ଥରେ ଜଣେ ସ୍କୁଲ ଛାତ୍ରୀ ଅଭିନେତା ଅମିତାଭ ବଚ୍ଚନଙ୍କୁ ପ୍ରଶ୍ନଟିଏ ପଚାରିଲା, “ଆମ ମିସ୍ ମୃଦୁ ପାନୀୟକୁ ବିଷ ବୋଲି କହୁଥିବା ବେଳେ ଆପଣ ସେଭଳି ଦ୍ରବ୍ୟର ବିଜ୍ଞାପନ କରୁଛନ୍ତି କାହିଁକି?” ପ୍ରଶ୍ନଟି ତାଙ୍କୁ ଏପରି ବିଚଳିତ କରିଥିଲା ଯେ ସେ ସେହି ବିଜ୍ଞାପନରୁ ଓହରି ଆସିଲେ । କେବଳ ସେତିକି ନୁହେଁ ସେ ଅନ୍ୟ ସେଲିବ୍ରିଟିମାନଙ୍କୁ ପରାମର୍ଶ ଦେଇଥିଲେ ଯେ ବିଜ୍ଞାପନରେ କୌଣସି ଉତ୍ପାଦର ଅନୁମୋଦନ କରିବା ପୂର୍ବରୁ ଉତ୍ପାଦଟିର ପ୍ରତିଟି ଦିଗ ସମ୍ପର୍କରେ ଯଥୋଚିତ ଅନୁସନ୍ଧାନ କରିବା ଦରକାର । ଏକ ସାମ୍ୱାଦିକ ସମ୍ମିଳନୀରେ ଫୁଟବଲ୍ ତାରକା ରୋନାଲଡୋ ତାଙ୍କ ଆଗରେ ଥୁଆ ହୋଇଥିବା କୋଲା ବୋତଲକୁ ହଟାଇ ତା’ ସ୍ଥାନରେ ପାଣି ବୋତଲ ରଖିବା ଘଟଣା ବିଶେଷ ଚର୍ଚ୍ଚାର କାରଣ ହୋଇଥିଲା । ଏହା ପରେ ସମ୍ପୃକ୍ତ କମ୍ପାନୀର ପ୍ରାୟ ୪୦୦ କୋଟି ଡଲାର କ୍ଷତି ହୋଇଥିବା କଥା କୁହାଯାଏ । ସେଲିବ୍ରିଟିମାନେ ସାଧାରଣତଃ ଆଦର୍ଶ ସ୍ଥାନୀୟ ଭାବେ ପରିଗଣିତ ହୋଇ ଅନେକଙ୍କୁ ପ୍ରଭାବିତ କରିବାର କ୍ଷମତା ରଖୁଥିବାରୁ ସେମାନଙ୍କ ପସନ୍ଦ ବା ନାପସନ୍ଦର ପ୍ରଭାବ କିଭଳି ବ୍ୟାପକ ଓ ଗଭୀର ହୋଇଥାଏ, ଉପରୋକ୍ତ ଘଟଣା ହେଉଛି ତା’ର ପ୍ରମାଣ । ଏହାସତ୍ତ୍ୱେ ଅର୍ଥଲୋଭରେ କିଛି ସେଲିବ୍ରିଟିଙ୍କଠାରେ ସମାଜ ପ୍ରତି କ୍ଷତିକାରକ କା’ (ସରୋଗେଟ) ବିଜ୍ଞାପନ ସହ ଯୋଡ଼ି ହେବାର ପ୍ରବଣତା ବୃଦ୍ଧିପାଉଛି । ଏଗୁଡ଼ିକର ସମାଜ ଉପରେ ଅତ୍ୟଧିକ କୁପ୍ରଭାବ ପଡ଼ୁଥିବାରୁ ସେ ନେଇ ସାମାଜିକ ବିମର୍ଶର ଆବଶ୍ୟକତା ରହିଛି ।
ସାଧାରଣତଃ ମଦ, ସିଗାରେଟ, ତମାଖୁ, ଗୁଟଖା ଏବଂ ତମାଖୁଜାତ ତଥା ଅନ୍ୟ କିଛି ନିଶାଦ୍ରବ୍ୟ, ଡ୍ରଗ୍ସ, ଶିଶୁଙ୍କ ଲାଗି ଉପଲବ୍ଧ ମା’ କ୍ଷୀରର ବିକଳ୍ପ ଆଦିର ବିଜ୍ଞାପନ ନିଷିଦ୍ଧ ହୋଇଥିବାରୁ ସେଗୁଡିକର ପ୍ରଚାର ପାଇଁ କା’ (ସରୋଗେଟ) ବିଜ୍ଞାପନର ଆଶ୍ରୟ ନିଆଯାଇଥାଏ । ‘କହିଁ ପେ ନିଗାହେଁ କହିଁ ପେ ନିଶାନା’ – ଯେପରି ମଦ ବଦଳରେ ସମାନ ବ୍ରାଣ୍ଡର ସୋଡ଼ାର ବିଜ୍ଞାପନ, ଗୁଟଖାର ବିଜ୍ଞାପନ ନ କରି ସମାନ ବ୍ରାଣ୍ଡର ପାନମସଲା, ଅଳେଇଚ, ମାଉଥ ଫ୍ରେସନର୍ ଆଦିର ବିଜ୍ଞାପନ । ସୁତରାଂ ଗୋଟିଏ ଦ୍ରବ୍ୟ ସିଧାସଳଖ ବିଜ୍ଞାପିତ ହୋଇ ନ ପାରିଲେ ମଧ୍ୟ ଏଭଳି ବୁଲାଣି ବାଟରେ ବ୍ରାଣ୍ଡର ନାମକୁ ଦୃଶ୍ୟମାନ କରି ରଖାଯାଇପାରେ । ଏହି ଧରଣର ପଣ୍ୟର ବିକ୍ରିରୁ ଏତେ ଲାଭ ହୋଇଥାଏ ଯେ କମ୍ପାନୀଗୁଡ଼ିକ ବ୍ରାଣ୍ଡର ଗ୍ରହଣୀୟତାକୁ ବଢ଼ାଇ ତାକୁ ଲୋକପ୍ରିୟ କରିବା ସହ ବ୍ରାଣ୍ଡର ଛବିକୁ ଉଜ୍ଜ୍ୱଳ କରିବା ଲକ୍ଷ୍ୟରେ କା’ ବିଜ୍ଞାପନରେ ସେଲିବ୍ରିଟିଙ୍କ ପଛରେ ଅଜସ୍ର ଅର୍ଥ ବ୍ୟୟ କରିବାକୁ କୁଣ୍ଠାବୋଧ କରିନଥାନ୍ତି । ୨୦୨୨ରେ ଦେଶରେ ୪୩୪୧୦ କୋଟି ଟଙ୍କାର କେବଳ ପାନମସଲା ଓ ଗୁଟଖା ବିକ୍ରି ହୋଇଥିଲା । ଏଥିରୁ ଏଭଳି ପଣ୍ୟର ବଜାର ଆକାର ଯେ କେତେ ବଡ଼, ତାହା ସହଜରେ ଅନୁମେୟ । ତେବେ କେବଳ ଗଣମାଧ୍ୟମ ଜରିଆରେ ନୁହେଁ, ଇଭେଣ୍ଟରେ ଅଂଶଗ୍ରହଣ, ଇଭେଣ୍ଟ ପ୍ରାୟୋଜନ, ସାମାଜିକ ସଚେତନତା କାର୍ୟ୍ୟକ୍ରମର ଆୟୋଜନ ଆଦି ଆଳରେ ମଧ୍ୟ ବ୍ରାଣ୍ଡର ପ୍ରସାର ଉଦ୍ୟମ କରାଯାଇଥାଏ । ଏ ସବୁ କା’ ବିଜ୍ଞାପନ ଶ୍ରେଣୀଭୁକ୍ତ । ଆଇପିଏଲରେ ଭାଗ ନେଉଥିବା ବେଙ୍ଗାଲୁରୁ ଦଳର ନାମ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’ । ଏହି ଦଳର ମାଲିକ ହେଉଛନ୍ତି ‘ୟୁନାଇଟେଡ଼ ସ୍ପିରିଟ’ ନାମକ ଏକ ମଦ ପ୍ରସ୍ତୁତକାରୀ କମ୍ପାନୀ, ଯାହାର ‘ରୟାଲ ଚ୍ୟାଲେଞ୍ଜ’ ବ୍ରାଣ୍ଡରେ ଏକ ମଦ ବଜାରରେ ଉପଲବ୍ଧ । ସୁତରାଂ ଏକ ଲୋକପ୍ରିୟ କ୍ରିକେଟ ଦଳର ନାମ ଆଧାରରେ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ମଦକୁ ଜନସାଧାରଣଙ୍କ ମନ ଓ ମସ୍ତିଷ୍କରେ ସକ୍ରିୟ ରଖାଯାଇପାରେ । ସେମିତି ମୃଦୁ ପାନୀୟ ଓ ଅନ୍ୟାନ୍ୟ କେତେକ ଉତ୍ପାଦର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ବେଳେ ଗୋରା ଦିଶିବା ଲାଗି ଫେୟାରନେସ କ୍ରିମ ଓ ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀରେ ବର୍ଣ୍ଣବିଦ୍ୱେଷମୂଳକ ସନ୍ଦେଶ ମଧ୍ୟ ରହିଥାଏ । ସେହିପରି କେତେକ ଉତ୍ପାଦ ବା ସେବା ସମ୍ପର୍କରେ ବିଜ୍ଞାପନମାନଙ୍କରେ ଯେଉଁ ଦାବି କରାଯାଇଥାଏ ବା ଯେଉଁ ପ୍ରତିଶ୍ରୁତିମାନ ଦିଆଯାଇଥାଏ, ସେ ସବୁ କେତେକ ସ୍ଥଳରେ ସମ୍ପୂର୍ଣ୍ଣ ସତ ହୋଇ ନଥାଏ । ଏଗୁଡ଼ିକ ନିଷିଦ୍ଧ ଶ୍ରେଣୀର ହୋଇ ନଥିଲେ ବି ଅନୈତିକ ବିଜ୍ଞାପନ ପର୍ଯ୍ୟାୟଭୁକ୍ତ । ଏଭଳି ଅନୈତିକ ବିଜ୍ଞାପନରେ ସେଲିବ୍ରିଟିଙ୍କ ଅଂଶଗ୍ରହଣ ଯୋଗୁଁ ଗ୍ରାହକଙ୍କ ନିଷ୍ପତ୍ତି ପ୍ରଭାବିତ ହୋଇଥାଏ ଓ ପରେ ସେମାନେ କ୍ଷତିଗ୍ରସ୍ତ ହୋଇଥାଆନ୍ତି । ସିଗାରେଟ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ (ସିଓଟିପିଏ), ୨୦୦୩, କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ), କେବଲ୍ ଟେଲିଭିଜନ ନେଟୱର୍କସ (ନିୟନ୍ତ୍ରଣ) ଆଇନ, ୧୯୯୫ ଆଦି ଜରିଆରେ ଜୋରିମାନା ଓ ଦଣ୍ଡର ପ୍ରାବଧାନ କରାଯାଇ କା’ ବିଜ୍ଞାପନ ଉପରେ କଟକଣା ଲଗାଯିବାର ପ୍ରୟାସ ହୋଇଛି । ପୁନଶ୍ଚ, ଆଡ଼ଭାଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ ଅଫ ଇଣ୍ଡିଆର ମାର୍ଗଦର୍ଶିକା କହିଥାଏ ଯେ ସେଲିବ୍ରିଟିମାନେ ଏପରି କୌଣସି ଉତ୍ପାଦର ବିଜ୍ଞାପନ କରିବା ଅନୁଚିତ ଯାହାର ଖୋଳ ଉପରେ ବା ବିଜ୍ଞାପନରେ ତାହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ବୋଲି ସତର୍କ ସୂଚନା ଲେଖିବା ଆଇନ ଅନୁଯାୟୀ ଅନିବାର୍ଯ୍ୟ ହୋଇଥାଏ ।
କେତେକ କ୍ଷେତ୍ରରେ ଜଣେ ସେଲିବ୍ରିଟି ଭିନ୍ନଭିନ୍ନ ବିଜ୍ଞାପନରେ ପରସ୍ପର ବିରୋଧୀ ବାର୍ତ୍ତାର ବାହକ ହୋଇଥାଆନ୍ତି, ଯାହା ଗ୍ରାହକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିଥାଏ । ଉଦାହରଣ ସ୍ୱରୂପ ‘ସ୍ୱସ୍ଥ ବନେଗା ଇଣ୍ଡିଆ’ ଅଭିଯାନର ବ୍ରାଣ୍ଡ ଆମ୍ୱାସଡ଼ର ଭାବେ ଅମିତାଭ ବଚ୍ଚନ ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାସ୍ଥ୍ୟପ୍ରଦ ଜୀବନୀ ଶୈଳୀର ଅନୁସରଣ କରି ୮୦ ବର୍ଷରୁ ଅଧିକ ସମୟ ଯାଏଁ ବଞ୍ଚି ରହିବାକୁ ପ୍ରବର୍ତ୍ତଉଥିବା ବେଳେ ସେ ଅନ୍ୟ ଏକ କା’ ବିଜ୍ଞାପନରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଏକ ପାନମସଲା ବ୍ରାଣ୍ଡର ଅନୁମୋଦନ କରିଛନ୍ତି । ତମାଖୁ ସେବନ ଦ୍ୱାରା ଜଣେ ଲୋକର ହାରାହାରି ଆୟୁ ୧୫ ବର୍ଷ କମ୍ ହୋଇଥାଏ । ବିଜ୍ଞାପନ ଦୁଇଟିର ବାର୍ତ୍ତା ପରସ୍ପର ବିରୋଧୀ । ତେବେ ଦ୍ୱିତୀୟ ବିଜ୍ଞାପନଟି ପାଇଁ ସେ ସାମାଜିକ ଗଣମାଧ୍ୟମର ଶରବ୍ୟ ହୋଇଥିଲେ । ତାଙ୍କ ବିଜ୍ଞାପନ ଯୋଗୁଁ ଛୋଟ ଛୋଟ ପିଲାମାନେ ତମାଖୁ ସେବନ ପ୍ରତି ଆକୃଷ୍ଟ ହୋଇ ନିଶାସକ୍ତ ହେବାର ଆଶଙ୍କା ଥିବାର ଦର୍ଶାଇ ଏକ ଜାତୀୟ ତମାଖୁ ବିରୋଧୀ ସଂଗଠନ ତାଙ୍କୁ ସେଥିରୁ ଓହରି ଯିବାପାଇଁ ଅନୁରୋଧ କରିଥିଲେ । ଶେଷରେ ବିଜ୍ଞାପନ ଚୁକ୍ତିରୁ ଓହରି ଆସି ସେହି ବିଜ୍ଞାପନର ପ୍ରସାରଣ ବନ୍ଦ କରିବା ଲାଗି ତାଙ୍କୁ କମ୍ପାନୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହୋଇଥିଲା । ଅନ୍ୟ ଏକ ପାନମସଲା କମ୍ପାନୀର କା’ ବିଜ୍ଞାପନ ମଧ୍ୟ ବେଶ୍ ବିବାଦିତ ହୋଇଛି ଯେଉଁଥିରେ ବଲିଉଡ଼ର ତିନିଜଣ ଆଗ ଧାଡ଼ିର ଅଭିନେତା ସାହରୁଖ ଖାନ୍, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ ଏକତ୍ର ଦେଖିବାକୁ ମିଳେ । କା’ ବିଜ୍ଞାପନଗୁଡ଼ିକର ପ୍ରସାରଣ ଯେଉଁ ହାରରେ ବୃଦ୍ଧି ପାଇଚାଲିଛି ୨୦୨୫ ସୁଦ୍ଧା ଦେଶରେ ତମାଖୁ ସେବନକୁ ୩୦ ପ୍ରତିଶତ ହ୍ରାସ କରିବାକୁ ଥିବା ଜାତୀୟ ଲକ୍ଷ୍ୟ ଆଉ ହାସଲ ହେଲା ଭଳି ଜଣାପଡ଼ୁନାହିଁ । କେବଳ ଅଭିନେତା ନୁହନ୍ତି ସଚିନ ତେନ୍ଦୁଲକର ବା ମହେନ୍ଦ୍ର ସିଂହ ଧୋନୀଙ୍କ ଭଳି ଅତ୍ୟନ୍ତ ଲୋକପ୍ରିୟ କ୍ରିକେଟ ତାରକା ମଧ୍ୟ ଏଭଳି ବିଜ୍ଞାପନମାନ କରୁଥିବା ଦେଖିବାକୁ ମିଳିଥାଏ ।
‘ସଫଲ ଇଲାଇଚି' ନାମକ ଏକ ବିଜ୍ଞାପନରେ ଓଡ଼ିଶାର ଲୋକପ୍ରିୟ ଅଭିନେତା ବାବୁଶାନଙ୍କୁ ଉତ୍ପାଦଟିର ଅନୁମୋଦନ କରୁଥିବା ଦେଖାଯାଉଛି । ‘ସଫଲ’ ବ୍ରାଣ୍ଡରେ ଗୁଟଖା ଓ ପାନସମଲା ମଧ୍ୟ ବିକ୍ରି ହେଉଥିବାରୁ ଏହି ବିଜ୍ଞାପନଟି କା’ ବିଜ୍ଞାପନ ପର୍ୟ୍ୟାୟବାଚୀ । ବିଜ୍ଞାପନଟିର ଗୋଟିଏ ଧାଡି ‘ପ୍ରତିଟି ଓଡ଼ିଆ ସଫଲର କଥା କହେ ରେ’ ରୁ ପ୍ରତୀତ ହେଉଛି ଯେମିତି ପ୍ରତ୍ୟେକ ଓଡ଼ିଆ ‘ସଫଲ’ ସେବନ କରନ୍ତି ଓ ସେମାନେ ସମସ୍ତେ ତା’ର ଗୁଣଗାନ କରି ପରୋକ୍ଷରେ ବ୍ରାଣ୍ଡ ଆମ୍ୱାସଡ଼ର ହୋଇସାରିଛନ୍ତି । ଏଭଳି ଏକ ବିବୃତି ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି ଆଘାତ ପହଞ୍ଚାଉନାହିଁ କି ? ଉଲ୍ଲେଖଯୋଗ୍ୟ ଯେ ଗୁଟଖା ଭଳି ଚୋବାଯାଉଥିବା ତମାଖୁକୁ ସେବନ କରି ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୧୦୦୦୦ରୁ ବେଶି ଲୋକ ମୁଖଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେଥିପାଇଁ ଓଡ଼ିଶା ସରକାର ତମାଖୁ ବା ନିକୋଟିନଯୁକ୍ତ ଗୁଟଖା ଓ ପାନମସଲାର ଉତ୍ପାଦନ, ବିକ୍ରି, ଭଣ୍ଡାରଣ ଓ ବିପଣନ ଉପରେ ୨୦୧୩ରୁ ପ୍ରତିବନ୍ଧ ଲଗାଇସାରିଛନ୍ତି । ଏହାସତ୍ତ୍ୱେ ଓଡ଼ିଶାର ସର୍ବତ୍ର ଗୁଟଖାର ସହଜ ଉପଲବ୍ଧତା ଯୋଗୁଁ କିଶୋରମାନେ ବି ତା’ କବଳରେ ପଡ଼ି ନିଶାସକ୍ତ ହେବା ଚିନ୍ତାଜନକ । ଗୁଟଖାର ସ୍ଫୀତ ଚାହିଦାରେ ଉତ୍ସାହିତ କମ୍ପାନୀଗୁଡ଼ିକ କା’ ବିଜ୍ଞାପନ ଦେବାକୁ ବି କୁଣ୍ଠା ବା ଭୟ କରୁନାହାନ୍ତି । ଏହିଭଳି କା‘ ବିଜ୍ଞାପନ ଗୁଟଖାର ବର୍ଦ୍ଧିତ ବିକ୍ରିର ସୂଚକ ହୋଇଥିବାରୁ ତାହା ପରୋକ୍ଷରେ ଆଇନର ଅନୁପାଳନରେ ଅବକାରୀ ବିଭାଗର ଶିଥିଳତାକୁ ମଧ୍ୟ ଦର୍ଶାଉଛି । ‘ଦମନ’ ଭଳି ଏକ ଉଚ୍ଚକୋଟୀର ସିନେମାରେ ଜଣେ ଡାକ୍ତର ଭୂମିକାରେ ନିଜର ସାମାଜିକ ପ୍ରତିବଦ୍ଧତାକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରି ପ୍ରଶଂସିତ ହେଲା ପରେ ବାବୁଶାନଙ୍କର ଏଭଳି ଏକ ଅନୈତିକ ବିଜ୍ଞାପନରେ ଅଂଶଗ୍ରହଣ ତାଙ୍କ ଭାବମୂର୍ତ୍ତିକୁ ମଳିନ କରୁନାହିଁ କି ? ଅତୀତରେ ଚିଟ୍ ଫଣ୍ଡ କମ୍ପାନୀଗୁଡ଼ିକ ସେମାନଙ୍କ ବିଜ୍ଞାପନରେ ସିନେ କଳାକାରମାନଙ୍କୁ ଉପଯୋଗ କରି ସାଧାରଣ ଲୋକଙ୍କ ବିଶ୍ୱାସ ଜିଣି ପରେ ସେମାନଙ୍କୁ ଠକିଥିଲେ । ତେଣୁ ଓଡ଼ିଶାର ସେଲିବ୍ରିଟିମାନେ ସେଭଳି କମ୍ପାନୀଗୁଡ଼ିକର ଅଭିସନ୍ଧିକୁ ହୃଦୟଙ୍ଗମ କରି ତହିଁରୁ ଦୂରରେ ରହିବା ଉଚିତ ।
ତେବେ ଏମିତି ସେଲିବ୍ରିଟି ବି ଅଛନ୍ତି ଯେଉଁମାନେ ଲୋଭର ବଶବର୍ତ୍ତୀ ନହୋଇ ନୈତିକତା ଆଧାରରେ କେତେକ ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି । କ୍ରିକେଟ ତାରକା ବିରାଟ କୋହଲି, ବ୍ୟାଡ଼ମିଣ୍ଟନ ତାରକା ଗୋପୀଚାନ୍ଦ, ସିନେତାରକା ଆମୀର ଖାଁ, ଜନ ଆବ୍ରାହମ, ରଣବୀର କପୁର, କଙ୍ଗନା ରାନୌତ, ରଣଦୀପ ହୁଡ଼ା, ଅନୁଷ୍କା ଶର୍ମା ଇତ୍ୟାଦି ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ସେମାନେ ବିଜ୍ଞାପନ କରି ନଥିବା ଦ୍ରବ୍ୟଗୁଡ଼ିକ ମଧ୍ୟରେ ରହିଛି ମୃଦୁ ପାନୀୟ, ପାନମସଲା, ଗୋରା କରୁଥିବା କ୍ରିମ୍, ଏପରିକି ସୌଖୀନ କାର ମଧ୍ୟ ।
କୌଣସି ସେଲିବ୍ରିଟିଙ୍କୁ ପଦ୍ମସମ୍ମାନ ଅଥବା ଅନ୍ୟ କୌଣସି ନାଗରିକ ସମ୍ମାନ ପ୍ରଦାନ ପାଇଁ ବିବେଚନା କଲାବେଳେ, ସେମାନେ ସମାଜର କ୍ଷତି ହେଲା ଭଳି ଉତ୍ପାଦ ବା ବ୍ରାଣ୍ଡର ପ୍ରଚାର ସହ ସମ୍ପୃକ୍ତ ଥିଲେ, ସେମାନଙ୍କୁ ସେଥିରୁ ବାଦ ଦିଆଯିବା ଆବଶ୍ୟକ । ପଦ୍ମସମ୍ମାନରେ ସମ୍ମାନିତ ହେଲା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ସାମାଜିକ ଦାୟିତ୍ୱବୋଧ ଆଶା କରାଯାଏ । ଏକ ସୁନାଗରିକର ଦାୟିତ୍ୱ ନିର୍ବାହ କରିବାକୁ ଅସମର୍ଥ ହୋଇ ଏଭଳି ବିଜ୍ଞାପନର ବ୍ରାଣ୍ଡ ଆମ୍ୱାସଡ଼ର ଭାବେ ସମାଜର କ୍ଷତିସାଧନ କରୁଥିବା ବ୍ୟକ୍ତିବିଶେଷଙ୍କଠାରୁ ପଦ୍ମସମ୍ମାନ ପ୍ରତ୍ୟାହୃତ ହେବା ଲାଗି ଜନମତ ଦୃଢ଼ ହେବା ଆବଶ୍ୟକ । ନିକଟରେ ଅମିତାଭ ବଚ୍ଚନଙ୍କ ଏକ ବିଜ୍ଞାପନର ଛବିକୁ ସଂଲଗ୍ନ କରି ତେଲେଙ୍ଗାନାର ବରିଷ୍ଠ ଆଇପିଏସ ଅଧିକାରୀ ଭି ସି ସଜ୍ଜନାର ଟ୍ୱିଟ ମାଧ୍ୟମରେ ଅନୁରୋଧ କରିଥିଲେ ଯେ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ଅନ୍ୟ ସେଲିବ୍ରିଟିମାନେ ଦେଶର ଆର୍ଥିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଥିବା ‘ଆମୱେ’ ଭଳି କମ୍ପାନୀର ସହଯୋଗ କରନ୍ତୁ ନାହିଁ । ‘ଆମୱେ’ ହେଉଛିଏକ ଆମେରିକୀୟ କମ୍ପାନୀ ଯାହା ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବହୁସ୍ତରୀୟ ପିରାମିଡ଼ ଠକେଇର ଅଭିଯୋଗ ଆଣି କମ୍ପାନୀର ୭୫୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଆଟାଚ୍ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଅମିତାଭ ବଚ୍ଚନ ୨୦୨୧ରେ ଏହି କମ୍ପାନୀର ବ୍ରାଣ୍ଡ ଆମ୍ୱାସଡ଼ର ଭାବେ ‘ନ୍ୟୁଟ୍ରିଲାଇଟ’ ଉତ୍ପାଦଗୁଡ଼ିକର ବିଜ୍ଞାପନ କରିଥିଲେ । ଅର୍ଥାତ୍ ବିଜ୍ଞାପନ କରିବା ପୂର୍ବରୁ ‘ଯଥୋଚିତ ଅନୁସନ୍ଧାନ’ କରିବା ଲାଗି ଅନ୍ୟମାନଙ୍କୁ ପରାମର୍ଶ ଦେଉଥିବା ବଚ୍ଚନ ମଧ୍ୟ ସ୍ଥଳ ବିଶେଷରେ ନିଜେ ତାହା ଅନୁପାଳନ କରିବାକୁ ସମର୍ଥ ହୋଇନାହାନ୍ତି ।
କହିବା ଅନାବଶ୍ୟକ ଯେ ସାଧାରଣ ଲୋକେ ସେଲିବ୍ରିଟିମାନଙ୍କୁ ଅଜସ୍ର ଭଲ ପାଇବା ସହ ହୃଦୟରେ ସ୍ଥାନ ଦେଇଥାନ୍ତି । ସେଲିବ୍ରିଟିମାନଙ୍କ ଆଚରଣ, ଉଚ୍ଚାରଣ, ଅଭ୍ୟାସକୁ ଅନୁସରଣ ଓ ଅନୁକରଣ କରନ୍ତି । ସେହି ଦୃଷ୍ଟିରୁ ସେଲିବ୍ରିଟିଙ୍କ ନିକଟରୁ ସମାଜର କ୍ଷତି ନ ହେଲା ଭଳି ଅଧିକ ସାମାଜିକ ଦାୟିତ୍ୱବୋଧ ଆଶା କରାଯାଏ । ତେଣୁ ସେମାନେ କେଉଁ ଦ୍ରବ୍ୟର ବିଜ୍ଞାପନ କରିବେ ବା ନ କରିବେ, ତା’ର ନିଷ୍ପତ୍ତି ସେହି ଦାୟିତ୍ୱବୋଧ ଆଧାରରେ କରାଯିବା ଉଚିତ ।
Published on May 03, 2023 in Sambad
Comments
Post a Comment