ସିଏମଆଇଇ ଦ୍ୱାରା ଡିସେମ୍ୱର ୨୦୨୨ରେ ପ୍ରକାଶିତ ମାସିକିଆ ରିପୋର୍ଟରେ ଦେଶରେ ବେକାରି ହାର ଗତ ୧୬ ମାସ ମଧ୍ୟରେ ୮.୩ ପ୍ରତିଶତର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ମାତ୍ର ୦.୯ ପ୍ରତିଶତ ସହ ଓଡିଶାରେ ବେକାରି ହାର ଅନ୍ୟ ରାଜ୍ୟଙ୍କ ତୁଳନାରେ ସର୍ବନିମ୍ନ ବୋଲି ଜଣାପଡ଼ିବା ପରେ ରାଜନୈତିକ ବାଦବିବାଦ ଆରମ୍ଭ ହୋଇଯାଇଛି । ତେବେ କ’ଣ ଓଡିଶାରେ ବେକାରି ସମସ୍ୟା ଆଉ ଏକ ସମସ୍ୟା ହୋଇ ରହିନାହିଁ ? ସଂସଦରେ ପ୍ରଦତ୍ତ ତଥ୍ୟ ଓ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ବେକାରି ହାର ଅପେକ୍ଷାକୃତ ଅଧିକ ହୋଇଥିବାରୁ ରାଜ୍ୟରେ ବେକାରି ସମସ୍ୟାର ବାସ୍ତବ ସ୍ଥିତି ସମ୍ପର୍କରେ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ । ତେଣୁ ସାମଗ୍ରିକ ଭାବେ ରାଜ୍ୟ ଓ ଦେଶରେ ବେକାରି ସମସ୍ୟାର ବାସ୍ତବ ସ୍ଥିତିକୁ ବୁଝିବାର ଏକ ପ୍ରୟାସ କରାଯାଉ ।
ଏହି ରିପୋର୍ଟରେ ବେକାରି ହାର କମ ହେବାର ଅର୍ଥ ନୁହେଁ ଯେ ଅଧିକାଂଶ ଲୋକ ନିୟମିତ ଭାବେ ଚାକିରି ବା କାମଧନ୍ଦାରେ ନିଯୁକ୍ତ । ଏହାର ଅର୍ଥ ହେଉଛି ସେହି ନିର୍ଦ୍ଦିଷ୍ଟ ମାସରେ କାମ କରିବା ଲାଗି ପ୍ରସ୍ତୁତ ଲୋକଙ୍କ ମଧ୍ୟରୁ କେତେ ପ୍ରତିଶତ ଲୋକ ଚାକିରି, ଶ୍ରମ ବା ଆତ୍ମନିଯୁକ୍ତି ମାଧ୍ୟମରେ କିଛି ହେଲେ ରୋଜଗାର କରିପାରିଛନ୍ତି । ବେକାରୀ ସମସ୍ୟାର ବାସ୍ତବ ସ୍ଥିତି ସମ୍ପର୍କରେ ଜାଣିବାକୁ ହେଲେ ଉଭୟ ବେକାରି ହାର (ଅନଏମ୍ପ୍ଲୟମେଣ୍ଟ ରେଟ) ଓ ଶ୍ରମଶକ୍ତି ଭାଗୀଦାରି ହାର (ଲେବର ଫୋର୍ସ ପାର୍ଟିସିପେସନ ରେଟ)କୁ ବିଚାରକୁ ନେବାକୁ ହେବ । ଜନସଂଖ୍ୟାର କେତେ ପ୍ରତିଶତ ଲୋକ ଶ୍ରମଶକ୍ତିର ଅଂଶ, ତାହା ଶ୍ରମଶକ୍ତି ଭାଗୀଦାରି ହାରରୁ ଜଣାପଡ଼େ । ଶ୍ରମଶକ୍ତିରେ ଥାଇ ନିଯୁକ୍ତି ଖୋଜୁଥିବା ଲୋକଙ୍କ ମଧ୍ୟରୁ ବେକାର ଥିବା ଲୋକଙ୍କ ଶତାଂଶରୁ ବେକାରି ହାର ଜଣାପଡ଼ିଥାଏ । ଅର୍ଥାତ୍ ଗୋଟିଏ ଦେଶର ଅର୍ଥନୀତି ବଳିଷ୍ଠ ହେବାପାଇଁ ଅଧିକ ସଂଖ୍ୟକ ଲୋକଙ୍କ ଲାଗି ଲାଭଜନକ ଭାବେ ନିଯୁକ୍ତି ସୁଯୋଗ ଉପଲବ୍ଧ ହେବା ଯେତିକି ଜରୁରୀ, ଅଧିକ ସଂଖ୍ୟକ ଲୋକ ଶ୍ରମଶକ୍ତିରେ ଭାଗ ନେବା ମଧ୍ୟ ସେତିକି ଆବଶ୍ୟକ । ଅନ୍ୟପକ୍ଷରେ ଶ୍ରମଶକ୍ତି ଭାଗୀଦାରି ହାର କମ ଥାଇ ସ୍ୱଳ୍ପ ସଂଖ୍ୟକ ଆଶାୟୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଉପଲବ୍ଧ ଥିଲେ ସେଥିରେ ହୁଏତ ବେକାରି ହାର କମ ହୋଇପାରେ, କିନ୍ତୁ ତାହା ବେକାରି ସମସ୍ୟାର ବାସ୍ତବ ସ୍ଥିତିକୁ ଦର୍ଶାଇ ନଥାଏ । ମନେକର ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କୌଣସି ରାଜ୍ୟରେ ୫୦ ହଜାର ଲୋକ ଶ୍ରମଶକ୍ତିରେ ଭାଗ ନେଉଛନ୍ତି । ତେବେ ସେଠାରେ ଶ୍ରମଶକ୍ତି ଭାଗୀଦାରି ହାର ମାତ୍ର ୫୦ ପ୍ରତିଶତ ହେବ । ସେମାନଙ୍କ ମଧ୍ୟରୁ ଯଦି ୪୫ ହଜାର ଲୋକ କୌଣସି କର୍ମନିଯୁକ୍ତି ପାଇଥାନ୍ତି ତେବେ ସେଠାରେ ବେକାର ଲୋକଙ୍କ ସଂଖ୍ୟା ୫ ହଜାର ଓ ବେକାରି ହାର ମାତ୍ର ୧୦ ପ୍ରତିଶତ ହେବ । ଅନ୍ୟ ପକ୍ଷରେ ସେହି ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅନ୍ୟ ଏକ ରାଜ୍ୟରେ ଯଦି ୮୦ ହଜାର ଲୋକ ଶ୍ରମଶକ୍ତିରେ ଭାଗ ନେଉଛନ୍ତି, ତେବେ ସେଠାରେ ଶ୍ରମଶକ୍ତି ଭାଗୀଦାରି ହାର ୮୦ ପ୍ରତିଶତ ହେବ । ସେମାନଙ୍କ ମଧ୍ୟରୁ ୬୦ ହଜାର ଲୋକଙ୍କୁ କର୍ମନିଯୁକ୍ତି ମିଳିଥିଲେ ବି ୨୦ ହଜାର ଲୋକ ବେକାର ଥିବାରୁ ବେକାରି ହାର ୨୫ ପ୍ରତିଶତ ହେବ । ଉପରୋକ୍ତ ଦୁଇଟି ରାଜ୍ୟ ମଧ୍ୟରୁ ପ୍ରଥମଟିରେ କମ୍ ସଂଖ୍ୟକ ଲୋକ ନିଯୁକ୍ତ ହୋଇ ମଧ୍ୟ ସେଠାରେ ବେକାରି ହାର ଯଥେଷ୍ଟ କମ୍, କାରଣ ସେଠାରେ ଅଧିକ ସଂଖ୍ୟକ ଲୋକ ଶ୍ରମଶକ୍ତିରେ ଭାଗ ନେଉନାହାନ୍ତି । କିନ୍ତୁ ନିମ୍ନ ବେକାରି ହାର ସତ୍ତ୍ୱେ ଏପରି ସ୍ଥିତି ଅର୍ଥନୀତି ପାଇଁ ସ୍ୱାଗତଯୋଗ୍ୟ ନୁହେଁ । ଦ୍ୱିତୀୟଟି କ୍ଷେତ୍ରରେ ବେକାରି ହାର ଅଧିକ ଥିବା ସତ୍ତ୍ୱେ ସେଠାରେ ଶ୍ରମଶକ୍ତି ଭାଗୀଦାରି ହାର ଅଧିକ ହୋଇ ଅଧିକ ସଂଖ୍ୟକ ଲୋକ ନିଯୁକ୍ତି ପାଇଥିବାରୁ ସେଠାକାର ଅର୍ଥନୀତି ଅପେକ୍ଷାକୃତ ଅଧିକ ସୁଦୃଢ଼ ହେବ ।
ଅନ୍ତର୍ଜାତୀୟ ସଂସ୍ଥା ‘ସିଇଆଇସି ଡାଟା’ ଦ୍ୱାରା ଭାରତ ସମେତ ୨୧୩ଟି ଦେଶରେ ଶ୍ରମଶକ୍ତି ଭାଗୀଦାରି ହାରର ଆକଳନ କରାଯାଇଥାଏ । ଭାରତରେ ଏହି ହାର ଡିସେମ୍ୱର ୨୦୨୦ରେ ୪୦.୧ ପ୍ରତିଶତ ଥିବା ବେଳେ ଡିସେମ୍ୱର ୨୦୨୧ରେ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟି ୪୧.୬ ପ୍ରତିଶତରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ ୧୯୯୦ରେ ଏହି ହାର ସର୍ବାଧିକ ୫୮.୩ ପ୍ରତିଶତ ଥିଲା ବେଳେ ସେବେଠାରୁ ୨୦୧୪ ପର୍ୟ୍ୟନ୍ତ ଏହା କେବେ ବି ୫୦ ପ୍ରତିଶତରୁ କମ ହୋଇ ନଥିଲା । ହେଲେ ତା’ ପରଠାରୁ ଏହା କ୍ରମାଗତ ଭାବେ ହ୍ରାସ ପାଇ ଆହୁରି ୮ ପ୍ରତିଶତ କମ ହେବା ବାସ୍ତବିକ ଚିନ୍ତାର ବିଷୟ । ଅବଶ୍ୟ କୋଭିଡଜନିତ ଲକଡାଉନ ଓ ସଟଡାଉନ ଯୋଗୁଁ ସାରା ବିଶ୍ୱରେ ଅର୍ଥନୀତି ବାଧାପ୍ରାପ୍ତ ହୋଇ ଶ୍ରମଶକ୍ତି ଭାଗୀଦାରି ହାର ଯଥେଷ୍ଟ ହ୍ରାସ ପାଇଥିଲା । ତେବେ ଭାରତରେ କୋଭିଡ ପୂର୍ବରୁ ମଧ୍ୟ ୨୦୧୮ରେ ତାହା ୩୬.୯ ପ୍ରତିଶତର ସର୍ବନିମ୍ନ ସ୍ତରରେ ପହଞ୍ଚି ସାରିଥିଲା । ସମଗ୍ର ବିଶ୍ୱରେ ଡିସେମ୍ୱର ୨୦୨୧ରେ ହାରାହାରି ଶ୍ରମଶକ୍ତି ଭାଗୀଦାରି ହାର ୫୯ ପ୍ରତିଶତ ଥିବା ବେଳେ ଆମେରିକା, ଚୀନ, ଜାପାନ, ବ୍ରିଟେନ, ରୁଷିଆ, ବ୍ରାଜିଲ ଭଳି ବଡ ବଡ ଅର୍ଥନୀତିରେ, ଏପରିକି ପଡ଼ୋଶୀ ବଙ୍ଗଳାଦେଶ ଓ ନେପାଳରେ ମଧ୍ୟ ଏହା ୬୦ ପ୍ରତିଶତରୁ ଅଧିକ ରହିଛି ।
ସାଧାରଣତଃ ୧୫ରୁ ୬୫ ବର୍ଷ ବୟସ ମଧ୍ୟରେ ଥିବା କାର୍ୟ୍ୟକ୍ଷମ ବ୍ୟକ୍ତିଙ୍କର ଶ୍ରମଶକ୍ତିର ଅଂଶ ହେବାର ସାମର୍ଥ୍ୟ ଥାଏ । ଶ୍ରମଶକ୍ତି ଭାଗୀଦାରି ହାର ନିର୍ଦ୍ଧାରଣ ବେଳେ ଉପରୋକ୍ତ ବୟସ ବର୍ଗରେ ଥାଇ ନିଯୁକ୍ତି ଖୋଜୁ ନ ଥିବା ବା ନିଯୁକ୍ତି ପାଇଁ ଅନାଗ୍ରହୀ ବ୍ୟକ୍ତିବିଶେଷଙ୍କୁ ବାଦ ଦିଆଯାଇଥାଏ । ଅବସର ନେଉଥିବା ଲୋକଙ୍କ ସଂଖ୍ୟା ଶ୍ରମଶକ୍ତିରେ ଯୋଗ ଦେଉଥିବା ଲୋକଙ୍କ ସଂଖ୍ୟାଠାରୁ ଅଧିକ ହେଲେ ଏହା ଶ୍ରମଶକ୍ତି ଭାଗୀଦାରି ହାରକୁ ହ୍ରାସ କରିଥାଏ । ଅନ୍ୟ ପକ୍ଷରେ କୌଣସି କାରଣରୁ ନିଯୁକ୍ତି ଖୋଜୁଥିବା ବ୍ୟକ୍ତିବିଶେଷ କାମ କରିବାକୁ ବୀତସ୍ପୃହ ହୋଇ ଅବସରପ୍ରାପ୍ତ ଲୋକଙ୍କ ପରି ଜୀବନ ଅତିବାହିତ କରିବାକୁ ଲାଗିଲେ ମଧ୍ୟ ଶ୍ରମଶକ୍ତି ଭାଗୀଦାରି ହାର ହ୍ରାସ ପାଇଥାଏ । କୌଣସି ନିଯୁକ୍ତି ସୁଯୋଗ ବା ନିଯୁକ୍ତି ସୁଯୋଗର ସମ୍ଭାବନା ନଥିବା ଭଳି ସ୍ଥିତିରେ ଏହି ଧରଣର କିଛି ନିଯୁକ୍ତି ଅନ୍ୱେଷୀ ବ୍ୟକ୍ତି ହତାଶ ହୋଇପଡ଼ନ୍ତି ଓ ଚିର ଦିନ ଲାଗି ଶ୍ରମଶକ୍ତିରୁ ଓହରି ଯାଇ କ୍ରମେ ବେକାର ଭାବେ ଜୀବନ ଅତିବାହିତ କରନ୍ତି । ଏମାନେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇ ପଡୁଥିବାରୁ ଏପରି ଲୋକଙ୍କ ସଂଖ୍ୟା ଅଧିକ ହେଲେ ତା’ର କୁପ୍ରଭାବ ଅର୍ଥନୀତି ଉପରେ ପଡ଼ିଥାଏ । ଶ୍ରମଶକ୍ତି ଭାଗୀଦାରି ହାର କର୍ମନିଯୁକ୍ତ ହେବା ଲାଗି ଲୋକଙ୍କ ବ୍ୟଗ୍ରତା ବା ନିଯୁକ୍ତି ଚାହିଦାକୁ ଦର୍ଶାଉଥିବାରୁ ଏହା ଅଧିକ ହେବା ଅର୍ଥନୀତି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।
‘ସିଏମଆଇଇ’ ପ୍ରଦତ୍ତ ରିପୋର୍ଟ ଅନୁଯାୟୀ ୨୦୨୧-୨୨ରେ ଭାରତରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ପ୍ରାୟ ୧୦୮.୫ କୋଟି ନିଯୁକ୍ତିଯୋଗ୍ୟ ହୋଇଥିଲେ ମଧ୍ୟ ସେଥିରୁ ମାତ୍ର ୪୩.୫ କୋଟି ବା ମାତ୍ର ୪୬ ପ୍ରତିଶତ ନିଯୁକ୍ତି ପାଇଛନ୍ତି । ଗତ ୬ ବର୍ଷ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ୧ କୋଟି କମ ହେବା ଚିନ୍ତାର କାରଣ । ଏମିତିରେ ମହିଳାମାନଙ୍କ ଶ୍ରମଶକ୍ତି ଭାଗୀଦାରି ହାର ପୁରୁଷଙ୍କ ତୁଳନାରେ ଯଥେଷ୍ଟ କମ୍ ଥିଲା । ୨୦୨୨ରେ ପୁରୁଷଙ୍କ ଭାଗୀଦାରି ହାର ୬୭ ପ୍ରତିଶତ ହୋଇଥିବାବେଳେ ମହିଳାଙ୍କ ଭାଗୀଦାରି ହାର ୨୦୨୧ରେ ଥିବା ୩୬ ପ୍ରତିଶତରୁ ଖସି ୨୦୨୨ରେ ୩୩ ପ୍ରତିଶତ ହେଲାଣି । ପୁନଶ୍ଚ, ମହିଳାଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତ ଶ୍ରମଶକ୍ତିରେ ଭାଗ ନେବାକୁ ଆଗେଇ ଆସୁଛନ୍ତି । ବିଶ୍ୱ ବ୍ୟାଙ୍କର ତଥ୍ୟ ଅନୁଯାୟୀ ଭାରତରେ ମହିଳାଙ୍କ ଶ୍ରମଶକ୍ତିରେ ଭାଗୀଦାରିର ହାର ସମଗ୍ର ବିଶ୍ୱରେ ମହିଳାଙ୍କ ଭାଗିଦାରୀ ହାରର ପ୍ରାୟ ୫୦ ପ୍ରତିଶତ । ଦୁର୍ବଳ ଆଇନ ଶୃଙ୍ଖଳା ପରିସ୍ଥିତି, ଅନୁନ୍ନତ ସାଧାରଣ ପରିବହନ ବ୍ୟବସ୍ଥା, ମହିଳାଙ୍କ ପ୍ରତି ହିଂସା ଓ ମହିଳା ବିରୋଧୀ ସାମାଜିକ ଚଳଣି ଓ କଟକଣା ଆଦି ମହିଳାଙ୍କୁ ଅଧିକ ସଂଖ୍ୟାରେ ଶ୍ରମଶକ୍ତିରେ ଭାଗ ନେବାରେ ବାଧା ଉତ୍ପନ୍ନ କରୁଛି । ତେବେ ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଏକ ଅଧ୍ୟୟନରୁ ଜଣାପଡେ ଯେ ଭାରତରେ ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରି ହ୍ରାସ ପାଇବାର ଚାରୋଟି ପ୍ରମୁଖ କାରଣ ହେଲା ଅଧିକ ସଂଖ୍ୟକ ଝିଅ ମାଧ୍ୟମିକ ଓ ଉଚ୍ଚ ସ୍ତରର ଶିକ୍ଷାଲାଭ କରିବା ଲାଗି ଶ୍ରମ ବଜାରରୁ ଓହରିଯିବା, ମହିଳାଙ୍କୁ ଶ୍ରମଶକ୍ତି ଅନ୍ତର୍ଭୁକ୍ତ କରିବା ଲାଗି ଆବଶ୍ୟକ ସଂଖ୍ୟକ ଉପଯୁକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ନ ହେବା, ପରିବାରର ରୋଜଗାର ବୃଦ୍ଧି ପାଇଲେ ପସନ୍ଦରେ ପରିବର୍ତ୍ତନ ଯୋଗୁଁ ମହିଳାମାନେ ସହାୟକ କାର୍ୟ୍ୟ କରିବାରୁ ନିବୃତ୍ତ ହେବା ଓ କିଛି ନା କିଛି କାର୍ଯ୍ୟ କରି ପରିବାରର ଅର୍ଥନୀତିକୁ ପରିପୁଷ୍ଟ କରୁଥିଲେ ବି ନିଜେ ଘରୋଇ କାର୍ୟ୍ୟରେ ସମ୍ପୃକ୍ତ ବୋଲି କହିବା । ତେବେ ଶ୍ରମଶକ୍ତିରେ ମହିଳାଙ୍କ ଭାଗିଦାରୀ ନ ବଢ଼ିଲେ ଅର୍ଥନୀତି ଆଶାନୁରୂପ ଭାବେ ଗତିଶୀଳ ହୋଇପାରିବନାହିଁ ।
ଓଡ଼ିଶାରେ ଡ଼ିସେମ୍ୱର ୨୦୨୨ରେ ଶ୍ରମଶକ୍ତି ଭାଗୀଦାରି ହାର ମାତ୍ର ୪୧.୩୬ ପ୍ରତିଶତ ରହିଛି ଯାହା ଅନେକ ରାଜ୍ୟ ତୁଳନାରେ କମ୍ । ଅର୍ଥାତ୍ ଜନସଂଖ୍ୟାର ୧୦୦ ଜଣରୁ ମାତ୍ର ୪୧ ଜଣ ଶ୍ରମଶକ୍ତିରେ ଭାଗ ନେବାକୁ ଚାହୁଁଥିଲା ବେଳେ ଅବଶିଷ୍ଟ ୫୯ ଜଣ ଭାଗ ନେଉନାହାନ୍ତି । ଏତେ ଅଧିକ ସଂଖ୍ୟକ ଲୋକ କାମ କରିବାକୁ ଅନାଗ୍ରହୀ ହେଲେ ଅର୍ଥନୀତି ସୁଦୃଢ଼ ହେବା କଷ୍ଟକର । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଓଡ଼ିଶାରେ ଏକ ବଳିଷ୍ଠ ମହିଳା ସଶକ୍ତିକରଣ କାର୍ୟ୍ୟକ୍ରମ କାର୍ଯ୍ୟକାରୀ ହେଉଥିବାରୁ ଏଠାରେ ବେକାରି ହାର କମ୍ ହୋଇଛି ବୋଲି କେହି କେହି ମତ ଦିଅନ୍ତି । ତାହା ଠିକ୍ ହୋଇଥିଲେ ଓଡ଼ିଶାରେ ପ୍ରଥମେ ମହିଳାଙ୍କ ଶ୍ରମଶକ୍ତିରେ ଭାଗିଦାରୀ ହାର ଯଥେଷ୍ଟ ବୃଦ୍ଧି ପାଇଥାନ୍ତା, ଯାହା ହୋଇନାହିଁ ।
“ଯେବେଠାରୁ ଟଙ୍କିକିଆ ଚାଉଳ ବଣ୍ଟାଯାଉଛି, ଚାଷକାମ କରିବା ଲାଗି ଲୋକ ମିଳୁନାହାନ୍ତି” ବୋଲି ଓଡ଼ିଶାର ଗାଁଗଣ୍ଡାରେ ଚାଷୀମାନଙ୍କ ଅଭିଯୋଗ । ଏହା ଶ୍ରମଶକ୍ତିରେ ଭାଗ ନେବା ଲାଗି ବୀତସ୍ପୃହ ହେବାର ଏକ ଉଦାହରଣ ହୋଇପାରେ । ଓଡ଼ିଶାର ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ପ୍ରଥମେ ଶ୍ରମଶକ୍ତି ଭାଗୀଦାରି ହାରକୁ ବଢାଇବାକୁ ହେବ । ତେଣୁ ସରକାରଙ୍କ ନୀତି ଓ ପଦକ୍ଷେପ ଶ୍ରମଶକ୍ତି ଭାଗୀଦାରି ହାର ବୃଦ୍ଧିରେ ସହାୟକ ହେଲା ଭଳି ହେବା ଆବଶ୍ୟକ । ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରିକୁ ବଢ଼ାଇବା ଲାଗି ଶ୍ରମ ବଜାରରେ ଏକ ମହିଳାଙ୍କ ଭାଗୀଦାରି ଅନୁକୁଳ ପରିବେଶକୁ ସୁନିଶ୍ଚିତ କରାଯିବା ଆବଶ୍ୟକ । ସେଥିପାଇଁ ସେମାନଙ୍କ ଶିକ୍ଷା ଓ କୌଶଳ ବୃଦ୍ଧି ସହ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ଦରକାର ।
‘ସିଏମଆଇଇ’ ରିପୋର୍ଟରେ ଓଡିଶାରେ ସର୍ବନିମ୍ନ ବେକାରି ହାର ଖୁସିର କାରଣ ହୋଇପାରେ ହେଲେ ଆତ୍ମସନ୍ତୋଷ ଦିଏନାହିଁ । ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ରାଜ୍ୟରେ ଉତ୍କଟ ବେକାରି ସମସ୍ୟାକୁ ଦର୍ଶାଉଛି । ତେଣୁ ବେକାରି ସମସ୍ୟାର ବାସ୍ତବ ମୂଲ୍ୟାୟନ ପାଇଁ ନିୟମିତ ଅନ୍ତରାଳରେ ଅଧ୍ୟୟନ ହୋଇ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଓଡ଼ିଶାର ବେକାରି ହାରକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଏଠାରେ ୩୫-୬୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ବେକାରି ହାର ଶୂନ୍, ଅର୍ଥାତ୍ ଲାଭଜନକ କର୍ମସଂସ୍ଥାନ ହେଉ କି ନ ହେଉ ଏମାନେ କେଉଁ କାର୍ୟ୍ୟରେ ହେଲେ ନିଯୁକ୍ତ ବା ଆତ୍ମନିଯୁକ୍ତ ବୋଲି ଦର୍ଶାଇଥାନ୍ତି । ଅନ୍ୟ ପକ୍ଷରେ ଏଠାରେ ୧୫ରୁ୨୯ ବର୍ଷର ଯୁବକଙ୍କ ମଧ୍ୟରେ ବେକାରି ହାର ୭ ପ୍ରତିଶତରୁ ଅଧିକ ରହିବା ଚିନ୍ତାଜନକ । ରାଜ୍ୟରେ କମ୍ ବେକାରି ହାର ସତ୍ତ୍ୱେ ଅଧିକ ଉତ୍ପାଦନକ୍ଷମ ଯୁବବର୍ଗ ବେକାରି ସମସ୍ୟାରେ ଅତ୍ୟଧିକ ଆକ୍ରାନ୍ତ ହେବା ରାଜ୍ୟର ଅର୍ଥନୀତି ପାଇଁ ଆଦୌ ଶୁଭଙ୍କର ନୁହେଁ । ତେଣୁ ରାଜ୍ୟରେ ଶ୍ରମଶକ୍ତି ଭାଗୀଦାରି ହାର ବୃଦ୍ଧି ପାଇଁ ଅନୁକୁଳ ବାତାବରଣ ସୃଷ୍ଟି ସହ ଯୁବ ବର୍ଗ ମଧ୍ୟରେ ବେକାରି ହାରକୁ କମ୍ କରିବା ପାଇଁ ସେମାନଙ୍କୁ ଉଚିତ ଶିକ୍ଷା, ଉପଯୁକ୍ତ ତାଲିମ ମାଧ୍ୟମରେ ନିୟମିତ ଓ ଲାଭଜନକ ଭାବେ ନିଯୁକ୍ତିଯୋଗ୍ୟ କରାଯିବା ଉପରେ ସରକାରଙ୍କ ଧ୍ୟାନ କେନ୍ଦ୍ରିତ ହେବା ଆବଶ୍ୟକ ।
Published in Sambad on January 10, 2023
Comments
Post a Comment