ଆଖି ଆଗରେ ଗୋଲାପି ଟଙ୍କା ଜନ୍ମ ନେଲା । ଅନେକଙ୍କ ଆଖିରେ ଧନୀ ହେବାର ଗୋଲାପି ସ୍ୱପ୍ନ ବୋଳିଲା । ଗରିବଟିଏ ବି ସେଇଟିକୁ ହାତରେ ଧରି କ୍ଷଣିକ ଲାଗି ହେଲେ ବି ନିଜକୁ ଧନୀ ଧନୀ ମଣିଲା । କ୍ରମେ ଗୋଲାପି ଟଙ୍କା କୁଆଡ଼େ ତା’ ରଙ୍ଗ ଏମିତି ବଦଲାଇଲା ଯେ ତା’ର ପରିଚୟ ‘ନୂଆ କଳା’ ଟଙ୍କାରେ ପରିଣତ ହୋଇଗଲା । ବୋଧେ ତାହା ହିଁ ପାଲଟିଲା ତା’ର ଅକାଳ ମୃତ୍ୟୁର କାରଣ । ଦୁଇ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ଲାଗି ରିଜର୍ଭ ବ୍ୟାଙ୍କର ଘୋଷଣା ସହିତ ସେହି ଗୋଲାପି ଟଙ୍କାର ଅପମୃତ୍ୟୁ ହୋଇଛି କହିଲେ କିଛି ଭୁଲ ହେବନାହିଁ । ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଟଙ୍କାର ବର୍ଦ୍ଧିତ ଚାହିଦାକୁ ତତକ୍ଷଣାତ୍ ପୂରଣ କରିବା ଲାଗି ତା’ର ଜନ୍ମ ହୋଇଥିଲା । ସେହି ଲକ୍ଷ୍ୟ ପୂରଣ କରି ସାରିଥିବାରୁ ତା’ର ମୃତ୍ୟୁ ଅନିବାର୍ୟ୍ୟ ଥିଲା ବୋଲି କୁଆଡ଼େ ତା’ ଜନ୍ମ ସମୟରୁ ନିଧାର୍ୟ୍ୟ ଥିଲା ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ, ୧୯୩୪ର ଧାରା ୨୭ ଅନୁଯାୟୀ ଚିରି ଯାଇଥିବା, ବିକୃତ ହୋଇଥିବା ବା ନଷ୍ଟ ହୋଇଥିବା ନୋଟଗୁଡ଼ିକୁ ବ୍ୟାଙ୍କ ପୁନର୍ବାର ବଜାରକୁ ଛାଡ଼ିପାରିବେ ନାହିଁ । ତଦନୁଯାୟୀ ରିଜର୍ଭ ବ୍ୟାଙ୍କ ୧୯୯୯ରୁ ‘ସ୍ୱଚ୍ଛ ମୁଦ୍ରା ନୀତି’ (କ୍ଲିନ୍ ନୋଟ ପଲିସି)ର ଅନୁପାଳନ କରି ନାଗରିକମାନଙ୍କୁ ଉଚ୍ଚ ମାନର ନୋଟ ଓ ମୁଦ୍ରା ଯୋଗାଇ ଆସୁଛି । ମାର୍ଚ୍ଚ ୨୦୧୭ ପୂର୍ବରୁ ସର୍ବାଧିକ ସଂଖ୍ୟକ ୨୦୦୦ ଟଙ୍କିଆ ନୋଟ ଛପା ହୋଇ ସେଗୁଡ଼ିକର ଆୟୁଷ ଅତିକ୍ରାନ୍ତ ହୋଇସାରିଥିବାରୁ ମେ ୧୯, ୨୦୨୩ରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ‘ସ୍ୱଚ୍ଛ ମୁଦ୍ରା ନୀତି’ ଅନୁଯାୟୀ ସେହି ନୋଟଗୁଡ଼ିକୁ ପ୍ରତ୍ୟାହାର କରିନେବା ପାଇଁ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛନ୍ତି । ତେବେ ସେଗୁଡ଼ିକ ଆପାତତଃ ଅଚଳ ନ ହୋଇ ବୈଧ ମୁଦ୍ରା (ଲିଗାଲ ଟେଣ୍ଡର) ଭାବେ ବ୍ୟବହୃତ ହେବ । ୨୦୧୪ରେ ମଧ୍ୟ ସ୍ୱଚ୍ଛ ମୁଦ୍ରା ନୀତିର ଅନୁସାରେ ୨୦୦୫ ପୂର୍ବରୁ ଛପା ହୋଇଥିବା ନୋଟଗୁଡ଼ିକୁ ପ୍ରତ୍ୟାହାର କରାଯାଇଥିଲା । ଅବଶ୍ୟ ସେତେବେଳେ କୌଣସି ମୂଲ୍ୟର ନୋଟ ପ୍ରଚଳନ ସମ୍ପୂର୍ଣ୍ଣ ବନ୍ଦ ହୋଇନଥିଲା ।
ତେବେ ଦୁଇ ହଜାର ଟଙ୍କିଆ ନୋଟଗୁଡ଼ିକର ଆୟୁ ଅତିକ୍ରାନ୍ତ ହୋଇ ନଷ୍ଟଯୋଗ୍ୟ ହୋଇଥିବା ସେଗୁଡ଼ିକର ପ୍ରତ୍ୟାହାରର କାରଣ ବୋଲି ରିଜର୍ଭ ବ୍ୟାଙ୍କ ପ୍ରଦତ୍ତ ବକ୍ତବ୍ୟକୁ ଅନେକେ ଗ୍ରହଣ କରି ପାରୁ ନାହାନ୍ତି । କାରଣ ସେମିତି ହୋଇଥିଲେ ତା’ ସ୍ଥାନରେ ନୂଆ ୨୦୦୦ ଟଙ୍କିଆ ନୋଟ ବଜାରକୁ ଛଡ଼ା ଯାଇପାରିଥାନ୍ତା । ତେଣୁ ଏହା ପଛର ପ୍ରକୃତ ଉଦ୍ଦେଶ୍ୟ କ'ଣ ହୋଇପାରେ ସେ ନେଇ ନାନାଦି କଳ୍ପନା ଜଳ୍ପନା ପ୍ରକାଶ ପାଇବାକୁ ଲାଗିଲାଣି । ଟଙ୍କା ମହଜୁଦକାରୀଙ୍କୁ ସେଥିରୁ କ୍ଷାନ୍ତ କରିବା ଏହାର ଉଦ୍ଦେଶ୍ୟ ହୋଇଥାଇପାରେ । ବିପୁଳ ପରିମାଣରେ ମହଜୁଦ ରଖିଥିବା ଲୋକଙ୍କଠାରୁ ୨୦୦୦ ଟଙ୍କିଆ ନୋଟ ବାହାରି ଆସିଲେ ବି ସେମାନଙ୍କ ଦ୍ୱାରା ପୁଣି ୫୦୦ ଟଙ୍କିଆ ନୋଟ ଯେ ମହଜୁଦ ନହେବ ତାହା କିପରି ସୁନିଶ୍ଚିତ କରିହେବ ? ଏହି ଟଙ୍କା ବ୍ୟାଙ୍କରେ ଜମା ହେଲେ ବ୍ୟାଙ୍କଗୁଡ଼ିକର ଜମାରାଶି ଅଧିକ ହୋଇ ଋଣପ୍ରଦାନ କ୍ଷମତା ବଢ଼ିବ । ଅବଶ୍ୟ ତା’ର ପ୍ରକୃତ ଲାଭାର୍ଥୀ ବଡ଼ ବଡ଼ ପୁଞ୍ଜିପତି ଓ ଶିଳ୍ପପତି ନହେବେ ବୋଲି କହିହେବନାହିଁ । ନୋଟ ବଦଳାଇବା ବେଳେ ପରିଚୟ ପ୍ରମାଣପତ୍ର ଅନିବାର୍ୟ୍ୟ ହୋଇ ନଥିବାରୁ ଏହା ଯେ କଳାଧନ ଉପରେ ରୋକ ଲଗାଇବା ଲାଗି ଉଦ୍ଦିଷ୍ଟ ନୁହେଁ, ତାହା ସ୍ପଷ୍ଟ । ଆଦାନୀ ମାମଲା ଓ ଅନ୍ୟାନ୍ୟ ଅର୍ଥନୈତିକ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ଲାଗି ଏହା ଏକ ପଦକ୍ଷେପ ବୋଲି ମଧ୍ୟ କୁହାଯାଉଛି । ଶାସକ ଦଳର କର୍ଣ୍ଣାଟକ ନିର୍ବାଚନରେ ପରାଜୟ ପରେ ୨୦୨୩ରେ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ରେ ହେବାକୁ ଥିବା ଲୋକସଭା ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କ ନିକଟରେ ଥିବା ଗଚ୍ଛିତ ନଗଦ ରାଶିକୁ ବାହାର କରି ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବା ଏହି ପ୍ରୟାସର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମଧ୍ୟ କୁହାଯାଉଛି ।
ନୋଟ ଛପାଉଥିବା ରିଜର୍ଭ ବ୍ୟାଙ୍କର ସହାୟକ କମ୍ପାନୀ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡ଼ର ତଥ୍ୟ ଅନୁଯାୟୀ ୨୦୧୬-୧୭ରୁ ୨୦୧୮-୧୯ ତିନି ବର୍ଷ ମଧ୍ୟରେ ସମୁଦାୟ ୩୭୦୧୧.୮୮ ଲକ୍ଷ ୨୦୦୦ ଟଙ୍କିଆ ନୋଟ ଛପା ହୋଇଥିଲା, ଯାହାର ମୋଟ ମୂଲ୍ୟ ଥିଲା ୬,୭୨,୬୦୦ କୋଟି ଟଙ୍କା । ତନ୍ମଧ୍ୟରୁ ୨୦୧୬-୧୭ରେ କେବଳ ୮୯ ପ୍ରତିଶତ ନୋଟ ଛପା ହୋଇଥିଲା । ଅବଶ୍ୟ ୨୦୧୮-୧୯ ପରେ ଆଉ ୨୦୦୦ ଟଙ୍କିଆ ନୋଟ ଛପା ହୋଇନଥିବାରୁଏହି ନୋଟ ପ୍ରତ୍ୟାହାର ଲାଗି ପ୍ରସ୍ତୁତି ଅନେକ ପୂର୍ବରୁ ହୋଇସାରିଥିଲା । ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ଚାଲୁଥିବା ୨୦୦୦ ଟଙ୍କିଆ ନୋଟର ମୋଟ ମୂଲ୍ୟ ୩.୬୨ ଲକ୍ଷ କୋଟି ଟଙ୍କା ଥିବା ଜଣାପଡ଼ିଛି, ଯାହା ଥିଲା ମୋଟ ସଞ୍ଚଳନଗ୍ରସ୍ତ ମୁଦ୍ରା (ମନି ଇନ୍ ସର୍କୁଲେସନ୍) ମୂଲ୍ୟର ମାତ୍ର ୧୦.୮ ପ୍ରତିଶତ । ମେ ୧୨, ୨୦୨୩ ସୁଦ୍ଧା ଦେଶରେ ୩୪,୮୮,୬୧୦ କୋଟି ଟଙ୍କାର ମୁଦ୍ରା ତାଲୁଥିବାରୁ ଏବେ ତ ତାହା ୧୦.୩୮ ପ୍ରତିଶତ ବା ଆହୁରି କମ ହେବ । ସୁତରାଂ, ବଜାରରେ ଥିବା ଅବଶିଷ୍ଟ ପ୍ରାୟ ୧୮୧ କୋଟି ୨୦୦୦ ଟଙ୍କିଆ ନୋଟ ମଧ୍ୟରୁ କେତେ ବ୍ୟାଙ୍କ ନିକଟକୁ ଫେରିବ ତାହା ଏବେଠାରୁ କହି ହେବନାହିଁ । ବିମୁଦ୍ରାକରଣ ସମୟରେ ଅଚଳ ନୋଟ ମଧ୍ୟରୁ ପ୍ରାୟ ୯୯ ପ୍ରତିଶତ ବ୍ୟାଙ୍କ ନିକଟକୁ ଫେରିଆସିଥିବାରୁ ଆଉ କଳାଧନ ଚିହ୍ନଟରେ ସେଭଳି ସଫଳତା ମିଳି ନଥିଲା । ଏଥର ଟଙ୍କା ବଦଳ କରିବା ଲାଗି ୧୦୦ ଦିନରୁ ଅଧିକ ସମୟ ଥିବାରୁ ବିପୁଳ ପରିମାଣରେ ଟଙ୍କା ମହଜୁଦ ରଖିଥିବା ଲୋକଙ୍କ ପକ୍ଷରେ ବି ଟଙ୍କା ବଦଳାଇବା ହୁଏତ ଅସମ୍ଭବ ହେବନାହିଁ । ଏ ଦିଗରେ ସେମାନଙ୍କୁ ସାହାଯ୍ୟ କରିବା ଲାଗି ଏବେଠାରୁ କିଛି ଅସାଧୁ ସୁନା ବ୍ୟବସାୟୀ ଓ ଅନ୍ୟମାନେ ତତ୍ପରତା ପ୍ରକାଶ କରୁଥିବାର ଖବର ମଧ୍ୟ ଶୁଣିବାକୁ ମିଳିଲାଣି ।
ବିମୁଦ୍ରାକରଣ ସମୟରେ ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିବାର ଅନ୍ୟତମ ମୁଖ୍ୟ କାରଣ ଥିଲା ଅର୍ଥବ୍ୟବସ୍ଥାରେ ଥିବା ମାତ୍ରାଧିକ ନକଲି ନୋଟର ମୂଳୋତ୍ପାଟନ କରିବା । ଏଥି ସହିତ ପ୍ରଚଳିତ ୨୦୦୦ ଟଙ୍କିଆ ନୋଟର ଉନ୍ନତ ସୁରକ୍ଷା ବିଶେଷତା ସମ୍ପର୍କରେ ଗଣମାଧ୍ୟମରେ ବେଶ୍ ପ୍ରଚାରିତ ହୋଇଥିଲା । ସେହି ନୋଟରେ ଲାଗିଥିବା ଏକପ୍ରକାର ଚିପ୍ କୁଆଡ଼େ ନୋଟର ଅବସ୍ଥିତିକୁ ସୂଚାଇ ଦେବ ବୋଲି ଦାବି କରାଯାଉଥିଲା । ଏହା ସତ୍ତ୍ୱେ ସେହି ନୋଟ ଆସିବା ମାତ୍ରେ ତା’ର ଜାଲ ନୋଟ ବି ଉପଲବ୍ଧ ହେବାକୁ ଲାଗିଲା । ତଥ୍ୟ ଅନୁଯାୟୀ ପ୍ରଥମ ବର୍ଷ ହିଁ ୨୨୭୨ଟି ଜାଲ ୨୦୦୦ ଟଙ୍କିଆ ନୋଟ ଧରା ପଡ଼ିଥିଲା ଓ ପ୍ରତିବର୍ଷ ତାହା ବଢ଼ି ବଢ଼ି ଚାଲିଲା । ୨୦୧୯ ଓ ୨୦୨୦ରେ ଧରା ପଡ଼ିଥିବା ଜାଲ ନୋଟ ସଂଖ୍ୟା ଯଥାକ୍ରମେ ୯୦,୫୫୬ ଓ ୨,୪୪,୮୩୪ରେ ପହଞ୍ଚିଯାଇଥିଲା । ଅର୍ଥ ବ୍ୟବସ୍ଥାରେ ଅନେକ ଜାଲ ୨୦୦୦ ଟଙ୍କିଆ ନୋଟ ଥିବାରୁ ତାହା ମଧ୍ୟ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପଛର ଏକ କାରଣ ବୋଲି କୁହାଯାଉଛି ।
୨୦୦୦ ଟଙ୍କିଆ ଭଳି ଉଚ୍ଚ ମୂଲ୍ୟର ମୁଦ୍ରା ଏଟିଏମରେ ଦୁଇ ଥରରୁ ଅଧିକ ବାର ବ୍ୟବହାର ହୋଇ ନଥାଏ ଓ ଭାରତରେ ଏହି ନୋଟଗୁଡ଼ିକର ଆୟୁ ସାଧାରଣତଃ ୫ ବର୍ଷ । ସରକାରୀ ତଥ୍ୟ ଅନୁଯାୟୀ ଗୋଟିଏ ୨୦୦୦ ଟଙ୍କିଆ ନୋଟର ଛପା ଖର୍ଚ୍ଚ ହାରାହାରି ୩.୫୪ ଟଙ୍କା ହୋଇଥିବାରୁ ସମୁଦାୟ ୩୭୦ କୋଟିରୁ ଊର୍ଦ୍ଧ୍ୱ ୨୦୦୦ ଟଙ୍କିଆ ନୋଟର ଛପା ବାବଦରେ ୧୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା । ସେପ୍ଟେମ୍ୱର ୩୦, ୨୦୨୩ ପରେ ଏହି ନୋଟଗୁଡ଼ିକ ବୈଧ ହୋଇ ରହିବ କି ନାହିଁ ସେ କଥା ରିଜର୍ଭ ବ୍ୟାଙ୍କ ବିବେଚନା କରିପାରେ । ଉଲ୍ଲେଖଯୋଗ୍ୟ ଯେ ଆମେରିକାରେ ୧୯୧୪ରୁ ବିଭିନ୍ନ ସମୟରେ ପ୍ରଚଳନ ହୋଇ ପ୍ରତ୍ୟାହୃତ ହୋଇଥିବା ୫୦୦ ଡଲାରରୁ ୧ ଲକ୍ଷ ଡ଼ଲାର ମୂଲ୍ୟର ୭ ପ୍ରକାର ଉଚ୍ଚ ମୂଲ୍ୟର ମୁଦ୍ରା ପ୍ରଚଳନରେ ନଥିଲେ ବି ଆଜି ମଧ୍ୟ ସେଗୁଡ଼ିକ ଅଚଳ ହୋଇନାହିଁ ।
ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ, ଏଣିକି ୫୦୦ ଟଙ୍କିଆ ନୋଟ ସର୍ବାଧିକ ମୂଲ୍ୟବିଶିଷ୍ଟ ନୋଟ ହୋଇ ରହିବ ନା ୧୦୦୦ ଟଙ୍କିଆ ନୋଟର ପୁନଃପ୍ରଚଳନ ହେବ । ସେ ନେଇ ସ୍ପଷ୍ଟ ସୂଚନା ଉପଲବ୍ଧ ନଥିଲେ ବି ଆମେରିକାରେ ଏବେ ୧୦୦ ଡଲାର ନୋଟ ହିଁ ସର୍ବାଧିକ ମୂଲ୍ୟବିଶିଷ୍ଟ ନୋଟ ରୂପେ ପ୍ରଚଳନରେ ଥାଇ କୌଣସି ଅସୁବିଧା ହେଉ ନଥିବାରୁ ଭାରତରେ ୫୦୦ ଟଙ୍କିଆ ନୋଟ ସର୍ବୋଚ୍ଚ ନୋଟ ହେଲେ କୌଣସି ଅସୁବିଧା ହେବନାହିଁ ବୋଲି ମତ ପ୍ରକାଶ ପାଉଛି । ତେବେ ଭାରତରେ ଏବେ ମଧ୍ୟ ଗ୍ରାମାଞ୍ଚଳରେ ଅଧିକାଂଶ ଦେଣନେଣ ଡିଜିଟାଲ ନହୋଇ ନଗଦ ଆଧାରିତ ହେଉଥିବାରୁ ନଗଦ-ଜିଡ଼ିପି ଅନୁପାତ ଯାହା ବିମୁଦ୍ରାକରଣ ପୂର୍ବରୁ ପ୍ରାୟ ୧୧.୫ ପ୍ରତିଶତ ଥିଲା ତାହା କମିବା ପରିବର୍ତ୍ତେ ବୃଦ୍ଧି ପାଇ ପ୍ରାୟ ୧୨.୬ ପ୍ରତିଶତ ହୋଇସାରିଲାଣି । ଏପରିକି ବିମୁଦ୍ରାକରଣ ସମୟରେ ଅର୍ଥବ୍ୟବସ୍ଥାରେ ଯେତିକି ପରିମାଣରେ ମୁଦ୍ରା ଚାଲୁ ଥିଲା, ଏବେ ତାହା ପ୍ରାୟ ୨ ଗୁଣ ହୋଇସାରିଲାଣି । ତା’ ଛଡ଼ା ବର୍ଦ୍ଧିତ ମୁଦ୍ରାସ୍ଫୀତି ହାର ଯୋଗୁଁ ୫୦୦ ଟଙ୍କାର ବର୍ତ୍ତମାନର କ୍ରୟକ୍ଷମତା କେତେ ଦିନ ଯାଏଁ ଅତୁଟ ରହିବ ତା’ ଉପରେ ନିର୍ଭର କରିବ ଭବିଷ୍ୟତରେ ଆଉ ଅଧିକ ମୂଲ୍ୟର ନୋଟ ଜାରି କରାଯିବ କି ନାହିଁ । ତେବେ ୫୦୦ ଟଙ୍କିଆ ନୋଟ ସର୍ବୋଚ୍ଚ ମୁଦ୍ରା ହୋଇ ରହିଲେ ପ୍ରତ୍ୟାହାର ହେବାକୁ ଥିବା ୧୮୧ କୋଟି ୨୦୦୦ ଟଙ୍କିଆ ନୋଟ ସ୍ଥାନରେ ୭୨୪ କୋଟି ୫୦୦ ଟଙ୍କିଆ ନୋଟ ଛାପିବାକୁ ହେବ । ୨୦୨୦ର ତଥ୍ୟ ଅନୁଯାୟୀ ପ୍ରତିଟି ୫୦୦ ଟଙ୍କିଆ ନୋଟ ଛପାଇବା ଲାଗି ସେତେବେଳେ ହାରାହାରି ୨.୯୪ ଟଙ୍କା ଖର୍ଚ୍ଚ ହେଉଥିଲା । ଏବେ ତ ତାହା ଯଥେଷ୍ଟ ଅଧିକ ହୋଇସାରିଥିବ । ତେବେ ସେହି ପୁରୁଣା ଦରରେ ୭୨୪ କୋଟି ୫୦୦ ଟଙ୍କିଆ ନୋଟ ଛାପିବା ଲାଗି ଅତିରିକ୍ତ ପ୍ରାୟ ୨୧୦୦ କୋଟି ଟଙ୍କା ଆବଶ୍ୟକ ହେବ, ଯାହା ଖୁବ୍ ଅଧିକ (ନୂଆ ସଂସଦ ଭବନ ନିର୍ମାଣରେ ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟୟ ହୋଇଛି) । ଉଲ୍ଲେଖଯୋଗ୍ୟ ଯେ ବିମୁଦ୍ରାକରଣ ପରଠାରୁ ବାରମ୍ୱାର ବିଭିନ୍ନ ପ୍ରକାର ନୋଟର ପ୍ରଚଳନ ହେବା ଯୋଗୁଁ ଏଟିଏମଗୁଡ଼ିକରେ ଆବଶ୍ୟକ ପରିବର୍ତ୍ତନ (ରିକାଲିବ୍ରେସନ) ସକାଶେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହୋଇଛି । ହୁଏତ ସନ୍ତୁଳିତ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲେ ଏ ବାବଦ ଖର୍ଚ୍ଚ କମି ପାରିଥାନ୍ତା । ନୋଟ ପ୍ରତ୍ୟାହାର କରି ଯଦି, କଳାଧନ ଉପରେ ପ୍ରହାର କରିହେବନାହିଁ; ଟଙ୍କା ମହଜୁଦକାରୀଙ୍କୁ ମହଜୁଦ କରିବାରୁ କ୍ଷାନ୍ତ କରିହେବନାହିଁ; ଜାଲ ନୋଟକୁ ସମ୍ପୂର୍ଣ୍ଣ ବନ୍ଦ କରିହେବନାହିଁ; ଅର୍ଥବ୍ୟବସ୍ଥାରେ ଚାଲୁଥିବା ମୁଦ୍ରାର ପରିମାଣକୁ ହ୍ରାସ କରିହେବନାହିଁ; ଟିକସ ରାଜସ୍ୱକୁ ଜିଡ଼ିପି ଅନୁପାତରେ ବଢ଼ାଇ ହେବନାହିଁ; ତେବେ ଆଉ କେଉଁ ବିଶେଷ ଉଦ୍ଦେଶ୍ୟ ହାସଲ ଲାଗି ହଜାର ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟ କରାଯିବ, ତାହା ସ୍ପଷ୍ଟ ହେବା ଆବଶ୍ୟକ । ଅର୍ଥାତ୍ ଏହି ପଦକ୍ଷେପ ଯୋଗୁଁ ହେବାକୁ ଥିବା ଲାଭ ଓ କ୍ଷତି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବା ଆବଶ୍ୟକ । ସାଧାରଣ ଲୋକଙ୍କ ନିକଟରେ ୨୦୦୦ ଟଙ୍କିଆ ନୋଟ ନଥିବାରୁ ଏହି ନିଷ୍ପତ୍ତି ଯୋଗୁଁ ସେମାନେ ପ୍ରଭାବିତ ହେବେ ନାହିଁ କୁହାଯାଉଥିଲେ ମଧ୍ୟ ଟଙ୍କା ଛପା ପାଇଁ ହେଉଥିବା ଅତିରିକ୍ତ ବ୍ୟୟର ବୋଝ ପରୋକ୍ଷରେ ଊଣା ଅଧିକେ ସମସ୍ତଙ୍କ ଉପରେ ପଡ଼ିବ ।
୨୦୧୬ରେ ବିମୁଦ୍ରାକରଣ ମିସନ ଲକ୍ଷ୍ୟଚ୍ୟୁତ ହୋଇ ଆଲୋଚନାର ଶରବ୍ୟ ହୋଇଥିଲା । ସେଥିପାଇଁ ଆଉ ନୋଟ ପ୍ରତ୍ୟାହାରର ପ୍ରକୃତ ଉଦ୍ଦେଶ୍ୟକୁ ପ୍ରକାଶ କରାଯାଉନାହିଁ କି ? ତେବେ ପ୍ରତ୍ୟାହାରର ବାସ୍ତବ ଉଦ୍ଦେଶ୍ୟ ସାର୍ବଜନୀନ ନହେଲେ ଲକ୍ଷ୍ୟ ହାସଲରେ ଏହା କେତେ ସଫଳ ହେଲା, ତାହା ବିଶ୍ଳେଷଣ କରାଯିବା ସମ୍ଭବ ହେବନାହିଁ । ମାଲକାନଗିରିସ୍ଥିତ ବଣ୍ଡାଘାଟିର ଆଦିବାସୀଙ୍କଠାରେ ବି ଦୁଇ ହଜାର ଟଙ୍କିଆ ନୋଟ ଉପଲବ୍ଧ ଥିବାରୁ ଗରିବ ଲୋକଙ୍କଠାରେ ସେହି ନୋଟ ନଥିବ ବୋଲି ଧରି ନ ନେଇ ସେମାନେ କିପରି ସହଜରେ ସେହି ନୋଟ ବଦଳାଇ ପାରିବେ, ସେ ବ୍ୟବସ୍ଥା କରାଯାଉ ।
Published in Sambad on May 30, 2023
Very informative article
ReplyDeleteAti sundar bhabe banana Kara jaichhi. Dhanybad Saral.
ReplyDeleteଧନ୍ୟବାଦ
Delete