ବିକାଶର ଲାଭ ଉଭୟ ପୁରୁଷ ଓ ମହିଳାଙ୍କଠାରେ ସମାନ ଭାବେ ନ ପହଞ୍ଚିଲା ଯାଏଁ ପ୍ରକୃତ ଅର୍ଥରେ ବିକାଶ ହୋଇଛି ବୋଲି କହିହେବ ନାହିଁ କି ବିକାଶର ସ୍ଥାୟିତ୍ୱକୁ ସୁନିଶ୍ଚିତ କରିହେବ ନାହିଁ । ତେଣୁ ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣକୁ ସତତ ବିକାଶ ଲକ୍ଷ୍ୟ (ଏସଡ଼ିଜି)ର ୫ମ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇଛି । ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ଅସମାନତାକୁ ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆହେଉଥିଲେ ବି ବାସ୍ତବତା ହେଉଛି ଆଜି ମଧ୍ୟ ପୃଥିବୀର ପ୍ରାୟ ସବୁ ଦେଶରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଲିଙ୍ଗଗତ ଅସମାନତା ଲାଗି ରହିଛି । ସାମାଜିକ, ରାଜନୈତିକ, ବୌଦ୍ଧିକ, ସାଂସ୍କୃତିକ ବା ଅର୍ଥନୈତିକ ଉପଲବ୍ଧି ବା ଆଭିମୁଖ୍ୟରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା ତାରତମ୍ୟକୁ ଲିଙ୍ଗଗତ ବ୍ୟବଧାନ କୁହାଯାଇଥାଏ । ୨୦୦୬ ମସିହାରୁ ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ବିଶ୍ୱ ଲିଙ୍ଗଗତ ବ୍ୟବଧାନ ସୂଚକାଙ୍କ ପ୍ରସ୍ତୁତ ହୋଇଆସୁଛି । ଏହି ସୂଚକାଙ୍କ ପ୍ରସ୍ତୁତିରେ ଯେଉଁ ଚାରିଟି ମୁଖ୍ୟ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଥାଏ ସେଗୁଡ଼ିକ ହେଲା, ଅର୍ଥନୈତିକ ଭାଗିଦାରୀ ଓ ସୁଯୋଗ, ଶିକ୍ଷାଗତ ଉପଲବ୍ଧି, ସ୍ୱାସ୍ଥ୍ୟ ଓ ଜୀବନ ପ୍ରତ୍ୟାଶା ଏବଂ ରାଜନୈତିକ ସଶକ୍ତିକରଣ । ଏହି ସୂଚକାଙ୍କ ପ୍ରସ୍ତୁତ ହେବା ଆରମ୍ଭରୁ ଏ ପର୍ଯ୍ୟନ୍ତ ଯେଉଁ ୧୦୨ଟି ଦେଶର ତଥ୍ୟ ଲଗାତର ବିବେଚନାକୁ ନିଆ ହୋଇଆସିଛି ତନ୍ମଧ୍ୟରେ ଭାରତ ଅନ୍ୟତମ । ୧୬ ବର୍ଷ ମଧ୍ୟରେ ଭାରତ ଏହି ସୂଚକାଙ୍କରେ ୦-୧ ମାପକାଠିରେ ସର୍ବନିମ୍ନ ୦.୫୯୩ରୁ ସର୍ବାଧିକ ୦.୬୮୨ ଅଙ୍କ ଲାଭ କରି ଆସିଛି । ୨୦୨୨ରେ ପ୍ରକାଶିତ ସୂଚକାଙ୍କରେ ଭାରତ ୦.୬୨୯ ଅଙ୍କ ସହ ୧୪୬ଟି ଦେଶର ତାଲିକାରେ ୧୩୫ତମ ସ୍ଥାନରେ ରହିବା ନିରାଶାଜନକ । ଭାରତର ମହିଳା ଜନସଂଖ୍ୟା ୬୬ କୋଟିରୁ ଅଧିକ, ଯାହା ବିଶ୍ୱ ମହିଳା ଜନସଂଖ୍ୟାର ପ୍ରାୟ ୨୦ ପ୍ରତିଶତ ହୋଇଥିବାରୁ ଏହି ସୂଚକାଙ୍କରେ ଭାରତର ନିମ୍ନ ପ୍ରଦର୍ଶନ ସାମଗ୍ରିକ ଭାବେ ଦକ୍ଷିଣ ଏସିଆ ତଥା ବିଶ୍ୱ ସ୍ତରରେ ଲିଙ୍ଗଗତ ବ୍ୟବଧାନକୁ ପ୍ରଭାବିତ କରୁଛି । ତେଣୁ ବିଶ୍ୱ ଲିଙ୍ଗଗତ ବ୍ୟବଧାନ ସୂଚକାଙ୍କରେ ଭାରତର ପ୍ରଦର୍ଶନକୁ ବୁଝିବାର ଆବଶ୍ୟକତା ରହିଛି ।
ବିଶ୍ୱ ଲିଙ୍ଗଗତ ବ୍ୟବଧାନ ସୂଚକାଙ୍କରେ ଥିବା ୪ଟି ଉପସୂଚକାଙ୍କରେ ଦେଶୱାରି ପ୍ରଦର୍ଶନକୁ ମାପିବା ପାଇଁ ଭିନ୍ନ ଭିନ୍ନ ସୂଚକର ସହାୟତା ନିଆଯାଇଛି । ଯେପରି ‘ଅର୍ଥନୈତିକ ଭାଗିଦାରୀ ଓ ସୁଯୋଗ’ ଉପସୂଚକକୁ ମାପିବା ପାଇଁ ମହିଳାଙ୍କ ଶ୍ରମଶକ୍ତି ଭାଗିଦାରୀ ହାର, ସମାନ କାମ ପାଇଁ ସମାନ ପାରିଶ୍ରମିକ, ଆନୁମାନିକ ଅର୍ଜିତ ଆୟ, ସାଂସଦ, ବରିଷ୍ଠ ଅଧିକାରୀ ଓ ପ୍ରବନ୍ଧକଙ୍କ ଭାଗିଦାରୀ ତଥା ପେଷାଦାର ଓ ବୈଷୟିକ ଶ୍ରମିକଙ୍କ ଭାଗିଦାରୀକୁ ବିଚାରକୁ ନିଆଯାଉଥିବା ବେଳେ ଶିକ୍ଷାଗତ ଉପଲବ୍ଧି ଉପସୂଚକକୁ ମାପିବା ପାଇଁ ମହିଳାଙ୍କ ସାକ୍ଷରତା ହାର, ପ୍ରାଥମିକ, ମାଧ୍ୟମିକ ଓ ତୃତୀୟ ପର୍ୟ୍ୟାୟ ଶିକ୍ଷାରେ ନାମଲେଖାକୁ ବିଚାର ଅନ୍ତର୍ଗତ କରାଯାଇଥାଏ । ସେହିପରି ‘ସ୍ୱାସ୍ଥ୍ୟ ଓ ଜୀବନ ପ୍ରତ୍ୟାଶା’ ଉପସୂଚକରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ ଓ ସୁସ୍ଥ ଜୀବନ ପ୍ରତ୍ୟାଶାକୁ ବିଚାର କରାଯାଉଥିବା ବେଳେ ‘ରାଜନୈତିକ ସଶକ୍ତିକରଣ’ ଉପସୂଚକରେ ସଂସଦରେ ମହିଳା, ମନ୍ତ୍ରୀସ୍ତରରେ ଥିବା ମହିଳା ତଥା ବିଗତ ୫୦ ବର୍ଷ ମଧ୍ୟରେ କେତେ ବର୍ଷ ଧରି ମହିଳା ରାଷ୍ଟ୍ରମୁଖ୍ୟ ଭାବେ ରହିଛନ୍ତି ସେଗୁଡ଼ିକୁ ବିଚାର କରାଯାଇଥାଏ । ଏ ସମସ୍ତ ତଥ୍ୟ ଆଇଏଲଓ, ଡବଲ୍ୟୁଏଚଓ, ୟୁନେସ୍କା, ଡବଲ୍ୟୁଇଏଫ, ବିଶ୍ୱ ବ୍ୟାଙ୍କ, ଆଇପିୟୁ ଆଦି ଆନ୍ତର୍ଜାତିକ ସଂଗଠନଙ୍କ ନିକଟରୁ ସଂଗ୍ରହ କରାଯାଇଥାଏ ।
ରିପୋର୍ଟ ଅନୁଯାୟୀ ୨୦୨୨ରେ ସାରା ବିଶ୍ୱରେ ଲିଙ୍ଗଗତ ବ୍ୟବଧାନ ୬୮.୧ ପ୍ରତିଶତ ରହିଛି, ଯାହା ୨୦୨୧ରେ ଥିବା ୬୮ ପ୍ରତିଶତ ତୁଳନାରେ ମାତ୍ର ୦.୧ ପ୍ରତିଶତ ଅଧିକ । ଏହି ହାରରେ ଅଗ୍ରଗତି ହେଲେ ସାରା ବିଶ୍ୱରେ ଲିଙ୍ଗଗତ ବ୍ୟବଧାନ ସମ୍ପୂର୍ଣ୍ଣ ଦୂର ହେବାକୁ ଆହୁରି ୧୩୨ ବର୍ଷ ଲାଗିଯିବ ବୋଲି ପୂର୍ବାନୁମାନ କରାଯାଇଛି । ଏ ଦିଗରେ ୨୦୨୦ ପର୍ଯ୍ୟନ୍ତ ଅପେକ୍ଷାକୃତ ଦ୍ରୁତ ଅଗ୍ରଗତି ହୋଇଥିଲା ଓ ଲିଙ୍ଗଗତ ବ୍ୟବଧାନ ଆସନ୍ତା ୧୦୦ ବର୍ଷ ମଧ୍ୟରେ ସମାପ୍ତ ହୋଇଯିବ ବୋଲି ଆଶା ବ୍ୟକ୍ତ କରାଯାଉଥିଲା । ହେଲେ ୨୦୨୧ ଓ ୨୦୨୨ରେ ତାହା ଯଥେଷ୍ଟ ଧୀମେଇ ଯାଇଥିବାର ପରିଲକ୍ଷିତ ହୋଇଛି । କୌଣସି ଦେଶ ଏହି ବ୍ୟବଧାନକୁ ସମାପ୍ତ କରିବାକୁ ସମର୍ଥ ହୋଇ ନଥିବା ବେଳେ ଆଇସଲାଣ୍ଡ ୯୦.୮ ପ୍ରତିଶତ ସହ ଏ ଦିଗରେ ସର୍ବାଧିକ ଅଗ୍ରଗତି କରିଛି । ୮୦ ପ୍ରତିଶତରୁ ଅଧିକ ସ୍ତରରେ ପହଞ୍ଚିଥିବା ଅନ୍ୟ ଦେଶଗୁଡ଼ିକ ହେଲେ ଫିନଲାଣ୍ଡ, ନରୱେ, ନିଉଜିଲାଣ୍ଡ, ସ୍ୱିଡ଼େନ, ରୱାଣ୍ଡା, ନିକାରାଗୁଆ, ନାମ୍ୱିୟା, ଆୟର୍ଲାଣ୍ଡ ଓ ଜର୍ମାନୀ । ତେବେ ରାଜନୈତିକ ସଶକ୍ତିକରଣ ଉପସୂଚକରେ ସର୍ବାଧିକ ୭୭.୬ ପ୍ରତିଶତର ଲିଙ୍ଗଗତ ବ୍ୟବଧାନ ରହିଛି, ଯାହା ପୂରଣ କରିବା ଲାଗି ବର୍ତ୍ତମାନ ହାରରେ ଆହୁରି ୧୫୫ ବର୍ଷ ଲାଗିଯାଇପାରେ । ଦ୍ୱିତୀୟ ବୃହତ୍ ଆହ୍ୱାନଟି ଅର୍ଥନୈତିକ ଭାଗିଦାରୀ ଓ ସୁଯୋଗ ପ୍ରଦାନ ଉପସୂଚକ ଆଡ଼ୁ ରହିଛି । ଏଥିରେ ୪୦ ପ୍ରତିଶତ ବ୍ୟବଧାନ ରହିଛି ଯାହା ୧୫୧ ବର୍ଷରେ ପୂରଣ ହୋଇପାରେ । ଶୈକ୍ଷିକ ଉପଲବ୍ଧିରେ ଥିବା ୪.୭ ପ୍ରତିଶତ ବ୍ୟବଧାନକୁ ପୂରଣ କରିବା ଲାଗି ଆଉ ମାତ୍ର ୨୨ ବର୍ଷ ଲାଗିପାରେ । ସ୍ୱାସ୍ଥ୍ୟ ଓ ଜୀବନ ପ୍ରତ୍ୟାଶା କ୍ଷେତ୍ରରେ ବ୍ୟବଧାନ ମାତ୍ର ୪.୩ ପ୍ରତିଶତ ଥିଲେ ବି ପ୍ରତ୍ୟେକ ଦେଶ ତରଫରୁ ପ୍ରୟାସକୁ ତ୍ୱରାନ୍ୱିତ କରା ନ ଗଲେ ଏହି ବ୍ୟବଧାନ କେବେ ପୂରଣ ହେବ ତାହା କହିବା ସମ୍ଭବପର ନୁହେଁ ।
‘ଅର୍ଥନୈତିକ ଭାଗିଦାରୀ ଓ ସୁଯୋଗ’ ଉପସୂଚକରେ ୦-୧ର ମାପକାଠିରେ ୧୪୬ଟି ଦେଶ ମଧ୍ୟରେ ଭାରତ ୦.୩୫ ଅଙ୍କ ସହ ୧୪୩ତମ ସ୍ଥାନରେ ରହିଛି । ଏଥିରେ ଭାରତ ତଳେ ଥିବା ଦେଶଗୁଡ଼ିକ ହେଲେ ଇରାନ, ପାକିସ୍ତାନ ଓ ଆଫଗାନିସ୍ଥାନ । କେବଳ ଶ୍ରମଶକ୍ତିରେ ମହିଳାଙ୍କ ଭାଗିଦାରୀକୁ ଛାଡ଼ି ‘ଅର୍ଥନୈତିକ ଭାଗିଦାରୀ ଓ ସୁଯୋଗ’ ଉପସୂଚକର ସ୍ଥିତି ନିର୍ଦ୍ଧାରଣ କରୁଥିବା ଅନ୍ୟ ସୂଚକଗୁଡ଼ିକରେ ଗତ ବର୍ଷ ତୁଳନାରେ ଉନ୍ନତି ପରିଲକ୍ଷିତ ହୋଇଛି । ଶ୍ରମଶକ୍ତି ଭାଗିଦାରୀ ହାରରେ ମହିଳାଙ୍କ ଭାଗିଦାରୀ ଗତ ବର୍ଷ ତୁଳନାରେ ପ୍ରାୟ ୩ ପ୍ରତିଶତ ସଙ୍କୁଚିତ ହୋଇଛି । ବସ୍ତୁତଃ ଶ୍ରମଶକ୍ତିରେ ପୁରୁଷ ଓ ମହିଳାଙ୍କ ଭାଗିଦାରୀ ହାର ମଧ୍ୟରେ ପ୍ରାୟ ୫୧ ପ୍ରତିଶତ ବ୍ୟବଧାନ ରହିଛି । କିପରି ଅଧିକ ମହିଳା ଶ୍ରମଶକ୍ତିର ଅଂଶବିଶେଷ ହୋଇପାରିବେ ସେଥିପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ଭାରତରେ କମ୍ପାନିଗୁଡ଼ିକର ବୋର୍ଡ଼ରେ ୧୭ ପ୍ରତିଶତ ମହିଳା ଥିବାବେଳେ ମାତ୍ର ୨.୮ ପ୍ରତିଶତ ସଂସ୍ଥା ମହିଳାଙ୍କ ମାଲିକାନାରେ ଚାଲିଛି । ବିଭିନ୍ନ ସଂସ୍ଥାର ଉଚ୍ଚ ପ୍ରବନ୍ଧକଙ୍କ ମଧ୍ୟରେ ମାତ୍ର ୯ ପ୍ରତିଶତ ମହିଳା ସ୍ଥାନ ପାଇଛନ୍ତି । ତେବେ ଅଣଆନୁଷ୍ଠାନିକ କ୍ଷେତ୍ରରେ କାର୍ୟ୍ୟରତ ଶ୍ରମିକଙ୍କ ମଧ୍ୟରେ ପ୍ରାୟ ୮୯ ପ୍ରତିଶତ ମହିଳା ଅଟନ୍ତି ।
‘ଶିକ୍ଷାଗତ ଉପଲବ୍ଧି’ ଉପସୂଚକରେ ଭାରତ ୦.୯୬୧ ଅଙ୍କ ସହ ୧୦୭ତମ ସ୍ଥାନରେ ରହିଛି । ଏଥିରେ ଭାରତର ପ୍ରଦର୍ଶନ ଅପେକ୍ଷାକୃତ ଭଲ ହୋଇଥିଲେ ବି ତୁଳନାତ୍ମକ ଭାବେ ଅନ୍ୟ କିଛି ଦେଶଙ୍କର ପ୍ରଦର୍ଶନ ତାଠାରୁ ଭଲ ରହିଛି । ଏ କ୍ଷେତ୍ରରେ ପୂର୍ଣ୍ଣ ୧ ଅଙ୍କ ସହ ଆର୍ଜେଣ୍ଟିନା, ବ୍ରାଜିଲ, କାନାଡ଼ା, ଫ୍ରାନ୍ସ, ଜାପାନ, ନିଉଜିଲାଣ୍ଡ, ଆୟର୍ଲାଣ୍ଡ, ନେଦରଲାଣ୍ଡସ୍, ସ୍ୱିଡ଼େନ ପରି ୨୧ଟି ଦେଶ ପ୍ରଥମ ସ୍ଥାନରେ ରହିଛନ୍ତି । ଭାରତରେ ପୁରୁଷ ଓ ମହିଳାଙ୍କ ସାକ୍ଷରତା ହାରରେ ଖୁବ ଅନ୍ତର ଦେଖିବାକୁ ମିଳେ । ପୁରୁଷଙ୍କ ସାକ୍ଷରତା ହାର ୮୪.୭ ପ୍ରତିଶତ ହୋଇଥିବା ବେଳେ ମହିଳା ସାକ୍ଷରତା ମାତ୍ର ୭୦.୩ ପ୍ରତିଶତ ଅଟେ । ସାକ୍ଷରତା ବ୍ୟବଧାନ ଦୃଷ୍ଟିରୁ ଭାରତ ୧୨୧ତମ ସ୍ଥାନରେ ରହିଛି । ମହିଳାଙ୍କ ଉଭୟ ପ୍ରାଥମିକ ଏବଂ ବୈଷୟିକ ଓ ବୃତ୍ତିମୂଳକ ଶିକ୍ଷା ଭଳି ତୃତୀୟ ପର୍ଯ୍ୟାୟର ଶିକ୍ଷାରେ ନାମଲେଖା ଦୃଷ୍ଟିରୁ ଭାରତ ପୂର୍ଣ୍ଣ ୧ ଅଙ୍କ ଲେଖାଏଁ ଲାଭ କରି ପ୍ରଥମ ସ୍ଥାନରେ ରହିବା ଉତ୍ସାହଜନକ । ତେବେ ମାଧ୍ୟମିକ ଶିକ୍ଷା ନାମଲେଖାରେ ୦.୯୯୫ ଅଙ୍କ ଲାଭ କରିଥିଲେ ବି ଅନ୍ୟ ଦେଶଗୁଡ଼ିକର ଉନ୍ନତ ପ୍ରଦର୍ଶନ ଯୋଗୁଁ ଭାରତ ୭୯ତମ ସ୍ଥାନରେ ରହିଛି ।
‘ସ୍ୱାସ୍ଥ୍ୟ ଓ ଜୀବନ ପ୍ରତ୍ୟାଶା’ ଉପସୂଚକରେ ଭାରତ ୦.୯୩୭ ଅଙ୍କ ସହ ସବା ତଳେ ରହିବା ଦୁର୍ଭାଗ୍ୟଜନକ । ଏହି ଉପସୂଚକରେ ପ୍ରଦର୍ଶନ ମନ୍ଦ ନହେଲେ ବି ଭାରତର ସବାତଳେ ରହିବାର କାରଣ ହେଉଛି ଅନ୍ୟ ସବୁ ଦେଶ ଏଥିରେ ୦.୯୪ ବା ତା’ଠାରୁ ଅଧିକ ଅଙ୍କ ହାସଲ କରିଛନ୍ତି । ଜନ୍ମବେଳେ ଲିଙ୍ଗ ଅନୁପାତ ଦୃଷ୍ଟିରୁ ଭାରତ ୦.୯୦୮ ଅଙ୍କ ସହ ୧୪୨ତମ ସ୍ଥାନରେ ଥିବା ବେଳେ ଜୀବନ ପ୍ରତ୍ୟାଶାରେ ୧୩୭ତମ ସ୍ଥାନରେ ରହିଛି । ୨୮.୭ ପ୍ରତିଶତ ମହିଳା ତାଙ୍କ ଜୀବଦ୍ଦଶାରେ କେବେହେଲେ ଲିଙ୍ଗଗତ ହିଂସାର ଶିକାର ହୋଇଛନ୍ତି । ଏବେ ମଧ୍ୟ ପ୍ରାୟ ୧୮ ପ୍ରତିଶତ ପ୍ରସବ ସଂସ୍ଥାଗତ କୁଶଳୀ କର୍ମଚାରୀଙ୍କ ଦ୍ୱାରା ନ ହୋଇ ଘରୋଇ ଭାବେ ହେଉଛି ଯଦ୍ଦ୍ୱାରା ମାତୃମୃତ୍ୟୁହାର ପ୍ରତି ୧ ଲକ୍ଷ ପ୍ରସବରେ ୧୪୫ ରହିଛି । ଏ ସମସ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତ୍ୟାଶା ଉପରେ ପ୍ରତିକୁଳ ପ୍ରଭାବ ପକାଉଛି । ଜନ୍ମବେଳେ ଲିଙ୍ଗ ଅନୁପାତକୁ ସୁଧାରି ହେଲେ ଭାରତ ଏହି ଉପସୂଚକରେ ଉନ୍ନତ ସ୍ଥାନ ଦଖଲ କରିପାରିବ ।
‘ରାଜନୈତିକ ସଶକ୍ତିକରଣ’ ଉପସୂଚକରେ ଭାରତ ୦.୨୬୭ ଅଙ୍କ ସହ ୪୮ତମ ସ୍ଥାନରେ ରହିଛି । ଏହି ଉପସୂଚକରେ କେବଳ ଆଇସଲାଣ୍ଡକୁ ବାଦ ଦେଲେ ଅନ୍ୟ କୌଣସି ଦେଶର ପ୍ରଦର୍ଶନ ଭଲ ନୁହେଁ, କାରଣ ଆଉ କୌଣସି ଦେଶ ୭୦ ପ୍ରତିଶତ ଅଙ୍କ ବି ଛୁଇଁ ପାରିନାହାନ୍ତି । ତେଣୁ ଭାରତର କମ ଅଙ୍କ ପ୍ରାପ୍ତି ସତ୍ତ୍ୱେ ସଂଖ୍ୟାଧିକ ଦେଶର ପ୍ରଦର୍ଶନ ଯଥେଷ୍ଟ ଖରାପ ହୋଇଥିବାରୁ ଭାରତ ଅପେକ୍ଷାକୃତ ଭଲ ସ୍ଥାନରେ ରହିପାରିଛି । ତେବେ ସଂସଦରେ ମହିଳା ସାଂସଦଙ୍କ ପ୍ରତିଶତ ଅନୁଯାୟୀ ଭାରତ ୧୧୮ ତମ ସ୍ଥାନରେ ଅଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ଲୋକସଭା ଓ ରାଜ୍ୟସଭାରେ ଯଥାକ୍ରମେ ୭୮ ଓ ୨୪ ଜଣ ମହିଳା ବା ୧୪ ଓ ୧୧ ପ୍ରତିଶତ ମହିଳା ସାଂସଦ ଅଛନ୍ତି । ସେହିପରି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସମୁଦାୟ ୭୮ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୧୧ ଜଣ ବା ୧୪ ପ୍ରତିଶତ ଅଛନ୍ତି । ମହିଳା ମନ୍ତ୍ରୀଙ୍କ ପ୍ରତିଶତ ଅନୁଯାୟୀ ଭାରତ ୧୨୬ ତମ ସ୍ଥାନରେ ରହିଛି । ବିଗତ ୫୦ ବର୍ଷ ମଧ୍ୟରେ କେତେ ବର୍ଷ ମହିଳା ରାଷ୍ଟ୍ରାଧ୍ୟକ୍ଷ ଅଛନ୍ତିକୁ ବିଚାରକୁ ନେଇ ଭାରତ ୮ମ ସ୍ଥାନ ପାଇଛି । ତେଣୁ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବା ଲାଗି ମହିଳା ଆରକ୍ଷଣ ବିଲ୍ ପାରିତ ହେଲେ ମହିଳାଙ୍କ ରାଜନୈତିକ ସଶକ୍ତିକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ।
ଯେଉଁ ଦେଶରେ ଲିଙ୍ଗଗତ ବ୍ୟବଧାନ ଯେତେ କମ ସେ ଦେଶରେ ବିକାଶ ସେତେ ଅଧିକ ହୋଇଥାଏ । ଲିଙ୍ଗଗତ ବ୍ୟବଧାନ କମ ଥିବା ଦେଶଗୁଡ଼ିକରେ ମୁଣ୍ଡପିଛା ଆୟ ଅଧିକ ଥିବା ଦେଖାଯାଏ । ଭାରତ ତା’ର ବିଶାଳ ଜନସଂଖ୍ୟା ଯୋଗୁଁ ଏକ ଅର୍ଥନୈତିକ ଶକ୍ତି ଭାବେ ଉଭା ହେବା ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ବି ଯଦି ଜନସଂଖ୍ୟାର ୫୦ ପ୍ରତିଶତ ଥିବା ମହିଳାମାନେ ସେହି ବିକାଶର ଲାଭାର୍ଥୀ ହୋଇ ନ ପାରିଲେ ତେବେ ଦେଶର ସନ୍ତୁଳିତ ବିକାଶ ହୋଇଛି ବୋଲି କହିହେବ ନାହିଁ । ତେଣୁ ଭାରତର ଉତ୍କଟ ଲିଙ୍ଗଗତ ବ୍ୟବଧାନକୁ ଯଥାଶୀଘ୍ର ହ୍ରାସ କରିବାପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ପ୍ରକାର ପ୍ରୟାସ ହେବା ଆବଶ୍ୟକ ।
Published in Odisha Reporter on January 31, 2023
Comments
Post a Comment