ଜୁନ ୨୦୨୨ରେ ଭାରତୀୟ ରାଜନୈତିକ ରଙ୍ଗମଞ୍ଚରେ ଏକ ରୋମାଞ୍ଚକର ନାଟକ ଅଭିନୀତ ହୋଇଥିଲା । ସେଥିରେ ଦେଖିବାକୁ ମିଳିଲା ଯେ ଶିବସେନାର କିଛି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପ୍ରଥମେ ମୁମ୍ୱାଇରୁ ଗୁଜରାଟର ସୁରାଟକୁ ଓ ତା’ପରେ ଆଉ କିଛି ବିଦ୍ରୋହୀ ବିଧାୟକଙ୍କ ସହ ମିଶି ଏକ ଟାର୍ଟାର୍ଡ଼ ବିମାନରେ ଆସାମର ରାଜଧାନୀ ଗୁଆହାଟୀକୁ ଗଲେ, ଗୁଆହାଟୀରୁ ଗୋଆ ହୋଇ ମୁମ୍ୱାଇକୁ ଫେରିଲେ । ଦଳୀୟ ହ୍ୱିପର ଅବମାନନା ଆଭିୟୋଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଦ୍ୱାରା ୧୬ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଉପବାଚସ୍ପତିଙ୍କ ନିକଟରେ ଆବେଦନ ହେଲା । ଏ ସବୁ ଘଟଣାର ଘନଘଟା ଭିତରେ ରାଜ୍ୟପାଳ ମହୋଦୟ ଉଦ୍ଧବ ଠାକରେଙ୍କୁ ନିର୍ଦ୍ଧାରିତ ଦିନରେ ବିଧାନସଭାରେ ଆସ୍ଥା ଭୋଟ ହାସଲ ପାଇଁ ନିର୍ଦ୍ଦେଶ ଦେଲେ । ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ଫଇସଲା ଚୂଡ଼ାନ୍ତ ନ ହେବା ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇବା ପାଇଁ ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ । କିନ୍ତୁ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ସେହି ଆବେଦନ ଖାରଜ ହେଲା । ତା’ପରେ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ତା’ପରେ ବିଜେପି ସହ ମିଶି ଏକନାଥ ସିନ୍ଦେ ସରକାର ଗଠନ କଲେ । ୧୬ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ଓ ଉଦ୍ଧବଙ୍କ ସରକାରର ପୁନଃସ୍ଥାପନା ଲାଗି ଆଗତ ରିଟ କରାଗଲା, ଯାହାର ବିଚାର କରି ସୁପ୍ରିମକୋର୍ଟଙ୍କ ଏକ ପାଞ୍ଚଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ମେ ୧୧, ୨୦୨୩ରେ ଏକ ଐତିହାସିକ ରାୟ ପ୍ରଦାନ କଲେ । ଏଥିରେ ବିଶେଷ ପରିସ୍ଥିତିରେ ଦଳବଦଳ ଆଇନର ଭିନ୍ନ ତର୍ଜମାର ଆବଶ୍ୟକତାକୁ ରେଖାଙ୍କିତ କରାଯିବା ସହ ରାଜ୍ୟପାଳ ଓ ବାଚସ୍ପତିଙ୍କ ନିର୍ଣ୍ଣୟର ନ୍ୟାୟସଙ୍ଗତତା ଓ ବୈଧତା ଉପରେ ପ୍ରଶ୍ନ ଉଠାଇଥିବାରୁ ତା’ର ସୁଦୂର ପ୍ରସାରୀ ପ୍ରଭାବ ପଡ଼ିବାର ଆଶା କରାଯାଉଛି ।
ମାନ୍ୟବର ସୁପ୍ରିମକୋର୍ଟଙ୍କ ପ୍ରଦତ୍ତ ରାୟର ମର୍ମ ହେଲା ‘ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ବେଳେ ଯାହା ହୋଇଛି ଠିକ୍ ହୋଇନାହିଁ । କିନ୍ତୁ ଏବେ ତାକୁ ଆଉ ଠିକ୍ କରି ହେବ ନାହିଁ ।‘ ଜୁନ ୨୦୨୨ରେ ମହାରାଷ୍ଟ୍ରରେ ଶିବସେନା ବିଧାୟକ ଦଳରେ ବିଭାଜନ ଘଟି ଗୋଟିଏ ଗୋଷ୍ଠୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ରହିଥିବା ବେଳେ ଅନ୍ୟ ଗୋଷ୍ଠୀଟି ଏକନାଥ ସିନ୍ଦେଙ୍କ ନେତୃତ୍ୱକୁ ଗ୍ରହଣ କଲା । ସିନ୍ଦେ ଗୋଷ୍ଠୀର ୩୪ ଜଣ ବିଧାୟକ ଜୁନ ୨୧, ୨୦୨୨ରେ ଗୁଆହାଟୀରୁ ପତ୍ର ମାଧ୍ୟମରେ ଉପବାଚସ୍ପତି ନରହରି ଜିରୱାଲଙ୍କ ପ୍ରତି ସେମାନଙ୍କ ଅନାସ୍ଥା ବ୍ୟକ୍ତ କରି ତାଙ୍କୁ ସେହି ପଦବୀରୁ ବହିଷ୍କାର କରିବା ପାଇଁ ଦାବି ଜଣାଇଥିଲେ । ଜୁନ ୨୨ରେ ଉଦ୍ଧବ ଠାକରେଙ୍କ ଦ୍ୱାରା ଆହୂତ ଶିବସେନା ବିଧାୟକ ଦଳ ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟ ସଚେତକ ସୁନୀଲ ପ୍ରଭୁଙ୍କ ଦ୍ୱାରା ହ୍ୱିପ ଜାରି କରାଗଲା, ଯାହାକୁ ସିନ୍ଦେଙ୍କ ସମେତ ୧୬ ଜଣ ବିଧାୟକ ଅମାନ୍ୟ କଲେ । ତେଣୁ ସେମାନଙ୍କ ସଦସ୍ୟତା ରଦ୍ଦ ଲାଗି ଉପବାଚସ୍ପତିଙ୍କୁ ଆବେଦନ କରାଯାଇଥିଲା । ଉପବାଚସ୍ପତି ସେମାନଙ୍କ ବିରୋଧରେ ଜୁନ ୨୫ରେ ନୋଟିସ ଜାରି କରି ଜୁନ ୨୭ ସୁଦ୍ଧା ଜବାବ ତଲବ କରିଥିଲେ, ଯାହା ବିରୋଧରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜବାବ ଦାଖଲ ଲାଗି ଜୁଲାଇ ୧୨ ଯାଏଁ ମହଲତ ପାଇଥିଲେ । ଦଶମ ଅନୁସୂଚି ଅନୁଯାୟୀ ଉପବାଚସ୍ପତି ସଦସ୍ୟତା ରଦ୍ଦ ଅଭିଯୋଗର ନ୍ୟାୟିକ ନିର୍ଣ୍ଣୟ କରିବା ପାଇଁ ଅଧିକୃତ ହୋଇଥିଲେ ବି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଝୁଲି ରହିଥିଲେ ସେ ସେହି କ୍ଷମତାର ଉପଯୋଗ କରିପାରିବେ କି ନାହିଁ ସେ ସମ୍ପର୍କରେ ନେବାମ ରେବିୟା (୨୦୧୬) ଓ କିହୋଟୋ ହୋଲୋହାନ (୧୯୯୨) ମାମଲା ଦୁଇଟିରେ ଭିନ୍ନ ଭିନ୍ନ ନିର୍ଣ୍ଣୟ ଥିବାରୁ ସୁପ୍ରିମକୋର୍ଟ ଏହାକୁ ଏକ ବୃହତ୍ତର ସାମ୍ୱିଧାନିକ ଖଣ୍ଡପୀଠଙ୍କ ବିଚାରାର୍ଥେ ସୁପାରିସ କରିଛନ୍ତି ।
ଉଦ୍ଧବ ଠାକରେ ଗୋଷ୍ଠୀ ହ୍ୱିପ ଅମାନ୍ୟ ଅଭିଯୋଗରେ ଏକନାଥ ସିନ୍ଦେଙ୍କ ସମେତ ଯେଉଁ ୧୬ ଜଣ ସଦସ୍ୟଙ୍କ ସଦସ୍ୟତା ରଦ୍ଦ ପାଇଁ ଆବେଦନ କରିଛନ୍ତି ତାହା ଏବେ ମଧ୍ୟ ବାଚସ୍ପତିଙ୍କ ନିକଟରେ ନିର୍ଣ୍ଣୟ ଅପେକ୍ଷାରେ ରହିଛି । ବାଚସ୍ପତି ନିଜେ ସଦସ୍ୟତା ରଦ୍ଦ ଅଭିଯୁକ୍ତ ବିଧାୟକଙ୍କ ଭୋଟରେ ନିଯୁକ୍ତ ହୋଇଛନ୍ତି । ସେ ସେମାନଙ୍କ ପ୍ରତି ପକ୍ଷପାତିତା ଆଚରଣ କରିଥିବାରୁ ତାଙ୍କୁ ନ୍ୟାୟିକ ନିର୍ଣ୍ଣୟ ଦାୟିତ୍ୱ ନ୍ୟସ୍ତ କରା ନଯାଇ ସୁପ୍ରିମକୋର୍ଟ ସେହି ଦାୟିତ୍ୱଟିକୁ ନିର୍ବାହ କରୁ ବୋଲି ପିଟିସନରେ ପ୍ରାର୍ଥନା କରାଯାଇଥିଲା । ସାଧାରଣ ପରିସ୍ଥିତିରେ ଦଶମ ଅନୁସୂଚି ଅନୁଯାୟୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ମାମଲା ସୁପ୍ରିମକୋର୍ଟଙ୍କ ନିକଟକୁ ଆସିନଥାଏ । ଏହି ମାମଲାରେ କୌଣସି ଅସାଧାରଣ ପରିସ୍ଥିତି ଉତ୍ପନ୍ନ ହୋଇଥିବାର ଅନୁଭୂତ ହେଉନଥିବାରୁ ସ୍ୱାଭାବିକ ଭାବେ ତାହା ବାଚସ୍ପତିଙ୍କ ବିଚାର ପରିସରଭୁକ୍ତ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଏକ ‘ଯୁକ୍ତିସଙ୍ଗତ ସମୟ ସୀମା’ ମଧ୍ୟରେ ବାଚସ୍ପତିଙ୍କୁ ତାଙ୍କ ନିର୍ଣ୍ଣୟ ପ୍ରଦାନ ଲାଗି ଅଦାଲତ ଆଦେଶ ଦେଇଛନ୍ତି । ତେବେ ‘ଯୁକ୍ତିସଙ୍ଗତ ସମୟ ସୀମା’ର ସଂଜ୍ଞା ନିରୂପଣ କରାଯାଇନଥିବାରୁ ବିଭିନ୍ନ ବିଧାନସଭାର ବାଚସ୍ପତି ଏଭଳି ଆବେଦନଗୁଡ଼ିକ ଉପରେ କୌଣସି ନିର୍ଣ୍ଣୟ ନ ନେଇ ବର୍ଷାଧିକ କାଳ ସେ ସବୁକୁ ପକାଇ ରଖୁଥିବାର ନଜିର ମଧ୍ୟ ରହିଛି ।
ଜୁଲାଇ ୩, ୨୦୨୨ରେ ବିଜେପିର ରାହୁଳ ନରୱେକର ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ସେ ସିନ୍ଦେ ଗୋଷ୍ଠୀର ୩୪ ଜଣ ବିଧାୟକଙ୍କ ଦ୍ୱାରା ପାରିତ ପ୍ରସ୍ତାବକୁ ଆଧାର କରି ଏକନାଥ ସିନ୍ଦେଙ୍କୁ ଶିବସେନା ବିଧାୟକ ଦଳର ନେତା ଭାବେ ଓ ଭରତ ଗୋଗାୱଲେଙ୍କୁ ମୁଖ୍ୟ ସଚେତକ ଭାବେ ମାନ୍ୟତା ପ୍ରଦାନ କଲେ ଓ ଉଦ୍ଧବ ଠାକରେ ଗୋଷ୍ଠୀର ଶିବସେନା ବିଧାୟକ ଦଳ ନେତା ଅଜୟ ଚୌଧୁରୀ ଓ ମୁଖ୍ୟ ସଚେତକ ସୁନୀଲ ପ୍ରଭୁଙ୍କ ମାନ୍ୟତାକୁ ରଦ୍ଦ କଲେ । ସୁପ୍ରିମକୋର୍ଟ କହିଛନ୍ତି ଯେ ଏପରି କଲା ବେଳେ ସେମାନେ ତାହା କରିବାକୁ ସେହି ସମୟର ରାଜନୈତିକ ଦଳ ଦ୍ୱାରା ଅଧିକୃତ କି ନୁହେଁ ତାହା ଅନୁଧ୍ୟାନ କରିବା ପାଇଁ ବାଚସ୍ପତି କୌଣସି ପ୍ରଚେଷ୍ଟା କରିନଥିଲେ । ଅଧିକନ୍ତୁ ଏଭଳି ଏକ ବିବଦମାନ ସ୍ଥିତିରେ ଦଳର ନିୟମ ଆଧାରରେ ଶିବସେନା ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ମୁଖ୍ୟ ସଚେତକ କିଏ ତାହା ନିରପେକ୍ଷ ଅନୁସନ୍ଧାନ ମାଧ୍ୟମରେ ଜାଣିବାକୁ ମଧ୍ୟ ଚେଷ୍ଟା କରିନଥିଲେ । ତେଣୁ ପ୍ରକୃତ ରାଜନୈତିକ ଦଳର ନିଷ୍ପତ୍ତିକୁ ଜାଣିବାକୁ ଚେଷ୍ଟା ନ କରି ବାଚସ୍ପତି ଶିବସେନା ବିଧାୟକ ଦଳର ଗୋଟିଏ ଗୋଷ୍ଠୀର ନିଷ୍ପତ୍ତିକୁ ଅଗ୍ରାଧିକାର ଦେଇ ଗୋଗାୱଲେଙ୍କୁ ମୁଖ୍ୟ ସଚେତକ ଭାବେ ମାନ୍ୟତା ପ୍ରଦାନ କରିବା ଅବୈଧ ଅଟେ । ବାଚସ୍ପତି କେବଳ ‘ରାଜନୈତିକ ଦଳ’ ଦ୍ୱାରା ଅଧିକୃତ ସଚେତକ ଓ ନେତାଙ୍କୁ ମାନ୍ୟତା ପ୍ରଦାନ କରିପାରିବେ, ‘ବିଧାୟକ ଦଳ’ ଦ୍ୱାରା ଅଧିକୃତ ସଚେତକ ଓ ନେତାଙ୍କୁ ନୁହେଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
ଉଦ୍ଧବ ଠାକରେଙ୍କୁ ବିଧାନସଭାରେ ଜୁନ ୩୦, ୨୦୨୨ରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ଲାଗି ଆଦେଶ ଦେବା ପ୍ରସଙ୍ଗରେ ରାଜ୍ୟପାଳଙ୍କ ଆଚରଣର ନ୍ୟାୟସଙ୍ଗତତାକୁ ନେଇ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ପ୍ରଦାନ କରିଛନ୍ତି । ଏପରି ନିର୍ଣ୍ଣୟ ପଛର କାରଣ ସମ୍ପର୍କରେ ରାଜ୍ୟପାଳ ତାଙ୍କର ଜୁନ ୨୮, ୨୦୨୨ରେ ଉଦ୍ଧବ ଠାକରେଙ୍କୁ ଲିଖିତ ପତ୍ରରେ ତାଙ୍କ ଦ୍ୱାରା ହସ୍ତଗତ ହୋଇଥିବା କିଛି ଅନ୍ୟ ପତ୍ରର ଅବତାରଣା କରିଥିଲେ । ତନ୍ମଧ୍ୟରୁ ଜୁନ ୨୫ରେ ୩୮ ଜଣ ଶିବସେନା ବିଧାୟକଙ୍କ ଦ୍ୱାରା ଲିଖିତ ଏକ ପତ୍ରରେ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ପ୍ରଦତ୍ତ ସୁରକ୍ଷାକୁ ପ୍ରତ୍ୟାହାର କରାଯାଇ ସେମାନଙ୍କ ଉପରେ ଚାପ ପକଇବାର ଉଦ୍ୟମ କରାଯାଉଥିଲା ଯେ ସେମାନେ ‘ମହା ବିକାଶ ଆଘାଡ଼ି’ ସରକାରକୁ ସମର୍ଥନ ଜାରି ରଖନ୍ତୁ । ତେଣୁ ସେମାନଙ୍କର ସୁରକ୍ଷାର ବନ୍ଦୋବସ୍ତ ଲାଗି ସେମାନେ ରାଜ୍ୟପାଳଙ୍କୁ ଅନୁରୋଧ ଜଣାଇଥିଲେ । ହେଲେ ସରକାରଙ୍କ ପ୍ରତି ସେମାନଙ୍କର ସମର୍ଥନ ପ୍ରତ୍ୟାହାର କଥା ପତ୍ରରେ ଉଲ୍ଲେଖ ନଥିଲା । ଜୁନ ୨୧ରେ ଏକନାଥ ସିନ୍ଦେ ଉପବାଚସ୍ପତିଙ୍କୁ ଲେଖିଥିବା ଏକ ପତ୍ରରେ ଉଦ୍ଧବ ଠାକରେ ଗୋଷ୍ଠୀ ଦ୍ୱାରା ଶିବସେନା ବିଧାୟକ ଦଳ ନେତା ଭାବେ ଅଜୟ ଚୌଧୁରୀଙ୍କ ନିଯୁକ୍ତିକୁ ଅବୈଧ କହିଥିବା କଥା ରାଜ୍ୟପାଳ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ । ଏହା ବିଧାନସଭାର କାର୍ୟ୍ୟକ୍ଷେତ୍ର ପରିସରଭୁକ୍ତ ହୋଇଥିବାରୁ ରାଜ୍ୟପାଳ ସେଥିରେ ମୁଣ୍ଡ ଖେଳାଇବାର ନଥିଲା ବୋଲି ଅଦାଲତଙ୍କ ମତ । ସେହିପରି ବିଜେପି ନେତା ଦେବେନ୍ଦ୍ର ଫଡ଼ନଭିସ ଓ ସାତ ଜଣ ସ୍ୱାଧୀନ ବିଧାୟକ ଥାକରେଙ୍କୁ ତାଙ୍କ ବହୁମତ ସାବ୍ୟସ୍ତ କରିବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦୁଇଟି ଭିନ୍ନ ଭିନ୍ନ ଚିଠିରେ ରାଜୟପାଳଙ୍କୁ କରାଯାଇଥିବା ଅନୁରୋଧର ଅବତାରଣା କରାଯାଇଥିଲା । ହେଲେ କେହି ବି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିନଥିଲେ । ତେଣୁ ଉଦ୍ଧବ ଠାକରେ ବିଧାନସଭାର ସଦସ୍ୟଙ୍କ ବିଶ୍ୱାସ ହରାଇ ସାରିଛନ୍ତି ବୋଲି ରାଜ୍ୟପାଳଙ୍କ ନିକଟରେ ସେପରି କୌଣସି ଗ୍ରହଣଯୋଗ୍ୟ ତଥ୍ୟ (ଅବଜେକ୍ଟିଭ ମ୍ୟାଟେରିଆଲ) ନଥିବାରୁ ସେ ଆସ୍ଥା ଭୋଟର ସମ୍ମୁଖୀନ ହୁଅନ୍ତୁ ବୋଲି କହିବା ରାଜ୍ୟପାଳଙ୍କ ପକ୍ଷରେ ନ୍ୟାୟସଙ୍ଗତ ନଥିଲା । ଅର୍ଥାତ୍ ରାଜ୍ୟପାଳଙ୍କ ଆଚରଣ ନିରପେକ୍ଷ ନଥିଲା । ରାଜ୍ୟପାଳ ଏକ ସାମ୍ୱିଧାନିକ ପଦ ଓ ରାଜ୍ୟପାଳ ତାଙ୍କ କ୍ଷମତା ସମ୍ୱିଧାନରୁ ହିଁ ପାଇଥାନ୍ତି । ତେଣୁ ରାଜ୍ୟପାଳଙ୍କ ସମ୍ୱିଧାନ ନିର୍ଦ୍ଧାରିତ କ୍ଷମତାର ସୀମା ସମ୍ପର୍କରେ ସେ ସଚେତନ ରହିବା ସହ ଯେଉଁ କ୍ଷମତା ତାଙ୍କୁ ସମ୍ୱିଧାନ ବା ଆଇନ ଦ୍ୱାରା ମିଳିନାହିଁ ତାକୁ ପ୍ରୟୋଗ କରିବାରୁ ନିବୃତ୍ତ ରହିବା ଆବଶ୍ୟକ ।
ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ଉଦ୍ଧବ ଠାକରେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ନ ହୋଇ ଇସ୍ତଫା ଦେଇଥିବାରୁ ଅଦାଲତଙ୍କ ପକ୍ଷରେ ପୂର୍ବ ସ୍ଥିତାବସ୍ଥାର ପୁନଃସ୍ଥାପନା ସମ୍ଭବପର ନୁହେଁ । ଅର୍ଥାତ୍ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥିଲେ ଅଦାଲତ ଏବେ ସିନ୍ଦେଙ୍କୁ ହଟାଇ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାହାଲ କରିବାର ଆଦେଶ ଦେଇପାରିଥାନ୍ତେ । ସେ ଇସ୍ତଫା ଦେଇସାରିଥିବାରୁ ତାଙ୍କୁ ସେହି ଉପଶମ ପ୍ରଦାନ କରାଯାଇ ପାରିଲାନାହିଁ । ଅନ୍ୟ ପକ୍ଷରେ ଜୁନ ୨୯, ୨୦୨୨ରେ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ରାଜ୍ୟପାଳ ସିନ୍ଦେଙ୍କୁ ସରକାର ଗଠନ କରିବା ଲାଗି ଆମନ୍ତ୍ରଣ ଜଣାଇବା ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ, କାରଣ ସରକାର ଗଠନ ପାଇଁ ଏକମାତ୍ର ଦାବିଦାର ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀତ୍ୱ ପଛରେ ଥିବା ବିଜେପି ଓ କିଛି ସ୍ୱାଧୀନ ବିଧାୟକଙ୍କ ଆବଶ୍ୟକ ସମର୍ଥନ ପତ୍ର ତାଙ୍କର ହସ୍ତଗତ ହୋଇସାରିଥିଲା । ତେବେ ରାଜ୍ୟପାଳଙ୍କ ତ୍ରୁଟିଯୁକ୍ତ ନିର୍ଣ୍ଣୟ ଯୋଗୁଁ ଉଦ୍ଧବ ଠାକରେଙ୍କୁ ସରକାର ହରାଇବାକୁ ହେଲା । ବିଶେଷ ପରିସ୍ଥିତିର ଲାଭାର୍ଥୀ ଭାବେ ଏକନାଥ ସିନ୍ଦେ ସରକାର ଗଠନ କରିବାର ସୁଯୋଗ ପାଇଲେ ସତ, ହେଲେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପୁନଃସ୍ଥାପିତ କରାଯାଇ ପାରୁନଥିବାରୁ ସିନ୍ଦେଙ୍କ ହାତରେ ଶାସନଭାର ବଳବତ୍ତର ରହିବା ଏକପ୍ରକାର ବାଧ୍ୟବାଧକତା ହୋଇଥିବାରୁ ସିନ୍ଦେ ସରକାର ଅବୈଧ ନହେଲେ ବି ଏକ ଅନୈତିକ ସରକାର ବୋଲି ଆଲୋଚିତ ହେଉଛି ।
ସିନ୍ଦେ ଗୋଷ୍ଠୀର ସଚେତକଙ୍କ ନିଯୁକ୍ତିକୁ ଅବୈଧ କହି ତାଙ୍କ ଦ୍ୱାରା ଜାରି ହୋଇଥିବା ହ୍ୱିପକୁ ଅବୈଧ ବୋଲି ସୁପ୍ରିମକୋର୍ଟ କହିଥିବାରୁ ସେତେବେଳେ ଶିବସେନା ଦଳର ସଚେତକ ସୁନୀଲ ପ୍ରଭୁଙ୍କ ଦ୍ୱାରା ଜାରି ହୋଇଥିବା ହ୍ୱିପ ହିଁ ଆଧିକାରିକ ହ୍ୱିପ ଭାବେ ଗ୍ରହଣୀୟ ହେବା କଥା । ତଦନୁଯାୟୀ ସେହି ହ୍ୱିପ ବିରୋଧରେ ଯାଇ ଭୋଟ ଦେଇଥିବା ସିନ୍ଦେ ଗୋଷ୍ଠୀର ସବୁ ବିଧାୟକଙ୍କ ସଦସ୍ୟତା ବାଚସ୍ପତିଙ୍କ ଦ୍ୱାରା ତତ୍କାଳ ରଦ୍ଦ ହେବାର ଆଶଙ୍କା ହିଛି ଓ ଉଦ୍ଧବ ଗୋଷ୍ଠୀ ମଧ୍ୟ ସେ ନେଇ ଦାବି କରିସାରିଲେଣି । ବାଚସ୍ପତିଙ୍କ ନ୍ୟାୟିକ ନିର୍ଣ୍ଣୟରେ ତତ୍ପରତା ପ୍ରକାଶ ପାଇଲେ ତାହା ସରକାରର ସ୍ଥିରତା ନେଇ ଉଠୁଥିବା ଆଶଙ୍କାକୁ ଦୂର କରିପାରନ୍ତା । ମାତ୍ର ବାଚସ୍ପତି ଅସଂଲଗ୍ନ ହେଲେ ବି ମୂଳତଃ ବିଜେପି ଦଳର ହୋଇଥିବାରୁ ତାଙ୍କ ନିର୍ଣ୍ଣୟ ବା ନିର୍ଣ୍ଣୟରେ ଦୀର୍ଘସୂତ୍ରୀ ଆଭିମୁଖ୍ୟ ପ୍ରକାଶ ପାଇବା ସ୍ୱାଭାବିକ, ଯାହା ପାଇଁ ମାମଲା ପୁଣି ସୁପ୍ରିମ କୋର୍ଟରେ ପହଞ୍ଚିବାର ସମ୍ଭାବନା ରହିଛି । ତେବେ ବାଚସ୍ପତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିନ୍ଦିତ ହୋଇସାରିଥିବାରୁ ସୁପ୍ରିମକୋର୍ଟଙ୍କ ଆଦେଶ ବିପରୀତରେ ଯାଇ ସେ କୌଣସି ନିଷ୍ପତ୍ତି ନେବେନାହିଁ ବୋଲି ଅନ୍ତତଃ ଆଶା କରାଯାଇପାରେ । ଦଳବଦଳର ସାମ୍ୱିଧାନିକ ପାପକୁ ନିରୁତ୍ସାହିତ ଓ ଦଣ୍ଡିତ କରିବା ଦଶମ ଅନୁସୂଚିର ମୂଳ ଉଦ୍ଦେଶ୍ୟ ବୋଲି ସୁପ୍ରିମକୋର୍ଟଙ୍କ ଏକାଧିକ ନିର୍ଣ୍ଣୟରେ ସ୍ପଷ୍ଟ ହୋଇସାରିଛି । ତେଣୁ ରାଜ୍ୟପାଳ ବା ବାଚସ୍ପତିଙ୍କ ପରି ସାମ୍ୱିଧାନିକ ପଦରେ ଅଧିଷ୍ଠିତ ବ୍ୟକ୍ତିମାନେ ଏପରି କିଛି ନ କରନ୍ତୁ ; ଯଦ୍ଦ୍ୱାରା ଦଳବଦଳ କରୁଥିବା ସ୍ୱାର୍ଥାନ୍ୱେଷୀ ଲୋକେ ପୁରସ୍କୃତ ହେବେ ।
Published in Sambad on May 16, 2023
Very interesting
ReplyDeleteThanks
Delete