର ମେ ୨୬ରେ ହୋଇଥିବା ‘ରେମାଳ’ ବାତ୍ୟା ପଡ଼ୋଶୀ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି, ଯେଉଁଠି ନିର୍ବାଚନ ସରିନାହିଁ। 

ଦେଶରେ ୨ ମାସରୁ ଅଧିକ ସମୟ ଧରି ନିର୍ବାଚନୀ ପ୍ରଚାର ଲାଗିରହିବା ବାତାବରଣକୁ ଯେଉଁ ଭଳି କଳୁଷିତ କରିଛି ତାହା ଅନେକଙ୍କ ପାଇଁ ବିରକ୍ତିର କାରଣ ହୋଇଛି। ଟିଭି ଖୋଲିଲେ କେବଳ ସେହି ଗୋଟିଏ ପ୍ରକାରର ଆଲୋଚନା, ଆକ୍ଷେପ ଓ ପ୍ରତି ଆକ୍ଷେପ ଶୁଣି ଶୁଣି କିଛି ମତଦାତା ନିର୍ବାଚନ ପ୍ରତି ବୀତସ୍ପୃହ ହୋଇପଡ଼ୁଛନ୍ତି । ଏହାକୁ ‘ନିର୍ବାଚନ କ୍ଳାନ୍ତି’ (ଫେଟିଗ୍) ବୋଲି କୁହାଯାଉଛି । ହୋଇପାରେ, ମତଦାନ ହାର କମ୍ ହେବାର ଇଏ ବି ଏକ କାରଣ । ନିର୍ବାଚନ କମିସନ ଚାହିଁଥିଲେ ପ୍ରତି ଦଫାରେ ହାରାହାରି ୧୩୫ଟି ଲେଖାଏଁ ଆସନରେ ନିର୍ବାଚନ କରି ପୂରା ପ୍ରକ୍ରିୟାକୁ ମାସକ ମଧ୍ୟରେ ଶେଷ କରିପାରିଥାନ୍ତେ । ଆମ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଯଦି ୧୭୫ଟି ବିଧାନସଭା ଆସନ ଓ ୨୫ଟି ଲୋକସଭା ଆସନ ଲାଗି ଗୋଟିଏ ଦଫାରେ ନିର୍ବାଚନ ସମ୍ପନ୍ନ ହୋଇପାରୁଛି, ତେବେ ୧୪୭ ବିଧାନସଭା ଓ ୨୧ଟି ଲୋକସଭା ଆସନ ଥିବା ଓଡ଼ିଶାରେ ଚାରି ଦଫାର ନିର୍ବାଚନ କାହିଁକି? ପ୍ରଲମ୍ୱିତ ନିର୍ବାଚନ ହୁଏତ କିଛି ରାଜନୈତିକ ଦଳଙ୍କ ସ୍ୱାର୍ଥରେ ହୋଇପାରେ, ହେଲେ ତାହା ଦେଶ ଅବା ମତଦାତାଙ୍କ ସ୍ୱାର୍ଥରେ କଦାପି ନୁହେଁ।

ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ବିହାର ଓ ଉତ୍ତର ପ୍ରଦେଶରେ ମତଦାନ ହାର କମ୍ ହୋଇ ୬୦ ପ୍ରତିଶତରୁ ତଳେ ରହିବାର ଏକ ବଡ଼ କାରଣ ହେଉଛି ଏହି ରାଜ୍ୟଦ୍ୱୟରୁ ଅନେକ ଲୋକ ବାହାର ରାଜ୍ୟଗୁଡ଼ିକରେ କାମ କରୁଛନ୍ତି। ସେହି ଏକା କାରଣରୁ ସେଠାରେ ମହିଳା ମତଦାତାଙ୍କ ମତଦାନ ହାର ପୁରୁଷଙ୍କ ଅପେକ୍ଷା ଅଧିକ ହେଉଛି। ଓଡ଼ିଶାରେ ବିଭିନ୍ନ ସଂସଦୀୟ କ୍ଷେତ୍ରର ମତଦାନ ହାରକୁ ପର୍ୟ୍ୟାଲୋଚନା କଲେ ପ୍ରାୟ ଅଧିକାଂଶ ଆସନରେ ମତଦାନ ହାର ୭୪ ପ୍ରତିଶତରୁ ଅଧିକ ହୋଇଥିବାର ଜଣାପଡ଼ୁଛି। କେବଳ ଆସ୍କା ଓ ବ୍ରହ୍ମପୁର ଆସନରେ ତାହା ପ୍ରାୟ ୧୦ ପ୍ରତିଶତ କମ୍ ହୋଇ ଯଥାକ୍ରମେ ମାତ୍ର ୬୩ ଓ ୬୫ ପ୍ରତିଶତ ହୋଇଛି। ଏହି ଅଞ୍ଚଳରୁ ଅନେକ ଲୋକ ସୁରତ ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ କାମ କରୁଥିବାରୁ ଏଠାରେ ମତଦାନ ପ୍ରତିଶତ କମ୍ ହୋଇଥାଇପାରେ। ତେବେ ବାହାର ରାଜ୍ୟଗୁଡ଼ିକରେ ସର୍ବାଧିକ ସଂଖ୍ୟକ ଦାଦନ ଶ୍ରମିକ ଭାବେ କାମ କରୁଥିବା କଳାହାଣ୍ଡି ଓ ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ମତଦାନ ହାର ୭୮ ପ୍ରତିଶତ ହେବା ଅନେକଙ୍କୁ ବିସ୍ମିତ କରିଛି। ଏହାର କାରଣ କ'ଣ ଦାରିଦ୍ର୍ୟ ଓ ଅନଗ୍ରସରତା ବିରୋଧରେ ପ୍ରତିକ୍ରିୟାଶୀଳ ମତଦାନ କରିବାକୁ ଦାଦନ ଶ୍ରମିକମାନେ ବହୁଳ ଭାବେ ନିଜ ନିଜ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରି ଭୋଟ ଦେଇଛନ୍ତି ବୋଲି ବୁଝିବାକୁ ହେବ! ମହାନଗରଗୁଡ଼ିକରେ ରହୁଥିବା ଶିକ୍ଷିତ ତଥା ଉଚ୍ଚ ଓ ମଧ୍ୟବିତ୍ତ ପରିବାରର ଲୋକମାନଙ୍କ ମଧ୍ୟରେ ମତଦାନ ପ୍ରତି ଉଦାସୀନତା ସେଠାରେ ମତଦାନ ହାର କମ ହେବାର କାରଣ ହୋଇଥାଏ। ତେବେ ଭୁବନେଶ୍ୱର ପରି ସହରଗୁଡ଼ିକରେ କିଛି ମତଦାତାଙ୍କ ନାମ ଭୋଟର ତାଲିକାରେ ସେମାନଙ୍କ ଗାଁରେ ଓ ଭୁବନେଶ୍ୱରରେ ଅଛି। ସେମାନଙ୍କ ମଧ୍ୟରୁ କେତେକ ଗାଁରେ ଭୋଟ ଦେବାକୁ ଉଚିତ ମନେ କରୁଛନ୍ତି। ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହ ସଂଯୁକ୍ତ କରାଗଲେ ପ୍ରକୃତ ଭୋଟରଙ୍କ ସଂଖ୍ୟା ହ୍ରାସପାଆନ୍ତା। ଏହା ଜାଲ୍ ମତଦାନକୁ ରୋକିବା ସହ ମତଦାନ ହାର ବୃଦ୍ଧିରେ ମଧ୍ୟ ସହାୟକ ହୁଅନ୍ତା।

ପ୍ରାର୍ଥୀ ଚୟନବେଳେ ଅର୍ଥବଳ ଓ ବାହୁବଳକୁ ଗୁରୁତ୍ୱ ଦିଆଯାଉଥିବାରୁ ଭଲ ଲୋକମାନେ କ୍ରମଶଃ ନିର୍ବାଚନରୁ ଦୂରେଇ ଯାଉଛନ୍ତି ବା ଦୂରେଇ ଯିବାକୁ ବାଧ୍ୟ ହେଉଛନ୍ତି । ଏଥିସହିତ ନିର୍ବାଚିତ ପ୍ରତିନିଧି ଓ ରାଜନୈତିକ ଦଳଗୁଡ଼ିକର ନୀତିହୀନ ଓ ବିଚାରଧାରାବିହୀନ ଆଚରଣ ମତଦାତାଙ୍କୁ ଅତିଷ୍ଠ କରୁଛି। ମହାରାଷ୍ଟ୍ରର ଅଧିକାଂଶ ଆସନରେ ମତଦାନ ହାର ୬୦ ପ୍ରତିଶତରୁ କମ୍ ହେବା ସମ୍ଭବତଃ ତା’ର ଏକ ପ୍ରତିଫଳନ। ସେଠାରେ ଉଭୟ ଶିବସେନା ଓ ଏନସିପି ଦଳକୁ ଦୁଇଭାଗ କରି ଯେଉଁଭଳି ଭାବେ କ୍ଷମତା ଦଖଲ କରାଗଲା, ତାହା ସେଠାକାର ମତଦାତାଙ୍କୁ ବିଷଣ୍ଣ କରିଥିବା ସମ୍ଭବ, ଯାହା ସେମାନଙ୍କୁ ମତଦାନ ପ୍ରକ୍ରିୟା ପ୍ରତି ବିମୁଖ କରିଥିବ। ପୁଣି ଦେଖିବାକୁ ମିଳୁଛି ଯେ ନିର୍ବାଚନ ପରେ ମତଦାତାଙ୍କ ନିର୍ଣ୍ଣୟକୁ ଅବଜ୍ଞା କରି ବିଧାୟକ ଓ ସାଂସଦଙ୍କ କିଣାବିକା ମାଧ୍ୟମରେ ଜନମତକୁ ଓଲଟାଇ ଦିଆଯାଉଛି ଯଦ୍ଦ୍ୱାରା ମତଦାତା ନିଜକୁ ପ୍ରତାରିତ ହେଲା ପରି ମନେ କରୁଛି। ଏଭଳି ଘଟଣା ବାରମ୍ୱାର ଘଟିଲେ ସେ ନିଜକୁ ଅପ୍ରାସଙ୍ଗିକ ମନେ କରି ଗଣତନ୍ତ୍ର ପ୍ରତି ବୀତସ୍ପୃହ ହୁଏ ଓ ମତଦାନରୁ ବିରତ ରହିବାକୁ ବାଧ୍ୟ ହୁଏ। ନିର୍ବାଚନ ପରେ ମତଦାତାଙ୍କ ନିର୍ଣ୍ଣୟକୁ ଅବଜ୍ଞା କରି ବିଧାୟକ ଓ ସାଂସଦଙ୍କ କିଣାବିକା ମାଧ୍ୟମରେ ସରକାର ଗଠନ କରାଗଲେ ବି ମତଦାତାମାନେ ଗଣତନ୍ତ୍ର ପ୍ରତି ବୀତସ୍ପୃହ ହୋଇଥାନ୍ତି, ଯାହା ଯେ କୌଣସି ଦେଶ ଲାଗି ବିପଜ୍ଜନକ ନିଶ୍ଚୟ। ଏଭଳି କିଛି କାରଣ ସମ୍ଭବତଃ ଭୋଟଦାତାମାନଙ୍କୁ ଭୋଟଦାନ କେନ୍ଦ୍ରକୁ ଯିବାରୁ ନିରୁତ୍ସାହିତ କରୁଥିବ, ନ ହେଲେ ଦେଶରେ ନିର୍ବାଚନକୁ ନେଇ ଉଚ୍ଚାଟର ସ୍ତର ଯାହା, ସେଥିରେ ମତଦାନ ହାର କମ ହୁଅନ୍ତା ନାହିଁ । ତେଣୁ ଗଣତନ୍ତ୍ର ପ୍ରତି ଜନତାଙ୍କ ଆସ୍ଥା ବଜାଏ ରଖିବା ଲାଗି ରାଜନୈତିକ ଦଳଗୁଡ଼ିକ ଯତ୍ନବାନ୍ ହେବା ଗୁରୁତ୍ୱପୂର୍ଣ୍ଣ । ନିର୍ବାଚନ ସ୍ୱରୂପ ଗଣତନ୍ତ୍ରର ବିଶାଳ ପର୍ବରେ ମତଦାତାମାନେ କିପରି ଅଧିକ ସଂଖ୍ୟାରେ ଆଗ୍ରହର ସହିତ ଭାଗ ନେଇପାରିବେ ସେ ଦିଗରେ ରାଜନୈତିକ ଦଳଗୁଡ଼ିକଠାରୁ ଆରମ୍ଭ କରି ନିର୍ବାଚନ କମିସନଙ୍କ ପର୍ଯ୍ୟନ୍ତ ସମସ୍ତେ ଅଧିକ ଆନ୍ତରିକତା ଓ ତତ୍ପରତା ପ୍ରଦର୍ଶନ କରିବେ ବୋଲି ଆଶାକରାଯାଉ।

Published in Sambad on May 29, 2024

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍